ଅରୁନ୍ଧତୀ ଜେନା

Romance Inspirational Others

4.0  

ଅରୁନ୍ଧତୀ ଜେନା

Romance Inspirational Others

ଚାଆ କପ୍ ରେ ପ୍ରେମର ଉଷ୍ଣତା

ଚାଆ କପ୍ ରେ ପ୍ରେମର ଉଷ୍ଣତା

6 mins
201


ମାଘ ମାସର ସେ ହାଡ଼ ଭଙ୍ଗା ଶୀତ। ରାତି ୯ ଟା ବି ବେଶୀ ରାତି ପରି ଅନୁଭୂତ ହୁଏ। ମୌସୁମୀ ସବୁଦିନ ପରି ଅଫିସ ରୁ ବାହାରି ଗାଡି ପାଇଁ ଅପେକ୍ଷା କରିଲା। ପଟିଆ ଇନଫୋସିଟି ରୋଡ୍ ରେ ଠିଆ ହୋଇଥାଏ। ହେଲେ ଏ କ'ଣ ୨୦ ମିନିଟ ଅପେକ୍ଷା କଲାଣି। ଗାଡିଟିଏ ବି ଦେଖାଯାଉନି। ତା'ର ନୂଆ ଟ୍ରାନ୍ସଫର୍। ଏହା ପୂର୍ବରୁ ସେ ହାଇଦ୍ରାବାଦ ରେ ରହୁଥିଲା। ଭୁବନେଶ୍ୱର ତା ପାଇଁ ଅଜଣା ସହର। 


           ସୁଦୂର ଫୁଲବାଣୀରେ ତା'ର ଘର।ସବୁଜ ବନାନୀରେ ପରିବେଷ୍ଟିତ ତା'ର ଘର ଚତୁର୍ପାର୍ଶ୍ୱ। ସୁନ୍ଦର ସୁନ୍ଦର ଫୁଲ ଆଉ ସୁଆଦିଆ ଫଳରେ ତା'ର ବଗିଚା ଭର୍ତ୍ତି। ଶୀତଦିନେ ନିଜ ଜାଗାକୁ ସେ ଭାରି ଝୁରି ହୁଏ। ଶୀତର ଆଗମନରେ ନିଜ ରୋଷେଇ ଘରୁ ମା' ହାତ ତିଆରି ଚା'ର ବାସ୍ନା ଆଉ ତା'ର ସେହି ଅଳସୀ କନ୍ୟା ପରି ବଗିଚାରେ ପଡିଥିବା ସେ ବେତ ଖଟରେ କଅଁଳ ସୂର୍ଯ୍ୟ କିରଣର ମଜା ନେବା......... ଆଜି କାହିଁକି ସବୁକିଛି ଭାରି ମନେପଡୁଛି। ବାପା, ମା' ଆଉ ତା'ର ଦୁଇ ଭଉଣୀମାନଙ୍କୁ ନେଇ ତା'ର ସେ ସୁଖୀ ପରିବାର। ବାପା ସରକାରୀ ଅଫିସରେ କିରାଣୀ ଚାକିରି କରିଛନ୍ତି। ଝିଅ ମାନଙ୍କ ଭିତରେ ସବୁଠୁ ବଡ ସିଏ। ଇଂଜିନିୟରିଂ କରି ଚାକିରି କରିଛି। ଶରୀର ସିନା ଏଠି ହେଲେ ମନ ଯାଇ ତା'ର ଫୁଲବାଣୀରେ। 


