STORYMIRROR

Prasanna Rana

Tragedy

4  

Prasanna Rana

Tragedy

ଯୂପକାଠର ଛେଲି

ଯୂପକାଠର ଛେଲି

8 mins
415

   ସେଦିନ ଫଗୁନୁର ଝିଅ ଗହକି ତା' ବାପାକୁ ଅଭିମାନ ସ୍ୱରରେ ସିଧାସଳଖ ଜବାବ୍ ଦେଇଥିଲା- "ମୁଇଁ କାଣା ଖାଲି ଭାତ୍-ଦାଏଲ୍ ଖାଏବାର୍ ଲାଗିଁ ହେନ୍'କେ ଖଟିଯାଇଛେଁ ? ମୁଇଁ କାଣା ଇନ ଭୁକେଁ ମରୁଛେଁ ଭାଏଲ୍ ? ଦୁନିଆଁ ଥିଁ ଟୁକେଲ୍'ମାନେ କାଣା ଖାଲି ଖାଏବାର୍ ଲାଗିଁ ଶାଶ୍ ଘର୍'କେ ଖଟି ଯାଏସନ୍ ?" ଫଗୁନୁର ପାଟି ଫିଟି ନ ଥିଲା। ତା'ର ଥମ୍ ଥମ୍ ମୁହଁରେ ଅସହାୟବୋଧତାର ଛାପ ଉକୁଟି ଉଠୁଥିଲା। ବାକ୍ଯବାଣରେ କ୍ଷତାକ୍ତ ହୋଇ ଗହକିର ଶାଶୁଘର ଲୋକେ ଚୁପ୍'ଚାପ୍ ଫେରି ଯାଇଥିଲେ। ଗହକି ବିବାହ ପରେ ପ୍ରଥମ ଥର ପାଇଁ ବାପଘରକୁ ଆସି ରହିଯାଇଥିଲା ଚିରଦିନ ପାଇଁ। ଗହକି କ'ଣ ଭୁଲ୍ କଲା କି ? କାହିଁକି ସେ ଆଉ ଶାଶୁ ଘରକୁ ଗଲାନି ? ତା'ର ବାହା ହେବାରେ କୌଣସି ବାଧ୍ଯ ବାଧକତା ଥିଲା କି ? ନା ତା'ର କୌଣସି ପ୍ରେମିକ ଥିଲେ, ଯାହାକୁ ସେ ଏଯାଏଁ ଭୁଲିପାରି ନ ଥିଲା ? ଏହିପରି ଅନେକ ପ୍ରଶ୍ନର ବୁଢ଼ିଆଣୀ ଜାଳରେ ଛନ୍ଦି ହୋଇ ଯାଇଥିଲା ଅଳକା ଠିକ୍ ଗୋଟିଏ କଙ୍କି ପରି। ଏହି ପ୍ରଶ୍ନଗୁଡ଼ିକ ତାକୁ ବାରମ୍ବାର ଆନ୍ଦୋଳିତ କରୁଥିଲା। ଦଳିଚକଟି ଦେଉଥିଲା ତା'ର ହୃଦୟତନ୍ତ୍ରୀକୁ। ସେତେବେଳେ ସେ କଲେଜର ଛାତ୍ରୀ ଥିଲା। ସଂସାରର ଜୀବନ ଯନ୍ତ୍ରଣା ଜାଣି ନ ଥିଲା।

    କିନ୍ତୁ ଆଜି ଅଳକା, ଅଳକା ନୁହେଁ। ତା'ର ଅନେକ ପରିବର୍ତ୍ତନ ହୋଇସାରିଛି। ସାଁବାଲୁଆରୁ ପ୍ରଜାପତିରେ ବିବର୍ତ୍ତିତ ହୋଇଛି ହେଲେ ପ୍ରଜାପତିର ରଙ୍ଗ ଆଉ ନାହିଁ। କଲେଜ୍ ଜୀବନର ସରସତା ନାହିଁ। ଆଖିରେ ମୃଗର ଚଞ୍ଚଳତା ନାହିଁ। ନାହିଁ ମଧ୍ଯ ସୁନେଲି ଓଠରେ ମାଦକତା। ସତେ ଯେପରି ତା'ର ଜୀବନ-ସ୍ତବକ ମଉଳି ଯାଇଛି। ଶୁଷ୍କ ହୋଇଯାଇଛି। ଅଥଚ ସେଇ ଜୀବନ-ପୁଷ୍ପରେ ପୁଣି ଥରେ ମଧୁ ସିଞ୍ଚନ କରିବା ପାଇଁ ତା'ର ବାପାମା' କେତେ ଆକୁଳ ନିବେଦନ କରି ନ ଅଛନ୍ତି, "ମାଆ ଲୋ ! ତୋ ଛଡ଼ା ଆମର ଆଉ କିଏ ବା ଅଛି ? ଥରକ ପାଇଁ ତୁ ହଁ କରିଦେ। ତୁ ଯାହା ଚାହିଁବୁ ସବୁ ହେବ। ତୁ ଯେଉଁଠି ଚାହିଁବୁ ହେବ। ହଁ କରିଦେ।"

