Himalini Hota

Fantasy Inspirational

4.5  

Himalini Hota

Fantasy Inspirational

ବୋଉ

ବୋଉ

5 mins
355


ବୋଉ ...ଏ ଦୁଇଟି ପଦ ରେ ସତେ କେତେ ମଧୁରତା ଓ ଅତ୍ମୀୟତା ଭରି ରହିଛି। ସଂସାର ଭିତରେ ବୋଧେ ଯେତିକି ଶବ୍ଦ ଅଛି ସବୁଠାରୁ ସୁନ୍ଦର ଆଉ ଶ୍ରେଷ୍ଠ ପଦ ବୋଧେ ଏହି ବୋଉ ଡାକ । ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ କରି ଯଦିଓ ଏଇ ବୋଉ ଡାକର କାୟା ବଦଳି ମମି ,ମମ,ମାମା ରେ ବଦଳି ଯାଇଛି । ତଥାପି ବୋଉ ଡାକରେ ଯୋଉ ଅତ୍ମୀୟତା ଅଛି ବୋଧେ ଆଉ କୋଉ ଡାକରେ ନାହିଁ । ଆଜି ବି ହଠାତ ବିପଦରେ ପଡିଗଲେ ପାଟିରୁ ସ୍ଵତଃ ସ୍ପୁର୍ତ ଭାବରେ ବlହାରିଯାଏ ବୋଉ ଲୋ ।"ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗlଦପୀ ଗରିୟସୀ "ତାର ଚାରଣାବିନ୍ଦରେ ମୋର କୋଟି କୋଟି ପ୍ରଣାମ ,ତାର ସ୍ନେହ ମମତା ର ବର୍ଣ୍ଣନା କରିବାକୁ ଯେଉଁଠି ବଡ଼ ବଡ଼ ଲେଖକ ଓ କବିଙ୍କର ଲେଖନୀ ହାର ମାନିଯାଏ ସେଥିରେ ମୁଁ ବା କୋଉ ଗୋଟେ ଭଲ ଲେଖିପାରେ ଯେ ବର୍ଣ୍ଣନା କରିପାରବି ।ତଥାପି ଏତିକି କହିବି ଯେ ବୋଉ ଠାରୁ ଅଧିକ ସ୍ନେହ ମମତା ଆମକୁ ଏହି ଦୁନିଆ ରେ ହୁଏତ କେହି ଆଉ ଦେଇ ପାରିବେ ନାହିଁ ।

  

ଆଜି ବୟସର ଅପରାହ୍ନରେ ନିଜକୁ ବୋଉ ଭୂମିକା ରେ ସଜେଇ ସାରିଥିଲେ ବି କାହିଁକି କେଜାଣି ଲାଗେ ମୁଁ ପିଲାଙ୍କୁ ଦେଉଥିବା ସ୍ନେହ ମମତାରେ କିଛିଟା ଅଧୁରା ରହିଯାଇଛି । ନିଜେ ଛୋଟ ବେଳେ ଯେଉଁ ସ୍ନେହ ପାଇଛି ସେପରି ସ୍ନେହ ବୋଧେ ମୁଁ ମୋ ପିଲାଙ୍କୁ ଦେଇ ପାରୁନି । ଭାରି ମନେପଡେ ସେ ହଜିଲା ଦିନର କଥା ସବୁ । ବେଳେ ବେଳେ ତ ଏମିତି ଲାଗେ ଇଂରାଜୀ ସିନେମlରେ ଦେଖିଲା ପରି ଗୋଟେ ସମୟ ଯନ୍ତ୍ର ଥାନ୍ତା କି କାସ ମୋ ପାଖରେ, ଆଉ ମୁଁ ସେଥିରେ ବସି ମୋ ପିଲା ଦିନକୁ ଫେରି ଯାଇଥାନ୍ତି ଆଉ ଖୁବ ମଜା କରିଥାନ୍ତି । ନିଜ ପିଲା ମାନେ ବଡ଼ ବଡ଼ ହୋଇ ସାରିଥିଲେ ବି ଯେତେବେଳେ ଏ ମନଟା ଅତୀତକୁ ଫେରି ଯାଏ ଏହି ବୟସରେ ମଧ୍ୟ ନିଜକୁ କୁନି ପିଲା ପରି ଅନୁଭବ ହୁଏ ।ଏବଂ ବୋଉ କୋଳକୁ ଫେରିଯାଇ ତାର ପଣତ କାନିକୁ ମୁହଁରେ ଧରି ଗେଲ ହେବl ପାଇଁ ଭାରି ଇଚ୍ଛା ହୁଏ ।କିନ୍ତୁ ଏହା କଣ କେବେ ସମ୍ଭଵ ?


