ବର୍ଷା
ବର୍ଷା


ବର୍ଷା ଆସିଲେ ଭୂମି ଠାରୁ ଭୂମା ପର୍ଯ୍ୟନ୍ତ ଖେଳିଯାଏ ଆନନ୍ଦ ।ଅନନ୍ୟ ରୂପରେ ରଙ୍ଗୀନ ହୋଇଯାନ୍ତି ସମସ୍ତେ ।ପଶୁପକ୍ଷୀଠାରୁ ମଣିଷ ପର୍ଯ୍ୟନ୍ତ ସମସ୍ତେ ହୁଅନ୍ତି ଆଶ୍ୱସ୍ତ ।ସବୁଠାରୁ ବେଶୀ ଆନମନା ହୁଅନ୍ତି ଯୌବନରେ ପାଦ ଥାପିଥିବା କିଶୋର କିଶୋରୀ ।ବର୍ଷା ଆସିଲେ ହୃଦୟରେ ପ୍ରେମ ଗୁଞ୍ଜରିତ ହୋଇଉଠେ ।ସାଥି ପାଇଁ ମନ ଆନମନା ହୋଇଉଠେ ।ବିରହର ମିଠା ବେଦନାରେ ତାପିତ ହୃଦୟ ,ମନପ୍ରାଣ, ଶରୀର ସାଥିରେ ସ୍ପର୍ଶ ଖୋଜିଥାଏ ।ଅନୁଢା ଯୁବତୀଙ୍କ ମୁହଁରେ ଏଇ ପ୍ରେମ ନିଆରା ହୋଇଉଠେ ।ଅନନ୍ୟ ମାଧୁର୍ଯ୍ୟରେ ଝଲସି ଉଠନ୍ତି ସେମାନେ ।ବର୍ଷା ଆଗମନରେ ମୟୂରୀ ସାଜି ନାଚିଉଠନ୍ତି ସେମାନେ ।ଭିଜା ଶରୀରରେ ପ୍ରୀତିର ତରଙ୍ଗ ଶିହରଣ ବୁଣିଦେଇଥାଏ । କିନ୍ତୁ ବୈଶାଖୀ । ବର୍ଷା ଆସିଲେ ହୋଇଯାଏ ଦୁଃଖୀ ।ମଳିନ ପଡ଼ିଯାଏ ମୁଖମଣ୍ଡଳ ।ଯେବେ କେବେ ଅଜାଣତରେ ଭିଜିଯାଏ ବର୍ଷାରେ ଅକୁହା ଅଦୃଶ୍ୟ ଯନ୍ତ୍ରଣାରେ ଜଳିଉଠେ ସେ ।ଅକ୍ତାମାକ୍ତା ହୋଇଉଠେ ମନ ।ବର୍ଷା ସାଥେ ଆଖିରୁ ନିଗିଡି ପଡେ
ଅବଶୋଷର ଅତୃପ୍ତ ଲହୁ ମିଶା ଲୁହ ।ବିଗତ ଦିନର ସ୍ମୃତି ଗୁଡିକ ଜୀବନ୍ତ ହୋଇଉଠନ୍ତି ଆଖି ଆଗରେ ।ସାଙ୍ଗର ବାହାଘର ପାଇଁ ଉପହାର କିଣିବାକୁ ଆସି ସେ କଣ ଜାଣିଥିଲା ଆଜି ଏ ଅଦିନିଆ ବର୍ଷା ନେଇଯିବ ତାକୁ ପାଞ୍ଚ ବର୍ଷ ତଳର ସ୍ମୃତି ରାଇଜ କୁ ।ଅଜଣା ବ୍ୟକ୍ତିଙ୍କ ଘର ସମ୍ମୁଖରେ ଅଧା ଭିଜା ଶରୀରକୁ ସୁରକ୍ଷା ଦେଇ ହଜିଯାଇଥିଲା ଭାବନା ରାଜ୍ୟରେ ।
