CHINMAYEE PRADHAN

Horror Tragedy Thriller

3  

CHINMAYEE PRADHAN

Horror Tragedy Thriller

ରାତିର ଶୂନ୍ୟତାରେ କିଏ

ରାତିର ଶୂନ୍ୟତାରେ କିଏ

4 mins
213



ଆଜି ପୂର୍ଣ୍ଣିମାର ଜହ୍ନଟା ବହୁତ ସୁନ୍ଦର ଦିଶୁଛି। ତାର ସେ ଶୁଭ୍ର ରୂପେଲି ଆଲୋକ ଗଛର ପତ୍ର ଉପରେ ପଡ଼ି ଚିକ୍ ମିକ୍ କରୁଥିଲା। ହଷ୍ଟେଲରେ ଝରକା ଖୋଲି ଆକାଶର ଜହ୍ନକୁ ଚାହିଁ ରହିଥାଏ ବର୍ଷା।ସତରେ ଏ ଜହ୍ନ କେତେ ସୁନ୍ଦର। କେତେ ସୁନ୍ଦର କେତେ ଶୀତଳ ତାର ଆଲୋକ। ତଥାପି କଳଙ୍କର ଟୀକା ତା ମୁଣ୍ଡ ଉପରେ। ସବୁ ସୁନ୍ଦରତାରେ କଣ ଏମିତି କଳଙ୍କ ଥାଏ। ସେଥିପାଇଁ ଦାୟୀ କିଏ? ସେ ନିଜେ ନା ଆଉ କିଏ? ଏମିତି ଭାବୁ ଭାବୁ କେତେବେଳେ ଆସି ରାତି ସାଢ଼େ ବାର ହେଲାଣି।ଆଉ ବିଳମ୍ବ ନ କରି ସେ ଶୋଇବାକୁ ଗଲା। ଲାଇଟ୍ ଅଫ୍ କରି ଖଟ ଉପରେ ଗଡିଲା ବେଳେ ହଠାତ୍ କାହାର ପାଦ ଶବ୍ଦ ଶୁଣିବାକୁ ପାଇଲା। ଶବ୍ଦଟା ଝରକା ପଟେ ଶୁଭୁଥିଲା। ଏତେ ଆଉ କାନ ନ ଦେଇ ସେ ଶୋଇବାକୁ ଚେଷ୍ଟା କଲା। ତଥାପି ଶବ୍ଦ ଶୁଣିବାକୁ ପାଇଲା। ଝରକା ଖୋଲି ଦେଖିଲା କେହି ତ ନାହିଁ। ପୁଣି ଆସି ଶୋଇଲା। କାହାର କାନ୍ଦିବା ଶବ୍ଦ ଶୁଣିବାକୁ ପାଇଲା। ଏତେ ରାତିରେ କିଏ କାନ୍ଦୁଛି? ଝରକା ଖୋଲି ଦେଖିଲା କେହି ବି ତ ନାହିଁ। ଜହ୍ନର ଜ୍ୟୋସ୍ନାରେ ତ ସବୁ ପରିଷ୍କାର ହୋଇ ଦେଖା ଯାଉଛି।


