ଅଦିନିଆ ଝଡ଼
ଅଦିନିଆ ଝଡ଼
ପହିଲି ବର୍ଷାରେ ଭିଜା ମାଟିର ବାସ୍ନାରେ ବିମୋହିତ ହେଲା ବିସ୍ମିତା। ଆଃ କି ସୁନ୍ଦର ସତେ ଏ ବାସ୍ନା। ଲମ୍ବା ଶ୍ବାସ ନେଇ ସତେ ଯେମିତି ସେ ସବୁତକ ବାସ୍ନାକୁ ତା ହୃଦୟ ଭିତରେ ସାଇତି ରଖିବ। ହଠାତ୍ ଫୋନ୍ ରିଂ ଶୁଣି ବାରଣ୍ଡାରୁ ଘରକୁ ଆସି ଦେଖେ ତ ବିସ୍ମୟର କଲ୍।
ହେଲୋ
ହଁ ହେଲୋ। ତୁମେ କାଲି ଫ୍ରି ଅଛ କି?
କାହିଁକି?
ନାଇଁ ମୁଁ କାଲି ପୁରୀ ଯାଉଛି ତ। ଯଦି ତୁମେ ଆସନ୍ତ ଦେଖା ହୁଅନ୍ତା।
ହଉ ମୁଁ ଚେଷ୍ଟା କରୁଛି।
ନାଇଁ ମାନେ ତୁମେ କନ୍ଫର୍ମ କଲେ ମୁଁ ସେଇ ଅନୁସାରେ ପ୍ଲାନିଂ କରିବି।
ହଉ ଠିକ୍ ଅଛି। କୋଉ ଜାଗା କୁହ।
ତୁମେ ବସ୍ ଷ୍ଟାଣ୍ଡରେ ପହଁଚି କଲ୍ କରିବ। ହଁ ତୁମର ବ୍ଲୁ ରଙ୍ଗର ଡ୍ରେସ୍ ଅଛି କି? ନାଇଁ ମତେ ଭଲ ଲାଗେ ତ। ଅଛି ଯଦି ପିନ୍ଧିକି ଆସିଲେ ଭଲ ଲାଗିବ।
ହଁ ଅଛି। ପିନ୍ଧିକି ଯିବି।
ହଉ ଅଫିସ୍ ଟାଇମ୍ ହେଲାଣି। ରଖୁଛି।
ଏଇଟା ତାଙ୍କ ସହିତ ପ୍ରଥମ ଦେଖା। ଛାତିଟା ଧକ୍ ଧକ୍ ହଉଛି। ଆମ ଭିତରେ ତ କେବଳ ବନ୍ଧୁତା ଅଛି। ହଁ ଏମିତି ସାଙ୍ଗ ହିସାବରେ ଦେଖା ହେବ। ତଥାପି ଏମିତି କାଇଁ ଲାଗୁଚି ଯେ। ହଉ। ଘରେ କ'ଣ କହି ଯିବି ? ରାତି ସାରା ଆଉ ନିଦ ନାହିଁ। ମୁଁ କେମିତି ସଜେଇ ହୋଇ ଯିବି? ସେ ମତେ ଦେଖି କେମିତି ପ୍ରତିକ୍ରିୟା କରିବେ? ସେ କ'ଣ ପିନ୍ଧି ଆସିଥିବେ? ତାଙ୍କୁ ଦେଖି ପ୍ରଥମେ କ'ଣ କହିବି? ହ୍ୟାଣ୍ଡ ସେକ୍ କରିବି କି ନାହିଁ? କ'ଣ ପଚାରିବେ ? ମୁଁ କ'ଣ ଉତ୍ତର ଦେବି? ଏମିତି ଅନେକ କିଛି ସେ ଭାବି ଚାଲିଥାଏ। ରାତି କେତେବେଳେ ପାହିଗଲା ଜଣା ପଡିଲାନି। ବୋଉ କୁ ତ ଏପର୍ଯ୍ୟନ୍ତ ଜଣେଇନି। ପଢା ସାରି ସେ ଘରେ ରହି କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହେଉଛି। ତେଣୁ କଲେଜ ନାଁ କହି ଯାଇ ହେବନି। ହଁ ସାଙ୍ଗକୁ ଦେଖା କରିବା ପାଇଁ କହିଦେବି।
