STORYMIRROR

Prasanna Rana

Others

3  

Prasanna Rana

Others

ଆଞ୍ଜୁଳାଏ ଆଶା

ଆଞ୍ଜୁଳାଏ ଆଶା

1 min
181

   ଦଶ ବାର ବର୍ଷର ଝିଅଟି ଠିଆ ହୋଇଥାଏ ଶିବ ମନ୍ଦିର ବେଢ଼ାର ଗୋଟିଏ ପାର୍ଶ୍ୱରେ। ପରିପାଟୀରୁ ଜଣା ପଡ଼ୁଥାଏ ଝିଅଟି ବହୁତ ଭୋକିଲା ଅଛି। ଏକ ଚିରା ଫ୍ରକ୍ ତା'ର ଦେହକୁ ଆବରଣ ଦେଇଥାଏ। ଏକ ଆତୁର ନୟନରେ ସମସ୍ତଙ୍କୁ ଚାହିଁ ରହିଥାଏ କିଛି ପାଇବା ଆଶାରେ । ହେଲେ ଝିଅଟି ପ୍ରତି କାହାର ନଜର ନାହିଁ।

   କେହି ଜଣେ କହୁଥିଲା, ଘରେ ତା'ର ରୋଗିଣୀ ମାଆ ଆଉ ସାନ ଭାଇ। ଦି' ଦିନ ହେଲା ଘରେ ଚୁଲି ଜଳିନି। ମନ୍ଦିର ଲକ୍ ଡାଉନ୍ ପରେ ଦି' ଦିନ ହେଲା ଭଲ କରି ଖୋଲିଛି। ଆଜି ମନ୍ଦିରରେ ପ୍ରବଳ ଭିଡ଼। ଧନୀ ଲୋକମାନେ ମନ୍ଦିର ଭିତରେ ହାତ ଯୋଡ଼ି ଭିକ ମାଗୁଥିବା ବେଳେ ମନ୍ଦିର ବାହାରେ ଭିକାରିମାନେ ହାତ ଖୋଲି ମାଗୁଛନ୍ତି। ହେଲେ ଝିଅଟି ପ୍ରତି କାହାରି ନିଘା ନାହିଁ। ଝିଅଟି କାହାକୁ ମୁହଁ ଖୋଲି "କିଛି ଦିଅ ବାବୁ !" ବୋଲି ମାଗି ପାରୁନି। କାହିଁକିନା ଝିଅଟି ମୂକ। କେବଳ ଭଗବାନଙ୍କର ଦୟାକୁ ଅପେକ୍ଷା କରିଛି।

   କେହି ଜଣେ ଭକ୍ତ ମନ୍ଦିର ପାଇଁ କିଛି ଚାଉଳ, ଡାଲି, ମୁଗ,ଆଳୁ ଇତ୍ୟାଦି ଭୋଗ ଉଦ୍ଦେଶ୍ୟରେ ପଲିଥିନ୍‌ରେ ଧରିଥିଲେ। ଭୋଗ ସାମଗ୍ରୀକୁ ଥୋଇ ମନ୍ଦିର ପୋଖରୀକୁ ପାଣି ଆଣିବା ପାଇଁ ଗଲାବେଳେ ମନ୍ଦିର ବେଢ଼ା ଭିତରେ ଥିବା ଏକ ବୁଲା ଷଣ୍ଢ ଭୋଗ ସାମଗ୍ରୀରେ ମୁହଁ ମାରିଦେଲା। ଭୋଗ ସାମଗ୍ରୀ ସବୁ ତଳେ ପଡ଼ିଗଲା। ଭକ୍ତ ଜଣକ ତାକୁ ଆଉ ନେଲେ ନାହିଁ। ତଳେ ପଡ଼ିଥିବା ଚାଉଳକୁ ଦେଖି ଝିଅଟିର ଆଖି ଖୁସି ହୋଇଗଲା। ସିଧା ଦୌଡ଼ି ଯାଇ ଝିଅଟି ତାର କୁନି ଆଞ୍ଜୁଳିରେ ଚାଉଳ ପଲିଥିନ୍‌କୁ ଉଠାଇ ନେଲା। ଝିଅଟିର ଆନନ୍ଦ କହିଲେ ନ ସରେ ! ସତେ ଯେମିତି ଝିଅଟିର ଆଞ୍ଜୁଳିରେ ଆଞ୍ଜୁଳାଏ ଚାଉଳ ନଥିଲା, ଥିଲା ଆଞ୍ଜୁଳାଏ ଆଶା !!             



Rate this content
Log in