Lopamudra Mishra

Romance

4.0  

Lopamudra Mishra

Romance

ଡ଼ାଇରୀର ଶେଷପୃଷ୍ଠା

ଡ଼ାଇରୀର ଶେଷପୃଷ୍ଠା

7 mins
581


ମାମା ! ମାମା ! ମୋତେ ସତରେ ତୁମେମାନେ ପର ଭାବିଦେଲ l ନୁହେଁ ? ମୋ ରୁମ୍ ର ଅବସ୍ଥାଟା କଣ କରିଛ ତୁମେ ? କୋଉଟା ଵି କୋଉଠି ଠିକରେ ରଖା ହେଇନାହିଁ l ସବୁ ଜିନିଷ ଏପଟ୍ ସେପଟ୍ l ମୁଁ ମୋ ପୁରୁଣା ଜିନିଷ କିଛି ଵି ପାଉନି l


ଆରେ କଣ ଖୋଜୁଛୁ କହୁନୁ ? ତୁ ତ ଭାରି ସାଇତି ରଖୁଥିଲୁ ସବୁ? ତୁ ପା ତୋ ରୁମ୍ କୁ ମୋତେ ପଶେଇ ଦେଉନା l ମୁଁ ଆହୁରି ତୁ କଲେଜ୍ ଗଲା ପରେ ଆସିକି ସବୁ ସଜାଡ଼ି ରଖେ l ହଉ କଣ ଖୋଜୁଛୁ କହ, ମୁଁ ହେଲ୍ପ କରିବି l


    ପ୍ରଣତି ମୁହଁକୁ ଫୁଲେଇ କହିଲା, "କିଛି ଦରକାର ନାହିଁ, ତୁମେ ଯାଅ l ମୁଁ ନିଜେ ଖୋଜିନେବି l "


   ବାହାଘର ଚାରିମାସ ପରେ ଅରୁଣଙ୍କ ସହ ଜର୍ମାନୀ ପଳେଇଥିଲା ପ୍ରଣତି l ବର୍ଷକ ପରେ ଇଣ୍ଡିଆ ଫେରିଛି l ଏଇଠି ବାପଘରେ ପନ୍ଦରଦିନ ରହି ଶାଶୂଘରକୁ ଯିବ l ସେଠି ଆଠ ଦିନ ରହି ପୁଣି ଫେରିଯିବ ସ୍ୱାମୀଙ୍କ ସହ ସୁଦୂର ଜର୍ମାନୀ l ଏହି ପନ୍ଦର ଦିନର ସମୟକୁ କାହା ସହ କିପରି ବିତେଇବ ତାର ସେ ଏକ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଆସିଥିଲା l ଆଜି ତା' ସାଙ୍ଗ ମଧୁର ମ୍ୟାରେଜ୍ ରିସେପସନ ମୟୁର୍ ହୋଟେଲରେ l ସେଠିକୁ ସେ ସନ୍ଧ୍ୟାରେ ଯିବ l ତା ଫିଜିକ୍ସ ଡିପାର୍ଟମେଣ୍ଟର ପ୍ରାୟ ସବୁ ଫ୍ରେଣ୍ଡସ୍ ଙ୍କ ସହ ବହୁତ ଦିନ ପରେ ଆଜି ଦେଖା ହେବ l "ଆର୍.ଜୀ କଲେଜ୍ ରୟାଲ ଫିଜିକ୍ସ ୨0୧୭ ବ୍ୟାଚ୍" ହ୍ୱାଟ୍ସଅପ ଗ୍ରୁପର ସବୁ ମେମ୍ବର୍ ଆଜି ପ୍ରଣତିକୁ ଅପେକ୍ଷା କରିଛନ୍ତି ଭେଟିବା ପାଇଁ l ପ୍ରଣତି କିନ୍ତୁ ମାମାଙ୍କ ଉପରେ ରାଗୁଛି କାହିଁକି ସେ ତା ରୁମ୍ ଟାକୁ ଆଗୁଆ ସଫା କରି ରଖିଲେନାହିଁ ବୋଲି l  