ବ୍ଲୁ ରଙ୍ଗର ଡ୍ରେସ୍ ସାଙ୍ଗକୁ ମ୍ୟାଚ଼ିଂ କରି କାନର ଓ ଚୁଡ଼ି। ହାଲ୍କା ଲିପ୍ ଷ୍ଟିକ୍। ଅଧା ଚୁଟିରେ କ୍ଲଚର ମାରି ଅଧା ଛାଡି ଦେଲା ଅଣ୍ଟା ପର୍ଯ୍ୟନ୍ତ ଲମ୍ବା ଚୁଟି ।ଦି ଚାରିଟା ସେଲ୍ଫି ନେଇ ଦେଖିଲା । ବେଶ୍ ସୁନ୍ଦର ଦିଶୁଛି ତ।
ବାହାରି ସାରି ବୋଉକୁ କହିଲା, ବୋଉ ମୁଁ ଟିକେ ବିନିକୁ ଦେଖା କରି ଆସୁଛି। ସେ ଆଉ ତା ସ୍ବାମୀ ପୁରୀ ବୁଲିବାକୁ ଆସିଛନ୍ତି ତ। ମତେ ଡାକିଛି ଯିବାକୁ। ମୁଁ ଶୀଘ୍ର ଫେରି ଆସିବି।
ହଉ ଯା ଜଲ୍ଦି ଆସିବୁ।
ଏଁ.. ବୋଉ କ'ଣ କିଛି ନ କହି ଛାଡ଼ିଦେଲା। ହଉ ଭଲ ହେଲା।
ବସ୍ ଷ୍ଟାଣ୍ଡରେ ପହଁଚି କଲ୍ କଲା ବିସ୍ମୟକୁ।
ହଁ ଏଇ ଟ୍ରାଫିକ୍ ପୋଷ୍ଟ ପାଖକୁ ଆସ।
ନାଲି ରଙ୍ଗର ବାଇକ୍, ବ୍ଲୁ ରଙ୍ଗର ସାର୍ଟ୍ ସାଙ୍ଗକୁ କଳା ଓ ବ୍ଲୁ ରଙ୍ଗ ମିଶା ଚଷମା। ଗୋରା ତକ୍ ତକ୍ ଚେହେରାକୁ ଭାରି ସୁନ୍ଦର ଦେଖା ଯାଉଛି। ସତରେ ଇଏ ଏତେ ହ୍ୟାଣ୍ଡ୍ସମ୍ ! ଧିରେ ଧିରେ ସେ ପାଖକୁ ଗଲା। ଟିକେ ଡରିଲା ଭଳି ଠିଆ ହେଲା।
ଆରେ ବସ। ଠିଆ ହେଲ କାଇଁକି?
କିଛି ନ କହି ସେ ବାଇକ୍ ରେ ଚୁପଚାପ୍ ବସିଲା।
କୁଆଡେ ଯିବା?
ଜଗନ୍ନାଥ ଦର୍ଶନ କରିବା ପରେ ସମୁଦ୍ର କୂଳ। ମୋର ଜଣେ ସାଙ୍ଗର ଦୋକାନ ଅଛି ମନ୍ଦିର ପାଖରେ। ସେଇଠି ବାଇକ୍ ରଖିଦେଇ ଯିବା।
ଜଗନ୍ନାଥ ଦର୍ଶନ ଭଲରେ ଭଲରେ ହେଇଗଲା।
ମହାପ୍ରସାଦ ଖାଇବା ନା ହୋଟେଲ ରେ?
ମହାପ୍ରସାଦ ଥାଉ ଥାଉ ହୋଟେଲ କାଇଁ ଯିବା?