    ଅଳକା ଡବ୍ ଡବ୍ ଆଖିରେ ତା' ବାପାମା'ଙ୍କୁ ଚାହେଁ। କିଛି କହି ପାରେନି। କହିବା ପାଇଁ ଚାହିଁଲେ ତା'ର କଣ୍ଠ ବାଷ୍ପାକୁଳ ହୋଇଯାଏ। ଓଠ ଥରିଉଠେ। କିନ୍ତୁ କିଛି ଶବ୍ଦ ବାହାରେ ନାହିଁ, କେବଳ କଥା କହିବାର ନିଃଶବ୍ଦ ମୁଖଭଙ୍ଗୀ ସହ ଆଖିର ଦୁଇ ଟୋପା ଲୁହ ଛଡ଼ା। ବାପାମା' ଅଳକା ଆଖିରେ ଲୁହ ଦେଖି ପାରନ୍ତି ନାହିଁ।

ସନ୍ତର୍ପଣରେ ଅଳକାଠାରୁ ଦୂରେଇ ଯା'ନ୍ତି। ଅଳକାର ଚାରିଆଡ଼େ ନୀରବତା ମାଡ଼ିବସେ। ନିଜର ଏକାକୀତ୍ୱ ମଧ୍ଯରେ ବି ଅଳକା ଶାନ୍ତି ପାଇ ପାରେନି। ଅତୀତର ସ୍ମୃତି ତା' ବକ୍ଷରେ ଶୂଳବିଦ୍ଧ କରେ।

    ସେଦିନ ଅଳକାର ବାହାଘର ଥିଲା। ଘରଟି ହସଖୁସିରେ ଫାଟି ପଡ଼ୁଥିଲା। ଲୋକମାନଙ୍କ ଭିଡ଼ରେ ମନେ ହେଉଥିଲା ସତେ ଯେପରି ସହରରେ ପାର୍ବଣ ଚାଲିଛି। ଆଖି ଝଲସିଆ ଆଲୋକସଜ୍ଜା ଓ ଆତସବାଜି ଶବ୍ଦରେ ଛାତି ଉଠୁଛି ପଡ଼ୁଛି। "କାହିଁକି ନ ହେବ ? ବାହାଘର କ'ଣ ଏମିତି ସେମିତି ଘରର ହେଉଛି କି ? ସହରର ପ୍ରତିଷ୍ଠିତ ଶିଳ୍ପପତି ଗୋବିନ୍ଦ ରାମ୍'ର ଏକମାତ୍ର ଝିଅର ବାହାଘର ପରା ! କଲେଜ୍ କୁଇନ୍ ଅଳକାର ବାହାଘର !"

    ବରପକ୍ଷ ମଧ୍ଯ କ'ଣ କମ୍ ଥିଲେ କି ? ବରପାତ୍ର ବୀରେନ୍ଦ୍ର ପ୍ରତାପ। ଅବସରପ୍ରାପ୍ତ କର୍ଣ୍ଣେଲ୍'ଙ୍କ ପୁତ୍ର। ଆମେରିକାରୁ କମ୍ପୁଟର୍ ହାର୍ଡ଼ୱେର୍'ରେ ଡିଗ୍ରୀ ପ୍ରାପ୍ତ। ସୌମ୍ଯଦର୍ଶନ, ସୁଠାମ ଶରୀର। ଆମେରିକାରୁ ଫେରିବା ପରେ ସ୍ୱଦେଶରେ କମ୍ପୁଟର୍ ବ୍ଯବସାୟ କରିବା ଥିଲା ତା'ର ଉଦ୍ଦେଶ୍ଯ। ଉଭୟ ପରିବାର ଆଗରୁ ପରସ୍ପର ପରିଚିତ ଥିବାରୁ ବିବାହ ପ୍ରସ୍ତାବ ପଡ଼ିବା ମାତ୍ରେ ବାହାଘର ସ୍ଥିର ହୋଇଯାଇଥିଲା।

    ବିବାହ ବହୁତ ଧୁମ୍'ଧାମ୍'ରେ ସଂପନ୍ନ ହୋଇଥିଲା। ଗୋବିନ୍ଦ ରାମ୍ ନିଜ ଝିଅକୁ ସୁଖି ରଖିବା ପାଇଁ ଅର୍ଥର ସୁଅ ଛୁଟାଇ ଦେଇଥିଲେ। ଯାନି-ଯୌତୁକ, ସୁନା-ଗହଣା ଆଦିରେ ବରପକ୍ଷକୁ ମାଲେମାଲ୍ କରିଦେଇଥିଲେ। ବିବାହରେ ଉଭୟ ପକ୍ଷର ଅର୍ଥଶ୍ରାଦ୍ଧ କୌଣସି ତ୍ରୁଟିକୁ ପ୍ରଶ୍ରୟ ଦେଇ ନଥିଲା।

