Alaka Nanda

Fantasy

4  

Alaka Nanda

Fantasy

ବୀରମାଉସୀ

ବୀରମାଉସୀ

4 mins
1.0K



ଆଞା ନମସ୍କାର। ମୋ ନାଁ କମଳାକାନ୍ତ। ରାଉରକେଲା ରେ ନୁଆ ନୁଆ ଚାକିରୀ ପାଇଥାଏ। ଏକା,

ଗୋଟେ ଘର ଭଡା ନେଇ ରହୁଥାଏ।ମୋର ପଡ଼ୋଶୀ ଥିଲେ ବୀରବାବୁ। ବୀର ବାବୁ ଙ୍କ ଘରେ ସେ ନିଜେ, ତାଙ୍କ ସ୍ତ୍ରୀ, ଦୁଇ ଜଣ ସାନ ଭାଇ ଓ ତାଙ୍କ ବୁଢୀ ମା।ସାନ ଭାଇ ଟୁଟୁ ଓ ବିଟୁ କଲେଜ ରେ ପଢୁଥାନ୍ତି।ମୁଁ ବାହା ହେଇ ନଥାଏ।ମାଉସୀ ଭାରି ସ୍ନେହୀ।ତାଙ୍କ ଘରେ ଯାହା ପର୍ବ ପର୍ବାଣୀ ହୁଏ ମାଉସୀ ଟୁଟୁ ହାତରେ ମତେ ଡକେଇ ପଠାନ୍ତି । ତାଙ୍କ ଦାଣ୍ଡ ଘର ଝରକା ଓ ମୋ ଶୋଇବା ଘର ଝରକା ଆମନା ସାମନା ଥାଏ। ବହୁତ ସମୟ ରେ ମାଉସୀ ତାଙ୍କ ଝରକା ରୁ ଡାକ ଛାଡ଼ନ୍ତି "ଆରେ କମଳ ଆଜି ପୂର୍ଣ୍ଣମୀ, ଆଜି ଚିତଉ ଅମାବାସ୍ୟା, ଘରେ ପିଠା କରିଚି। ଆସିବୁ ଖାଇକରି ଯିବୁ "ତାଙ୍କ ଘରେ ଅଧା ଦିନ ମୁଁ ଖାଉଥିଲି। ମାଉସୀ ଙ୍କୁ ବୀରମାଉସୀ ବୋଲି ଡାକୁଥିଲି। ପାଞ୍ଚବର୍ଷ ରାଉରକେଲା ରେ ରହିବା ପରେ ମୋର ଦିଲ୍ଲୀ ବଦଳି ହେଇଗଲା। ବୀର ମାଉସୀ ଓ ତାଙ୍କ ପରିବାର ଠୁ ବିଦାୟ ନେଇ ଦିଲ୍ଲୀ ଆସିଲି।

ସେତେବେଳେ ମୋବାଇଲ ନଥିଲା। ତେଣୁ ଚିଠି ଓ ଲାନ୍ଡଲାଇନ ଫୋନ ମାଧ୍ୟମ ରେ ଖବର ମିଳୁଥିଲା।ଧୀରେଧୀରେ ଖବର ଦବାନବା କମିଗଲା

ୟା ଭିତରେ ଦଶବର୍ଷ ବିତିଗଲାଣି।ମୋର ବାହାଘର ହେଇ ଦୁଇଟି ସନ୍ତାନ ଙ୍କ ପିତା ହେଇଗଲିଣି। ମୋ ସ୍ତ୍ରୀ ଲଳିତା ଆଗରେ ବୀର ମାଉସୀ ଙ୍କ କଥା ପ୍ରାୟ ଗପେ।ପିଲାଦିନୁ ମା ଛେଉନ୍ଡ ଥିବାରୁ ମାଉସୀ ଙ୍କ ସ୍ନେହ ତଳେ ପୋତି ହେଇ ପଡିଥିଲି।ବେଳେବେଳେ ବହୁତ ମନେ ପଡନ୍ତି।ହେଲେ ୟା ଭିତରେ ବୀର ବାବୁଙ୍କ ସାଂଗେ ଯୋଗାଯୋଗ ପୂରାପୁରି ଭାବେ କଟି ଯାଇଥିଲା।