ଦୁହେଁ ମହାପ୍ରସାଦ ଖାଇ ସମୁଦ୍ରକୂଳକୁ ଗଲେ। କିଛି ବାଟ ଚାଲିବା ପରେ ବିସ୍ମୟ କହିଲା, ଏଇଠି ଟିକେ ବସିବା। ବଢ଼ିଆ ପବନ ବହୁଛି। ଦୁହେଁ ବାଲି ଉପରେ ବସିଲେ। ବିସ୍ମୟ କହିଲା, ଆଉ କ'ଣ କୁହ।
ତୁମେ କୁହ।
ତୁମର ପସନ୍ଦ ନାପସନ୍ଦ ବିଷୟରେ କିଛି କୁହ।
ଉଭୟ ଉଭୟଙ୍କ ବିଷୟରେ ଜାଣିବା ପରେ ବିସ୍ମୟ କହିଲା, ମୋ ସହିତ ବନ୍ଧୁତା କରିବାରେ ତୁମକୁ ଭଲ ଲାଗୁଛି ତ। ମାନେ ମୁଁ ତୁମକୁ କେମିତି ଲାଗିଲି?
ହଁ ଭଲ। ଆଉ ମୁଁ ତୁମକୁ?
ହଁ ଭଲ। ତୁମେ ବହୁତ ସିମ୍ପଲ୍। ମତେ ସିମ୍ପଲ୍ ଝିଅ ଭଲ ଲାଗନ୍ତି।
ବିସ୍ମିତା ଟିକେ ଲାଜେଇଗଲା।
ଡେରି ହେବ। ମତେ ଏବେ ଘରକୁ ଫେରିବାକୁ ପଡିବ।
ମୁଁ ବାଇକ୍ ରେ ନେଇ ଛାଡିଦେବି କି?
ନା ନା। ମୁଁ ବସ୍ ରେ ପଳେଇବି।
ସେ ଘରକୁ ଫେରିଲା। ବିସ୍ମୟର ସୌନ୍ଦର୍ଯ୍ୟ ତାକୁ ମୁଗ୍ଧ କଲା। ବହୁତ ଭଲ ପିଲା ସେ।
ଫୋନରେ କଥା ହେବା ବଢ଼ି ଚାଲିଲା।କିଛି ଦିନର କଥାବାର୍ତ୍ତା ପରେ ବିସ୍ମିତା ବିସ୍ମୟକୁ ଭଲ ପାଇ ବସିଲା। ବିସ୍ମୟ ବି ତାକୁ। ହେଲେ କେହି କାହାକୁ ପାଟି ଖୋଲି କହି ନାହାଁନ୍ତି। କିନ୍ତୁ ଉଭୟ ଉଭୟଙ୍କ ମୁହଁରୁ ଶୁଣିବା ପାଇଁ ଚାତକ ପରି ଚାହିଁ ରହିଥାନ୍ତି।
ବିସ୍ମିତା ଗୋଟିଏ ବାହାଘର ଭୋଜିକୁ ଭୁବନେଶ୍ୱର ଯାଇଥାଏ।
ସେଠାରେ ବିସ୍ମୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।
ତୁମେ ଏଠି?
ହଁ ମୋ ସାଙ୍ଗର ବାହାଘର।
ମାନେ ବିକି ଭାଇ ତୁମ ସାଙ୍ଗ। ସେ ମୋ ମାଉସୀ ପୁଅ। ସେ ମୋ ଠାରୁ ଚାରି ମାସ ବଡ଼। ମାଉସୀଙ୍କ ଦେହାନ୍ତ ପରେ ଘରେ ଅସୁବିଧା ହେବାରୁ ମଉସା ତାଙ୍କ ବାହାଘର କଲେ। ତାଙ୍କର ତ ଏବେ ବାହା ହେବାକୁ ଜମା ବି ଇଚ୍ଛା ନ ଥିଲା। ଏତିକି ବେଳେ ତା'ର ବୋଉ ଆସି ପହଞ୍ଚିଗଲେ।
ଶୀଘ୍ର ଆସ । ଫଟୋ ଉଠାଇବାକୁ ଡାକୁଛନ୍ତି। ସମସ୍ତେ ଅଛନ୍ତି। ତୁ ଆସି ଏଠି।
ବୋଉ, ଇଏ ବିସ୍ମୟ। ବିକୁ ଭାଇର ସାଙ୍ଗ।
ମାଉସୀ ନମସ୍କାର।
ହଉ ବାପା। ବୁଢ଼ାଟିଏ ହେଇ ଥାଅ।
ଆମେ ଟିକେ ବ୍ୟସ୍ତ ଅଛୁ। ପରେ କଥା ହେବା। କହି ସେ ବିସ୍ମିତାକୁ ନେଇ ଚାଲିଗଲେ।
ଫେରିବା ବେଳେ ବିସ୍ମୟ ସହ ଆଉ ଦେଖା ହେଇ ପାରିଲାନି।
ଦିନେ ଫୋନରେ କଥା ହେବା ବେଳେ ବିସ୍ମୟ ତାକୁ ପଚାରିଲା, ତୁମର କେବେ ବାହାଘର ହେବ?