     ପ୍ରଣତି କପବୋର୍ଡରୁ ସବୁ ପୁରୁଣା ଡ୍ରେସ୍ ବାହାର କରି ଲଣ୍ଡ୍ରି ବ୍ୟାଗ୍ ରେ ଭର୍ତ୍ତି କଲା, ସତେଯେମିତି ଘରୁ ବେଘର କରି କାହାକୁ ବିତାଡ଼ିତ କରିଦେଉଛି, ସେମିତି l ଯେଉଁଟା ପସନ୍ଦ ଆସୁଥିଲା, ତାକୁ ଅଲଗା ରଖି ଟ୍ରାଏ କରି ଦେଖୁଥିଲା ଫିଟ୍ ହେଉଛି କି ନାହିଁ l ବେଶି ଟିକେ ଟାଇଟ୍ ଲାଗୁଥିଲେ ରାଗିକି ହାତରେ ମୋଡ଼ି ମାଡି ଫିଙ୍ଗି ଦେଉଥିଲା ସେହି ଲଣ୍ଡ୍ରି ବ୍ୟାଗ୍ ଉପରକୁ l  


     ରୁମ୍ ସାରା ସବୁ ଜିନିଷ ଖେଳେଇ ପକେଇ ସାରିଲା ପରେ ସେ ତା ବୁକ୍ ସେଲ୍ଫ ପାଖକୁ ଗଲା l ଗ୍ରାଜୁଏସନ୍ ଫାର୍ଷ୍ଟ ଇଅର୍ ର ପ୍ରାକ୍ଟିକାଲ ରେକର୍ଡ ଖାତାଟେ ଆଖି ସାମ୍ନାକୁ ଆସିଲା l ସେଇଟି ଓଲଟେଇ ପକେଇଲା l ସଫେଦ୍ କାଗଜଟେ ତଳକୁ ଖସିପଡ଼ିଲା l ପ୍ରଣତି ନଇଁ ପଡ଼ି ଉଠେଇଲା l କାଗଜଟା ସତରେ କିନ୍ତୁ ଆଉ ସଫେଦ୍ ନଥିଲା, ଅନେକଟା ମସିଆ ପଡ଼ିଗଲାଣି l କାଗଜରେ ଅଙ୍କା ହେଇଥିବା ଚିତ୍ରଟା କିନ୍ତୁ ଆଜି ଵି ଲାଗୁଛି ଜୀବନ୍ତ ଆଉ ସତେଜ l ଚିତ୍ରକର ସତରେ କେଡ଼େ ଯତ୍ନରେ, କେଡ଼େ ବାଗରେ ଫିଜିକ୍ସ ଅନର୍ସର ସେହି ପ୍ରଥମ ବର୍ଷର ଛାତ୍ରୀଟିର ନିରୀହ ମୁହଁଟାର ସବୁଯାକ ନିରୀହତା, ନିର୍ବୋଧତାକୁ କାଗଜ ଉପରେ ସାମାନ୍ୟ ଗୋଟେ ପେନସିଲ ସାହାଯ୍ୟରେ ଆଙ୍କି ଉତ୍ତାରି ପକେଇଥିଲେ

     

     ପ୍ରଣତି କାଗଜ ଟିକୁ ଧରି ମନୋଜ ମନସ୍କ ହେଇଗଲା l ହ୍ୱାଟ୍ସଅପ ଗ୍ରୁପରେ ମନୋଜ ନାହିଁ l କେହି ଜାଣନ୍ତିନି ସେ ଏବେ କୋଉଠି l ଯେମିତି ଗୋଟେ ପିଲା ଝଡ଼ ପରି ଆସି କେଇଟା ସେକେଣ୍ଡ ରେ ସମସ୍ତଙ୍କୁ ପ୍ରଭାବିତ କରି ଅନ୍ତର୍ଧ୍ୟାନ ହେଇଗଲା, ଠିକ୍ ସେମିତି l ପ୍ରଣତି କାଗଜଟି ଯୋଉଠି ଥିଲା ସେଇଠି ରଖିଦେଇ ଆହୁରି ଆହୁରି ପୁରୁଣା ଜିନିଷ ସବୁ ଅଣ୍ଡାଳିବାରେ ଲାଗିପଡ଼ିଲା l ୨0୧୫ ମସିହାର ଡ଼ାଇରୀଟା ଧରି ବେଡ୍ ଉପରେ ବସିଲା l ପୃଷ୍ଠା ପରେ ପୃଷ୍ଠା ଓଲଟେଇ ପକେଇଲା l ଗୋଟେ ଜାଗାରେ ଅଟକି ଗଲା l

