ବିରହ ନିଶା
ବିରହ ନିଶା
ଯେତେବେଳେ ମତେ ଏକାକୀ ଲାଗେ କେବଳ ତୋରି କଥା ମନେପଡ଼େ । ଏକୁଟିଆର ଅର୍ଥ ଏ ନୁହେଁଯେ ମୋର ନିଜର ବୋଲି କେହି ନାହାନ୍ତି । ସମସ୍ତଙ୍କ ଭିତରେ ଥାଇବି ଜାଣିଶୁଣି ନିଜକୁ ନିସଙ୍ଗ କରିଦିଏ କେବଳ ତତେ ମନେ ପକେଇବା ପାଇଁ । ତୋରି ହେଇଯିବାକୁ ଚାହେଁ ପୂର୍ଣ୍ଣ ରୂପେ । ଆଶା ସବୁ ଆଶାରେ ହିଁ ରହିଯାଏ,
ତାରିଖ ଆଉ ଦିନ ତ ଠିକରେ ମନେ ନାହିଁ କିନ୍ତୁ ଯେବେଠାରୁ ମନେ ରଖିବାର ଶକ୍ତି ଆସିଛି ମୁଁ ତତେ ସେବେଠାରୁ ଜାଣିଛି ତତେ ମନେ ରଖିଛି । ମୁଁ ଅମାନିଆ ଉତ୍ସୃଙ୍ଖଳ ଆଉ ତୁ ଶାଳୀନତାର ଦେବୀ ପ୍ରତିମୂର୍ତ୍ତି । ଯାହା ତୋର ବର୍ତ୍ତମାନ ,ଭବିଷ୍ୟତ ଆଉ ଅତୀତର ପରିଚୟ ।
ରମଣୀ ମୋର ପିଲାଦିନର ବନ୍ଧୁ । ବନ୍ଧୁ କହିଲେ ଆମ ଦୁହିଁଙ୍କର ବନ୍ଧୁତା ବଳୟରେ ଅନ୍ୟ କାହାରିକୁ ପ୍ରବେଶର ଅନୁମତି ନଥିଲା । କୋଡ଼ିଏ ବର୍ଷର ବନ୍ଧୁତାକୁ କେବେବି କାହାର ନଜର ଲାଗିନଥିଲା । ମୁଁ ରମଣୀକୁ ବହୁତ ହଇରାଣ କରେ ତା'ନାଁ କୁ ନେଇ ବିଭିନ୍ନ ପ୍ରକାରର କଥା କୁହେ । ରମଣୀ ରାଗେ ଅଭିମାନ କରେ ସବୁ ଦେବା ଦେବୀଙ୍କ ରାଣ ଖାଇ ମୋ ସହ କଥା ହବନି ବୋଲି କୁହେ । କେଇଦିନ ନୁହେଁ କେଇଘଣ୍ଟା ଭିତରେ ସବୁ ଭୁଲି ମତେ ଖୋଜିବୁଲେ । ସବୁ ସାଙ୍ଗ ସାଥୀଙ୍କୁ ମୋର ଠିକଣା ପଚାରି ପହଞ୍ଚି ଯାଏ । ଝିଅ ପିଲାତ ଟିକେ ଅଭିମାନ କରି ଚୁପଚାପ ଠିଆହୋଇ ରହେ ମୋ ପାଖରେ ମୁଁ ତାର ସେଇ ଅତି ପସନ୍ଦର ଗୀତ ଗାଇବା ଆରମ୍ଭ କରିଦିଏ ,ରମଣୀର ରାଗ ଶାନ୍ତ । ବେଳେବେଳେ ବେଶୀ ରାଗିଲେ ସମସ୍ତଙ୍କ ସାମ୍ନାରେ ମତେ ବାଡ଼ାଏ ତା ଭ୍ୟାନିଟ ରେ । ମୋ ମନରେ କେବେବି ରାଗ ଆସିନି ରମଣୀ ପ୍ରତି ।