ପର୍ବ ପର୍ବାଣୀରେ ଭାରି ମନ ପଡେ ତାର ହାତ ତିଆରି ଖାଇବା ଜିନିଷ ସବୁକୁ । ସେ ବଉଳ ଅମବାସ୍ୟା ର ଗଇଁଠା ହେଉ ,କି ମାର୍ଗଶିର ମାସ ର କାକରl,ମଣ୍ଡା,ଆରିସା କି ମହାଲୟାର ସବୁ ପ୍ରକାର ପରିବା ମିଶା ଘାଣ୍ଟ ଓ ଶାଗ ଭଜା ହେଉ ,ତାର ଯୋଉ ସ୍ୱାଦ .. ଆଜିକା ପିଜ଼ା ,ବର୍ଗର,ଚାଓମିନ,ମ୍ୟାଗି ଆଉ ଭଳିକି ଭଳି ଆଧୁନିକ ଖାଦ୍ୟ ଯାହା ପିଲlଙ୍କ ଇଚ୍ଛା ଅନୁଯାୟୀ ମୁଁ ବନାଏ ଘରେ ସେଇ ବୋଉର ହାତ ରନ୍ଧା ଖାଦ୍ୟର ସ୍ୱାଦ ଆଗରେ ଫିକା ପଡି ଯାଏ । ଆହା ...କେତେ ହସ ଖୁସୀରେ ବିତି ଯାଉଥିଲା ସେ ପିଲା ଦିନ । କେତେ ମାଡ଼ ଗାଳି ଖାଇଲେ ବି ସେ ସମୟରେ ବାଧୁ ନଥିଲା । ବୋଉର ଗାଳି ଦାଣ୍ଡର ଧୂଳି ପରି ଥିଲା । ଝାଡୁ ଝୁଡ଼ି ହୋଇ ଗଲେ ସବୁ ଶେଷ । ଭୂଲ ଭାଲ କାମ ସବୁ କରି ଗାଳି ଶୁଣି ବାହାରକୁ ଖେଳିବାକୁ ବୁଲିବାକୁ ପଳେଇଥିବୁ ଯେ ଘରକୁ ଫେରିଲା ବେଳକୁ ଆମ ମନରେ ଡର ଥିବ ସିନା ବୋଉର ଆଉ ତା ରାଗିବା କଥା ମନ ନ ଥିବ । ସେହି ଚିରା ଚରିତ ଢ଼ଙ୍ଗରେ କଅଁଳେଇ କରି ଡାକି ତିନି ଜଣଙ୍କୁ ଖୁଆଇବା କୁ ବସି ପଡିଥିଵ ରାଗ କୁ ଭୂଲି । ସେଥିରେ ପୁଣି ଖେଚଡାମୀ ଆରମ୍ଭ ହୋଇ ଯାଇଥିବ ଆମର ।ବୋଉର ଅନ୍ୟମନସ୍କତାର ସୁଯୋଗ ନେଇ କାହା ଥାଳି ରୁ ଆଳୁ ଭଜା ତ ଆଚାର ଟିକେ ତ କାହା ଥାଳିରୁ ମାଛ ପିସରୁ ଖଣ୍ଡେ ଯାଇ ଆଉ ଜଣଙ୍କ ପାଟିରେ ପଶି ଯାଇଥିବ।