  

     "ପ୍ରଣତି ! ତୁମେ ଏହି ନୂଆ ଡ଼ାଇରୀ ଟାର ପ୍ରଥମ ପୃଷ୍ଠା ହେଲେ ମୁଁ ଛାଡ଼ି ଆସିଥିବା ଗତବର୍ଷର ଶେଷ ଫର୍ଦ l ତୁମେ ପଛକୁ ଫେରିପାରିବନି,ମୁଁ ଚାହୁଁନି l ମୁଁ ଵି ଆଗକୁ ଯାଇପାରିବିନି l ତୁମେ ଆଗେଇ ଯାଅ ପ୍ରଣତି l ଯାଅ l ଖୁବ ଆଗକୁ ଯାଅ l"


    ମନୋଜ ସହ କଲେଜ୍ ଜୀବନରେ ବିତି ଥିବା ଦୁଇବର୍ଷ ଭିତରେ ସେ ଦୁଇଟି ନୂତନବର୍ଷର ଆଗମନରେ ତାକୁ ଡ଼ାଇରୀ ଦୁଇଟି ଉପହାର ସ୍ୱରୂପ ଦେଇଥିଲା l ଦୁଇଟି ଯାକ ଡ଼ାଇରୀ ର ପ୍ରଥମ ପୃଷ୍ଠାରେ ଦୁଇଧାଡ଼ି ପେନସିଲରେ ଲେଖିକରି ଦେଇଥିଲା l କହିଥିଲା, "ପଢ଼ିସାରି ଇରେଜର୍ ରେ ଲିଭେଇ ଦେବ l ଶବ୍ଦଗୁଡ଼ା ସାଧା କାଗଜରୁ ଲିଭିଗଲେ ଦୁଃଖ ନାହିଁ l "


     ମନୋଜର କଥା ମନକୁ ଆସିବା କ୍ଷଣି ପ୍ରଣତି ନିଜ ଭରପୁର ସୁଖୀ ଜୀବନ ଭିତରେ ବିରାଟ ଏକ ଫାଙ୍କାପଣ ଅନୁଭବ କଲା l ସେ କି ଚମତ୍କାର ଚିତ୍ରକର ! ପାର୍କରେ ବସି ସାରାଟା ରୋମାଣ୍ଟିକ ମୁହୂର୍ତ୍ତକୁ ଚିତ୍ରରେ ତୋଳି ଧରିପାରେ ତା ଯାଦୁଗରୀ ଚିତ୍ରକର ହାତରେ l ସୁନ୍ଦର କବିତା ଵି ଲେଖେ ମନୋଜ l ତା' କବିତା ମାଟି, ନଦୀ , ଆକାଶ, ଜହ୍ନ ଓ ତାରାଙ୍କ ମନ କଥା କହେ l ମନୋଜ ପ୍ରଣତିକୁ ସୁନ୍ଦର ଭାବେ ବର୍ଣ୍ଣନା କରି ବୁଝେଇ କୁହେ ସମ୍ବାଳୁଆରୁ ପ୍ରଜାପତି ହେବାର ସୁନ୍ଦର,ସୁଖଦ ମୁହୂର୍ତ୍ତକୁ l ତା'ର ଏତେ ଅଳ୍ପ ବୟସରୁ ଏତେ ପରିପକ୍ଵତା ଦେଖି ସାଙ୍ଗମାନେ ଏବଂ ତାକୁ ଭଲ ଭାବେ ଚିହ୍ନିଥିବା ଜାଣିଥିବା ଅଧ୍ୟାପକ ଅଧ୍ୟାପିକାମାନେ ଆଶ୍ଚର୍ଯ୍ୟ ହୁଅନ୍ତି l ପ୍ରଣତି କେବେ କେବେ ପଚାରିଲେ କୁହେ, "ବୋଧେ ଜୀବନ କୁ ଖୁବ୍ ଜଲଦି ବୁଝି, ଖୁବ ଶୀଘ୍ର ଯାତ୍ରାଟା ଶେଷ କରିବାରେ ଅଛି " l ପ୍ରଣତି ଅଧା ବୁଝେ, ଅଳ୍ପ ଅବୁଝା ରହିଯାଏ l


