CHINMAYEE PRADHAN

Abstract Children Stories Drama

4  

CHINMAYEE PRADHAN

Abstract Children Stories Drama

ଅଫେରା ଅତିଥି

ଅଫେରା ଅତିଥି

3 mins
245


 


ଟିକେ ସ୍ନେହ ଆଦର ପାଇଲେ ସମସ୍ତେ ଆପଣାର ହୋଇ ଯାଆନ୍ତି। ସମୟ ଗଡିବା ସହିତ ସମ୍ପର୍କ ସେତିକି ନିବିଡ଼ ହେଇଥାଏ। ସେ ସମ୍ପର୍କଟା ମଣିଷ ମଣିଷ ଭିତରେ ହେଉ କି ପଶୁପକ୍ଷୀଙ୍କ ଭିତରେ ହେଉ କି ମଣିଷ ଓ ପଶୁପକ୍ଷୀଙ୍କ ଭିତରେ ହେଉ। କାହା ସହିତ ଆମର କିଛି ସମ୍ପର୍କ ଥାଉ ବା ନ ଥାଉ ପ୍ରତିଦିନ ଦେଖୁଥିବା ଲୋକଟିକୁ ଦିନେ ନ ଦେଖିଲେ ମନ ଆପେ ଆପେ ଖୋଜେ । ନ ଦେଖିଲେ ଭଲ ଲାଗେ ନାହିଁ।କାଇଁ ଆଜି ସେ ମଣିଷଟା ଦେଖା ଯାଉନି। କିଛି ଅସୁବିଧା ହେଲାକି ଆଉ ଆସିବେନି କି ଏମିତି କେତେ ଭାବନା ମନକୁ ଆସେ। 


    ମୋ ଘର ଚାରି ପାଖରେ ବେଲ, ପିଜୁଳି, ଆତ,ନିମ୍ବ,ସଜନା ଆଦି କେତେ ଗଛ ଅଛି। ସକାଳୁ ସଞ୍ଜ ଯାଏ ବିଭିନ୍ନ ପକ୍ଷୀଙ୍କ କଳରବ ସହିତ ଗୁଣ୍ଡୁଚିମୂଷାର ଚେଁ ଚେଁ ଶବ୍ଦ ସଦା ମନକୁ ଆହ୍ଲାଦିତ କରିଥାଏ। କାଉ,ପାରା,ବଣି,ଶୁଆ, ଘରଚଟିଆ, କୁଣ୍ଡାଖିଆ, କୁମ୍ଭାଟୁଆ, କପୋତ ଏମାନେ ସବୁ ମୋର ନିତିଦିନିଆ ଅତିଥି। ଏମାନଙ୍କୁ ଦେଖିଦେଲେ ମନ ଭାରି ଖୁସି ହେଇଯାଏ। ଘରଚଟିଆ ମୋ ବାରଣ୍ଡାରେ ବସା ବାନ୍ଧି ରହିଲା। ଛୋଟ ଛୁଆଟିକୁ ବାପାମାଆ ଦୁହେଁ ଖାଦ୍ୟ ଆଣି ଦିଅନ୍ତି। ଛୁଆର ଥଣ୍ଟରେ ଖାଦ୍ୟ ଦେଲାବେଳର ଦୃଶ୍ୟ ସତରେ ଅବିସ୍ମରଣୀୟ। ମୁଁ ତାଙ୍କୁ ମୋ ପରିବାରର ଜଣେ ଜଣେ ସଦସ୍ୟ ଭାବରେ ମାନି ନେଇଥିଲି। ଛୁଆଟିର ଡେଣା ଲାଗିଯିବା ପରେ ବହିରୁ ବାହାରି ଆସିଲା। ଧିରେ ଧିରେ ଉଡ଼ିଲା। ବାପାମାଆଙ୍କ ସହିତ ବାହାରକୁ ଗଲା। ମୁଁ ଅପେକ୍ଷାରେ ଥାଏ ସମସ୍ତେ ଫେରିବେ। ହେଲେ ଆଉ ସେମାନେ ଫେରିଲେନି। ଗଛରୁ ଗଛ ଉଡିବୁଲନ୍ତି। ସେଇ ଦିନରୁ ବସାଟା ଖାଲି ପଡ଼ିଛି। ଗଛ ଡାଳରେ ତାଙ୍କୁ ଦେଖି ଖୁସି ହୁଏ।


  ଦିନେ ଛୋଟ ଛୋଟ ଦୁଇଟି ଛୁଆ ଗୁଣ୍ଡୁଚିମୂଷା ଘର ଭିତରକୁ ପଶି ଆସିଲେ। ଏଘର ସେଘର ବୁଲିଲେ । ଆଉ ବାହାରକୁ ଗଲେନି। ସଞ୍ଜ ହେଲା ତଥାପି ସେମାନେ ଗଲେନି। ଏତେ ଛୋଟ ଛୁଆ କ'ଣ ଖାଇବେ? ସେମାନଙ୍କୁ କ୍ଷୀର ଆଣି ଦେଲି। ପିଇଲେ। କ୍ଷୀରରେ ଭାତ ଚକଟି ଦେଲି । ଖାଇଲେ। ସେମାନେଙ୍କ ମାଆବାପା ଆସିଲେ। ମୁଁ ଭାବିଲି ବୋଧେ ସେମାନଙ୍କ ସହିତ ପଳେଇବେ। କିନ୍ତୁ ସେମାନେ ଗଲେନି। ବାପାମାଆ ପଳେଇଲେ।  


