ଛୋଟିଆ ହଁ: ବିରହ ର ଅନ୍ତ!!!
ଛୋଟିଆ ହଁ: ବିରହ ର ଅନ୍ତ!!!
ଏଇ ସମୁଦ୍ରର ନୀଳ ନିରବତାକୁ ଚାହିଁ ଯେମିତି ହଜି ଯାଇଥିଲା ରୋନି । ସମୁଦ୍ର କୂଳରେ ବସିଛି । ହେଲେ କଣ ପାଗେଳି ଭଳି ମନକୁ ମନ ଗପୁଛି ଆଉ ଆଖିରୁ ତାର ଅବିରତ ଲୁହ ଗଡ଼ି ଚାଲିଛି । ତା' ଭାବନା ରାଜ୍ୟରୁ ଫେରି ଆସିବା ପାଇଁ ସିଏ ବାଧ୍ୟ ହେଲା କାରଣ କିଛି ଦୂରରେ ପ୍ରେମୀ ଯୁଗଳ ଦୁହେଁ ବାଲି ଉପରେ ବସି ସେମାନଙ୍କର ନାଆଁ ଲେଖୁଥିଲେ ଆଉ ବାରମ୍ବାର ଢେଉର ଉତ୍ତାଳ ତରଙ୍ଗ ଆସି ସେ ସବୁକୁ ଧୋଇ ନେଉଥିଲା । ଆଉ କିଛି ସମୟ ପରେ ଶାମୁକାଟିଏ ହାତରେ ଧରି ପ୍ରେମିକ ଜଣକ ନିଜ ପ୍ରେୟସୀର ଆଖି ବନ୍ଦ କରୁଥିଲା ଆଉ ପ୍ରେୟସୀ ହାତରେ ଶାମୁକା ଧରେଇ ବେଶ୍ ଖୁସି ହେଉଥିଲା । ପ୍ରେୟସୀ ଜଣଙ୍କ ଶାମୁକା ଭିତରେ ମୋତି ଥିବାର ଦେଖି ଖୁସି ହେଇ ପ୍ରେମିକର ମସ୍ତକରେ ଚୁମ୍ବନଟିଏ ଆଙ୍କିଦେଇ ଲାଜ କରୁଥିଲା । ବାଲି ଉପରେ ବାଲିର ରାଜା ଆଉ ରାଣୀ ତିଆରି କରି ବାଲୁକା ଶିଳ୍ପୀ ପାଲଟି ଯାଇଥିଲା ପ୍ରେମିକାଜଣଙ୍କ । ରୋନି ଏସବୁ ଦୃଶ୍ୟରେ ନିଜ ଅତୀତକୁ ଯେମିତି ଅତି ପାଖରୁ ଦେଖୁଥିଲା । ଝାଉଁ ବଣର ସୁ ସୁ ଗର୍ଜନ ଭଳି ଅତୀତ ଯେମିତି ମାଡ଼ି ଆସୁଥିଲା ଆଉ ସେ ଏତିକି ବେଳେ ଦେଖିଲା ବାଲିରେ ତିଆରି ରାଜା ତା ବାଲି ରାଣୀଠୁ ଅଲଗା ହେଇଗଲା, ଆଉ ଏସବୁ ଦେଖି ପ୍ରେୟସୀ ଜଣଙ୍କ ଖୁବ୍ କାନ୍ଦୁଥିଲା ଆଉ ପ୍ରେମିକ ଜଣଙ୍କ ତା ଛାତିରେ ଜାବୁଡି ଧରି ତାକୁ ଆଶ୍ୱାସନା ଦେଇ ବୁଝାଉଥିଲା ଯେ ଏମିତି ବାସ୍ତବରେ କେବେ ବି ହେବନି ପ୍ରିୟା । ବାଲି ରାଜା ଭାସି ଯାଇଛି ହେଲେ ମୁଁ ନୁହେଁ । ପ୍ରେୟସୀ ଜଣଙ୍କ ପ୍ରେମିକର ଓଠରେ ଆଙ୍ଗୁଠି ରଖି କହୁଥିଲା ତୁମକୁ ମୋ ରାଣ ସେ କାଳକଥା ଗୁଡ଼ାକ ଯେମିତି ଆଉ କେବେ ପାଟିରେ ନଧର । ପ୍ରେମିକ ଖୁବ୍ ଜୋରରେ ହସୁଥିଲା ଆଉ ନିଜ କାନ ଧରି କହୁଥିଲା ଓ.କେ. ମାଇଁ ଜାନ୍ ।
ରୋନିର ଫୋନ୍ ରିଙ୍ଗ ହେଲା ଆଉ ସିଏ ନିଜ ହୋସକୁ ଫେରିଲା । ସେପଟୁ କେହି ଜଣେ କହୁଥିଲା ରନିତା ତୁମ ବିନା ଏ ଜୀବନର କିଛି ମୂଲ୍ୟ ନାହିଁ । ମୁଁ ତୁମ ସହ ସାରା ଜୀବନ ପାଇଁ ରହିବାକୁ ଚାହେଁ ଯେତେ ବାଧା ବିଘ୍ନ ଆସୁ ମୁଁ ତୁମକୁ ଜୀବନସାଥି ଭାବେ ଗ୍ରହଣ କରିବା ପାଇଁ ଚାହେଁ । ହଁ ଭୁଲ ମୋର ଥିଲା, ପରିସ୍ଥିତିରେ ପଡି ମୁଁ ତୁମ ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲି, ହେଲେ ବିଶ୍ୱାସ କର ରନିତା ତୁମ ବିନା ଜୀବନ ରଙ୍ଗହୀନ, ସବୁ ଯେମିତି
ବେସୁଆଦ । ଫଗୁଣ, ଶ୍ରାବଣ, ବସନ୍ତ......ସବୁ ଯେମିତି ନିଦାଘର ରୌଦ୍ରତାପର ଅନୁଭବ ଦେଉଛନ୍ତି । ଖୁବ୍ ଜଳାଉଛନ୍ତି ମନକୁ ମୋର । ପଳାଶ ଫୁଲର ସେ ଐତିହାସିକ ବ୍ୟତିକ୍ରମ ପରି ମୋ ଜୀବନ ବି ବାସହୀନ ଆଉ ଅଲୋଡା ହେଇଯାଇଛି । କୁହ ତୁମେ ତୁମ ସାର୍ଥକକୁ କ୍ଷମା କରି ସବୁଦିନ ପାଇଁ ନିଜର କରି ନେବ କି????
ରୋନି ଦୀର୍ଘନିଃଶ୍ୱାସ ନେଇ ସମୁଦ୍ରର ନୀଳ ନିରବତାକୁ ଚାହିଁ ହଁ ବୋଲି କହୁଥିଲା । ଆକାଶର ନୀଳ ନିରବତାର ଗଭୀରତାକୁ ଚିରି ଏଇ ଛୋଟିଆ ହଁ, ଦୁଇ ପ୍ରେମ ପକ୍ଷୀଙ୍କ ବିରହ ବେଦନାକୁ ପ୍ରେମର ବର୍ଷାରେ ଭିଜେଇ ମିଳନରେ ପରିଣତ କରିବାକୁ ପୂର୍ଣ୍ଣ ପ୍ରୟାସ କରୁଥିଲା ସତେ ଯେମିତି ।