STORYMIRROR

Soubhagini Parida

Romance

4  

Soubhagini Parida

Romance

ଚୋରାବାଲି

ଚୋରାବାଲି

5 mins
344


ବିଥୋଭେନ୍ ଙ୍କ 'ସୋନାଟା ମୁନ୍ ଲାଇଟ୍' ଶୁଣିଛ ଦେବ୍? ପିଆନୋ ରେ ସ୍ପନ୍ଦନ ଭରିବାର କଳା, ଜଡ଼ ବସ୍ତୁ କୁ ଜୀବନ୍ୟାସ ଦେବାର ଯାଦୁଗରୀ, ଅପ୍ରେମ କୁ ପ୍ରେମରେ ପରିଣତ କରିବାର ଚାତୁର୍ଯ୍ୟ ବିଥୋଭେନ୍ ଙ୍କ 'ସୋନାଟା ମୁନ୍ ଲାଇଟ୍' ସେ ତାଙ୍କର ଷୋଡଶ ବର୍ଷୀୟା ଛାତ୍ରୀ ଗିୟୁଲିଏଟା କୁ ବିବାହ ପ୍ରସ୍ତାବ ଦେଇ ତା'ର ପରିବାର ଦ୍ୱାରା ଦାରୁଣ ଭାବରେ ପ୍ରତ୍ୟାଖ୍ୟାତ ହୋଇଥିଲେ ।ସେଇ ବିରହ ଦୀପଶିଖା ପରି ଅହରହ ଜଳୁଥିଲା ତାଙ୍କ ଭିତରେ ।ସେଥିପାଇଁ ସେ ବିଶ୍ବ  ପ୍ରସିଦ୍ଧ ପିଆନୋ ବାଦକ ହୋଇ ପାରିଲେ ।ଆମର ହୋଇଗଲା ତାଙ୍କର ପ୍ରେମ ଓ ସୃଷ୍ଟି ।ଆଉ ମୁଁ, ଆମ ଅସମ୍ପୂର୍ଣ୍ଣ ପ୍ରେମ କୁ ଛାତିରେ ଭରି ନେଇଯାଇଛି ମୋ କଳାର ଦୁନିଆକୁ। ମୋତେ ଜୀବନବ୍ୟାପୀ ତୁମ ପ୍ରେମିକା ହୋଇ ରହିବାର ଗୌରବ ଦିଅ।

ସାଲୋନୀର ଶେଷ କେଇପଦ କଥାକୁ ମୁଁ ଶୁଣି ଯାଇଥିଲି ନିରବ ରେ।ଯେମିତି ଅବା ମୋର ପ୍ରତିକ୍ରିୟା ଦେଖାଇବାର ପ୍ରକ୍ରିୟାଟି ସେଇ ମୁହୂର୍ତ୍ତରେ ନିଷ୍ପନ୍ଦ ହୋଇ ଯାଇଥିଲା ।

ମୁହଁ ରେ ଜବରଦସ୍ତ ହସ ଫୁଟେଇ ବାକୁ ଚେଷ୍ଟା କରି ସେ କହିଲା ଟ୍ରେନ୍ ଟାଇମ୍ ହୋଇଗଲାଣି, ମୋତେ ଯିବାକୁ ହେବ ।ତୁମକୁ ମୁଁ ସ୍ମୃତି ହେବାକୁ ଦେବିନାହିଁ ।ଏତିକି ବିଶ୍ୱାସ ରଖ ମୋ ଉପରେ ।

ମୋ ଉତ୍ତର କୁ ଅପେକ୍ଷା ନକରି ଚାଲିଗଲା ଟ୍ରଲିବ୍ୟାଗ୍ କୁ ଗଡ଼ାଇ ଗଡ଼ାଇ ।

ସଲୋନୀ ଚାଲିଗଲା ।ପ୍ରଥମ ଚାରି ଚକ୍ଷୁ ମିଳନର ରୋମାଞ୍ଚକୁ, ପ୍ରଥମ ଛୁଆଁର ନାଁକୁ, ପ୍ରଥମ ଚୁମ୍ବନର ଶିହରଣ କୁ ସାଥି ରେ ନେଇ ଜୀବନ ର ଲମ୍ବା ରାସ୍ତା ଏକାକୀ ଚାଲିବାର ପ୍ରତିଜ୍ଞା ନେଇ ଚାଲିଗଲା । 