  ସେ ମୁହଁ ଘୋଡାଇ ଦେଇ ଶୋଇଲା। ରୁମରେ ସେଦିନ ସେ ଏକା ଥିଲା। ତାକୁ ଟିକେ ଡର ଲାଗିଲା। ଜୋରରେ ଆଖି ବୁଜି ଶୋଇବାକୁ ଚେଷ୍ଟା କଲା। କିଛି ସମୟ ପରେ କାହାର ଡାକ ଶୁଣି ସେ ଉଠି ବସିଲା। ବର୍ଷା ଦିଦି ! ବର୍ଷା ଦିଦି! ଡାକି କଇଁ କଇଁ ହୋଇ କାନ୍ଦି ତାକୁ ଚାହିଁଛି ଏକ ପନ୍ଦର ବର୍ଷର ଝିଅ।ଚିରାଫଟା ଏକ ଫ୍ରକ୍ ପିନ୍ଧିଛି। ନୁଖୁରା ବାଳ ପବନରେ ଏଣେତେଣେ ଉଡୁଛି।ଗାଲର ଫାଳେ ପୋଡ଼ି ଯାଇଛି।ହାତ ବି ଫାଳେ ପୋଡ଼ି ଯାଇଛି। ଭୟଙ୍କର ଚେହେରା। ମୁହଁଟା ଦେଖିଲେ ଡର ଲାଗୁଛି। ସେ ତାକୁ ଦେଖି ଡରିଯାଇ ଦ‍‍‌‌ଉଡିବାକୁ ଲାଗିଲା।ସେ ପୁଣି ପଛରୁ ଡାକିଲା। ଦିଦି ମୋ ଠାରୁ ଦଉଡ଼ି ପଳାଅନି।ମୋ କଥା ଟିକିଏ ଶୁଣ। ବର୍ଷାର ପାଦ ଅଟକି ଗଲା। ସେ ଆଉ ଆଗକୁ ଯାଇପାରିଲା ନାହିଁ। ପଛକୁ ଫେରି ବି ଚାହିଁ ପାରୁ ନଥାଏ।ଦେହହାତ ଝାଳରେ ବୁଡ଼ି ଗଲାଣି। ଗୋଟା ସୁଧା ଥରୁଛି।


 ଦିଦି ଡରନି। ମୁଁ ତୁମର କିଛି କ୍ଷତି କରିବିନି।ମୋ କଥା ଥରେ ଶୁଣ।ସେ ଡରି ଡରି ଧିରେ ଧିରେ ପଛକୁ ଚାହିଁଲା।ମୋ ଦୁଃଖ କଥା ଥରେ ଶୁଣ। ମୁଁ ଆଜି ବି ଗୋଟିଏ ଅତୃତ୍ପ ଆତ୍ମା। ତୁମେ ଚାହିଁଲେ ମତେ ମୁକ୍ତି ଦେଇ ପାରିବ। ତୁମରି ପରି ମୁଁ ବି ଗୋଟିଏ ଝିଅ।ମୋର ବି ଅନେକ ସ୍ୱପ୍ନ ଥିଲା। ହେଲେ ସେ ସବୁ । ସେ ଜୋରରେ କାନ୍ଦିବାକୁ ଲାଗିଲା। ବର୍ଷା ଥରି ଥରି ତା ମୁହଁକୁ ଚାହିଁଲା। ସାହସ କରି କହିଲା, କ'ଣ ହେଲା ତୁମର କୁହ। ସେ ଲୁହ ପୋଛି କହିଲା, କହିବି ଦିଦି ସବୁ କଥା ତୁମକୁ କହିବି।


