STORYMIRROR

Alaka Nanda

Others

3  

Alaka Nanda

Others

ପିଲାଦିନ

ପିଲାଦିନ

8 mins
164

ପିଲାଦିନଟା କେତେବେଳେ କଟିଗଲା ଜଣାପଡିଲାନି । ଦିନ ଭାଇ ଦି ଭଉଣୀ ଆମେ । ମୋ ନାନୀ ମୋଠୁ ବର୍ଷେ ବଡ । ସମସ୍ତଙ୍କ ଆଗରେ ନାନୀ ଡାକେ ହେଲେ ରାଗିଗଲେ ତା ନାଆଁ ଧରି ଡାକେ । ତା ବହି ଲୁଚେଇ ଦିଏ । ତା ଜିନିଷ ନେଇ ଯାଏ । ସେ ମୋର ଚୁଟି ଟାଣି ଦିଏ । ରାଗି ଗଲେ ମତେ ଘୁଷା ମାରେ । ମୁଁ ବି କୋଉ ଛାଡ଼ୁଥିଲି?ତା ପିଠିରେ ବିଧା କଷି ଦିଏ । କିନ୍ତୁ ରଡିଛାଡେ "ବୋଉ ଲୋ ନାନୀ ମାରି ପକେଇଲା ।" ବୋଉ ମୋର କାନ୍ଦ ଶୁଣି ଦୌଡି ଆସେ । ହେଲେ ବୋଉ ପାଦ ଶବ୍ଦ ଶୁଣି ଆମେ ଯେଝା ଟେବୁଲ ପାଖୁ ଯାଇ ବସି ପଡୁ ବହି ଖୋଲି । ସତେ ଯେମିତି ମନ ଲଗେଇ ପାଠ ପଢୁଚୁ । ବୋଉ ପଚାରିବ, "କଣ ହେଲା?"ଆମେ ଏକ ସ୍ୱରରେ କହୁ "ନାଇଁତ "

ବୋଉ କିଛି ବୁଝି ନ ପାରି ତା କାମରେ ଲାଗିଯାଏ ।  

ଖରା ଦିନେ ବୋଉ ଛାତ ଉପରେ ଆଚାର ଶୁଖାଇଥାଏ । ସେ ଯୋଉ ବାସ୍ନା ପାଟିରୁ ଆପେ ସାଲାଇଭା ଗଳିପଡେ । ଖରାଦିନେ ଦି ପହରେ ଏକା ଛାତ ଉପରେ ପାଠ ବହି ଭିତରେ କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସଟିଏ ଲୁଚାଇ ପଢିବାକୁ ଯାଏ । କାରଣ ସେତେବେଳେ ଉପନ୍ୟାସ ପଢିବାର ଅନୁମତି ମିଳୁନଥିଲା । ତେଣୁ ପାଠ ବହି ଭିତରେ ଲୁଚେଇ ପଢୁଥିଲି । ଛାତ ଉପରେ ପଢିବାର ଦୁଇ ଟି କାରଣ । ଗୋଟେ ଉପନ୍ୟାସ ଟି ନିଶ୍ଚିନ୍ତରେ ପଢିବି । ତା ଛଡା ବୋଉର ଆଚାର । ଆରାମରେ ଖାଇ ପାରିବି । ଉପନ୍ୟାସ ସାଙ୍ଗକୁ ବୋଉର ଖଟାମିଠା ଆଚାର ।  

ଦିନେ ଦି ପହରେ, କୋଳରେ ଉପନ୍ୟାସ । ହାତରେ ଆଚାର । ଗୋଟେ ସରିଗଲେ ଆଉ ଗୋଟେ ଫଡା । ଆଉ ଟାକୁଆଗୁଡ଼ିକୁ ଚୋବେଇ ଚୋବେଇ ଧଳା କରିଦିଏ । ଟାକୁଆକୁ ଗୋଟେ ଥାଳିଆ ଉପରେ ରଖି ଚାଲୁଥାଏ । ଅଇଁଠା ହାତ ଆଚାର ହାଣ୍ଡିରେ ପୁରାଇବା ଆଉ ଗୋଟିଏ ଅକ୍ଷମ ଅପରାଧ । ବୋଉର କହିବା କଥା ଅଇଁଠା ହାତ ଆଚାର ହାଣ୍ଡିରେ ପୁରେଇଲେ ଆଚାର ଖରାପ ହେଇଯିବ । ହେଲେ ସେ କଥା ମାଡୁଚି କିଏ ? ସମସ୍ତେ ଶୋଇଛନ୍ତି । ନିଶ୍ଚିନ୍ତ ମନରେ ଉପନ୍ୟାସ ପଢା ଓ ଆଚାର ଖିଆ ଚାଲିଚି । ଥାଳିଆଟା ଟାକୁଆରେ ଭରି ଯାଇ ଥାଏ । କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ସାଙ୍ଗକୁ ବୋଉ ହାତ ଗୁଡାମ୍ବା । ଆହା! ସ୍ୱର୍ଗ ସୁଖ । ତା ସାଙ୍ଗକୁ ସୁଲୁସୁଲିଆ ପବନ । କି ସୁନ୍ଦର ପରିବେଶ । 