ଆଉ ମୁଁ ଷ୍ଟେସନ୍ ର ଶେଷ ଭାଗରେ ଥିବା ଏକ ସୁନାରୀ ଗଛ ତଳ ସିମେଣ୍ଟ୍ ବେଞ୍ଚରେ ବସି ଅଦିନିଆଁ ବର୍ଷା ଭିଜିଭିଜି ତା' ଯିବା ରାସ୍ତା କୁ ଚାହିଁ ରହିଥିଲି ସେ ଗହଳି ମିଶିଯିବା ପର୍ଯ୍ୟନ୍ତ ।ସେ ମୋତେ ଷ୍ଟେସନ ଯିବାକୁ ମନା କରିଥିଲା, କେହି ଜଣେ ସମ୍ପର୍କୀୟ ଅପେକ୍ଷା କରିଥିଲେ ତାକୁ ସାଥିରେ ନେବା ପାଇଁ । 

ଜୀବନ ଯଦି ତାର ରଙ୍ଗମଞ୍ଚ, ତେବେ ସେ ଯାତ୍ରା ର ସହଯାତ୍ରୀ ହୋଇପାରିବି ନାହିଁ ଏମିତି ତ କିଛି ନଥିଲା ସର୍ତ୍ତ।ୟୁନିଭର୍ସିଟି ଡ୍ରାମା କମ୍ପିଟେସନ୍ ରେ ସଲୋନୀ ସହିତ ମୋର ସାକ୍ଷାତ, ବନ୍ଧୁତା ଓ ବନ୍ଧୁତା ପ୍ରେମ ରେ ପରିବର୍ତ୍ତିତ ହୋଇଥିଲା ଅଳ୍ପ କିଛି ଦିନ ମଧ୍ୟରେ।ସଲୋନୀର ଉପସ୍ଥିତି ହିଁ ସ୍ନାୟୁ ରେ ଖେଳାଇ ଦେଉଥିଲା ରୋମାଞ୍ଚ।ତା'ର ଅନେକ ରୁପମୁଗ୍ଧ ପ୍ରଶଂସକ ଥିଲେ ମଧ୍ୟ ଦିନେ ସେ ମୋ ପରି ଦୁର୍ବଳତମ ଚରିତ୍ରଟିକୁ ବନ୍ଧୁ ଭାବରେ ଗ୍ରହଣ କରିନେଲା ।ସେ ପଦ୍ମବନ ନିବାସୀ ଓ ମୁଁ ଦୁରନ୍ତ ମରୁଭୂମି ର କ୍ଲାନ୍ତ ପଥିକ ।ତେବେ କାହିଁକି ଆମ ଭିତରେ ଗଢି ଉଠିଲା ଭାବର  ସମ୍ପର୍କଟିଏ ।

ବାପା ଚାଲିଯାଇଥିଲେ ଅନେକ ବର୍ଷ ତଳେ ।ବିଶେଷ ଜମିବାଡ଼ି ନଥିଲା ।ଭାଗଚାଷ ର ମୂଲ୍ୟ ଆୟ ଓ ଦୁଇବଖରା ଘର ଉପରେ ଚାଲୁଥିଲା ଆମ ଘର ।ତେଣୁ ସାନ ଭଉଣୀର ମାୟା ରୁ ମୁକ୍ତ କରିବା ସମ୍ଭବ ହେଲା ନାହିଁ।ସେ ମୋତେ ଶିଖାଇ ଦେଇଥିଲା କେମିତି ଭୋଗିବାକୁ ହୁଏ ଜୀବନକୁ।ସକାଳ ଅପ୍ରାପ୍ତି ରେ ସୁଦ୍ଧା ଆକାଶ ରେ ମେଘ, ପକ୍ଷୀ,ଜହ୍ନ ରାତି କୁ ପ୍ରେମ କରି ହୁଏ ହୃଦୟ ଦେଇ ।ସେତେବେଳେ ମୋର ମାନେ ହେଉଥିଲା ମୁଁ ଏକ ଭିନ୍ନ ଗ୍ରହର ଅଧିବାସୀ,ଯେଉଁଠି ଦୁଃଖ ନାହିଁ,ଦୈନ୍ୟ ନାହିଁ,ଅଛି କେବଳ ଅଫୁରନ୍ତ ଜୀବନ ଓ ପ୍ରେମ ।ତେବେ ଭୟ ଲାଗୁଥିଲା ଭାଙ୍ଗି ଯିବନି ତ ଏ ସ୍ବପ୍ନ?ଦିନେ ସଲୋନୀ କୁ ପ୍ରଶ୍ନ କଲି:

    - ସଲୋନୀ ! କାହିଁକି ବାନ୍ଧିଲ ତୁମ ପ୍ରେମରେ?

