ବିଦଗ୍ଧ ବସନ୍ତ
ବିଦଗ୍ଧ ବସନ୍ତ
ରାତି ପାହିବା ପାଇଁ ବୋଧହୁଏ ଅନେକ ବାକି ଥିଲା।ଆକାଶରେ ତାରାମାନଙ୍କ ଗହଣରେ ଚାନ୍ଦଟା ଯେମିତି ଚାପା ହସ ଟିଏ ହସି ତା ଯୋଛନା ସବୁକୁ ଚାରିଆଡେ଼ ବିଛୁରି ଦେଉଥିଲା।ବସନ୍ତର ଆକ୍ତାମାକ୍ତା ବିଦଗ୍ଧ ସ୍ମୃତି ସବୁ ହୃଦୟ ଝରକାରୁ ବୁଢିଆଣୀ ଜାଲ ପରି ଜୀବନରେ ଛନ୍ଦି ହେଇ ଯାଇଥିଲେ।ଝରକା ଫାଙ୍କ ଦେଇ ଯୋଛନା ମୋ ମୁହଁ ଉପରେ ପଡ଼ିଲା ଆଉ ମୁଁ ବିରକ୍ତ ହେଇ ଆଖି ଉପରେ ହାତ ପାପୁଲି ରଖିନେଲି।ଗଙ୍ଗଶିଉଳି ଫୁଲର ମାଦକୀୟ ବାସ୍ନାରେ ମୁଁ ଆନମନା ହେଲି।ଯୌବନର ପାହାଚଟା ଖାଲି ଶିଉଳୀରେ ଭର୍ତ୍ତି,ଟିକିଏ ପାଦ ଥୋଇବାରେ ଅନ୍ୟମନସ୍କ ହେଲେ ଜୀବନ ସିଡିରେ ଚଢିବା ଭାରି କଷ୍ଟ ହେଇଯାଏ।ହୁଏତ ମୋତେ ମୋ ମନର ମଣିଷକୁ ଚିହ୍ନିବାରେ ବହୁତ ବଡ ଭୁଲ୍ ହେଇଗଲା।ବିଚ୍ଛେଦର ଦୁଃଖରେ ମୁଁ ମର୍ମାହତ ,ହେଲେ ସେ?
ତାକୁ କିଛି ଫରକ୍ ପଡୁଥିବ କି ନାହିଁ କେଜାଣି?
ଆଖି ଲୁହ ଝରି ପଡି ତକିଆ ଭିଜେଇ ଦେଉଥିଲା ଆଉ ମାଆର ହାତ ସ୍ପର୍ଶରେ ମୁଁ ଉଠିକି ବସିଲି।ସକାଳ ହେଇ ସାରିଥିଲା।ମୋ କୁନି ଠେକୁଆ ଟ୍ୟାମି ଆସି ମୋ କୋଳରେ ବସିଗଲା।ମୁଁ ତାକୁ ପାଖରେ ଥିବା କଳମ ଶାଗ ବିଡାରୁ ନରମ ଶାଗ ଗୋଟେ ଭିଡ଼ି ଆଣି ତା ପାଟିରେ ଦେଉଥିଲି।ସେ ଖାଇକି ଡେଉଁ ଥିଲା ଆଉ ମୋ ଗାଲରେ ଆସି ଘଷି ହେଉଥିଲା।ମୋ ଦୁଃଖୀ ହେବାର ଦେଖି ସିଏ ବି ମନ ଦୁଃଖ କରୁଥିଲା।ମୁଁ ମନେ ମନେ ଭାବିଲି ଟ୍ୟାମି ତୁ ସତରେ ପଶୁଟିଏ ହେଲେ ବି କେତେ ଭଲ,ନିରୀହ ଆଉ ନିଷ୍ପାପ ଆଉ କେତେ ସୁନ୍ଦର ଭାବେ ମୋ ମନକଥା କୁ ବୁଝି ପାରୁଛୁ ହେଲେ ସଂସାରର ସବୁଠୁ ବୁଦ୍ଧିମାନ ଜୀବ କିନ୍ତୁ ମୋ ହୃଦୟକୁ ବୁଝି ନପାରି ମୋତେ ଯୋଉ କଷ୍ଟ ଦେଲା ଏବେଯାଏଁ ସେସବୁ ମୁଁ ଭୁଲି ପାରୁନି। ସିଏ ତ ଗଲା ଗଲା ହେଲେ ତୁ କେବେ ମୋତେ ଛାଡ଼ିକି ଯିବୁନି,ନହେଲେ ମୁଁ ସତରେ ମରିଯିବି ଟ୍ୟାମି। ଟ୍ୟାମିର ଆଖିରୁ ମୁଁ ସ୍ପଷ୍ଟ ବାରି ପାରୁଥିଲି ସେ କହୁଥିଲା ଏତେ ଧୋକେବାଜ୍ ମୁଁ କଦାପି ନୁହେଁ ହେଲେ ତମେ ମୋ ସହ ଏମିତି କରିବନି ତ ? ମୁଁ ତା ଆଖିକୁ ପଢ଼ିପାରି ତାକୁ କୁଣ୍ଢେଇ ନେଇ କହୁଥିଲି ଯିଏ ବିଚ୍ଛେଦର ଦୁଃଖର ସେ ଗଭୀର କ୍ଷତରୁ ଦୀର୍ଘ ବର୍ଷ ହେଲା ବାହାରି ପାରୁନି ସିଏ କେମିତି ଅନ୍ୟକୁ ଏମିତି ଦୁଃଖ ଦେବ।
ମାଆ ମୋତେ ଡାକୁଥିଲା, ଶୁଚି ଆ ଖାଇନେ ମାଆ।କେତେ ଆଉ ପୁରୁଣା ଜିନିଷକୁ ଟାଣି ଧରି କଷ୍ଟ ପାଇବୁ।ଆଶୁତୋଷର ଯଦି ଫେରିବାର ହେଇ ଥାଆନ୍ତା ତେବେ ତୋତେ ଏମିତି ଅବସ୍ଥାରେ ଛାଡି ସେ ବିଦେଶ ଯାଇ ନଥାନ୍ତା।କିଛି କିଛି ଲୋକଙ୍କୁ ଜୀବନରେ ଭୁଲିଯିବାରେ ନିଜର ମଙ୍ଗଳ ହେଇଥାଏ।ମାଆ କଥା ଶୁଣି ମୁଁ କାନ୍ଦୁଥିଲି କାରଣ ମୋ ପାଇଁ ଆଶୁତୋଷଙ୍କୁ ଭୁଲିଯିବା ଏତେ ସହଜ ନଥିଲା। ଟ୍ୟାମି ମୋ ଲୁହ ଦେଖି ମୋ ଦେହରେ ଆସି ଘଷି ହେଇ ମୋତେ ମାଆ ପାଖକୁ ଟାଣି ନେଉଥିଲା ଆଉ ମୋ ପ୍ରତିବିମ୍ବି ତ ସ୍ମୃତି ମାନଙ୍କୁ ପୁଣି ଥରେ ସାଉଁଟି ନେଇ ଅବାଧ୍ୟ ଶିଶୁଟିଏ ଭଳି ଖାଇବା ଟେବୁଲ୍ ପାଖକୁ ମୁଁ ଧାଇଁ ଯାଉଥିଲି।