  ମୋ ଦିଦି ଏଇ ହଷ୍ଟେଲରେ ରହି ପଢ଼ୁଥିଲା। ସେ ବହୁତ ଭଲ ପଢେ। ବହୁତ ସୁନ୍ଦର ବି ଦେଖିବା ପାଇଁ।ପୁରା ଗୋଟିଏ ଚାଉଳରେ ଗଢା। ତାକୁ ସମସ୍ତେ ବହୁତ ଭଲ ପାଆନ୍ତି। ମୁଁ ବି ବହୁତ ଭଲ ପାଏ।ସେ ବି ମତେ ବହୁତ ଭଲ ପାଏ। ସେଦିନ ରବିବାର ଥିଲା।ଆଉ ପୂର୍ଣ୍ଣିମାର ରାତି ଥିଲା। ହଷ୍ଟେଲରେ ଫଙ୍କ୍ସନ ଥିଲା।ମୋ ଦିଦି ସ୍ୱପ୍ନବାସବଦତ୍ତମ୍ ନାଟକର ହିରୋଇନ୍ ହେଇଥିଲା। ମୁଁ ତା ନାଟକ ଦେଖିବି ବୋଲି ଗାଁରୁ ଆସିଥିଲି। ମତେ ନାଚିବାକୁ ବହୁତ ଭଲ ଲାଗେ। ତେଣୁ ମୁଁ ନାଚିବି ବୋଲି ଦିଦି ତାଙ୍କ କଲ୍ଚରାଲ ଟିମକୁ ଅନୁରୋଧ କରିଥିଲା। ' ରାତ୍ କା ସମା ଝୁମେ ଚନ୍ଦ୍ରମା' ଗୀତରେ ମୁଁ ନାଚିଥିଲି। ବହୁତ ପ୍ରଶଂସା ପାଇଥିଲି। ଦିଦିର ନାଟକ ଆରମ୍ଭ ହେଲା। ମୁଁ ଦିଦିର କିଛି ସାଂଗ ମାନଙ୍କ ସହିତ ବସି ଦେଖୁଥାଏ। ଦିଦିର ଜଣେ ପୁଅ ସାଙ୍ଗ ମତେ କିଛି ଜୁସ୍ ଆଣି ପିଇବାକୁ ଦେଲେ। ମୁଁ ପିଇବାକୁ ମନା କଲି। ସେ କହିଲେ,ତୋ ଦିଦି ପଠେଇଛି।ତାର‌ ଏବେ ସିନ୍ ନାହିଁ। ସେ ମତେ ଦେଖା କରିବାକୁ ଷ୍ଟେଜରେ ପଛପଟକୁ ଡାକୁଛି।ତା କଥାରେ ବିଶ୍ୱାସ କରି ମୁଁ ଗଲି। ହେଲେ ସେଠାରେ ମୋ ଦିଦି ନ ଥିଲା। ଦିଦି କାହିଁ ବୋଲି ପଚାରିବାରୁ ସେ କହିଲେ, ମୁଁ ଦିଦିକୁ ଡାକୁଛି।ତୁ ଜୁସ୍ ପିଇ ଏଠି ବସିଥା। ମୁଁ ହାତରେ ଜୁସ୍ ଧରିଥିଲି ହେଲେ ପିଇ ନ ଥିଲି। କିଛି ସମୟ ପରେ ସେ ଆସି କହିଲେ, ଦିଦି ତତେ ମେକପ୍ ରୁମକୁ ଡାକୁଛି। ମୁଁ ତାଙ୍କ ସହିତ ଗଲି। ସେଠି ବି ଦିଦି ନ ଥିଲା। ସେ କହିଲେ, ସେ ବାଥରୁମ୍ ଯାଇଛି।ତୁ ଜୁସ୍ ପିଇଦେ।ଗରମ ହେଇଗଲେ ଭଲ ଲାଗିବନି। ସେଠି ଆଉ ତିନି ଜଣ ପୁଅ ଥିଲେ। ହଠାତ୍ ରୁମର ଲାଇଟ୍ ଅଫ୍ ହେଇଗଲା।

  

