ବିରହଯୋଗ
ବିରହଯୋଗ
ସମୟେ ସମୟେ ଅସହାୟ ଲଗ୍ନମାନେ ବିଞ୍ଚି ହୋଇଯାନ୍ତି ବୀଜପରି ଜୀବନର ଅନୁର୍ବର ମାଟିରେ।ସେଇଠୁ ସ୍ବପ୍ନମାନେ କୁଆଁ ମାରନ୍ତି, ଡାଳପତ୍ର ମେଲାନ୍ତି।ମାଟି ଭିତରୁ ସଂଗ୍ରହ କରିନିଅନ୍ତି ଜୀବନୀ ଶକ୍ତି, ପୁଷ୍ପିତ ପଲ୍ଲବିତ ହେବାର କଳା।
ବଂଚିବା ଏକ ଅଭ୍ୟାସ, ଜିଇଁବା ଏକ କଳା।
ଏବେ ରାଧାକାନ୍ତ ଘରକୁ ଫେରିବେ।ନିଜ ଘରକୁ ନୁହେଁ,ସାନ ପୁଅ ଘର କୁ।କେବେଠାରୁ ନିଜ ହାତ ତିଆରି ଘରଟା ଏବେ ସାନ ପୁଅ ଆଦର୍ଶର ଘର ପାଲଟି ଯାଇଛି ।ଘର ସାମ୍ନା ରେ 'ଆଦର୍ଶ ଦାସ' ଲେଖାଥିବା ଫଳକ।ସେ ଘରର ରଙ୍ଗ ଠାରୁ ସବୁ କିଛି ତା ପସନ୍ଦର।ଏମିତି କି ଉପର ମହଲା ରେ ଦୀର୍ଘଦିନ ଧରି ଭଡାରେ ରହୁଥିବା ପାଲ୍ ବାବୁ ଯେ ତାଙ୍କର ସମବୟସ୍କ ଥିଲେ ଓ ପ୍ରତିଦିନ ସନ୍ଧ୍ୟା ସମୟଟି ତାଙ୍କରି ବୈଠକ ଘରେ ବିତୁଥିଲା, ତାଙ୍କୁ ମଧ୍ୟ ଆଦର୍ଶ ବିଦାକରି ନୂଆ ଭଡାଟିଆ ରଖିଛି,ଏଇ ଅଭିଯୋଗ ରେ ଯେ ସେମାନେ କୁଆଡେ ତାଙ୍କୁ ଚା କପେ ଦେଇ, ସ୍ନେହର କୃତ୍ରିମ ବନ୍ଧନରେ ବାନ୍ଧି, ଅଧାଦାମ ରେ ଭଡା ଦେଇ ରହୁଥିଲେ।ନୂଆ ଯୁବ ଦଂପନ୍ତି,ଦୁଇ ଜଣ ସଦ୍ୟ ବିବାହିତ ଓ କର୍ମ ଜୀବି।ଆଜିକାର ଯୁବପିଢୀ ପରି ନିଜ କୁ ନେଇ ବ୍ୟସ୍ତ ,କାହା ପାଇଁ ସମୟ ନାହିଁ।ଅତଏବ ରାଧାକାନ୍ତ ଏବେ ପ୍ରାୟ ନିସଙ୍ଗ।
ଏଇ ଜାନୁଆରୀ ମାସ ରେ ରାଧାକାନ୍ତଙ୍କ ରିଟାୟାର ମେଣ୍ଟକୁ ପାଞ୍ଚବର୍ଷ ପୁରିବ।ପତ୍ନୀ ସୁମନା ସିଙ୍ଗାପୁର ରେ ବଡ଼ ପୁଅ ଆକାଶ ପାଖରେ।ଆକାଶର ପୁଅଜନ୍ମ ପୂର୍ବରୁ ସୁମନା ଯାଇ ଥିଲେ ଯେ ଆଉ ଫେରିନାହାନ୍ତି ।ବିଦେଶ ଜାଗାରେ ନିଜ ବଂଶଧର ଟିକୁ କାହା ଭରସା ରେ ଛାଡି ଦେଇ ପୁଅ ବୋହୁ କାର୍ଯ୍ୟାଳୟ କୁ ଯିବେ ଭାବି ରାଧାକାନ୍ତ ଆକାଶ ର ଅନୁରୋଧ ରେ ସୁମନା ଙ୍କୁ ସେମାନଙ୍କ ସହଯିବା ପାଇଁ କହିଥିଲେ।ବିନାବ୍ୟୟ ରେ ଘରୋଇ ଆୟାଟିଏ ମିଳିବା ଅସମ୍ଭବ
ବୋଲି ପୁଅ ଓ କର୍ମଜୀବି ବୋହୁ ବୁଝି ସାରିଛନ୍ତି ବୋଧହୁଏ।ତେଣୁ ବିଭିନ୍ନ ବାହାନା ରେ ସୁମନାଙ୍କୁ ଛାଡ଼ନ୍ତି ନାହିଁ ।ଆଦର୍ଶ ମଝିରେ ମଝିରେ ସେଥିରେ ଇନ୍ଧନ ଯୋଗାଏ,'ବୋଉ ଥାଉ ସେଠି!ଅସୁବିଧା କଣ?ଭାଇ-ଭାଉଜ ଏତେ ଟଙ୍କା ପାଉଛନ୍ତି ।ବୋଉକୁ ଭଲରେ ରଖିଛନ୍ତି।ଏଠାକୁ ଆଣି ମୋ ମୁଣ୍ଡରେ ଖର୍ଚ୍ଚ ଲଦିବା ଦରକାର ନାହିଁ।ମୁଁ କଣ ଏକା ତୁମ ପୁଅ?ନା ଭାଇ ଏ ଘରୁ ଅଧା ଭାଗ ନେବ ନାହିଁ?'
