KRUTIBAS NAYAK

Romance Others

4.0  

KRUTIBAS NAYAK

Romance Others

ଚିଠିରେ ସୁଖ

ଚିଠିରେ ସୁଖ

13 mins
63


 

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଯୋଗଦାନ କରିବାର ମୋର ଦୁଇମାସ ହେଇଗଲାଣି | ଘରକୁ ଦୁଇଖଣ୍ଡ ଚିଠି ଦେଇ ତା'ର ଉତ୍ତର ବି ପାଇ ସାରିଲିଣି | କିନ୍ତୁ ସମ୍ବିତ କ'ଣ ମୋ ଚିଠି ପାଉନାହିଁ ନାହିଁ ନା' ଉତ୍ତର ଦେବାକୁ ତାକୁ ସମୟ ନାହିଁ | ସିଏ ହିଁ ମୋର ଏକମାତ୍ର ଅନ୍ତରଙ୍ଗ ବନ୍ଧୁ | ତାକୁ ଯେମିତି ମୁଁ ମନଖୋଲି ସବୁକଥା କହିଦିଏ ସିଏ ବି ତା'ର ଖୋଲା ମନରେ ସବୁକଥା ମୋତେ କହିଦିଏ | ଏମିତି ଗୋଟାଏ ଜାଗାରେ ସେ ରହିଛି ଯେ ତାଙ୍କ ଘର ପାଖକୁ ଟେଲିଫୋନ ଖୁଣ୍ଟ ବସି ତାର ଯିବାକୁ ଆହୁରି ଦଶବର୍ଷ ଲାଗିବ | ଥରେ ଏକଥା ମୁଁ ତାକୁ କହିଥିଲି ଯେ ସେ ମୋତେ କହିଲା- " ଆରେ ଭାଇ ! ଛାଡ଼ ସେ ଟେଲିଫୋନ କଥା | ଆମର ଏଇ ହାତଲେଖା ଚିଠିରେ ହୃଦୟ ଖୋଲା କଥା ଏଇମିତି ସବୁଦିନ ଚାଲିଥାଉ | ଚିଠିରେ ପ୍ରେମକଥା ହେଇଥାଉ କି ଘରର ଅଭାବ ଅସୁବିଧା କଥା ହେଇଥାଉ, ତା'ର ମହତ୍ୱ ସବୁଦିନ ପାଇଁ ରହିଛି ଆଉ ରହିଥିବ | ତୁ ଯେଉଁଠି ଯେମିତି ଥିଲେ ବି ମୋ ପାଖକୁ ଚିଠି ଲେଖୁଥିବୁ | ମୁଁ ବି ସେଇମିତି ହାତରେ ଲେଖି ଚିଠି ଦେଉଥିବି | ଚିଠିକୁ ଅପେକ୍ଷା କରି ରହିବାର ମଜା କ'ଣ ଆଉ କେଉଁଠି ଥାଏ ? ଦେଖିବୁ ରହ, ସେଇ ଚିଠିସବୁ ଦିନେ ଆମପାଇଁ ଇତିହାସ ହେଇ ରହିଯିବ |

ସମ୍ବିତ ବୋଧହୁଏ, ସେଇଥିପାଇଁ ଚିଠି ଦେବାକୁ ଡେରି କରୁଛି | କିନ୍ତୁ ସେ ମୋ ମନର ଭାବନାକୁ କ'ଣ ଅନୁମାନ କରି ପାରୁନାହିଁ ? ସବୁକଥା ତ ତାକୁ କହିଦେଇ ଆସିଥିଲି, ସତରେ ମୋର ଆଉ ଧୈର୍ଯ୍ୟ ରହୁନାହିଁ |

 ଏମିତି ଭାବି ଭାବି ଷ୍ଟିଲ ପ୍ଲାଣ୍ଟର ଚିପ ଅଫ କମ୍ୟୁନିକେସନ ଅରୁଣ ପଟ୍ଟନାୟକ ନିଜ ଅଫିସ ଭିତକୁ ପଶିଗଲେ | ତାଙ୍କ ନଜର ପଡ଼ିଗଲା ଟେବୁଲ ଉପରେ ଥୁଆହେଇଥିବା ଚିଠି ଉପରକୁ | ତାଙ୍କ ପାଟିରୁ ବାହାରି ପଡ଼ିଲା-“ଆରେ ! ସମ୍ବିତ ଚିଠି ଦେଇଛି | ଆଗ ସେ ତାରିଖ ଉପରେ ନଜର ପକେଇ ପଢ଼ିଲେ-15-08-95 | ତା'ମାନେ ଆଠ ଦିନ ତଳୁ ସେ ଏ' ଚିଠିକୁ ଲେଖି ପଠାଇଲାଣି |”

 ତରବର ହେଇ ସେ ଠିଆ ଠିଆ ଚିଠିକୁ ଖୋଲି ପଢ଼ି ଚାଲିଲେ-

" ମୋର ପ୍ରିୟ ଅନ୍ତରଙ୍ଗ ବନ୍ଧୁ,

ଅରୁଣ ! ମୁଁ ତୋର ଦୁଇଟାଯାକ ଚିଠି ପାଇଛି | ଉତ୍ତରକୁ ଅପେକ୍ଷା କରିବାର ମଜା ପାଇବୁ ବୋଲି ମୁଁ ଜାଣି ଜାଣି ଚିଠି ଦେବା ଡେରି କରିଦେଇଥିଲି | ଆମେ ତ ସବୁ ଏଠି ଭଲରେ ଅଛୁ, ଗତକାଲି ମଉସା ମାଉସୀଙ୍କ ସହିତ ମୋର ଦେଖା ହେଇଥିଲା | ତୋ' ଚିଠି ପାଇଥିବା କଥା କହୁଥିଲେ | ମୁଁ ସିନା ରାଉରକେଲା ଛାଡ଼ି ଚାଲି ଆସିଲି, କିନ୍ତୁ ସେଠିକାର ମଜା ଏଠିନାହିଁ | ହଉ ଶୁଣ, ତୋ' ପାଇଁ ଗୋଟାଏ ଶୁଭ ଖବର ଅଛି | ତୋର ସେ ମଧୁମିତା ଏବେ ସେଇଠି ରାଉରକେଲାରେ ରହୁଛି | ମୁଁ ତାଙ୍କର ଠିକଣା ଯୋଗାଡ଼ କରି ପରେ ତୋତେ ଚିଠିରେ ଜଣେଇବି | ସୁଯୋଗ ଦେଖି ତାକୁ ଟିକେ ଦେଖା କରିବୁ | କିଛି ନହେଲେ ବି ତୁ ତାକୁ ଦେଖି ଖୁସି ତ ହେଇପାରିବୁ ! ରହୁଛି | ଚିଠିଦେବୁ |”                             

ତୋର ଅନ୍ତରଙ୍ଗ ବନ୍ଧୁ-                                                           

ସମ୍ବିତ


“ମଧୁମିତା ବି ଏଇ ରାଉରକେଲା ସହରରେ ରହୁଛି |”

 ଏ'ସମ୍ବାଦଟା ଏଭଳି ଅଚାନକ ସମ୍ବିତ ଠାରୁ ମିଳିଯିବ, ଅରୁଣ ବାବୁ କଳ୍ପନା କରିପାରୁ ନଥିଲେ | ତାଙ୍କପାଇଁ ତ ଇଏ ଗୋଟିଏ ବହୁତ ବଡ଼ ସୁ-ସମ୍ବାଦ|

  ସେ ପିଅନଙ୍କୁ କହି ଥଣ୍ଡାପାଣି ଗ୍ଲାସେ ମଗେଇ ଢକଢକ କରି ପିଇଲେ | ନିଜ ଚୌକିରେ ବସିପଡ଼ି ଅନ୍ୟମନସ୍କ ହେଇଗଲେ-" ସତରେ ଇଏ କ'ଣ ସେହି ମଧୁମିତା ହେଇଥିବ ?

  ଯଦି ସେ ମଧୁମିତା ହୋଇଥାଏ, କୋଡ଼ିଏ ବର୍ଷ ପରେ ସେ କ'ଣ ଆଉ ସେଦିନର ମଧୁମିତା ହେଇ ରହିଥିବ ? ତା'ର ପିଲାଛୁଆ ବଡ଼ହେଇ ଯାଇଥିବେ | ମୁହଁରେ ଭାଙ୍ଗ ପଡ଼ି ଆସିଥିବ | ମୋ ସ୍ତ୍ରୀ ପରି ତା' ଆଖି ତଳେ କଳା ଦାଗ ବି ପଡ଼ି ଯାଇଥିବ | ସେଦିନର କଳା ମଚମଚ ଚୁଟିରୁ ତା'ର କେତେଟା ନିଶ୍ଚୟ ଧଳା ଦିଶିବଣି ନିଶ୍ଚୟ |"

   ପୁଣି ଭାବନାର ସ୍ରୋତରେ ଅରୁଣ ବାବୁ ଭାସିଗଲେ |

  -"ନାଇଁ ମ ! ସବୁ ସ୍ତ୍ରୀଲୋକଙ୍କର କ'ଣ ସେମିତି ହୁଏ ? ଜଣେ ଜଣେ ସ୍ତ୍ରୀଲୋକ ଚାଳିଶ ବର୍ଷରେ ବି ତରୁଣୀ ପରି ଦିଶନ୍ତି, ମାଆ ଝିଅ ଦି' ଭଉଣୀ ପରି ଲାଗନ୍ତି | ଏ' ସବୁ ନିର୍ଭର କରେ, ଶରୀରର ଗଠଣ ଆଉ ଶରୀରର ଯତ୍ନ ଉପରେ | ପୁଣି ବଂଶଗତ କାରଣରୁ ମଧ୍ୟ |

  -ମଧୁମିତାର ଗଢ଼ଣ ତ ଠିକ କୁନି କଣ୍ଢେଇଟିଏ ପରିଥିଲା | ଷାଠିଏ ବର୍ଷ ଯାଏ ବି ସେ ସେଇମିତି ତରୁଣୀ ହେଇ ରହିପାରିବ | କାରଣ ତା' ବୋଉର ତ ସେତେବେଳକୁ ଗୋଟାଏ ବି ଚୁଟି ପାଚି ନଥିଲା | ତେଣୁ ଏବେ ବି ମଧୁମିତା ନିଶ୍ଚୟ ସେଦିନର ମଧୁମିତା ପରି ଦିଶୁଥିବ |"

    ଅନେକ ସମୟ ଧରି ଅରୁଣ ବାବୁ ମଧୁମିତାର ରୂପ, ଚେହେରା ଆଉ ତା' ପିଲାଛୁଆଙ୍କ କଥାକୁ କଳ୍ପନା କରୁଥିଲେ |

    ନିଜକୁ ନିଜେ ପଚାରିଥିଲେ-"ଯଦି ହଠାତ ମୁଁ ଯାଇ ତା' ଘରେ ପହଞ୍ଚିଯାଏ, ମଧୁମିତା କ'ଣ ମୋତେ ଚିହ୍ନି ପାରିବ ?

   -ନିଜ ଆଡୁ ଯଦି ତାକୁ ମୋତେ ନିଜର ପରିଚୟ ଦେବାକୁ ପଡ଼େ, ତେବେ କ'ଣ ମୁଁ କହିପାରିବି ଯେ- ମୁଁ ଅରୁଣ ପଟ୍ଟନାୟକ, ଏବେ ଆରଏସ.ପିର ଚିଫ ଅଫ କମ୍ୟୁନିକେସନ ଭାବରେ ଏଇଠି କାମ କରେ, ଆଉ ଆମ ଘରଟା ଆପଣଙ୍କ ପାଖ ଗାଁ' ଗୋବିନ୍ଦପୁରରେ |

         -ତା'ପରେ ଯଦି ସେ ଚିହ୍ନି ନପାରି ମୋତେ ପଚାରିଦିଏ-"କାହା ପାଖରେ କି' କାମ ଥିଲା ଆପଣଙ୍କର ? ମିଷ୍ଟର ତ ଏବେ ନାହାନ୍ତି, ଆସଲେ ମୁଁ ତାଙ୍କୁ କହିଦେବି | କିଛିକଥା ଥିଲେ କହିଦେଇ ଯାଆନ୍ତୁ |"

   -ତେବେ ମୁଁ ତା'ପର ଅଧ୍ୟାୟଟା କ'ଣ ଆରମ୍ଭ କରି ପାରିବି ? କଦାପି ନୁହେଁ ନିଶ୍ଚୟ | ସେକଥା କହିବା ପାଇଁ ମୋର ସତ ସାହସ ତ ନାହିଁ | କାରଣ ମୁଁ ହିଁ ଡାହାଣୀ ହେଇ ତା' ଦେହରେ ଲାଗିଥିଲି, ପୁଣି ଗୁଣିଆହେଇ ତା' ଦେହରୁ ଡାହାଣୀକୁ ଛଡ଼େଇ ଦେଇଥିଲି | ସେଇଥି ପାଇଁ ତ ମୁଁ ଆଉ ଦ୍ୱିତୀୟ ଥର ତା'ର ସମ୍ମୁଖୀନ ହେଇପାରି ନାହିଁ |

     -ଯଦି ମଧୁମିତା ମୋର ସେଇ ଅଳ୍ପକଥାରେ ମୋତେ ଚିହ୍ନି ପାରିଲା, ତେବେ କଥାଟା ପୁଣି କେଉଁଠୁ ଆରମ୍ଭ କରିବି ? ତା' ସହିତ ମୋର ବାହାଘର ପକ୍କାହେଇ ଯାଇଥିଲା | ଅଳ୍ପ କେଇପଦ କଥାରେ, ଆମେ ଦୁହେଁ ଦୁହିଁଙ୍କୁ ନିଜର କରି ଦେଇଥିଲୁ | ଘରକୁ ଫେରିଲା ବେଳେ ତା'ର ଯେଉଁ କଲେଜ ବେଳର ଫଟୋ ଖଣ୍ଡେ ନେଇ ଆସିଥିଲି, ତାକୁ ମୋ ଡାଏରୀରେ ଲୁଚେଇ ରଖିଥିଲି | ଏକୁଟିଆ ବେଳେ ଆଉ ରାତିରେ ଲୁଚେଇ ତାକୁ ଧରି କେତେକଥା କହିଛି |