ଏବେ ତ ପ୍ରସ୍ତାବ ଆସିଲାଣି। ହେଲେ ମୁଁ ଏବେ ଚାହୁଁ ନାହିଁ। ଆଗେ ନିଜ ଗୋଡ଼ରେ ଠିଆ ହୁଏ। ତା ପରେ ଚିନ୍ତା କରିବି।ଆଉ ତୁମର?
ହଁ ମନଲାଖି ଝିଅଟେ ମିଳିଗଲେ ବାହା ହେଇଯିବି।
ଆଛା ତେବେ ଖୋଜା ଚାଲିଛି।
ହଁ। ଖୋଜି ଦେବ କି?
ଚେଷ୍ଟା କରିବି। ମୋର ସୋମବାର ଏସ୍.ଏସ୍. ବି. ପରୀକ୍ଷା ଅଛି। ମୁଁ ଏବେ ଟିକେ ପଢ଼ାପଢ଼ି କରିବି। ପରୀକ୍ଷା ନ ସରିବା ପର୍ଯ୍ୟନ୍ତ କଲ୍ କରିବନି ପ୍ଲିଜ।ପରେ କଥା ହେବା। ରଖୁଛି।
ଦି ଜଣ ଫୋନ୍ ରଖିଲା ବେଳେ କେହି କେବେ କାହାକୁ ବାଏ କହି ନାହାନ୍ତି।
ପ୍ରାୟ ଆଠ ଦିନ ହେଇଗଲାଣି। ଉଭୟ କଥା ହେଇ ନାହାନ୍ତି। ଦୁଇ ଦିନ ହେଲା ପରୀକ୍ଷା ସରି ଗଲାଣି। ବିସ୍ମିତା କଲ୍ କଲା। ହେଲେ କେହି ରିସିଭ୍ କଲେନି। ଭାବିଲା ହୁଏ ତ ବ୍ୟସ୍ତ ଅଛନ୍ତି। ଆଠ ଦଶ ଘଣ୍ଟା ପରେ ମଧ୍ୟ କଲ୍ ବ୍ଯାକ୍ ଆସିଲାନି। ସେ ଆଉଥରେ କଲ୍ କଲା। ତଥାପି ଉତ୍ତର ନାହିଁ। ଲଗାତାର ପାଞ୍ଚଛଅଟା କଲ୍। ତଥାପି କୌଣସି ଉତ୍ତର ନାହିଁ। ଭାରି ବ୍ୟସ୍ତ ଲାଗୁଥିଲା। କିଛି ଅସୁବିଧା ହେଇନି ତ। ହେ ପ୍ରଭୁ ସେ ଭଲରେ ଥାଆନ୍ତୁ ପ୍ଲିଜ। ତାଙ୍କର କିଛି ନ ହେଇଥାଉ। ଓଃ ସେ କଲ୍ ନ ଉଠାନ୍ତୁ। ମୁଁ ଏତେ ବ୍ୟସ୍ତ କାଇଁ ହଉଛି ଯେ। ସିଏ ତ ମୋର କେହି ନୁହନ୍ତି। କେବଳ ବନ୍ଧୁ। ମନକୁ ବୁଝେଇ ଚୁପ୍ ହେଇ ରହିଲା।
ପ୍ରାୟ ଛଅ ମାସ ହେଲାଣି। ବିସ୍ମିତା ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛି। ନୂଆ ଜାଗା ନୂଆ ଲୋକ। ପୁରୀ ଝିଅ। ସମ୍ବଲପୁର ଭାଷା ଟିକେ ଅଲଗା। ଗୋଟିଏ ଗୋଟିଏ ଶବ୍ଦ ବୁଝିବା ଭାରି କଷ୍ଟ ଲାଗୁଥାଏ। ୟା ଭାଷା ବି ସେମାନଙ୍କୁ ଟିକେ ଅଡ଼ୁଆ ଲାଗୁଥାଏ। କିଛି ଦିନ ପରେ ସେ ତାଙ୍କ ଭାଷା ଶିଖିଗଲା।