ସେହିକ୍ରମ ରେ ବାପା' ମା' ଭାଗ ହୋଇ ଯାଇଛନ୍ତି ଦୁଇପୁଅ ଙ୍କ ମଧ୍ୟରେ।ଜିଦକରି ସୁମନା ଙ୍କୁ ଫେରେଇ ଆଣିପାରୁ ନାହାନ୍ତି ରାଧାକାନ୍ତ ।ସାନପୁଅ ର ବ୍ୟବସାୟ ଭଲ ରେ ଚାଲେନାଁ।ବୋହୁ ଶିକ୍ଷୟିତ୍ରୀ,ତାରି ଟଙ୍କା ରେ ଘର ଚଳେ।ନାତୁଣୀଟିଏ ସ୍କୁଲ ଗଲାଣି ।ରାଧାକାନ୍ତଙ୍କର କମ୍ପାନୀ ଚାକିରୀ ରେ ପେନସନ୍,ଗ୍ରାଚ୍ୟୁଇଟି କିଛି ନାହିଁ ।ଯାହା ଜୀବନ କାଳ ମଧ୍ୟରେ ସଂଚୟ କରିଥିଲେ ଦୁଇ ପୁଅଙ୍କର ବିଭାଘର ,ବନ୍ଧୁବାନ୍ଧବ ଓ ଘରଟିଏ କରି ସଂଚୟ ଶେଷ ।ଏବେ ପିଲାମାନଙ୍କ ଉପରେ ସେ ଅନେକ ପରିମାଣ ରେ ନିର୍ଭରଶୀଳ।
ସୁମନାଙ୍କ ପ୍ରସଙ୍ଗ ଉଠିଲେ ସାନବୋହୁ କହେ,'ବାପା ବୋଉ ପ୍ରେମ ବିବାହ କରିଥିଲେ ବୋଲି କଣ ଏବେ ବୟସ ଅଛି ହାତ ଧରାଧରି ହୋଇ ବୁଲିବାର?ଦୁହିଁଙ୍କର ବିପି,ସୁଗାର;ହଜାରେ ରୋଗ।ଯେ ଯେଉଁଠି ଭଲରେ ରହିଲେ ଯାଏ,ବୁଢାଟିଏ ହେଲେଣି,ବାପା ଏମିତି କାହିଁକି ପ୍ରତି କଥାରେ ସୁମନା ସୁମନା ହେଉଛନ୍ତି ଯେ?
ରାଧାକାନ୍ତ ଶଙ୍କୁଡ଼ି ଯାଆନ୍ତି ନିଜ ଭିତରେ।ବୟସ ତ କେବଳ ଗୋଟିଏ ସଂଖ୍ୟା।ବୟସ ବଢିବା ସହିତ ମନ ବୟସ୍କ ହୁଏ ନାହିଁ।ଏହା ସେ କିପରି ବୁଝିବେ?