   ମଧୁମିତା ମୋର ସବୁ କଥାରେ ସତେ ଯେମିତି ସମ୍ମତି ଜଣାଉଥିଲା | ଫଟୋ ଭିତରୁ ବାହାରି ପଡ଼ି ସେ ମୁରୁକି ହସି ଦେଉଥିଲା | ବେଳେ ବେଳେ ମୋତେ ଲାଗୁଥିଲା, ମଧୁମିତାର ଆଖିପତା ଦୁଇଟା ଯାକ ଉଠପଡ଼ ହେଉଛି | ଫଟୋଟା ଜୀବନ୍ତ ହେଇ ଉଠୁଛି |


-ଟେଲିଫୋନର ଲମ୍ବା ରିଂ ଶବ୍ଦରେ ତାଙ୍କ ଭାବନାର ଖିଅ ଛିଡ଼ିଗଲା |

   -"ହ୍ୟାଲୋ ହ୍ୟାଲୋ, ଯାଃ- କଟିଗଲା-ଏଇଟା ତ ବାହାର କଲ ! ଟେଲିଫୋନ ବୁଥରୁ ହେଇଛି | ଆଜି ଗୋଟାଏ ସାମ୍ବାଦିକ ସମ୍ମିଳନୀ ଥିଲା | ସେଇଟା ତ କ୍ୟାନସଲ ହେଇ ଯାଇଛି | କିଏ ଫୋନ କରୁଥିଲା କେଜାଣି ? ଟେଲିଫୋନ ବୁଥରୁ ଫୋନକଲେ, କିଏ ବା କେମିତି ଜାଣି ପାରିବ ? ଛାଡ଼ କାହାର ଯଦି ନିହାତି ଦରକାର ଥାଏ, ସେ ପୁଣି ଫୋନ କରିବ ନାହିଁକି ? ବେକାରିଆ ଲୋକଟା, କେଡ଼େ ସୁନ୍ଦର ଭାବନା ଆଉ ମିଠା ମିଠା ଦିବାସ୍ୱପ୍ନକୁ ମୋର ସେ ଭାଙ୍ଗିଦେଲା |"

ଅରୁଣ ବାବୁ ପୁଣି ଥରେ ମଧୁମିତାର ଅତୀତ କଥା ଖିଅକୁ ଯୋଡ଼ିବାକୁ ଚେଷ୍ଟା କରୁଥିଲେ | ପୁଣି ଟେଲିଫୋନ ଗର୍ଜି ଉଠିଲା | ଟିକେ ବିରକ୍ତ ହେଇ ସେ ଟେଲିଫୋନ ରିସିଭରକୁ ଉଠେଇ ପଚାରିଲେ- "ହ୍ୟାଲୋ କିଏ କହୁଛନ୍ତି ଆଉ କେଉଁଠୁ କହୁଛନ୍ତି ?

- ଆରେ ତୁ ସମ୍ବିତ ! ତୋ ଚିଠି ଆଜି, ମାନେ ଏଇମାତ୍ର ପାଇଲି | ହଉ ଯାହା କହିବାର ଅଛି ଶୀଘ୍ର ଶୀଘ୍ର କହିପକା | ପୁଣି କେତେବେଳେ ଫୋନ କଟିଯାଇପାରେ |"

  -" ମୁଁ ଯେଉଁ ଦାୟୀତ୍ୱ ଦେଇଥିଲି, ତାକୁ ତ ମୋତେ ନିଭେଇବାକୁ ପଡ଼ିବ ନା ! ମୁଁ ତୋର ମନ କଥା ଆଉ ଭାବନାକୁ ଠିକ ଭାବରେ ବୁଝିଛି, ତେଣୁ ଶୀଘ୍ର ସମ୍ବାଦଟି ଦେବାପାଇଁ ଟେଲିଫୋନ ବୁଥକୁ ଆସିଛି | ଏବେ ତୁ କଲମ କାଢ଼, ଆଉ ମଧୁମିତା ମାଡ଼ାମଙ୍କର ଠିକଣାଟି ଟିପିରଖ | ପ୍ରକୃତରେ ତାଙ୍କ ସ୍ୱାମୀ ଆଇ.ଜି.ଏଚ.ରେ କାମ କରନ୍ତି ନାହିଁ, ଆର.ଜି.ଏଚ.ରେ | ଡାକ୍ତର ଅବନିକାନ୍ତ ମହାନ୍ତି | ଆଉ ତାଙ୍କର ଘର ନମ୍ବର ହେଲା-ଆଇ.ଜି.ଏଚ.35, ବାସନ୍ତୀ ନଗର | ଆଜି ମୁଁ ନିଜେ ତାଙ୍କରି ସହିତ କଥା ହେଉ ହେଉ ତାଙ୍କ ମିସେସଙ୍କ ନାଁଆଟା ମଧୁମିତା ବୋଲି ଜାଣିଲି | ତୋ କଥା ବି ତାଙ୍କୁ କହୁଥିଲି, ସିଏ କହୁଥିଲେ,ତୋତେ ସେ ଭଲକି ଜାଣନ୍ତି | ସୁବିଧା ଦେଖି ସେ କେବେ ତୋତେ ଅଫିସରେ ଦେଖା କରିବେ ବୋଲି କହୁଥିଲେ |"

   -"ଆରେ, ତୁ ସେସବୁ କଥା କହି କିଛି କହିଦେଇ ନାହୁଁ ତ ?"

  -"ରାମ ରାମ ରାମ, ତୁ ମୋତେ ପାଗଳ ବୋଲି ଭାବୁଛୁ କି ? ସେଭଳି ସମ୍ବେଦନଶୀଳ କଥାକୁ କ'ଣ କିଏ କାହାକୁ କହିପାରେ ଯେ, ମୁଁ କହିଦେବି |"

  -"ତମ ଗାଆଁ ପାଖଲୋକ ବୋଲି ସେ କେବଳ କହୁଥିଲେ | ତମ ଗୋବିନ୍ଦପୁର ଗାଆଁ ଆଉ ତୋ ନାଆଁକୁ କେବଳ ସେ ଜାଣିଛନ୍ତି |"

 -"ତେବେ ତ ରକ୍ଷା ପାଇଗଲି |"

 -"ହଉ ଧନ୍ୟବାଦ | ରହୁଛି |"

 ସମ୍ବିତବାବୁ ଫୋନରେ ଯେତିକି ସୂଚନା ଦେଇଦେଲେ, ସେତିକିରେ ଅରୁଣ ବାବୁଙ୍କର ଅବସ୍ଥା ଖରାପ ହେଇଗଲା | ସେ ପୁଣିଥରେ ଗ୍ଲାସେ ଥଣ୍ଡା ପାଣି ପିଇଲେ | ତାପରେ ମନକୁ ସ୍ଥିର କରିଲେ ।

