ବନ୍ଧୁ, ବନ୍ଧୁକ ଓ ବନ୍ଧନ
ବନ୍ଧୁ, ବନ୍ଧୁକ ଓ ବନ୍ଧନ
ଉଦୁଉଦିଆ ଖରାବେଳଟାରେ ଗୋଟାପଣ ଝାଳ ଜୁଡୁବୁଡୁ ହୋଇ କଲେଜ୍ରୁ ଫେରୁଥିଲା ବର୍ଷା । ବାଟରେ ସେ ଆକାଶକୁ ସାମାନ୍ୟ ତେରଛା ଚାହାଣୀରେ ଚାହିଁ, ମନଦୁଃଖରେ ପାଦରେ ଚାଲି ଚାଲି ଯାଉଥିବାବେଳେ, ପଛରୁ ଆକାଶ ସ୍ମିତ ହସି କହିଲା –
- ପ୍ଲିଜ୍ ,ଟିକେ ଶୁଣ ?
-କ’ଣ, ଯଲ୍ଦି କୁହ ।
-ଆଇ ଲଭ୍ ୟୁ ।
-ସେକଥା ଭୂଲିଯାଅ ।
-ଠିକ୍ ଅଛି । ତୁମେ ଭଲ ନ ପାଅ, ସେଥିରେ ମୋର ଦୁଃଖ ନାହିଁ । ହେଲେ ଆମେ ତ ଦୁହେଁ ଭଲ ବନ୍ଧୁ ହୋଇପାରିବା ?
-ନୋ ଇମ୍ପସିବୁଲ୍ । ତମେ ମୋ ବାପାଙ୍କୁ ଜାଣିନ । ସେ କଥା କଥାକେ ବନ୍ଧୁକ ଉଠାନ୍ତି ।
ବର୍ଷା ଏକା ନିଶ୍ୱାସକେ କହି, ତରତର ହୋଇ ଚାଲିଯାଉଥିଲାବେଳେ, ଆଖିରେ ତା’ର ଲୁହ ଆସିଥିଲା । ଅବଶ୍ୟ ସେ ଜାଣେ ଆକାଶ ତାକୁ ବହୁତ ଭଲପାଏ । ହେଲେ ନିଜ ମନ ତଳର କଥା ତା ବାପାଙ୍କ ଡରରେ ସେ କେମିତି କହିବ, କିଛି ଭାବିପାରୁ ନଥିଲା ।
ସେଦିନ ପିକ୍ନିକ୍ରେ, ବର୍ଷା ଗଛ ମୂଳେ ପଡିଥିବା ପଥରଟା ଉପରେ ବସି ଅନ୍ୟମନସ୍କଭାବେ କିଛି ଭାବୁଥିବା ସମୟରେ, ଆକାଶ ପଛପଟୁ ଆସି ତା ପିଠିକୁ ଟିକେ ଛୁଇଁଦେଇ, ସ୍ମିତ ହସି କହିଲା –
-କ’ଣ ଭାବୁଛ ?
-କିଛି ନାହିଁ ।
-ତୁମେ ମୋତେ ଭଲପାଅ କି ନାହିଁ କହି ଦିଅ । ମୁଁ କିନ୍ତୁ ଜାଣିଛି ତୁମ ଆଖି କହୁଛି ତୁମେ ମୋତେ ଭଲ ପାଉଛ ।
-ଜାଣିଛ ତ ପଚାରୁଛ କାହିଁକି ? ମୋ ପିଛା କରନି ପ୍ଲିଜ୍ । ମୋତେ ଏକା ରହିବାକୁ ଦିଅ ।
..........
ବର୍ଷା ପିକ୍ନିକ୍ରୁ ଫେରି, ଡିନର୍ କରି, ବେଡ୍ରୁମ୍ରେ ଥିବା ଡ୍ରେସିଂ ମିରର୍ ସାମ୍ନାରେ ଗୋଲାପି ରଙ୍ଗର ହାଲ୍କା ଫୁଲ୍କା ଡ୍ରେସ୍ଟା ପିନ୍ଧୁଥିବା ସମୟରେ ନିଜର ଉଛୁଳା ଜୈାବନ ଦେଖି ଦେହ ଶୀତେଇ ଉଠିଥିଲା ତା’ର । ସାରା ଶରୀର କାମନାର ନିଆଁରେ ଜଳୁଥିଲା ଯେମିତି । ସେ ମତୁଆଲା ହୋଇ ଦର୍ପଣରେ ନିଜର ପ୍ରତିବିମ୍ବ ବାରଂବାର ଦେଖି କାମାଶକ୍ତ ହେବା ସହ ଆକାଶର ଅନୁପସ୍ଥିତିକୁ ବେଶ୍ ଅନୁଭବ କରୁଥିଲା ।
.........
