STORYMIRROR

Soubhagini Parida

Inspirational

4  

Soubhagini Parida

Inspirational

ପ୍ରିୟ ଡାଏରୀ 5- ମହଣେମଲ୍ଲୀରମହକ

ପ୍ରିୟ ଡାଏରୀ 5- ମହଣେମଲ୍ଲୀରମହକ

4 mins
10

ଆଜିର ସକାଳ ଆସିଛି ମହଣେ ମଲ୍ଲୀଫୁଲ ର ବାସ୍ନା ନେଇ l ଗତକାଲି ର ଦୁଃସ୍ଥିତି ସତ୍ତ୍ୱେ ମନ ସୁରଭିତ l ମୁଁ ଇଛାକଲେ ମୋ ଭାବନା ର ପକ୍ଷ ମାନଙ୍କୁ ମେଲାଇ ଦେଇପାରେ ବିରୋଧାତ୍ମକ ତତ୍ତ୍ୱ ଗୁଡିକ ପ୍ରବେଶ ନକରିବା ନିମନ୍ତେ l ହଁ, ନହେଲେ କଣ ମୁଁ ଆଜି ଏ ଡାଏରୀ ଲେଖି ପାରୁଥାନ୍ତି? ନାଁ ପ୍ରସିଦ୍ଧି ଅବା ପୁରସ୍କାର ପାଇଁ ମୁଁ ଲେଖେ, ମୁଁ ତ ଲେଖେ କେବଳ ମୋ ଅନ୍ତରଙ୍ଗ ଭାବନା କୁ ଶବ୍ଦରୂପ ଦେବା ନିମନ୍ତେ l ଜୀବନ ର ପ୍ରତିକୂଳ ପରିସ୍ଥିତି କୁ ଅତିକ୍ରମ କରିବାର ଚାବିକାଠି ମୁଁ ପାଇସାରିଛି l ସେବେଠାରୁ ଦୁଃଖ ଓ ଦୁଃସ୍ଥିତି ମୋତେ ଛୁଏଁ ସାମାନ୍ୟ l ଏଇ କଳା ଟି ମୁଁ ଶିଖିଛି ଜଣେ ଗୁରୁଙ୍କ ଠାରୁ l ଯେ କହୁଥିଲେ ମୁକ୍ତରଖ ସବୁଠାରୁ ଓ ସମସ୍ତଙ୍କଠାରୁ, ହୃଦୟ ର ଦ୍ୱାର ଖୋଲା ରଖ କେବଳ ସକାରାତ୍ମକ ଭାବନା ର ପ୍ରବେଶ ନିମନ୍ତେ l ସେକଥା ଆଉ କେବେ l

ବାଇନାଉଲାର ବିଟ୍ସ ସମ୍ପର୍କ ରେ କିଛି ଜାଣିବାକୁ ଚେଷ୍ଟା କରିଥିଲି l ଯେଉଁ ବିଟ୍ସ ମସ୍ତିଷ୍କ ରେ ସ୍ପନ୍ଦନ ସୃଷ୍ଟିକରି ଚାପ, ଉତ୍ତେଜନା ହ୍ରାସ କରେ ଓ ସୃଜନଶୀଳତା ବୃଦ୍ଧିକରେ, ଦୃଷ୍ଟି କେନ୍ଦ୍ରୀଭୂତ କରେ l ମାତ୍ର ଏସବୁ କ୍ଷଣିକ l ରକ୍ତଚାପ ଔଷଧ ଗ୍ରହଣ ନକଲେ ରକ୍ତଚାପ ପୁନଶ୍ଚ ବଢିଗଲା ପରି l ଆଉ କେଉଁଠି ଅଛି ଜୀବନ ରୁ ଦୁଃଖ କୁ ଦୂରେଇ ଦେବାର ନିଦାନ ଟି?

ଜୀବନ ର ବାଇନାରୀ କୋଡ଼ ଏକ ଠାରୁ ଶୂନ୍ୟ ସଂଖ୍ୟା ମଧ୍ୟରେ ସୀମିତ ନୁହେଁ l ଲକ୍ଷ, ଅର୍ବୁଦ ଏହାର ସଂଖ୍ୟା ଓ ଅକ୍ଷର l ଗୁନ୍ଥି ଜାଣିଲେ, ବୁଣି ଜାଣିଲେ, ସଜେଇ ଜାଣିଲେ ଜୀବନ ହୁଏ ସୁନ୍ଦର l