          ଭାବୁଛି ଭୁବନେଶ୍ୱର ତା'ର ମନ ଜିଣିବାରେ ପରାଜିତ ହେବ ନିଶ୍ଚିତ ଭାବେ। ଏଠାର ରୁକ୍ଷତା ସେ କେବଳ ପରିବେଶରୁ ଅନୁଭବ କରିନି, ତା ସହ ସେ ଏଠାର ମଣିଷ ମାନଙ୍କର ବ୍ୟବହାରରୁ ମଧ୍ଯ ଅନୁଭବ କରିଛି। ଆସିବା ଦିନଠାରୁ ସେ ଏଠିକାର ଲୋକମାନଙ୍କର ମତଲବୀ ହେବା ଗନ୍ଧକୁ ବି ଆଘ୍ରାଣ କରିସାରିଛି। ଏତେ ସବୁ ଭାବୁ ଭାବୁ ଗାଡିର ହର୍ଣ୍ଣରେ ସେ ଚମକି ପଡିଛି। ଗାଡିରୁ ଯୁବକ ଜଣକ କହୁଛି କୁଆଡେ ଯିବେକି?ରାତି ୧୦ ଟା ବାଜିଲାଣି। ରାସ୍ତା ପୁରା ଶୂନଶାନ।କେହି କୁଆଡେ ଦେଖାଯାଉ ନାହାଁନ୍ତି। ମୌସୁମୀ ଭାବୁଛି ୧ ଘଣ୍ଟା ହେଲାଣି ସେ ଠିଆ ହେଇଛି, ଅତୀତର ବେଳାଭୂମିରେ ଚାଲୁଚାଲୁ ତାକୁ ସମୟ ଜଣାପଡିନି ବୋଧହୁଏ। ଭାବୁଛି ଅଜଣା ପିଲା ସହ ଯିବି କେମିତି? ତା' ଆଖି ର ସେହି ଭୟ କୁ ଦେଖି ବାଇକ୍ ବାଲା ହେଲମେଟ କାଢି କହିଲା ମୁଁ ତୁମ କମ୍ପାନୀର ପଛପଟ କମ୍ପାନୀରେ କାମ କରେ। ମୋ ନାଁ ହିମାଂଶୁ। ମୋ ଘର ବାଣୀ ବିହାର। ଡର ନାହିଁ। ମୁଁ ତୁମକୁ ନେଇ ଛାଡି ଦେବି। 


         ମୌସୁମୀ ଡରିଡରି ବାଇକ୍ ପଛପଟେ ବସିଲା।ହାଡ ଭଙ୍ଗା ଶୀତରେ ବି ତା' ଶରୀର ଝାଳ ରେ ଓଦା ହୋଇସାରିଥିଲା। ଭଗବାନଙ୍କୁ ଡାକୁଥାଏ ତା'ର ରକ୍ଷା ପାଇଁ। ଧିରେ କିନା କହିଲା ଆଚାର୍ଯ୍ୟ ବିହାରରେ ଓହ୍ଲେଇବା ପାଇଁ। ହିମାଂଶୁ ନେଇ ତାକୁ ପୁରା ତା' ଫ୍ଲାଟ ପାଖେ ଛାଡିକି ଆସିଲା। ମୌସୁମୀ ଗାଡି ରୁ ଓହ୍ଲାଇ ଧନ୍ଯବାଦ ଜଣାଇ ଚାଲିଗଲା। 


         ରାତିସାରା ତାକୁ ନିଦ ହେଉନଥାଏ।ସେ ଏତେ ଡରିଯାଇଥିଲା ଯେ ରାତିସାରା ସେ ଖାଲି ସେସବୁକୁ ସ୍ୱପ୍ନରେ ଦେଖି ଉଠିକି ବସିଲା। ତା'ର ପରେ ଭାବିଲା ସେ ହିମାଂଶୁ ତା'ର ଏତେ ବଡ ଉପକାର କଲା, ହେଲେ ବଦଳରେ ସେ ଖାଲି ତାକୁ ଧନ୍ଯବାଦଟେ ଦେଇ ଚାଲିଆସିଲା,ଟିକିଏ ହସିଲାନିବି। ଭାବୁଛି ସେ ହସିଥା'ନ୍ତା କିପରି? ଭୟରେ ତ ତା'ର ପିଳେହି ପାଣି ହେଇଯାଉଥିଲା। 