   ଦୁଇତିନି ଦିନ ଧରି ରହିଲା ପରେ ମତେ ଲାଗିଲା ଇଏ ବୋଧେ ମୋ ଘରେ ସବୁଦିନେ ରହିବେ। ତାଙ୍କ ସେବାରେ ଜମା ବି ଅବହେଳା ହୁଏନି। ମୋ ଝିଅ ବି ସେମାନଙ୍କୁ ବହୁତ ଭଲପାଏ। ତାଙ୍କର ଯତ୍ନ ନିଏ।  ସ୍କୁଲ ଗଲେ ବି ବାରମ୍ବାର ଫୋନ କରି ତାଙ୍କ କଥା ମୁଁ ପଚାରେ। କେତେବେଳେ ଏଘର ସେଘର ବୁଲୁଥାନ୍ତି ତ କେତେବେଳେ ଜାକିଜୁକି ହୋଇ ଶୋଇ ପଡନ୍ତି। ତାଙ୍କୁ ଦେଖିଦେଲେ ଯେମିତି ପେଟ ପୂରିଯାଏ। ତାଙ୍କୁ ହାତରେ ଧରି ଆଉଁସିବାକୁ ଭାରି ଭଲ ଲାଗେ । ସତେ ଯେମିତି ନିଜ ଛୁଆ। ସେତେବେଳେ ମନେପଡିଯାଏ ରାମଚନ୍ଦ୍ରଙ୍କ ସେତୁବନ୍ଧ କଥା।‌ ପାଣିରେ ବୁଡି ବାଲିରେ ଗଡ଼ି ଦେହକୁ ଝାଡି ବନ୍ଧ ବାନ୍ଧିବାରେ ତା'ର ସେ ସାହାଯ୍ୟ ଆଶ୍ଚର୍ଯ୍ୟାନ୍ବିତ କରିଦେଇଥିଲା ପ୍ରଭୁ ରଘୁନନ୍ଦନଙ୍କୁ। ସ୍ନେହରେ ଆଉଁସି ଦେଇଥିଲେ ତାର ପିଠିକୁ। ଏବେ ବି ତାଙ୍କ ଆଙ୍ଗୁଳି ଚିହ୍ନ ତା ପିଠିରେ ଅଛି।ଏତେ ଛୋଟ ଜୀବ ହେଲେ ବି କେତେ ବୁଦ୍ଧି ତା'ର। ରାମାୟଣରେ ଲିପିବଦ୍ଧ କରିଦେଲା ନିଜ ନାମକୁ।

   

   ଧିରେ ଧିରେ ସେମାନେ ବଡ଼ ହେଲେ। ଟିକେ ଟିକେ ବାହାରକୁ ଗଲେ। ଯାଆନ୍ତି ପୁଣି ଫେରି ଆସନ୍ତି। ସବୁ ସାଙ୍ଗସାଥୀ ବନ୍ଧୁବାନ୍ଧବଙ୍କର ବି ସେମାନେ ପ୍ରିୟ ହେଇ ସାରିଥିଲେ। ସମସ୍ତେ ପଚାରନ୍ତି ଚୁନୁ ମୁନୁ କ'ଣ କରୁଥିଲେ,କେମିତି ଅଛନ୍ତି ଇତ୍ୟାଦି। ମୁଁ ବି ଖୁସିରେ ଗଦଗଦ ହୋଇ କହି ପକାଏ ମୋ ଚୁନୁ ମୁନୁ ଖେଳୁଥିଲେ, ବୁଲୁଥିଲେ,ଖାଉଥିଲେ, ଗେଲ ହେଉଥିଲେ ଇତ୍ୟାଦି ଇତ୍ୟାଦି।

   

  ଦିନେ ସେମାନେ ବାହାରେ ବୁଲୁଥିଲେ। ଆଉ ଦୁଇଟି ଗୁଣ୍ଡୁଚିମୂଷା ଆସି ତାଙ୍କ ସହିତ ଖେଳିଲେ। ସେମାନେ ଯୁଆଡେ ଗଲେ ଏମାନେ ବି ଗଲେ। ସଞ୍ଜ ହେଲା ହେଲେ ସେମାନେ ଆଉ ଘରକୁ ଫେରିଲେନି। ଟର୍ଚ୍ଚ ମାରି ବହୁତ ଖୋଜିଲୁ ହେଲେ ପାଇଲୁନି।ତା ପରଦିନ ସକାଳେ ସେ ବାଡ଼ିରେ ବୁଲୁଥିଲେ। ପାଖକୁ ଗଲି ଡାକିଲି। ହେଲେ ସେମାନେ ଆସିଲେନି। ମୁନୁ ଆସିଲାନି।ଚୁନୁଟା ପାଖକୁ ଆସିଲା ତାକୁ ଟିକେ ଆଉଁସି ଦେଉ ଦେଉ ସେ ବି ପଳେଇଲା। ଭାରି ଦୁଃଖ ଲାଗିଲା। ମୋ ଖୁସିରେ ଯେମିତି କାହାର ନଜର ଲାଗିଗଲା। ଝିଅ ବି ବହୁତ କାନ୍ଦିଲା ସେମାନେ କାଇଁ ଆସୁନାହାନ୍ତି ବୋଲି। ତାକୁ ବୁଝେଇଦେଲି ସିନା ହେଲେ ନିଜକୁ ବୁଝେଇବା ବଡ଼ କଷ୍ଟ। ଯଦି ଫେରିବାର ନଥିଲା ତାହେଲେ କାହିଁକି ଜୀବନରେ ଆସୁଥିଲେ ସେ ଅଫେରା ଅତିଥି ?


Rate this content
Log in

Similar oriya story from Abstract