ଦିନେ ସରୋଜିନୀ ନଗର ମାର୍କେଟ ରେ ଟୁଟୁ ସାଂଗେ ହଠାତ୍ ଦେଖା ହେଇଗଲା।ବହୁତ ଖୁସୀ ଲାଗିଲା।ତାକୁ ଘରକୁ ଡାକିଲି।ହେଲେ ତାର ସେଇଦିନ ବାଙ୍ଗାଲୋର ଯିବାପାଇଁ ଫ୍ଲାଇଟ ଥିଲା।ସେଇ ବଜାର ଭିତରେ ଗୋଟେ ଦୋକାନ ରେ ବସି ଦୋସା ଖାଇଲୁ।ଟୁଟୁ ଠୁ ଶୁଣିଲି ସେ ବାଙ୍ଗାଲୋର? ବିଟୁ କଲିକତା ରେ ଆଉ ବୀର ବାବୁ କଟକ ରେ ରହୁଛନ୍ତି।ମାଉସୀ ଙ୍କ କଥା ପଚାରିଲି। ଟୁଟୁ କିଛି ନ କହି ତଳକୁ ଅନାଇ ରହିଲା।ମୁଁ ବୁଝିଗଲି ଯେ ମାଉସୀ ଆଉ ଏ ଦୁନିଆ ରେ ନାହାନ୍ତି। 'ଆଇ ଆମ ସରି' କହି ଦୋସା ସାରିଲୁ। କପେ କପେ ଚାହା ପିଇ ଦିହେଁ ଦିହିଁଙ୍କ ଠୁ ବିଦାୟ ନେଲୁ। ଘରକୁ ଆସି ବାଥରୁମ ରେ ପଶି ବହୁତ କାନ୍ଦିଲି। ଲଳିତା ଆଗରେ ସବୁ କହିଲା ପରେ ଟିକେ ମନ ହାଲୁକା ଲାଗିଲା।

ଖରାଛୁଟି ହେଇଥାଏ। ପିଲାମାନଙ୍କ ର ଖରା ଛୁଟି ରେ ଓଡିଶା ଯାଉ। କିଛିଦିନ ମୋ ଭାଇନାଙ୍କ ଘରେ, କିଛିଦିନ ଲଳିତା ବାପା ମାଆଙ୍କ ସାଂଗେ ବିତାଇ ଫେରି ଆସୁ।ସେଥର ଲଳିତା କହିଲେ ଟିକେ ଜଗନ୍ନାଥ ମନ୍ଦିର ଯିବା କାଳିଆ ର ଦର୍ଶନ କରିବାକୁ। ପିଲା ମାନେ ବି ସମୁଦ୍ର କୂଳ ବୁଲି ଆସିବେ। ସକାଳୁ ସମସ୍ତେ ବାହାରି ଗଲୁ। ଦୁଇଦିନ ରହିବାର ପ୍ଲାନ କରିଥିଲୁ। ତେଣୁ ଗୋଟେ ହୋଟେଲ ବୁକ କରି ଦେଇ ଥିଲୁ। 

