ସେଦିନର ସେଇ ସାତ ଘଣ୍ଟା
ସେଦିନର ସେଇ ସାତ ଘଣ୍ଟା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସେତେବେଳେ ମୁଁ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଆଚାର୍ଯ୍ୟ କରୁଥାଏ। ଢେଙ୍କାନାଳର ଘଟିପିରି ଠାରେ ରାଷ୍ଟ୍ରୀୟ ଯୁବା ସଂଗଠନ ତରଫରୁ ଅନୁଷ୍ଠିତ ହେଉଥିବା ତ୍ରିଦିବସୀୟ ଶିବିରରେ ଯୋଗ ଦେବା ପାଇଁ ବିଶ୍ବଜିତ ଭାଇ କଲ୍ କଲେ। ଅନ୍ୟ ସାଥୀମାନେ ଯାଇ ସାରିଥିଲେ। ମୋର ପରୀକ୍ଷା ଥିବାରୁ ମୁଁ ପରେ ସଂଧ୍ୟାରେ ଯିବାକୁ କହିଲି। ପୁରୀ- ଢେଙ୍କାନାଳ ଟ୍ରେନ୍ ରେ ମୁଁ ଯିବି ବୋଲି ସ୍ଥିର ହୋଇଥିଲା। ମୋ ସହିତ କଟକରୁ ନାରାୟଣ ଭାଇ ଯିବେ ବୋଲି କହିଥିଲେ। ଚାରିଟାରେ ଛାଡିଲା ଟ୍ରେନ୍। କଟକରେ ପ୍ରାୟ ଟ୍ରେନ୍ ଖାଲି ହେଇଗଲା। ମୋ ବଗିରେ ଚାରି ପାଞ୍ଚ ଜଣ ପାସେଞ୍ଜର ଥାନ୍ତି। ମୋ ସାମ୍ନା ସିଟ୍ ରେ ଜଣେ ନିହାତି ଅଭଦ୍ର ଲୋକ ବସିଥାନ୍ତି। ସେ ଫୋନ ରେ କାହା ସହିତ କଥା ହଉଥିଲେ। ନିହାତି ଅଶ୍ରାବ୍ଯ ଭାଷାରେ ସେ କହୁଥିଲେ। ତାର ଗୁଣ୍ଡା ପରି ଚେହେରା ସାଂଗକୁ ସେ ଭାଷା ଶୁଣି ମତେ ଡର ଲାଗୁଥାଏ। ମୁଁ କେବଳ ଠାକୁରଙ୍କ ନାମ ଜପ କରୁଥାଏ। କଟକରୁ ନାରାୟଣ ଭାଇ ବି ଆସିଲେ ନାହିଁ। ତେଣୁ ମତେ ଏକା ଯିବାକୁ ପଡିବ।କେମିତି ଟ୍ରେନ୍ ଢେଙ୍କାନାଳରେ ପହଞ୍ଚିବ ଖାଲି ବ୍ଯସ୍ତ ହେଇ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ। ଯାହା ହେଉ ସେ ଲୋକଟା ଓହ୍ଲାଇ ଗଲା। ଟିକେ ଶାନ୍ତିରେ ନିଶ୍ବାସ ମାରିଲି।ହେଲେ ଟ୍ରେନ୍ ପୁରା ଖାଲି ହେଇଯାଇଥିଲା। ତେଣୁ ବହୁତ ଡର ଲାଗୁଥିଲା।
ଗୁରୁଡିଝାଟିଆ ପୂର୍ବରୁ ଜଣେ ଲୋକ ଆସି କହିଲେ ଆପଣ ଏକା ନା ଆଉ କିଏ ଅଛି? ମୁଁ କିଛି ନ କହି ଚୁପ୍ ରହିବା ଉଚିତ୍ ମନେକଲି। ସେ କହିଲେ ଦେଖନ୍ତୁ ଟ୍ରେନ୍ ପୁରା ଖାଲି ହେଇଗଲାଣି। ଆଖପାଖ ବଗିରେ ବି କେହି ଲୋକ ନାହାଁନ୍ତି। ମୁଁ ବି ଏଇ ଷ୍ଟେସନରେ ଓହ୍ଲାଇ ଯିବି। ଏ ଜାଗା ଭଲ ନୁହେଁ। ଚୋରି, ଡକାୟତି, ହତ୍ୟା ହୁଏ। ତେଣୁ ଏଇ ଷ୍ଟେସନରେ ଓହ୍ଲାଇ ଆଗକୁ ଯାଇ ଯେଉଁ ବଗିରେ ଲୋକ ଥିବେ ଦେଖି ସେଇଠି ଉଠିଯିବେ। ମୁଁ ତା କଥା ଶୁଣି ଡରିଗଲି ଟିକେ। ସତକୁ ସତ ଟ୍ରେନ୍ ରହିଲା ମାତ୍ରେ ମୁଁ ଓହ୍ଲାଇ ଆଗକୁ ଦୌଡ଼ିଲି। ପ୍ରାୟ ଚାରି ପାଞ୍ଚଟି ବଗି ଖାଲି ପରେ ଆଗରେ ଗୋଟିଏ ବଗିରେ ଜଣେ ପୁରୁଷ ଓ ଜଣେ ମହିଳା ବସିଥିଲେ। ମୁଁ ତର ତର ହୋଇ ଚଢିଗଲି। ତାଙ୍କ ବେଶପୋଷାକରୁ ଲାଗୁଥିଲା ମୁସଲିମ ବୋଲି। ମୁଁ କିଛି ନ କହି ଚୁପ୍ ଚାପ୍ ବସି ଠାକୁରଙ୍କ ନାମ ଜପ କରୁଥାଏ। ରାତି ନଅଟା ବେଳେ ମୁଁ ଘର ଲୋକଙ୍କ ସହ କଥା ହେଇଥିଲି। ଗୁରୁଡିଝାଟିଆ ପାଖେ ଥିଲି ବୋଲି କହିଥିଲି। ବୋଉ ମାମୁଁଘର ସେଠି। ସେ ଜାଗା ବି ଭଲ ନୁହେଁ ବୋଲି ସେ ଜାଣିଥିଲା। ତେଣୁ ଘରେ ଟିକେ ବ୍ଯସ୍ତ ଥିଲେ। ମୁଁ ଢେଙ୍କାନାଳରେ ପହଞ୍ଚି କଲ୍ କରିବି ବୋଲି କହିଥିଲି। ଢେଙ୍କାନାଳରେ ପହଞ୍ଚିଲା ବେଳକୁ ରାତି ଦଶଟା ପନ୍ଦର। ମତେ ନେବାକୁ ଜଣେ ପିଲା ଆସି ସେଠି ଥିଲା। ଘଟିପିରି ସେଠାରୁ ବହୁତ ଦୂର ଥିଲା। ତେଣୁ ସେଇଠୁ ପାଖାପାଖି ଦଶ କିଲୋମିଟର ଦୂର ଜଣେ ଚିହ୍ନା ଲୋକଙ୍କ ଘରେ ରାତିରେ ରହି ସକାଳୁ ଶିବିର ସ୍ଥଳକୁ ଯିବା ପାଇଁ ସ୍ଥିର ହେଲା।
ବାଟରେ ବାଇକ୍ ରେ ଯିବାବେଳେ ମୁଁ ମୋବାଇଲ୍ ଟା ବ୍ଯାଗରେ ରଖି ଦେଇଥିଲି। ବାପା କଲ୍ କରିଛନ୍ତି ଆଉ କେମିତି ହାତ ବାଜି ରିସିଭ୍ ହେଇ ଯାଇଛି । ଆମେ ଦି ଜଣ କଥା ହେଇ ଯାଉଥିଲୁ। ସେ କଥା ସବୁ ତାଙ୍କୁ ଶୁଭୁଥିଲା। ହେଲେ ମୋ ସହିତ କଥା ହେଇ ପାରି ନଥିଲେ। ତେଣୁ ଘରେ ସମସ୍ତେ ବ୍ୟସ୍ତ ହୋଇ ଖିଆପିଆ ବନ୍ଦ କରି ଚିନ୍ତାରେ ଥିଲେ। ତାଙ୍କ ଘରେ ପହଞ୍ଚି ମୁଁ କଲ୍ କଲାବେଳକୁ ସମସ୍ତେ ପୁରା ବ୍ଯସ୍ତ। ସେମାନେ ତ କାନ୍ଦିବା ଆରମ୍ଭ କରି ଦେଇଥିଲେ। ବହୁତ୍ ଗାଳି ଶୁଣିବାକୁ ପଡିଥିଲା।ସେଦିନ ରାତିରେ ତାଙ୍କ ଘରେ ଚକୁଳି ପିଠା ଓ ଡାଲମା ଖାଇ ରହିଲୁ। ତା ପରଦିନ ଶିବିରକୁ ଗଲୁ।