ଜଣେ ଚିଲ୍ଲେଇବା ପରେ ଯାଇ ବୋଉକୁ ଜଣା ପଡେ ଆମ ମାନଙ୍କ କୃତିତ୍ୱ ବିଷୟରେ ।ଆଉ ପାରି ହେବନି ଏମାନଙ୍କୁ, କହି ବୋଉ ମିଛ ରାଗ ଦେଖାଉ ଥିବ ଆଉ ଭୂଲ ରେ କେବେ ବି ଖୁଆଇବାକୁ ବସିବ ନାହିଁ ବୋଲି ବି ମିଛି ମିଛିକା ଉଠି ପଡୁଥିବ।କିନ୍ତୁ ଆମକୁ ନ ଖୁଆଇଲେ କଣ ତା ପାଟି କୁ ଭାତ ରୁଚିବ ।ସେମିତି ଗାରୁ ଗାରୁ ହୋଇ ପୁଣି ଖୁଆଇ ବାକୁ ବସି ପଡୁଥିବ ।ଆମେ ମଧ୍ୟ ଆରାମରେ ଖାଇ ଦେଉଥିବୁ ।ଗାଁର ସେଇ ନୁଆଁଣିଆ ଚାଳ ଘର, ସଦ୍ୟ ଗୋବର ଲିପା ଢ଼ିଙ୍କି ଶlଳ , ଆଉ ସେହି ଢ଼ିଙ୍କିକୁ ଲାଗି ଚଟାଣ ଉପରେ ସପ ଟିଏ ପାରି ଦେଇ ଆମ ମାନଙ୍କର ଗପର ଆସର ତା ସହ କାଚ କଉଡ଼ି ର ଖେଳ । କିଏ ଝିଅ ପୁଅ ବିଭl ବ୍ରତ କଲେ ବି ସେତିକି ଗପ କରିବନି ଆମେ ଯେତେ ଗପୁ । ସେତେବେଳେ ଆମ ଭିତରେ ଗପ ର ବିଷୟ ବସ୍ତୁ କଣ ଥିବ ଈଶ୍ୱର ଙ୍କୁ ଜଣା କିନ୍ତୁ ଗପ ର ଆସର ଜମା କମେନି । ବେଳେ ବେଳେ ବୋଉ ଭାବେ ଏ ଗୁଣୁ ଗୁଣୁ ଶବ୍ଦ ଆସୁଛି କୋଉଠୁ ..ଖୋଜି ଖୋଜି ଢ଼ିଙ୍କି ଶାଳ ରେ ଆମକୁ ଦେଖି ହସି ଦିଏ। ଆଉ ଆଜି ଯେତେବେଳେ ମୋ ପିଲାମାନେ ଦୁଷ୍ଟାମୀ କରନ୍ତି ସେମାନଙ୍କୁ ମୁଁ ଯେତେବେଳେ ରାଗି କି ନିଆଁ ବାଣ ହୋଇ ଗୋଡେଇ ପିଟେ ସେତେବେଳେ ମନ ପଡେ ବୋଉର ସେ ନିରୀହ ମୁହଁ ଆଉ ଆମେ ମାନେ ତାକୁ ହଇରାଣ କରି ନୟାନ୍ତ କରିବାର ଦୃଶ୍ୟ। ଏତ ଗଲା ଖାଇବା ଓ ଖେଳିବା ବେଳର କଥା ,ଶୋଇବା ବେଳେ ବି କଣ କମ ଦୁଷ୍ଟାମୀ ଚାଲି ଥାଏ !ଆମର ...


