ରଫ୍ଖାତା
ରଫ୍ଖାତା
"ସେଦିନ କବାଡ଼ିବାଲା ସହିତ ମୂଲଚାଲ ସରିଗଲା। ପୁରୁଣା ବହିପତ୍ର, ଖାତା, ରଦି କାଗଜ ସବୁକୁ କିଲୋ ପ୍ରତି ପନ୍ଦର ଟଙ୍କା ଦରରେ ବିକିବା ପାଇଁ। ତୁମ ମାଁ ସବୁ ପୁରୁଣା ବହିପତ୍ର, ନୋଟ୍ ଖାତା ଆଣି ଜମା କରିଦେଲେ କବାଡ଼ିବାଲା ପାଖରେ। କବାଡ଼ିବାଲା ତରାଜୁରେ ସବୁ ବହିପତ୍ରକୁ ତଉଲୁଥିଲା ବେଲେ ହଠାତ୍ ତୁମେ କେଉଁ ଆଡ଼ୁ ଚାଲି ଆସିଲ। ମୁଁ ତରାଜୁରେ ସବା ଉପରେ ଥାଇ ଓଜନ ହେଉଥିଲି। କାହିଁକି କେଜାଣି ତୁମେ ମତେ ବହିଥାକରୁ ଉଠାଇ ନେଲ। ସଂଗୋପନରେ ମତେ ନେଇ ଆଲମାରିରେ ପୂରାଇ ଦେଲ। ମୁଁ ଜାଣିଛି, ଲୋକେ ନୋଟ୍ଖାତାକୁ ରଖି ମୋତେ ଫିଙ୍ଗି ଦିଅନ୍ତି। ହେଲେ ତମେ ? ମୋ ସହ ତୁମର ଅନ୍ତରଙ୍ଗତା କିଛି ଅଛି କି ??
ଆଜି ଘରେ କେହି ନ ଥିଲେ। ତମେ ସନ୍ତର୍ପଣରେ ମତେ ଆଲମାରିରୁ ବାହାର କଲ। ତମର ହାତରେ ମୋତେ ଆଉଁସି ଦେଲ। ତମର ହାତର ସ୍ପର୍ଶରେ ଦେହ ମୋର ଶିହରି ଉଠିଲା। ମୋ ମଲାଟରେ ବଡ଼ ଅକ୍ଷରରେ ଲେଖା ହୋଇଥିଲା ମୋ ନାଁ।"ରଫ୍ଖାତା"। ତା ତଳକୁ ତୁମ ନାଁ, ତୁମ ବିଦ୍ଯାଳୟର ନାଁ, ଶ୍ରେଣୀ, ରୋଲ୍ ନମ୍ବର ଇତ୍ଯାଦି। ତୁମେ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଲ। ପ୍ରଥମ କେତୋଟି ପୃଷ୍ଠାରେ ସୁନ୍ଦର ଅକ୍ଷରରେ ବିଷୟ, ପ୍ରସଙ୍ଗ ସହିତ ଶିକ୍ଷକଙ୍କ ନାମ ମଧ୍ଯ ଲେଖିଥିଲ। ପର ପୃଷ୍ଠାମାନଙ୍କରେ ବିଭିନ୍ନ ବିଷୟରେ ଗାରିଚାଲିଥିଲ। କିଛି ପୃଷ୍ଠାପରେ କିଛି ଫର୍ଦ କାଗଜ ଚିରା ହୋଇଥିଲା। ମନେ ଅଛିନା, ସେଦିନ ତୁମ ସାଙ୍ଗ ଖାତା ନେଇ ନଥିବାରୁ ତାକୁ ଶିକ୍ଷକଙ୍କ ମାଡ଼ରୁ ବଞ୍ଚାଇବା ପାଇଁ ମୋର କିଛି ଫର୍ଦ କାଗଜ ଚିରି ତାକୁ ଦେଇଥିଲ ! ପୃଷ୍ଠା ଓଲଟାଇ ଚାଲିଲ। ଦେଖିଲ, ତଳ ଉପର ହେଇ କିଛି ଗାର ଟଣାହୋଇଛି। ଶିକ୍ଷକ ଆସି ନଥିବାରୁ ଛକି- ଶୂନ ଖେଲିଥିଲ ନା କ'ଣ ! ଗୋଟିଏ ପୃଷ୍ଠାର କାନିଟିଏ ଚିରା ହୋଇଥିଲା। କଥା କ'ଣ କି ସେଦିନ ତୁମର ପୁରୁଣା ଡଟ୍ପେନ୍ ସ୍ଯାହି ବାନ୍ତି କରୁଥିଲା। ମୋର କାନି ଚିରି ତାହା ପୋଛିଥିଲ। ପର ପୃଷ୍ଠାରେ ଯଥେଚ୍ଛା ଗାରି ପକାଇଥିଲ। ତମର ନୂଆଁ ଡଟ୍ପେନ୍ ଭଳକରି ଚାଲୁ ନଥିଲା ବୋଧହୁଏ। ସେଦିନ ମତେ କେତେ କଷ୍ଟ ହୋଇଥିଲା ଜାଣିଛ ? ଗୋଟିଏ ଫର୍ଦରେ କ'ଣ ଗୋଟେ ଗଣି ହିସାବ କରିଥିଲ। ବୋଧହୁଏ ସାହିତ୍ୟ ଶିକ୍ଷକ ତାଙ୍କ ପିରିୟଡ଼୍ରେ କେତେ ଥର "ବୁଝୁଛ ନା" କହିଥିଲେ ଗଣୁଥିଲ। ମନେ ଅଛି ନା ? ପର ପୃଷ୍ଠାମାନଙ୍କରେ କିଛି ଚାଟିଙ୍ଗ୍ ଓ ଫିଲ୍ମ ଗୀତ। ଶେଷ ପୃଷ୍ଠାରେ ଏକ ସୁନ୍ଦର ପ୍ରେମ ପତ୍ର, ଠିକ୍ କେଉଁ ଉପନ୍ଯାସରୁ ଉତୁରା ହେଲାପରି। ପ୍ରଥମ ଧାଡ଼ିରେ ଲେଖିଥିଲ,"ସାତ ସମୁଦ୍ର ତେର ନଈ ଡେଇଁ ଯାଇଥିବା ମୋର ଏହି ପତ୍ରକୁ ତୁମର କୋମଳ ଚରଣରେ ଦଳି ନଦେଇ ତୁମର ହୃଦୟରେ ସ୍ଥାନ ଦେବ ବୋଲି ମୋର ଆଶା ଓ ବିଶ୍ୱାସ...।" ଆଗକୁ ପଢ଼ିବିନି। କାରଣ, ତୁମେ ଏତେ ଲାଜକୁଳା ଯେ ଚିଠିଟିକୁ ଲେଖି ଏଯାଏଁ ତୁମ ପ୍ରେମିକାକୁ ଦେଇପାରିନ। ଲାଜରେ, ସଂଭ୍ରମରେ ଅବା ଅନ୍ୟ କାହା ହାତରେ ପଡ଼ିଯିବାର ଭୟରେ। ସେଥିପାଇଁ ତ ମତେ ଗୋପନେ ରଖିଛ ଯତନରେ !
ତୁମ କୈଶୋର ଜୀବନର ସବୁକଥା ମୋ ଦେହରେ ଗାରିଛ। ଭୁଲ୍ କରି ସଂଶୋଧନ କରିବାର ସୁଯୋଗ ଦିଏ ବୋଲି ଜାଣିଛ। କାରଣ ମୁଁ ରଫ୍ଖାତା। ତୁମର ପ୍ରଥମ ପ୍ରେମପତ୍ରକୁ ମୁଁ ଗୋପନେ ରଖିଛି ବୋଲି ମୁଁ ତୁମର ଅତି ପ୍ରିୟ ! ହେଲେ, ତୁମ ପ୍ରେମିକାକୁ ତୁମର ନୋଟ୍ଖାତା କରିଦିଅନା ! ତାକୁ ରଫ୍ଖାତା ହେବାକୁ ଜମା ଦେବନି। ମୋ ରାଣ !"