ଏଇ ଯେମିତି ଖାଇବିନି କୁ ନାଇଁ ଖାଇ । ଝିଅକୁ ନନୀ ପୁଅକୁ ବାବୁ। ଯିବି କି - ଯିମି କାଏଁ ପ୍ରଭୃତି।
ନିଜର କର୍ତ୍ତବ୍ୟ ନିଷ୍ଠା ଓ ସଚ୍ଚୋଟତା ପାଇଁ ସେ ସମସ୍ତଙ୍କର ପ୍ରିୟ ହେଇ ସାରିଲାଣି। ଅସାଧୁ ବ୍ୟକ୍ତି ମାନଙ୍କର ତ ଶତ୍ରୁ ନିଶ୍ଚୟ। ପରୋକ୍ଷରେ ବହୁତ ଧମକ ବି ଆସିଲାଣି। ହେଲେ ସେ କାହାକୁ ଡରିନି। "ମରିବାକୁ ଡର କାହିଁକି? ଯିଏ ଡରେ ସିଏ ତ ନିଇତି ମରେ।"
ଦିନେ ବୋଉ ଫୋନ୍ କରି କହିଲା, ତୋର ବାହାଘର ପ୍ରସ୍ତାବ ଆସିଛି। ବିକୁ ଭାଇ ବୁଝିଛି।ସେମାନେ ଏଇ ରବିବାର ଦେଖି ଆସିବେ।ପୁଅ ଡି.ସି.ପି. ଅଛି ଅନୁଗୁଳରେ। ଘର କଟକ।ତୁ ଘରକୁ ଆସ୍। ଠିକ୍ ଅଛି ବୋଉ ମୁଁ ଯିବି।
ସେମାନେ ଆସିଲେ। ଥଣ୍ଡା ଓ ଜଳଖିଆ ଖାଇ ସାରି ଝିଅକୁ ଦେଖିବାକୁ ପୁଅର ବୋଉ ଡାକିଲେ। ବିସ୍ମିତା ବାଇଗଣି ରଙ୍ଗର ଏକ ସମ୍ବଲପୁରୀ ଶାଢ଼ୀ ପିନ୍ଧି ଆସିଲା। ଭାବି ଶାଶୁଶଶୁରଙ୍କୁ ପ୍ରଣାମ କରି ପୁଅକୁ ନମସ୍କାର କଲା। ଆଶ୍ଚର୍ଯ୍ୟ! ଇଏ ବିସ୍ମୟ ବୋଧେ। ଶାଶୁ ବସିବାକୁ କହିଲେ। ହୃଦସ୍ପନ୍ଦନ ଯେମିତି ବଢ଼ି ଚାଲିଥାଏ। କିଛି ଔପଚାରିକ ପ୍ରଶ୍ନ ପରେ ଝିଅ ପସନ୍ଦ ହେଇଛି ବୋଲି କହିଲେ।
ଆଜିକାଲିକା ପିଲା। ତେଣୁ ସେମାନେ ଟିକେ ପରସ୍ପର ଏକୁଟିଆ କଥା ହେଇଗଲେ ଭଲ। ଅନୁମତି କ୍ରମେ ଦୁହେଁ ଛାତ ଉପରକୁ ଗଲେ।
ବିସ୍ମୟ- ଚିହ୍ନି ପାରିଲେ ମାଡାମ୍?
ବିସ୍ମିତା - ବିସ୍ମୟ ତୁମେ!
ବିସ୍ମୟ- ବିସ୍ମୟ କିଏ? ପୁଣି ତୁମେ ସମ୍ବୋଧନ? ମୁଁ ଡି.ସି.ପି. ବିସ୍ମୟ ତ୍ରିପାଠୀ।
ବିସ୍ମିତା ଆଶ୍ଚର୍ଯ୍ୟ ହୋଇ ଚାହିଁଲା।
ବିସ୍ମୟ ତାକୁ ଦେଖି ହସିଦେଇ କହିଲା, ଆରେ ତୁମେ ଆଶ୍ଚର୍ଯ୍ୟ ହେଇ ଚାହିଁଛ କ'ଣ। ମୁଁ ସେଇ ବିସ୍ମୟ ତୁମ ଫେସବୁକ ଫ୍ରେଣ୍ଡ୍।
- ହେଲେ ତୁମେ ତ ଗୋଟେ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରୁଥିଲ! ପୁଣି ଡିସିପି?
- ହଁ କରୁଥିଲି। ହେଲେ ତୁମେ ହିଁ ମତେ ପ୍ରେରଣା ଦେଇଛ ଡିସିପି ହେବା ପାଇଁ।
- ମୁଁ ଦେଇଛି?
- ହଁ ତୁମେ। ତୁମ ପାଠପଢ଼ା ଦେଖି ମୁଁ ସ୍ଥିର କରି ନେଲି ।ତୁମ ପାଇଁ ଯୋଗ୍ୟ ହେବାକୁ ପ୍ରସ୍ତୁତ କରିନେଲି ନିଜକୁ।
ମୋର ସେଇ ମନଲାଖି ଝିଅ ତୁମେ ହିଁ ଥିଲ।
ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାଏ ବିସ୍ମିତା।
- ଆରେ । ଆଉ ଆଶ୍ଚର୍ଯ୍ୟ ହୁଅନି। ପ୍ରେମ କେବେ କାହାର କ୍ଷତି କରେନି । ସେ ତ କେବଳ ଉପକାର ହିଁ କରିଥାଏ। ଏଇ ଦେଖ ଯେମିତି ପ୍ରେମ ମତେ ଡିସିପି ବନେଇ ଦେଲା।
- ଆଛା। ତେବେ ତୁମେ ମତେ ପ୍ରେମ କରୁଥିଲ । କାଇଁ କେବେ ତ କହିନ। ଯଦି ଏତେବେଳକୁ ମୋ ବାହାଘର ସରି ଯାଇଥାନ୍ତା।
- କେମିତି ସରିବ। ତୁମେ ବି ତ ମତେ ଭଲ ପାଉଥିଲ।
- ତୁମେ କେମିତି ଜାଣିଲ?
- ତୁମ ଆଖିରୁ।ଆମର ପ୍ରଥମ ଦେଖାରୁ। ଯଦି ମତେ ଭଲ ପାଉନଥାଆନ୍ତ ମୁଁ ଡାକିଲେ ତୁମେ ଆସି ନ ଥାନ୍ତ। ତା ଛଡା ତୁମର ସବୁ ଖବର ମୁଁ ବିକୁ ପାଖରୁ ଜାଣୁଥିଲି। ତୁମେ ରକ୍ଷଣଶୀଳ ପରିବାରର ଝିଅ। କାଳେ ପ୍ରେମକୁ ସ୍ବୀକୃତି ନ ଦେଇ ଥାନ୍ତ। ସେଥିପାଇଁ ସିଧା ବାହାଘର ପ୍ରସ୍ତାବ ନେଇ ଠିକ୍ ସମୟରେ ଘରେ ପହଞ୍ଚିଗଲି।
ବିସ୍ମିତାକୁ ଯେତିକି ଖୁସି ଲାଗୁଥାଏ ସେତିକି ଆଶ୍ଚର୍ଯ୍ୟ ବି ଲାଗୁଥାଏ।
ସେ ତାକୁ ସେମିତି ଚାହିଁ ରହିଥାଏ। - - ସତରେ ତୁମେ ମତେ ଏତେ ଭଲ ପାଉଥିଲ?
