ବସାକୁ ଫେରିବା ବେଳ

ବସାକୁ ଫେରିବା ବେଳ

11 mins
183


ବାରମ୍ବାର କଲିଂ ବେଲ ଚିପିବା ସତ୍ତ୍ୱେ ପଦ୍ମଜା କବାଟ ଖୋଲୁ ନ ଥିଲା। ସେଇଠୁ ସଂଗ୍ରାମର ଆଶଙ୍କା ହେଲା ଯେ ପଦ୍ମଜା ଫେରି ନାଇଁ ଘରକୁ। ଇଣ୍ଟର ଲକିଂ ଯୋଗୁଁ ସବୁଦିନେ ଏମିତି ଆଶାନ୍ବିତ ହୋଇ କଲିଂ ବେଲ ଚିପି ପକାଏ ସେ, କାଳେ ଫେରି ଆସିଥିବ ପଦ୍ମଜା।

ଖାଲି ସଂଗ୍ରାମ ନୁହେଁ, ସଂସାରର ସବୁ ସ୍ୱାମୀ ହୁଏତ ଏମିତି ଆଶା ରଖୁଥିବେ। ଘରକୁ ଫେରିଲା ବେଳକୁ ପ୍ରତୀକ୍ଷାମାଣା ସ୍ତ୍ରୀ ହିଁ ଦ୍ୱାର ଖୋଲି ଶଂଖୋଳି ନେବ ଭିତରକୁ। ହାତକୁ ଚା କପେ ବଢ଼େଇ ଦେବ ଓ ପାଖରେ ବସି ଗପର ଖିଅ ଯୋଡ଼ିବ। ସଂଗ୍ରାମର ଭାଗ୍ୟରେ କିନ୍ତୁ ଏହା ଲେଖା ନାହିଁ। କାହିଁକି ନା ତା ସ୍ତ୍ରୀ ବି ଚାକିରି କରେ ଏକ ସଫ୍ଟୱେର କମ୍ପାନୀରେ। ସେ ବି ମାସ ଶେଷକୁ ଆଣେ ଏକ ମୋଟା ଅଙ୍କର ଦରମା। ନହେଲେ ଏ ମହରଗ ସହରରେ ଆପାତତଃ ବିଳାସପୂର୍ଣ ଢ଼ଙ୍ଗରେ ବଞ୍ଚିବାର ସାହସ କେମିତି କରି ପାରନ୍ତା ସଂଗ୍ରାମ? ସହରର ଛାତି ଉପରେ ଏଇ ଫ୍ଲାଟ, ସ୍ୱାମୀ ସ୍ତ୍ରୀଙ୍କର ଦୁଇ ଦୁଇଟି ଲକଜରି ଗାଡ଼ି, ସେୟାର ବଜାରରେ ସାପ ଶିଡ଼ି ଖେଳ-ଏସବୁ ସଂଗ୍ରାମ କେବେବି ତୁଲାଇ ପାରନ୍ତା ନାଇଁ ଗୋଟିଏ ଦରମାରୁ।

କବାଟ ଖୋଲି ଘରକୁ ପଶିଲା ସଂଗ୍ରାମ। ଘର ସାରା ଅନ୍ଧାର। ସାତଟାରୁ କିଛି ବେଶୀ ହେବ। ସୁଇଚ ଚିପି ଲାଇଟ ଜଳାଇଲା ସେ ଓ ଲଥ କରି ବସି ପଡ଼ିଲା ସୋଫା ଉପରେ। କପେ ଚା ଦରକାର ଏବେ। କେତେବେଳେ ଫେରିବ ପଦ୍ମଜ?

ଅଫିସରେ ନିହାତି କିଛି କାମ ନ ଥିଲେ ସଅଳ ଘରକୁ ଫେରି ଆସେ ସଂଗ୍ରାମ। ଏଇଟା ତାର ଅଭ୍ୟାସ, ଚାକିରି ଆରମ୍ଭରୁ। ଠିକ ଛଅଟାରେ ତାର ଅଫିସ ଛୁଟି ହୁଏ। ସବୁ କାମ ସାରି ଅଫିସ ଛାଡ଼ୁ ଛାଡ଼ୁ ପ୍ରାୟ ସାଡ଼େ ଛଅ। ବାଟରେ କିଣା କିଣି କାମ ସାରି ଘରେ ସାତଟା ପୂର୍ବରୁ ପହଂଚି ଯାଏ ସେ। ଅଥଚ ସେତେବେଳକୁ ଯଦି ପଦ୍ମଜା ଫେରି ନ ଥିବ ଘରକୁ, କଣ ଲାଗିବ ଘର? "କେତେବେଳେ ଆସୁଚ"-ଫୋନରେ ପଚାରେ ସଂଗ୍ରାମI

"ଘଂଟାଏ ଲାଗିଯିବ। ତୁମେ ଘରେ ପହଞ୍ଚି ଗଲଣି? ଠିକ ଅଛି, ଫ୍ରେସ ହେଇ ଟିଭି ଦେଖୁଥାଅ। ମୁଁ ପହଂଚୁଛି।" ପଦ୍ମଜା ହିଁ ଫୋନ କାଟିଦିଏI

ଟିଭିରେ କଣ ଏତେ ଦେଖିବାକୁ ଥାଏ? ସିନେମା, ଲଂଗଳା ନାଚ ବା ସମ୍ବାଦ-କେଉଁଥିରେ ସଂଗ୍ରାମର ମନ ଲାଗେ ନାହିଁ। ବାରମ୍ବାର ଘଣ୍ଟାକୁ ଚାହୁଁ ଥାଏ ସେ। ବାଲକୋନିରେ ଛିଡ଼ା ହୋଇ ରାସ୍ତାରେ ଚାଲି ଯାଉଥିବା କାରମାନଙ୍କୁ ଦେଖି ହତାଶ ହୁଏ-କାଇଁ ଗୋଟିଏ ବି ତ କାର ଅଟକୁ ନାଇଁ ଆପାର୍ଟମେଂଟ ତଳେ। ଦୀର୍ଘଶ୍ଵାସ ବାହାରି ଆସେ ତା ଛାତି ଥରେଇ। ଏଇ କଣ ସେଇ ଜୀଵନ, ଯାହାକୁ ନେଇ ସେ ସ୍ବପ୍ନମୟ ଥିଲା ବାହାଘରର କେଇ ବର୍ଷ ଆଗରୁ? ସେବେ ଏକାକୀତ୍ୱ ଖୁବ ଗୋଟେ ଅଭିଶପ୍ତ ମନେ ହେଉଥିଲା।

 

ଅଥଚ ଆଜି ବାହାଘରର ଦି ବର୍ଷ ପରେ ବି ସେଇ ଦାରୁଣ ଏକଲାପଣ। ପଦ୍ମଜା ବସି ଥିବ ଏକ ମଲ୍ଟି ନ୍ୟାସନାଲ କମ୍ପାନୀର ଶୀତ ତାପ ନିୟନ୍ତ୍ରିତ କୋଠରୀରେ। ଆଖି ଯୋଡିକ ନିବଦ୍ଧ ଥିବ କମ୍ପ୍ୟୁଟରର ମନିଟର ଉପରେ। ହାତ ଯୋଡ଼ିକ ନାଚୁଥିବ କି ବୋର୍ଡ ଉପରେ। କମ୍ପ୍ୟୁଟର ଭାଷା ଲେଖୁଥିବ ସେ କେଉଁ ବିଦେଶୀ ଗ୍ରାହକ ଠାରୁ ମିଳିଥିବା ଅର୍ଡର ଅନୁଯାୟୀ। କମ୍ପ୍ୟୁଟରର ଭାଷାରେ ବିନ୍ୟାସ କରୁଥିବ ସଫ୍ଟୱେର। କମ୍ପ୍ୟୁଟର ଭାଷାରେ ପ୍ରବୀଣା ସେ। ଅଥଚ ସ୍ୱାମୀ ଆଖିର ଭାଷା ବୁଝି ପାରେନା?

 

ଆଉ ଥରେ ପଦ୍ମଜାକୁ ଫୋନ ଲଗେଇଲା ସଂଗ୍ରାମ। ଭାସି ଆସିଲା ଏକ ମଧୁର କଣ୍ଠସ୍ୱର-ଆପଣ ଡାଏଲ କରିଥିବା ନମ୍ବରଟି ନେଟୱାର୍କ ବାହାରେ ଅଛି। ଏ କଣ୍ଠସ୍ୱର ପଦ୍ମଜାର ନ ଥିଲା।

ବାଲକୋନିରେ ପଦଚାରଣା କରୁ କରୁ ସଂଗ୍ରାମର ନଜର ପଡ଼ିଲା ଆପାର୍ଟମେଂଟ କୁ ଲାଗି ଛିଡ଼ା ହୋଇଥିବା ଗଛ ଡାଳରେ ଥିବା ବସାଟିଏ ଉପରେ। ପକ୍ଷୀ ଯୋଡିଏ ଖୁବ ଯତ୍ନରେ ବସା ବାନ୍ଧିଛନ୍ତି ଏଇ କଂକ୍ରିଟ ସହରରେ, ନାଁ ଅଜଣା ଏଇ ଗଛ ଡାଳରେ। କେତେ ଦିନ ଧରି ଏଇ ବସାଟି ଏଠି ଗଢ଼ି ଉଠିଛି, ତାହା ଜଣା ନ ଥିଲା ସଂଗ୍ରାମକୁ। ରାସ୍ତା କଡ଼ର ଆଲୁଅ ଅଳ୍ପ ଅଳ୍ପ ଭେଦ କରି ପାରୁଛି ପତ୍ର ଗହଳକୁ। ସେଇ ଆଲୁଅରେ ଆପାତତ ଦୃଶ୍ୟ ହେଉଥିଲା ସଂଗ୍ରାମକୁ-ପକ୍ଷୀ ଯୋଡ଼ିକ ପ୍ରେମ ହେଉଛନ୍ତି।


ପଦ୍ମଜା ଫେରିଲା ନଅଟା ବେଳକୁ। ସେତେବେଳ ଯାଏ ସଂଗ୍ରାମ ଫ୍ରେଶ ହୋଇନଥିଲା। ତା ମୁହଁରୁ ହୁଏତ ଅଭିମାନର ଭାଷା ପଢ଼ି ପାରୁ ନ ଥିଲା ପଦ୍ମଜା। ପଦୁଟିଏ ବି ପଚାରିଲାନି-ଏତେ ବେଳ ଯାଏ ଧୁଆ ଧୋଇ ହୋଇନ, କଣ ହୋଇଛି ତୁମର? ଡଗ ଡଗ ହୋଇ ବେଡରୁମକୁ ଚାଲିଗଲା ସେ। ସଂଗ୍ରାମକୁ ଟିକେ କଷ୍ଟ ଲାଗୁଥିଲା। ଏ କଷ୍ଟ ର ପରିଭାଷା କଣ ବୁଝିପାରେ ପଦ୍ମଜା?

-"ଏଇ କଣ ଘରକୁ ଫେରିବାର ବେଳ, ପଦ୍ମଜା?" ଏହା ହିଁ ନିଶ୍ଚୟ ପଚାରିବାର ଥିଲା ସଂଗ୍ରାମର। କିନ୍ତୁ ଏ ପ୍ରଶ୍ନ ଅନେକ ପୁରୁଣା। ଏମିତି ପ୍ରଶ୍ନ ଆଗରୁ ଅନେକ ଥର ପଚାରି ସାରିଛି ସେ। ପଦ୍ମଜା ପାଖରେ ବି ଥାଏ ଚିରାଚରିତ ଉତ୍ତର-"ଅଫିସରେ ଏତେ କାମ। ଟାର୍ଗେଟ ଅନୁସାରେ କାମ ହୋଇ ପାରୁନି। ଗ୍ରାହକର ଅର୍ଡର ଅନୁସାରେ କାମ କରିବାକୁ ହେଲେ ଅଧିକା ସମୟ ଟିକେ କାମ କରିବାକୁ ପଡ଼ିବ ନା! ଗ୍ରାହକ ସନ୍ତୁଷ୍ଟି ସହ ଯୋଡ଼ି ହୋଇ ରହିଚି ଆମ କମ୍ପାନୀର ଭବିଷ୍ୟତ ଓ ମୋର କ୍ୟାରିୟର ଗ୍ରୋଥ"।

ଏମିତି ସ୍ପଷ୍ଟୀକରଣ ପରେ ଆଉ କି ଯୁକ୍ତି କରି ପାରେ ସଂଗ୍ରାମ!