 ମୁଁ ଦିଦିକୁ ଡାକୁଥିଲି। ଏତିକି ବେଳେ ହଠାତ୍ କିଏ ଜଣେ ଆସି ମୋ ପାଟିକୁ ଜୋରରେ ଚାପି ଧରିଲା।ଆଉ ସେଇ ଅନ୍ଧକାରରେ ବିଲୀନ ହୋଇ ଯାଉଥିଲା ମୋ ଆର୍ତ୍ତ ଚିତ୍କାର ।ଅବଶ ହେଇ ଯାଉଥିଲା ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ। ସେଇ ପିଶାଚମାନେ କ'ଣ କଲେ ମୁଁ ଜାଣିନି। ମୋର ହୋସ୍ ଆସିଲା ବେଳକୁ ମୁଁ ନିଜକୁ ଯେଉଁ ଅବସ୍ଥାରେ ଉଦ୍ଧାର କଲି ସେଥିରୁ ବୁଝିଗଲି ଯେ ମୋ ସହ କଣ ସବୁ ହେଇଛି। ମୁଁ ବହୁତ କଷ୍ଟରେ ଉଠି ସେଠୁ ଆସିବା ପାଇଁ ଚେଷ୍ଟା କରୁଥିଲି। ହେଲେ ସେମାନେ ମୋତେ ଆସିବା ପାଇଁ ଦେଲେନି। ଜଣେ କହିଲା,ଆରେ ୟାକୁ ଛାଡ଼ିଦେଲେ ଇଏ ଯଦି ଆମ ସମ୍ପର୍କରେ ମୁହଁ ଖୋଲି ସମସ୍ତଙ୍କୁ କହିଦିଏ ତାହେଲେ ଆମ କ୍ୟାରିୟର କଣ ହେବ ଜାଣି ପାରୁଛ ତ।ଆଉ ଜଣେ କହିଲା, ହଁ ଠିକ୍ କଥା।ୟାର କିଛି ଗୋଟେ ବ୍ୟବସ୍ଥା କରିବାକୁ ପଡ଼ିବ।ତା ପରେ ସେମାନେ ମୋତେ ହାତ ଗୋଡ ମୁହଁ ବାନ୍ଧି ପାଚେରୀ ବାହାରେ ପକେଇ ଦେଲେ।ଆଉ ଜଣେ ଜଣେ ପାଚେରୀ ଡେଇଁ ଆସିଲେ।ମୋ ଦେହରେ ନିଆଁ ଲଗାଇ ସେଠାରୁ ଖସି ପଳାଇ ଆସିଥିଲେ। ମୁଁ କାହାକୁ ପାଟି ଖୋଲି ଡାକି ବି ପାରିଲିନି। ମୋର ଅଧାଅଧି ଶରୀର ପୋଡ଼ି ଯାଇଥିଲା। ଏତିକି ବେଳେ ହଠାତ୍ ଜୋରରେ ବର୍ଷା ହେଲା। ମୋ ଦେହରେ ଲାଗିଥିବା ନିଆଁ ତ ଲିଭିଗଲା । ହେଲେ ପୋଡ଼ା ଶରୀରର ଜ୍ୱାଳା ଅତି ଅସହ୍ୟ ଯନ୍ତ୍ରଣା ଦେଇଥିଲା। ଦୁଇ ଦିନ ଧରି ଭୋକ ଉପାସରେ ସେଠାରେ ପଡ଼ିରହିଲା ପରେ ଅସହ୍ୟ ଯନ୍ତ୍ରଣାରେ ମୁଁ ଆଖି ବୁଜିଲି।


 ସେଇ ପିଶାଚ ମାନେ ଯେପରି କଲବଲ କରି ମତେ ମାରିଛନ୍ତି ମୁଁ ଚାହେଁ ସେମାନେ ବି ଠିକ୍ ସେହିପରି ଛଟପଟ ହୋଇ ମରନ୍ତୁ। ବର୍ଷା ଅବାକ୍ ହୋଇ ତା ମୁହଁକୁ ଚାହିଁ ରହିଥାଏ। ତା ଆଖିରୁ ଧାର ଧାର ଲୁହ ବହି ଯାଉଥାଏ। କାନ୍ଦି କାନ୍ଦି ଡ୍ରେସ୍ ବି ଓଦା ହୋଇ ଯାଇଥିଲା। ଲୁହ ପୋଛି ଚାହିଁଲା ବେଳକୁ ସେ ଝିଅଟା ତା ଠାରୁ ଦୂରେଇ ଯାଉଥିଲା। ପୂର୍ଣ୍ଣିମା ରାତିରେ ସ୍ୱଚ୍ଛ ଆଲୋକରେ ବି ସେ ତାକୁ ପାଇଲା ନାହିଁ। ରାତିର ଶୂନ୍ୟତାରେ କିଏ ସେ କୁଆଡେ ଉଭେଇ ଗଲା। ଶତଚେଷ୍ଟା କରି ବି ସେ ତାକୁ ପାଇଲା ନାହିଁ।



Rate this content
Log in

Similar oriya story from Horror