    ଭୋର୍ ଚାରିଟା ସମୟରେ ନିଜର ଯାନି-ଯୌତୁକ ସହ ସବାରୀରେ ବସିଲା ଅଳକା। ତା' ମା' ତାକୁ ବୁଝଉଥିଲେ - "ଝିଅ ଲୋ ଶାଶୁଘର-ଯମପୁର। ହାତେ ମାପି ଚାକଣ୍ଡେ ଚାଲିବା କଥା। ସ୍ୱାମୀ ସେବା କରିବୁ। ଶିଳ ନ ଥିଲେ ଛାତିକୁ ପଥର କରିବୁ। ତେଲ ନ ଥିଲେ ଲୁହରେ ଶାଗ ଖରଡିବୁ। ନିଜେ ବିଷ ପିଇ ସ୍ୱାମୀକୁ ଅମୃତ ପରଷିବୁ।" ହେଲେ ଅଳକା କିଛି ବୁଝିପାରୁ ନ ଥିଲା। ତା'ର ଫ୍ରକ୍ ପିନ୍ଧା ଅଝଟପଣ ସବୁ ନବବଧୂର ଓଢ଼ଣୀ ତଳେ ଚାପିହୋଇ ଅଣନିଃଶ୍ୱାସୀ ହୋଇପଡ଼ୁଥିଲା। ଏକ ପରିଚିତ ଇଲାକାରୁ ଯାଇ ଏକ ଅପରିଚିତ ଦୁନିଆଁରେ ପାଦ ଥାପିସାରିଥିଲା ଅଳକା।

    ଆଜି ଅଳକା ଜୀବନର ଏକ ଅଭୁଲା ଦିନ। ଆଗରୁ ଏହି ଦିନ ବିଷୟରେ ସଖି ଗହଣରୁ କେତେ କଥା ଶୁଣି ଶିହରିତ ହୋଇଥିଲା। ଏକ କୁତୁକୁତୁ ଭାବନା ସୃଷ୍ଟି ହେଉଥିଲା ତା' ମନରେ। ଏ ବିଷୟରେ ଚିନ୍ତା କରି କରି ଅଳକା ନିଥର ହୋଇ ବସିଥିଲା ଏକ ଲାଜକୁଳୀ ଲତା ପରି। ସତେ ଯେପରି ଛୁଇଁ ଦେଲେ ଝାଉଁଳି ଯିବ। ଆଜି ତା'ର ମଧୁରାତ୍ରି। ବୈବାହିକ ଜୀବନର ପ୍ରଥମ ରାତିଟି ଦାମ୍ପତ୍ଯ ଜୀବନରେ ମଧୁ ଭରିଦିଏ ବୋଲି ଏହାର ଏପରି ନାମକରଣ ହୋଇଛି। ଏହି ନିର୍ଦ୍ଦିଷ୍ଟ ରାତିରେ ଦୁଇଟି ଅପରଚିତ ଆତ୍ମାର ପ୍ରାକୃତିକ ଓ ମାନସିକ ବୁଝାମଣା ହୋଇଥାଏ। ସେଥିପାଇଁ ବୋଧହୁଏ ଏହି ଦିନଟି ବୈବାହିକ ଜୀବନର ସବୁଠୁ ଉପଯୋଗୀ ଦିନ।

    ଶୟନ କକ୍ଷରେ ନିରବତା ବିରାଜମାନ କରୁଥିଲା। ଘରର ଗୋଟିଏ କୋଣରେ କୁଳଦୀପଟି ମିଞ୍ଜିମିଞ୍ଜି ଜଳୁଥିଲା। ଦୂରରୁ ଶୁଭୁଥିଲା ଏକ ହିନ୍ଦୀ ଫିଲ୍ମ ଗୀତ- "ଆୟେହୋ ମେରୀ ଜିନ୍ଦଗୀ ମେଁ ତୁମ୍ ବହାର୍ ବନ୍'କେ...।" ଗୀତଟିକୁ ଏକନିଷ୍ଠ ଚିତ୍ତରେ ଶୁଣୁଥିଲା ଅଳକା ଆଉ ଅପେକ୍ଷା କରିଥିଲା ଅନାଗତ ଦୁଃଖକୁ। ଗୋଲାପ ଓ ମଲ୍ଲୀଫୁଲ ମାଳରେ ସୁସଜ୍ଜିତ କୋଠରୀରେ ବାରମ୍ବାର ଅନାଉଥଲା କାନ୍ଥଘଣ୍ଟାକୁ। ରାତ୍ରି ଯେତିକି ବିଲମ୍ବ ହେଉଥିଲା, ଛାତି ସେହି ପରିମାଣରେ ଧୁଡ଼ୁଧୁଡ଼ୁ ହେଉଥିଲା। ରାତ୍ରିର ୧୧ଟା ୩୦ମିନିଟ୍'ରେ ବୀରେନ୍ଦ୍ର କୋଠରୀରେ ପ୍ରବେଶ କଲା। ଚାରିଆଡ଼େ ଆଖି ଥରେ ପହଁରେଇ ଆଣିଲା। ଅଳକା ଉପରେ ସ୍ଥିର ହୋଇଗଲା ତା'ର ଲୋଭିଲା ଆଖି ଦୁଇଟି। ସତେ ଯେପରି ତାକୁ ଗିଳି ପକାଇବ। "ମୁଁ ତୁମକୁ କିଛି କହିବାକୁ ଚାହେଁ।"

