ଚିଠିରେ ଚିଠିରେ
ଚିଠିରେ ଚିଠିରେ
ଦଶମ ଶ୍ରେଣୀ ପଢିବା ସମୟରେ ପଛ ବେଞ୍ଚରେ ଗୋଲାପ ଫୁଲ ଖୋସି,ଶସ୍ତା ପାଉଡର ମାଖି ପଛ ବେଞ୍ଚରେ ବସୁଥିଲା ଲଳିତା। ଗୋଟିଏ ସାହିର ଝିଅ।
ହଠାତ୍ କେମିତି ଏକ ଅଜଣା ଆକର୍ଷଣରେ ଆକର୍ଷିତ ହୋଇଗଲୁ ଦୁହେଁ। ବିଦ୍ୟାଳୟ ପଢା ଆରମ୍ଭରୁ ଶେଷ ଯାଏଁ ଅପଲକ ନୟନରେ ଦେଖିବାକୁ ଲାଗିଲୁ ଦୁହେଁ ଦୁହିଁଙ୍କୁ। ହଠାତ୍ ଦିନେ ଇତିହାସ ପଢଉଥିବା ପାଳ ସାର୍ ପଚାରିଥିଲେ ମୋଗଲ ସାମ୍ରାଜ୍ୟର ଶେଷ ସମ୍ରାଟ୍ କିଏ? ତମେ ଧଡ଼ କରି କହି ଉଠିଲ ସିଦ୍ଧାର୍ଥ..!
ହାସ୍ୟରୋଳରେ ଫାଟି ପଡିଲା ବିଦ୍ୟାଳୟର ଚାରିକାନ୍ଥ। ଲାଗୁଥିଲା ସତେ ଯେମିତି ବ୍ୟଙ୍ଗକବି ଜ୍ଞାନ ହୋତାଙ୍କ ବ୍ୟଙ୍ଗ କବିତାରେ ଦର୍ଶକ ହସି ଉଠୁଛନ୍ତି।ଲାଜରେ ତମର ପାଉଡର ଲଗା ଗୋରା ମୁହଁଟା ଅଙ୍ଗାର ପରି କଳା ପଡିଯାଇଥିଲା।ଦେଶଦ୍ରୋହୀ ଅପରାଧି ପରି ମୁଣ୍ଡପୋତି ବିଦ୍ୟାଳୟର ଫଟା ଚଟାଣରେ ଅଧଛଡା ନେଲପଲିସ ନଖରେ ତମେ ଗାର କାଟୁଥିଲ ।
ବିଦ୍ୟାଳୟର ପିରିଅଡ ସମାପ୍ତିର ଘଣ୍ଟା ବାଜିସାରିଥିଲା,ଆଉ ପାଳସାର କ୍ଳାସରୁମରୁ ବିଦାୟ ନେଲାବେଳେ ତୁମକୁ ଥରେ ଓ ମତେ ଥରେ ଅନେଇ ଅନେଇ ଆଗକୁ ବଢୁଥିଲେ। ତାପରଦିନ ବିଦ୍ୟାଳୟର ଚୁନଛଡା କାନ୍ଥରେ ତୁମର ଓ ମୋର ନାମର ଅଶ୍ଳୀଳ ଚିତ୍ର ! ଲାଗୁଥିଲା କୋଣାର୍କ ମନ୍ଦୀରର ଖୋଦିତ ଚାରୁଚିତ୍ରକଳା।
ଲଳିତା.....!