କମ୍ପାନୀର ଭବିଷ୍ୟତ ଓ କ୍ୟାରିୟର ଗ୍ରୋଥ ପାଇଁ ଜୀବନକୁ ବାଜି ଲଗେଇ ଦିଆ ଯାଇ ପାରେ। ଏମିତି ଏକ ଦର୍ଶନକୁ ସହଜରେ ଗ୍ରହଣ କରି ପାରେ ନାହିଁ ସେ। ହେଲେ ବ୍ୟକ୍ତିଗତ ଜୀବନ ଦର୍ଶନ କୁ ନେଇ ଏକ ଶାନ୍ତି ପୂର୍ଣ୍ଣ ଯୌଥ ଜୀବନ ବଂଚି ହୁଏନା। ଯୌଥ ଜୀବନରେ ଅନେକ କଥାରେ ସାଲିସ କରିବାକୁ ପଡେ଼। ବ୍ୟକ୍ତିଗତ ଅଭ୍ୟାସ/ବଦଭ୍ୟାସ, ରୁଚି/ଅରୁଚି ଉପରେ କିଛିଟା ନିୟନ୍ତ୍ରଣ ରଖିବାକୁ ପଡେ଼।

ବାଲକୋନିକୁ ଲାଗିଥିବା ଗଛ ଡାଳରେ ପକ୍ଷୀ ଯୋଡ଼ିକ ତଥାପି ପ୍ରେମ ହେଉଥିଲେ। ପଦ୍ମଜା ସାଙ୍ଗରେ କଣ ଏମିତି ପ୍ରେମ କରି ହୁଏ ଆଜିକାଲି? କେତେ ଯାନ୍ତ୍ରିକ ଢଙ୍ଗରେ ଚାଲିଛି, ଜୀବନ?

-"ଖାଇବ ଆସ।" ପଦ୍ମଜା ଡାକିଲା। ରାତି ଦଶଟା ଟପିଲାଣି ସେତେବେଳକୁ। ସହର ନୀରବ ହୋଇ ଆସିଲାଣି।

 

ଖାଇବା ଟେବୁଲ ପାଖରେ ମପା ଚୁପା କଥା ବାର୍ତ୍ତା। ପଦ୍ମଜା କେବଳ କହି ଚାଲିଥିଲା-"ଭାରି କ୍ଳାନ୍ତ ଲାଗୁଛି ଆଜି। ଅଫିସରେ ତଥାପି ପେଣ୍ଡିଂ କାମ ସରୁନି।"

ସଂଗ୍ରାମ କିଛି କହିଲା ନାହିଁ। ତରକାରୀ ରେ ଲୁଣ ପକାଇବାକୁ ବୋଧେ ଭୁଲି ଯାଇଥିଲା ପଦ୍ମଜା।



 

-"ଗୋଟେ କଥା କହିବି?" କହିବ ନ କହିବ ର ଦ୍ଵନ୍ଦ ଭିତରେ ସଂଗ୍ରାମର ମୁହଁ ରୁ ବାହାରି ଆସିଲା ଏ ପ୍ରଶ୍ନ। ସେଇମାତ୍ର ଲାଇଟ ଲିଭି ଥିଲା। ଘର ସାରା ଏକ ମୃଦୁ ଅନ୍ଧାର।

-"କଣ କଥା? କହୁନ!"ପଦ୍ମଜା ର କଣ୍ଠସ୍ୱର ଯେମିତି କହୁଥିଲା, ଏବେ କିଛି ନ କହିଲେ ଭଲ।

ସଂଗ୍ରାମ କିନ୍ତୁ କହିଲା-"ଏବେ ଆମେ ଆମର ସଂସାର ଉପରେ ଟିକେ ଧ୍ୟାନ ଦେଲେ କେମିତି ହୁଅନ୍ତା, ପଦ୍ମଜା?"

-"ମାନେ? ତୁମ କଥା କିଛି ବୁଝି ପାରିଲିନି...!"

-"ତୁମେ ମା ହୁଅନ୍ତ... ମୁଁ ବାପା ହୁଅନ୍ତି! ଏମିତି ତ ସଂସାରଟିଏ ବଢ଼େ।"

-"ପାଗଳ ହେଲ? ଏତେ ଜଞ୍ଜାଳ ଭିତରେ ମରିବାକୁ ଫୁରସତ ମିଳୁନି, ତୁମର ଏଣେ ବାପା ହେବାକୁ ମନ?"

-"ଏ ଜୀବନ କଣ ପାଇଁ ପଦ୍ମଜା? ଆମର ଏ ଚାକିରୀ, ଟଙ୍କା ପଇସା- ସବୁ କଣ ପାଇଁ? ଖୁସି ପାଇଁ ନା?"

-"ତୁମେ କଣ ଭାବୁଛ, ଆମେ ଖୁସିରେ ନାହାନ୍ତି?"

-"ସବୁଦିନେ ତୁମେ ଡେରିରେ ଅଫିସରୁ ଫେରୁଛ। ତୁମର ମନେ ଅଛି, ଶେଷ ଥର ପାଇଁ କେବେ ଆମେ ସଞ୍ଜ ବେଳେ ବାଲକୋନିରେ ବସି ଚା ପିଇ ଥିଲେ?"

-"ଡୋଣ୍ଟ ବି ଇମସୋନାଲ, ସଂଗ୍ରାମ। ବି ପ୍ରାକ୍ଟିକାଲ। ଏତେ ଭାବପ୍ରବଣତା କୁ ନେଇ ଜୀବନ ବଂଚି ହୁଏନା। ଜୀବନ ଓ କ୍ୟାରିୟର ଭିତରେ କେମିତି ବାଲାନ୍ସ ରଖିବାକୁ ହୁଏ, ତାହା ମୁଁ ବେଶ ଜାଣେ। ରାତି ବହୁତ ହେଲାଣି, ଏବେ ଶୋଇପଡ଼।"