ଶେଜ ଉପରେ ପଡିଥିବା ଗୋଟିଏ ତକିଆରେ ଥିବ ତିନିଟି ମୁଣ୍ଡ । କେହି କାହାକୁ ଘଡ଼ିଏ ଛାଡିବାକୁ ନାହିଁ କି ଝଗଡା ମଧ୍ୟ କମିବାର ନାହିଁ । ଦିନେ ଦିନେ ସେ ଗୋଟିଏ ତକିଆ୍ କୁ ନେଇ ଝଗଡା ଏମିତି ବଢିଯାଏ ଯେ ବୋଉ ବିଚାରୀ ଆମର ଅନନ୍ୟୋପାୟ ହୋଇ ଝାଡୁର ସାହାରା ନିଏ । ତିନି ଜଣଙ୍କୁ ପାହାରେ ପାହାରେ ବସିଲା ପରେ ଯାଇ ସେ ତକିଆ ଉପରୁ ଉଠୁ । ବୋଉ ଆମର ଭାରି ଭଲ ଖାଇବା ଦେଲା ବେଳେ ଯେମିତି ପାତର ଅନ୍ତର କରେ ନାହିଁ ଝାଡୁ ପାହାର ଦେଲା ବେଳେ ବି ସେମିତି କାହାକୁ ପାତର ଅନ୍ତର ଆଦୌ କରେ ନାହିଁ ।ପାହାରେ ଲେଖେ ବାଜିଲା ପରେ ବି ଆମର ଝଗଡା ଥମୁ ନଥାଏ । ମାଡ଼କୁ ଡରି ପଡିଉଠି ଯିଏ ଯାହାର ଅଲଗା ହୋଇ ବସିଥିଲା ପରେ ବି ଚାଲି ଥିବ ଝଗଡା । କିଏ କାହାର ଚୁଟି ଝିଙ୍କି ଦିଏ । କିଏ କାହାର ବହିକୁ ନେଇ ସେଲ୍ଫ ତଳେ ଲୁଚେଇ ଦେଇଥାଏ ଯେ ଘର ଝାଡୁ କରିବା ସମୟରେ ବୋଉ ଚାପୁଡ଼େ ଲେଖେ ପକେଇ ଯାହା ବହି ତାକୁ ଦିଏ । ଦିନେ ଦିନେ ତ ଆମର ଝଗଡାରେ ଅତିଷ୍ଠ ହୋଇ ବୋଉ କାହା ସହ କିଏ କଥା ହବନି କହି ରାଣ ପକେଇ ଦିଏ । ଟିକେ ଡରି ଯାଉ ,ତାର ପକେଇଥିବା ରାଣକୁ, କିନ୍ତୁ କେତେ ସମୟ ବା ରହି ପାରିବୁ ନ କଥା ହୋଇ ପରସ୍ପର ସହ , ବୋଉ ଟିକେ ଶାନ୍ତ ହୋଇଗଲେ ତା ପଛରେ ତିନି ଜଣ ଯାକ ଲାଗି ପଡୁ ରାଣ ଫିଟେଇବା ପାଇଁ । କେତେ ଖୋସାମତି କରାହୁଏ ଆଉ କେବେ ଝଗଡା କରିବୁନି କହି । କାନ ଧରି ବସ ଉଠ ମଧ୍ୟ ହେଉ । ବାସ ବୋଉ ଟିକେ ଶାନ୍ତ ହୋଇ ରାଣ ଫିଟିଗଲା ବୋଲି ଯେତେ ବେଳେ କହିଦିଏ ,ଆମର ଚଗଲାମୀ ପୁଣି ଆରମ୍ଭ ହୋଇ ଯାଇଥାଏ "ଯଥା ପୂର୍ବମ ତଥା ପରଂ" ନୀତିରେ । ବିଚାରୀ ବୋଉଟା ଆମର ଆମର ବଳି ପଡ଼ିଯାଏ ,ଯେତେବେଳେ ବାପାଙ୍କ ସାମ୍ନାରେ ଆମ ଦୁଷ୍ଟାମୀ ପଡି ଯାଇଥାଏ । ଢେଉ ସାରା ଗାଳି ଶୁଣେ , ଆମକୁ ଠିକରେ ଶାସନ କରି ପାରୁନି କହି । ବେଳେ ବେଳେ ବାପା ଙ୍କ ଆକ୍ରୋଶ ରୁ ଆମକୁ ରକ୍ଷା କରିବାକୁ ଯାଇ ତା ଉପରେ ବି ଦୁଇ ଚାରି ପାହାର ବି ବସି ଯାଏ । କିନ୍ତୁ ଭୂଲ ରେ ସୁଦ୍ଧା ଆମ ବିରୁଦ୍ଧରେ କିଛି କଥା ତା ପାଟିରୁ ବାହାର କରେ ନାହିଁ । ବୋଉ ଆମ ପାଇଁ ବାପା ଙ୍କ ଠାରୁ ଗାଳି ଶୁଣିଲା ବେଳକୁ ଭାରି କଷ୍ଟ ହୁଏ ଆଉ କେବେ ସେମିତି ଦୁଷ୍ଟ ହେବୁନି କହି, ବହି ଗୋଟିଏ ଗୋଟିଏ ଧରି କୋଣ ବାଡ଼କୁ ଆଉଜି ବସି ପଡୁ । କିନ୍ତୁ ବାପା ଯେତେବେଳେ ଘରୁ ବହାରକୁ ପଳାନ୍ତି ଆମର ସବୁ ଶପଥ ଭାଙ୍ଗି ଯାଇଥାଏ । ପୁଣି ଥରେ ଆମର ଦୁଷ୍ଟାମୀ ଆରମ୍ଭ ହୋଇ ଯାଇଥାଏ । ବୋଉ ଆମକୁ ଆଉ ପାରି ହେବନି କହି କାନ ମୁଣ୍ଡ ଆଉଁସି ରହେ ।

