ଆଉ ଏକ ସୁଯୋଗ
ଆଉ ଏକ ସୁଯୋଗ
କାହିଁକି କେଜାଣି ପୁରୁଣା ଦିନର ସେ ଅଭୁଲା ସ୍ମୃତିଗୁଡିକ ମନେ ପଡିଯାଉଛି। ଭୁଲିବାକୁ ଯେତେ ଚେଷ୍ଟା କଲେବି ସେ ସେତେ ସତେଜ ହେଇ ଉଠୁଛି।ପରିବାର ବିରୋଧରେ ଯାଇ ସରୋଜର ହାତ ଧରିଥିଲା। ସରୋଜ ପଟ୍ଟନାୟକ, ଅଫିସର ସବୁଠାରୁ ଡେଙ୍ଗା, ଗୋରା, ଶାନ୍ତ ଓ ଭଦ୍ର ପିଲା। କୌଣସି ନିଶା ବି ସେବନ କରେନି। ସେଥିପାଇଁ ତ ସ୍ମିତା ଅଜାଣତରେ କେତେବେଳେ ସେ ତା ପ୍ରତି ଆକର୍ଷିତ ହେଇ ପଡିଲା।ଜାତିରେ ଭିନ୍ନ ହେଇଥିଲେ ବି ତାକୁ ବିବାହ କଲା। ଦୁହେଁ ଗୋଟିଏ କଂପାନୀରେ ଚାକିରି କରିଥିଲେ। ବେଶ୍ ଭଲରେ ଚଳୁଥିଲା ସଂସାର। ସେ ସରୋଜକୁ ଯେତିକି ଭଲ ପାଉଥିଲା ସରୋଜ ମଧ୍ୟ ତାକୁ ସେତିକି ଭଲ ପାଉଥିଲା।ଝିଅଟିଏ ବି ହେଲା। ସରୋଜର ବାଲେଶ୍ବର ବଦଳି ହେଇଗଲା। ଇଏ ମା ଝିଅ ଦୁହେଁ ଭୁବନେଶ୍ଵର ରେ ରହିଲେ। ପନ୍ଦର ଦିନରେ ଥରେ ସରୋଜ ଆସେ।
ଦିନେ ସରୋଜର ମୋବାଇଲ୍ ରିଂ ହେଲା। ସେ ବାଥରୁମ୍ ରେ ଥିଲା। ତେଣୁ ସ୍ମିତା ରିସିଭ୍ କଲା। ସେପଟୁ ଜଣେ ଝିଅ କହିଲା, କେବେ ଫେରିବ ଡିଅର୍? ଅଫିସଟା ତୁମ ବିନା ଭଲ ଲାଗୁନି। ଜଲଦି ଆସ। ସ୍ମିତା କହିଲା, କିଏ ଆପଣ?
-ଆପଣ କିଏ?
-ମୁଁ ତାଙ୍କ ସ୍ତ୍ରୀ।
-ସ୍ତ୍ରୀ! ସେ ବିବାହିତ?