    -ପ୍ରେମ ତ ମୁକ୍ତି ର ଅନୁଭବ, ସେଠାରେ ବନ୍ଧନ କାହିଁ?

    ମୁଁ ପୁଣି ଅବୋଧ ବାଳକ ପରି ପ୍ରଶ୍ନ କଲି: ୟାର ପରିଣତି କଣ?

    - ବୁଦ୍ଧୁ କେଉଁଠିକାର, ପ୍ରେମ ର ପରିଣତି ସବୁକାଳେ ସୁଖଦ;ମିଳନରେ ଓ ବିରହରେ।ମୁଁ ବୁଝି ପାରେନି ପ୍ରେମ ର ପରିଣତି ଯଦି ବିଚ୍ଛେଦ ହୁଏ, ସେ ସୁଖଦ ହୋଇ ପାରିବ କିପରି ?

    ସେ ହସିହସି ବୁଝାଇ ଦିଏ ସାରା ଜୀବନ ଗୋଟେ ଅପ୍ରାପ୍ତି କୁ ନେଇ ଝୁରି ହେବା କଣ ଗୋଟେ ସୁଖଦ ଅନୁଭବ ନୁହେଁ? ପ୍ରାପ୍ତି ରେ ଥରୁଟିଏ ଆନନ୍ଦ ମିଳେ, ଅପ୍ରାପ୍ତି ରେ ସାରା ଜୀବନ ଛାତି ତଳେ ରହିଯାଏ ସେ ପ୍ରେମ, ଯାହା କେବେ ପ୍ରାପ୍ତ ବୟସ୍କ ହୁଏ ନାହିଁ।କେବେ ଦୈନ୍ୟ ଦିନ ଜୀବନର ଘାତ ପ୍ରତିଘାତ ରେ ମୂର୍ଛିତ ହୋଇଯାଏ ନାହିଁ । ସେଥିପାଇଁ ସହର ଆକାଶ ରେ ଇନ୍ଦ୍ରଧନୁ ଦେଖା ଦେବ, ମୁଁ ତୁମ ଆଶ୍ଳେଷକୁ ଝୁରିଵି । ଯେବେ ଆକାଶରୁ ମୃତତାରା ଟିଏ ଖସିବାର ଦେଖିବି ଆଖିମୁଦି ଆଞ୍ଜୁଳି ପାତି ପ୍ରାଥର୍ନ କରିବି ତୁମକୁ ପାଇବା ପାଇଁ ।    

   ତୁମକୁ ପାଇଗଲେ ଏ ମଧୁର ଇଛାମାନେ କେବେ ମୋ ହୃଦୟ ମଧ୍ୟ ରେ କଳରବ କରିବେ ନାହିଁ।ଜୀବନ ରାସ୍ତା ରେ କେତେବେଳେ ଅଭାବବୋଧ କୁ ନେଇ ଅଶାନ୍ତ ହେବ ମନ।"ସହର ରେ ଘର ଖଣ୍ଡେ ନାହିଁ, କେତେ ଦିନ ଆଉ ଭଡା ଘରେ ରହିବା? ଦେଖ ମୋ ସାଙ୍ଗ ନୂଆ ଗାଡି କିଣିଛି, କୁହନା ଆମେ କେବେ ସେମିତି ଗାଡି ଖଣ୍ଡେ କିଣିବା?" ଏମିତି ଛୋଟ ଛୋଟ ଅପ୍ରାପ୍ତି କୁ ନେଇ ଆମ ପ୍ରେମ ହୋଇଯିବ ଗୌଣ ।

ମୁଁ ସଲୋନୀର ପ୍ରେମ ରେ ନୂଆ ତତ୍ୱ ବୁଝିବା କୁ ଚେଷ୍ଟା କରୁଥିବା ବେଳେ ସେ ଗାଉ ଥାଏ ପୁରୁଣା ଗୀତ ର ମୁଖଡା।

