ଅନୁଭବରେ ଜଗନ୍ନାଥ
ଅନୁଭବରେ ଜଗନ୍ନାଥ
ଏଇ ସପ୍ତାହେ ତଳର କଥା ଇଏ।ଚଳଚଞ୍ଚଳ ଜୀବନରେ ଧାଇଁ ଧାଇଁ ଜୀବନର ଫର୍ଦ୍ଦ ସବୁ କେତେବେଳେ ଓଲଟି ଯାଉଛି କିଛି ଜଣା ପଡୁନି। କେତେବେଳେ କେମିତି ସମୟ ମିଳିଲେ ମୋ ଲେଖନୀ ଟାଣି ହେଇଯାଏ ଭାବନା ରାଜ୍ୟକୁ।କିଛି ସମୟ ଭାବି କିଛି ଅନାବନା ଭାବନା,କିଛି ଅନୁଭବ ଆଉ କିଛି ଏ ସମାଜର ଘଟଣାକୁ ଧଳା କାଗଜର ପ୍ରଶସ୍ତ ଫୁଙ୍ଗୁଳା ବୁକୁରେ ଖୋଦେଇ କରି ମୁଁ ହଜିଯାଏ।ବେଳେ ବେଳେ ଭାବୁ ଭାବୁ ମୋ ଆଖି ଭିଜି ଯାଏ ଆଉ ସ୍ମୃତି ରାଇଜକୁ ମୋ ପାଦ ଆପେ ପଡ଼ିଯାଏ ଆଉ ଏକ ଅଜଣା ଆକର୍ଷଣର କେନ୍ଦ୍ର ଆଡ଼କୁ ଟାଣି ହେଇଯାଏ ଏଇ ମନ।ଜୀବନର ଅଧା କଷା ଗଣିତକୁ ପୁରା କରିବାର ପ୍ରୟାସଟା ବେଳେ ବେଳେ ଭାରି ବିରକ୍ତି କରିଦିଏ।ସେତେବେଳେ ଏ ମନ କହେ ହେ ଈଶ୍ୱର ଆଉ କେତେ ଦିନ?ଖୁବ୍ କଷ୍ଟ ହେଉଛି ଆଉ ମୋ ଶରୀର ବିବଶତା ତୋ ଠୁ ଅଧିକ ଆଉ କିଏ ଅବା ବୁଝିବ?
ସେଦିନ ମୋର ବି ଭାବନା କୋଉ ଜାଗାରୁ ଆରମ୍ଭ ହେଇଥିଲା ମୋର ମନେ ନାହିଁ ହେଲେ ଶେଷ କିନ୍ତୁ ଜଗନ୍ନାଥଙ୍କ ପାଖରେ ହେଇଥିଲା।ମୁଁ ଆଖି ବନ୍ଦ କଲି ଆଉ ଭାବିଲି ସମସ୍ତେ ଖାଲି ପୁରୀ ଯାଉଛନ୍ତି।କେତେ ଦୂରରୁ ଲୋକ ଆସୁଛନ୍ତି ହେଲେ ଏତେ ପାଖ ହେଇ ମୁଁ ଯାଇ ପାରୁନି।ଆଉ ଯିବି ଅବା କେମିତି ? ଅଢେଇ ବର୍ଷର ମୋ କୁନି ପୁଅ ଶ୍ଲୋକକୁ ନେଇ ଯିବା ବି ଭାରି କଷ୍ଟ।କେବଳ ଏତିକି ଭାବିଲି ଆଉ ମୋ ଆଖି ଭରିଗଲା।ଲୁହକୁ ପୋଛି ମାଆ ଆଣିଥିବା ଚାଆକୁ ପିଇ ନେଲି।କିଛି ସମୟ ପରେ ସ୍ଵାମୀ ମୋର ଫୋନ୍ କରି କହିଲେ ପୁରୀ ଯିବା ପାଇଁ ମାଆ ପୁଅ ରେଡ଼ି ହେଇଯାଅ।କାରଣ ତାଙ୍କର ବଜେଟ ରିଭିୟୁ ମିଟିଂ ଅଛି। ମୋର ଚାରି ଦିନ ଛୁଟି ବି ଭଲରେ କଟିଯିବ। ଜଗାକୁ ଦର୍ଶନ କରିନେବା ଆଉ ପୁଅ ବି ମନ୍ଦିର,ସମୁଦ୍ର କୂଳ ବୁଲି ଖୁସି ହେବ।ମୋ ଘର ଠାରୁ ପୁରୀ ମାତ୍ର ୩୦ କିମି ଦୂର।ତେଣୁ ଭଲ ଲାଗିବ ଯିବା ପାଇଁ ।ମୁଁ ଫୋନ୍ ରଖିଲି ଆଉ ଏତେ ଖୁସି ହେଇଗଲି ତାକୁ ଭାଷାରେ ବର୍ଣ୍ଣନା କରି ପାରିବି ନାହିଁ।ଦୀର୍ଘ ଦିନ ହେଲା ମୁଁ ଜଗାକୁ ଦେଖି ନଥିଲି।ସ୍ଵାମୀଙ୍କ ମିଟିଂ ସରିଲା ଆଉ ଶନିବାର ସନ୍ଧ୍ୟାରେ ଶ୍ଲୋକକୁ ଧରି ମନ୍ଦିର ଆଡେ ଚାଲିଲୁ ଆଉ କେତେଜଣ ଷ୍ଟାଫ୍ ପରିବାରଙ୍କ ସହିତ।ଭିଡ ଯଦିଓ ଥିଲା ହେଲେ ପୁଅକୁ କିଛି ସମୟ ମୁଁ ଆଉ କିଛି ସମୟ ତା' ପାପା ଧରି ଧାଡ଼ିରେ ଆଗକୁ ଚାଲିଲୁ।