ସତକୁ ସତ ପଦ୍ମଜା ର କଥା ମାନି ସଂଗ୍ରାମ ଶୋଇ ପଡ଼ିଲା(ନା ଶୋଇବାର ଅଭିନୟ କଲା?)। ଏଇ ମହାନଗରୀରେ ଏମିତି ଅନେକ ବେଡ ରୁମରେ ଶୋଇଥିବେ ସ୍ୱାମୀ ସ୍ତ୍ରୀ ମାନେ। ସେମାନଙ୍କ ଭିତରୁ କେତୋଟି ଦମ୍ପତି ପରସ୍ପରକୁ ପ୍ରେମ କରୁଥିବେ, ତାହା ହୁଏତ ସଂଗ୍ରାମ କହି ପାରିବ ନାହିଁ। କିନ୍ତୁ ସେ ନିଶ୍ଚିତ ଯେ ବାଲକୋନି ସଂଲଗ୍ନ ସେଇ ଗଛରେ ବସା ବାନ୍ଧିଥିବା ପକ୍ଷୀ ଯୋଡ଼ିକ ନିଶ୍ଚୟ ପ୍ରେମ କରୁଥିବେ ପରସ୍ପରକୁ। କେଉଁଠି ଗୋଟେ ପଢିଥିଲା ସଂଗ୍ରାମ-ଏ ଦେଶରେ ଗୋଟିଏ ଛାତ ତଳେ ଗୋଟିଏ ଶେଯରେ ଶୋଉଥିବା ସତୁରୀ ପ୍ରତିଶତ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ପ୍ରେମ ହିଁ କରନ୍ତି ନାହିଁ। ସେଇ ସତୁରୀ ପ୍ରତିଶତରେ ନିଶ୍ଚୟ ଥିଲେ ସେ ଓ ପଦ୍ମଜା।ଭାରି ଗୋଟେ ହତାଶାବୋଧରେ ଉଠି ବସିଲା ସେ।

ପଦ୍ମଜା ଶୋଇ ଯାଇଚି ନିଘୋଡ଼ ନିଦରେ। ବେଡ ଲାଇଟର ନିଷ୍ପ୍ରଭ ଆଲୁଅରେ ଯେତିକି ଦେଖି ପାରୁଥିଲା ସଂଗ୍ରାମ; ତାକୁ ଲାଗିଲା-ପଦ୍ମଜା ର ମୁହଁରେ ଲାବଣ୍ୟର ଛିଟା ଯେମିତି ଫିକା ପଡ଼ି ଆସିଚି। ତାର ଆଖି ତଳେ କଳା ଦାଗ। ନିଜେ ପଦ୍ମଜା କଣ ଜାଣେ ଏ କଥା? ଏବେ ତାକୁ ନିଦରୁ ଉଠେଇ କହିବ କି ସଂଗ୍ରାମ-ନିଜର କେୟାର ନ ନେଲେ ତୁମେ ଖୁବ ଶୀଘ୍ର ବୁଢ଼ୀ ହୋଇଯିବ, ପଦ୍ମଜା!

 



ପରଦିନକୁ ବି ସେଇ ଏକା କଥା। ସଅଳ ଘରକୁ ଫେରି ପଦ୍ମଜାକୁ ପ୍ରତୀକ୍ଷା କରୁଛି ସଂଗ୍ରାମ। ବାଲକୋନିରେ ଛିଡ଼ା ହୋଇ ଦେଖୁଚି, ନାଁ ଅଜଣା ସେଇ ଗଛ ଡାଳରେ ବସାକୁ ଫେରି ସାରିଛନ୍ତି ପକ୍ଷୀ ଯୋଡ଼ିକ। ସମୟାନୁ ବର୍ତିତାରେ ପଶୁ ପକ୍ଷୀ ମାନେ ମଣିଷମାନଙ୍କ ଠାରୁ ଯଥେଷ୍ଟ ଆଗରେ। ଆଜି ରାତିରେ ପଦ୍ମଜା ଘରକୁ ଫେରିଲେ ତାକୁ ନିଶ୍ଚୟ ଏଇ ପକ୍ଷୀ ଯୋଡ଼ିଙ୍କୁ ଦେଖାଇଦେଵ ସଂଗ୍ରାମ ଓ କହିବ ସେମାନଙ୍କ ସମୟାନୁବର୍ତିତାର କଥା।

ପଦ୍ମଜା କିନ୍ତୁ ଫେରୁ ନ ଥିଲା। ସଂଗ୍ରାମ ଆତୁର ହୋଇ ଫୋନ ଲଗାଉଥିଲା ତ ସେପଟୁ ଭାସି ଆସୁଥିଲା ଏକ ମଧୁର କଣ୍ଠସ୍ୱର-"ଉପଭୋକ୍ତାଙ୍କର ମୋବାଇଲ ବର୍ତ୍ତମାନ ସୁଇଚ ଅଫ ଅଛି।"

ସଂଗ୍ରାମ ପଦ୍ମଜା ଉପରେ ରାଗୁଥିଲା। ସେ ଚାକିରୀ କରୁଥିବା କମ୍ପାନୀ ଉପରେ ରାଗୁଥିଲା। ରାତି ବଢ଼ୁଥିଲା। ସଂଗ୍ରାମର ହତାଶାବୋଧ ବଢ଼ୁଥିଲା। ଅଥଚ ଫେରୁ ନ ଥିଲା ପଦ୍ମଜା। ସୋଫାରେ ଆଉଜି ପଡ଼ିଲା ସେ।

ଏ ସହରରେ ଅନେକ କର୍ମଜୀବି ଦମ୍ପତି ଥିବେ। ହୁଏତ ସମସ୍ତେ ଠିକ ସମୟରେ ଫେରିପାରୁ ନଥିବେ ଘରକୁ, ପଦ୍ମଜା ପରି। କିନ୍ତୁ କାହିଁକି ଠିକ ସମୟରେ ଘରକୁ ଫେରିବେ ନାହିଁ ସେମାନେ? ବସାକୁ ଫେରିବାର ଗୋଟେ ନିର୍ଦ୍ଦିଷ୍ଟ ବେଳ ଥାଏ ବୋଲି କଣ ଜଣା ନ ଥାଏ ସେମାନଙ୍କୁ? ବିଦ୍ରୋହୀ ହୋଇ ଉଠୁଥିଲା ସଂଗ୍ରାମ ନିଜ ଭିତରେ।

 