ଗତକାଲି ପ୍ରବଳ ଶୀତ ରେ ଗୁଗଲ ରେ ନିଜ ସହର କୁ ଫେରିବାର ବାଟଖୋଜି ତିନି ଘଣ୍ଟା କାଳ ଘୁରିବୁଲିବାକୁ ପଡିଲା l ସହାୟତା ନେଇ ନିଜ ସହର ରେ ପହଁଚିଲା ବେଳକୁ ଢେର ବିଳମ୍ବ l ଗୁଗୁଲ ସହାୟତା ରେ ହଜାରହଜାର କିଲୋମିଟର ଭ୍ରମଣ କରିଛି l ବିଶ୍ୱାସଘାତକତା କରିନଥିଲl କେବେ l ଆଜି ତାକୁ ନେଇ ଜୀବନ ର ପ୍ରଥମ ତିକ୍ତ ଅନୁଭୂତି l କିନ୍ତୁ ଅନୁଭୂତି ସଦାବେଳେ ଡାଏରୀ ର ଅଂଶ, ତିକ୍ତ ହେଉ ଅବା ମଧୁର l

    ମନଟା ଉଦାସ ହୋଇଯିବା କଥା, ଶରୀର କ୍ଲାନ୍ତ ହୋଇଥିଲା କିନ୍ତୁ ମନକୁ ଉଦାସ ହେବାକୁ ଦେଲି ନାହିଁ, ଯେପରି ସେଇଟି ମୋର ବ୍ୟକ୍ତିଗତ ରୁଚି l ଦୁଃଖ ହତାଶା କୁ ମୁଁ ଦ୍ୱାର ଖୋଲିବି ଅବା ନାଇଁ, ସକାଳ ର ଶୀତୁଆ ପବନ ଉଲୁସାଇ ଦେଉଥିଲା ଦେହ ମନ l ଓଲ୍ହାଇଲି ପାଖରେ ଥିବା ଦେଶୀ ଫଳ ର ମାର୍କେଟ ରେ l ସେଠାରେ ନାମ ଅଜଣା ଅନେକ ପ୍ରକାର ଫଳ, ବେରିଜ l ନାଲି, ଗୋଲାପୀ,କମଳା, ହଳଦିଆ, ବାଇଗଣୀ l ବିଷାକ୍ତ ସାରଦିଆ କିମ୍ବା ଅର୍ଗାନିକ ଉତ୍ପାଦନ ନୁହେଁ, ପ୍ରକୃତିଦତ୍ତ l ଫ୍ରୁଟ ସାଲାଡ଼ ରେ ପକାଇଲେ ସାଲାଡ଼ଡ୍ରେସିଂ ପାଣିଫାଟି ଯିବାର ଭୟ, ରଙ୍ଗ ବଦଳି ଯିବାର ଆଶଙ୍କା l ମୋତେ କିନ୍ତୁ ଭଲ ଲାଗେ ସେସବୁ l 

  ଚିରକାଳ ଏମିତି ଛୋଟ ଛୋଟ କଥାରେ ମୋର ବିଚାର ଓ ଆଗ୍ରହ l ମୋ ଚତୁଃପାର୍ଶ୍ୱ ର ଚରିତ୍ର ମାନେ ଯେଉଁଠି କୋଟି କୋଟି ଟଙ୍କାର ଲାଭକ୍ଷତି ର ହିସାବ କରୁଥାନ୍ତି ମୁଁ ସେତେବେଳେ ଭାବୁଥାଏ ନିହାତି ଗୌଣ କଥା ଗୁଡିଏ l ପାରାଟିଏ ଅଣ୍ଡା ଦେଇଛି ମୋ ସ୍କାଏଲାଇଟରେ, ଫୁଟିବାର ସମୟ ଅତିକ୍ରାନ୍ତ ସତ୍ୱେ ଫୁଟୁନି କାହିଁକି? ନଷ୍ଟ ହୋଇଗଲା କି? ଏଥର ଶିମିଳିପାଳ କାଇଚଟଣୀ କୁ ଜି. ଆଇ ଟ୍ୟାଗ ମିଳିଛି, କାଇ ରେ ପ୍ରୋଟିନ, କାଲସିଅମ, ଜିଙ୍କ, ଆଇରନ, ମାଗ୍ନେସିଅମ, ଫାଇବର, ଭିଟାମିନ ଓ 18 ପ୍ରକାର ଆମି ନୋ ଏସିଡ ଅଛି l

ସେତେବେଳେ ମୋ ଚାରିପାଖରେ ଆଲୋଚନା ଚାଲିଥାଏ ଆମେରିକା ର ପରିବର୍ତ୍ତିତ ରାଜନୀତି , ଦେଶ ଦେଶ ର ଯୁଦ୍ଧଖୋର ମନୋଭାବ, ଚାଇନା ର କ୍ରମ ବର୍ଦ୍ଧିଷ୍ଣୁ ଅର୍ଥନୀତି, ଭାରତ ର ଜି.ଡି.ପି ହାର ଅବା କେଉଁ ଇଲେକ୍ଟ୍ରିକ କାର ର ମୂଲ୍ୟ କେତେ, କିମ୍ବା ପୃଥିବୀ ର କେଉଁ କେଉଁ ସହର କୁ ଜୀବନ କାଳ ମଧ୍ୟରେ ଅନ୍ତତଃ ଥରେ ବୁଲିଯିବା ଉଚିତ l