ମନ୍ଦିର ରେ ପହଞ୍ଚି ଲକ୍ଷ୍ମୀ ମନ୍ଦିର ଆଗରୁ ଗୋଟେ ବୁଢୀ ପାଖରୁ ବଳିତା କିଣିଲୁ। ଲଳିତା କହିଲେ "ବେଶୀ କିରି ଏକାଠି ଦିଲ୍ଲୀ ପାଇଁ ବି ନେଇଯିବା।" ମୁ କହିଲି ଫେରିଲା ବେଳେ ନେଇଯିବା କହି ଆଗେଇ ଗଲି।ବୁଢୀ କପାଳ ରେ ଗୋଟେ ବଡ କଳାଜାଇ ଥିଲା।ସବୁ ଠାକୁର ଠାକୁରାଣୀଙ୍କୁ ଦର୍ଶନ କଲୁ।ହେଲେ ରାସ୍ତା ଯାକ ଖାଲି ସେଇ କଳାଜାଇ ମୋ ଆଖି ଆଗରେ ନାଚୁଥିଲା।ଫେରିଲା ବେଳେ ଲକ୍ଷ୍ମୀ ମନ୍ଦିର କୁ ଗଲୁ ସଳିତା କିଣିବାକୁ।ହେଲେ ସେ ବୁଢୀ ସେଠି ନ ଥିଲା।ଭାବିଲି ବୋଧେ ସଳିତା ସବୁ ବିକ୍ରି ହେଇ ଯାଇଥିବ। ତେଣୁ ଘର କୁ ପଳେଇ ଥିବ।ଭାବିଲି ମନ୍ଦିର ତଳେ ବି ମିଳି ଯିବ। ହୋଟେଲ ଗଲା ବେଳେ ନେଇଯିବି। ଲଳିତା କହିଲେ ଟିକେ ହନୁମାନ ମନ୍ଦିର ଯିବେ। ମୁଁ କହିଲି ସେ ଯାଆନ୍ତୁ ହନୁମାନ ମନ୍ଦିର। ମୁଁ ଶୁଖିଲା ଭୋଗ କିଣି ବାଇଶି ପାହାଚ ରେ ଅପେକ୍ଷା କରିଥିବି। ଲଳିତା ହନୁମାନ ମନ୍ଦିର ଗଲେ।ମୁଁ ଶୁଖିଲା ଭୋଗ ଆଣି ପାହାଚ ଉପରେ ବସିଚି। ବୁଢୀ ଟି ସେଇ ବାଟ ଦେଇ ଯାଉଥିଲା। ମୋ ପାଟିରୁ ବାହାରିଗଲା "ମାଉସୀ ସଳିତା ସବୁ ବିକ୍ରି ହେଇଗଲା ? "ମାଉସୀ ବୁଲିପଡ଼ି ମତେ ଚାହିଁଲେ। କହିଲେ "ନାଇଁ ରେ ପୁଅ।ତମ ପାଇଁ ରଖିଥିଲି। ଆସିବନି ଦେଖି ଫେରି ଯାଉ ଥି-----କମଳ କିରେ ?" ମୁଁ ଚମକି ପଡିଲି। କହିଲି "ବୀରମାଉସୀ? ମାଉସୀ ଙ୍କ ଆଖିରୁ ଲୁହ ବୋହି ଯାଉଥିଲା। ମାଉସୀ ଗୋଟେ ଶାଢୀ ଦେହ ରେ ଗୁଡେଇ ହେଇ ଥାଆନ୍ତି। ବ୍ଲାଉସ ନାହିଁ।ଶାଢୀ ଟା ରେ ବୋଧେ କେବେ ଠୁ ସାବୁନ ଟିକେ ବାଜିନି। ବାଳ ରେ ତେଲ ଟିକେ ବାଜିନି।

ଆଖି କୋରଡ ଭିତରେ। ପୁରୁଣା ବୀରମାଉସୀ ଙ୍କର କଳାଜାଇ ଛଡା ପୁରୁଣା ସୌନ୍ଦର୍ଯ୍ୟ ର ଚିହ୍ନ ବର୍ଣ୍ଣ ନଥିଲା।ମୁଁ କହିଲି ମାଉସୀ ତମେ ଏଠି ?ମାଉସୀ ମତେ କୁଣ୍ଢେଇ ପକେଇ କହିଲେ ଜଗନ୍ନାଥ ତୋ ପରିବାର ର ବହୁତ ମଂଗଳ କରନ୍ତୁ। ସଳିତା ଯାକ ମତେ ଦେଲେ।ମୁଁ ପଇସା କାଢି ଦେଲା ବେଳ କୁ ମାଉସୀ କହିଲେ "ତୋଠୁ ବାପା ପଇସା ନେବି? ଛିଛି। "ମୁଁ ପଚାରିଲି ମାଉସୀ କୋଉଠି ରହୁଚ ?"କହିଲେ" ମୁଁ ଏଇଠି ଗୋଟେ ମଠ ରେ ରହୁଚି।" କିଛି ନ ଜାଣିଲା ପରି ପଚାରିଲି "ପିଲାମାନେ?" ମାଉସୀ କହିଲେ ପିଲାମାନେ ସବୁ ଅଲଗା ହେଇଗଲେ। ମତେ ଏଠି ଛାଡି ଦେଇଛନ୍ତି। ମୁଁ ସଳିତା ବିକି ଚଳିଯାଏ।ମଠ ରେ ଥାଏ।ପିଲା ମାନେ ଯୋଉଠି ଥାଆନ୍ତୁ ଭଲରେ ଥାଆନ୍ତୁ।ଜଗନ୍ନାଥ ତାଙ୍କର ବହୁତ ମଂଗଳ କରନ୍ତୁ।"କହି ଦୁଇ ହାତ ଉପରକୁ ଉଠାଇ ନମସ୍କାର କଲେ।ଲଳିତା ଆସି ପହଞ୍ଚିଲେ।ପଚାରିଲେ "ସଳିତା ନେଲ?"ମୁଁ କହିଲି ହଁ।"ଲଳିତା ଇଏ ହେଲେ ବୀରମାଉସୀ।"ଲଳିତା ବୀର ମାଉସୀ ଙ୍କ ପାଦ ଛୁଇଁଲେ।ଆମେ କଥା ହେଇ ହେଇ ତଳକୁ ଆସି ଯାଇଥିଲୁ। ମାଉସୀ ଙ୍କ ମଠ ର ନା ବୁଝିଲି।ମାଉସୀ ମଠ କୁ ଗଲେ। ଆମେ ହୋଟେଲ।ସନ୍ଧ୍ୟା ବେଳେ ସମସ୍ତେ ସମୁଦ୍ର କୂଳ କୁ ଗଲୁ.।ହେଲେ ସବୁ ସମୟ ଖାଲି ବୀରମାଉସୀ ଙ୍କ କଥା ମନେ ପଡୁଥାଏ।ମାଉସୀ ବଞ୍ଚି ଛନ୍ତି। ତେବେ ଟୁଟୁ କାଇଁ କହିଲା-----