ହଠାତ କଲିଂ ବେଲ ବାଜି ଉଠିଲା। ଧଡ଼ ପଡ଼ ହୋଇ ଉଠି ବସିଲା ସଂଗ୍ରାମ। ଘଂଟାରେ ଦଶଟା ପାଇଁଚାଳିଶ। ଏକ ପ୍ରକାର ଧାଇଁ ଯାଇ କବାଟ ଖୋଲିଲା ସେ। ପଦ୍ମଜା ଛିଡ଼ା ହୋଇଥିଲା। ହାତରେ ଗୋଟିଏ ପାର୍ଶଲ। ସମ୍ଭବତଃ ଆଜି ରାତିର ଖାଇବା ଅଛି ସେଥିରେ। ବେଶୀ ଡେରି ହେଲେ ଏମିତି କେଉଁ ରେଷ୍ଟୁରାଣ୍ଟରୁ ଖାଇବା ପାର୍ଶଲ କରି ଆଣେ ସେ।

 

ପଦ୍ମଜା ସ୍ମିତ ହସିଲା, ସଂଗ୍ରାମ ର ଆଖିରେ ଆଖି ମିଶେଇ। ତା ହସରେ କିନ୍ତୁ ହସି ପାରିଲା ନାହିଁ ସଂଗ୍ରାମ। କାହିଁକି ନା ତାକୁ ଲାଗିଲା ପଦ୍ମଜା ହେଉଛି ଏ ପୃଥିବୀର ସବୁଠାରୁ ଦୁଃଖୀ ମଣିଷ। ପର୍ବତ ପ୍ରମାଣ ଟେନସନ ନେଇ ସେ ଯେମିତି ବଞ୍ଚୁଚି। ସେଇ ଟେନସନ ଭିତରେ ନିଶ୍ଚୟ ଥିବ ପ୍ରମୋସନର ଆଶଙ୍କା, ଗ୍ରାହକର ଅର୍ଡର ଅନୁସାରେ ଡେଲିଭର ନ କରି ପାରିବାର ଆଶଙ୍କା। ସିଏ ଯେ ସମୟ ଦେଇ ପାରୁନି ଘର ପାଇଁ; ସଂଗ୍ରାମ ପାଗଳ ହୋଇ ଯାଇ ପାରେ ନିକଟ ଭବିଷ୍ୟତରେ-ଏମିତି ଆଶଙ୍କା ଥିବ କି ପଦ୍ମଜାର ମନରେ?

ପଦ୍ମଜାର କଥା ମାନି ସେ ଫ୍ରେଶ ହେଲା ଓ ଖାଇ ବସିଲା। ଖାଇଲା ବେଳେ ସେଇ ପକ୍ଷୀ ଯୋଡ଼ିକ କଥା କହିଲା ସଂଗ୍ରାମ ଓ କଥା ଶେଷରେ ଉଲ୍ଲେଖ କଲା ସେମାନଙ୍କର ଠିକ ସମୟରେ ବସାକୁ ଫେରିବା କଥା।

ସଂଗ୍ରାମର କଥା ଶୁଣି ହସିଲା ପଦ୍ମଜା-"କଣ କହୁଚ, ଆମେ ପକ୍ଷୀ ପାଲଟି ଯିବା?"

-"ସତରେ ଯଦି ପୁନର୍ଜନ୍ମ ଥାଏ, ଆର ଜନ୍ମ ଲାଗି ମୁଁ ନିଜ ପାଇଁ ପକ୍ଷୀ ଜନ୍ମ ମାଗିବି, ପଦ୍ମଜା!" ସଂଗ୍ରାମ ରୋକି ପାରିଲା ନାଇଁ ନିଜର ଭାବାବେଗ, ଅଗ୍ନିଙ୍କୁ ସାକ୍ଷୀ ରଖି ବାହା ହୋଇଥିବା ଏଇ ଉଚ୍ଚା ଭିଳାଶୀ ଝିଅଟି ଆଗରେ।

-"ତୁମେ ସତରେ ପାଗଳ ହୋଇ ଗଲଣି ସଂଗ୍ରାମ।" ପଦ୍ମଜା ନିଶ୍ଚୟ ନିଜ ସ୍ୱାମୀ ମନର ଭାଷା ବୁଝି ପାରି ନ ଥିଲା।

ସଂଗ୍ରାମ ଆଉ କିଛି କହିଲା ନାଇଁ। ଆଜି ବି ତା ଆଖିକୁ ନିଦ ଆସୁ ନ ଥିଲା। ପଦ୍ମଜା କିନ୍ତୁ ଶୋଇ ପଡ଼ିଲା ସଅଳ। ପାଖରେ ଶୋଇ ଥିବା ଅବୁଝା ସ୍ତ୍ରୀ ପାଖରେ ଶୟନରତ ସଂଗ୍ରାମ କେଉଁ ସ୍ବପ୍ନ ଦେଖୁଥିଲା? ଆର ଜନ୍ମରେ ପକ୍ଷୀ ଜନ୍ମ ପାଇଁ ସ୍ବପ୍ନପ୍ରବଣ ହେଉଥିଲା ନା ଏ ଜନ୍ମର ବାକୀ ଆୟୁଷ ଏମିତି ସ୍ବପ୍ନଭଂଗର ଦୁଃଖ ନେଇ ବଂଚିବା ଲାଗି ମାନସିକ ପ୍ରସ୍ତୁତି କରୁଥିଲା?

 

 



ଆଗ ଅପେକ୍ଷା ଦୁଃଖୀ ହୋଇ ଯାଇଥିଲା ସଂଗ୍ରାମ। ହୁଏତ ପଦ୍ମଜା ବି।

ସେଦିନ ଅଫିସରୁ ଫେରିଲା ବେଳେ ମନୋଜ ବର୍ମା ସହ ଦେଖା ହେଲା। ବର୍ମା ଆଗରୁ ତାର ସହକର୍ମୀ ଥିଲା। ଏବେ ସେ ଆଉ ଗୋଟିଏ କମ୍ପାନୀରେ ଚାକିରୀ କରେ। ତା ସ୍ତ୍ରୀ ବି ଜଣେ ସଫ୍ଟୱେର ଇଂଜିନିୟର। ଏଣୁ ତେଣୁ କଥା ହେଉ ହେଉ ବର୍ମା ପ୍ରସ୍ତାବ ଦେଲା-"ଚାଲ, ବାରକୁ ଯିବା।"

-"ନାଇଁ, ମୁଁ ଘରକୁ ଫେରିବି।"

-"ଏବେ ଘରକୁ ଯାଇ କଣ କରିବୁ? ପଦ୍ମଜା ଭାଉଜ ତ ଘରକୁ ଫେରି ନ ଥିବ!"

