STORYMIRROR

Prasanna Rana

Inspirational

3  

Prasanna Rana

Inspirational

ଡିବିରି

ଡିବିରି

3 mins
152

  ସହରରେ ମୋର ନୂଆଁ କୋଠାଘରେ ଗୃହପ୍ରବେଶ ସରି ଯାଇଥାଏ। ପୁରୁଣା ଘରୁ ସବୁ ଆସବାବପତ୍ର ଅଣାଯାଇ ନୂଆଁ ଘରେ ସଜେଇ ରଖାଯାଉଥାଏ। ଗୋଟିଏ କାଚଲଗା ଥାକରେ ମୋର ଟ୍ରଫିସବୁ ରଖାଯାଇଥାଏ। ଟ୍ରଫିଗୁଡ଼ିକ ସହ ପିତଳରେ ତିଆରି ପୁରୁଣା ଡିବିରିଟି ନିଜକୁ ସଙ୍କୁଚିତ ମନେ କରୁଥାଏ। ହେଲେ, ଅଧ୍ୟାପକ ଚାକିରିରୁ ଅବସର ନେଇ ମୋର ଜମାପୁଞ୍ଜିରେ ଏଇ ଘର ଖଣ୍ଡକ କରିସାରିବା ପରେ ମୁଁ ପୂର୍ଣ୍ଣତା ଅନୁଭବ କରୁଥାଏ ।

   ହଠାତ୍ ନାତି ଟୋକାଟା ଦୌଡ଼ି ଆସି ମୋ କୋଳରେ ବସିପଡ଼ିଲା। ଥାକରେ ଥିବା ଡିବିରିକୁ ଦେଖାଇ କହିଲା, "ଜେଜେ ! ସେ ଟ୍ରଫିଗୁଡ଼ିକ ସାଙ୍ଗରେ ଥିବା ଜିନିଷଟି କ'ଣ ? ଟ୍ରଫିଗୁଡ଼ିକ ମଝିରେ ସେ ପୁରୁଣା ଜିନିଷଟି ଭାରି ଅସନା ଦିଶୁଛି। ତାକୁ ହଟେଇ ଦେଉନ !" ମୁଁ କହିଲି, "ନାଇଁରେ ବାବୁନା ! ସେଇ ପୁରୁଣା ଚିଜ ତ ମୋର ଅସଲ ଧନ। ସବୁଠୁ ମୋର ବଡ଼ ଟ୍ରଫି !"

- "କେମିତି ?"

- "ତାହା ହେଉଛି ମୋର ସବୁଠୁ ବଡ଼ ପ୍ରତିସ୍ପର୍ଦ୍ଧୀ ଦିବାକରର ଉପହାର। ମୋର ପରମ ମିତ୍ରର ଶେଷ ସନ୍ତକ।"

- "ଦିବାକର ! ସେ କିଏ ?"

- " ମୁଁ ଗାଁ'ର ପ୍ରାଇମେରୀ ସ୍କୁଲ୍‌ରେ ପଡ଼ୁଥାଏ। ବାପା ଶିକ୍ଷକ।ଗାଁ'ରେ ଆମ ପରିବାର ଏକମାତ୍ର ସ୍ୱଚ୍ଛଳ ପରିବାର। ଘରେ ବିଜୁଳି ବତୀ। ପାଠପଢାରେ କୌଣସି ଅସୁବିଧା ନାହିଁ।ଶ୍ରେଣୀରେ ପ୍ରଥମ ହେଉଥାଏ। ସେଥିପାଇଁ ମନରେ ବହୁତ ଗର୍ବ।ହେଲେ, ମୋର ଗର୍ବ ବେଶି ଦିନ ରହିଲା ନାହିଁ। ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ଦିବାକରର ନାଁ ଲେଖାହେଲା ଆମ ଶ୍ରେଣୀରେ। ବାପାମା'ଙ୍କ ସହିତ ଆସି ଆମ ଗାଁ'ରେ ରହିଲା। ତା'ର ବାପାମା' ଦିନ ମଜୁରିଆ ଭାବରେ କାମ କରୁଥିଲେ ଦିବାକରକୁ ସ୍କୁଲକୁ ପଠେଇ ଦେଇ। ନୁଖୁରା ମୁଣ୍ଡରେ ସ୍କୁଲକୁ ଆସୁଥିଲା ଦିବାକର। ମାଠିଆରେ ଭରା ହୋଇଥିବା ସାର୍ଟ୍‌ପ୍ୟାଣ୍ଟ୍‌ ପିନ୍ଧି, ଖାଲି ପାଦରେ ଆସୁଥିଲା ସେ। ଟିଫିନ୍‌ ନାଁ'ରେ ଖାଲି କିଛି ମୁଢ଼ି ଓ ଗୋଟିଏ ପିଆଜ। ହେଲେ, ମୁଁ ପ୍ରତିଦିନ ଇସ୍ତ୍ରିଦିଆ ସାର୍ଟ୍‌ ପ୍ୟାଣ୍ଟ୍‌ ପିନ୍ଧି, ଜୋତା ଲଗେଇ ଆସୁଥିଲି। ତା' ସାଙ୍ଗକୁ ପୁଡ଼ି ତରକାରି ଟିଫିନ୍‌। କିନ୍ତୁ ଶ୍ରେଣୀରେ ଆଉ ମୁଁ ପ୍ରଥମ ହୋଇପାରିଲି ନାହିଁ। ଦୁଇ ଓଳି ଟିଉସନ୍‌ ଗଲି। ଘରେ ପଢ଼ିଲି। ହେଲେ ଶ୍ରେଣୀରେ ମୁଁ ଆଉ ପ୍ରଥମ ହୋଇପାରିଲି ନାହିଁ।ସେଥିପାଇଁ ଦିବାକର ପ୍ରତି ମୋ ମନରେ ଭୀଷଣ ରାଗ। ଯେତେବେଳେ ପରୀକ୍ଷା ସମୟ ଆସେ, ଭଗବାନଙ୍କ ନିକଟରେ ପ୍ରାର୍ଥନା କରେଁ, "ହେ ପ୍ରଭୁ ! ଦିବାକରର ଗୋଡ଼ ଭାଙ୍ଗିଦିଅ ଯେପରି ସେ ପରୀକ୍ଷା ଦେଇ ଆସି ନପାରୁ। ନହେଲେ ତାକୁ ଜ୍ୱରରେ ପକେଇ ଦିଅ। ଯେମିତି ହେଲେ ମତେ ଶ୍ରେଣୀରେ ପ୍ରଥମ କରିଦିଅ ପ୍ରଭୁ !" ହେଲେ ଏମିତି କିଛି ହେଉନଥିଲା।ଦିବାକର ପୁଣି ଶ୍ରେଣୀରେ ପ୍ରଥମ ହେଉଥିଲା।ଯେଉଁ ଦିନ ପରୀକ୍ଷା ଫଳ ବାହାରେ ଦିବାକର ପ୍ରତି ମୋର ରାଗ ପଞ୍ଚମକୁ ଚଢ଼ିଯାଏ।ରାଗକୁ କିନ୍ତୁ ଚାପିରଖି ଦିବାକର ସହିତ ବନ୍ଧୁତା କରିଥାଏ । ମୋ ମନର ଭାବକୁ ଦିବାକର ଜାଣି ପାରୁଥିଲା କି କ'ଣ ମୁଁ ଜାଣିନି।