ପ୍ରେମ କେଉଁଠି, କେଉଁ ପରିସ୍ଥିତିରେ,କାହା ସହ, କେମିତି ହୋଇଯାଏ କହିବା ମୁସ୍କିଲ। ଠିକ୍ ଯେମିତି ତମେ ଓ ମୁଁ। ଏତେ ନିନ୍ଦା ଅପବାଦକୁ ଖାତିରି ନକରି ଆଗେଇ ଆସିଥିଲେ ଦୁହେଁ।ଆଜିବି ବିଦ୍ୟାଳୟର ଝାଉଁ ବଣର କୌଣସି ନା କୈାଣସି ବୃକ୍ଷ ଆମର ପ୍ରେମର ଗାଥା ନିଶ୍ଚୟ ତା ବିଶାଳ ଶରୀର ଭିତରେ ଲୁକ୍କାୟିତ କରି ରଖିଥିବ।
ଆଜିକାଲି ପ୍ରେମର ପ୍ରାରମ୍ଭ ଶାରିରୀକ ମିଳନରୁ ଓ ପରିସମାପ୍ତି ତୃଷ୍ଣା ମେଣ୍ଟିଯିବା ପରେ। କିନ୍ତୁ ଆମ ପ୍ରେମର ପ୍ରାରମ୍ଭ ଓ ଶେଷ ଥିଲା ଅନାବିଳ,ଅନାସକ୍ତ ପ୍ରେମରେ।
ପ୍ରେମ ଅମର।ପ୍ରଥମ ପ୍ରେମ ଭୁଲି ହୁଏନା।ଆମେ ବି ଭୁଲି ନଥିଲେ କିଛି ବି। କିନ୍ତୁ ଆମ ପ୍ରେମ ଥିଲା ବାଳୁତ। ତା'ର ପକ୍ଷୀ ଲାଗି ମନପବନ ଘୋଡାରେ ଡେଣା ମେଲି ଉଡ଼ି ଯିବା ଆଗରୁ ବାପାଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିଲା।
ମନେ ଅଛି ଲଳିତା ,ସେଦିନର ତମର ମୁଖ ମଣ୍ଡଳ।ଆମେ ବସ୍ ଚଢିଲା ବେଳେ ଅପଲକ ଅଶ୍ରୁଭରା ନୟନରେ ବିଦାୟ ଦେଇଥିଲ ତମେ।ସେହି ଶସ୍ତା ପାଉଡରର ଲେପ ଆଖିର ଲୁହରେ ଦୁଇଭାଗ ହୋଇଯାଇଥିଲା ଠିକ୍ ଯେମିତି ଗ୍ରୀଷ୍ମ ଋତୁରେ କାଠଯୋଡ଼ି ନଈପଠା,ଦୁଇପଟେ ଜଳରାଶୀ ମଧ୍ୟ ଭାଗରେ ସୁଉଚ୍ଚ ବାଲୁକା ସ୍ତୁପ।
ତମେ ବିରହ ବେଦନାରେ ଝୁରି ଝୁରି କଣ୍ଟା ହୋଇଯାଇନଥିଲ କି ମୁଁ ବିରହ ବେଦନାରେ ଆତ୍ମହତ୍ୟା କରି ଦେଇନଥିଲି କାରଣ ଆମେ ପ୍ରେମର ସଜ୍ଞା ବାହାରକୁ ଲମ୍ଫ ପ୍ରଦାନ କରିନଥିଲେ।ନା ତମେ ବନିଥିଲ ଦୋଚାରୁଣୀ ନା ମୁଁ ବନିଥିଲି କାମୁକ ପ୍ରେମିକ।
ଆମ ପ୍ରେମ ପରା ଥିଲା ବାଳୁତ ପ୍ରେମ !!
ଦିନେ ତମେ ଥିଲ ମୋ ମନର ଦିଗନ୍ତ ବ୍ୟାପୀ ନୀଳିମା ଆକାଶର ହିରାଝଲମଲ ସ୍ଥିର ବିଦ୍ୟୁତ୍। ବସରେ ଚଢ଼ିଲା ବେଳେ ତୁମେ ମୋତେ ଓ ମୁଁ ତୁମକୁ ଅପଲକ ନୟନରେ ଅନେଇ ରହିଥିଲେ।କାରଣ ପ୍ରେମର ପୂର୍ଣ୍ଣଚ୍ଛେଦ ପଡ଼ିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।
ବିଶ୍ୱାସ କର ଲଳିତା,ତମ ପାଖରୁ ବିଦାୟ ନେଲା ପରେ, କୌଣସି ଦିନ ମୁଁ ଆଉ ଚାହିଁ ନାହିଁ, କିମ୍ବା ବଜାରୀବୁଢା ନାଟକରେ ନିଜ ସ୍ତ୍ରୀ କୁ ପର ହାତରେ ଟେକିଦେଇ ଆଖିରୁ ଲୁହ ଝରାଇ ନିର୍ବୋଧ ତ୍ୟାଗୀ ଚରିତ୍ରରେ ରହି ଜୀବନନାଟକର ଯବନିକାର ଅନ୍ତ କରିବାକୁ କେବେ ବି ଭାବି ନାହିଁ।
ଆମ ପ୍ରେମ ଥିଲା ବାଳୁତ ପ୍ରେମ।ତଥାପି, ତମକୁ ଦେଖା କରିବାକୁ ଭୟ,କାରଣ ପ୍ରେମର ଏତେ ବର୍ଷପରେ ସେହି ଅନାବିଳ ପ୍ରେମର ପରିଧି ଡେଇଁ ନିଶ୍ଚୟ ଆଶକ୍ତ ପ୍ରେମ ଆଡ଼କୁ ମନ ଚାଲିଯିବ।ତମର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ଉପରେ ମୋର ଅଶ୍ଳିଳ ଚକ୍ଷୁ ଘୁରିଆସିବ।।ତାହା ଆମର ବାଳୁତ ପ୍ରେମର ଘୋର ଅପମାନ ହେବ।
ତମେ ବି ବୋଧେ ଠିକ୍ ସେୟା ଭାବି ମୋତେ......!
