କାସ ଏସବୁ ସତରେ ହୁଅନ୍ତା କି ?
କାସ ଏସବୁ ସତରେ ହୁଅନ୍ତା କି ?
ସୁରଭୀ ନିଜ ପିନ୍ଧା ଶାଢ଼ୀ ରେ ହାତ ପୋଛୁ ପୋଛୁ ସାମ୍ନାରେ ଥିବା ଦର୍ପଣ ରେ ତା'ର ପ୍ରତିବିମ୍ବ ଦେଖି ଟିକିଏ ଆନମନା ହେଲା ଆଉ ଆଗକୁ ପଡିଥିବା କିଛି ଅଲରା କେଶକୁ କାନ ପଛକୁ କରିନେଲା । ଏତିକିବେଳେ ନିଜ ବାହୁ ବନ୍ଧନରେ ଆବଦ୍ଧ କଲେ ପତିଦେବ ସୋମେଶ। ଆଜି ବି ତମେ ସେମିତି ସୁନ୍ଦର ଦେଖାଯାଉଛ ସୁରଭୀ ଯେମିତି ପ୍ରଥମ କରି ତୁମକୁ ଦେଖିଥିଲି । ଇଚ୍ଛା ନଥିଲା ସୁରଭୀର ହସିବା ପାଇଁ ତଥାପି ସୋମେଶଙ୍କ ମନରେ ଆଘାତ ନଦେବା ପାଇଁ ଓଠରେ କୃତ୍ରିମ ସ୍ମିତ ହସ ଟିଏ ଫୁଟେଇ କହିଲା ଧନ୍ୟବାଦ ।
ଓଃ... ଡିଅର ୱାଇଫି ଏମିତି ଶୁଖିଲା ଧନ୍ୟବାଦ ଦେଲେ ଚଳିବନି, ଆଉ କିଛି ଦେବା ପାଇଁ ପଡିବ। ତମେ ଜାଣ ମୋତେ କ'ଣ ଦରକାର ?
ସୋମେଶ, ଝିଅ ଉଠିଲାଣି ମୁଁ ଆସୁଛି ।
କ'ଣ ମୁଡ୍ ଅଫ୍ ଅଛି ? ଆରେ ହଁ ଗୋଟେ କଥା ମୁଁ ଭୁଲିଯାଇଥିଲି ପଚାରିବା ପାଇଁ, ମାଆ ପାଇଁ ଯୋଉ ଶାଢ଼ୀ ଆଣିଥିଲ ଦେଲ ? କେମିତି ଲାଗିଲା ତାକୁ ? ଆରେ କିଛି କହୁନ ଯେ ତୁମେ।
କ'ଣ କହିବି ଆଉ ସୋମେଶ ? କହିବା ପାଇଁ ମୋର ଆଉ ମନ ହେଉନି। ଯାଆ ଶୋଇ ଯାଅ, ବହୁତ ରାତି ହେଲାଣି। ମୁଁ ଶାଢ଼ୀ ବଦଳେଇ ଆସୁଛି। (ହାତକୁ ଟାଣି ଧରି) ମୋ ରାଣ ସୁରଭୀ କୁହ ତୁମର କ'ଣ ହେଇଛି ?
କିଛି ନାହିଁ, ମାଆ ଥରେ ହେଲେ ବି ସେ ଲୁଗାକୁ ଦେଖିଲେ ନାହିଁ। କହିଲେ ସେଇଠି ରଖିଦେ ଆଉ ଗାଆଁରେ ବାହାଘରରେ ବି ଗୋଟେ ଶାଢ଼ୀ ମିଳିଛି। ଆଉ ମୋ ଝିଅ ମାନେ ବି ଏବେ ଆଣିଥିଲେ, ମୁଁ ପିନ୍ଧୁଚି । କ'ଣ ହେବ ମୋର ଶାଢ଼ୀ...?
ହଉ ହେଲା, ତା ଦେହ ଭଲ ନାହିଁ । ସେଥିପାଇଁ ଦେଖି ନଥିବ । ମୋ ପାଗେଳୀ ଟା ! ଏ ସାମାନ୍ୟ କଥାକୁ ଧରି ହିସାବ ଖାତାରେ ଲେଖିବା ଭଳି ହେଉଛ । ସେଥିରେ କଷ୍ଟ ମିଳିବ, ସବୁ ଭୁଲି ଯାଆ। ଦେଖିବ ଶାନ୍ତି ମିଳିବ। କେତେ ଆଉ ଏ ହିସାବ କିତାବ ରଖିବ ମନାନ୍ତରର ?