         ମାମା ଆସି ଦେଖିଲେ ଝିଅ ତାଙ୍କର ରୁମ୍ ସାରା ନୂଆ ପୁରୁଣା ଜିନିଷ ପତ୍ର ଅଜାଡ଼ି ପକେଇଛି l ପ୍ରଣତି ସଜାଡ଼ିବା ଦାୟିତ୍ୱଟା ମାମାଙ୍କ ଉପରେ ଲଦି ଦେଇ ମୋବାଇଲ୍ ଧରି ବାଲକୋନୀକୁ ଉଠିଗଲା l


  ଫେସବୁକ ଖୋଲି 'ମନୋଜ ରାୟ' ନାଁ ଟା ସର୍ଚ୍ଚ କଲା l ଅନେକ ଗୁଡ଼ିଏ ମନୋଜ ରାୟ ଗୋଟିଏ ପରେ ଗୋଟିଏ ତଳକୁ ତଳକୁ ମୋବଇଲ ସ୍କ୍ରିନ୍ ରେ ସଜେଇ ହେଇଯାଉଥିଲେ l ସେଥିରେ କିନ୍ତୁ ତା' ମନୋଜ ନଥିଲା l ପ୍ରଣତି ନିରାଶ ହୋଇ ପୁଣି ଡ଼ାଇରୀଟା ଖୋଲୁଥିଲା l ସେହି କେଇଧାଡ଼ି ବାରମ୍ବାର ପଢୁଥିଲା l "ଡାଇରୀର ଶେଷ ପୃଷ୍ଠା କାହିଁକି ସେ ଏମିତି ନିଜକୁ କହେ? ",ପ୍ରଣତି ମନେ ମନେ ଭାଵିଚାଲିଲା l


ହଠାତ୍ ତାର ଗୋଟେ ପୁରୁଣା ମାଗାଜିନ୍ କଥା ମନେ ପଡ଼ିଲା ଯେଉଁଥିରେ ମନୋଜ୍ ର କବିତାଟେ ପ୍ରକାଶ ପାଇଥିଲା l ପୁରୁଣା ବହି ଥାକରୁ ସେଇଟି ଖୋଜି ପାଇଗଲା l କବିତାର ଶୀର୍ଷକ ଥିଲା 'ମୁଠାଏ ଜୀବନ' l "ଜୀବନ କେମିତି ପୁଣି ମୁଠାଏ ହେଇପାରେ ? ଧେତ୍.." ଫିଜିକ୍ସ ଛାତ୍ରୀର ମୁଣ୍ଡ ଗୋଳମାଳିଆ ହେଇଯାଏ l ମନୋଜ ପରି କବିତାରେ ଜୀଉଁଥିବା ପିଲାଟେ ପଦାର୍ଥ ବିଜ୍ଞାନରେ କେମିତି ରୁଚି ରଖିଲା ଭାବି ପ୍ରଣତି ଵି ଆଶ୍ଚର୍ଯ୍ୟ ହୁଏ l


    ସେହି 'ମୁଠାଏ ଜୀବନ ' କବିତାର କବି ମନୋଜ ରାୟଙ୍କ ଠିକଣା ଟି ତଳେ ଲେଖା ହେଇଛି l ପ୍ରଣତିଅନେକ ଦିନ ଖୋଜିଲା ପରେ ବହୁତ କିଛି ପାଇଗଲା l "ଏହି ଠିକଣାରେ ସମ୍ପର୍କ କଲେ କଣ ମନୋଜ ମିଳିଯିବ? ", ପ୍ରଣତି ଭାବିଲା l ମନୋଜର ଠିକଣା ଟା ହ୍ୱାଟ୍ସଅପର ସେହି ଗ୍ରୁପରେ ସେୟାର୍ କଲା l ଉତ୍ତର ଆସିଲା,"ଆରେ ଏଇଟା କୋଉଠୁ ପାଇଲୁ? ଆମେ ବୁଝିଥିଲୁ, ଏଟା ଭୁଲ ଆଡ୍ରେସ୍ l"