       ତା'ର ପରେ କିଛି ଦିନ ପରେ ପୁଣି ସେହି ପୂର୍ବ ସ୍ଥାନରେ ମୌସୁମୀ ଅପେକ୍ଷା କରିଥିବା ସମୟରେ ହିମାଂଶୁ ଆସି ପହଞ୍ଚିଲା ଆଉ ମୌସୁମୀକୁ କହିଲା ଚିହ୍ନିପାରୁଛ? ମୌସୁମୀ କହିଲା ହିମାଂଶୁ, ମୁଁ ଠିକ୍ କହିଲିନା?ହିମାଂଶୁ କହିଲା ମୁଁ ତ ଭାବିଲି ତୁମେ ଚିହ୍ନିପାରିବନି ବୋଲି। ମୌସୁମୀ କହିଲା ତୁମର ସେଦିନର ଉପକାରକୁ କେମିତି ଭୁଲିଯିବି।ତା'ର ପରଠୁ ତୁମକୁ ଏଇଠି ବହୁତ ଖୋଜିଛି ହେଲେ ପାଇଲିନି।ହେଲେ ଆଜି ଭଗବାନଙ୍କ ଦୟା ତୁମେ ମିଳିଗଲ।ହିମାଂଶୁ କୁ ଖୋଜୁଥିବା ଶୁଣି ତାକୁ ବହୁତ ଭଲ ଲାଗୁଥିଲା ହେଲେ ସେ କହିଲା ଆଜି ଡର ଲାଗୁନିତ? ସେ ହସିକି କହିଲା ନାଁ। ସେଦିନ ତୁମେ ମୋ ପାଇଁ ପୁରା ଅଜଣା ଆଉ ଅଚିହ୍ନା ମଣିଷ ଟିଏ ଥିଲ। ରାତି ଥିବା ରୁ ମୁଁ ପୁରା ଡରିଯାଇଥିଲି। 


         ଆଜି ତୁମ ପାଖେ ସମୟ ଅଛି କି? ହିମାଂଶୁ କହିଲା କ'ଣ ପାଇଁ? ମୌସୁମୀ କହିଲା ଚା' ପିଇବାକୁ ଦେଇ ସେଦିନ ର ଧନ୍ଯବାଦ ଅର୍ପଣ କରିବି। ହିମାଂଶୁ କହିଲା ଚା' ମୋର ବହୁତ ପସନ୍ଦ। ଏଇ ଶୀତ ଦିନରେ ଖାସ୍ କରି ମୁଁ ୫ ରୁ ୬ କପ୍ ଚା' ପିଏ। ତା'ପରେ ହିମାଂଶୁ କହିଲା ଚାଲ ଆଗ ଗଳିରେ ଜଣେ ବୁଢା ମଉସା ଭଲ ଚା' ବନାନ୍ତି। ସେଇଠି ପିଇବା। ଦୁହେଁ ସେଇଠି ଯାଇ ଚା' ପିଇଲେ। ସେଦିନ ର ସେ ପ୍ରଥମ ଚା' ର ଉଷ୍ଣତା ଧିରେଧିରେ ତାଙ୍କର ବନ୍ଧୁତାର ମୂଳଦୁଆ ତିଆରି କରିବାରେ ସହାୟକ ହେଇଥିଲା। ତା'ପରେ ସେମାନଙ୍କର ବନ୍ଧୁତା ଦିନକୁ ଦିନ ଶକ୍ତ ହେବାରେ ଲାଗିଲା। 


        ହିମାଂଶୁର ଭଉଣୀ ବାହାଘର ପାଇଁ ମୌସୁମୀକୁ ହିମାଂଶୁ ନିମନ୍ତ୍ରଣ କରିଥିଲା। ମୌସୁମୀ ଅନୁରୋଧ ଭାଙ୍ଗି ନପାରି ହିମାଂଶୁ ଘରକୁ ଯାଇଥିଲା। ହିମାଂଶୁର ଘରେ ତା'ର ଭବ୍ୟ ସ୍ୱାଗତ ଦେଖି ସେଦିନ ସେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଫୁଲବାଣୀର ଅନୁଭବ ପାଇଥିଲା। ହିମାଂଶୁର ପରିବାରର ଲୋକ କେତେ ଭଲ ସେମାନେ।

 