 ସେ ମନକୁ ମନ କହି ଚାଲିଲେ- "ବରଂ ଗୋଟାଏ ଦିଗରୁ ଭଲହେଲା-ମଧୁମିତା ଭଲରେ ଅଛି, ତା' ପାଇଁ ଯୋଗ୍ୟ ଆଉ ଉପଯୁକ୍ତ ଡାକ୍ତର ବର ତାକୁ ମିଳିଛି | କାରଣ ମଧୁମିତା ଭଳି ସୁନ୍ଦରୀ ଆଉ ସୁଧାର ଝିଅ ଯଦି କୌଣସି ଅମଣିଷ ପାଖରେ ପଡ଼ି ଯାଇଥା'ନ୍ତା, କିମ୍ବା ଦୁଃଖରେ ଜୀବନ କଟାଉଛି ବୋଲି ଯଦି ମୁଁ କେବେ ଶୁଣିଥା'ନ୍ତି, ତେବେ ମୁଁ ନିଜକୁ ଏତେ ସହଜରେ କ୍ଷମା ଦେଇପାରି ନଥା'ନ୍ତି | ତା'ର ସେ ସବୁ ଅସୁବିଧା ଆଉ ଦୁଃଖପାଇଁ ମୁଁ ହିଁ କେବଳ ଦାୟୀ ବୋଲି ଧରି ନେଇଥା'ନ୍ତି | କାରଣ, ମୋ କଥାକୁ ମୁଁ ରକ୍ଷାକରି ପାରି ନଥିଲି |

      -ଡାକ୍ତରବାବୁ ମୋ ବିଷୟରେ କ'ଣ ସବୁ ଶୁଣିଛନ୍ତି, କେଜାଣି? ଯଦି ମଧୁମିତା ମୋ ବିଷୟରେ ତାଙ୍କୁ କିଛି କହି ଦେଇଥିବ, ତେବେ ତ କାମ ସରିଲା | କିନ୍ତୁ ମୋତେ ଲାଗୁଛି-ମଧୁମିତା ଯେଉଁଭଳି ଝିଅ, ସେ ଡାକ୍ତରବାବୁଙ୍କୁ ମଧ୍ୟ ସେହିଭଳି ଚରିତ୍ରର ମଣିଷ କରି ଦେଇଥିବ ନିଶ୍ଚୟ |

 -ସମ୍ବିତ ମୋର ସବୋର୍ଡିନେଟ ହେଲେ ବି ତାକୁ ଥରେ କହୁକହୁ ମୋର ଜୀବନରେ ଘଟି ଯାଇଥିବା ସେହି ଦୁର୍ଘଟଣାଟିକୁ କହି ପକାଇଥିଲି | ଠିକ କରିଥିଲି କି ନାହିଁ, ଏବେ ପର୍ଯ୍ୟନ୍ତ ମୁଁ ଜାଣେନାହିଁ | କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଇମୋସନହେଇ ସତକଥା ଗୁଡ଼ାକୁ ତାକୁ କହୁକହୁ କହି ପକାଇଥିଲି | ମୁଁ କ'ଣ ଜାଣିଥିଲି ଯେ, ସେ ଦି' ବର୍ଷ ଧରି ସେ କାହାଣୀକୁ ତା'ମନରେ ସାଇତି ରଖିଛି ବୋଲି |

  -ତଥାପି ସମ୍ବିତକୁ ପ୍ରଶଂସା କରିବାକୁ ପଡ଼ିବ | କାରଣ, ସେ ଥିଲା ଆମର ଲୋକ ସମ୍ପର୍କ ଅଧିକାରୀ | ପ୍ରତିଦିନ ସେ ବିଭିନ୍ନ ସମୟରେ ଅସଂଖ୍ୟ ସମସ୍ୟାକୁ ସମ୍ମୁଖୀନ ହେଉଥିଲା | ତା' ଭିତରେ ମୋର କୋଡ଼ିଏ ବର୍ଷ ତଳର କେଉଁ ଏକ ଛୋଟିଆ କଥାଟାକୁ ଆଜିଯାଏ ଏତେ ଗୁରୁତ୍ୱର ସହିତ ଗ୍ରହଣ କରି ରଖିଛି | ଏହାକୁ ହିଁ କହନ୍ତି ପ୍ରକୃତ ବନ୍ଧୁ |

    ପୁଣି ଥରେ ସମ୍ବିତକୁ ଧନ୍ୟବାଦ ଦେବାକୁ ଇଚ୍ଛା ହେଉଥିଲା | ସେ ଖୋଜାଲୋଡ଼ା କରି ମଧୁମିତାର ଠିକଣା ଆଉ ତା'ସ୍ୱାମୀ ସମ୍ପର୍କରେ ମଧ୍ୟ ଅନେକ ତଥ୍ୟ ସଂଗ୍ରହ କରି ପାରିଥିବାରୁ |

  ଆଜି ପୁଣି ସେଦିନର କଥା ମନେପଡ଼ିଗଲା | -ସମ୍ବିତର ସାନଭାଇର ବାହାଘର ଲାଗିଥାଏ, କେତେଝିଅ ସେତେବେଳକୁ ତା'ପାଇଁ ଲାଇନରେ ଥାଆନ୍ତି | କିନ୍ତୁ ତା' ବାହାଘର ଶେଷ ନିଷ୍ପତି ସେ ମୋ ଉପରେ ଛାଡ଼ି ଦେଇଥାଏ |

 -ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦିନେ ସମ୍ବିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋ ଚୌକି ଆଗରେ ବସିଥାଏ | ମୋ ମନେ ପଡ଼ିଗଲା-ଅତୀତ ଦିନର ମଳିନ ତଳର କଥା | କହୁକହୁ କହି ଚାଲିଲି, ଅତି ଆଗ୍ରହରେ ସବୁକଥାକୁ ସମ୍ବିତ ଶୁଣୁଥାଏ |

  -ବୁଝିଲୁ ସମ୍ବିତ | ଆଜି ତୋ ଭାଇର ଯାହା ପରିସ୍ଥିତି, ଦିନେ ମୋର ବି ସେଇମିତି ହେଇଥିଲା | ଥରେ ମଣିଷ କୌଣସି ଗୋଟିଏ ଝିଅକୁ ଭଲ ପାଇଗଲେ ନା, ତାକୁ ସଂସାରଟା ଖାଲି ଝାପ୍ସା ଝାପ୍ସା ଅନ୍ଧାର ଦିଶେ | ଆଉ ତା' ଭିତରେ ସେ ଝିଅଟା ବିଜୁଳି କନ୍ୟା ଭଳି ଝଲମଲ ହୁଏ | ତା'କଥା ମନେ ପଡ଼ିଗଲେ, ଛାତି ଭିତରଟା ଧଡ଼ ଧଡ଼ ହେଇଯାଏ | ତା'ପରେ ସଂଜ୍ଞାତୀତ କିଛି ଗୋଟାଏ ଆସି ତାକୁ ପୁଲକିତ କରିପକାଏ | ଅନନ୍ୟ ଶିହରଣରେ, ରାଶି ରାଶି ରୋମାଞ୍ଚକରେ, ପୁଣି କୁଢ଼ କୁଢ଼ ଆନନ୍ଦରେ ଦେହ-ମନ ଫାଟିପଡ଼େ | ବିପୁଳ ପୃଥିବୀଟା ଖାଲି ତା'ର ରୂପମୟ ହେଇଯାଏ | ତା' ସହିତ ମୁହାଁମୁହିଁ ହେବାର ଗୋଟାଏ ମହାର୍ଘ ସୁଯୋଗ ପାଇଁ ବାରମ୍ବାର ମନ ବ୍ୟାକୁଳ ହେଇଉଠେ | ତା'ର ଚାଲି, କଥା କହିବାର ଢଙ୍ଗ, ମୁରୁକି ହସ, ଲାଜୁଆ ଚାହାଣୀ, ସବୁଗୁଡ଼ାକ କେବଳ ଭଲଲାଗେ | ସେ ପିନ୍ଧିଥିବା ପୋଷାକ, ସେ ବ୍ୟବହାର କରୁଥିବା ଚପଲ ବି ଅନନ୍ୟ, ଦୁର୍ଲଭ ବା ସିଙ୍ଗିଲ ପିସ ବୋଲି ମନେହୁଏ | କିନ୍ତୁ ଥରେ ସେ ପ୍ରେମଟା ପାଣିଚିଆ ହେଇଗଲେ ନା, ହଠାତ ସବୁଯାକ ଭଲ, ସବୁଯାକ ସୁନ୍ଦର ପୁଣି ବିକୃତ ହେଇଯାଏ |