    "କ...କ...କ'ଣ ? କହୁନ।" ଅଳକା ଟିକିଏ ଘବରାଇ ଯାଇ ଓଢ଼ଣୀ ତଳେ ମୁହଁରଖି କହିଲା।

   "ପ୍ରଥମେ କଥା ଦିଅ। କଥା ଯେପରି ଏ କାନରୁ ସେ କାନ ନ ହୁଏ।"

    ଅଳକା ଦ୍ୱନ୍ଦରେ ପଡ଼ିଗଲା। କିଛି ସମୟ ଚୁପ୍ ରହିଲା। "ମୁଁ କିଛି ବୁଝିପାରୁନି, ତୁମେ କ'ଣ କହିବାକୁ ଚାହୁଁଛ।"

    "ମୁଁ ଯାହା କହିବାକୁ ଚାହୁଁଛି, ସେସବୁ ତୁମ କାନରେ ଶୁଣିବ। ପାଟି ଫିଟାଇବ ନାହିଁ। ନହେଲେ ମୋଠାରୁ ଖରାପ୍ କେହି ହେବେନି।" ରୁକ୍ଷ କଣ୍ଠରେ କହିଲା ବୀରେନ୍ଦ୍ର l

    "ତୁମେ କହତ, କଥା କ'ଣ ? ମୁଁ ମାନିବାକୁ ଚେଷ୍ଟା କରିବି।"

    "ମାନିବା ପାଇଁ ଚେଷ୍ଟା ନୁହେଁ, ମାନିବା ପାଇଁ ବାଧ୍ଯ ହେବ।" ନିଜ କଥାରେ ଜୋର୍ ଦେଇ କହିଲା ବୀରେନ୍ଦ୍ର।

    "ଠିକ୍ ଅଛି। ଯେପରି ତୁମ ଇଚ୍ଛା।"

    "ଦେଖ। ମୋତେ ରାତିରେ ଚକ୍କର ମାଡ଼େ। ସେଥିପାଇଁ ତୁମେ ମୋଠାରୁ ଦୂରେଇ ରହିବ। ଛୁଇଁବା ପାଇଁ ବି ସାହସ କରିବନି।" କଥାଟା ଶୁଣି ଅଳକା ଚୁପ୍ ରହିଗଲା। ଗୋଟିଏ ସୁସ୍ଥ ସବଳ ଯୁବକକୁ ରାତିରେ ଚକ୍କର୍ ମାଡ଼ିବା କଥା ଭାବି ଆଶ୍ଚର୍ଯ୍ଯ ହେଲା। ଗୋଟିଏ ନାରୀର ସ୍ପର୍ଶ ଆଉ ଚକ୍କର୍ ମାଡ଼ିବା ମଧ୍ଯରେ ଥିବା ସମ୍ପର୍କକୁ ବୁଝି ପାରୁ ନଥିଲା ଅଳକା। "ତୁମେ ଯେମିତି କହିବ, ମୁଁ ସେମିତି କରିବି।"

 "ହଁ, ଠିକ୍ ଅଛି lଏଥିରେ ହିଁ ତୁମର ମଙ୍ଗଳ ହେବ l"

    ସେଦିନ ବୀରେନ୍ଦ୍ର ନିଜ ପତ୍ନୀକୁ ପଛକରି ଶୋଇ ପଡ଼ିଥିଲା l ଅଳକାର ଚାହାଁଣୀରେ କରୁଣତା ଥିଲା ନା ଘୃଣା ଥିଲା କେଜାଣି l ସେ କେବଳ ଚାହିଁ ରହିଲା ପାଖରେ ପଡ଼ିଥିବା ଏକ ବୃଦ୍ଧ ଜରଦ୍'ଗବକୁ l ଜୀବନ୍ତ ଶବକୁ l "ଛିଃ ! ନାଆଁଟା ସିନା ବୀରେନ୍ଦ୍ର ପ୍ରତାପ l ହେଲେ କାମରେ l ଅଳକା ମୁହଁ ମୋଡ଼ିଦେଲା l