        କଥା ଛଳରେ ଭଉଣୀ ତା'ର ପଚାରିଥିଲା କି ହିମାଂଶୁ ତାକୁ କେମିତି ଲାଗେ? ଉତ୍ତର ରେ ମୌସୁମୀ କହିଥିଲା ଭଲ ଲାଗେ ବୋଲି। ସେଦିନ ଝିଅ ବିଦା ପରେ ହିମାଂଶୁ ର ମା' କୁ ସାନ୍ତ୍ବନା ଦେବା ପାଇଁ ସେ ତାଙ୍କ ଘରେ ରହିଥିଲା। ଏଇସବୁ ଭିତରେ ହିମାଂଶୁ ର ବାପା, ମାଆ, ମୈାସୁମୀ ର ବ୍ଯବହାର କୁ ଦେଖି ବୋହୂ କରିବା ପାଇଁ ବେଶ୍ ଆଗ୍ରହୀ। 


         ମୌସୁମୀ ସେଦିନ ହିମାଂଶୁର ଘରୁ ଆସି ଅଫିସ ଗଲା। ସଂଧ୍ଯା ବେଳେ ମା' କହିଲେ ତୋତେ ଏଇ ରବିବାର ଦେଖିବାକୁ ବରପକ୍ଷ ଆସିବେ, ତୋତେ ଯେମିତି ହେଲେ ଆସିବାକୁ ପଡିବ। ମୌସୁମୀ ମା' କୁ ଯିବା ପାଇଁ ମନା କରିପାରିଲା ନାହିଁ କାରଣ ସେ ଆଗରୁ ଅନେକ ବାହାନା କରିସାରିଛି। ତା'ର ବାପା ଏସବୁ ଶୁଣିଲେ ରାଗିବେ।

       ତେଣୁ ଭାବୁଛି କ'ଣ କରିବ ସିଏ? ହିମାଂଶୁ ଆଉ ତା'ର ସଂପର୍କ ବନ୍ଧୁତା ଠୁ ଯଦିଓ ଟିକିଏ ଆଗକୁ ପହଞ୍ଚିଛି, ହେଲେ କେହି କାହାକୁ ସେ ବିଷୟରେ ଏବେ ପର୍ଯ୍ୟନ୍ତ କିଛି ହେଲେ କହିନାହାନ୍ତି। ସେ ଭାବୁଛି ସେ ପୁଅଟେ ହେଇ କିଛି କହୁନାହିଁ ତେଣୁ ତା'ର କହିବାର କିଛି ଆବଶ୍ଯକ ନାହିଁ। ଭାଗ୍ୟରେ ଲେଖା ଥିଲେ ସାଥିରୁ ଜୀବନ ସାଥି ହେବା ପାଇଁ କେହି ରୋକି ପାରିବେନି। ତା'ର ପରେ ହିମାଂଶୁକୁ ଫୋନ୍ କରି କହିଲା ସେ ଘରକୁ ଯାଉଛି କାରଣ ତାକୁ ବରପକ୍ଷ ଦେଖିବାକୁ ଆସୁଛନ୍ତି। ହିମାଂଶୁ କହିଲା ହଉ ଯାଅ। ସେ ଆଶ୍ଚର୍ଯ୍ୟ ହେଲା ହିମାଂଶୁର ଉତ୍ତର ଶୁଣି। ମନେ ମନେ ଭାବିଲା ହିମାଂଶୁର କିଛି ପ୍ରତିକ୍ରିୟା ନାହିଁ। ତେଣୁ ମନଦୁଃଖ କରି ଭାବିଲା ହିମାଂଶୁ ବୋଧହୁଏ ତାକୁ ଭଲପାଏନି।


    ମୌସୁମୀ ଘରେ ଯାଇ ପହଞ୍ଚିଲା। ପ୍ରଥମ ଥର ପାଇଁ ଭୁବନେଶ୍ୱରକୁ ସେ କାହିଁକି ଭାରି ମନେ ପକଉଥିଲା। ଭଉଣୀମାନେ ତା'ର ବ୍ଯବହାରର ପରିବର୍ତ୍ତନ ଲକ୍ଷ୍ୟ କରି ଛିଗୁଲଉଥିଲେ କାହାକୁ ଛାଡିକି ଆସିଛୁ କି ଅପା ଭୁବନେଶ୍ୱରରେ? ଭାରି ଦୁଃଖୀ ଜଣାପଡୁଛୁ। ଉପରେ ତ ମନା କରୁଛି ହେଲେ ମନ ଭିତରେ ଭାବୁଛି ଯାହାକୁ ସେ ଛାଡିକି ଆସିଛି ସେ ମଣିଷ ପାଇଁ ତା'ର ମନ ଭିତରେ ଏତେ ଭଲପାଇବା ହେଲେ ତା'ର ପ୍ରେମିକା ହେବା ପାଇଁ ବୋଧହୁଏ ଏ ଜନ୍ମରେ ଭାଗ୍ଯରେ ନାହିଁ। 