ଆଜି ସସ୍ତ୍ରୀକ ନନ୍ଦନକାନନ ଘୁରି ବୁଲୁଥିଲି।ସ୍ତ୍ରୀ ମୋର ସିମ୍ପାଞ୍ଜି ଦେଖି ଫୋଟ ଉଠାଇବାସମୟରେ ମୁଁ ଲକ୍ଷ୍ୟ କଲି ଅନତି ଦୂରରେ ପ୍ରବଳ ଭିଡ଼।କୌତୁହଳ ସମ୍ୱରଣ କରିନପାରି ଠେଲିପେଲି ଭିଡ଼ ଭିତରେ ପଶି ଦେଖିଲି ପ୍ରଖ୍ୟାତ ଲେଖିକା ଶ୍ୟାମାମଣୀଙ୍କୁ ଦେଖିବା ପାଇଁ ପାଠକଙ୍କ ଭିଡ଼। କିଛି ସମୟ ପରେ ମୁଁ ଥକ୍କି ସିମେଣ୍ଟ ବେଞ୍ଚ ଉପରେ ବସିଥିବା ସମୟରେ ଛୁଆଟିଏ ଚିଠିଟିଏ ବଢେଇଦେଲା ଓ କହିଲା ମ୍ୟାଡମ ଦେଇ ଚାଲିଗଲେ।
ସନ୍ତର୍ପଣରେ ଚିଠିଟି ଖୋଲି ପଢିବାକୁ ଲାଗିଲି ମୁଁ....
ଲେଖାଥିଲା,ମୋ ଦୂରଦେଶର ବନ୍ଧୁ ସିଦ୍ଧାର୍ଥ....!
ମୋ ମନଅଗଣାରେ ପ୍ରେମର ଦୀପ ଜଳାଇ, ପ୍ରେମର ପରିଭାଷା ବିଷୟରେ ଜ୍ଞାନ ଦେଇଥିବା ବାଳୁତ ପ୍ରେମିକ....!
ଏତେ ବର୍ଷପରେ ହଠାତ୍ ଦେଖା। ମନେ ପଡିଗଲା ଦଶମ ଶ୍ରେଣୀର ପ୍ରେମ।ଜୀବନର କୈାଣସି ଏକ ଫୁଲ ଫୁଟିବା ର ମୁହୂର୍ତ୍ତରେ କେଉଁ ଏକ ପୁଅ ଓ ଝିଅର ଦେଖା ହୋଇଥିଲା, ଉଭୟେ ନିୟତିର ଅଦ୍ରୁଶ୍ୟ ଇଙ୍ଗିତରେ ପରସ୍ପରର ନିକଟବର୍ତ୍ତୀ ହୋଇଥିଲେ ଏବଂ ପରେ କୈାଣସି ନା କୈାଣସି କାରଣରୁ ବାଟ ଭାଙ୍ଗି ଅଲଗା ରାସ୍ତାରେ ଚାଲିଗଲେ; ସେଇଟା ଏ ବିରାଟ ପ୍ରୁଥିବୀ,କାଳ ସ୍ରୋତରେ ଏହା ଗୋଟିଏ ବଡ଼ କଥା ନୁହଁ ।
ସମାଜର ସବୁ ନିୟମ ମଣିଷ ନିଜେ ଗଢିଛି;ନିଜେ ମଧ୍ୟ ଭାଙ୍ଗୁଛି।ତମେ ଯେମିତି ବାଳୁତ ପ୍ରେମ କହି ନିଜକୁ ନିଜେ ଠକି ଚାଲିଛ ଜୀବନ ସାରା।ହେଲେ ମୁଁ ?? ଆଜି ଦୂରରୁ ଦେଖୁଥିଲି ତୁମେ ସ୍ୱାମୀ ସ୍ତ୍ରୀ ହାତଧରି ଏଇ ନନ୍ଦନକାନନରେ ଘୁରିବୁଲୁଥିଲ,ହେଲେ ସେ ବନ୍ଧନରେ ନଥିଲା ଆତ୍ମିୟତା। ସମାଜର ନୀତି ନିୟମ ଭଙ୍ଗା ଗଢାର ଖେଳ ଭିତରେ ରୂପ ବଦଳାଇ ଚାଲିଛି ମଣିଷର ସସ୍କ୍ରୁତି ଆଉ ସଭ୍ୟତା। ମୁଁ ଚାହିଁଥିଲି ଜୀବନରେ ତୁମେ ସୁଖୀ ହୁଅ। ଦୁଃଖ ତୁମକୁ ଶୋଭା ପାଏନା।
ସିଦ୍ଧାର୍ଥ......