   -ହଁ, ଯଦି ସେ ଅକ୍ଷତ ପ୍ରେମଟା କୌଣସି କାରଣରୁ ହାତ ପାହାନ୍ତାରୁ ଦୂରେଇ ଯାଏ, ତା'ର ପରିଣତିଟା କିନ୍ତୁ ଅତ୍ୟନ୍ତ ସୁରକ୍ଷିତ ହେଇଯାଏ |

 -ମାନେ, ପ୍ରେମଟା- 'ଏକ ଜାଗାପର କଦମ ତାଲ' କରୁଥାଏ | ହୃଦୟ ଭିତରେ ଲୁଚି ରହିଥିବା ମନ କମାଣ୍ଡର ଆଦେଶ ଦେଲେ, ସେ ପୁଣି ସେଇଠୁ ନିର୍ଭିକ ସୈନିକ ଭଳି ଆଗେଇ ଚାଲେ | ଆଗରେ ଥିବା କୌଣସି ପ୍ରତିବନ୍ଧକ ଶତ୍ରୁପକ୍ଷର ପ୍ରତିରୋଧକୁ ସେ ଖାତିର ନକରି ମୃତ୍ୟୁର ସାମ୍ନା କରେ |"

  -"ଆରେ ଅରୁଣ ! ତୁ ତ ଜଣେ ଭାବୁକଙ୍କ ଭଳି ପ୍ରେମର ସଂଜ୍ଞା ମୋତେ କହି ଚାଲିଛୁ | କିନ୍ତୁ ....|" ସମ୍ବିତ ବାବୁ ଅରୁଣ ବାବୁଙ୍କୁ କହିଲେ |

  "ଓଃ ! ସରି | ମୁଁ ମୂଳକଥାରୁ ଅନ୍ୟଆଡ଼କୁ ଟିକେ ଚାଲିଗଲି | ଶୁଣ ସମ୍ବିତ ! ମଧୁମିତା ସେଇମିତି ଦିନେ ମୋତେ ସମ୍ପୂର୍ଣ ରୂପେ ଆକ୍ରାନ୍ତ କରିଦେଇଥିଲା | ଆମର ପ୍ରେମ କିନ୍ତୁ ଆଜିଯାଏ, ପୂର୍ବଭଳି ଅକ୍ଷତ ଆଉ ସୁରକ୍ଷିତ ହେଇରହିଛି | ମାନସିକ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ମୁଁ ତାକୁ ମୋ ହୃଦୟର ଏକ କୋଣରେ ଚାପି ଲୁଚେଇ ରଖିଦେଇଛି | କେବେ କେମିତି ସେ ଚେଇଁ ଉଠିଲେ, ତାକୁ ଟିକେ ବହଲେଇ ଦିଏ, ପୁଣି ମୋର ଅସହାୟତାର ଆବରଣରେ ତାକୁ ଢାଙ୍କି ରଖେ |"

     -"ଅରୁଣ ! ମୁଁ ଏ'ଦିଗରେ କିଛି ସାହାଯ୍ୟ କରି ପାରିବି କି ?" ସମ୍ବିତ ପଚାରିଲା |

  -"ପାରିବୁ, ଚେଷ୍ଠାକଲେ, ନିଷ୍ଠାର ସହିତ ଲାଗିଲେ; ତୁ ନିଶ୍ଚୟ ପାରିବୁ | ମଧୁମିତାର ବର୍ତ୍ତମାନ ସ୍ଥିତି, ସେ କେଉଁଠି ବାହା ହେଇଛି ? କେମିତି ଅଛି ? କେବଳ ଏତିକି ମୋତେ ସୂଚନା ଯୋଗେଇ ଦେଲେ, ମୁଁ ଟିକେ ମାନସିକ ଯନ୍ତ୍ରଣାରୁ ମୁକ୍ତି ପାଇଯାଆନ୍ତି |

    ଆଗ ମୁଁ ତୋତେ ସେ ଘଟଣାକୁ ଆମୂଳ ଚୂଳ କହିଦେଉଛି ଶୁଣ | ଆମ ଗାଆଁଠାରୁ ପାଞ୍ଚ କିଲୋମିଟର ଦୂରରେ ଚମ୍ପାପୁର ଗାଆଁ | ସେହି ଗାଆଁ ମଝିରେ ମଧୁସୂଦନ ମହାନ୍ତିଙ୍କ ଘର | ସେ କଲିକତାରେ ଚାକିରୀ କରୁଥିଲେ | ସେଇଠି ମଧୁସୂଦନ ମଉସା ଦୁର୍ଘଟଣାରେ ମୃତ୍ୟୁବରଣ କରି ସାରିଛନ୍ତି | ତାଙ୍କର ଏକମାତ୍ର କନ୍ୟା ମଧୁମିତା |"

   -"ଠିକ ଅଛି, କହ ! ମୁଁ ଆଜି ମନଦେଇ ତୋ କଥାକୁ ସବୁ ଶୁଣିବି | ଯଦି ଦରକାର ହୁଏ, ମୁଁ ଚମ୍ପାପୁର ଗାଁ'କୁ ଯାଇ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରି ତୋତେ ମାଡାମଙ୍କର ଖବର ନିଶ୍ଚୟ ଜଣେଇ ଦେବି |" 

    -“ସମ୍ବିତ ପ୍ରତିଶ୍ରୁତି ଦେଇ ଯାଇଥିଲା | ତାକୁ ସେ ରକ୍ଷା କରିଛି |

  - ଅନେକ ଦିନପରେ ଆଜି ସେ ମଧୁମିତାର କେବଳ ସୂଚନା ଦେଇନାହିଁ, ବରଂ ସେ ସୁଖରେ ସଂସାର କରି ମୋର ଅତି ନିକଟରେ ରହୁଛି | ସେ ଖବର ବି ସମ୍ବିତ ଦେଇପାରିଛି | ତେଣୁ ଆଜି ମୋ ମନଟା ନାଚି ଉଠୁଛ | ଏଣେ ଛାତି ଭିତରେ ଲୁଚି ରହିଥିବା ଅକ୍ଷତ ପ୍ରେମ-ପକ୍ଷୀଟା ଫଡ଼ଫଡ଼ ହେବାରେ ଲାଗିଛି |

