ଚଟି
ଚଟି
ବୋଉର ଦିହଟା ଭଲ ନାହିଁ ବୋଲି ଭାଇନା ବୋଉକୁ ଢେଙ୍କାନାଳରୁ କଟକ ନେଇ ଆସିଥିଲେ।ଭାଇନାଙ୍କ ଘରଟା ଆମ ଘରୁ ମୁସ୍କିଲରେ ଦୁଇ କିଲୋମିଟର ହେଇଥିବ।ବୋଉ ପାଖକୁ ଯିବି ବୋଲି ବାହାରିଲି।ରାସ୍ତାରେ ଗୋଟାଏ ହେଲେ ବି ରିକ୍ସା ନାହିଁ।ଦଶ ମିନିଟ ଅପେକ୍ଷା କରି କରି ବିରକ୍ତ ଲାଗିଗଲା।ଭାବିଲି ଚାଲି କରି ପଳେଇବି।ପନ୍ଦର ମିନିଟ ଲାଗିବ। ଚାଲିବା ଆରମ୍ଭ କଲି।ଚାରି ଆଡକୁ ଚାହିଁ ଚାହିଁ ଚାଲୁଥାଏ କାଳେ ରିକ୍ସାଟେ ମିଳି ଯିବ।ଏପଟସେପଟ ଦେଖୁଦେଖୁ ପାଦଟା ରାସ୍ତାରେ ଥିବା କାଦୁଅରେ ପଡିଗଲା ଓ କାଦୁଅରେ ଚଟିଟା ଲାଖିଗଲା।
ଟିକେ ଜୋର ଲଗେଇ ଚଟିଟା କାଢିବାକୁ ଚେଷ୍ଟା କଲି।ପାଦଟା ବାହାରିଲାନି।ହେଲେ ଚଟିଟା ଛିଣ୍ଡି ଗଲା।ବାଧ୍ଯ ହେଇ ଛିଣ୍ଡା ଚଟିଟି ପିନ୍ଧି ଛୋଟେଇ ଛୋଟେଇ କୌଣସି ପ୍ରକାର ଭାଇଙ୍କ ଘରେ ପହଞ୍ଚିଲି। ଫେରିଲା ବେଳେ ଭାଉଜଙ୍କର ହଳେ ଚଟି ପିନ୍ଧି ଘରକୁ ଫେରିଲି।ଭାଗ୍ଯକୁ ଘର ସାମନାରେ ରିକ୍ସାଟେ ବି ମିଳିଗଲା।ଘରେ ଆରାମରେ ପହଞ୍ଚିଗଲି।ରବିବାର ଛାଡି ସୋମବାର ଦିନ ପୁଣି ଗଲି ବୋଉ ପାଖୁ।ଫେରିଲା ବେଳକୁ ମନେ ପକେଇ ଛିଣ୍ଡା ଚଟି ହଳକ ମୁଣାରେ ପକେଇ ବୋଉକୁ କହି ବାହାରିଲି।ଭାଉଜ କହୁଥିଲେ "ରହିଯାଅ।ଡ୍ରାଇଭର ଆସିଲେ ଘରେ ଛାଡିଦବ।" ହେଲେ ଡେରି ହଉଥିଲା ବୋଲି ପଳେଇ ଆସିଲି।ସନ୍ଧ୍ୟା ବତୀ ଜଳାଇବାକୁ ହବ କହି ବାହାରି ଆସିଲି।ସେଦିନ ଭାଗ୍ଯ ଖରାପ ।ଗୋଟେ ବି ରିକ୍ସା ନାହିଁ।ଗଳିଟାକୁ ଗାଳି ଦେଇ ଦେଇ ଚାରିଆଡକୁ ରିକ୍ସା ଆଶାରେ ଚାହିଁ ଚାହିଁ ଚାଲୁଥାଏ। ଏମିତିକା ଗଳିଟାଏ ଯେ କେବେ ବି ସୁବିଧାରେ ରିକ୍ସା ଖଣ୍ଡେ ମିଳିବ
ନି। ଛେଃ।ଏତିକି ବେଳକୁ ଡହାଣ ପାଦଟା ଗୋଟେ ଗୋଡି ଉପରେ ପଡି ମୋଡି ହେଇଗଲା ।ଚଟିଟା ପୁରା ଦିଖଣ୍ଡ। ଜାଇକା ବାଲା ପାଇପ ବସେଇବାକୁ ରାସ୍ତା ଖୋଳି ମାଟି ଗୋଡି ସବୁ ରାସ୍ତାରେ ପକେଇଥିଲେ।ସରୁ ଗଳିଟା ତ। କିଏ ସଫା କରୁଚି?