ପାଠପଢା ପରେ ବି ଆମ ବନ୍ଧୁତା ପୂର୍ବବତ ରହିଥିଲା । କେହିକେବେ ଆମ ବନ୍ଧୁତାକୁ ଆକ୍ଷେପ କରି କିଛି ଖରାପ କହିନାହାନ୍ତି । ପ୍ରାୟ ବର୍ଷେ ପରେ ବିବାହପଯୋଗ୍ୟା ରମଣୀର ବିବାହ ଲାଗି ବହୁତ ଭଲ ପ୍ରସ୍ତାବ ସବୁ ଆସିଲା । ରମଣୀ କିନ୍ତୁ ମନା କରିଚାଲିଥାଏ ସବୁ ପ୍ରସ୍ତାବକୁ । ତାର ବାହାଘର ବିଷୟରେ ଆମ ଭିତରେ କଥାବାର୍ତ୍ତା ହୁଏ । ସେ କିନ୍ତୁ ସବୁ ପ୍ରସ୍ତାବରେ କିଛି ନା କିଛି ଅବଗୁଣ ବାହାର କରି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଉଥାଏ । ଏମିତି ଦିନେ କଥା ଛଳରେ ରମଣୀ ପଚାରିଲା ,ତୁ କେବେ ବାହା ହବୁ ? ଆରେ ତୁ କଣ ଦେଖିପାରୁନୁ ମୋର ପାହୁଲା ଟେ ରୋଜଗାର ନାହିଁ ,ଘର କଥା ତ ତୁ ସବୁ ଜାଣିଛୁ । ଏବେ ତ ମୁଁ କିଛି ଭାବିନି ସେ ବିଷୟରେ ଆଉ ତୁ ଶୁଣୁ ତୋ ନନା(ବଡ଼ଭାଇ) ମତେ କହୁଥିଲେ ତୋ ବାହାଘର ବିଷୟରେ ତତେ ବୁଝେଇବା ଲାଗି । ଆଉ କହୁଥିଲେ ଯଦି ତୁ କାହାକୁ ପସନ୍ଦ କରିଛୁ ସେ ବିଷୟରେ କହିଲେ ସେମାନେ ଚିନ୍ତା କରିବେ । ମୋ ଉତ୍ତର ଆଉ ପ୍ରଶ୍ନରେ ରମଣୀ ଖୁସି ହେଇ କହିଲା । ହଁ ମୁଁ ଜଣକୁ ମୋର ଜୀବନ ସାଥି ବାଛି ସାରିଛି ହେଲେ ସେ ମନା କରୁଛି । କିଏ ସେ ? ତତେ ମନା କଲାଭଳି ପିଲା କିଏ ଅଛି ଏ ଦୁନିୟାରେ ? ତୋ ଭଳି ସୁନ୍ଦରୀ ଆଉ ଗୁଣବତୀ ତାକୁ ସାତ ଜନ୍ମରେ ମିଳିବ ନା । ସେଇଟା ଅନ୍ଧଟା । ମୁଁ ଆଉ କିଛି କହିବା ଆଗରୁ ....ରମଣୀ କହିଲା ଚୁପ କର ,ମୋ ପ୍ରେମିକ ବିଷୟରେ ସେମିତି କହନି ତା ଭଳି ଏ ଦୁନିଆରେ କେହିବି ନାହାନ୍ତି । ହେଲେ ଅବୁଝା ,ବୟସରେ ଯୁବକ ହେଇଥିଲେ ବି ତା ମନ ମସ୍ତିଷ୍କ ଭିତରେ ଏବେବି ଗୋଟିଏ ଛୋଟ ପିଲାର ବୁଦ୍ଧି । ହଉ ଆଉ ପ୍ରଶଂସା କରନି ତୁ ପୁଣି ଭଲ ପାଇଛୁ ସେ ବି ମୋ ଅଜାଣତରେ ,ମିଛ କାହାଣୀ ଶୁଣାନୀ । ଆରେ ତୁ ଜାଣିଛୁ ତାକୁ ରମଣୀ ଉତ୍ତର ଦେଲା । ତା ଉତ୍ତରକୁ ମୁଁ ଗୁରୁତ୍ୱ ନଦେଇ କହିଲି ,ତୋ ଭଳି