ବାପାଙ୍କ ଚପଲ
ବାପାଙ୍କ ଚପଲ


ମୁଁ ଯେତେବେଳେ ପ୍ରଥମରେ ପଢୁଥିଲି ସେତେବେଳେ ମୋର ହାଫ୍ ସୁଜ୍ କିଣା ଯାଇଥିଲା କଳା ରଙ୍ଗର। ମୁଁ ବହୁତ ଖୁସି ଥିଲି। କିଛି ଦିନ ପରେ ସେଇଟା ଛିଡ଼ି ଗଲା। ବିନା ଚପଲରେ ମୁଁ ସ୍କୁଲ ଯିବା ପାଇଁ ରାଜି ହେଲିନି। ବାପା ସଙ୍ଗେ ସଙ୍ଗେ ବଜାର ଯାଇ ମୋ ପାଇଁ ହଳେ ସ୍ପଞ୍ଜ ଚପଲ କିଣି ଆଣିଥିଲେ।
ବାପାଙ୍କ ଚପଲଟା ଘୋରି ହେଇ ଯାଇଥିଲା।ଗୋଇଠି ପାଖରେ କଣା ବି ହେଇ ଯାଇଥିଲା। ବାପା! ତୁମ ପାଇଁ ଆଉ ଗୋଟିଏ ଚପଲ ଆଣୁନ ବୋଲି କହିବାରୁ ସେ କହିଲେ, ଏଇଟା ଆଉ କିଛି ଦିନ ଯିବ। ଛିଡ଼ି ଯାଉ ଆଣିବା। କିଛି ଦିନ ପରେ ଚପଲଟା ଛିଡ଼ି ଗଲା। କିନ୍ତୁ ସେ ଆଣିଲେନି। ଦିନ ମଜୁରିଆ ଭାବେ କାମ କରନ୍ତି ସେ। ଯାହା ରୋଜଗାର ତେଲଲୁଣ ସଂସାରକୁ ନିଅଣ୍ଟ।
ଖାଲି ପାଦରେ ଗୋଡ଼ି ସିମେଣ୍ଟ କାମ କରି ବାପାଙ୍କ ପାଦ କଣା ହେଇ ଯାଇଥିଲା।ଦିନେ ସଞ୍ଜରେ ବୋଉ ତାଙ୍କ ପାଦରେ ତେଲ ଗରମ କରି ମାରୁଥିଲା। ମୁଁ ଦେଖିଲି। ବାପାଙ୍କ ପାଦ ଏମିତି କଣା ହେଇଥିବା ଦେଖି ଡରିଯାଇ କଣ ହେଇଛି ବୋଲି କହି କାନ୍ଦି ପକାଇଥିଲି। ବାପାଙ୍କୁ କହିଲି, ତୁମକୁ ସେଦିନଠାରୁ କହୁଛି ଚପଲ ଗୋଟିଏ କିଣ ବୋଲି। ହେଲେ ମୋ କଥା ଶୁଣୁନ। କାଲିଠାରୁ ତୁମେ ମୋ ଚପଲ ପିନ୍ଧି ଯିବ। ବାପା ହସିଦେଇ ଗେଲ କରି କହିଲେ ,ବାୟା ଟାଏ। ତୋ କୁନି ଚପଲ କଣ ମୋ ଗୋଡ଼କୁ ହେବ! ଏଇଥର ମାଲିକ ପଇସା ଦେଲେ କିଣି ଆଣିବି।
ବୋଉ କେବେ ଚପଲ ପିନ୍ଧବା ମୁଁ ଦେଖିନି। ମୁଁ ସେଇଦିନ ବାପାଙ୍କୁ କହିଥିଲି, ବଡ଼ ହେଲେ ମୁଁ ଚାକିରି କରି ତୁମ ପାଇଁ ଆଉ ବୋଉ ପାଇଁ ଭଲ ଦାମିକିଆ ଚପଲ କିଣି ଆଣିବି। ମୁଁ ଧିରେ ଧିରେ ବଡ଼ ହେଲି। ସ୍କୁଲ ଯାଉଥିବାରୁ ମୋ ଚପଲ ଛିଡ଼ିବା ଆଗରୁ ବାପା ନୂଆ ହଳେ କିଣି ଆଣୁଥିଲେ।