- ପାଉଥିଲି ନୁହେଁ ଏବେ ବି ପାଉଛି ଆଉ ସବୁବେଳେ ପାଉଥିବି। ଏବେ ଖାଲି ବାହାଘରକୁ ଅପେକ୍ଷା। ତୁମେ ଯେତେ ଶୀଘ୍ର ଚାହିଁବ ସେତେ ଶୀଘ୍ର ମୋ ବଧୂ କରି ଘରକୁ ନେଇଯିବି।
ବିସ୍ମିତା ଲାଜେଇ ଯାଇ କହିଲା, ଏବେ ଚାଲ ଯିବା ସମସ୍ତେ ଅପେକ୍ଷା କରିଥିବେ।
ଦୁହେଁ ତଳକୁ ଆସିଲେ।
ଖୁବ୍ ଧୁମଧାମରେ ବାହାଘର ହେଲା।ମଧୁଶଯ୍ୟା ରେ ଅପେକ୍ଷାରତ ବିସ୍ମିତା। ବିସ୍ମୟର ପ୍ରବେଶ। ଧିରେ ଆସି ତା ପାଖରେ ବସିଲା। ଆସ୍ତେ ଓଢ଼ଣା କାଢ଼ି ଦେଖିଲା। ତୁମର ଏ ବଧୂ ବେଶକୁ ନା ମୁଁ କେବେଠୁ ଅପେକ୍ଷା କରିଥିଲି। ତୁମ ଅନୁମତି ନେଇ ଟିକେ ଗେଲ କରି ପାରିବି।
ବିସ୍ମିତା ଲାଜେଇ ଗଲା ଆଉ ମନେମନେ ଟିକେ ରାଗି କହିଲା ଆଜି ଭଳି ଦିନରେ କିଏ କ'ଣ କାହାର ଅନୁମତି ନିଏ।
ଆଛା ମୁଁ ଯଦି ମନାକରେ ତାହେଲେ କ'ଣ ତୁମେ ମତେ ଛୁଇଁବନି?
ନା ନା ମୋଟେ ନୁହଁ।
ହଉ ମୁଁ ମନାକଲି। କହି ଚୁପ୍ ହେଇ ରହିଲା। ବିସ୍ମୟ ବି ଚୁପ ହେଇ ବସିଥାଏ ତା ମୁହଁକୁ ଚାହିଁ। କିଛି ସମୟର ନୀରବତା ପରେ ବିସ୍ମିତା ବିସ୍ମୟର ଗାଲରେ ଆଙ୍କି ଦେଲା ଏକ ପ୍ରେମ ଭରା ଚୁମା। ତା ପରେ ତାକୁ ଏକ ଦୀର୍ଘ ଆଲିଙ୍ଗନ। ପ୍ରତିକ୍ରିୟା ପ୍ରକାଶ ପାଇଥିଲା ବିସ୍ମୟର। ରାତି ବଢ଼ିବା ସାଙ୍ଗକୁ ଦୁଇ ପ୍ରେମ ପକ୍ଷୀଙ୍କ ମିଳନ ବି ଖୁବ୍ ନିକଟତର ହୋଇ ଆସୁଥିଲା। ଏ ରାତି ଆଉ ଟିକେ ବଢ଼ି ଯାଆନ୍ତା କି।
ସୁଖର ସଂସାର ହସଖୁସିରେ ଆଗେଇ ଚାଲିଲା। ଝିଅଟିଏ ବି ହେଲା।ଫାଙ୍କା ସମୟ ମିଳିଲେ ଉଭୟ ଉଭୟଙ୍କୁ କଲ୍ କରନ୍ତି। କିଛି ଦିନ ପରେ ବିସ୍ମୟର କଥା ହେବା କମିବାରେ ଲାଗିଲା। ବିସ୍ମିତା ଭାବୁଥାଏ ହଁ ବୋଧହୁଏ କାର୍ଯ୍ୟ ବ୍ୟସ୍ତ ରହୁଥିବେ।