ଆମ ପାଠ ପଢା ର ସବୁ ଶ୍ରେୟ ମଧ୍ୟ ବୋଉ ଉପରେ ଯାଏ । ପରୀକ୍ଷା ସମୟରେ ଲାଗେ ଯେମିତି କି ଆମେ ପରୀକ୍ଷା ଦେଉନୁ ତ, ସିଏ ଆମ ପାଇଁ ପରୀକ୍ଷା ଦେଉଛି ।ସାରା ଦିନ କାମ କରି କରି ଥକି ଯାଇଥିଲେ ବି ରାତି ଅଧ ଯାଏ ଆମେ ପଢା ପ୍ରସ୍ତୁତ କଲା ବେଳେ ଆମକୁ ଜଗି ଚେଇଁ ରହିଥିବ ।କାଳେ ଦିନ ସାରା ଆମେ ସ୍କୁଲ,କଲେଜ ଟିଉସନ ହୋଇ ହାଲିଆ ହୋଇ ଶୋଇ ପଡ଼ିବୁ ବୋଲି ।ମଝିରେ ମଝିରେ ଆମ ମାନଙ୍କ ପାଖରେ ବସି ବିଭିନ୍ନ ପ୍ରକାର ମଜା କଥା କହି ଆମ ନିଦ ଭାଙ୍ଗି ପଢା ଉପରେ ଧ୍ୟାନ ଦେବା ପାଇଁ ଚେଷ୍ଟାରତ ଥିବ।ତାର ସେହି ପ୍ରଚେଷ୍ଟା ପାଇଁ ଆମେ ତିନିଜଣ ଯାକ ଭାଇ ଭଉଣୀ ସର୍ବଦା ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ପାସ କରୁ । ଆମର ଏହି ସଫଳତାରେ ଯିଏ ସବୁଠି ଅଧିକ ଖୁସୀ ହୁଏ ସିଏ ହେଉଛି ଆମ ବୋଉ। ଯେତେ ତା ବିଷୟରେ ଲେଖ ଜମା ସରିବନି ଲେଖା ।ଆଉ ବେଶୀ ଲେଖିଲେ ବି ପାଠକ ମାନେ ବୋର ହେଇଯିବେ । ତେଣୁ ଲେଖା ଟିକୁ ଏଇଠି ସାରୁଛି । କିଛି ଯଦି ଭୂଲ ଭାଲ ଥାଏ କ୍ଷମା ଦେବେ ।।



Rate this content
Log in

Similar oriya story from Fantasy