     ମା' କହିଲେ ମୌସୁମୀ ଯାଆ ମା ଶାଢୀ ପିନ୍ଧି ନେ। ସେମାନେ ଆସିବା ସମୟ ହେଲାଣି, ନାଇଟ ସୁଟ୍ ପିନ୍ଧିଛୁ। ମୌସୁମୀ ଯାଇ ହଳଦିଆ ରଙ୍ଗର ଶାଢୀ ଟିଏ ପିନ୍ଧିଲା। ବହୁତ ସୁନ୍ଦର ଦେଖାଯାଉଥିଲା ସେ। ଭାବୁଥିଲା ଏତେ ସୁନ୍ଦର ଦେଖାଯିବାର ଆବଶ୍ଯକତା ହିଁ ନାହିଁ। ଖରାପ ଦେଖାଗଲେ ସିନା ଵରପକ୍ଷ ନାଁ କରିଯିବେ।ମା' କହିଲେ ବରପକ୍ଷ ଆସିଲେଣି, ଶୋଇବା ଘରକୁ ଚାଲିଯିବା ପାଇଁ,କହିଲେ ସର୍ବତ ନେଇ ଆସିବୁ। ତା'ର ପରେ କିଛି ସମୟ ପରେ ମୌସୁମୀ କୁ କହିଲେ ମା ମୌସୁମୀ ସର୍ବତ ନେଇ ଚାଲେ ସେମାନେ ଅପେକ୍ଷା କରିଛନ୍ତି। ମୌସୁମୀ ସର୍ବତ ଟ୍ରେ ଟି ଧରି ଗଲା ସେମାନଙ୍କ ପାଖକୁ। ନମସ୍କାର ଜଣାଇଲା, ହେଲେ ତଳମୁହାଁ ହୋଇ ବସିଥାଏ। ମୁହଁ ଶୁଖି ଯାଇଛି, ମନରେ ସରସତା ନାହିଁ। ଜଣେ ଚିହ୍ନା ସ୍ୱର ତା' କାନରେ ବାଜିଲା କ'ଣ ଝିଅ ଏ ପ୍ରସ୍ତାବରେ ରାଜି ନାେହୁଁ କି ? କିଏ କହୁଛି ବୋଲି ଦେଖିବା ବେଳକୁ ହିମାଂଶୁର ବାପା, ମାଆ। ମୌସୁମୀ ସେମାନଙ୍କୁ ଦେଖି ତା'ର ଖୁସିର ସୀମା ରହିଲା ନାହିଁ। ଟିକିଏ ଲାଜେଇଗଲା ସିଏ। ତା'ର ପରେ ସେମାନଙ୍କ ସହ କଥା ହେଇ ହିମାଂଶୁକୁ ଫୋନ୍ କରିବ ବୋଲି ବଗିଚାକୁ ଗଲାବେଳକୁ ତା'ର ପ୍ରିୟ ବେତ ଖଟ ଉପରେ ହିମାଂଶୁ ଗୋଲାପ ଫୁଲ ଟିଏ ଧରି ପ୍ରପୋଜ କରିବ ବୋଲି ଅପେକ୍ଷା କରିଛି। ପଛରୁ ଭଉଣୀ ମାନେ କହିଲେ ଅପା କେମିତି ଲାଗିଲା ସରପ୍ରାଇଜ? ଉତ୍ତର ଥିଲା ଅନ୍ଏକ୍ସପେକ୍ଟେଡ୍। 