-ହଁ।ଖାଲି ବିବାହିତ ନୁହେଁ। ଝିଅଟିଏ ବି ଅଛି।
କଲ୍ କଟିଗଲା। ସ୍ମିତାର ମନରେ ସନ୍ଦେହ ହେଲା।ଏ ବିଷୟରେ ସରୋଜକୁ ପଚାରିବାରୁ ସେ କହିଲା, ସିଏ କଂପାନୀର ଜଣେ ଏମପ୍ଲୟୀ। ବହୁତ୍ ଖୁସ୍ ମିଜାଜ୍ ର। ସେ ବହୁତ୍ ଥଟ୍ଟାମଜା କରେ। ମଜାରେ ଏମିତି କହିଥିବ। ସ୍ମିତା ବି ଏ କଥା ଭୁଲି ଗଲା।
କିଛିଦିନ ପରେ ସରୋଜର ଘରକୁ ଆସିବା ଧିରେ ଧିରେ କମିଗଲା ଦୁଇ ତିନି ମାସରେ ଥରେ ଆସିଲା। କଲ୍ ବହୁତ ସମୟ ୱେଟିଂ ଆସିଲା। ପଚାରିଲେ ଉତ୍ତର ଆସେ, ଏବେ ବହୁତ କାମ ଦେଉଛନ୍ତି। ତେଣୁ ବ୍ୟସ୍ତ ରହିବାକୁ ପଡୁଛି। ସେଥିପାଇଁ ତ ତୁମକୁ ଦେଖା କରିବାକୁ ଯାଇ ପାରୁନି। ଝିଅ କଥା ତୁମ କଥା ବହୁତ ମନେ ପଡେ। କଣ କରିବି ମୁଁ ନିରୂପାୟ। ସରୋଜର ପଦେ 'ଆଇ ଲଭ୍ ୟୁ' ରେ ସ୍ମିତା ବି ସବୁ ଭୁଲିଯାଏ।
ଏଥର ଚାରିମାସ ପରେ ସେ ଘରକୁ ଆସିଥାଏ। ସ୍ମିତା ତା ମୋବାଇଲ ଦେଖିବାକୁ ଗଲା। ସେ ଚାର୍ଜ ବସେଇ ବାହାରକୁ ଯାଇଥାଏ। ମେସେଜ ଦେଖି ସେ ଆଖିକୁ ବିଶ୍ବାସ କରି ପାରିଲାନି। ସରୋଜର ଅନ୍ୟ କାହା ସହିତ ଆଫେୟାର୍ସ ଚାଲିଛି। ପାଦତଳୁ ମାଟି ଖସିଗଲା ପରି ଲଗିଲା ତାକୁ। ସଂଗେ ସଂଗେ ସେ ଲୁଗାପଟା ପ୍ଯାକ୍ କରି ଘର ଛାଡି ଯିବାକୁ ବାହାରିଲା। ସରୋଜ ବହୁତ କ୍ଷମା ମାଗିଲା। ବହୁତ୍ ବୁଝେଇବାକୁ ଚେଷ୍ଟା କଲା। ହେଲେ ସ୍ମିତା ଝିଅକୁ ଧରି ଘର ଛାଡି ଚାଲି ଆସିଲା।
ଏହାଭିତରେ ଆଠବର୍ଷ ବିତିଗଲାଣି। ସରୋଜ ବହୁତ ଥର ଫେରାଇ ନେବାକୁ ଆସିଛି। ହେଲେ ସେ ଯାଇନି। ବାପା ବୋଉ ବି ବହୁତ ବୁଝେଇଛନ୍ତି ଆଉ ଏକ ସୁଯୋଗ ଦେବାକୁ। ହେଲେ ସେହି ବିଶ୍ବାସଘାତକ ପାଖକୁ ଫେରି ଯିବାକୁ ଚାହେଁ ନାହିଁ ବୋଲି ସେ ମନା କରି ଦେଇଛି। ସମସ୍ତେ କହନ୍ତି ସରୋଜ ଭଲ ହେଇଯାଇଛି, ବଦଳି ଯାଇଛି। ହେଲେ ସ୍ମିତା ବୁଝେନା। ହଠାତ୍ ଦିନେ ତାର ବଜାରରେ ସରୋଜ ସହିତ ଦେଖା ହେଇଗଲା। କେତେ ଝଡ଼ି ଗଲାଣି ସେ। ସବୁବେଳେ ମନ ମାରି ରହୁଛି। ସ୍ମିତାର ମନଟା କାନ୍ଦି ଉଠିଲା। ତାଙ୍କୁ ଆଉ ଏକ ସୁଯୋଗ ଦେବା ଉଚିତ୍ ଥିଲା ବୋଲି ସେ ଭାବିଲା।