କାଳି ଝିଅକୁ କିଏ ଭଲ ପାଇବ ? ବାହା ହବା କଥା ତ ବହୁତ ଦୂରରେ ! ତୁ ପୁଅ ମାନଙ୍କୁ ନୁହଁ ପୁଅମାନେ ତତେ ବାଛୁଛନ୍ତି । ରମଣୀ ମୋ ଚୁଟି ଧରୀ ଜୋର ଜୋରରେ ମୋ ଉପରେ ବିଧା ଚାପୁଡ଼ା ବର୍ଷା କରିଦେଲା । ଅନ୍ୟଦିନ ଅପେକ୍ଷା ସେଦିନ ତା ମାଡ଼ରେ ଯଥେଷ୍ଟ ଓଜନ ଥିଲା । ମୋର ଅନୁରୋଧ କ୍ଷମା ପ୍ରାର୍ଥନା ପରେ ରମଣୀ ନିସ୍ତେଜ ହେଇ ମୋ ପାଖରେ ବସି ପଡ଼ିଲା । ମୁଁ ନିଜକୁ ସମ୍ଭାଳି ରମଣୀକୁ ଚାହିଁଲି ,ତା ମୁହଁର ସେ ଚିର ସତେଜତା ମଳିନ ପଡିଛି ଯେତେ ଯାହା ପଚାରିଲେବି କଥାକୁହା ରମଣୀ ପାଖରେ ମୋ ସହ କଥା ହେବାକୁ ଶବ୍ଦର ଅଭାବ । ଢଳ ଢଳ ଆଖିରେ ମହାସାଗରର ଉଛୁଳା ତରଙ୍ଗ ଯାହା ନିଜକୁ ସୁନାମୀରେ ପରିଣତ କରିବାକୁ ଚେଷ୍ଟିତ । କିଛି ସମୟ ନୀରବ ରହିଲା ପରେ ,ରାଗିଲୁକିରେ ? ରମଣୀ ପଚାରିଲା ମୁଁ ଇସାରାରେ ମନାକଲି । ହଉ ମୁଁ ଯାଉଛି ।
ଦୁଇ ସପ୍ତାହ ପରେ ରମଣୀର ବାହାଘର ସ୍ଥିର ହେଇଗଲା । ନିର୍ବନ୍ଧ ଦିନ ରମଣୀ ସବୁ ସାଙ୍ଗଙ୍କୁ ଡାକିଥିଲା । ମୁଁ ତ ଘରଲୋକ । ସେଦିନ ରମଣୀ ମୋ ପାଖରୁ ଯଥାସମ୍ଭବ ଦୁରେଇ ଦୁରେଇ ରହୁଥାଏ । ଝିଅ ଶାଶୂଘରକୁ ଚାଲିଯିବ ବୋଲି ମନେ ମନେ ଦୁଃଖିଥିବ ଭାବି ମୁଁ ବି କିଛି ପଚାରି ନଥିଲି । ସେଦିନ ସନ୍ଧ୍ୟାରେ ମୁଁ ରମଣୀ ପାଖରେ ପହଞ୍ଚିଲି । ଆଜି ତୁ ବହୁତ ସୁନ୍ଦର ଲାଗୁଥିଲୁ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ କାଳୀ ଆଉ ସୁନ୍ଦରୀ ନାୟିକାଙ୍କ ସହ ମୁଁ ତାକୁ ତୁଳନା କରିଥିଲି ।ଯାହା ମୁଁ ସବୁଦିନ କୁହେ । ରମଣୀ କିଛି ବି ପ୍ରତିକ୍ରିୟା ଦେଇ ନଥିଲା । ଆହୁରି କେତେ କଣ କହିଥିଲି ମୋ କଥାକୁ କାନ ନ ଦେଇ ରମଣୀ ନିଜକୁ କାମରେ ବ୍ୟସ୍ତ ରଖିବାର ଅଭିନୟ କରିଚାଲିଥିଲା । ହଉ କାଳୀ ଯା ସବୁ ଝିଅ ତୋ ଭଳି ବାହାଘର ନ ହଉଣୁ ଏତେ ଭାଉ ,ବାହାଘର ପରେତ ଚିହ୍ନି ପାରିବୁନି ମତେ । ଖୁସିରେ ରହ ଯେଉଁଠି ରହ ଯେମିତି ରହ । ରମଣୀ ଆଖି ଏବେବି ଛଳ ଛଳ । ମୁଁ କିଛିବି ବୁଝି ପାରୁନଥାଏ ଆଉ ସ୍ୱାର୍ଥପର ରମଣୀ କିଛିବି କହୁନଥାଏ ।