  ମୋର ବିଷୟାସକ୍ତି କମ ଓ ଲାଭ କ୍ଷତି ର ହିସାବ ରେ ମୁଁ କ୍ଷତିଗ୍ରସ୍ତ ବଣିକ l କେହିକେହି କହନ୍ତି ଘନଛାୟା ବୃକ୍ଷ ତଳେ ଥିବାରୁ ମୋର ଏସବୁ ରେ ପ୍ରବୀଣତା ଆବଶ୍ୟକ ହୋଇନାହିଁ l ହୋଇଥାଇପାରେ, ସେଥିପାଇଁ ମୁଁ ଈଶ୍ୱର ଙ୍କ ନିକଟ ରେ କୃତଜ୍ଞ l

    ଈଶ୍ୱର! ବରୁଚ ସ୍ପିନୋଜ଼ା ଙ୍କ ପ୍ରତି ମୁଁ ବହୁମାତ୍ରା ରେ ଆକର୍ଷିତ, ଯେ କହିଥିଲେ ବିଶ୍ୱ ବ୍ରହ୍ମlଣ୍ଡ ର କଣ କଣ ରେ ଈଶ୍ୱର l ଆଉ ଇଟାଲୀ ର କବି ଓ ଦାର୍ଶନିକ ଜିଓନାର୍ଦୋ ବୃନୋ? ଯେ ବିଶ୍ୱାସ କରିଥିଲେ ଅଗଣିତ ବିଶ୍ଵବ୍ରହ୍ମlଣ୍ଡ ର ଉପସ୍ଥିତି l କ୍ୟାଥୋଲିକ ଧର୍ମବିଶ୍ୱାସ ଓ ମେରୀ ଙ୍କ କୁମାରୀତ୍ୱ ଉପରେ ପ୍ରଶ୍ନ ଚି଼ହ୍ନ ଲଗାଇଥିଲେ ବୋଲି ଧର୍ମଭୀରୁ ମାନେ ତାଙ୍କ ଶେଷଶବ୍ଦ କୁ ଭୟ କରି ତାଙ୍କ ଜିହ୍ୱା କୁ ଧାତବ କୀଳକ ଦ୍ୱାରା ବିଦ୍ଧ କରିଥିଲେ ଓ ସର୍ବସାଧାରଣ ଙ୍କ ଉପସ୍ଥିତି ରେ ଦଗ୍ଧ କରିଥିଲେ ରୋମ ସହର ର ପମ୍ପେ ଥିଏଟର  ସାମ୍ନା ରେ l

     ଯଦି ତାଙ୍କୁ ଶେଷଶବ୍ଦ ଉଚ୍ଚାରଣ କରିବାକୁ ଦିଆ ଯାଇଥାନ୍ତା, ସେ ନିଶ୍ଚୟ କହିଥାନ୍ତେ "ହେ ପରମେଶ୍ୱର! ଏମାନଙ୍କୁ ବିଜ୍ଞ କର, ବହୁଦର୍ଶୀ କର l "

    ବୃନୋ, ବୃନୋ, ବୃନୋ ••••• ମୋ ଚତୁର୍ପlର୍ଶ୍ୱ ର କୋଳାହଳ ରେ ଏବେ ସେଇ ଗୋଟିଏ ଶବ୍ଦ l ଇତିହାସ ର ପୃଷ୍ଠା ରକ୍ତାକ୍ତ ଅଗଣିତ ମହାମାନବ ଙ୍କ ରକ୍ତ ରେ l ସେ ରକ୍ତ ର ରଙ୍ଗ ଲାଲ ନୁହେଁ, ଗୋଲାପୀ l ସେ ରକ୍ତ ରେ ପ୍ରତିଶୋଧ ର ରକ୍ତଜବା ଫୁଟେ ନାହିଁ, ଉଦାରତା ର, ସହନଶୀଳତା ର, ମହନୀୟତା ର ପାରିଜାତ ଫୁଟେ l ସକ୍ରେଟିସ, ବୃନୋ •••• ଏ ତାଲିକା ଖୁବ ଦୀର୍ଘ l

ଫେରିଆସିଲି ମୋ ମହଣେ ମଲ୍ଲୀଫୁଲ ର ବାସ୍ନାୟିତ ପୃଥିବୀ କୁ l ମୋ ଉପନ୍ୟାସ ପାଇଁ ଶବ୍ଦ ସଜାଡ଼ିଲି l

"  ମୁଁ ସେଇ ବଂଶୀ ର ମଧୁର ମୂର୍ଚ୍ଛନା, ଯାହା ସ୍ପନ୍ଦିତ କରିପାରେ ପୃଥିବୀ ର ସମସ୍ତ ପ୍ରେମିକ ହୃଦୟ l

   ମୁଁ ସେଇ ନିଷିଦ୍ଧ ପୃଥିବୀ ର ଆଗ୍ନେୟ ସକାଳ, ଯାହାକୁ ରୋକିପାରିନାହିଁ ସହସ୍ର ରାତିର ଅନ୍ଧାର l"

        


Rate this content
Log in

Similar oriya story from Inspirational