ବୈଶାଖୀ ନୂଆ ନୂଆ ଯୌବନରେ ପାଦଥାପି ଭାରି ଖୁସି ଥାଏ ।ଜୀବନର ଷୋହଳ ଫଗୁଣରେ ପହଞ୍ଚି ମନ ଚୁଲୁବୁଲି ସାଜିଥାଏ ।ନୂଆ ନୂଆ କଲେଜ ନୂଆ ନୂଆ ବାନ୍ଧବୀ ।ମନ କିନ୍ତୁ ଖୋଜୁଥାଏ ନୂଆ ଅନୁଭୂତି ।ଆଖି କୋଣରେ ନୂଆ ନୂଆ ସ୍ୱପ୍ନ ,ନୂଆ ନୂଆ ଆଶାରେ ରଙ୍ଗୀନ ହୋଇଉଠୁଥାଏ ଜୀବନ ।ଏମିତି ଏକ ଅପରାହ୍ଣ ରେ ସାଙ୍ଗ ଗହଣରେ କଲେଜରୁ ଫେରିବା ସମୟରେ କୁଆଡେ ଥିଲା ଏ ମେଘ କେଜାଣି ।ବର୍ଷିଗଲା ମନଇଚ୍ଛା ।ସଭିଏଁ ସଡକ ପାର୍ଶ୍ୱରେ ଏକ ଘର ବାରଣ୍ଡାରେ ଠିଆ ହୋଇରହିଲେ ସମସ୍ତେ ।ହଟାତ ଘର ଭିତରୁ ବାହାରି ଆସିଲା ଜଣେ ଯୁବକ ।ଆରେ ଏ ତ ବିଦ୍ୟୁତ ।ତାଙ୍କ ଶ୍ରେଣୀର ।ଅବଶ୍ୟ ନୂଆ ନୂଆ କଲେଜ ଯାଉଥିବାରୁ ଚିହ୍ନା ପରିଚୟ ଏତେ ନାହିଁ ।ତଥାପି ସେ ଚିହ୍ନିପାରିଥିଲା ସହପାଠୀନିଙ୍କୁ ।ବାବା ତାହାର ସରକାରୀ କର୍ମଚାରୀ ।ଘରେ ମାଆ ଆଉ ଜେଜିମାଆ ।ସମସ୍ତଙ୍କୁ ଟାୱେଲ ଦେଲା ପୋଛିବାକୁ ।କିଛି ସମୟ ଗପ କରୁ କରୁ ବିଦ୍ୟୁତ ର ମାଆ ଚା କରି ଆଣିସାରିଥିଲେ ।ବାସ କିଛି ସମୟ ଭିତରେ ପ୍ରଥମ ପ୍ରେମର ରଙ୍ଗ ଲାଗିସାରିଥିଲା ବୈଶାଖୀ କୁ ।ବିଦ୍ୟୁତ ମନରେ ବି ଅପୂର୍ବ ଶିହରଣ ଖେଳିଯାଇଥିଲା ।ପରସ୍ପରର ଆଖି ମିଶିଯାଇଥିଲା ।
ବେଶ କିଛି ସମୟ ବିତିଯାଉଥିଲା ଦୁହିଁଙ୍କର ମିଠା ଗଳ୍ପରେ ।କେହି କାହାରିକୁ କହିନଥିଲେ ମଧ୍ୟ ପ୍ରେମର ମଧୁ ଛୁଆଁ ଛୁଇଁଯାଇଥିଲା ଦୁହିଁଙ୍କୁ ।ସାଙ୍ଗସାଥି ମାନେ ମଧ୍ୟ ଏଣିକି ଥଟ୍ଟା ମଜା କରୁଥିଲେ ତାକୁ ।ଉପରକୁ ରାଗୁଥିଲେ ମଧ୍ୟ ଖୁବ ଭଲ ଲାଗୁଥିଲା ବୈଶାଖୀକୁ ।