ରିକ୍ସା ଖୋଜୁଖୋଜୁ ଟିକେ ଅନ୍ୟ ମନସ୍କ ହେଇ ପଡିଥିଲି।ଫଳ ପାଇଲି।ଏବେ ଘରକୁ ଯାଏ କେମିତି?ବିନା ଚଟିରେ ଘର ଯାଏ ଯିବା ସମ୍ଭବ ନୁହେଁ।ମନେ ପଡିଗଲା ମୁଣା ଭିତରେ ଛିଣ୍ଡା ଚଟି ହଳୁଟା ପଡିଚି।ଡାହାଣ ପଟ ଚଟିଟା ତ ଠିକଅଛି।ସେଇଟା ପିନ୍ଧି ଘରଯାଏ ପଳେଇବି। ଚଟିଟା କାଢି ପାଦରେ ପିନ୍ଧିଲି।ଦୁଇ ପାଦରେ ଦୁଇ ରଂଗର ଚଟି।ଆପଣ ମାନେ ହସୁଛନ୍ତି କି? ଆଉ କିଛି ଉପାୟ ନଥିଲା।ବାଁଆରେଇ ଶାଢୀକୁ ଟିକେ ତଳକୁ କରିଦେଲି।ତା ହେଲେ କେହି ମୋ ପାଦକୁ ଦେଖି ପାରେବେନି।ତାପରେ ମୁଣ୍ଡ ଉପରକୁ କରି ଗଡ ଜିତିଲା ଭଳି ଚାଲିଲି।ଏଇଲେ ଆଉ କେହି ମୋର ଦୁଇ ପାଦରେ ଦୁଇ ପ୍ରକାର ଚଟି ଦେଖିପାରିବେନି।ଗଳି ଭିତରୁ ଦୁଇଟି ଛୋଟ ପିଲା ତାଳି ମାରି ମାରି ଆସିଲେ।ଜଣେ ଆଉ ଜଣକୁ କହୁଚି "ଦେଖ ନଟୁ ଏ ମାଉସୀ କେମିତି ଦି ପାଦରେ ଦି ପ୍ରକାର ଚଟି ପିନ୍ଧି ଯାଉଛି।ହେଁ ହେଁ ହେଁ ।ଦି ଜଣ ଯାକ ତାଳିମାରି ନାଚୁଥାନ୍ତି ଓ ହସୁଥାନ୍ତି।ମୋ ମୁହଁ ଲାଜରେ ପୋଡି ଯାଉଥାଏ। କିଛି ନ ଜାଣିଲା ଭଳି ଚାଲୁଥାଏ।ସେ ଦିଟା ଯାକ ପିଲା ମୋ ପଛରେ ତାଳି ମାରି ଚାଲିଥାନ୍ତି।ପଛ ପଟୁ ଜଣକର ମାଆ ଆସି ସେ ଦୁହିଁଙ୍କୁ ଟାଣି ନେଇ ପଳେଇଲା କହି କହି " ଚାଲ। ବୁଢୀ ମଣିଷ। ଏମିତି ଥଟ୍ଟା କରନ୍ତି? ଆଖିକୁ ଦିଶୁ ନଥିବ।ସେଇଥିପାଇଁ ଦି ପାଦରେ ଦି ପଟ ଅଲଗା ଚଟି ।