ଏକଦା ବୋଉ ସହିତ ମାମୁଁଘର ଗାଁକୁ ଯିବା ବେଳେ ସେଇଠି ଦେଖା ହୋଇଥିଲା ସୁମନା ଙ୍କ ସହିତ ।ଏ ଗାଁ,ସେ ଗାଁ ମଝିରେ ଆମ୍ବ ତୋଟା ଟାଏ।କେତେ ଥର ସେଇ ଆମ୍ବତୋଟା ରେ ଦେଖାହୋଇଛି ସୁମନା ଙ୍କ ସହିତ।ଦିନେ ସୁମନା ଙ୍କ ପରିବାର, ତାଙ୍କ ବାପା ଙ୍କୁ ଡାକି ତାଗିଦ କଲେ,ସୁମନା ର ବିଭାଘର ନସରିବା ପର୍ଯ୍ୟନ୍ତ ରାଧାକାନ୍ତ ସେ ଗାଁ ମାଟି ମାଡ଼ିବ ନାହିଁ।ବାପା ରାଗ ରେ ତାଙ୍କୁ ପଠାଇଦେଲେ କଟକ ପାଠ ପଢିବା ପାଇଁ।ଦୀର୍ଘ ଚାରିବର୍ଷ କାଳ ସେ ନିଜ ଗାଁର ମାଟି ଛୁଇଁ ପାରିଲେ ନାହିଁ ।ବାପା ବୋଉ ଦୁହେଁ ଆସି ଦେଖି ଯାଆନ୍ତି କଲେଜ୍ ହଷ୍ଟେଲ ରେ।ସେ ଚାରି ବର୍ଷ ବିରହ ବେଦନା କଣ ବୁଝିଛନ୍ତି ରାଧାକାନ୍ତ।ଗଦା ଗଦା ଚିଠି ଲେଖନ୍ତି।ମହାନଦୀ କୂଳରେ ବସନ୍ତି, ସୁମନାଙ୍କ କଥା ଖୁବ ମନେ ପଡିଲେ ଗ୍ରାଣ୍ଡ ସିନେମା କି ଜୟଶ୍ରୀ ଟକିଜ୍ ରେ ସିନେମା ଦେଖନ୍ତି।ଗାଁ ରୁ ଯିଏ ଆସିଲେ ପଚାରନ୍ତି,ସୁମନା ତାଙ୍କ କଥା ପଚାରୁଥିଲା କି?ଉତ୍ତର ସବୁ ବେଳେ ନାଁ ଥାଏ ।ସେତେବେଳେ ମୋବାଇଲ୍ ନଥିଲା କି ଗାଁ ରେ କାହା ଘରେ ଲ୍ୟାଣ୍ଡଫୋନ।ଚିଠି ଦେଲେ ଡାକମଉସା ସୁମନାଙ୍କ ବାପା ଙ୍କୁ ହିଁ ଚିଠିଟି ଦେବେ।ମନ ଖୁବ ଅଶାନ୍ତ ହୁଏ ।ପାଠ ରେ ମନ ଲାଗେନାଁ ।ସବୁ ଆଡେ ସୁମନା ଙ୍କ ମୁହଁ ଦିଶେ।ବୋଉ କହେ "ଝଡି ଝଡି କଣ୍ଟା ହୋଇ ଗଲୁଣି।"
ବିଏ ପରୀକ୍ଷା ସରିଯାଇ ଛୋଟ କାଟିଆ ଚାକିରୀ ଟିଏ ବି ରାଧାକାନ୍ତ ଙ୍କୁ ମିଳିଯାଇଥାଏ ।ହଠାତ୍ ଦିନେ ବାପା ପହଁଚିଲେ ।ହାତରେ ସବୁଥର ଠାରୁ ବଡ଼ ବ୍ୟାଗ ଟିଏ ।କହିଲେ "ସୁମନା" ର ବାହାଘର ଠିକ ହୋଇଯାଇଛି।ବୋଉ ତୋ ପାଇଁ ଏ ଚିଠି ଓ ବ୍ୟାଗ ପଠାଇଛି।ବାପା ଭାଲୁ ଭାଇନା ମେସ୍ ରୁ ମଧ୍ୟାହ୍ନ ଭୋଜନ କରି ଫେରିଗଲେ।ବୋଉ ର ଚିଠିଟା ଖୋଲି ସେ ଦେଖିଲେ, ଗୋଟେ ନୁହେଁ,ଦୁଇଟା ଚିଠି।ଗୋଟିଏ ବୋଉ ର,"ସୁମନା କୁ ବିବାହ କରି ଖୁସି ରେ ରହିବୁ, ତୁମ ଦୁହିଁଙ୍କୁ ମୋର ଆଶୀର୍ବାଦ।"ଦ୍ୱିତୀୟ ଚିଠି ଟି ଥିଲା ସୁମନାର -ଦୁଇ ଧାଡି ସେ ଚିଠି ରେ, "ଆସନ୍ତା ମଙ୍ଗଳବାର ଦିନ ସକାଳ ନଅଟା ରେ ଚଣ୍ଡୀମନ୍ଦିର ରେ ଅପେକ୍ଷା କରିଥିବ।"ବ୍ୟାଗ ରେ ଥିଲା ନୂଆ ଧୋତି,ପଂଜାବୀ,କର୍ପୁର ମାଳ,ଜରିଧଡ଼ି ଥିବା ନାଲି ଶାଢ଼ୀ,ଶଙ୍ଖା ଓ ସିନ୍ଦୁର ଫରୁଆଟିଏ।
ସୁମନା କେମିତି ଚଣ୍ଡୀମନ୍ଦିର ଯାଏଁ ପହଂଚି ପାରିବେ,ତାଙ୍କ ଘର ଲୋକ ଜାଣିଲେ କି ପରିସ୍ଥିତି ହେବ,ଏପରି ନାନା ଆଶଙ୍କା ରେ ତିନି ଦିନ ବିତିଲା।ସେଦିନ ଅଫିସ୍ ରୁ ଛୁଟି ନେଇ ସକାଳ ଆଠଟା ରୁ ସେ ଅପେକ୍ଷା କରିଥିଲେ ସୁମନା ଙ୍କୁ ,ଠିକ ସାଢେ଼ ନଅଟା ରେ ସୁମନା ପହଞ୍ଚିଥିଲେ ଚଣ୍ଡୀ ମନ୍ଦିରରେ।ବିବାହ ହୋଇଗଲା।ରିକସା ରେ ସୁମନାଙ୍କୁ ବସାଇ ବସା ଘରକୁ ଆଣିବା ବେଳେ ସୁମନା କହିଥିଲେ ଚାରି ବର୍ଷ ବିରହ ରେ ଜଳିଜଳି ଶେଷ ରେ ଜାଣିଲି ତୁମେ କିଛି କରି ପାରିବ ନାହିଁ,ଯାହା କରିବି ମୁଁ କରିବି।ଟଙ୍କା ପଇସା ପାଇଁ ଭୟ କରନା।ମା ଆସିବାବେଳେ ମୋ ହାତରେ ସୁନାବଳା ଦିଟା ପିନ୍ଧାଇ ଦେଇଥିଲା,ହଠାତ୍ କଣ କାମରେ ଆସିବ ଭାବି।
ସେ ଦିନର ବିରହଠାରୁ ଏବର ବିରହ ବେଶୀ କିଛି ଭିନ୍ନ ନୁହେଁ।କେବଳ ବୟସ ବଢି ଯାଇଛି ଯାହା।ଆଜି ବି ନିର୍ଜନରାତି ରେ ସୁମନାଙ୍କ ଫଟୋ ଦେଖି ସେ ରାତି ପୁହାଇ ଦିଅନ୍ତି।ସେଦିନ ପରି ଆଜି ବିରହ ଯନ୍ତ୍ରଣା ରେ ପାଖ ପାର୍କ କୁ ଯାଆନ୍ତି, କବିତା ଲେଖନ୍ତି,ନୂଆ ବନ୍ଧୁତା ର ସମ୍ପର୍କ ଗଢନ୍ତି।କେଜାଣି କାହିଁକି ସେଦିନ ପରି ଆଜିବି ସାହସ ସଂଚୟ କରିପାରନ୍ତି ନାହିଁ ସୁମନା ଙ୍କୁ କହିବାକୁ ଯେ- ପିଲାମାନେ ତାଙ୍କ କଥା ବୁଝନ୍ତୁ,ତୁମେ ମୋ ପାଖକୁ ଚାଲିଆସ।ଏ ବିରହ ଯନ୍ତ୍ରଣା ଆଉ ସହି ହେଉ ନାହିଁ।ସୁମନା କଣ ଭାବିବେ,ପୁଅ ବୋହୁ କଣ ଭାବିବେ?ସମାଜ କଣ ଭାବିବ?ସମାଜ ତ ତାଙ୍କ ଦେହ ରେ 'ବୟସ୍କ' ର ଟ୍ୟାଗ୍ ଲଗାଇ ଦେଇଛି।
ଘରେ ପହଞ୍ଚି ଫାଟକ ଖୋଲିଲେ ରାଧାକାନ୍ତ ,ରବିବାର ।ବେଶ୍ ବିଳମ୍ବ ହୋଇଗଲା ଘରକୁ ଫେରିବାରେ ।ହଠାତ୍ ଘର ଭିତରୁ ସୁମନା ବାହାରି ଆସିଲେ ହସି ହସି।ତାଙ୍କୁ ଆଶ୍ଚର୍ଯ୍ୟ ଚକିତ ଭାବରେ ଚାହୁଁ ଚାହୁଁ ସେ ତାଙ୍କ ହାତ ଧରିନେଇ ଫିସ୍ ଫିସ୍ କରି କହିଲେ,"ଜାଣେ ପରା ଯାହା କରିବି ମୁଁ କରିବି।ସେ ଦିନ ତମପାଇଁ ମୁଁ ନିଜ ଘର ଛାଡି ଆସିଥିଲି, ଆଉ ଆଜି ମୁଁ ସିଙ୍ଗାପୁର ରୁ ଆସିପାରିବି ନାହିଁ?
ଫାଟକ ପାଖ ମଧୁମାଳତୀ ଗଛରେ ସେଦିନ ଫୁଟିଥିଲା ଢେର ଫୁଲ।