ପୁଅ ମୋର ହାଇ ମାରିବା ଦେଖି ମୁଁ ତାକୁ କହିଲି ତୁ ପରା ଜଗାକୁ ଜମା ଦେଖିନୁ ତେବେ ଯଦି ତୁ ଶୋଇଯିବୁ ମହାପ୍ରଭୁକୁ ଦେଖିବୁ କେମିତି? ସିଏ ବି ଆଉ ନ ଶୋଇ ପୁରା ଉଠି ଖାଲି କହୁଥାଏ ମାମା ମୋତେ ତଳେ ଛାଡେ ମୁଁ ଚାଲିକି ଯିବି।ହେଲେ ଏତେ ଭିଡ଼ରେ ଛୁଆକୁ ଛାଡ଼ିବି କେମିତି ଭାବି ତାକୁ ମନା କଲି। ମନେ ମନେ ଭାବିଲି ଏତିକି ଟିକି ପିଲାକୁ କାଖେଇ ଏ ଭିଡକୁ ମୁଁ କ'ଣ ସତରେ ପାରି କରି ଜଗା ପାଖରେ ପହଞ୍ଚି ପାରିବି।ଏତିକିବେଳେ ଜଣେ ପୋଲିସ କହିଲେ ମାଆ କେତେ ସମୟ ଆଉ ଏ ପିଲାକୁ ନେଇ ଲମ୍ବା ଲାଇନ୍ ରେ ବୁଲିବ? ଏଇ ସିନିୟର୍ ସିଟିଯେନ୍ ଲାଇନ୍ ରେ ପଶି ଯାଅ।ସେଠୁ ସିନା ଆସିଗଲୁ ହେଲେ ମେନ୍ ଜାଗାରେ ଆସି କିଛି ସମୟ ଲମ୍ବା ଲାଇନ୍ ରେ ପୁଣି ରହିଲୁ।ଇଏ ଖାଲି ଆଖି ବନ୍ଦ କରି କହୁ ଥାଆନ୍ତି ଜୟ ଜଗନ୍ନାଥ ଆଉ ତାଙ୍କ ଦେଖାଦେଖି ପୁଅ ବି କହୁଥାଏ ପାପା ଜୟ ଜଗନ୍ନାଥ।କିଛି ସମୟର ଠେଲାପେଲା ପରେ ଜଗା କୁ ଦେଖିବାର ସେ ଅପୂର୍ବ ସୁଯୋଗ ମିଳିଲା। ଭାବବିହ୍ୱଳ ହେବାକୁ ସମୟ ହିଁ ନଥିଲା କାରଣ ପୋଲିସ ଆସି ଜୋର୍ ରେ ଶୀଘ୍ର ଶୀଘ୍ର ଭିଡ ଭାଙ୍ଗ କହି ଚିତ୍କାର କରୁଥିଲେ।ବିମଳା ମନ୍ଦିର,ଲକ୍ଷ୍ମୀ ମନ୍ଦିର, ବଟ ଗଣେଶ.......ଙ୍କ ଦର୍ଶନ ସାରି ଆସି ଯେତେବେଳେ ବାଇଶି ପାହାଚରେ ବସିଲି, ନୀଳ ଚକ୍ରକୁ ଭାବି ମୋ ଆଖିରୁ ଲୁହ ବୋହିଗଲା।ମନ ଭରି କାନ୍ଦିଲା ପରେ ଗଭୀର ଆତ୍ମତୃପ୍ତିରେ ମୋ ପ୍ରାଣ ସତେ ଯେମିତି ଭରିଗଲା।ମୋ ଦୁର୍ବଳ ଶରୀରରେ ପୁଣି ଶକ୍ତି ଚାଲି ଆସିଲା।ପୁଅକୁ ବାଇଶି ପାହାଚ ଉପରେ ଶୁଆଇ ଦେଲି ଆଉ ସେ ଆପେ ଗଡିବା ଦେଖି ଖୁବ୍ ଭଲ ଲାଗିଲା।ସ୍ଵାମୀଙ୍କୁ ମୁଁ ମୋ ଅନୁଭବରେ ଜଗନ୍ନାଥଙ୍କ କଥା ଶୁଣେଇ ଶୁଣେଇ ହୋଟେଲ୍ କୁ ଫେରିଲି।ସିଏ ଖାଲି ବାରମ୍ବାର କହୁଥିଲେ ବଢିଆ ଦର୍ଶନଟେ ହେଲା,ପୁରା ସଂସାରର ଯିଏ ମାଲିକ ତା ଭକ୍ତ କୁ କେମିତି ତା ଧାମକୁ ନ ଡାକିବ? ସେଥିପାଇଁ ବା ସିଏ ବଡ ଠାକୁର,ଭାବ ବିନୋଦିଆ।ତା'ପରେ ଜଣେ ବନ୍ଧୁ ଅବଢ଼ା ଆଣି ଦେଲେ ଆଉ ତାକୁ ଖାଇବା ପରେ ଯୋଉ ଆତ୍ମ ତୃପ୍ତି ମିଳିଲା ତା ଦୁନିଆଁ ର ଦାମିକା ହୋଟେଲ୍ ର ଖାଦ୍ୟ ଠାରୁ ବି ଯଥେଷ୍ଟ ଉପରେ ଥିଲା ।ଖୁବ୍ ଖୁସି ହେଇ ଫେରିଲୁ ଆଉ ପୁରା ପରିବେଶ ମୋତେ ଭାବମୟ ଲାଗୁଥିଲା।