ଆମର ଖେଳଘର ଭାଙ୍ଗିଗଲା। ବାଳୁତ ପ୍ରେମ ସରିଗଲା।ଚିଠି ସବୁ ଚିରିଗଲା।ଆରମ୍ଭ ହେଲା ଦୁଇଟି ହ୍ରୁଦୟରୁ ନିଃଶବ୍ଦ ରକ୍ତ କ୍ଷରଣ।ସେ ରକ୍ତର ରଙ୍ଗ ଲାଲ ନୁହେଁ କଳା।ସେଇ ଥୋପ ଥୋପ କଳା ରକ୍ତରେ ଭିଜି ଯାଇଛି ଦଶମ ଶ୍ରେଣୀ, ଝାଉଁ ବଣ ଓ ହାତଲେଖା ଚିଠି ସବୁ।
ଆମେ ଦୁହେଁ ଦୁଇଟି ଅଲଗା ରାସ୍ତାରେ ଚାଲିଗଲେ; ଯେଉଁ ରାସ୍ତା କେବେ କେଉଁଠି ମିଶିବାର ସମ୍ଭାବନା ନଥିଲା।ଆଜି ମୁଁ ପ୍ରତିଷ୍ଠିତ, ପ୍ରଖ୍ୟାତ। କିନ୍ତୁ ତଥାପି କାହିଁକି ସେଇ ବାଳୁତ ପ୍ରେମର କଳା ରଙ୍ଗର ସ୍ମୃତି ମୋ ମନର ସବୁଜ ବନସ୍ପତିରେ ଜାବୁଡ଼ି ଧରି ଜୀବନସାରା ଝୁଲି ରହିଲା।
ଦୂରରୁ ସ୍ତ୍ରୀଙ୍କର ହାଇହିଲ ଚପଲର ଠକ୍ ଠକ୍ ଶବ୍ଦ ଶୁଣି ତାଳିପକା ସଂସାର ଭାଙ୍ଗିଯିବା ଭୟରେ ଚିଠିଟିକୁ ଟିକ ଟିକ କରି ଚିରିଦେଉ ଦେଉ ସ୍ତ୍ରୀ ଅନୁଗାମୀ ହେଲା ବେଳେ ନନ୍ଦନକାନନ କଡ଼ରେ ସ୍ଥାଣୁବତ ରହିଥିଲେ ବି ମତେ ଲାଗୁଥିଲା ଅଟ୍ଟହାସ୍ୟ କରୁଛନ୍ତି ସେଇ ନିସ୍ତବ୍ଧ ରାସ୍ତାର ଚୈ।କି ଗୁଡ଼ାକ,ଆଉ ମୁଁ ଆଜ୍ଞାବହ କାପୁରୁଷ ପରି ସ୍ତ୍ରୀ ଅନୁଗାମୀ ହେଲା ବେଳେ ଭାବୁଥିଲି, ଅସହାୟ କିଏ??
ମୁଁ ନା ଏହି ନିସ୍ତବ୍ଧ ରାସ୍ତାର
ଚୈ।କିଗୁଡାକ !