ସେଦିନ ଫେରିଲାପରଠୁ ମୋ ମନରେ ବି ଅନେକ ପ୍ରଶ୍ନ ରମଣୀକୁ ନେଇ ? ଆଉ ଧିରେ ଧିରେ ମୁଁ ବି ଦୁଖୀ ହେଉଥାଏ ଯେ ରମଣୀ ମତେ ଛାଡ଼ି ଚାଲିଯିବ । ପିଲାଦିନରୁ ଆଜି ଯାଏ ପ୍ରତ୍ୟେକଟି ମୁହୁର୍ତ୍ତ ଆଖିସମ୍ନାରେ ନାଚି ଯାଉଥାଏ । ମନେ ମନେ ସ୍ଥୀର କଲି ଆଉ ଦେଖାକରିବିନି ରମଣୀ ସହ ।
ବାହାଘରର ଦିନ ଆସିଗଲା । ପ୍ରାୟ ସବୁ ସାଙ୍ଗସାଥି ଆସିଥାନ୍ତି । ସେଦିନ ପ୍ରଥମଥର ମୁଁ ଅଭିମାନ କରିଥିଲି ରମଣୀ ଉପରେ ରାଗିଥିଲି କାନ୍ଦୁଥିଲି ପାଗଳଙ୍କ ପରି ଅସ୍ଥିର ମନା ହେଉଥିଲି । ଇଛା ହେଉଥିଲା ସେ ବାହାଘର ଅଟକେଇ ଦେବି । ମନରେ କେତେ କଣ ଭାବି ଚୁପଚାପ ଘରେ ବସିଥାଏ । ସନ୍ଧ୍ୟାବେଳେ ରମଣୀ ତା ବଡ଼ଭାଇ ସହ ଆମଘରକୁ ଆସିଥିଲା ମତେ ତାର ବିବାହ ଉତ୍ସବରେ ଉପସ୍ଥିତ ରହିବାକୁ । ଆସିବା କ୍ଷଣି ସେ ମତେ ଚାପୁଡାଏ ମାରିଲା ମୋ କାନ ଧରି ବୋଉକୁ କହିଲା ,ମୋ ବାହାଘରରେ ରାଗିଛି ଚାରିଦିନ ହେଲା ମତେ ଦେଖାକରିବାକୁ ଆସିନି । ଶେଷରେ ମତେ ଆସିବାକୁ ପଡ଼ିଲା । ରମଣୀର କଥା ଶୁଣି ମୁଁ ଜୋରରେ କାନ୍ଦି କାନ୍ଦି ତାକୁ କୁଣ୍ଢେଇ ପକେଇଲି । କାଳି ତୁ ଠକିଦେଲୁଲୋ ।ଏ ହିରୋ ଚାଲ ଚାଲ ବରଯାତ୍ରୀ ଚର୍ଚ୍ଚା କିଏ କରିବ ? ସାଙ୍ଗ ମାନଙ୍କ କଥା କିଏ ବୁଝିବ ? ତତେ ଏ କାନ୍ଦଣା ମାନୁନି । ମୁଁ ଲୁହ ପୋଛି ଆଜ୍ଞାକାରୀ ପିଲାଟି ପରି ଚାଲିଲି ରମଣୀ ବହାଘରରେ କୁଣିଆ ଚର୍ଚ୍ଚା କରିବାକୁ । ପହଂଚିଲାପରେ ସବୁ ସାଙ୍ଗ କନିଆଁ( ରମଣୀ)ଘରେ ବସି କେତେ କଣ କହୁଥାନ୍ତି । କେତେ ଥଟ୍ଟା ମଜା କରୁଥାନ୍ତି