ଝୁରି ମରିବା ପଣକୁ ପ୍ରେମ ର ଉଜ୍ବଳ ଦିଗ କହି ସଲୋନୀ ଚାଲିଯିବା ପରେ ସହରର ବଡ଼ ବଡ଼ ଛକ ରେ ତା ହସ ହସ ମୁହଁ ର ଫୋଟୋ ଲାଗିଲା।ଲାଇଟ୍ କ୍ୟାମେରା ଆକସନ୍ କୁ ନେଇ ଗୋଟେ ତାରକା ର ଜୀବନ ସେ ଜିଉଁଥିବା ବେଳେ ମୁଁ ପ୍ରତିଦିନ ଏକ ଯୁଦ୍ଧ କୁ ସାମ୍ନା କରୁଥିଲି ।ମା' ର ସ୍ୱାସ୍ଥ୍ୟ ସମସ୍ୟା. ଭଉଣୀର ବିବାହଚିନ୍ତା, ଜମିବାଡ଼ି ଦାଇତ୍ୱ ସହିତ କର୍ମ ନିଯୁକ୍ତି ପାଇଁ କ୍ଷଣ କ୍ଷଣ ନିଃଶେଷ ହେଉଥିଲି ।

ଜୀବନ ସତ ରେ କେତେ ଆଶ୍ଚର୍ଯ୍ୟଜନକ! ସକଳ ଯନ୍ତ୍ରଣା ସତ୍ୱେ ଧୀର ମନ୍ଥର ଗତିରେ ହେଉ ପଛେ ଅନ୍ତିମ ଯାତ୍ରା ପର୍ଯ୍ୟନ୍ତ ଚାଲିଥାଏ ଜଣେ ଅଦୃଶ୍ୟ ନିର୍ଦେଶକଙ୍କ ଇଙ୍ଗିତରେ ।ଯେଉଁ ସଲୋନୀ ବିନା ମୋ ଶ୍ଵାସକ୍ରିୟା ବନ୍ଦ ହୋଇଯିବାର ଅନୁଭବ ହେଉଥିଲା, ତା ଅବର୍ତ୍ତମାନରେ ବି ମୁଁ ଜୀବନ ରାସ୍ତା ରେ ଚାଲିଥିଲି ଅବରତ।ବୃତ୍ତି ନିର୍ବାଚନ, ବିବାହ, ଦୁଇଟି ସନ୍ତାନ ର ଜନକ ହେବାପରେ ମଧ୍ୟ କେବେ ସମାଜ ର ସକଳ ପ୍ରତିବନ୍ଧକ ସତ୍ତ୍ୱେ ମନ ପହଞ୍ଚିଯାଏ ତା' ପାଖରେ, ନିଶାର୍ଦ୍ଧ ରେ ନିଶିଦ୍ଧ ଲେଖାଥିବା ହୃଦୟ ଦ୍ୱାରରେ ବାରମ୍ବାର କରାଘାତ କରି।ମୃତ ତାରା ଖସିବାର ଦେଖିଲେ ଆଖୀମୁଦୀ ପ୍ରାର୍ଥନା କରେ ସଲୋନୀ କୁ ଫେରାଇ ଦେବା ନିମନ୍ତେ।

ହଠାତ ଦିନେ ସଲୋନୀ କଳା ର ଦୁନିଆ ରୁ ଅପସରି ଗଲା ।କିଏ କହିଲା ଅଭିନେତ୍ରୀ ଜୀବନ ରୁ ସନ୍ନ୍ୟାସ ନେଇଗଲା।ମାତ୍ର ରଙ୍ଗ ମଞ୍ଚ ଯାହାର ଜୀବନ, ଯାହା ପାଇଁ ସେ ପୃଥିବୀର ଅନେକ ପ୍ରଲୋଭନ କୁ ତ୍ୟାଗ କରିଥିଲା, ସୌଭିକ ପରି ଦେଶର ନାମିଦାମୀ କଳାକାର ର ବିବାହ ପ୍ରସ୍ତାବ କୁ ପ୍ରତ୍ୟାଖାନ କରିଥିଲା, ତା ପାଇଁ କଳା ର ଦୁନିଆ ରୁ ସନ୍ନ୍ୟାସ ନେବା କଣ ସାଧାରଣ ଘଟଣା? 

