CHINMAYEE PRADHAN

Drama Romance Tragedy

4  

CHINMAYEE PRADHAN

Drama Romance Tragedy

ଅଜଣା ଚିଠି

ଅଜଣା ଚିଠି

4 mins
367



ସିନ୍ଦୂରା ଫିଟିବା ପୂର୍ବରୁ ଉଠି ଘରର ବାସିକାମ ସବୁ ସାରି ଠାକୁରଙ୍କ ପାଇଁ ଫୁଲ ତୋଳିବାକୁ ଯାଏ ଜିତା। ଫୁଲ ଆଣି ରଖି ଗାଧେଇ ଠାକୁର ପୂଜା ସାରି ସମସ୍ତଙ୍କୁ ଭୋଗ ଦିଏ। ରୋଷେଇ ଘରେ ପଶେ। ଚା, ଜଳଖିଆ ସହିତ ଖରାବେଳ ଖାଇବା ସବୁ ନଅଟା ଭିତରେ ସାରି ଅଫିସ ଯିବାକୁ ପଡେ। ବାପା, ବୋଉ, ଦୁଇ ଭାଇ, ଗୋଟେ ଭଉଣୀ ଓ ପିଇସିନାନୀକୁ ନେଇ ଜିତାର ପରିବାର। ବାପାଙ୍କର ଶ୍ବାସ। ବୋଉର ଆଣ୍ଠୁଗଣ୍ଠି ରୋଗ।ପିଇସିନାନୀ ଯଦିଓ ସୁସ୍ଥ ଘରକାମ କିଛି କରନ୍ତିନି। ପାନଖିଲ ଯାକି ପରଚର୍ଚ୍ଚା କରିବାରେ ତାଙ୍କର ଦିନ ଯାଏ।

ଭଉଣୀ ସାନ ହେଇଥିବାରୁ ସେ ତାକୁ କିଛି କରିବାକୁ ବାଧ୍ୟ କରେନି। ତେଣୁ ସବୁ କାମ ଯେତେ କଷ୍ଟ ହେଲେ ବି ସେ କରେ।


   ବାପାବୋଉଙ୍କର ଔଷଧ ଖର୍ଚ୍ଚ, ଭାଇଭଉଣୀଙ୍କ ପଢା ଖର୍ଚ୍ଚ, ଘରର ଖାଇବା ଖର୍ଚ୍ଚ, ବନ୍ଧୁବାନ୍ଧବ ସମସ୍ତଙ୍କ କଥା ତାକୁ ବୁଝିବା ପାଇଁ ପଡେ। ଘରେ ସାହି ପଡିଶାରେ ସମସ୍ତେ ତାକୁ ଭଲ ପାଆନ୍ତି। ଦେଖିବାକୁ ବେଶୀ ଗୋରା ତକତକ ନ ହେଲେ ବି କଳା ନୁହେଁ। ଶାବନା ରଂଗର ସୁନ୍ଦର ଚେହେରା ତାର। ଶିକ୍ଷିତା, ଚାକିରି ବି କରିଛି। ହେଲେ କାହିଁକି କେଜାଣି ଯେତେ ବାହାଘର ପ୍ରସ୍ତାବ ଆସୁଛି ସବୁ ଭାଙ୍ଗି ଯାଉଛି। ସମସ୍ତେ ଆଶ୍ଚର୍ଯ୍ୟ।ଜିତା ସବୁ ଜାଣି ବି ଚୁପ୍। ସବୁଠୁ ବେଶୀ କଷ୍ଟ ଲାଗେ ଯେତେବେଳେ ସେ ନିଜ ବିଷୟରେ ଏମିତି ବାଜେ କଥା ଲେଖି ବାହାଘର ଭାଂଗେ। ପୁଅଘର ସେ ବେନାମୀ ଚିଠି ପାଇବା ପରେ ବାହାଘର ପାଇଁ ମନା କରି ଦିଅନ୍ତି। 


   ଜିତା ଭାବେ ହୁଏତ ତାକୁ କିଏ ଜାଣିଶୁଣି ବ୍ଲାକମେଲ କରୁଛି। ସେ ଚିଠି କିଏ ପଠାଉଛି ସେ କଥା ସେ ଜାଣିବ ବା କେମିତି? ସେଥିରେ ନା ତାର ନାଁ ଥାଏ, ଠିକଣା ଥାଏ ନା ଫୋନ୍ ନମ୍ବର। ଚିଠିରେ ଏତିକି ଲେଖା ଥାଏ, 'ଏ ବାହାଘର ହେଲେ ତତେ ପସ୍ତେଇବାକୁ ପଡିବ। ତୋ ଭାଇ ଭଉଣୀଙ୍କୁ ଜୀବନରୁ ମାରିଦେବି। ତୋ ଘରେ ନିଆଁ ଲଗାଇଦେବି। ତୁରନ୍ତ ଏ ବାହାଘର ଭାଂଗେ।ହଁ ମନେ ରଖିବୁ ଯେମିତି ଏ ଚିଠି କଥା କେହି ନ ଜାଣନ୍ତି। '