    ମନୋଜ ହଜିଯିବା ପୂର୍ବରୁ କହିଥିଲା, "ପ୍ରଣତି ! ତୁମେ ମୋତେ ଯେତେବେଳେ ଖୋଜିବ, ତୁମରି ଭିତରେ ହିଁ ପାଇବ l ମୋତେ ବାହାରେ କୁଆଡ଼େ ଖୋଜି ନିଜର ସମୟ ଅପଚୟ କରିବନି l "


   ବର୍ଷେ ଯାଏଁ ପାଗଳ ପରି ପ୍ରଣତି ମନୋଜକୁ ଖୋଜିଲା l ଖୋଜି ଖୋଜି ସତରେ ନୟାନ୍ତ ହୋଇଗଲା l କୌଣସି ସନ୍ଧାନ ମିଳିଲାନାହିଁ ତା'ର l ପିଲାଟା ହଷ୍ଟେଲରେ ରହୁଥିଲା l ଲୋକାଲ୍ ଗାର୍ଡିୟାନ୍ ଥିଲେ ଵଟାନି ଡିପାର୍ଟମେଣ୍ଟର ଡେମୋନସ୍ଟ୍ରେଟର ରଞ୍ଜନ ସାର୍ l ତାଙ୍କଠୁ ମଧ୍ୟ ମନୋଜର ଠିକଣା ମିଳିନଥିଲା l ସେ କହିଥିଲେ, "ମୁଁ ତ ସତରେ ଜାଣିନି ଏ ଅସାମାନ୍ୟ ପ୍ରତିଭା ଟି ଆସିଥିଲା କେଉଁଠୁ ? ମୁଁ ସେଣ୍ଟ୍ରାଲ ହଷ୍ଟେଲ ର 'ବସନ୍ତ କବିତା ଆସର' କୁ ଯାଇଥିଲି l ତାର 'କଳା ସୂର୍ଯ୍ୟ' କବିତା ଆବୃତ୍ତି ଶୁଣି ମନ୍ତ୍ରମୁଗ୍ଧ ହେଲି l ସେଇଠୁ ତା' ପରିଚୟ ମାଗନ୍ତେ, ସେ ମୋତେ ତା'ର ପରିଚୟ କରିବାକୁ ଚାହିଁଲା l କକା କହି ମୋ ପାଦ ଛୁଇଁ ଥିଲା l " ଏତକ କହିବା ଭିତରେ ରଞ୍ଜନ ସାର୍ ଙ୍କ ଆଖି ତଳୁ ସରୁଆ ପାଣିର ଦୁଇଟି ଧାର ବହି ଆସୁଥିଲା l ସେ ଆହୁରି ମଧ୍ୟ କହିଥିଲେ ଅନ୍ୟ ମାନଙ୍କ ପରି ମନୋଜ ଗଲା ପୂର୍ବରୁ ତାଙ୍କୁ ମଧ୍ୟ ଯିବା ସମ୍ବନ୍ଧରେ କିଛି କହିନଥିଲା l 


    କଲେଜ୍ ଓ ହଷ୍ଟେଲରେ ତା' ଆବେଦନପତ୍ର ଫର୍ମ୍ ରେ ତାର ଯେଉଁ ଠିକଣା ଲେଖା ହେଇଥିଲା ସେଇଟି ଥିଲା ତାର ବହୁ ପୁରୁଣା ଆଡ୍ରେସ୍ l ତା ବାପାଙ୍କ ସରକାରୀ ବାସଭବନର ଠିକଣା, ଯେଉଁଟା କୁ ସେମାନେ ଅନେକ ବର୍ଷ ଆଗରୁ ଛାଡ଼ି ଆସିଥିଲେ l