        ମୌସୁମୀ ଯାଇ ହିମାଂଶୁକୁ କୁଣ୍ଢେଇ ପକେଇଲା। ହିମାଂଶୁ କହିଲା ତା ହେଲେ ତୁମେ ରାଜି? ମୌସୁମୀ କହିଲା ମୁଁ ରାଗିଛି ତୁମ ଉପରେ। ତୁମେ ଆସିବା ବେଳେ କିଛି କହିଲନି କାହିଁକି? ମୁଁ କେତେ କାନ୍ଦିଛି। ହିମାଂଶୁ କହିଲା ଅପେକ୍ଷାର ଫଳ ମିଠା। କହିଦେଇଥିଲେ ତୁମେ ସରପ୍ରାଇଜଡ୍ ହେଇନଥାନ୍ତ। ତୁମକୁ ଛାଡି ଘରେ ସମସ୍ତେ ଜାଣିଥିଲେ। ମୌସୁମୀ ରାଗିକି ମୁହଁ ବୁଲେଇ ବସିଲା। ହିମାଂଶୁ ତାକୁ ଟାଣି ନେଇ କହିଲା ଆଇ ଆମ୍ ସରି ମୌସୁମୀ। ଆଇ ଲଭସ୍ ୟୁ ଅ ଲଟ୍।ଆଇ ୱାଣ୍ଟ ଟୁ ମ୍ୟାରୀ ୟୁ।ମୌସୁମୀ କହିଲା ମୁଁ ବି ବହୁତ ଭଲପାଏ ତୁମକୁ ହିମାଂଶୁ। ଆଉ ତୁମ ପ୍ରସ୍ତାବ ରେ ମୁଁ ରାଜି। 


            ତା'ର ପରେ ଦୁଇଜଣଯାକ ଘର ଭିତରକୁ ଆସିଲେ। ହିମାଂଶୁ ର ମା' କହୁଥିଲେ ମୌସୁମୀ ର ବାପା, ମାଆଙ୍କୁ ଆଜ୍ଞା ମୋର କିଛି ଦରକାର ନାହିଁ, ମୌସୁମୀକୁ ମୁଁ ବୋହୂ ନୁହେଁ ବରଂ ଝିଅ ପରି ରଖିବି। ତେଣୁ ଆପଣଙ୍କର ସୁବିଧାରେ ବିବାହ କାର୍ଯ୍ୟଟା ସଂପର୍ଣ୍ଣ କରିଦେବା।

          ଭଉଣୀମାନେ କହୁଥିଲେ ଅପା, ଭାଇନାଙ୍କୁ ନେଇ କିଛି ଖାଇବାକୁ ଦେବୁ ନା ଏଇଠି ଠିଆ ହୋଇ ବଡମାନଙ୍କ କଥା ଶୁଣୁଥିବୁ। ମୈାସୁମୀ, ହିମାଂଶୁ କୁ ନେଇ ସର୍ବତ ଦେବାପାଇଁ ଯାଉଥିଲା, ହିମାଂଶୁ କହିଲା ଶୁଣ ଚା' ତିଆରି କରି ଆଣିବ କାରଣ ଏଇ ଚା' ଦେଇ ତୁମେ ଆମ ବନ୍ଧୁତା ର ମୁଳଦୁଆ ତିଆରି କରିଥିଲ ଆଉ ସେଇ ଚା'ର ଉଷ୍ଣତାରେ ଆମ ପ୍ରେମର ଆରମ୍ଭ ହେବ। ମୌସୁମୀ ହସୁଥିଲା ଆଉ ଭାବୁଥିଲା ସତରେ କେଡେ ଭାଗ୍ଯବାନ୍ ସିଏ। ହିମାଂଶୁ ଦେଇଥିବା ଫୁଲଟିକୁ ଛାତିରେ ଜାବୁଡ଼ି ଧରି ସେ ତା'ର ପ୍ରେମର ଜାହିର କରୁଥିଲା। ହିମାଂଶୁ ହାତରେ ମୌସୁମୀର ହାତ ତିଆରି ଚା'ର କପ୍ ହିମାଂଶୁ ଓଠର ସ୍ପର୍ଶରେ ପ୍ରେମର ଉଷ୍ଣତାକୁ ବଢଉଥିଲା।



Rate this content
Log in

Similar oriya story from Romance