ବର୍ମା କେମିତି ଜାଣିଲା ପଦ୍ମଜା ଡେରିରେ ଘରକୁ ଫେରିବା କଥା? ତା ସ୍ତ୍ରୀ ବି ହୁଏତ ଡେରିରେ ଫେରୁଥିବ ଘରକୁ। ସେଇଥିପାଇଁ ବୋଧେ ବାରକୁ ଡାକୁଛି ବର୍ମା।

ଅନେକ ଦିନ ପରେ ସଂଗ୍ରାମ ହ୍ବିସ୍କ ପିଇଲା ବାରରେ। ବାରଗାର୍ଲ ମାନେ ନାଚୁଥିଲେ। କିଛି ମାତାଲ ମାନେ ବି ନାଚୁଥିଲେ। ବର୍ମା ବି ଖୁବ ପିଇଲା ଓ ମାତାଲ ହେଲା। ସଂଗ୍ରାମ ଅବଶ୍ୟ ପ୍ରଥମରୁ ଟିକେ ଡରୁଥିଲା। ପଦ୍ମଜା ଯଦି ଜାଣିପାରେ, ଭାରି ଗୋଟେ ଅସୁବିଧା ହେବ। ଏମିତିରେ ଦିନ ସବୁ ଭଲରେ ଯାଉନି ଆଜିକାଲି।

ବାରରେ ଆହୁରି କେତେ ଲୋକ ପିଉଥିଲେ ଓ ମାତାଲ ହେଉଥିଲେ। ସମ୍ଭବତଃ ଏମାନଙ୍କୁ ବି ସଂଗ୍ରାମର ଦଶା ଭୋଗିବାକୁ ପଡୁଚି। ଅଫିସରୁ ସ୍ତ୍ରୀ ଘରକୁ ଫେରୁନାଇଁ ଠିକ ସମୟରେ। ମନ ତଳର ଦୁଃଖ ଟିକେ କମିଗଲା ପରି ଲାଗିଲା ସଂଗ୍ରାମକୁ। ସମ ଦୁଃଖୀ ଲୋକଙ୍କୁ ଦେଖିଲେ ସ୍ୱତଃ ଦୁଃଖ କମିଯାଏ।

_"ଆ, ସଂଗ୍ରାମ... ଟିକେ ନାଚିବା।" ବର୍ମା ସଂଗ୍ରାମର ହାତ ଧରି ଟାଣିଲା।

-"ନାଇଁ, ମୋତେ ସେ ନାଚ ଫାଚ ଆସେନି। "ସଂଗ୍ରାମ ଜୋର କରି ନିଜ ହାତ ଛଡ଼େଇ ନେଲା। ବର୍ମା କିନ୍ତୁ ବାରର ନର୍ତ୍ତକୀ ମାନଙ୍କ ଆଡ଼କୁ ରୁମାଲ ହଲେଇ ନାଚିବା ଆରମ୍ଭ କଲା। ବର୍ମାକୁ ଯେ ଏତେ ଭଲ ନାଚି ଆସେ, ଏଇ ପ୍ରଥମ ଜାଣିଲା ସଂଗ୍ରାମ।

ସଂଗ୍ରାମ ସେ ପର୍ଯ୍ୟନ୍ତ ମାତାଲ ହୋଇ ନ ଥିଲା। ପଦ୍ମଜା ଫେରିବଣି କି ଘରକୁ? ଯଦି ଫେରିଥିବ, ସ୍ୱାମୀର ଫେରିବାକୁ ପ୍ରତୀକ୍ଷା କରୁଥିବ କି ବ୍ୟାକୁଳ ହୋଇ? ହେଃ... ବ୍ୟାକୁଳ ହେବା ପଦ୍ମଜା ଶିଖି ନାହିଁ। ନ ହେଲେ ଫୋନଟେ କରନ୍ତା ନାଇଁ ସେ? ପଚାରନ୍ତା ନାଇଁ-କେତେବେଳେ ଘରକୁ ଫେରୁଚ?

ହଠାତ ବର୍ମା ପଡ଼ିଗଲା ଚଟାଣ ଉପରେ। ଦେଖଣାହାରୀଏ ଧାଇଁ ଗଲେ। ସଂଗ୍ରାମ ବି। ବର୍ମା ହୋସରେ ଥିଲା। କିନ୍ତୁ ତା ମୁଣ୍ଡକୁ ନିଶା ଚଢ଼ି ଯାଇ ଥିଲା। ବର୍ମାର ହାତ ଧରି ଉଠେଇଲା ସଂଗ୍ରାମ।

-"ମୋତେ ଟିକେ ମୋ ବସାରେ ଛାଡ଼ି ଦେବୁ?" ବର୍ମା ର ଏ କଥାରେ ସଂଗ୍ରାମ ଟିକେ ଅପ୍ରସ୍ତୁତ ବୋଧ କଲା। ମାତାଲ ବର୍ମା କୁ ନେଇ ତା ଘରକୁ ଗଲେ କି ପ୍ରକାର ସ୍ୱାଗତ କରା ଯିବ ତାକୁ? ଏଇଥିପାଇଁ ହିଁ ଯଥେଷ୍ଟ ସତର୍କ ହୋଇ ପିଉଥିଲା ସଂଗ୍ରାମ। ଯଦି ବର୍ମା ପରି ସେ ବି ମାତାଲ ହୋଇ ଯାଇଥାନ୍ତା ଓ ବର୍ମା ତାକୁ ଘରେ ଛାଡିବାକୁ ନେଇ ଯାଆନ୍ତା; କେମିତି ସଂଖୋଳନ୍ତା ପଦ୍ମଜା ସେମାନଙ୍କୁ?