ଜାଣିଛ କାଷ୍ ମୁଁ ତୁମ ଜାଗାରେ ଥାଆନ୍ତି ଆଉ ତୁମେ ମୋ ଜାଗାରେ ଥାଆନ୍ତ। ଆଉ ମୋ ପରିସ୍ଥିତିକୁ ତୁମେ କେତେ ଅଣଦେଖା କରନ୍ତ, ମୁଁ ବି ଦେଖିବା ପାଇଁ
ଚାହୁଁଛି ।ମୁଁ ଦେଖିବା ପାଇଁ ଚାହୁଁଛି, କହିବା ଆଉ କରିବା ଭିତର ର ସେ ଯୋଜନ ମାଇଲର ଫରକକୁ। ଜଣେ କେତେ ମହାନ୍ ହେଇପାରେ, ତାର ପରିସୀମାକୁ ମୁଁ ବି ଅନୁଭବର ସେ ଦୈର୍ଘ୍ୟ ଆଉ ଧୈର୍ଯ୍ୟର ସେ ପ୍ରସ୍ଥରେ ମାପିବା ପାଇଁ ଚାହୁଁଛି। ମୁଁ ଚାହୁଁଛି ଜଣେକୁ ନିଚ୍ଚା ଦେଖେଇଲେ ତାର ପ୍ରତିକ୍ରିୟା କେଉଁ ରୂପ ନିଏ ? ତୁମ ଜାଗାରେ ଥିଲେ କାଳେ ମୋ ପ୍ରତି ଏ ପାତର ଅନ୍ତର ଆଉ ହେବନି। ମୁଁ ଆଣିଥିବା ସବୁ ଜିନିଷ ତାଙ୍କୁ ଅତି ଗୌରବ ଭଳି ଅନୁଭବ ଦେବ।ଏସବୁ କ'ଣ ସତରେ ହେଇ ପାରିବ ? ମୁଁ ତମେ ଆଉ ତମେ ମୁଁ , ଏସବୁ କ'ଣ ହେଇ ପାରିବ ? ଗଭୀର ଦୀର୍ଘ ନିଃଶ୍ୱାସ ଭିତରେ ଉତ୍ତର ଟା ଯେମିତି ତା ବାଟ ହଜେଇ ଦେଇ ରୁନ୍ଧି ହେଇ ଯାଉଛି।
ଆମ୍ ସରି ସୁରଭୀ, ମୁଁ ତୁମ ମନକୁ ବୁଝି ପାରୁଛି।ହେଲେ ମୁଁ କିଛି କରିପାରୁନି ସେଥିପାଇଁ ମୁଁ ଦୁଃଖିତ।
ତମେ ପଚାରିଲ ବୋଲି ମୁଁ କହିଲି ସୋମେଶ। ସେଇ ତୁମକୁ ଦୁଃଖୀ କରିବିନି ବୋଲି କିଛି କହେନି, ନୀରବି ଯାଏ । ଘରେ ଶାନ୍ତି ରହିବ ହେଲେ ଶାନ୍ତିର ବୀଜ ରୋପିବା ପାଇଁ ଚାହୁଁଥିବା ମଣିଷଟେ ସବୁବେଳେ ଅଶାନ୍ତି ଢେଉର ଅତଡ଼ାରେ ସଂଘର୍ଷରତ ଆଉ ଅଣ ନିଃଶ୍ବାସୀ, ଏକଥା ଖୁବ୍ କମ୍ ବୁଝନ୍ତି। କିଏ ତାକୁ ଥଟ୍ଟା କରେ ଆଉ କିଏ ଖୁବ୍ ତାର ଫାଇଦା ଉଠାଏ ହେଲେ ସେ ବିଚାରୀ ସବୁ କିଛି ସହି ସଂସାର ସମ୍ଭାଳିବାରେ ବ୍ୟସ୍ତ ଥାଏ । ମୁଁ ବି ତୁମ ପରିସ୍ଥିତିକୁ ବୁଝୁଛି। ସେକଥା ଛାଡ, ଏସବୁ କେବେ ବଦଳିବନି । ମନସ୍ଥାପ କରି କିଛି ଲାଭ ନାହିଁ। ଏବେ ଶୋଇଯା, ସକାଳୁ ଉଠି ଅଫିସ୍ ଯିବାର ଅଛି।
ସୋମେଶ ସୋଇଯିବା ପରେ ଅନେକ ସମୟ ଯାଏଁ ସୁରଭୀକୁ ନିଦ ହେଉ ନଥିଲା। ଭାବୁଥିଲା କାସ୍ କାଲି ସକାଳର ସୂର୍ଯ୍ୟୋଦୟ ସମ୍ପର୍କର ସମୀକରଣକୁ ସରଳ କରିଦିଅନ୍ତା, ତା' ହେଲେ ଏମିତି ସମ୍ପର୍କର ମିଛ ଖୋଳପା ଭିତରେ ସିଏ ଖୁସି ହେବାର ଅଭିନୟ କରି ଥକି ଯାଆନ୍ତା ନାହିଁ। ଜୀବନ ସଉଦା କରି ହିସାବ କିତାବକୁ ଭୁଲି ସିଏ ବି ବେହିସାବି ଜୀବନ କାଟି ନିଜ ଝିଅ ବେଳର ସମୟକୁ ଝୁରି ହୁଅନ୍ତା ନାହିଁ।