ତାପରେ ମୁଁ ଶୁନ୍ୟକୁ ଛାହିଁ କହିଛି ଅନେକ କଥା, ଏଇ ବିଶ୍ୱାସ ରେ ଯେ ମୋ ଶବ୍ଦମାନେ ଇଥର୍ ରେ ପହଂଚିବେ ସଲୋନୀ ପାଖରେ ।କେବେ ମନ ବେଗମନ ଘୋଡା ପରି ଛୁଟିଛି ତା ସହରକୁ ।ଜୀବନ ବିରୁଧ୍ୟରେ ତା'ର ଅପ୍ରତ୍ୟାଶିତ ନିର୍ଣ୍ଣୟର କାରଣ ଜାଣିବା ପାଇଁ ।ଦିନେ ସକାଳୁ ସକାଳୁ ମେସେଜ୍ ଟିଏ ପାଇଲି 'ବହୁଦୂରକୁ ଚାଲିଯାଉଛି'।

ଏତେଦିନ ପରେ ସଲୋନୀ ର ମେସେଜ୍ ସେ ପୁଣି ଦୁଃଖଦାୟକ। 

ମାତ୍ର ମୁଁ ଜାଣେ ସେ ବୁଝିବନି ।

କଥାଥିଲା ପରବର୍ତ୍ତୀ ଜୀବନରେ ଆମର ଯେବେ ଦେଖା ହେବ ମୁଁ ତାର ହାତ ଧରି ନେବି ଓ ସେ ମୋ କାନ୍ଧ ରେ ମଥା ଥୋଇ ଜୀବନ ସାରାର ସାଇତା ଲୁହ ଝରାଇଦେବ।ଏବେ ସଭିଙ୍କ ସାମ୍ନାରେ ଜୀବନବ୍ୟାପୀ ସାଇତା ଲୁହ ଢାଳି ପାରିବ ସେ?

ଠିକ୍ ସନ୍ଧ୍ୟା ଛ ଟାରେ ପହଂଚିଲି ୟୂନିଭରସିଟି ଅଡିଟୋରିଅମ୍ ସାମ୍ନାରେ।ଏଇ କୋଡ଼ିଏ ବର୍ଷ ରେ କେତେ ବଦଳି ଯାଇଛି ଚତୁର୍ପାର୍ଶ୍ୱର ପୃଥିବୀ! ସବୁକିଛି ଲାଗୁଥିଲା ଖୁବ୍ ଅଚିନ୍ହା; ଧାଡିଧାଡି ଫୁଲ କୁଣ୍ଡ, ଉଦ୍ଘାଟନୀ ଫଳକ।ସାମ୍ନାରେ ପ୍ରଶସ୍ତ ରାସ୍ତା ।ସେ ଦିନର ମଧୁମାଳତୀ କୁଞ୍ଜ ଅନ୍ତର୍ଦ୍ଧ୍ୟାନ ।ଏଇ କିଛି ବର୍ଷ ରେ କେତେ ବଦଳି ଯାଇଥିବ ସଲୋନୀ ?ନା,ଏବେବି ସୁନ୍ଦରୀ ଥିବ ସେଦିନ ର ସୁନ୍ଦରୀ, ସୁଢଳ,ତନୁପାତଳି, ଚପଲ,ଚଂଚଳ।ଅବା ବୟସ ଛୁଇଁ ଯାଇଥିବ ତା' ଦେହର ଉର୍ମିଳ ଉପତ୍ୟକାକୁ?

ଅନେକ ସମୟ ଅପେକ୍ଷା କରିବା ପରେ ମଧ୍ୟ ସଲୋନୀ ଆସୁନଥିଲା ।ସେ ସବୁଦିନେ ସେମିତି ସମୟ ଦେଇ ବିଳମ୍ବ ରେ ଆସେ।କେତେବେଳେ ସୁଟିଂ ସେଟ ରେ, କେତେ ବେଳେ ରେକର୍ଡିଙ୍ଗ ରୁମରେ ସେ ବ୍ୟସ୍ତ ଥାଏ ।ଆସିଲେ ଗେହ୍ଲେଇ ହୋଇ କ୍ଷମା ମାଗିନିଏ। ପୃଥିବୀ ରେ କେଉଁ ପ୍ରେମିକ ର ସାହସ ଅଛି ପ୍ରେମିକା ର ଗୋଟିଏ ଅଵଗୁଣ କୁ କ୍ଷମା ନକରିବାର ?