    ଦେଖୁଁ ଦେଖୁଁ ଗୋଟିଏ ମାସ ବିତିଗଲା l କ୍ଯାଲେଣ୍ଡର୍'ର ପୃଷ୍ଠା ବଦଳିଲା l ହେଲେ ଅଲକାର ଜୀବନ ଧାରାରେ କୌଣସି ପରିବର୍ତ୍ତନ ନାହିଁ l ପ୍ରତିଦିନ ସେଇ ପୁରୁଣା ପାଠର ଆଲୋଚନା l ପ୍ରତିଦିନ ବୀରେନ୍ଦ୍ର ଆସେ l ଚକ୍କର୍ ମାଡ଼ିବାର ବାହାନା କରି, ଅଳକାକୁ ବୁଝେଇ ଶୁଝେଇ ଶୋଇ ପଡ଼େ କ୍ଲାନ୍ତ ପଥିକ ପରି l ଭଗ୍ନଜାନୁ ଦୁର୍ଯ୍ଯୋଧନ ପରି l କିନ୍ତୁ ସକାଳର ସୂର୍ଯ୍ଯ ସହିତ ତାଳ ଦେଇ ଉଠିପଡ଼େ ବୀରେନ୍ଦ୍ର l ଅଳକାକୁ ସାଙ୍ଗରେ ନେଇ ବୁଲିଆସେ ସହରର ଗଳିକନ୍ଦି, ଦୋକାନ୍-ବଜାର୍, ହୋଟେଲ୍, ସିନେମା ହଲ୍ l ଅଳକା ପଛରେ ଅଯାଚିତ ଭାବରେ ଅର୍ଥ ଖର୍ଚ୍ଚ କରେ l ଦୁହେଁ ଗୁପ୍'ଚୁପ୍ ଖାଆନ୍ତି, ସିନେମା ଯାଆନ୍ତି, ଅଳକାର ମନ ମୁତାବକ ଶାଢ଼ୀ, ଗହଣା କିଣନ୍ତି l ଦିନର ମଉଜ୍ ମଜଲିସ୍'ର ଗେଣ୍ଡାଖୋଳରେ ବୁଜି ହୋଇଯାଏ ରାତିର କୋହ, ମୋହ ଓ ଲୁହ l

    ଅଳକାର ଶାଶୁଶ୍ୱଶୁର ମଧ୍ଯ ତାକୁ ମୁଣ୍ଡରେ ବସାଇ ଥିଲେ l ତା' ଦେହରେ ମାଛିଟିଏ ମଧ୍ଯ ବସିପାରୁ ନଥିଲା l ସେ ଯଦି ଛିଙ୍କିଦିଏ, ଶାଶୁ-ଶ୍ୱଶୁର ଡାକ୍ତର ଡକାଇ ଛିଙ୍କର କାରଣ ପଚାରୁ ଥିଲେ l ଏପରି ଶାଶୁ-ଶ୍ୱଶୁର ପାଇ ଅଳକା ନିଜ ପିତାମାତାଙ୍କୁ ମଧ୍ଯ ଭୁଲି ସାରିଥିଲା l

    ଦିନଗୁଡ଼ିକ ଗଡି଼ ଚାଲିଥିଲେ ନଈର ପାଣି ପରି l ବାକିସବୁ ଠିକ୍ ଥିଲା l ସେଇ ରାତିରେ ମଧ୍ଯ ଚାତକୀ ଚାହାଣିରେ ଏକ ଶୁଷ୍କ ମେଘକୁ ଅପେକ୍ଷାରତ ଥିବା ଅଳକା ନିଜ ଭାବନା ରାଜ୍ଯରେ ବୁଡ଼ି ରହିଥିଲା l କବାଟର କେଁ ଶବ୍ଦରେ ତା'ର ଧ୍ଯାନ ଭାଙ୍ଗିଗଲା l ଯାଇ ଦେଖିଲା, ବୀରେନ୍ଦ୍ର ଟଳମଳ ପାଦରେ କବାଟ ପଛରେ ଠିଆ ହୋଇଛି l ଅଳକା ଦେହରେ ଭରାଦେଇ ଧିରେ ଧିରେ କୋଠରୀକୁ ଆସି ପଲଙ୍କରେ ଗଡ଼ି ପଡ଼ିଲା l ବୀରେନ୍ଦ୍ରର ପାଟିରୁ ନିର୍ଗତ ସୁଗନ୍ଧିରେ ଅଳକା ନାକ ଟେକିଦେଲା l "ଶଃ, ମଦ ପିଇମରିଛି l କୌଣସି ବାହାଘର ଭୋଜିକୁ ଯାଇଥିଲା ନା କ'ଣ l"

    ସେହି ରାତିରେ ବୀରେନ୍ଦ୍ର ଏକ ଢେଙ୍କିପରି ପଡ଼ି ରହିଥିଲା ଖଟ ଉପରେ l ଅନେକ ରାତି ପର୍ଯ୍ଯନ୍ତ ଚେଇଁ ରହିଲା ଅଳକା l କ'ଣ କରିବ କ'ଣ ନ କରିବର ଦ୍ୱନ୍ଦ ମଧ୍ଯରେ ଉବୁଟୁବୁ ହେଉଥିଲା ସେ l ରାତ୍ରିର ଗଭୀରତା ତା' ଶୁଷ୍କ ହୃଦୟର ଅଭାବବୋଧତାକୁ ଚେତେଇ ଦେଉଥିଲା l ଯେଉଁ ଅଭାବକୁ ସୃଷ୍ଟିର ଧନ ସମ୍ପଦ ମଧ୍ଯ ପୂର୍ଣ୍ଣ କରିପାରିବ ନାହିଁ l କାହିଁକି ନା ନାରୀର ପୂର୍ଣ୍ଣତା କେବଳ ମାତୃତ୍ୱରେ l ନାରୀ ହେଉଛି ସୃଷ୍ଟିର ପ୍ରଥମ ପାହାଚ l ହେଲେ, ପୁରୁଷ କ'ଣ ବୁଝିପାରିଛି ନାରୀର ଅନ୍ତରକୁ ? ଅନୁଭବିଛି କି ନାରୀର ପ୍ରସବ ବେଦନାକୁ ? କାହିଁକି ନାରୀ ପ୍ରସବ ପୀଡ଼ାକୁ ନିମନ୍ତ୍ରଣ କରେ ? ଭାବନା ରାଜ୍ଯରେ ବୁଡ଼ିରହି ବୀରେନ୍ଦ୍ରର ଦେହରେ ଢଳି ପଡ଼ିଲା ଅଳକା l

    ହଠାତ୍ ବୀରେନ୍ଦ୍ରର ନିଦ ଭାଙ୍ଗିଗଲା l ଦେଖିଲା, ତା' ଉପରେ ଶୋଇ ପଡ଼ିଛି ଅଳକା l "ହାରାମ୍'ଜାଦି ତୋ ଏଡ଼େ ସାହାସ୍ l ମୋ ଶୋଇବା ମଧ୍ଯରେ କ'ଣ କ'ଣ କଲୁ କହ ? ନହେଲେ ତୋ ଜୀବନ ଖାଇଦେବି l" ସଟାସ୍ ସଟାସ୍ ଦୁଇ ଥାପଡ଼ ବର୍ଷିଗଲା ଅଳକାର ଗାଳରେ l

    "ମୁଁ ମୁଁ ମୁଁ ତ କିଛି କରିନି l ତୁମ ପାଖରେ ଶୋଇବାକୁ ମନ ହେଲା, ଶୋଇପଡ଼ିଲି l ଏହା ତ ସବୁ ନାରୀର ଅଧିକାର l" ଥରଥର କଣ୍ଠରେ ଅଳକାର ମୁହଁରୁ ବାହାରି ପଡ଼ିଲା l

    "ଚୁପ୍ କର l ଯଦି ଏପରି ଭୁଲ୍ ପୁଣି ହୁଏ ତ ଦେଖିବୁ l"

    "କିନ୍ତୁ ମୁଁ ତ କିଛି ଭୁଲ୍ କରିନି l କଥା କ'ଣ, ମୁଁ ତ କିଛି ବୁଝିପାରୁନି ?"

    "ବୁଝିବାକୁ ଚେଷ୍ଟା କରନା l କେବଳ ମୋ କଥା ମନ ଦେଇ ଶୁଣ୍ l ମୋ ଇଚ୍ଛା ବିରୁଦ୍ଧରେ କିଛି ହେବନି l ଯଦି ହେବ l" ଦୁଇ ତିନି ପଦ ଗାଲି ସହିତ ବିଧାଗୋଇଠା ମାଗଣାରେ ମିଳିଲା ସାବୁନ୍ ସହିତ ତେଲ ଫ୍ରି ମିଳିଲା ପରି l ଅଳକା ନା କାନ୍ଦି ପାରିଲା, ନା ଚୁପ୍ ହେଇ ରହିପାରିଲା l କେବଳ ଗୁମୁରି କାନ୍ଦିଲା ଲୋଟଣୀ ପାରା ପରି l

    ପୁଣି ସୂର୍ଯ୍ଯୋଦୟ-ସୂର୍ଯ୍ଯାସ୍ତ l ଗତାନୁଗତିକତା l ଦିନରେ ଆଭିଜାତ୍ଯର କଚ୍ଛପ ଖୋଳପା ପିନ୍ଧି ବାହାରିଯାଏ ବୀରେନ୍ଦ୍ର l ରାତିରେ ପୁଣି ମୁଣ୍ଡ ଚକ୍କର୍ ଖାଏ l ଅଳକା ପିଠିରେ ମାଡ଼ର ଅସରା ଅସରା ବର୍ଷା l କିର୍'କିରେଇ ଉଠେ ଅଳକାର ବିଦ୍ରୋହୀ ମନ l ମାଡ଼ର ପ୍ରକୋପ ଅଳକାକୁ ଆପେ ଆପେ ବୀରେନ୍ଦ୍ରଠାରୁ ଅଲଗା କରିନିଏ l