   ସେହି ବର୍ଷ ମୋର ଦଶମ ଶ୍ରେଣୀ। ବାପା କହିଲେ ଏ ବର୍ଷ ତୁ ଶ୍ରେଣୀରେ ପ୍ରଥମ ହେଲେ ତୋ ପାଇଁ ନୂଆଁ ସାଇକେଲ୍‌ କିଣାହେବ। ମୁଁ ଦିବାକରକୁ ବାପାଙ୍କ ମନକଥା କହିଲି। ସେ କହିଲା, "ସାଙ୍ଗ ! ତୁ ନିଶ୍ଚୟ ଏ ବର୍ଷ ଶ୍ରେଣୀରେ ପ୍ରଥମ ହେବୁ। ମଉସାଙ୍କର ସ୍ୱପ୍ନ ନିଶ୍ଚୟ ପୂରଣ ହେବ। ଏଥିପାଇଁ ମୁଁ ପୂର୍ଣ୍ଣ ସହଯୋଗ କରିବି।"

ଚାହୁଁ ଚାହୁଁ ମ୍ୟାଟ୍ରିକ୍‌ ପରୀକ୍ଷା ପାଖେଇ ଆସିଲା। ହେଲେ ଏ କ'ଣ ? ଗାଆଁର୍‌ ଟ୍ରାନ୍ସଫର୍ମର୍‌ ହଠାତ୍ ଅଚଳ ହୋଇଗଲା। ମୋର ପାଠପଢାରେ ବହୁତ ଅସୁବିଧା ହେଉଥାଏ। ପରୀକ୍ଷା ହେବାକୁ ଦୁଇ ଦିନ ବାକି ଅଛି।ସନ୍ଧ୍ୟାରେ ଦିବାକର ଆସି କହିଲା, "ସାଙ୍ଗ ! ନେ ଏଇ ଡିବିରିକୁ। ରାତିରେ ଭଳକରି ପଢ଼ିବୁ। ଶ୍ରେଣୀରେ ପ୍ରଥମ ହେବୁ। ମଉସାଙ୍କର ସ୍ୱପ୍ନ ପୂରଣ କରିବୁ।" ଏତିକି କହି ଚାଲିଗଲା ଦିବାକର।"

- "ଜେଜେ ! ତୁମେ ପରୀକ୍ଷାରେ ପ୍ରଥମ ହେଲ ନା ! ଆଉ ତୁମ ସାଙ୍ଗ ?"

- "ହଁ, ମୁଁ ପରୀକ୍ଷାରେ ପ୍ରଥମ ହେଲି। ହେଲେ, ଦିବାକର ପରୀକ୍ଷା ଦେଇ ଆସି ନଥିଲା। ପରେ ଶୁଣିଲି ରକ୍ତ କର୍କଟରେ ତା'ର ଦେହାନ୍ତ ହୋଇସାରିଛି।" ମୁଁ ଆଉ କିଛି କହିପାରିଲି ନାହିଁ। ମୋର ଆଖି ଦୁଇଟି ଲୁହରେ ଓଦା ହୋଇ ଯାଉଥିଲା।

   କ'ଣ ଭାବିଲା କେଜାଣି ବାବୁନା ପୁରୁଣା ଡିବିରିଟିକୁ ଥାକରୁ ଓହ୍ଲାଇ ଆଣିଲା। ବ୍ରସ୍‌ରେ ମାଜିଘଷି ଚକା‌ଚକ୍‌ କରିଦେଇ ପୁଣି ଥାକରେ ଥୋଇଦେଲା। ଟ୍ରଫିଗୁଡ଼ିକ ଗହଣରେ ପିତ୍ତଳ ଡିବିରିଟି ସଦର୍ପେ ଠିଆ ହେଇଥିଲା। ମୁଁ କୃତଜ୍ଞତାରେ ବାବୁନାକୁ କୁଣ୍ଢାଇ ପକେଇଲି।



Rate this content
Log in

Similar oriya story from Inspirational