ସମୟ କ୍ରମେ ବଡ଼ ହେଇ ମୁଁ ଚାକିରି ବି କଲି। ବିବାହ ହେଲା, ପିଲାଛୁଆ ବି ହେଲେ। ପିଲା ଦିନର ସେ ଶପଥକୁ ମୁଁ ପାଶୋରି ଦେଇଥିଲି। ବାପା ବୋଉଙ୍କ କଥା ଭୁଲି ନିଜ ପିଲାମାନଙ୍କ କଥା ଚିନ୍ତା କରୁଥିଲି। ସେମାନେ କେମିତି ଭଲ ଖାଇବେ ଭଲ ପିନ୍ଧିବେ ସେଇ କଥା ଚିନ୍ତା। ଠିକ୍ ଯେମିତି ପିଲାବେଳେ ମୋ ବାପାବୋଉ ମୋ ପାଇଁ ଚିନ୍ତା କରୁଥିଲେ।
ମଣିଷ ଜାତିଟା ଏମିତି କୃତଘ୍ନ। ଅତୀତକୁ ଭୁଲି ଭବିଷ୍ୟତକୁ ଦେଖି ଚାଲେ। ଦିନେ ବାପା ବାଡ଼ି ପଟେ କଣ କାମ କରୁଥିଲେ। କଳଙ୍କି ଲଗା ଲୁହା ପଶିଯାଇ ଗୋଡ଼ରୁ ବହୁତ ରକ୍ତସ୍ରାବ ହେଲା। ମୁଁ ଘରେ ପହଞ୍ଚିଲା ବେଳକୁ ରାତି। ବୋଉ ତାଙ୍କ କ୍ଷତ ଯାଗାରେ ଲୁଗା ଧଡି ଚିରି ବାନ୍ଧି ଦେଇଥିଲା। ତା ପରଦିନ ସକାଳୁ ତାଙ୍କୁ ମେଡିକାଲ ନେଇ ଗଲି। ଚପଲ ନ ପିନ୍ଧି କାଇଁ ଖାଲି ପାଦରେ ଯାଉଥିଲ ବୋଲି କହିଥିଲି। ବାପା ହସିଦେଇ କହିଲେ, ହଁ ତୋ ବୋଉ ବର୍ଷେ ହେଲାଣି କହିଲାଣି ଚପଲ ହଳେ ଆଣ। ତୁ ତ ମଜୁରି ଲାଗିବାକୁ ମନା କଲୁ। କାମକୁ ତ ଯାଉନି। ମୋର ଚପଲ କଣ ହେବ?
ପିଲାମାନଙ୍କ ପାଇଁ ଭଲ ଦାମୀ ଚପଲ କିଣିବା ବେଳେ ମୁଁ ତ ବାପାଙ୍କ ଚପଲ କଥା ପୁରା ଭୁଲି ଯାଇଥିଲି। ସେଇ ଦିନ ମେଡିକାଲରୁ ଫେରିବା ବେଳକୁ ବାପାଙ୍କ ପାଇଁ ବାଟା କଂପାନୀର ଭଲ ଚପଲ ହଳେ କିଣି ଆଣିଲି। ବାପାଙ୍କର ସେ କ୍ଷତଟା ଭଲ ହେଲାନି କି ବାପା ସେ ଚପଲ କେବେ ପିନ୍ଧି ନାହାଁନ୍ତି। ଆଜି ବି ସେ ଚପଲ ଦେଖିଲେ ବାପାଙ୍କ କଥା ମନେ ପଡେ। ଆଖିରୁ ଦୁଇ ଧାର ଲୁହ ବୋହି ଆସେ।