ସବୁଥର ନିର୍ବନ୍ଧ ତାରିଖ ସ୍ଥିର ହେଲା ପରେ ହିଁ ଏ ଚିଠି ଆସି ଜିତା ପାଖରେ ପହଞ୍ଚି ଯାଏ। ଆଉ ଜିତା ବାଧ୍ୟ ହୋଇ ନିଜ ନାଁରେ ଖରାପ କଥା ଲେଖି ପୁଅଘରକୁ ଚିଠି ପଠାଇ ବାହାଘର ଭାଂଗେ। ମନେ ମନେ ଭାବେ କିଏ ସେ ଲୋକ? କାହାର ମୁଁ କି କ୍ଷତି କରିଛି ଯେ ସେ ଏପରି ପ୍ରତିଶୋଧ ନେଉଛି।ଆପଣା ଭାଗ୍ଯକୁ ନିନ୍ଦି ରହିବା ଛଡା ଆଉ କଣ ବା ଉପାୟ ଅଛି। 


   ଏମିତି ବହୁତ ଥର ହେବା ପରେ ସେ ଆଉ ବାହାଘର ପାଇଁ ରାଜି ହେଲାନି। ନିଜକୁ ଘରର ବଡ଼ପୁଅ ଭାବି ସବୁ ଦାୟିତ୍ବ ତୁଲାଇବାକୁ ପ୍ରସ୍ତୁତ କରିନେଲା । ବାହାଘର ପ୍ରସ୍ତାବ ନା ପିଛା ଛଡୁଛି ନା ବାହାଘର ହେଇପାରୁଛି। ସେ ଅଫିସ୍ ବାହାରିଲା ବେଳେ ସାନ ଭଉଣୀ ରୀତା ଆସି କହିଲା, ଦିଦି ଆଜି ତତେ ଦେଖିବାକୁ ଜଗନ୍ ଭାଇର ସାଂଗ ରାଜାଭାଇର ଘରଲୋକେ ଆସିବେ। ତୁ ଅଫିସରୁ ଦିଟା ବେଳେ ଫେରି ଆସିବୁ। ବାପା କହିଲେ। ମୁଁ ବି ଆଜି କଲେଜରୁ ଶୀଘ୍ର ଫେରି ଆସିବି। ଆଜି ମାତ୍ର ତିନିଟା କ୍ଲାସ ଅଛି। 


-ନାଇଁ ରୀତା।ଏତେ ବାହାଘର ଭାଂଗିଯିବା ପରେ ମୋର ଆଉ ବାହା ହେବା ପାଇଁ ଇଚ୍ଛା ନାହିଁ। 


-ହେଲେ ଦିଦି! ଏ ପ୍ରସ୍ତାବଟା ଭାଂଗିବନି। କାରଣ ସେମାନେ ତୋ ବିଷୟରେ ବହୁତ ଭଲ ଭାବରେ ଜାଣିଛନ୍ତି। ଆଉ ସେମାନେ ବି ଆମ ଗାଁ ପାଖ ଲୋକ। 


