ବର୍ଷା ସହ କିଛି ସ୍ମୃତି
ବର୍ଷା ସହ କିଛି ସ୍ମୃତି
ସେଦିନ କଲେଜରେ ଜରୁରୀ ପ୍ରାକ୍ଟିକାଲ କ୍ଲାସ ଥିଲା। ନ ଗଲେ ନଚଳେ । ତାଛଡା ଲାଇବ୍ରେରୀରୁ କିଛି ବହି ବି ଆଣିବାର ଥିଲା। ସେଥିଲାଗି ତ ଆକାଶରେ କଳା ବାଦଲର ଉପଦ୍ରବ ସ୍ପଷ୍ଟ ବାରି ହଉଥିଲେ ବି ମାନିନୀ କଲେଜ ଯିବାକୁ ବାହାରିଥାଏ।
ମା'ମନା କରିଥିଲେ । କିନ୍ତୁ ସେ କାହା କଥା ଶୁଣି ନଥିଲା।
ଘରଠାରୁ ପ୍ରାୟ ୪୫କିମି ଦୁରରେ କଲେଜ। ତେଣୁ ବସରେ ଯିବାକୁ ହୁଏ। ଏପଟୁ କଲେଜ ଯିବାକୁ ଯେତିକି ସହଜରେ ବସ ମିଳିଯାଏ,ସେପଚୁ କିନ୍ତୁ ଆସିବାକୁ ଚିକିଏ କଷ୍ଟ ହୁଏ,ବସ ସହଜରେ ମିଳେନି। ହଉ .....ଯାହା ହଉ..... ମାନିନୀ ତ ବାହାରିଛି କଲେଜ...
ସେଦିନ ବସ ଷ୍ଟପରେ ବହୁତ ସମୟ ଠିଆ ହେଲା ପରେ ବସଟିଏ ଆସିଲା। ମାନିନୀ ବସରେ ବସି ଅଳ୍ପ ଦୂର ଯାଇଛି କି ନାହିଁ ଟପଟାପ ହେଇ ବର୍ଷା ଆରମ୍ଭ ହେଇଗଲା। ମାନିନୀ କଲେଜରେ ପହଞ୍ଚିଲା ବେଳକୁ ବର୍ଷା ତା'ର ଜୋର୍ ଧରି ସାରିଥାଏ। ସେଦିନ ଯୋଗକୁ ବର୍ଷାର ଆଧିକତା ଯୋଗୁଁ କଲେଜ ସସପେଣ୍ଡ ହେଇଗଲା।
ଧିରେ ଧିରେ କରି ଜଣେ ଜଣେ କରି ନିଜ ଘରକୁ ଫେରୁଥାନ୍ତି । ମାନିନୀ ବି ଘରକୁ ଆସିବାକୁ ବସଷ୍ଟପରେ ଆସିକି ଠିଆ ହେଲା।
ବହୁତ ସମୟ ଠିଆ ହେବା ପରେ ବି ବସ ଆସୁ ନଥାଏ। କଲେଜ ସାମ୍ନା ଦୋକାନ ବଜାର ସବୁ ବନ୍ଦ। କଲେଜ ସାମ୍ନାରେ ଗୋଟିଏ ପାନ ଦୋକାନ ସାମ୍ନାରେ କିଛି ଯୁବକ ଠିଆ ହେଇଥାଆନ୍ତି। ସେଇଠୁ କିଛି ଦୂରରେ ଜଣେ ଯୁବକ,(ସେ ବି ବୋଧେ ବସ କୁ ଅପେକ୍ଷା କରିଥିଲେ)
ଆଉ ରାସ୍ତାର ଅନ୍ଯପଟେ ମାନିନୀ।
(ଯେହେତୁ ମାନିନୀ ଓ ସେ ଯୁବକଙ୍କୁ ଦୁଇ ଜଣଙ୍କୁ ବିପରୀତ ଦିଗରେ ଯିବାର ଥିଲା ତେଣୁ ଦୁହେଁ ରାସ୍ତାର ବିପରୀତ ଦିଗରେ ଠିଆ ହେଇଥିଲେ) ।
କିଛି ସମୟ ପରେ ମାନିନୀ ଲକ୍ଷ୍ଯ କଲା ସେ ଯୁବକ ମାନେ ମାନିନୀକୁ ଦେଖି କିଛି ଟାହିଟାପରା କରୁଥାନ୍ତି। ବର୍ଷା ଓ ପବନ ଅଧିକ ହେଉଥିବାରୁ ମାନିନୀ ଛତା ବି ଖୋଲି ପାରୁନଥାଏ। ସେମିତି ଜାକିଯୁକି ହେଇଠିଆ ହୋଇ ଭିଜୁଥାଏ।
ମାନିନୀର ଅସଂଯମତା ଦେଖି ସେ ଯୁବକ ଜଣକ ରାସ୍ତାପାର ହେଇ ଆସି ମାନିନୀ ପାଖାପାଖି ଠିଆ ହେଲେ। ସେ ବି ଭିଜୁଥାନ୍ତି। ଏଇ ଭିତରେ ବିପରୀତ ପଟୁ ସେ ଯୁବକଙ୍କ ବସ ଆସିଲା। ମାନିନୀ ତାଙ୍କୁ ଚାହିଁଲା ,ସେ ବି ମାନିନୀକୁ ଚାହିଁଲେ। ମାନିନୀ ଦୀର୍ଘଶ୍ବାସଟିଏ ପକେଇଲା। ସେ ବୋଧେ କିଛି ବୁଝିଗଲେ। ସେ ବସରେ ଚଢିଲେ ନାହିଁ।
କିଛି ସମୟ ପରେ ଯୋଗକୁ ଦୁହିଁଙ୍କ ବସ ଏକା ସାଙ୍ଗରେ ଆସିଲା। ଦୁହେଁ ଦୁହିଁଙ୍କୁ ଶେଷ କୃତଜ୍ଞତା ଭରା ଚାହାଣୀଟିଏ ଚାହିଁଲେ । ଯିଏ ଯାହା ବସରେ ଚଢିଲେ।
ଆଜି ବି ମାନିନୀ ବର୍ଷାଋତୁ ଆସିଲେ ଏଇ ପୁରୁଣା ବର୍ଷା ସ୍ମୃତି ସହ ବେଳେ ବେଳେ ଭିଜିଯାଏ।