ବର୍ମା କୁ ନେଇ ଯେବେ ତା ବସାରେ ପହଂଚିଲା, ଟିକେ ଆଶ୍ୱସ୍ତ ହେଲା ସଂଗ୍ରାମ। କାହିଁକି ନା କବାଟରେ ତାଲା ଝୁଲୁଥିଲା। ବର୍ମାର ସ୍ତ୍ରୀ ବୋଧେ ଅଫିସରୁ ଫେରି ନ ଥିଲା। ଯେତେ ଶୀଘ୍ର ସମ୍ଭବ, ବର୍ମାକୁ ଛାଡ଼ି ଘରକୁ ଫେରିବା ହିଁ ହେବ ବିଜ୍ଞତା। ରାତି ଦଶଟା ଟପିଲାଣି।

ବର୍ମା ହାତରୁ ଚାବି ନେଇ କବାଟ ଖୋଲିଲା ସଂଗ୍ରାମ। ଘର ଭିତରେ ଜିନିଷପତ୍ର ସବୁ ବିପର୍ଯ୍ୟସ୍ତ। ଟିପୟ ଉପରେ ଧୂଳିର ଆସ୍ତରଣ। ଯେମିତି ବେଶ କିଛିଦିନ ଧରି ଏ ଘରେ କେହି ନ ଥିଲେ। ବର୍ମାର ସ୍ତ୍ରୀ ତା ବାପଘରକୁ ଯାଇଚି କି?

ବର୍ମା ସୋଫା ଉପରେ ବସି ଥିଲା ନୀରବ ହୋଇ। ଆଖି ମୁଦି। ତାର ନିଶା ବୋଧେ କମି ନ ଥିଲା। ଏବେ ସଂଗ୍ରାମ କଣ କରିବ? କେମିତି ଯିବ ସେ ଏଠୁ? ମିସେସ ବର୍ମା ଫେରିବା ଯାଏ ତାକୁ ନିଶ୍ଚୟ ଅପେକ୍ଷା କରିବାକୁ ପଡ଼ିବ।

-"ବର୍ମା, ମାଡାମଙ୍କୁ ଫୋନ କର।" ସଂଗ୍ରାମ ବାଧ୍ୟ ହୋଇ ମୁହଁ ଖୋଲିଲା।

_"ତୁ ଏବେ ଘରକୁ ପଳା, ସଂଗ୍ରାମ।" ସ୍ୱାଭାବିକ ହେବାକୁ ପ୍ରୟାସ କରୁ ଥିଲା ବର୍ମା।

-"ନା, ତୋ ଅବସ୍ଥା ଭଲ ନାହିଁ। ମାଡାମ ଫେରିବା ଯାଏ ମୁଁ ଅପେକ୍ଷା କରୁଛି। "ସଂଗ୍ରାମ ନିଜର ଦାୟିତ୍ୱ ବୋଧ ସମ୍ପର୍କରେ ସୂଚନା ଦେଲା।

-"ମୁଁ ଠିକ ଅଛି, ତୁ ଯା ଘରକୁ। ରାତି ଢେର ହେଲାଣି।" ବସିବା ଜାଗାରୁ ଉଠି ଠିଆ ହେଲା ବର୍ମା।

ଏତିକିବେଳେ ସଂଗ୍ରାମର ସେଲଫୋନ ବାଜି ଉଠିଲା। ପଦ୍ମଜାର ଫୋନ ଥିଲା। କଲ ରିସିଭ କଲା ସେ। "କୁଆଡେ ଯାଇଛ?" ପଦ୍ମଜା ପଚାରିଲା।

-"ଜଣେ ବନ୍ଧୁଙ୍କ ଘରେ ଅଛି।" ଯଥା ସମ୍ଭବ ନମ୍ର ସ୍ୱରରେ ଉତ୍ତର ଦେଲା ସଂଗ୍ରାମ।

-"କେତେବେଳେ ଫେରିବ?"

-"ଅଳ୍ପ ସମୟ ଭିତରେ ପହଂଚୁଛି।"

-"ଶୀଘ୍ର ଆସ। "ପଦ୍ମଜା ଫୋନ କାଟିଦେଲା ସେପଟୁ।

-"ଏବେ ତୁ ଯା ସଂଗ୍ରାମ। "ବର୍ମା ବୁଝିପାରୁ ଥିଲା ସଂଗ୍ରାମର ଅସହାୟତା।

ଏହା ପରେ ବର୍ମା ଠାରୁ ବିଦାୟ ନେଇ ସଂଗ୍ରାମ ଫେରିଲା ଘରକୁ। ଘରେ ପୁଣି ବିରକ୍ତ ହେଲା ପଦ୍ମଜା-"ଏଇ କଣ ଘରକୁ ଫେରିବାର ବେଳ?"

ସଂଗ୍ରାମ କିଛି କହିଲା ନାହିଁ। ଏଇ ପ୍ରଶ୍ନ ସେମାନଙ୍କ ସଂସାରର ମୂଳଦୁଆ କୁ ଦୋହଲାଇ ଦେଉଚିଯେମିତି।

ପରଦିନ ଅଫିସ ପରେ ପୁଣି ବର୍ମା ସହ ଦେଖା ହେଲା। ବାରରେ ମଦ ଓ ନାଚ। ଆଜି କିନ୍ତୁ ବର୍ମା ବେଶୀ ମାତାଲ ହୋଇ ନ ଥିଲା କି ନାଚି ନ ଥିଲା। ତଥାପି ଫେରିଲା ବେଳେ ତାକୁ ଘରେ ଛାଡ଼ି ଦେବାକୁ ଅନୁରୋଧ କଲା ସେ।

 

ବାଟ ସାରା ସେମାନେ ଗପସପ ହେଉଥିଲେ। ସହରରେ ଫ୍ଲାଟର ଦାମ ହୁ ହୁ ହୋଇ ବଢି ଯାଉଥିବା କଥା, ଭାରତୀୟ କ୍ରିକେଟ ଦଳର ଦୁର୍ବଳ ବୋଲିଂ କଥା ଆଦି ପ୍ରସଙ୍ଗରେ ସେମାନେ ଗପୁଥିଲେ। ବର୍ମାର ମୁହଁ ଉପରେ ଢାଙ୍କି ହୋଇ ରହିଥିଲା ଏକ ଉଦାସୀପଣ-ଅନେକ ସମୟ ଧରି ସଂଗ୍ରାମ ଲକ୍ଷ୍ୟ କରି ଆସୁ ଥିଲା ଏକଥା।