        ମନୋଜ ୨0୧୭ ଜାନୁଆରୀର ପ୍ରଥମ ସୂର୍ଯ୍ୟ ଉଇଁବା ପୂର୍ବରୁ ଶୂନ୍ୟରେ ମିଳେଇଗଲା ପରି ମିଳେଇଗଲା l ନୂଆ ଡ଼ାଇରୀଟେ କିଣି କରି ଆଣିଥିଲା l ଡିସେମ୍ବର ତିରିଶର ଡିପାର୍ଟମେଣ୍ଟ୍ ପିକନିକ୍ ହିଁ ଥିଲା ତାହାର ସମସ୍ତଙ୍କ ସହ ଶେଷଦେଖା l ଏକତିରିଶ ରାତିରେ ହଷ୍ଟେଲ୍ ର ଛାତ ଉପରେ ପିଲାମାନେ ଜିରୋ ନାଇଟ୍ ପାର୍ଟୀ ରେ ମସଗୁଲ ଥିଲା ବେଳେ ମନୋଜ ଡ଼ାଇରୀରେ କଣ ଲେଖୁଥିଲା l ତହିଁ ଆରଦିନ ସକାଳୁ ତା ବେଡ୍ ଉପରେ ବେଡିଙ୍ଗ୍ ଗୁଡ଼ା ହୋଇ ରହିଥିଲା l ସେ ଆଉ ଫେରିଲା ନାହିଁ ବାକି ଲଗେଜ୍ ନେଇଯିବାକୁ l 

  

     ମନୋଜ ଚାଲିଗଲା ପରେ ପ୍ରଣତି ଆଉ ଆଗକୁ ପଢିବାକୁ ଇଚ୍ଛା କଲାନାହିଁ l ଏମିତି କି ସେ ଗ୍ରାଜୁଏସନ୍ ଶେଷ ସେମେସ୍ଟାର୍ ପରୀକ୍ଷା ଦେବାକୁ ମଧ୍ୟ ନିଜକୁ ପ୍ରସ୍ତୁତ କରିପାରୁନଥିଲା l ସେ ଭିତରେ ଅଭିଷେକଙ୍କ ଘରୁ ପ୍ରସ୍ତାବ ଆସିଲା l ମାମା, ପାପାଙ୍କ ଧମକଚମକରେ ବ୍ୟତିବ୍ୟସ୍ତ ହେଇ ପ୍ରଣତି ବିବାହ ପାଇଁ ସମ୍ମତି ଜଣେଇଦେଲା l ଅଭି ହିଁ ତା' ଜୀବନକୁ ଏହି କିଛି ଦିନ ଭିତରେ ଏକଦମ ବଦଳେଇଦେଇଛନ୍ତି l ତଥାପି ତା' ମନ ଭିତରେ କୋଉଠି ନା କୋଉଠି ଡ଼ାଇରୀର ଶେଷ ପୃଷ୍ଠା ଆଜି ବି ଉଙ୍କି ମାରୁଛି l 


     ବୁଲାବୁଲି, ସାଙ୍ଗମାନଙ୍କ ସହ ଭେଟାଭେଟି, ଗେଟଟୁଗେଦର୍ ସରିଗଲା l ପ୍ରଣତି ଶାଶୂଘରକୁ ଯିବାକୁ ବାହାରିଲା l 


  ଅନେକ ଦିନ ହେବ ସେ ଶାଶୂଘରକୁ ଯାଇନାହିଁ l ବାହାଘର ପରେ ପରେ ଯେଉଁମାନଙ୍କୁ ସହ ଦେଖାହେଇଥିଲା, ସେମାନଙ୍କ ନାଁ ସବୁ ଠିକରେ ମନେଅଛି କି ନାହିଁ ସେ ଗାଡି ଭିତରେ ବସି ଭାବି ଭାବି ଯାଉଥିଲା l ଗାଡି ଗେଟ୍ ପାଖରେ ରହୁ ରହୁ ପାଖକୁ ଦୌଡ଼ିଆସିଲା ଲିଲିମା, ଅଭିଙ୍କ ମାଉସୀ ଝିଅ l 


--ଭାଉଜ ଦେଖ ଦେଖ ମୁଁ ମୁଁ ଭଲ ହେଇଯାଇଛି l ବିଲକୁଲ ଭଲ ହେଇଯାଇଛି l 


  ପ୍ରଣତି ଲିଲିମାର ହାତ ଧରି ଆସ୍ତେ ଆସ୍ତେ ଘର ଭିତରକୁ ପଶୁଥିଲା ଆଉ ଛୋଟ ଲିଲିମାର ତରବରିଆ କଥା ସବୁ ଶୁଣୁଥିଲା l 