ସବୁ ବର୍ଷ ପରି ସେବର୍ଷ କଲେଜ୍ର ସତେଇଶତମ ଆନୁଆଲ୍ ଫଙ୍କ୍ସନ୍ ବଡ ଧୁମ୍ଧାମ୍ରେ ଚାଲିଥିବା ସମୟରେ ଆକାଶ ବର୍ଷା ପାଖକୁ ଆସି କହିଲା –
-ଟିକେ ଶୁଣିବ ?
-କ’ଣ କୁହ ?
-ତୁମେ ମୋତେ ଆଭଏଡ୍ କରୁଛ କାହିଁକି ?
-ତୁମ ଭଲ ପାଇଁ ।
-ମାନେ ?
-ମୋ ବାପା ଜାଣିଲେ ତୁମକୁ ଜୀବନରେ ମାରିଦେବେ । ଆଉ ତୁମର କିଛି ହେଇଗଲେ ମୁଁ ବଂଚି ପାରିବିନି । କାହିଁକିନା ମୁଁ ତୁମକୁ ମୋ ଜୀବନଠାରୁ ବେଶୀ ଭଲପାଏ ।
ଏ ଛନଛନ ବୟସରେ ପ୍ରେମ କି ମାନେ ବନ୍ଧ ବାଡ । ପ୍ରେମ ଏକ ଅମାନିଆ ଝରଣା , ଯାହାର ଗତିକୁ ରୋକି ହୁଏନା । ପ୍ରେମ ଏକ ଉଡନ୍ତା ପକ୍ଷୀ, ଯାହାକୁ ପଞ୍ଜୁରୀ ଅଟକାଇ ପାରେନା । ପ୍ରେମ ଏକ ଦର୍ପଣ, ଯେଉଁଥିରେ ପ୍ରତିବିମ୍ବର ପ୍ରତିଫଳନକୁ ଦେଖିବା ମୁସ୍କିଲ୍ । ଏତେ ଦିନ ପରେ ଆକାଶ, ବର୍ଷା ମୁହଁରୁ ଏଇ କଥା ପଦକ ଶୁଣି ଖୁସିରେ ଯେମିତି ସତରେ ପାଗଳ ହେଇଯାଉଥିଲା । ରାତିରେ ଆଖିକୁ ନିଦ ଆସୁନଥିଲା । ବର୍ଷା କଥା ଭାବି ଭାବି କେତେବେଳେ ରାତି ପାହିଯାଉଥିଲା, ସେ ଜାଣିପାରୁ ନଥିଲା ।
ପ୍ରାକ୍ଟିକାଲ୍ ଶେଷ କରି ବାହାରିଲା ବେଳକୁ ଅପରାହ୍ନ ଚାରିଟା । ବର୍ଷା ବ୍ୟସ୍ତ ହୋଇ ଅକାଶକୁ ଯାଇ କହିଲା-
-ମୋତେ ଟିକେ ନେଇ ଆମ ଘର ପାଖରେ ଛାଡିଦିଅ । ନୋହିଲେ ଲେଟ୍ରେ ପହଂଚିଲେ ବାପା ଭିଷଣ ରାଗିବେ ।
-ଓକେ ।
..............
ସେ
ଦିନ ସଂଧ୍ୟାରେ, ଅବସରପ୍ରାପ୍ତ ମିଲିଟାରୀ ଅଫିସର୍ ନାଗାର୍ଜୁନ ବାବୁ ଅଗଣାରେ ବସି ଚା’ ପିଉଥିବା ସମୟରେ ବର୍ଷାକୁ ପାଖକୁ ଡାକି କହିଲେ -ଆରେ ମା’, ମୁଁ ଅଖିଳେଶ୍ ବାବୁଙ୍କ ପୁଅ ସହ ତୋ’ର ବିବାହ ଠିକ୍ କରିଛି । ତୁ ତ ସେମାନଙ୍କୁ ଜାଣୁ । ତାଙ୍କ ପୁଅ ଏଇ ଦୁଇ/ତିନି ମାସ ତଳେ ଆର୍ମିରେ ଜଏନ୍ କଲା । କ’ଣ କହୁଛୁ ?
ବର୍ଷା ତଳକୁ ମୁହଁକରି ଗୋଡର ବୁଢାଆଙ୍ଗୁଠିରେ ଚଟାଣରେ ଗାର ଟାଣୁ ଟାଣୁ କହିଲା -
-ମୁଁ ଏ ପ୍ରସ୍ଥାବରେ ରାଜି ନୁହେଁ । ।
-କାହିଁକି ?
-ମୁଁ ଆକାଶକୁ ଭଲପାଏ । ତାକୁ ହିଁ ମ୍ୟାରେଜ୍ କରିବି । ସେ ବି ଜଣେ ପୋଲିସ୍ ଅଫିସର୍ ।
-ସେକଥା ଭୂଲିଯା’ । ମୁଁ କଥା ଦେଇ ସାରିଛି । ଦରକାର ପଡିଲେ ମୁଁ ଆକାଶକୁ ଗୁଳି କରିଦେବି ।
-ତମେ କିଛି କରିପାରିବନି । ଖାଲି ବନ୍ଧୁକ ଦେଖେଇ ଡରେଇ ଜାଣିଛ ।
-ତୋ’ର ଏତେ ସାହସ । ତୁ ମୋ ମୁହଁ ଉପରେ ଜବାବ୍ ଦେଉଛୁ ? ଦେଖିବୁ ଏବେ ....