ଏହା ଭିତରେ ତା'ର ବାଲେଶ୍ଵର ବଦଳି ହେଇଯାଇଥିଲା। ବିସ୍ମୟର ପୁରୀ। ଯେମିତି ବି ହେଲେ ପ୍ରତି ମାସରେ ଥରେ ଦେଖା କରୁଥିବା ଲୋକଟାର ତିନି ମାସ ହେଲାଣି ଦେଖା ନାହିଁ। ତା ମନରେ ଅନେକ ପ୍ରଶ୍ନ। ସେ ମତେ ଆଉ ଆଭଏଡ୍ କରୁନାହାନ୍ତି ତ। କିଛି ଦିନ ପରେ ବିସ୍ମୟ ଆସିଲା। ପୂର୍ବ ଭଳି ପ୍ରେମର ବାସ୍ନା କିନ୍ତୁ ବିସ୍ମିତା ଅନୁଭବ କଲା ନାହିଁ। ମୋବାଇଲ୍ ଚାର୍ଜରେ ବସେଇ ବିସ୍ମୟ ଝିଅକୁ ନେଇ ବାହାରକୁ ବୁଲିବା ପାଇଁ ଯାଇଥିଲା। ଏହି ସମୟରେ ତା'ର କଲ୍ ଆସିଲା। ବିସ୍ମିତା ଦେଖିଲା, ଲେଖା ହେଇଛି ସ୍ବିଟି ଲିସା ଆଉ ଗୋଟେ ଝିଅର ଫଟୋ ବି ଅଛି। ହେଲେ ଇଏତ କେହି ତାଙ୍କର ଚିହ୍ନା ପରିଚିତ ନୁହେଁ। ପୁଣି ସାଙ୍ଗେ ସାଙ୍ଗେ ହ୍ବଆଟ୍ସଆପ ରେ ମେସେଜ। ହାଏ ମାଁଇ ଡିଅର ସ୍ବିଟୁ କ'ଣ ଯେ କାଲିଠୁ ମୋ ସାଙ୍ଗେ କଥା ହେଇନ। କ'ଣ କରୁଚ ଯେ କଲ୍ ରିସିଭ୍ କରୁନ। ଯଲଦି କଲ୍ କରିବ ତୁମ ସହ କଥା ନ ହେଲେ ମତେ ଜମା ବି ଭଲ ଲାଗେନା। ଠିକ୍ ଏଇ ସମୟରେ ବିସ୍ମୟ ଆସି ତା ହାତରୁ ଫୋନ୍ ଟି ଛଡ଼େଇ ନେଲା। ବିସ୍ମିତା ତା ଠାରୁ ଛଡ଼େଇବାକୁ ଯାଇ ବିଫଳ ହେଲା। ଏମିତି କାହାର ଫୋନ୍ ଚେକ୍ କରିବା ଅଭଦ୍ରାମି ଅଟେ । ତୁମେ ତ ଶିକ୍ଷିତ।
ହଁ ମୁଁ ଶିକ୍ଷିତ। ହେଲେ ମତେ ଆଗ କୁହ ସେ ଝିଅ କିଏ।
କୋଉ ଝିଅ?
ଯୋଉ ଝିଅ ଏବେ କଲ୍ କରିଥିଲା।
ସ୍ବିଟି ଲିସା। ସେ କିଏ?
ସେ ମୋର ସାଙ୍ଗ।
ସେ ଏମିତି କୋଉ ସାଙ୍ଗ ଯେ ତମକୁ ଡିଅର ସ୍ବିଟୁ ଡାକିବ।
ହଁ ସେ ସେମିତି ଖୁସିରେ ଡାକେ। କହି ମୋବାଇଲ୍ ରୁ ହ୍ବଆଟ୍ସଆପ ସଙ୍ଗେ ସଙ୍ଗେ ଡିଲିଟ୍ କରିଦେଲା।।
ଏସବୁ ଦେଖି ବିସ୍ମିତାର ପାଦତଳୁ ମାଟି ଖସିଗଲା ପରି ଲାଗିଲା।ସତେ ଯେମିତି ଏକ ଅଦିନିଆ ଝଡ଼ ତା ଜୀବନଟାକୁ ଛାରଖାର କରି ଦେଇ ଯାଇଛି।