ହଟାତ ଦିନେ ସାଙ୍ଗ ଆସି କହିଲା ବିଦ୍ୟୁତ ବାବାଙ୍କ ବଦଳି ଯୋଗୁଁ ସେ ଚାଲିଯାଇଛି ଆଉ ତୁମ କୁ ଏ ଚିଠି ରେ ଠିକଣା ଓ ଫୋନ ନମ୍ବର ଦେଇଦେଇଛି ।ଦୁଃଖ ଲାଗିଲେ ବି ହୃଦୟର ବେଦନା କୁ ଲୁଚାଇ ଉଦାସ ମନରେ ଫେରିଲା ବୈଶାଖୀ ।ବାଟରେ ଦୁର୍ଘଟଣା ଘଟି ଦୀର୍ଘ ଦୁଇମାସ ଗୋଡ଼ ଭାଙ୍ଗିଯାଇଥିବାରୁ ଶେଯରେ ପଡ଼ିରହିଲା ସେ ।ଦୁର୍ଘଟଣା ଫଳରେ ବହିପତ୍ର ସହ ଚିଠି ଟି ବି ହରାଇଲା ସେ ।ସେଦିନଠୁ ଏ ବର୍ଷା ଆସିଲେ ଦୁଃଖରେ ହତାଶ ହୋଇଯାଏ ବୈଶାଖୀ ।ପୁରୁଣା ସ୍ମୃତି ଭିତରେ ଖୋଜେ ବିଦ୍ୟୁତ କୁ ।ଭଗବାନଙ୍କୁ ଡାକେ ବିଦ୍ୟୁତ କୁ ଭେଟ କରାଇଦେବାକୁ ।
ହଟାତ କାହାର ଚିହ୍ନା ଚିହ୍ନା କଣ୍ଠସ୍ୱରରେ ପ୍ରକୃତିସ୍ଥ ହେଲା ବୈଶାଖୀ ।ଏ କଣ ନିଜ ଆଖିକୁ ଵିଶ୍ଵାସ କରିପାରୁନି ସେ ।ତା ଆଖି ସାମ୍ନାରେ ବିଦ୍ୟୁତ ।ଏ ତାହାର ଭ୍ରମ ନୁହେଁ ତ ।ନିଜକୁ ନିଜେ ଚିମୁଡ଼ି ପକାଇଲା ସେ ।ନା ନା ଏ କଳ୍ପନା ନୁହେଁ ସତ ।ସେ କିଛି କହିବା ଆଗରୁ ବିଦ୍ୟୁତ ତାହାର ବାନ୍ଧବୀଠାରୁ ସବୁ ବୁଝିସାରିଥିଲା ।ତେଣୁ ନିଜ ହୃଦୟର କଥା ତିନୋଟି ଶବ୍ଦରେ କହିପକାଇଲା ।ବିଦ୍ୟୁତ ମୁହଁରୁ ମୁଁ ତୁମକୁ ଭଲପାଏ ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ବୈଶାଖୀ ।ଖୁସିରେ ନାଚିଉଠିଲା ସେ ।ଆଜି ଏ ବର୍ଷା ତାକୁ ଆପଣାର ଲାଗୁଥିଲା ।ବାରଣ୍ଡା ତଳକୁ ଦୌଡ଼ିଗଲା ସେ ।ହୃଦୟର ସବୁ ଦୁଃଖକୁ ଭୁଲି ଭିଜୁଥିଲା ଖୁସିରେ ।ଆଉ ତାକୁ ଦେଖି ବିଦ୍ୟୁତ ବି ଆପଣାର କରିନେଇଥିଲେ ବର୍ଷାକୁ ।ଦେଖଣାହାରି ମାନେ ଆଶ୍ଚର୍ଯ୍ୟ ହେଉଥିଲେ ଏ ଦୁହିଁଙ୍କର ପାଗଳାମି ଦେଖି ।