  -ମନକୁ ଟାଣ କରିନେଇ ନିଜକୁ ନିଜେ ଅରୁଣ ବାବୁ ବୁଝାଉଥିଲେ-"ମୁଁ ତ କେବେ ମଧୁମିତା ସହିତ କିଛି ଖରାପ ଆଚରଣ ଦେଖାଇ ନାହିଁ | ଆମର କେବଳ ମାନସିକ ସମ୍ପର୍କ ହିଁ ଗଢି ଉଠିଥିଲା | ବେଶ ଏତିକି, ତା'ପରେ ବାହାଘରଟା ଠିକହେଇ ଯାଇଥିଲା | ଆମେ ଦୁହେଁଯାକ ସେଥିପାଇଁ ବେଶଖୁସି ଥିଲୁ| ବୁଝାବଣା ଅଭାବରୁ ବାହାଘରଟା ସିନା ହେଇପାରିଲା ନାହିଁ | ଏଥିରେ ଏତେ ବ୍ୟସ୍ତହେବାର କ'ଣ ଅଛି ? ଝିଅଟିଏ ଥିଲେ, ତା'ପାଇଁ ମୋ ଭଳି କେତେପୁଅଙ୍କ ସହିତ କଥାଚାଲେ, ଆଗେଇ ଯାଏ କାମ | ହଠାତ ସେ ସମ୍ପର୍କ ନଦୀରେ ବନ୍ଧ ବି ପଡ଼ିଯାଏ |

   -ଅସ୍ଥିର ମନକୁ ଶାନ୍ତକରି ଅରୁଣ ବାବୁ ଆଗ-ପଛ ବିଚାର କରିବାକୁ ସମୟ ନଦେଇ ଡ୍ରାଇଭରକୁ କହିଲେ-"ସିଧା ବାସନ୍ତୀ ନଗର ଘର ନମ୍ବର -ଆଇ.ଜି ଏଚ.35କୁ ଚାଲ |”

  -ଗାଡ଼ି ଆଗେଇ ଚାଲିଥିଲା | ସେ ପୁଣି ଦ୍ଵନ୍ଦରେ ପଡ଼ିଗଲେ-"ଭଦ୍ରଲୋକଙ୍କୁ ଆଗରୁ ଫୋନଟିଏ କରି ତାଙ୍କ ଘରକୁ ଯାଇଥିଲେ, ବୋଧହୁଏ ଭଦ୍ରାମି ହୋଇଥା'ନ୍ତା | ଛାଡ଼, ଫୋନ ନମ୍ବର ତ ମୋ ପାଖରେ ନାହିଁ | ଖୋଜାଖୋଜି କଲେ ମିଳିଥା'ନ୍ତା | କିନ୍ତୁ ମଧୁମିତାକୁ ଅନେକ ବର୍ଷପରେ ପୁଣି ଥରେ ଦେଖି ପକାଇବାର ବ୍ୟଗ୍ରତା ଆଉ ସମୟ ନଷ୍ଟ କରିବାକୁ ଇଚ୍ଛାନାହିଁ |

   -ଅତିକମ ସମୟ ଭିତରେ ମଧୁମିତା ଦୁଆରେ ଗାଡ଼ି ଅଟକିଗଲା | କଲିଂବେଲଟାକୁ ଟିପି ଦେବାକୁ ଯାଉ ଯାଉ ଅରୁଣ ବାବୁଙ୍କ ଆଙ୍ଗୁଳିଗୁଡ଼ାକ କେମିତି ଦୁର୍ବଳ ହେଇଯାଉଥିବାର ସେ ଅନୁଭବ କଲେ | ଦୀର୍ଘ କୋଡ଼ିଏ ବର୍ଷ ପରେ ମଧୁମିତାକୁ ଦେଖି ପକାଇଲେ, ହଠାତ କ'ଣ କହିବେ ? ସେଥିପାଇଁ ତାଙ୍କୁ ତୁରନ୍ତ ନିଷ୍ପତି ନେବାକୁ ପଡ଼ିଲା |

  ପୁଣି ସେ ନିଜ ମନକୁ ବୁଝେଇଲେ -"ଏଇଟା ତ ମୋର ସୌଜନ୍ୟ ଭେଟ | ଏଥିରେ ଏତେ ଫର୍ମାଲିଟି କ'ଣ ?"

  ଏଥର କଲିଂବେଲଟା ଠିକ ଭାବରେ ଟିପି ହେଇଗଲା | କିନ୍ତୁ କବାଟ ଖୋଲିବାରେ ବିଳମ୍ବ ତାଙ୍କୁ ଚଞ୍ଚଳ କରି ପକାଉଥାଏ |

 -ଡାକ୍ତରବାବୁ କବାଟ ଖୋଲି ସ୍ୱାଗତ ଜଣାଇଲେ | ତାଙ୍କ ନାଆଁଟା ଶୁଣି ପକାଇ ଆନନ୍ଦରେ ତାଙ୍କୁ କୁଣ୍ଢେଇ ପକାଇଲେ | ସେଥିରେ ଅତ୍ୟନ୍ତ ନିବିଡ଼ତା ଥିଲା | ଅରୁଣ ବାବୁଙ୍କ ଦେହ ପୁଲକିତହେଇ ଉଠିଲା | ଯେଉଁ କୋଳ ମଧୁମିତାକୁ ଜାବୁଡ଼ି ଧରୁଥିବ, ଆଜି ସେଇ ଛାତିରେ ଜାବୁଡ଼ିହେଇ ରହି ଯାଇଛି- ଅରୁଣ ବାବୁଙ୍କ ସମ୍ପୂର୍ଣ୍ଣ ଶରୀର | ଓଃ ! କି ଶିହରଣ !

  ସେ ଭାବୁଥିଲେ-“କଥାଟା କେଉଁଠୁ କିଏ ଆରମ୍ଭ କରିବ ? ଡାକ୍ତରବାବୁ କ'ଣ ମୋ ବିଷୟରେ ମଧୁମିତା ସହିତ ମୋର ବାହାଘର ଠିକ ହୋଇଥିଲା, ଏ'କଥା ଜାଣିଥିବେ ? ଯଦି ମଧୁମିତା କହିଥିବ, ସେ କ'ଣ କହିଥିବ ଯେ, ଆମେ ଦୁହେଁ, ବାହାପାଇଁ ରାଜି ହେଇଥିଲୁ | ଏତିକି କଥା ସେ କହିଥିଲେ-କହିଥିବ | କିନ୍ତୁ ଏ’କଥା ସତ୍ୟ ଯେ, ଡାକ୍ତରବାବୁ କେବେ ବି ଜାଣି ନଥିବେ, ମୁଁ ମଧୁମିତାର ଫଟୋକୁ ଧରି ଅନେକ ମୁହୂର୍ତ୍ତ ମଧୁର ଯନ୍ତ୍ରଣା ପାଇଛି ବୋଲି |"

 -ନୀରବତା ଭଙ୍ଗକରି ଡାକ୍ତରବାବୁ କହିଲେ-"କ'ଣ ଚୁପଚାପ ବସିଗଲେ ଯେ, ମୁଁ ଆପଣଙ୍କ କଥା ସବୁ ଶୁଣିଛି ମିତାଠାରୁ | ଆପଣଙ୍କ ସହିତ ଭେଟହେଇ ମୁଁ ଆଜି ନିଜକୁ ଧନ୍ୟ ମନେ କରୁଛି |"

   ଠିକ ସେତିକିବେଳେ ଡାକ୍ତର ବାବୁଙ୍କ ମିତା, ଅରୁଣ ବାବୁଙ୍କର ମଧୁମିତା ପଶି ଆସିଲା- ଡ୍ରଇଁ ରୁମକୁ | ନମସ୍କାର ଜଣାଇ ଅତି ସାଧାରଣ ଭାବରେ ପଚାରି ଦେଲା-" ଏବେ ମାଡ଼ାମ କେମିତି ଅଛନ୍ତି ? ପିଲାମାନେ ସବୁ କ'ଣ କଲେଣି ? ଆପଣ ଏଠିକି କେବେଠୁ ଆସିଲେଣି ? ଆମ ଠିକଣା କେମିତି ପାଇଲେ ? ଏତେଦିନ ପରେ ଆମକଥା ଆପଣଙ୍କର କେମିତି ମନେ ପଡ଼ିଗଲା ?"

