ବଖରାଏ ଘର
ବଖରାଏ ଘର
ସେଦିନ ନିଧି ମଉସାଙ୍କର ଆନନ୍ଦ କହିଲେ ନ ସରେ। ଛାତିଟା କୁଣ୍ଢେମୋଟ ହୋଇଯାଉଛି। ଚାକିରିଆ ପୁଅ ସହରରେ ଦୁଇ ମହଲା ଘର ତିଆରି କରିଛି। ଚକଚକିଆ ମାର୍ବଲ୍ ଲଗା ଘର। କାର୍ ପାଇଁ ପାର୍କିଙ୍ଗ୍ ହଲ୍, ଗେଷ୍ଟ୍ ରୁମ୍, କିଚେନ୍, ପୂଜା ଘର, ଲବି, ମାଷ୍ଟର୍ ବେଡ୍ରୁମ୍, କମନ୍ ଟଏଲେଟ୍, ଏଟେଚ୍ଡ୍ ବାଥ୍ରୁମ୍, ଷ୍ଟୋର୍ ରୁମ୍ ସବୁକୁ ମିଶାଇ ଦୁଇ ହଜାର ବର୍ଗଫୁଟ୍ର ଘର। ନିଧି ମଉସା ଭାବୁଥିଲେ ଘରଟା ତାଙ୍କ ଗାଁ'ରେ ତିଆରି ହୋଇଥିଲେ ତାଙ୍କ ଘର ଗାଁ'ର ସବୁଠାରୁ ବଡ଼ ଘର ହୋଇଥାନ୍ତା ନିଶ୍ଚୟ। ବିଭୁର ମାଆଁ ବଞ୍ଚିଥିଲେ କେତେ ଖୁସି ହୋଇନଥାନ୍ତେ ସତେ !
ବିଭୁଦତ୍ତ ଚାକିରି ପାଇବାର ପୂର୍ବ ବର୍ଷ ମାଉସୀ ବାପପୁଅଙ୍କୁ ଏକୁଟିଆ କରି ଛାଡ଼ି ଚାଲିଗଲେ। ପୁଅ ପାଇଁ କ'ଣ କରିନଥିଲେ ସେ ! ବଖରାଏ ଘରେ ତେଲଲୁଣର ସଂସାର ଚଲାଇଛନ୍ତି। ପୁଅକୁ ମଣିଷ କରିବାକୁ ଯାଇ ବଖରାଏ ଘରକୁ ଟିଣ ଛପର ଟିକିଏ ବରିପାରି ନାହାନ୍ତି। ହେଲେ, ମାଉସୀଙ୍କର ଫଟା କପାଳ। ପୁଅର ଶିରୀ ଦେଖିପାରିଲେ ନାହିଁ। ମାଉସୀଙ୍କୁ ସେଦିନ ନିଧି ମଉସା ଖୁବ୍ ମନେ ପକାଉଥିଲେ।
ବିଭୁଦତ୍ତର ଗୃହ ପ୍ରବେଶର ସପ୍ତାହେ ଆଗରୁ ନିଧି ମଉସା ଯାଇଥିଲେ ଗାଁ'ରୁ ପୁଅ ପାଖକୁ। ପୁଅ ଚାକିରି କଲାପରେ ପ୍ରେମ ବିବାହ କରି ରହିଯାଇଥିଲା ସହରରେ। ଏକମାତ୍ର ପୁଅର ବାହାଘର କରାଇବାର ସୁଯୋଗ ପାଇପାରି ନଥିବାରୁ ନିଧି ମଉସା ପୁଅ ପ୍ରତି କିଛି ଦିନ ପାଇଁ ଅଭିମାନ କରିଥିଲେ ଅବଶ୍ଯ। ହେଲେ, ନାତି ନାତୁଣୀ ଦୁଇଟି ଆସିବା ପରେ ମଉସାଙ୍କର ଅଭିମାନ ଦୂରେଇ ଯାଇଥିଲା। ନୂଆଁ ଘରେ ପୁଅର ଗୃହ ପ୍ରବେଶ ପାଇଁ କିଛି ଦିନ ବେଶ୍ ଉତ୍ସାହରେ କାମ କରୁଥିଲେ ମଉସା। ଭାବୁଥିଲେ ଶେଷ ସମୟ ଟିକାକ ରହିଯିବେ ପୁଅ ସହିତ। ଗାଁ'ରେ ତ କେହି ସମ୍ପର୍କୀୟ ନାହାନ୍ତି। ବଖରାଏ ଘର ଅଛି ଯାହା। ତାକୁ ଜଗି ଲାଭ କ'ଣ ?
ନିଧି ମଉସା ଅନୁଭବ କଲେ ବୋହୁର ବ୍ୟବହର ତାଙ୍କ ପ୍ରଡି ଧିରେ ଧିରେ ରୁକ୍ଷ ହେବାରେ ଲାଗିଛି। ସେ ଶୁଣିବାକୁ ପାଇଲେ ନୂଆଁ ଘରେ ତାଙ୍କ ପାଇଁ କୌଣସି ରୁମ୍ ତିଆରି ହୋଇନାହିଁ। ତାଛଡା ମଉସାଙ୍କ ଗାଉଁଲି ବ୍ୟବହାର ଘରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ଦିନେ ବିଭୁ ତା ବାପାଙ୍କୁ କହି ପକାଇଲା, "ବାପା ! ତୁମେ ଗାଁ'କୁ ଯାଅ। ଗାଁ'ର ଘର ବଖରାଏ ଛାଡ଼ିବ କେମିତି ? ତାଛଡା ଛୁଆଦି'ଟା ତୁମ ଯୋଗୁଁ ଦିନକୁ ଦିନ ବିଗିଡ଼ି ଯାଉଛନ୍ତି।" ମଉସା କିଛି କହିଲେ ନାହିଁ। ତାଙ୍କ ଆଖିରୁ ତତଲା ଲୁହ ଟିକିଏ ଝରି ଆସିଲା ଯାହା।
ଆଜି ମଉସା ଗାଁ'ରେ ହାଜର୍। ଅସନା ହୋଇ ପଡ଼ିଥିବା ବଖରାଏ ଘର ତାଙ୍କୁ ପୁଣି ଆଦରି ନେଲା। ମାଉସୀଙ୍କର ସ୍ମୃତି ଭିଜା ବଖରାଏ ଘରରେ ମଉସାଙ୍କୁ ମିଲୁଥିଲା ଅଫୁରନ୍ତ ଆନନ୍ଦ। ଯାହାହେଉ ମାଉସୀ ମରିଥିବା ବଖରାଏ ଘରରେ ତ ମରିପାରିବେ ! ମଉସା ଭାବୁଥିଲେ ସହରିଆ ଲୋକମାନଙ୍କର କେଡ଼େ ବଡ଼ ବଡ଼ ଘର ! ହେଲେ, ହୃଦୟ କେତେ ଛୋଟ ।