ପରଦିନ ସକାଳୁ ଉଠି ଏକା ଗଲି ମାଉସୀ ଥିବା ମଠ କୁ।ମଠ ସଂଚାଳକ ଙ୍କୁ ସାକ୍ଷାତ କଲି।ଯାହା ଶୁଣିଲି ମୋ ପାଦ ତଳୁ ମାଟି ଖସିଗଲା। ମଠ ସଂଚାଳକ କହିଲେ "ପାଞ୍ଚବର୍ଷ ତଳେ ମାଉସୀଙ୍କୁ ଯକ୍ଷ୍ମା ରୋଗ ରେ ପୀଡିତ ଅବସ୍ଥା ରେ ଜଣେ ଭଦ୍ର ଲୋକ ଏଠି ଛାଡି ଯାଇଥିଲେ। ପ୍ରଥମ କିଛିମାସ କିଛି ଟଙ୍କା ପଠଉଥିଲେ। ପରେପରେ ସେ ବି ବନ୍ଦ ହେଇଗଲା। ତେବେ ମାଉସୀ ବହୁତ ଭଲ ଲୋକ।ଆମେ ସବୁ ମିଶି ମାଉସୀ ଙ୍କ ରୋଗ ର ଚିକିତ୍ସା କଲୁ।ମାଉସୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ। ଏବେ ସଳିତା ବିକ୍ରି କରି ସେ ନିଜର ଜୀବନ ନିର୍ବାହ କରନ୍ତି। କାହାର ସାହାଯ୍ଯ ଦରକାର କରନ୍ତିନି।"

ମୁଁ ପଚାରିଲି "ମାଉସୀ ଙ୍କୁ ମୁ ସାଙ୍ଗରେ ନେଇ ପାରିବିକି ? "ସେ କହିଲେ" ମାଉସୀ ଙ୍କୁ ପଚାରନ୍ତୁ।ତାଙ୍କ ର ଇଚ୍ଛା।"ବୀର ମାଉସୀ ଙ୍କୁ ପଚାରିବାରୁ ମାଉସୀ ବିନା ଦ୍ୱିଧା ରେ ରାଜି ହେଇଗଲେ।ମାଉସୀ ଙ୍କୁ ସାଙ୍ଗରେ ଧରି ହୋଟେଲ ଆସିଲି।ହୋଟେଲ ରୁମ ଯାଇ ଆଗ ଲଳିତାଙ୍କ ମତାମତ ପଚାରିଲି। ପୂର୍ବ ଦିନ ରାତି ରେ ଲଳିତାଙ୍କ ଆଗରେ ବୀର ମାଉସୀ ଙ୍କ ପିଲାମାନଙ୍କ ବିଷୟ ରେ କହିଥିଲି। ତେଣୁ ତାଙ୍କୁ ଆମ ସାଂଗେ ଦିଲ୍ଲୀ ନବା ପ୍ରସ୍ତାବ ରେ ଲଳିତା ରାଜୀ ହେଇଗଲେ। ମାଉସୀଙ୍କୁ ନେଇ ଆମେ ଦିଲ୍ଲୀ ଫେରି ଆସିଲୁ। ମାଉସୀ ଆମ ପାଖେ ବହୁତ ଖୁସୀରେ ରହିଲେ।