ଅଡିଟୋରିଅମ୍ ସାମ୍ନାର ଆଲୋକ ଜଳିଲା। ବେଶ୍ ନିର୍ଜନ ସ୍ଥାନ। ସେ ରାସ୍ତା ରେ ଯାଉଥିବା କର୍ମଚାରି ଜଣେ ମୋତେ ଦୁଇଥର ଚାହିଁ ତୃତୀୟ ଥର ସାହସ ସଂଚୟ କରି ପ୍ରଶ୍ନ କଲା -" କାହାକୁ ଅପେକ୍ଷା କରିଛନ୍ତି କି ସାର? ବିପିନ ସାର୍, କାହ୍ନୁ ସାର୍ ସମସ୍ତେ କାଲି ରିହିଆର୍ସେଲ କରିବାକୁ ଆସିବେ ।ପିଲାଙ୍କ ଡ୍ରାମା କମ୍ପିଟିସନ୍ ଆରମ୍ଭ ହୋଇଯିବ ତ? କିନ୍ତୁ ଆପଣଙ୍କୁ ଚିହ୍ନି ପାରିଲିନି?"

 ମୋର କଣ ବା ପରିଚୟ ଏଠାରେ ଜାଣେନା ? ସଲୋନୀ କାହିଁକି ସେଇ ପୁରୁଣା ପରିବେଶ ରେ ମୋତେ ଦେଖା କରିବାକୁ ଚାହିଁଲା? ପୁଣି କୋଡିଏ ବର୍ଷ ପରେ? ସେ କହୁଥିଲା, ଆଜିକାଲି ସେ ମୃତତାରାଙ୍କୁ ଦେଖିଲେ ସେ ମୋତେ ପାଇବା ପାଇଁ କାମନା କରୁନାହିଁ। ସେ ନିଜେ ଆକାଶ ରୁ ଖସି ପଡିଥିବା ଗୋଟେ ମୃତ ତାରକା।

ବୁଝି ପାରିଲିନି ଏତେ ଉଦାସୀନତା କେଉଁଠୁ ଆସିଲା ସଲୋନୀ ପରି ଚପଳ ଝିଅଟି ମନରେ! 

ନା:ସଲୋନୀ ଆସିବାର ସମ୍ଭାବନା ନାହିଁ ।ତା' ଜୀବନର ଶାନ୍ତ ସରସୀରେ ମୁଁ ଉଦ୍ବେଳିତ ଢେଉ ହେବାକୁ ଚାହେଁନା। ସେ ଯେଉଁଠି ଅଛି ଭଲ ରେ ଥାଉ।

ମୁଁ ଧିରେ ଧିରେ ପାହାଚ ତଳକୁ ଓଲ୍ହାଇଲି ।ପାର୍କିଙ୍ଗପ୍ଲେସ୍ ର ଅପେକ୍ଷାକୃତ ଅନ୍ଧକାରାଛନ୍ନ ସ୍ଥାନ ରେ କେହି ଜଣେ ଛିଡା ହୋଇଥିବାର ଦେଖିଲି।ପାଖାଜୁ ମୋ ଆଖିକୁ ବିଶ୍ୱାସ କରିପାରିଲି ନାହିଁ ।ଏତେବର୍ଷ ପରେ ମଧ୍ୟ ସଲୋନୀ କୁ ଚିହିଁବାରେ ମୁଁ ଭୁଲ କରିପାରେନା ।କିନ୍ତୁ ଏ କଣ? ସଲୋନୀର ସୁନ୍ଦର ପଦ୍ମପରି ଢଳଢଳ ମୁହଁରେ ବିକୃତ ସୋରିଆସିସ୍।ବୋଧହୁଏ ସେଥିପାଇଁ ସେ ଆଲୋକ କୁ ପଛ କରି ଅନ୍ଧାର ରେ ଅପେକ୍ଷା କରିଥିଲା ମୋତେ। ଦେଇଥିବା କଥା ରଖି ତା'ର ହାତ ଦୁଇଟିକୁ ଧରିଲି ନାହିଁ ଆଉଜାଇ ନେଲି ଛାତି ଉପରକୁ।ସେ ନିଃଶବ୍ଦରେ ଲୁହ ଢାଳୁଥିଲା ଜନ୍ମ ଜନ୍ମାନ୍ତରର। ସମୟ ର ଚୋରାଏବାଲି ରେ ଆମ ଦୁହିଁଙ୍କର ପାଦ ଖସି ଯାଇଥିଲା ତଳକୁ ତଳକୁ।



Rate this content
Log in

Similar oriya story from Romance