   ଲିଲିମାର ହୃତପିଣ୍ଡରେ ସମସ୍ୟା ଥିଲା l ସେ ସେଥିପାଇଁ ଚଲାବୁଲା ବେଶି କରିପାରୁନଥିଲା l ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଡାକ୍ତର କହିଥିଲେ l କିନ୍ତୁ ଡୋନର୍ ମିଳୁନଥିଲେ l ଏତେ ଶୀଘ୍ର କେମିତି ଲିଲି ଠିକ୍ ହେଇଗଲା ? ପ୍ରଣତି ଜାଣିବାକୁ ପାଇଲା ଯେଉଁ ହସ୍ପିଟାଲରେ ଲିଲିର ଚିକିତ୍ସା କରାଯାଉଥିଲା, ସେଇଠି ଗୋଟେ ପିଲା ଚିକିତ୍ସିତ ହେଉଥିବା ଅବସ୍ଥାରେ ମରିଗଲା l ସେ ପିଲାର ମର ଶରୀରର ଦାବିଦାର କେହିନଥିଲେ l ସେହି ପିଲା ମୃତ୍ୟୁ ପୂର୍ବରୁ ନିଜର ଛଅଟି ଅଙ୍ଗ ଦାନ କରିଦେଇଯାଇଥିଲା l ତାହାର ବ୍ଳଡ୍ ଗ୍ରୁପ୍ ଲିଲି ସହ ମ୍ୟାଚ୍ କଲା l ସେହି ପିଲାର ହୃତପିଣ୍ଡ ଲାଗିଛି ଲିଲିଠାରେ l ଲିଲିମା ଏବେ ସମ୍ପୂର୍ଣ୍ଣ ସୁସ୍ଥ l 


     ଲିଲିମା ଏବଂ ମାଉସୀ ରୁହନ୍ତି ପ୍ରଣତିର ଶାଶୂଘରେ, ଲିଲିମାର ବାପାଙ୍କ ଅଚାନକ ମୃତ୍ୟୁ ହେଇଯିବା ପରେ ପରେ l ସନ୍ଧ୍ୟାରେ ପ୍ରଣତି ମାଉସୀଙ୍କ ରୁମ୍ କୁ ଯାଇଥିଲା ଲିଲିମା ସାଙ୍ଗରେ l ମାଉସୀଙ୍କ ରୁମ୍ ର ଗୋଟେ କୋଣକୁ ଯେଉଁଠି ମଉସାଙ୍କ ଫୋଟୋ ଟଙ୍ଗା ହେଇଥାଏ, ସେଇଠି ଆଉ ଜଣଙ୍କ ଫୋଟୋରେ ଫୁଲମାଳଟେ ଝୁଲୁଛି l ପ୍ରଣତି ଆଶ୍ଚର୍ଯ୍ୟ ହେଇ ପାଖକୁ ଗଲା l ଆଖି ତାହାର ଲୁହରେ ଭର୍ତ୍ତି l ମାଉସୀ ପାଖକୁ ଆସିଲେ l ପ୍ରଣତି ଥରି ଥରି କହିଲା, "ମାଉସୀ.. ଏ ପିଲା.. ଇଏ ତ.. "


ହଁରେ ମାଆ, ଏଇ ଛୋଟିଆ ପିଲାଟା ଆମ ପାଇଁ ଭଗବାନ ପାଲଟିଗଲା l ତାହାରି ହୃତପିଣ୍ଡ ଲିଲିର ଛାତିରେ ଧକ୍ ଧକ୍ କରୁଛି l 


   ପାଖରେ ଠିଆ ହେଇଥିବା ଲିଲିକୁ ପ୍ରଣତି ନିଜ ପାଖକୁ ଟାଣି ଆଣିଲା l ତା'କୁ ଛାତିରେ ଜାକି ଧରିଲା ଓ କାନ୍ଦିଲା l ଲିଲିମା କିଛି ବୁଝିପାରୁନଥିଲା l ପ୍ରଣତି କାନ୍ଦୁ କାନ୍ଦୁ ଆସ୍ତେ କରି କହିଲା, "ମାଉସୀ, ଡ଼ାଇରୀର ଶେଷପୃଷ୍ଠାରେ ଅନେକ କିଛି ଲେଖିହୁଏ l "


Rate this content
Log in

Similar oriya story from Romance