ମୁଁ ଆଉ ରମଣୀ ଦୁହେଁ ନୀରବ । ଏ ଭିତରେ କେହିଜଣେ ଖବରଦେଲା କି ବର ଆସି ଗାଁ ମୁଣ୍ଡରେ ପହଂଚିଲାଣି । ସମସ୍ତେ ବାହାରିଲୁ ବରକୁ ସସମ୍ମାନେ ପାଛୋଟି ଆଣିବାକୁ । ପଛରୁ ଶୁଭିଲା ଏ ଅମଣିଷ ତୁ କୁଆଡ଼େ ଯାଉଛୁ !? ରହ ତୋ ପାଖରେ କଥା ଅଛି । ଏ କଥା ରମଣୀ ମୋ ଉଦ୍ଧେଶ୍ୟରେ କହିଥିଲା । ରମଣୀ ମୁଁ ଆଉ ଜଣେ ବାନ୍ଧବୀ କୁ ଛାଡିଲେ ସମସ୍ତେ ଚାଲି ଯାଇଥିଲେ ରମଣୀର ଭାବି ସ୍ୱାମୀକୁ ପାଛୋଟି ଆଣିବାକୁ । ରମଣୀ କହିବା ଆରମ୍ଭ କଲା ।
ମୁଁ ତତେ ବାହା ହେବି ଆଜି । ତତେ ହିଁ ମୋ ଜୀବନ ସାଥି ରୂପେ ମୁଁ ଧୂଳିଖେଳ ଠାରୁ ବାଛି ସାରିଛି । ମୋ ମୁଣ୍ଡ ବୁଲେଇଦେଲା । କଣ କହୁଛୁ ତୁ !!? ଗାଁ ମୁଣ୍ଡରେ ବର ପହଂଚିଲାଣି !!? ଚୁପ ରହ ରମଣୀ ଆଦେଶ ଦେଲା ପରି କହିଲା । ମୁଁ କାଳୀ ବୋଲି ତୁ .....? ମୁଁ ବୟସରେ ତୋ ଠାରୁ ମାସେ ବଡ଼ ବୋଲି ....? ତତେ ମାରୁଛି ବୋଲି ତୁ ମତେ ବାହା ହବାକୁ ଅରାଜି ହଉଛୁ ....? ନା ରମଣୀ ତୁ ବହୁତ ସୁନ୍ଦରୀ ତୋ ଛଡ଼ା ମୋ ଆଖିକୁ କେହିବି ସୁନ୍ଦର ଲାଗନ୍ତିନି ଏ କଥା ତୁ ଜାଣିଛୁ । ତୋ ହାତରୁ ମାଡ଼ ଖାଇବାର ପରିସ୍ଥିତି ମୁଁ ନିଜେ ତିଆରି କରେ ଏ ସବୁ କଣ ତତେ ଅଜଣା ? ତୁ ଏସବୁ କହିବାକୁ ଏତେ ଡେରି କାହିଁକି କଲୁ ? ରମଣୀ କହିଲା ମୁଁ କେତେଥର କହିଛି ତତେ କଥା ଛଳରେ ,ସବୁଦିନ ତ କହେ ତତେ ମୋର ତୋ ଭଳି ଜୀବନ ସାଥି ଦରକାର । ପିଲାବେଳର ନୂଆବୋହୁ ଖେଳରୁ ଆଜି ଯାଏ ସବୁଦିନ କହିଛି । ତୁ ଅମଣିଷ ପଶୁ କେବେ ବୁଝିଛୁ ମୋ ମନ କଥା !!? ସବୁବେଳେ ଖାଲି ମଣି ମଣି ତୋ ପଥର ହୃଦୟକୁ କେବେ ପଚାରିଛୁ ତୋର ଏଇ ମଣି କଣ ଚାହେଁ ? ଅସିମିତ କୋହ ସାଙ୍ଗକୁ ରମଣୀର ଶବ୍ଦ ବାଣରେ ମୁଁ ଶଯ୍ୟାଶାୟୀ ହେଇସାରିଥିଲି । ମୋ ଆଖିରେ ବି ଚାରିମେଘ ଏକାଠି ବର୍ଷୁଥାନ୍ତି । ହେ ପ୍ରଭୁ ଏ କି ପରୀକ୍ଷା ତମର ? ଉଦ୍ଧାର ହେ ପ୍ରଭୁ ।
