STORYMIRROR

Prasanna Rana

Inspirational

3  

Prasanna Rana

Inspirational

ବରଗଛ

ବରଗଛ

2 mins
158

  ସେଦିନ ବୁଢ଼ା ବରଗଛଟା ସବୁ ଶୁଣୁଥିଲା । ତାର ଛାଇତଳେ ବସି ଗାଁର ଯୁବଗୋଷ୍ଠୀ ପ୍ରସ୍ତାବ ଦେଉଥିଲେ ବୁଢ଼ା ବରଗଛକୁ କାଟି ଦିଆଯାଉ। ଅଯଥା ବୁଢ଼ା ବରଗଛଟା ପାଞ୍ଚ ଡେସିମିଲ୍ ଜମି ଅକ୍ତିଆର୍ କରି ବସିଛି।

ଗଛର ଓହଳ ଗୁଡ଼ିକ ଛିଣ୍ଡି ତଳେ ପଡ଼ୁଛି। ପତ୍ରଗୁଡ଼ିକ ପଡ଼ି ଗାଁକୁ ଅସନା କରୁଛି। ଗଛଟା ଯୋଗୁଁ ଗାଁର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଗଛଟା କଟିଗଲେ ସେଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଜାଗା ମିଳିବ। ଗାଁର ବୟୋବୃଦ୍ଧ ଭଦ୍ର ବ୍ୟକ୍ତିମାନେ ନିରବ ଥିଲେ। ଯଦିବି ସେମାନେ ଜାଣୁଥିଲେ ଗଛକୁ କାଟିବା ପାଇଁ ଏହା ଏକ ଚକ୍ରାନ୍ତ, ତଥାପି ସରକାରୀ ଦଳର କର୍ମୀ ତଥା କଲ୍ୟାଣ ମଣ୍ଡପ ନିର୍ମାଣକାରୀ ଠିକାଦାରର ଭୟରେ କିଛି କହୁ ନ ଥିଲେ। ଅବଶ୍ୟ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଗାଁରେ ସାମୂହିକ ଜାଗାର ଅଭାବ ମଧ୍ୟ ଅଛି। ପୁଣି ଜାଗା ଅଭାବରେ କଲ୍ୟାଣ ମଣ୍ଡପ ତିଆରି ନ ହେଲେ ଠିକାଦାର ମହାଶୟଙ୍କ ଆର୍ଥିକ କ୍ଷତି ମଧ୍ୟ ହୋଇପାରେ।

   ବରଗଛଟି ତା ପରଠାରୁ ଅସ୍ଥିର ହୋଇଉଠିଲା। ମନରେ ତାର ଅନେକ ଭାବନା।ସତରେ ସେ ଗାଁ ଲୋକଙ୍କ ପାଇଁ ଅଲୋଡ଼ା ହୋଇଗଲା ! ଗାଁର ସମସ୍ତେ ଏଇ ବରଗଛ ତଳେ ଖେଳି ବଡ଼ ହୋଇଛନ୍ତି।ଏଇ ଗଛରେ ପିଲାଦିନେ ଡାଳମାଙ୍କଡ଼ି ଖେଳିଛନ୍ତି।ଆଶ୍ରୟ ନଥିବା ଗାଈଗୋରୁମାନେ ତାରି ତଳେ ଆଶ୍ରୟ ନେଇଛନ୍ତି।ବାଟୋଇମାନେ ତାରି ତଳେ ଖରାଦିନେ ଲମ୍ବପମ୍ବ ହୋଇ ଶୋଇଛନ୍ତି।ଗାଁର ନ୍ୟାୟ ନିଶାପ, ପୂଜା ପାର୍ବଣ, ଭୋଜିଭାତ ସବୁ ଏଇ ଗଛ ତଳେ ହେଇଛି। କେତେ ଅନୂଢ଼ା କନ୍ୟା ରାତିରେ ଅଭିସାରିକା ହୋଇ ନ ଆସିଛନ୍ତି ତା ତଳକୁ ! ଏକ ସ୍ନେହମୟୀ ଜନନୀ ପରି ସେ କଣ ଶୀତଳ ସ୍ପର୍ଶ ଦେଇନି କାହାକୁ ! ବରଗଛଟି ଆଶ୍ଚର୍ଯ୍ଯ ହେଉଥିଲା।

   ଧିରେ ଧିରେ ଗଛଟି ଝାଉଁଳି ପଡ଼ିଲା। ଠିକାଦାର୍ ଡୋଜର୍ ଲଗାଇ ବରଗଛଟିକୁ ଉପାଡ଼ି ଦେଲା। ସେହି ସ୍ଥାନରେ ଠିଆ ହେଲା ସୁରମ୍ୟ କଲ୍ୟାଣ ମଣ୍ଡପ। ଗାଁର ଐତିହ୍ୟ ବହନ କରୁଥିବା ବରଗଛଟି ସେଠାରେ ନ ଥିଲା କିନ୍ତୁ ଥିଲା ଆଧୁନିକତାର ଅହମିକା ବହନ କରୁଥିବା କଂକ୍ରିଟ୍ କୋଠାଟିଏ।କିଛି ଦିନ ପରେ ସେହି କୋଠାଘରର କାନ୍ଥରେ ଦେଖିବାକୁ ମିଳିଲା ଏକ ସରକାରୀ ବିଜ୍ଞାପନ।ଏକ ବରଗଛର ଚିତ୍ର ଅଙ୍କନ କରାଯାଇ ଲେଖା ହୋଇଥିଲା, "ସବୁଜିମା କୋଳରେ, ହସଖୁସି ଖେଳେରେ"।



Rate this content
Log in

Similar oriya story from Inspirational