    ଦିନେ ଟେଲିଫୋନ୍'ରେ ସବୁକଥା କହି ଦେଇଥିଲା ଅଳକା ନିଜର ପ୍ରିୟସଖି ସୁନନ୍ଦାକୁ l ଦୟା ଓ ଅନୁଶୋଚନାରେ ଆର୍ଦ୍ର ହୋଇଯାଇଥିଲା ସୁନନ୍ଦାର ମନ l ଆଉ ମଧ୍ଯ ବୁଝେଇ ଶୁଝେଇ ବୀରେନ୍ଦ୍ରର ଇଚ୍ଛା କ'ଣ ଜାଣିବା ପାଇଁ ପ୍ରବୋଧନା ଦେଇଥିଲା ଅଳକାକୁ l

    ଅଳକା ଅନେକ ଚେଷ୍ଟା କରିଛି l କିନ୍ତୁ ସବୁଥର ଶୂନ୍ଯଫଳ ପାଇଛି l ପ୍ରତିଦିନ ଅଳକା ସୁନନ୍ଦାକୁ ଫୋନ୍ କରେ l ନିଜର ଧାରାବାହିକ ବିବରଣୀ ପେସ୍ କରେ l ସମସ୍ଯାର ସମାଧାନ ପନ୍ଥା ନିର୍ଦ୍ଧାରଣ ପାଇଁ ଅଳି କରେ l ଶେଷରେ ସୁନନ୍ଦା ପରାମର୍ଶ ଦେଲା-"ବୀରେନ୍ଦ୍ରର ମେଡିକାଲ୍ ଚେକ୍ ଅପ୍ କରୁନ l ଦେଖାଯାଉ, କ'ଣ ହେଉଛି l" କ'ଣ ଆଉ ହେବ l ଯେତେବେଳେ ଅଳକା ଏ ବିଷୟରେ ବୀରେନ୍ଦ୍ରକୁ କହିଛି କି ନାଇଁ ବୀରେନ୍ଦ୍ର ରାଗରେ ଜଳିଗଲା ପେଟ୍ରୋଲ୍'ରେ ନିଆଁ ଲାଗିଲା ପରି l ଦାରା ସିଂ ପରି ବକ୍ସିଂ ଆରମ୍ଭ କରିଦେଲା ଅଳକାକୁ ବକ୍ସିଂ ବ୍ଯାଗ୍ ଭାବି l ତିନି ଦିନ ପର୍ଯ୍ଯନ୍ତ ଖଟକୁ ପରମ ଆଦରରେ ଆଦରି ନେଇଥିଲା ଅଳକା l

    ଦେହ ଟିକିଏ ଭଳ ହେବାରୁ ସିଧାସଳଖ ବାପଘରକୁ ଚାଲି ଆସିଥିଲା ଅଳକା l କଥାଟି ଆଉ ଅଛପା ନ ଥିଲା l ନାଗରା ବାଜି ସାରିଥିଲା ଚାରିଆଡ଼େ l ବୀରେନ୍ଦ୍ରର ବାପାମା' ସହିତ ଖୋଲାଖୋଲି କଥାବାର୍ତ୍ତା କରିବା ପାଇଁ ଜିଦ୍ ଧରିଥିଲେ ଗୋବିନ୍ଦ ରାମ୍ l ଦିନେ ସକାଳେ ଗୋବିନ୍ଦ୍ ରାମ୍ କର୍ଣ୍ଣେଲ୍'ଙ୍କ ଘରେ ପହଞ୍ଚି ଅଳକା ପ୍ରତି ହୋଇଥିବା ଅତ୍ଯାଚାରର ମୁଖା ଖୋଲିଦେଲେ l କର୍ଣ୍ଣେଲ୍ ଚିହିଁକି ଉଠିଲେ-"ଏହା କଦାପି ହୋଇ ନ ଥିବ ! ମୁଁ ବିଶ୍ୱାସ କରି ପାରୁନି ! କ'ଣ ବାଘକୁ ବିରାଡ଼ି ଭାବିଲ କି ?" କଥା ଯେତେବେଳେ ମେଡିକାଲ୍ ଚେକ୍ ଅପ୍ ପର୍ଯ୍ଯନ୍ତ ଉଠିଲା ବୀରେନ୍ଦ୍ର ଏଥିପାଇଁ ପ୍ରସ୍ତୁତ ନ ଥିଲା l ଶେଷରେ ଯାନି ଯୌତୁକର ଦିଆନିଆ ସାଙ୍ଗକୁ ଛାଡ଼ପତ୍ରରେ କାହାଣୀର ପୂର୍ଣ୍ଣଛେଦ ପଡ଼ିଲା l

