ପ୍ଲେ ବଟନ୍
ପ୍ଲେ ବଟନ୍
ସିନ୍ଦୁରା ଫାଟିବା ପୂର୍ବରୁ ଉଠି ସବୁ କାମ କରି ଶୋଇବା ବେଳକୁ ମୋର ରାତି ୧୨ ଟା।ଏଥିରେ ଆପତ୍ତି ନଥାଏ ମୋର କାରଣ ପିଲା ଦିନରୁ ମୋ ମାଆ ଖୁଡୀ ଆଉ ବଡ଼ ମାଆଙ୍କୁ ଏମିତି କରିବାର ଦେଖିଛି।ଆଉ ବାହା ହୋଇସାରିବା ପରେ ମୋ ବଡ଼ ଦେଇ ରିମା ଅପାକୁ ବି ମୁଁ ଦେଖିଛି ଏମିତି କରିବାର।ଯୋଉ ଦିନ ବାହା ହେଇ ଆସିଲି ମୋ ମାଆ ମୋ କାନରେ କହିଥିଲା ସଭିଙ୍କ ମନ ଜିଣି କାମ କରିବୁ ଆଉ ସେଦିନ ଠୁ ସେଇଟା ମୋ ପାଇଁ ଷ୍ଟପ୍ ପଏଣ୍ଟର ଚିହ୍ନ ପାଲଟି ଯାଇଥିଲା ସତେ ଯେମିତି। ମାଆ କହିଛି ମାନେ ସେଇଟା ମୋ ସଂସ୍କାର ଆଉ ତାକୁ ମାନିବା ପାଇଁ ମୁଁ ବାଧ୍ୟ।ଧିରେ ଧିରେ ନୂଆ ଜାଗାରେ ମୁଁ ନିଜକୁ ସେଟ୍ କରୁଥିଲି।କଷ୍ଟ ହେଉଥିଲା ହେଲେ ବି ସେଥିରେ ମୋର ନିଘା ନଥିଲା। ଏଇତ ଜୀବନ ଆଉ ଏଠି ଅନେକ କିଛି ସହିବାକୁ ହୁଏ। ପ୍ରତିବଦଳରେ ବେଶି କିଛି ମିଳେନା ତଥାପି ସଂସ୍କାରର ଶକ୍ତରସିରେ ବନ୍ଧା ଏ ଜୀବନ।ପ୍ରତି ମୁହୂର୍ତ୍ତରେ ଅନ୍ୟକୁ ଖୁସି କରିପାରିଲେ ନିଶ୍ଚିତଭାବେ ସଂସାର ଗାଡ଼ିରେ ଷ୍ଟପ୍ ଚିହ୍ନର ପ୍ରଶ୍ନ ହିଁ ନଥାଏ ନହେଲେ ସୁନାମୀ ଆସିଯାଏ ଜୀବନରେ।ସଂସାର ଉଚ୍ଛନ୍ନ ହେଇଯାଏ ଆଉ ସମ୍ପର୍କ ଝଡ ଝଞ୍ଜାର ସମ୍ମୁଖୀନରେ ରାଶି ରାଶି ଭଗ୍ନାବଶେଷ ସ୍ତୁପ ତଳେ ସତ୍ତା ହରେଇ ବସେ। ସେଥିପାଇଁ ଅନ୍ୟକୁ ଖୁସି କରି ନିଜେ ଖୁସି ହେବାର ଅଭିନୟ କରିବାରେ ସେ ମାହିର ହେଇଯାଏ।
ବୋଉର ଫୋନ୍ ଆସିଲା ବାପାଙ୍କ ଦେହ ଖରାପ,ଶୀଘ୍ର ଦେଖିବା ପାଇଁ ଘରକୁ ଯିବାକୁ ପଡ଼ିବ।ଆଉ ଠିକ୍ ସମୟରେ ମଉସା ଶଶୁରଙ୍କ ଦେହ ଖରାପ ହେଲେ ତାଙ୍କର ଗୋଟିଏ ପୁଅ ଆଉ ବୋହୂ ବିଦେଶରେ ରହୁଛନ୍ତି।ମାଉସୀ ବି ବିଶେଷ କିଛି କରି ପାରିବେନି।ତେଣୁ ଶାଶୁ ଆଦେଶ ଦେଲେ ମଉସା ଶଶୁରଙ୍କ ଘରେ ନେଇ ମୋତେ ଛାଡ଼ି ଆସିବା ପାଇଁ ନିଜ ପୁଅଙ୍କୁ। ଇଏ ବି ଖାଲି ମୁହଁ ଖୋଲି କହିଲେ ହେଲେ ମାଆ ସୀମାର ବାପାଙ୍କ ଦେହ........।
ଓହୋ ମୋ କଥା ଉପରେ ତୁ କ'ଣ କଥା କହିବୁ? ଆଜି ବଡ଼ ହେଇଗଲୁ ବୋଲି ମୁଣ୍ଡକୁ ହାତ ପାଇଗଲା ନାଁ କଣ?ସୀମା ଘରେ ତା' ବାପାଙ୍କୁ ଦେଖିବା ପାଇଁ ତା' ଭାଇ, ଭାଉଜ,ମାଆ,ଭଉଣୀ,ଭିଣୋଇ ଆଉ ପୁରା ପରିବାର ଅଛି। ସିଏ ନଗଲେ କ'ଣ ଅନ୍ଧାର ହେଇଯିବ? ହେଲେ ମଉସା ଏକୁଟିଆ,ସେଠିକୁ ଯିବାକୁ ପଡ଼ିବ। ତେଣୁ ଆବଶ୍ୟକ ହିସାବରେ ସେଠି ଯାଇ ଆଗେ ହାଜିରା ପକେଇବା ପାଇଁ ପଡିବ। ବେଶି କଥା ନକହି ଯୋଉଟା ଆଗେ ଦରକାର ସେଇଟା କର।
ମୁଁ କିଛି ନକହି ଖାଲି କାନ୍ଦିକି ଚାଲିଗଲି। ମୋ ଜିନିଷ ପତ୍ର ନେଇ ମଉସାଙ୍କ ଘରକୁ ଯିବା ପାଇଁ ବାହାରିଲି। ମଉସାଙ୍କ ଘରେ ଯାଇ ପହଞ୍ଚି ତାଙ୍କ ପାଇଁ ରୋଷେଇ କରି ଖାଇବା ଦେଇ ତାଙ୍କୁ ଔଷଧ ଦେଇଛି କି ନାହିଁ ଫୋନ୍ ମୋର ରିଙ୍ଗ ହେଲା ଆଉ ବାପା ଚାଲିଯିବା ଖବର ଶୁଣି ମୋ ମୁଣ୍ଡ ଉପର ପୃଥିବୀଟା ଯେମିତି ଛିଣ୍ଡି ପଡ଼ିବା ଭଳି ଲାଗୁଥିଲା। ଆଉ ମନେ ମନେ ମୁଁ ନିଜକୁ ଦୋଷୀ ମନେ କରୁଥିଲି ଆଉ ଭାବୁଥିଲି ବେଳେ ବେଳେ ଜୀବନର ସେଇ ଷ୍ଟପ୍ ଚିହ୍ନକୁ ନିଜ ହାତରେ ହଟେଇ ପ୍ଲେ କରିବା ପଡେ ନହେଲେ ଜୀବନ ରୂପକ ଯନ୍ତ୍ର ଅକାମୀ ହେବାକୁ ବେଶି ସମୟ ଲାଗେନା।