  ବାହାଘର ଠିକ୍ ହେଇଗଲା ।କାଲି ନିର୍ବନ୍ଧ ।ଜିତା ମନରେ ଅଜଣା ଭୟ ଉଙ୍କି ମାରୁଥାଏ। ପୁଣି ସେ ଚିଠି ଆସିଯିବନି ତ! ଠିକ୍ ଏତିକି ବେଳେ ରୀତା ଆସି ଚିଠିଟି ଦେଇ କହିଲା, ଡାକବାଲା ଦେଇଗଲା ଏଇ ନେ। ଖୋଲି ଦେଖିଲା ସେଇ ପୂର୍ବ ପରି ହିଁ ଲେଖା ହୋଇଛି। ସେ ବି ସଂଗେ ସଂଗେ ପୁଅଘର ଠିକଣାରେ ଲେଖି ପଠେଇ ଦେଲା ପୂର୍ବ ପରି। ଚିଠିଟି ରାଜା ଦେଖିଲା। ଅକ୍ଷର ଚିହ୍ନା ଚିହ୍ନା ଲଗିଲା। ସେ ଫୋଟ ଉଠେଇ ଜଗନ୍ ପାଖକୁ ପଠେଇ ଦେଲା। ଜଗନ୍ ଜାଣି ପାରିଲା ସେଇଟା ତା ଦିଦି ଅକ୍ଷର ବୋଲି। ରାଜାକୁ କହିଲା। ରାଜା ତାଙ୍କ ଘରକୁ ଆସି ଜିତାକୁ ଚିଠି ଦେଖାଇ ପଚାରିଲା, ଦିଦି ଏ ଚିଠିଟା ତୁମେ ଲେଖିଛ? ଜିତା ହଡବଡେଇ ଯାଇ କହିଲା, ମୁଁ... ମୁଁ... କାହିଁକି ଲେଖିବି?କୁହ ଦିଦି ସତ କୁହ। ଏଇଟା ତୁମ ଅକ୍ଷର। ତୁମେ କାହିଁକି ଏମିତି ଲେଖିଲ? ଜିତା କାନ୍ଦିବାକୁ ଲାଗିଲା। ଆଉ ସେ ଅଜଣା ଚିଠି ଦେଖେଇଲା। ଜଗନ୍ ଦେଖି କହିଲା, ଏଇଟା ତ ଜିତେନ୍ଦ୍ରଭାଇ ଅକ୍ଷର ପରି ଲାଗୁଛି। ଆଉ ଏ ଉପରେ ଯେଉଁ ତିନୋଟି ଷ୍ଟାର୍ ଚିହ୍ନ ଏମିତି ଚିହ୍ନ ମୁଁ ତାର ସବୁ ଖାତାରେ ଦେଖିଛି। ତାକୁ ଡାକି ପଚାରିବା ଚାଲ। ଜିତେନ୍ଦ୍ର ଆସିଲା। ତା ଅକ୍ଷର ନୁହେଁ ବୋଲି ମନା କଲା। ମୁଁ ଏମିତି ଚିଠି କାହିଁକି ମୋ ନିଜ ଦିଦିକୁ ଲେଖିବି ବୋଲି ଓଲଟା ପ୍ରଶ୍ନ କଲା। କିନ୍ତୁ ସେ ଷ୍ଟାର୍ ଚିହ୍ନ ଦେଖିବାକୁ ତୋ ପରି ବୋଲି କହିଲା ଜଗନ୍।


-ଦେଖ୍ ଜଗନ୍ ମୁଁ ଏମିତି କରିନି। ଆଉ କିଏ ସେମିତି ଷ୍ଟାର୍ ଚିହ୍ନ ଦେଇ ଲେଖିଥିବ ।


-ଠିକ୍ ଅଛି ଭାଇ। ତାହେଲେ ତୁ ଦିଦି ମୁଣ୍ଡ ଉପରେ ହାତ ରଖି କହ ଯେ ତୁ ଲେଖିନୁ ବୋଲି।

 ସେ ନୀରବରେ ଠିଆ ହେଲା। ଜଗନ୍ କହିଲା, ଚୁପ୍ ହେଇ ଠିଆ ହେଇଛୁ କାହିଁକି? ତା ହାତ ଆଣି ଜିତାର ମୁଣ୍ଡ ଉପରେ ରଖି କହିଲା, ଏବେ କହ।


 ଜିତେନ୍ଦ୍ର ଭୋ ଭୋ ହୋଇ କାନ୍ଦି ଉଠିଲା। ମତେ କ୍ଷମା କରି ଦେ ଦିଦି। ମୁଁ ହିଁ ସେ ଚିଠି ଲେଖିଥିଲି।

- ହେଲେ କାହିଁକି?


- ଘରର ପରିସ୍ଥିତି ପାଇଁ। ଘରେ ତୁ ଏକା ରୋଜଗାରିଆ। ତୁ ଚାଲିଗଲେ ଆମେ ଚଳିବୁ କେମିତି?


- ଜିତା କହିଲା, ଏ କଥା ତୁ ମତେ କହି ପାରିଥାନ୍ତୁ। ମୁଁ କଣ ଏତେ ସ୍ବାର୍ଥପର?


- ବାହାଘର ପରେ ସମସ୍ତେ ବଦଳି ଯାଆନ୍ତି ଦିଦି। ତୋ ଶାଶୁଘର କଥା ନ ବୁଝି ତୁ କଣ ଆମ କଥା ବୁଝିଥାନ୍ତୁ।


     କିଛି ସମୟ କାନ୍ଦିବା ପରେ ରାଜା ସେମାନଙ୍କୁ ଅଟକାଇଲା। ଯାହା ତ ହେଇଛି ହେଇଛି। ଏବେ ବାହାଘର କଥା ଆଗେଇବା। ଲୁହ ପୋଛି ସମସ୍ତେ ଉଠ ନିର୍ବନ୍ଧ କାର୍ଯ୍ୟ ପାଇଁ ସବୁ ରେଡି କରିବାକୁ ହେବ।ସମସ୍ତେ ଯିଏ ଯାହା କାମରେ ଗଲେ। ସେ ଅଜଣା ଚିଠି ତା ନିଜ ଭାଇ ଲେଖିଥିବା କଥା ଜିତା ଭାବିପାରୁ ନଥିଲା।


 


Rate this content
Log in

Similar oriya story from Drama