ନାଗାର୍ଜୁନ ବାବୁ ଭିଷଣ ରାଗିଯାଇଥିଲେ । ତାଙ୍କ ପାଟିକୁ ଯାହା ଆସିଲା ବକିଗଲେ । ସେହି ରାଗରେ ସେ ଅତି କ୍ରୋଧାନ୍ୱିତ ହୋଇ ବର୍ଷାକୁ ଗଳା ଧକ୍କା ଦେଇ ସବୁଦିନ ପାଇଁ ଘରୁ ବାହାର କରିଦେଲେ ।
.........
ବର୍ଷା, ଆକାଶର କ୍ୱାର୍ଟର୍ ପାଖରେ ପହଂଚି ଦେଖେ ତ ଗେଟ୍ରେ ତାଲା ଝୁଲୁଛି । ସେ ଅନୋନ୍ୟପାୟ ହୋଇ ଥାନା ଅଭିମୁଖେ ବାହାରିଥିବା ସମୟରେ ହଠାତ୍ କେଊଁଠୁ ଖବର ପାଇ ଆକାଶ ଝଡବେଗରେ ସେଠାରେ ପହଂଚି ବର୍ଷା କାନ୍ଦୁଥିବାର ଦେଖି କହିଲା –
-କ’ଣ ହେଇଛି ? ତୁମ ଆଖିରେ ଲୁହ ?
-ମୁଁ ଘର ଛାଡି ସବୁଦିନ ପାଇଁ ତୁମ ପାଖକୁ ଚାଲିଆସିଛି ।
ଏତିକିରୁ ଆକାଶ ସବୁ କଥା ବୁଝିପାରିଥିଲା । ସେ ଖୁସିରେ ବର୍ଷା ଆଖିରୁ ଲୁହ ପୋଛିଦେଇ କହିଲା- ଠିକ୍ ଅଛି । ତମେ ଫ୍ରେସ୍ ହେଇ ଟିଫିନ୍ କର । ରାତି ପାହିଲେ ଆମେ କୋର୍ଟରେ ମ୍ୟାରେଜ୍ କରିନେବା । ମୁଁ ଏବେ ଡ୍ୟୁଟିରେ ଅଛି । ଦଶଟାରେ ଫେରିବି । ଆସୁଛି ।
..........
ବର୍ଷା ଘର ଛାଡି ଚାଲିଆସିବା ଦୁଇ ମାସ ହେଇଗଲାଣି । ସୁମତୀ ଦେବୀଙ୍କ ମନରେ ସୁଖ ନାହିଁ । ଝିଅ କଥା ଭାବି ଭାବି ମନ ଦୁଃଖରେ ବାଲ୍କୋନୀରେ ବସି ନୀରବ ଅଶ୍ରୁ ଝରାଉଥିବା ସମୟରେ ହଠାତ୍ କଲିଂ ବେଲ୍ ବାଜିଉଠିଲା । ନାଗାର୍ଜୁନ ବାବୁ ଡୋର୍ ଖୋଲିଲେ । ବର୍ଷା ଓ ଆକାଶ ଦୁହେଁ ତାଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲାବେଳେ ସେ ଟିକେ ଦୂରକୁ ଘୁଂଚି ଯାଇ ଗର୍ଜନ କରି କହିଲେ –
-କୁଆଡେ ଆସିଛ ?
-ଆପଣମାନଙ୍କୁ ଦେଖିବାକୁ ।
-ଦେଖିଲ ତ , ଏବେ ଚାଲିଯାଅ ।
ନିଜକୁ ଆଉ ସମ୍ଭାଳି ପାରିଲାନି ବର୍ଷା । କୋହମିଶା ସ୍ୱରରେ ଚିକ୍ରାର କରି କହିଲା-
-ଜୀବନରେ ମାରିଦେବାକୁ କହୁଥିଲେ ପରା ? ଆମେ ଏବେ ଆପଣଙ୍କ ସାମ୍ନାରେ ଠିଆହେଇଛୁ । ପାରୁଛନ୍ତି ଯଦି ବନ୍ଧୁକ ଉଠାଇ ଆମ ବନ୍ଧନରେ ସବୁଦିନ ପାଇଁ ପୂର୍ଣ୍ଣଛେଦ ଟାଣି ଦିଅନ୍ତୁ ।
-ଅପେକ୍ଷା କର । ଆସୁଛି ।
କିଛି ସମୟ ପରେ ସୁମତୀ ଦେବୀ ହସି ହସି, ବନ୍ଦାଣ ଥାଳି ଧରି. ଝିଅ-ଜ୍ୱଇଁଙ୍କୁ ବନ୍ଦାପନ୍ନା କରି ପାଛୋଟି ନେଲେ ।