ସତ କହିବାକୁ ଗଲେ ରମଣୀର ନିର୍ବନ୍ଧ ଦିନ ମୁଁ ବି ତାକୁ ଭଲପାଉଛି ବୋଲି ଅନୁଭବ କରିସାରିଥିଲି । ହେଲେ କହିବାକୁ ସାହସ କରିପାରିନି । ମଣି କାନ୍ଦ ବନ୍ଦ କର । ମୁଁ ତତେ କେମିତି ବାହାହେବି ଆଜି ? ମୁଁ ବେରୋଜଗାର । ଆଉ ଏବେ ଏ ସମାଜ କଣ କହିବ ଆମକୁ ? ସେ ଯେଉଁ ନିର୍ଦୋଷ ମଣିଷଟିଏ ତତେ ବାହା ହବାକୁ ଆସିଛି ଆଖିରେ ଆଖିଏ ସପନ ନେଇ ସେ କଣ ଫେରିଯିବ ଶିଶୁପାଳ ହେଇ ।? ରମଣୀ କାନ୍ଦ କାନ୍ଦ ହେଇ କହିଲା ଦେଖ ମୁଁ ସତୁରି ହଜାର ଟଙ୍କା ରଖିଛି ଦେହରେ ଦୁଇଲକ୍ଷ ଟଙ୍କାର ଗହଣା ପିନ୍ଧିଛି ତୁ ପଇସା ଚିନ୍ତା କରନି ,ସମାଜ କଣ କହିବ ଆମ ଦୁହିଁଙ୍କର ଜାତିବି ତ ସମାନ । ସେ ଯେଉଁ ମଣିଷ ସପନ ସଜେଇ ଆସିଛି ତାକୁ ମୋର ଏଇ ସାଙ୍ଗ ବାହା ହେଇଯିବ । ପାଖରେ ଠିଆ ହେଇ ଲୁହ ଝରାଉଥିବା ମୋର ଆଉ ଜଣେ ବାନ୍ଧବୀକୁ ପ୍ରଶ୍ନ କରିବା ନଜରରେ ଚାହିଁଲି । ସେ ବି ମୁଣ୍ଡ ହଲେଇ ସମ୍ମତି ଜଣେଇଲା । ହେଲେ ତୋ ବାପା, ବୋଉ, ଭାଇ ପରିବାର ବନ୍ଧୁ ଆମର ସାଙ୍ଗ ସାଥୀମାନେ ମୋ ଘରଲୋକଙ୍କର ଆମ ଉପରେ ଯେଉଁ ବିଶ୍ୱାସ ଥିଲା ମନେ ମନେ ସେସବୁ ଭାବି ମୁଁ ପାଗଳ ପ୍ରାୟ ହେଇଯାଉଥିଲି ।
ଚନ୍ଦ୍ରମା ପରି ଶୋଭା ପାଉଥିବା ମୁଖମଣ୍ଡଳ , କମଳ ପୁଷ୍ପକୁ ଲଜ୍ଜିତ କରୁଥିବା ଆଖି ,ସୁନାପରି କାନ୍ତିଯୁକ୍ତ ଉଜ୍ଜଳ ଶରୀର ,ଭ୍ରମରକୁ ଜିଣିଲା ପରି କଳା ବେଣୀ , ହାତୀର କୁମ୍ଭ ସ୍ଥଳକୁ ଫିକା କରୁଥିବା ବକ୍ଷସ୍ଥଳ ,ସୁଦୃଢ଼ କମନୀୟ କଟି,ମନ ଚୋରେଇଲା ଭଳି ମଧୁର ବାଣୀ ,ଏ ସବୁ ଗୋଟେ ସ୍ତ୍ରୀର ସ୍ୱାଭାବିକ ଆଭୂଷଣ । ଏ ସବୁ ଦ୍ୱାରା ସେ କୌଣସି ପୁରୁଷକୁ ବଶୀଭୂତ କରିପାରେ । ଏ ସବୁ ପ୍ରାକୃତିକ ଆଭୂଷଣ ରମଣୀ ପାଖରେ ଭରପୁର ଥିଲା ତଥାପୀ ମୁଁ ସତ୍ୟଠୁ ମୁହଁ ଲୁଚେଇ ପାରୁ ନଥାଏ । ମନେ ମନେ ଭାବୁଥିଲି ରମଣୀ ଠିକ କହୁଛି ଧୀରେ ଧୀରେ ସବୁ ଠିକ ହେଇଯିବ । ପୁଣି ଭାବୁଥାଏ ନାନା ଭୁଲ ହେଇଯିବ । ଉଭୟଙ୍କ ପରିବାରକୁ ବିନାଦୋଷରେ ବିଭିନ୍ନ ଆକ୍ଷେପ କରିବେ ଏ ସବୁ ବି ମୋ ସହିବାର ବାହାରେ ଥିଲା ,. । ରମଣୀ ହଠାତ ମୋ ହାତ ଧରି ,ଚାଲ ଆଉ ଡେରି କରନି କିଛିଦିନ ପରେ ସବୁ ଆପଣେଇ ନେବେ ଆମକୁ । ରହ ମଣି ମୋର ଗୋଟେ କଥା ଶୁଣୁ । ତୁ ମତେ ଆଉ ବର୍ଷେ ସମୟ ଦେ । ମୁଁ କିଛି ନା କିଛି କାମ କରି ତତେ ନେଇଯିବି ,ଏ ବର୍ଷଟା ତୁ ବାହା ହେଇ ଶାଶୂଘରେ ରହ । ମୋ କଥାଶୁଣି ରମଣୀ ମତେ ଜୋରରେ ଧକ୍କା ଦେଇ ,ଚାଲିଯା ମୋ ଆଖି ସମ୍ନାରୁ । ତତେ ଦେଖିବାକୁ ବି ଚାହୁଁନି ମୁଁ । ତୁ ମୋର ଦ୍ଵିତୀୟ ସ୍ୱାମୀ ହବୁ !!!? ରମଣୀର କଥା ଶୁଣି ମୁଁ ସତରେ ବେହୋସ ହେଇଯାଇଥିଲି । ହୋସକୁ ଆସିଲା ପରେ ରମଣୀ ମତେ କହିଲା ,
ତୋ ମନ କଥା ମୁଁ ବୁଝିପାରୁଛି ବ୍ୟସ୍ତ ହବୁନି ,ମତେ ଖୋଜିବୁନି । ମୁଁ ଜାଣିଛି ତୁ ସମସ୍ତଙ୍କୁ ମୋ ସହିତ ତୁଳନା କରି କଷ୍ଟ ପାଇବୁ । ମୋ ମଣି ଏମିତି ମୋ ମଣି ସେମିତି । ଯେତେ କହିଲେବି କାହା ସହିତ ଭଲରେ ସାଙ୍ଗ ହେଲୁନି ମୋ ଛଡ଼ା । ମୋ ମଣି ଅଛିତ ମୋର ଆଉ ସାଙ୍ଗ କଣ ହବ ? ଏବେ କଣ କରିବୁ ମଣିକୁ ତ ରଖିପାରିଲୁନି । ମୁଁ କିନ୍ତୁ ତତେ କେବେବି ମନେ ପକେଇବିନି । ତୁ ଭାବିବୁ ବହୁତ ଭାବିବୁ । ମତେ ନ ରଖିଲୁ ନାହିଁ କିନ୍ତୁ ମୋର ଗୋଟେ କଥା ତତେ ରଖିବାକୁ ପଡ଼ିବ । କଣ ? ମୁଁ ପଚାରିଲି । ତୁ ମତେ କେବେବି ଦେଖା କରିବୁନି ଆଜି ଠାରୁ ,ମୁଁ କଥା ଦଉଛି ମୁଁ ନିଶ୍ଚିନ୍ତ ଆସିବି ଦିନେ ନା ଦିନେ ତତେ ଦେଖା କରିବାକୁ । ଏ ସବୁ ଭିତରେ ରମଣୀ ମତେ କେତେବେଳେ କୋଳେଇ ନେଇ ସାରିଥିଲା ମୋ ଅଜାଣତରେ । ତା ଆଖିର ଗରମ ଲୁହରେ ମୋ ଶରୀର ନୁହେଁ ନବଜାତ ମନ ବି ଦଗ୍ଧ ହେଇ ଯାଉଥାଏ । କିଛି ନକହି ମୁଁ ସେ ଜାଗାରୁ ଉଠି ଚାଲିଗଲି । ମଣୀ ଠାରୁ ଦୂରକୁ ବହୁ ଦୂରକୁ ଚାଲିଯିବାକୁ ଚାହୁଁଥିଲି ,ବର ଆସୁଥିବା ରୋଷଣୀର କର୍କଶ ଶବ୍ଦଠାରୁ ବହୁ ଦୂରକୁ ଯିବାକୁ ଚାହୁଁଥିଲି । ଗାଁରୁ ଯେତେ ବାହାରକୁ ମୁଁ ଯାଉଥିଲି ରୋଷଣୀର ଶବ୍ଦ ସେତେ ସ୍ପଷ୍ଟ ହେଉଥାଏ ମୋ କାନକୁ । କିଛିବାଟ ଗଲାପରେ ଥକି ବସିପଡ଼ିଲି । ମନଖୋଲି ପୁରା ସାମର୍ଥ୍ୟରେ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଜୋର ଜୋରରେ କାନ୍ଦିଲି । କେତେବେଳେ ମୋ ଆଖି ଲାଗିଯାଇଥିଲା ମୁଁ ଜାଣିନି । ସକାଳୁ କେହିଜଣେ ଡାକିଲାରୁ ଆମ ଗାଁ ମଶାଣୀରେ ନିଜକୁ ଆବିଷ୍କାର କଲି । ଆଉ ଆର ପଟେ ଗାଁର ମୁଖ୍ୟ ରାସ୍ତାରେ ଯାଉଥିବା ସୁସଜ୍ଜିତ ଗାଡ଼ି ଭିତରୁ ମୋ ମଣୀର କାନ୍ଦଣା ଶୁଭୁଥିଲା ।
ତା ପରଠୁ ମଣି କେବେବି ମୋ ସହ କଥା ହେଇନି । ଥରେ ରାସ୍ତାରେ ଏମିତି ଦେଖି କୁଆଡେ ଯାଉଛୁ ମଣି ? ପଚାରିଦେଇଥିଲି ଭୁଲ୍ ରେ । କିଛି ନ କହି ଚାଲି ଯାଇଥିଲା । କିନ୍ତୁ ମୋ ବିଷୟରେ ପଚାରି ବୁଝେ ସମସ୍ତଙ୍କ ପାଖରୁ । ମୋ ବାହାଘର ପରେ ମୋ ଘରଣୀକୁ ବି ମୋ ବିଷୟରେ ବୁଝେଇ କହିଥିଲା । ଆଉ ଯେତେବେଳେ ମୁଁ ନିଶାରେ ବୁଡ଼ି ରହିବା କଥା ଜାଣିଲା । ଖବର ଦେଇଥିଲା , ବିରହନିଶା ଠାରୁ ଏମିତି କଣ ବେସି ଅଧିକ ନିଶା ମିଳିଗଲା ତାକୁ । ବିଷ ପିଇବାକୁ ମନା କରିବ ତାକୁ । କହିବ ମଣି କହିଛି ବୋଲି । ମଣିକୁ ଦେଖିବାକୁ ଇଚ୍ଛା ନାହିଁକି ତାର ? ମଣି କଥାଦେଇଛି , ନିଶ୍ଚିନ୍ତ ଆସିବ । ପ୍ରେମ କରିବାର ବୟସ ତ ଆଉ ନାହିଁ । ଏବେବି ମୋ ମଣିର ଆସିବାକୁ ମୁଁ ଅପେକ୍ଷା କରିଛି । ଆଉ ଯେତେ ଯିଏ ବି ଆସିଲେ ମୋ ମଣି ଭଳି କେହି ନୁହେଁ ।
।।ଶରଣ ମାତେ।।