  -ଏତେ ଗୁଡ଼ାଏ ପ୍ରଶ୍ନ ଏକାଥରେ ଶୁଣୁଥିବା ବେଳେ ଅରୁଣ ବାବୁ ସମ୍ପୁର୍ଣ୍ଣ ଅନ୍ୟମନସ୍କ ହେଇ ଭାବୁଥିଲେ-"ମୁଁ ଯେଉଁ ଦିନ ତାକୁ ପ୍ରଥମେ ଦେଖିଥିଲି, ସେଦିନ ମଧୁମିତା ନୀଳଶାଢୀ ପିନ୍ଧିଥିଲା, ଆଜି ବି ସେହି ନୀଳଶାଢ଼ୀ | ସେହି ନାକ, ସେହି ଲାଲଓଠ, କାହିଁ ଏତେ ବର୍ଷପରେ ବି ତା'ର ଗୋଟାଏ ହେଲେ ବି ଚୂଟି ପାଚିନାହିଁ | ସେଇମିତି ତା'ର ହରିଣୀ ଆଖି ଦି'ଟା ଢଳଢଳ ହେଉଛି ଅବଶ୍ୟ ଟିକେ ମୋଟେଇ ଯାଇଛି କିନ୍ତୁ ସେଦିନର ମୋ ମଧୁମିତା, ଆଜି ଡାକ୍ତରଙ୍କ ମିତା ଭିତରେ ବିଶେଷ କିଛି ଫରକ ନାହିଁ |"

ସେତେବେଳେ ମନଟା ତାଙ୍କର ଛନଛନ ହେଇଗଲା | ମିତା ମୋର ସୁଖରେ ଅଛି, ସ୍ୱାସ୍ଥ୍ୟ ପ୍ରତି ଉପଯୁକ୍ତ ଯତ୍ନ ବି ନେଇ ପାରୁଛି ଅନୁମାନ କରିନେଇ ସେ ଭାରି ଖୁସି ହେଇଥିଲେ | ସେତେବେଳେ ମଧୁମିତା ପ୍ରଶ୍ନର ଉତ୍ତର କ'ଣ ଦେଲେ କି ନାହିଁ, ଆଉ ତାଙ୍କର ମନେନାହିଁ | ସେଦିନ ସୁଖଦ ବିଦାୟ ନେଇ ଅରୁଣ ନିଜ ଅଫିସକୁ ଫେରି ଆସିଥିଲେ |

  ଆଉ ଥରେ ମିତାର ଫୋନକଲ ପାଇ ଅରୁଣ ବାବୁ ତାଙ୍କ ଘରକୁ ଗଲେ | ଦୂରରୁ ସେ ଦେଖିଲେ, ସେଦିନର ପରିବେଶ ଥିଲା ଭିନ୍ନ | ଗୋଲାପୀ ଶାଢ଼ୀ ଖଣ୍ଡିଏ ପିନ୍ଧି ଏକୁଟିଆ ମଧୁମିତା ମୋତେ ଅପେକ୍ଷା କରି ଲନରେ ଏପଟ ସେପଟ ହେଉଛି | ଚେୟାର ଦୁଇଟା ଆଉ ଟି'ପଏ ଖଣ୍ଡେ ଲନ ମଝିରେ ପଡ଼ିଛି | ଟିକେ ଦୂରରେ ଚାକରାଣୀ ଝିଅଟା ବଗିଚାରେ ପାଣି ଦେଉଛି | ଅରୁଣ ବାବୁଙ୍କୁ ଦେଖି ପକେଇ ଦୂରରୁ ମଧୁମିତା ନମସ୍କାର ଜଣାଇଲା | ବସିବାକୁ ଚେୟାର ଦେଖାଇଦେଲା | ଅରୁଣ ବାବୁ ପଚାରିଦେଲେ- 'ଡାକ୍ତରବାବୁ ?' 

   -"ସେ ଦିଲ୍ଲୀକୁ ଟୁରରେ ଯାଇଛନ୍ତି, ଆପଣ ବସନ୍ତୁ | ମୁଁ ଆଜି ଚା'କପେ ନିଜ ହାତରେ ତିଆରି କରି ନେଇଆସେ | ଗୋଟାଏ ଜରୁରୀ କାମ ଅଛି ଆପଣଙ୍କ ପାଖରେ |"

  ମଧୁମିତା ଘର ଭିତରକୁ ଚାଲି ଯାଉଥିଲା | ପଛରୁ ତାକୁ ଅରୁଣ ବାବୁ ଚାହିଁ ରହି ଆନନ୍ଦ ଉପଭାଗ କରୁଥିଲେ | ତାଙ୍କୁ ଲାଗୁଥିଲା-ସତେ ଯେମିତି ଗୋଲାପୀ ଶାଢ଼ୀ ପିନ୍ଧି ସ୍ୱର୍ଗର ପରୀଟିଏ ନାଚିନାଚି ଚାଲିଯାଉଛି |

    -"ଛି ! ଏବେ ପରା ସେ ଅନ୍ୟର ସ୍ତ୍ରୀହେଇ ସାରିଲାଣି | ତା'ରୂପ-ଯୌବନ ପ୍ରତି ମୋର ଦୃଷ୍ଟି ପକାଇବା ଉଚିତ ନୁହେଁ |ଏଥିରୁ ବା ଲାଭ କ'ଣ ମିଳିବ ?" ନିଜ ମନକୁ ସେ ସାନ୍ତ୍ୱନା ଦେଲେ |

  ଲନରେ ପଡ଼ିଥିବା ଚୌକିରେ ବସି ସେ ଭବୁଥିଲେ-" ମଧୁମିତାର ପୁଣି କି କାମ ମୋ ପାଖରେ ଥାଇପାରେ ? ସିଏ ତ ଯୋଗ୍ୟବର ପାଇଛି | ସେ ଚାହିଁଲେ, ରାଉରକେଲାର କେଉଁ କାମଟା କରି ନ ପାରିବେ ଯେ, ମଧୁମିତା ପୁଣି ମୋର ସାହାଯ୍ୟ ଆଶା କରୁଛି | ହେଇପାରେ, କାରଖାନାରେ ତା'ର କୌଣସି ସମ୍ପର୍କୀୟର ଚାକିରୀ ପାଇଁ ମୋ ମାଧ୍ୟମରେ ପ୍ରେସର ପକାଇପାରେ | କିମ୍ବା ତା' ବରର ଟ୍ରାନ୍ସଫର ପାଇଁ କାହାକୁ ଟିକେ ଅନୁରୋଧ କରିବାକୁ କହିପାରେ | କିମ୍ବା ତା 'ଝିଅର ବାହାଘର ପାଇଁ ପୁଅଟିଏ ଦେଖିବାକୁ ବି ଆଗତୁରା କହିପାରେ | ସେ ନିଶ୍ଚୟ ଶୁଣିଥିବ, ମୋ ପୁଅଟି କଲେଜରେ ପଢୁଛି | ତା'ଝିଅ ପାଇଁ ପ୍ରସ୍ତାବ ବି ଦେଇପାରେ |"

