ଚା'-ଚାନ୍ଦିନୀ-ପୁର୍ଣ୍ଣେନ୍ଦୁ
ଚା'-ଚାନ୍ଦିନୀ-ପୁର୍ଣ୍ଣେନ୍ଦୁ
କଲେଜ କେତେବେଳୁ ଛୁଟି ହେଲାଣି | ଚାନ୍ଦିନୀ ଆସି କଲେଜ ବସ୍ ଷ୍ଟାଣ୍ଡ ରେ ସେତେବେଳୁ ଠିଆ ହୋଇଛି | ତା ଘର ପାଖ ଦେଇ ଯାଉଥିବା ବସ୍ ଦି'ଟା ଚାଲି ଗଲାଣି | ହେଲେ ସେ ବସରେ ନ ଯାଇ ସେମିତି ଠିଆ ହୋଇରହିଛି | ଟିକିଏ ଚା' ଦୋକାନ ଆଡକୁ ତ, ଟିକିଏ ରାସ୍ତାର ଏପଟ ସେପଟକୁ ଚାହୁଁଛି | ପୁର୍ଣ୍ଣେନ୍ଦୁ ଦୋକାନର ଚା' ତାର ଭାରି ପସନ୍ଦ | ଖାଲି ତା'ର ନୁହେଁ ବରଂ ସବୁ ଲୋକଙ୍କର ପସନ୍ଦ ଯେଉଁମାନେ ତା' ଚାହା ପିଇଛନ୍ତି | ସତରେ ଆଜିକାଲିର ଭେଜାଲ ଦୁନିଆରେ ଏମିତି ଖାଣ୍ଟି ଚା' ମିଳିବା ଭାରି କଷ୍ଟ | ସିଏ ପୁଣି କୌଣସି ଓମଫେଡ୍ ବା ପ୍ୟାକେଟ କ୍ଷୀରରେ ନୁହେଁ ବରଂ ଶୁଦ୍ଧ ଗାଈ କ୍ଷୀରରେ ତିଆରି ଚା' | ପୁଣି ଗରାଖ ମାନଙ୍କ ବରାଦ ମୁତାବକ ; କାହାକୁ ଅଦା ପକାଇ ଚା' ତ କାହାକୁ ଗୁଜୁରାତି ପକା ଚା' ଆଉ କାହାକୁ ଗୋଲ ମରିଚ ଲବଙ୍ଗ ପକା ଚା' | ଏମିତି କି ତୁଳସୀ ତେଜପତ୍ର ଅଦା ପକା ନାଲି ଚା' ବି ମିଳେ | ଚାନ୍ଦିନୀ ସବୁଦିନ କଲେଜେ ଛୁଟି ପରେ ସେଇ ଦୋକାନରୁ ଯେମିତି ହେଲେ କପେ ଚା' ପିଏ | ଏହା ତା'ର ନିତିଦିନର ଅଭ୍ୟାସ |ହେଲେ ଆଜି ଆସି ସନ୍ଧ୍ୟା ହେବାକୁ ବସିଲାଣି କିନ୍ତୁ ଚା' ଦୋକାନ ଏ ଯାଏ ଖୋଲିନି | କେତେ ଯେ ଗରାଖ ଅପେକ୍ଷା କରି ରହିଛନ୍ତି | ହେଲେ ଚାନ୍ଦିନୀ ଆଉ ଅପେକ୍ଷା କରି ପାରିବନି | ଗାଁ'କୁ ଯିବାକୁ ଶେଷ ବସ୍ ଆସି ପହଞ୍ଚିଗଲା | ଚାନ୍ଦିନୀ ବସ୍ ରେ ଉଠିଗଲା | ଶେଷ ବସ୍ ବୋଲି ଭାରି ଭିଡ | ଭଲରେ ଠିଆ ହେବାପାଇଁ ଟିକେ ଜାଗା ନାହିଁ ; ବସିବା କଥା ତ ଛାଡ | ଘରେ ପହଁଚିଲା ବେଳକୁ ରାତି ସାଢେ ଆଠ | ବୋଉ ବ୍ୟସ୍ତ ହୋଇ ପଚାରିଲା ଆଲୋ ମା' ଆଜି ଏତେ ଡେରି କାହିଁକି ହେଲା ? ମୋତେ ଭାରି ବ୍ୟସ୍ତ ଲାଗୁଥିଲା | ହଉ ତୁ ଧୋଇ ହେଇ ଆ' | ବୋଉ ...! ମୋ ପାଇଁ ଟିକେ ଚା' କରି ଆଣିଲୁ | ଚାନ୍ଦିନୀ ଟିକେ ଧୋଇ ହେଇ ଆସି ବୋଉ ହାତରୁ ଚା' କପଟ ନେଇ ପିଇଲା | ଦି ଢ଼ୋକ ପିଇସାରି ବୋଉ ... ଯେତେ ଯିଏ ଚା' କଲେ ବି ଚା' ଦୋକାନର ଚା ଭଳି କାହାରି ଟେଷ୍ଟି ଲାଗିବନି | ତା ଚା' ସତରେ ବହୁତ ନିଆରା | ମୋ ପାଇଁ ତ ୱାର୍ଲଡର ବେଷ୍ଟ ଚା' | ସତ କହୁଛି ବୋଉ ଯଦି କେବେ ଚା' ପ୍ରତିଯୋଗିତା ହୁଏନା ତାହାଲେ ସେ ନିଶ୍ଚୟ ଫାଷ୍ଟ ପ୍ରାଇଜ ପାଇବ | ଆଲୋ... କିଏ ? କାହା ଚା' କଥା କହୁଛୁ ? ସେଇ ମୋ ବୋଉ , ଆମ କଲେଜେ ପାଖ ଚା ଦୋକାନ | କଣ ତ ସେ ଦୋକାନୀ ନାଁ ....ହଁ ପୁର୍ଣ୍ଣେନ୍ଦୁ | ପିଲାଟାର ନାଁ ବି ଯେମିତି ତା ରୂପଟା ବି ସେମିତି ପୁରା ଗୋଟେ ଚାଉଳରେ ଗଢ଼ା | ହାଇଟି ହେଲଥ କଲର କୋଉଥିରେ ଟିକିଏ ବି ଉଣା ନାହିଁ |
ତାକୁ ତ ଦେଖିଲେ କେହି କହିବେନି ଯେ ସେ ଗୋଟିଏ ଚା' ଦୋକାନୀ ବୋଲି | ହୀରା ପରି ଚେହେରା, ବ୍ୟବହାର ବି ଭାରି ବଢିଆ | ମୁ ଭାବୁଛି ସେ ଫିଲ୍ମ ରେ ଟ୍ରାଏ କଲେ ନା ସେ ନିଶ୍ଚୟ ରୋଲ ପାଇଁ ଯାଆନ୍ତା | ହଁ ଅବଶ୍ୟ ମୁ ତାର କ୍ୱାଲିଫିକେସନ ଜାଣିନି , ହେଲେ... ବେଶ ଶିକ୍ଷିତ ପରି ଲାଗେ | ମାର୍ଜିତ ଭାଷା ନମ୍ର ବ୍ୟବହାର | ହଉ ...ହଉ .... ସେତିକି ଥାଉ | ତୁ ଆଉ ସେ ଚା ଦୋକାନୀର ପ୍ରଶଂସା କରନି | ଚାଲ ଟିକେ ରୋଷେଇ ରେ ସାହାଯ୍ୟ କରିବୁ | ତୁ ଆସି ନଥିଲୁ ମନଟା ଭଲ ଲାଗିଲାନି | ସେଥିପାଇଁ ମୁଁ ରୋଷେଇ କରିନି | ବାପାଙ୍କୁ ବି ଭୋକ ଲାଗିବଣି | ହଉ ଚାଲ |
ସବୁଦିନ ପରି ଆଜି ବି ସେ ଚା ଦୋକାନରେ ଭାରି ଭିଡ | ଇଟା ଖୁଣ୍ଟ ଉପରେ ଟିଣ ଦୁଇ ଖଣ୍ଡ ପଡିଛି | ଚାରିପଟ ଇଟାର ଅଧା କାନ୍ଥ ଉଠିଛି | ଦୋକାନ ଭିତରେ ହାତ ନଥିବା ଚେୟାର ଚାରି ପାଞ୍ଚୋଟି ପଡିଛି | ପଥଚାରୀ ଆଉ କଲେଜେ ଲେକଚର ମାନଙ୍କ ଭିଡ ପ୍ରାୟତଃ ଲାଗି ରହିଥାଏ | ଦିନ ୩ ଟାରୁ ରାତି ୯ ଟା ପର୍ଯନ୍ତ ଦୋକାନ ଖୋଲା ରୁହେ | ପୂର୍ଣ୍ଣେନ୍ଦୁ ଓ ଶୁଭେନ୍ଦୁ ଦୁଇ ଭାଇ ଦୋକାନଟିକୁ ଚାଲନ୍ତି | ପୁର୍ଣ୍ଣେନ୍ଦୁ ଚା କରେ ଆଉ ଶୁଭେନ୍ଦୁ ଗରାଖ ମାନଙ୍କୁ ଚା ଦିଏ ଓ ପଇସା ରଖେ | ପୁର୍ଣ୍ଣେନ୍ଦୁ ବଡ ଓ ଶୁଭେନ୍ଦୁ ସାନ | ଚାନ୍ଦିନୀ ଏଇ କଲେଜେରେ ଦୁଇ ମାସ ହେବ ଜଏନ୍ କରିଛି , ଫିଲୋଶପି ଡିପାର୍ଟମେଣ୍ଟରେ | ଶାନ୍ତ ସରଳ ଝିଅ ଟିଏ | ଉଚ୍ଚତା ପାଞ୍ଚ ଫୁଟ ତିନି ଇଞ୍ଚ | ରଙ୍ଗ ଶ୍ୟାମଳ | ଚୁଟି ଗୁଡିକ ଘଞ୍ଚକଳା ଗହନା ଅଂଟା ପର୍ଯ୍ୟନ୍ତ ଲମ୍ବିଛି | ପତଳା ଶରୀରକୁ ଲମ୍ବା ବେଣୀ ଭଲ ମାନେ | ହସ ହସ ମୁହଁ | କଲେଜର ଅନ୍ୟ ଲେକଚର ସହ ଏତେ ମିଶିନି | ଖୁବ କମ କଥା କୁହେ | ଯିଏ ପଚାରିଲେ ଉତ୍ତର ଦିଏ | ପୁର୍ଣ୍ଣେନ୍ଦୁର ଚା' ପିଇଲା ଦିନୁ ତାକୁ ଆଉ କୋଉ ଚା ଭଲ ଲାଗେନି | ହେଲେ ପୁର୍ଣ୍ଣେନ୍ଦୁର ଚେହେରା ଓ ତା'ର ଚା' କଥା ଭାବିଲେ ସେ ଦ୍ବନ୍ଦରେ ପଡ଼ିଯାଏ | ତା ବିଷୟରେ ଜାଣିବାକୁ ତାର ଭାରି ଇଚ୍ଛା ହୁଏ | ହେଲେ ସେ କାହାକୁ ପଚାରିବ ! କାଳେ କିଏ ଖରାପ ଭାବିବ | ସେଥି ପାଇଁ ଚୁପ ରୁହେ | ଏତେ ଭିଡ ଭିତରେ ବି ସେ କେବେ ପୁର୍ଣ୍ଣେନ୍ଦୁ ସହ କଥା ହେଇନି |
ସନ୍ଧ୍ୟା ହୋଇ ଆସିଲାଣି | ଚାନ୍ଦିନୀ ରସୁଲଗଡରେ ଅପେକ୍ଷା କରିଥାଏ ଘରକୁ ଫେରିବାକୁ | ଗାଁକୁ ଯିବାକୁ ଆଉ ବସ୍ ବି ନାହିଁ | ଅଟୋରେ ଯିବାକୁ ପଡିବ | ଚାନ୍ଦିନୀ ଏକ ଲାଇନ ଅଟୋ ରେ ବସିପଡିଲା | ପାଖରେ ଆଉ ଦୁଇ ଜଣ ଭଦ୍ର ଲୋକ | ସେ ସେମାନଙ୍କ ମୁହଁକୁ ଭଲରେ ଦେଖିନି | କିଛି ବାଟ ଗଲା ପରେ ଅଟୋଟି ରହିଲା | ଜଣେ ଭଦ୍ରଲୋକ ଓହ୍ଲେଇଲେ ; ଆଉ ଜଣେ ଅଟୋରେ ବସିଥାନ୍ତି | ନଖରାରେ ଆଟୋଟି ରହିଲା | ଚାନ୍ଦିନୀ ଓହ୍ଲେଇ ପଡି ଅଟୋ ଭଡା ବଢ଼େଇ ଦେଲା | ଆଉ ଜଣେ ଭଦ୍ରଲୋକ ଯେତେବେଳେ ଅଟୋ ଭଡା ଦେଉଥିଲେ ସେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା | ଇଏ ତ ପୁର୍ଣ୍ଣେନ୍ଦୁ !
ଏତେ ସମୟ ଧରି ଏକାଠି ଅଟୋରେ ବସି ଆସୁଥିଲେ , ଏତେ
ବଡ ସୁଯୋଗରେ ବି ସେ ପୁର୍ଣ୍ଣେନ୍ଦୁ ସହ କଥା ହେଇ ପାରିଲା ନାହିଁ | ତାର ଗୋଟିଏ ଅଭ୍ୟାସ ଯେ କୌଣସି ଅପରିଚିତ ଲୋକଙ୍କ ମୁହଁକୁ ସିଧା ଚାହେଁ ନା | ସେ ଯଦି ଅଟୋ ଭିତରେ ସେମାନଙ୍କୁ ଦେଖି ଥାନ୍ତା ତାହାଲେ ହୁଏତ କିଛି କଥା ହେଇ ପାରିଥାନ୍ତା | ନିଜକୁ ନିଜେ ମନେ ମନେ ବହୁତ ଗାଳି କଲା | ସେ ଠିଆ ହୋଇ ଭାବିଲା ବେଳକୁ ପୁର୍ଣ୍ଣେନ୍ଦୁ ବହୁତ ଦୂରକୁ ଚାଲି ଗଲେଣି | ଏମିତି ରାସ୍ତାରେ ଠିଆ ହୋଇ କାହା ସହ ଗପିବାକୁ ତାକୁ ଭଲ ଲାଗେନି | ଭଗବାନ ଜାଣନ୍ତି ଆଉ କେବେ ଏମିତି ସୁଯୋଗ ଆସିବ |
ବେଳେବେଳେ ଭାବିଲେ ନିଜକୁ ଆଶ୍ଚର୍ଯ୍ୟ ଲାଗେ ଯେ ପୁର୍ଣ୍ଣେନ୍ଦୁ ବିଷୟରେ ଜାଣିବା ପାଇଁ ତା'ର ଏତେ ଆଗ୍ରହ କାହିଁକି ?