    "ଇ ମାଁ l ମୁଇଁ ମରି ଯାଏସିଁ ନ ରେ l ତୁମେ ଏତ୍'କି ବେଲ୍ ତକ୍ ନୁହେ ରାଁପିକୁରି ହେବାର୍ ତାଏଲ୍ ଗୋ ନାନୀ ? ଦର୍ପନ୍ ନ ଖାଲି ବସିଛ ଯେ l ତମ୍'କୁଁ ପରେ ଆଏଜ୍ ଦେଖି ଆଏବେ !" ଅତୀତର ଅନ୍ଯମନସ୍କତାରେ ବୁଡ଼ିରହିଥିବା ଅଳକାକୁ ଚହଲେଇ ଦେଲା ଗହକି l ଅଳକା ନିଜ ସ୍ଥିତାବସ୍ଥାକୁ ଫେରି ଆସିଲା l ଗହକିକୁ ଡବ୍ ଡବ୍ ଆଖିରେ ଚାହିଁଲା l ଟିକିଏ ମୁଖୁରା ହେଲେ କ'ଣ ହେବ, କେତେ ସରଳ, ଅବୋଧ ଏହି ଗହକି l ନିଜର ମନକଥାକୁ କେତେ ସହଜରେ କହି ଦେଇଥିଲା ସେଦିନ ନିଜ ବାପ, ଶ୍ୱଶୁର ଆଗରେ l ହେଲେ ଅଳକା, ନା କହି ପାରୁଛି, ନା ସହି ପାରୁଛି l ତା'ରି ସୁଯୋଗରେ ଗୋବିନ୍ଦ୍ ରାମ୍ ହାର୍ଟ୍ ଷ୍ଟ୍ରୋକ୍'ର ଆଳ ଦେଖାଇ ଅଳକାକୁ ରାଜି କରାଇ ଦେଇଥିଲେ ଦ୍ୱିତୀୟ ବିବାହ ପାଇଁ l

    "ତୁ ଆଉ ଥରେ ବାହା ହେଉନୁ କାହିଁକି ଲୋ ଗହକି ? କ'ଣ ତୋର ବୟସ ଗଲାଣି କି ?" ବାହାରି ପଡ଼ିଲା ଅଳକା ମୁହଁରୁ l

    "ପୁଡ଼ିଙ୍ଗଲା ତୁନେ ଆରୁ କାଏଁ ସୁଆଦ୍ ଥିସି କହତ ଗୋ ନାନୀ ? ବନ୍ ପୁଡ଼ିଙ୍ଗଲେ ସଭେ ଜାନ୍'ସନ୍ l ହେଲେଁ, ମନ୍ ପୁଡ଼ିଙ୍ଗଲେ କିଏ ଜାନ୍'ସି କହ ତ ? ତା'ର୍ ଛଡ଼ା, ମୋର୍ ବୁଆ ଜୀଇଁଥିଲା ଯେ ସିନେ, ତୁମର୍ କମ୍ କବାର୍ କରୁଥିଲା ଯେନ୍'ଟା ଇହାଦେ ମୁଇଁ କରୁଛେଁ l ମୁଇଁ ଖଟିଗଲେଁ ତୁମର୍ କବାର୍'ବୁତା କିଏ କର୍'ବା କହତ ?" ଏକ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ତଳକୁ ଚାଲିଗଲା ଗହକି l ଅଳକା ମୁହଁରୁ ଆଉ କଥା ବାହାରୁ ନ ଥିଲା l ରଙ୍ଗଛଡ଼ା ପ୍ରଜାପତିଟି ପୁଣି ଥରେ ଡେଣାରେ ରଙ୍ଗ ଲଗାଇବାର ପ୍ରଚେଷ୍ଟା କରୁଥିଲା l

    ଶେଷରେ ତଳୁ ଅଳକାକୁ ଡକା ପଡ଼ିଲା l "ବରପକ୍ଷ ଦେଖିବାକୁ ଆସିଗଲେଣି l ତଳକୁ ଆ l" ବିଗତ ଅତୀତ ଓ ଅନାଗତ ଭବିଷ୍ଯତର ଭାବନା ଭିତରେ ଆନ୍ଦୋଳିତ ହୋଇ ଧୁଡ଼ୁଧୁଡ଼ୁ ଛାତିରେ ତଳକୁ ପାହାଚରେ ପାଦ ପକାଇଲା ଅଳକା, ଠିକ୍ ସୁନାଝିଅ ପରି l ସମସ୍ତଙ୍କ ମଝିରେ ଠିଆ ହେଲା ଅଳକା l ଇଣ୍ଟର୍'ଭ୍ଯୁ ବୋର୍ଡ଼୍'ର ପରୀକ୍ଷକମାନଙ୍କ ପରି ବସିଛନ୍ତି ବରପାତ୍ରର ସାଙ୍ଗସାଥିମାନେ l ସତେଯେମିତି ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣ ନିକ୍ଷେପ କରିବେ ଅସହାୟ ପରୀକ୍ଷାର୍ଥୀ ଆଡ଼କୁ l ଯୂପକାଠରେ ନିରୀହ ଛେଳିପରି ମୁଣ୍ଡ ନୁଆଁଇ ଦେଲା ଅଳକା ଘାତକର ଖଡ଼୍ଗକୁ ଅପେକ୍ଷା କରି l ହେଇ, ଚୋଟ ବାଜିଲା ନା କ'ଣ ।

                            


Rate this content
Log in

Similar oriya story from Tragedy