  -ମଧୁମିତା ଆସିଯିବାରୁ ତାଙ୍କ ଚିନ୍ତାର ଖିଅ ଛିଡ଼ିଗଲା | ଚା' କପଟିକୁ ଟ୍ରେରୁ ଆଣି ମୋ ହାତକୁ ବଢ଼େଇ ଦେଇ ମଧୁମିତା ବସି ପଡ଼ିଲା-ତାଙ୍କ ପାଖରେ ପଡ଼ିଥିବା ଚେୟାର ଉପରେ |

  -ଅରୁଣ ବାବୁ ଅଳ୍ପଟିକେ ମୁରୁକି ହସିଦେଇ ମଧୁମିତା ମୁହଁକୁ ଚାହିଁ ରହିଲେ | ସେ ବି ଲାଜୁଆ ଆଖିରେ ମିଠା ହସଟିଏ ଉପହାର ଦେଲା |

 ଚା' କପଟିକୁ ଚୁମିଦେଇ ଅରୁଣ ବାବୁ ପଚାରି ଦେଲେ-"ଆଉ କେମିତି ?"

  -"ଆପଣଙ୍କ କଥା କୁହନ୍ତୁ ନା !" ମଧୁମିତା କହିଲା |

 -"ପିଲାମାନେ କ'ଣ କରୁଛନ୍ତି ?" ଅରୁଣ ବାବୁ ସ୍ୱାଭାବିକ ଢଙ୍ଗରେ ପଚାରିଦେଲେ |

 ଫିକା ପଡ଼ିଗଲା ମଧୁମିତାର ମୁହଁ | ତଳକୁ ଚାହିଁ କିଛି ସମୟ ସେ ନିରବ ରହିଗଲା |

  -"ତେବେ କ'ଣ ?--- ଆଚ୍ଛା, ମୁଁ ତମ ମନରେ ଆଘାତ ଦେବାକୁ ଚାହୁଁନାହିଁ | ଯଦି ଉଚିତ ମନେ ନ କରୁଛ, ତେବେ କହିବା ଦରକାର ନାହିଁ |

  -ହଁ, ମୁଁ ଯାହା ଦେଖୁଛି, ତୁମେ ତ ଖୁବ ମଜାରେ ଅଛ, ଡାକ୍ତର ବର, ପଇସାର ଅଭାବ ନାହିଁ | ଘରେ ଚାକର ଵାକର | ସବୁଯାକ ସୁଖ ତ ତୁମ ହାତ ପାହାନ୍ତାରେ | ତୁମେ ହିଁ ଏ' ଜଂଜାଳ ପୂର୍ଣ୍ଣ ସଂସାରରେ ପ୍ରକୃତ ସୁଖୀ ମଣିଷ | ମୋତେ ତମେ ପାଇଥିଲେ କିନ୍ତୁ ତମେ ଏତେ ସୁଖରେ ରହିପାରି ନଥା'ନ୍ତ, କଦାପି ନୁହେଁ |

  -"ମୋ ସ୍ତ୍ରୀ ସନ୍ଧ୍ୟାକୁ ଦେଖିଲେ, ତମେ ସେ କଥା ଜାଣି ପାରିବ | ତିନି ତିନିଟା ପିଲାଙ୍କ କାମରେ ଖଟି ଖଟି ସେ ଏବେ ବୁଢ଼ୀପରି ଦିଶିଲାଣି |" 

   -"ଆପଣ କେଉଁ ସୁଖକଥା କହୁଛନ୍ତି ? ପ୍ରକୃତ ସୁଖ ତ ଥାଏ, ସନ୍ଧ୍ୟା ମ୍ୟାଡ଼ାମଙ୍କ ପରି ବୁ ଜକେଇ ଆସୁଥିଲା | ଅରୁଣ ବାବୁଙ୍କର ଇଚ୍ଛା ହେଉଥିଲା- ତାକୁ ପାଖକୁ ଆଉଜେଇ ଆଣି ତା'ଆଖି ଲୁହକୁ ପୋଛି ଦିଅନ୍ତି, କିନ୍ତୁ ଅସମ୍ଭବ | ବର୍ତ୍ତମାନ କେବଳ ଡାକ୍ତରବାବୁଙ୍କର ସେ ଅଧିକାର ଅଛି |

  -କିଛି ସମୟ ପାଇଁ ଦୁହେଁ ନିରବ ରହିଗଲେ | ଅରୁଣ ବାବୁ ଅନୁଭବ କରୁଥିଲେ-ମଧୁମିତା କିଛି ଗୋଟାଏ କହିବାକୁ ଚେଷ୍ଟା କରୁଛି, କିନ୍ତୁ କହିପାରୁନାହିଁ | 

 ସେ ପଚାରିଦେଲେ-"ତମର ଏମିତି କ'ଣ ଅସୁବିଧା ଅଛି ଯେ, ସେଇଟା ଦୂରକରି ହେଉନାହିଁ ?"

  "ସବୁ ପ୍ରକାର ଚେଷ୍ଟା ପରୀକ୍ଷା ସରିଛି | ମୋର କିନ୍ତୁ କୌଣସି ପ୍ରୋବ୍ଲେମ ନାହିଁ | ସବୁ ଅସୁବିଧା ଡାକ୍ତରବାବୁଙ୍କ ପାଖରେ |"

 -"ତେବେ ?"

  -"ଡାକ୍ତରଙ୍କ ଜାଗାରେ ତମେ ଯଦି ଥା'ନ୍ତ, ଏତେବେଳକୁ ତୁମର ପୁଅ ସାଙ୍ଗରେ ମୋ ପୁଅ ବି କଲେଜରେ ପଢ଼ୁଥା'ନ୍ତା |"


  ମଧୁମିତାର ଅନ୍ତର୍ଭେଦୀ ବାଣ ଅରୁଣ ବାବୁଙ୍କ ହୃଦୟରେ ଟପକରି ଗଳିଗଲା |

ଦେହରୁ ଝାଳ ବାହାରି ପଡ଼ିଲା | ଚା' କପଟା ତାଙ୍କ ହାତରୁ ତଳେ ଖସି ପଡୁପଡୁ ଟି'ପଏ ଉପରେ ଢାଳିହେଇ ପଡ଼ିଲା | ଗଳାଟା ତାଙ୍କର ଶୁଖି ଯାଉଥିଲା, ସେ ଅନୁଭବ କଲେ- ହାର୍ଟ ଆଟାକର ଲକ୍ଷଣ | ତାଙ୍କ ପାଟିରୁ ବାହାରି ପଡ଼ିଲା-"ମୋତେ ପାଣି ଗ୍ଲାସେ ଦରକାର |"


  


Rate this content
Log in

Similar oriya story from Romance