ଆଜି ବି ମିସେସ ବର୍ମା ଘରକୁ ଫେରି ନ ଥିଲେ। ଘର ସାରା ଜିନିଷ ପତ୍ର ଖେଳେଇ ହୋଇ ପଡ଼ିଥିଲା ଏଣେ ତେଣେ। ଲାଗୁ ନ ଥିଲା, ସ୍ୱାମୀ ସ୍ତ୍ରୀ ଦି ଜଣ ସଂସାର ବାନ୍ଧି ରହୁଛନ୍ତି ଏଠି। ହଠାତ ସଂଗ୍ରାମ ର ନଜର ପଡ଼ିଲା ଡାଇନିଂ ଟେବୁଲ ଉପରେ ପଡ଼ି ଥିବା ଖଣ୍ଡିଏ କାଗଜ ଉପରେ। କାଗଜ ଖଣ୍ଡିକ ଉଠେଇ ନେଇ ସ୍ତମ୍ଭୀଭୂତ ହେଲା ସେ-ଡିଭୋର୍ସ ନୋଟିସ! ବର୍ମାର ସ୍ତ୍ରୀ ପଠେଇଚି।

ପଛରେ ଛିଡ଼ା ହୋଇ ବର୍ମା ଲକ୍ଷ୍ୟ କରୁଥିଲା ସଂଗ୍ରାମର ଗୋଇନ୍ଦାଗିରି। ଫିକା ହସଟେ ହସି କହିଲା-"ଆନ୍ତରିକ ସମ୍ପର୍କ ତ ଅନେକ ଆଗରୁ ଛିଣ୍ଡି ସାରି ଥିଲା। ପନ୍ଦର ଦିନ ତଳେ ଅଫିସ ଯାଇ ଆଉ ସେ ଫେରିଲା ନାଇଁ। ଆଉ ଏବେ ଏଇ ନୋଟିସ। ଜୀବନ କାହା ପାଇଁ କେଉଁଠି ଅଟକି ରହେ ସଂଗ୍ରାମ?"

ସଂଗ୍ରାମକୁ କିଛି ଶୁଭୁ ନ ଥିଲା। ତା ଆଖିରେ ଦିଶି ଯାଉଥିଲା ପଦ୍ମଜାର ମୁହଁ। ଯଦି କେବେ ଦିନେ ଅଫିସ ଯାଇ ପଦ୍ମଜା ଆଉ ଘରକୁ ନ ଫେରେ...! ତା ପରେ ଦିନେ ଡିଭୋର୍ସ ନୋଟିସ ପଠେଇ ଦିଏ……!! ସଂଗ୍ରାମ ର ଛାତି ତଳେ ଭାରି ଗୋଟେ କଷ୍ଟ ହେଉଥିଲା। ପଦ୍ମଜା ତାକୁ ଭଲ ପାଏ କି ନା, ସେ ଜାଣେନା। ଅଥଚ ତାକୁ ଏବେ ଲାଗୁଥିଲା, ପଦ୍ମଜା ବିନା ସେ ବଂଚି ପାରିବ ନାହିଁ।

ଏତିକିବେଳେ ସଂଗ୍ରାମର ସେଲଫୋନ ବାଜି ଉଠିଲା। ସେପଟୁ ପଦ୍ମଜା ଖିଙ୍କାରୁଥିଲା-"ଘରକୁ ଫେରିବାର ବେଳ କଣ ତୁମକୁ ଜଣା ପଡ଼ୁନି?"

ଘଂଟାରେ ମାତ୍ର ସାତଟା ଏବେ। ଏତେ ଶୀଘ୍ର ଆଜି ଘରେ ପହଂଚି ଯାଇଚି ପଦ୍ମଜା ଓ ଅପେକ୍ଷା କରୁଛି ସ୍ୱାମୀର ଆସିବା ଲାଗି। ସଂଗ୍ରାମ କହିଲା-"ଏଇ ସାଙ୍ଗେ ସାଙ୍ଗେ ମୁଁ ଆସୁଛି, ପଦ୍ମଜା।"

ବର୍ମାକୁ ଯଥା ସମ୍ଭବ ଆଶ୍ୱାସନା ଦେଲା ସେ ଓ ତା ପରେ ଘରକୁ ଫେରିବାକୁ ବାହାରିଲା।

ଘରେ ପହଂଚି ସଂଗ୍ରାମ ଦେଖିଲା, ପଦ୍ମଜା ଶୋଇଚି। ତା ଦେହରେ ଜ୍ଵର। ସଂଗ୍ରାମର ହାତକୁ ପାପୁଲିରେ ଚାପି ଧରି ପଦ୍ମଜା କହିଲା-"ମୋର ବି ଆଜି ଭାରି ଇଚ୍ଛା ହେଉଚି, ପକ୍ଷୀଟିଏ ପାଲଟି ଯିବି।"

-"ପଦ୍ମଜା...! "ସଂଗ୍ରାମ ହୁଏତ ନିଜ କାନକୁ ବିଶ୍ବାସ କରି ପାରୁ ନ ଥିଲା। ଇଏ କଣ ସେଇ ପଦ୍ମଜା?

-"ମୋର ଗୋଟିଏ ଅଳି ଅଛି ତୁମ ପାଖରେ। ରଖିବ ନା?"

-"କଣ କୁହ!"

-"ମୁଁ ମାଆ ହେବାକୁ ଚାହେଁ। "ପଦ୍ମଜା ର ଆଖିରେ ଟଳ ମଳ ହେଉଥିଲା ଲୁହ।

-"ସେସବୁ କଥା ପରେ। ଚାଲ ଆଗେ ହସ୍ପିଟାଲ ଯିବା। ତୁମ ଦେହରେ ଜ୍ୱର ଭର୍ତ୍ତି ହୋଇଛି।"

-"ତୁମେ ଠିକ କହିଥିଲ, ସଂଗ୍ରାମ। ବସାକୁ ଫେରିବାର ଏକ ନିର୍ଦ୍ଦିଷ୍ଟ ବେଳ ଥାଏ। ଗଲା ଦୁଇ ସଂଜରେ ଅଫିସରୁ ଫେରି ତୁମକୁ ବସାରେ ନପାଇ ମୁଁ ବୁଝିଚି ଏକଲାପଣର ଯନ୍ତ୍ରଣା। "ସଂଗ୍ରାମ ର ଛାତିରେ ଢଳି ପଡ଼ିଲା ପଦ୍ମଜା।


Rate this content
Log in

Similar oriya story from Romance