ତା ପର ବର୍ଷ ଖରାଦିନ ଛୁଟୀ ରେ ସବୁ ବର୍ଷ ଭଳି କଟକ ଯାଇଥାଉ। ମନେମନେ ଭାବିଲି ଯେତେବେଳ ତ ବୀର ମାଉସୀଙ୍କ ବଡ଼ପୁଅ। ହୁଏତ ଯକ୍ଷ୍ମାରୋଗର ଭୟ ରେ ତାକୁ ଏଭଳି ଏକ ନିଷ୍ପତ୍ତି ନବାକୁ ପଡିଥିବ।ଏବେ ଯେତେବେଳେ ଜାଣିବ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ,କାଳେ ତାଙ୍କୁ ପାଖରେ ରଖିବାକୁ ଇଛୁକ ହେଇପାରେ।ସେଇ ଆଶା ରେ ଟୁଟୁ ଠୁ ଆଣିଥିବା ଫୋନ ନମ୍ବର ମିଳାଇଲା।"ହାଲୋ କିଏ ବୀର ?ମୁଁ କମଳାକାନ୍ତ କହୁଥିଲି।ମନେ ଅଛି?ଏବେ ଦିଲ୍ଲୀ ରେ ରହୁଚି।ଥରେ ମାର୍କେଟ ରେ ଟୁଟୁ ସାଂଗେ ଅକସ୍ମାତ ଦେଖା ହେଇ ଥିଲା।ତାରିଠୁ ତମ ନମ୍ବର ରଖିଥିଲି।ଭାବୁଥିଲି ଟିକେ ଦେଖା କରିଥାନ୍ତି।ବୀର ଦି ମିନିଟ ଚୁପ ହେଇଗଲା। ତା ପରେ କହିଲା"ଆରେ କମଳାକାନ୍ତ  ବହୁତ ଖୁସିର କଥା।ବହୁତ ଦିନ ପରେ ଦେଖା ହବ। ଗୋଟେ କାମ କର । ଆସନ୍ତା ଗୁରୁବାର ଦିନ ବୋଉ ର ଶ୍ରାଦ୍ଧ ପଡୁଚି। ଆସ ଆମ୍ଭମାନଙ୍କ ସାଙ୍ଗ ରେ ଶ୍ରାଦ୍ଧ ପତ୍ର ରେ ଅଭଡା ସେବନ କରିବ। ବୋଉ ତମ କୁ କେତେ ଭଲ ପାଉଥିଲା।"ବୀର କୁ କଣ ଉତ୍ତର ଦେବି ବୁଝି ପାରୁ ନଥିଲି। ମୋଠୁ ଉତ୍ତର ନ ପାଇ ବୀର କହିଲା "କଣ ଆସିବ ନା ?"ମୁଁ ହଡବଡେଇ କହିଲି ହଁ ହଁ ନିଶ୍ଚେ  ଆସିବି। ଫୋନ ରଖି ଦେଲି। ଆମେ ଦିଲ୍ଲୀ ଫେରି ଆସିଲୁ ବୁଧବାର ଦିନ। ଗୁରୁବାର ଦିନ ବୀର କୁ ଫୋନ କରି କହିଲି "ସରି ବୀର, ହଠାତ୍ ଗୋଟେ ଜରୁରୀ ମିଟିଙ୍ଗ ପଡିବାରୁ ବାଧ୍ଯ ହେଇ ଫେରି ଆସିବାକୁ ପଡିଲା। ମାଉସୀ ଙ୍କ ଶ୍ରାଦ୍ଧ କୁ ଯାଇ ପାରିଲିନି ।


Rate this content
Log in

Similar oriya story from Fantasy