ଅଦିନ ମେଘ ଭଳି ତମତମ ହେଇ ନାନୀ ମୋ ଆଡକୁ ମାଡି ଆସିଲା । ଦିନ ହାତ ଅଣ୍ଟା ଉପରେ ରଖି ମତେ କଟମଟ କରି ଚାହିଁ ମୋ ଆଗରେ ଠିଆହୋଇ ଗଲା । ନାନୀକୁ ଦେଖି ଆଚାର ଓ ଉପନ୍ୟାସ ଦୁଇଟି ଯାକ ଲୁଚେଇବାକୁ ଇଚ୍ଛା ଥିଲେ ମଧ୍ୟ ନାଚାର । ହାଣ୍ଡିରୁ ଅଇଁଠା ହାତରେ ଆଚାର କଢା ଏବଂ ଉପନ୍ୟାସ ପଢା ଦୁଇଟି ଯାକ ଗର୍ହିତ ଅପରାଧ । ନାନୀ ଆଖିରେ ଆଖିଏମିଶିଗଲା ପରେ ଯେମିତି ଦୁଧ ହାଣ୍ଡିରେ କୁକୁର ମୁହଁ ପୁରାଇ ଲା ବେଳେ ଧରାପଡ଼ି ଗଲେ ଚୋର ଭଳିଆ ଚାହେଁ ମୋ ଅବସ୍ଥା ସେଇ ଭଳି ହେଇ ଯାଇଥାଏ । ତା ପରେ ଗାଲୁଆଙ୍କ ଭଳି ଟିକେ ଆଚାର ଥାଳିଆକୁ ଚାହିଁ କହିଲି କଣ ହେଲା? ଏମିତି ଚାହିଁଛୁ କାହିଁକି ? କଣଟା କରି ପକେଇଲିକି? ନାନୀ ମୋ ହାତରୁ ବହିଟା ଛଡେଇ ନେଇ କହିଲା, "କିଏ କହିଲା ଏମିତି ବହି ପଢିବାକୁ ?ବାପା ଜାଣନ୍ତି ?" ମୁଁ ପୁଣି ଗାଲୁଆଙ୍କ ଭଳି କହିଲି, "କଣ ହେଇଗଲା ସେଠୁ?କଣ ଚୋରି କରୁଥିଲି?ଖାଲି ବହି ପଢୁଥିଲି । କଣଟା ହେଇଗଲା ସେଠୁ?"

ନାନୀ କହିଲା, "ଠିକ ଅଛି । ମୁଁ ଯାଉଚି ବାପାଙ୍କୁ ଏହି ଦେଖେଇବି ।" ମୁଁ କହିଲି, "ଯାଉନୁ । ମୁଁ ଡରିଚି ? କିନ୍ତୁ ତୁ ବି ମନେରଖ । ମୋ ପାଖେ ବି ବହୁତ କଥା ଅଛି ତୋ ନାଆଁରେ ବାପାଙ୍କୁ କହିବାକୁ ।" ନାନୀ ମୋ ପାଖକୁ ମାଡି ଆସିଲା । ମୁଁ ବି ଦୌଡିଲି କାଳେ ନାନୀ ମୋ ଚୁଟି ଟାଣି ଦବ । ହେଲେ ନାନୀ ମୋ ହାତଟାକୁ ଧରି ପକେଇ କହିଲା, "କଣ କହିବୁ ମୋ ନାଆଁରେ ବାପାଙ୍କୁ?"

ମୁଁ କହିବି ତୋର ଗୋଟେ ପୁଅ ସାଙ୍ଗ ଅଛି । ସେ ଆମ ଘର ବାଟ ଦେଇ ଗଲାବଳେ ତା ସାଇକେଲ ଘଣ୍ଟି ବଜେଇ ବଜେଇ ଯାଉନଥିଲା ସେ ଦିନ ? ଗଲା ବେଳେ ଆମ ଛାତକୁ ଚାହିଁ ଚାହିଁ ଯାଉଥିଲା ଆଉ ତୁ ବି ଲୁଗା ଶୁଖେଇବା ଆଳରେ ତା ଆଡେ ଚାହିଁ ନଥିଲୁ ? ସିଏ ତତେ ବାଇବାଇ କରିନଥିଲା ? ମୁଁ ସବୁ ଜାଣିଚି ।" କହି ମୋ ବୁଢା ଆଙ୍ଗୁଠି ଦେଖେଇ ଖତେଇ ହେଇ ନାନୀ ଆଡକୁ ମାଡିଗଲି । ମୋ କଥା ଶୁଣୁଶୁଣୁ ନାନୀ ତମ୍ପ ସାପ ଭଳି ମୋ ଆଡକୁ ଝପଟି ଆସିଲା । "କଣ କହିଲୁ କଣ କହିଲୁ ? ମୁଁ ଲୁଗା ଶୁଖା ବାହାନାରେ ?ମୋ ବେଣୀଟାକୁ ଜୋରରେ ଟାଣି ଧରି କହିଲା" ମିଛେଇ କୋଉଠିକାର । ଲାଜ ଟିକେ ନାହିଁ?" ମୁଁ ମିଛ ତ କହୁଥିଲି । ନାନୀ ଯେମିତି ମୋ ବେଣୀ ଟାଣିଚି ମୁଁ ବୋଉ ଲୋ ବୋଲି ଚିଲ୍ଲେଇଲି । ନାନୀ ଡରି ବେଣୀ ଛାଡି ଦେଲା । ମୁଁ ଗୋଟେ ଡିଆଁ ମାରି ଆସି ତଳେ । ବୋଉ ବିରି ବାଟୁଥିଲା । ମତେ ଦୌଡି ଦୌଡି ଆସିବାର ଦେଖି ପଚାରିଲା, "କଣ ହେଲା?କୋଉଠି ଥିଲ?" ପଛେପଛେ ନାନୀ ଆସୁଥିଲା । କହିଲା ଛାତ ଉପରେ ଦି ଭଉଣୀ ପବନ ଖାଉଥିଲୁ । 

ବୋଉ ବିରିବାଟି ଲାଗିଲା । ନାନୀ ତା ଚାହାଁଣୀରେ ମତେ କହିଦେଲା, "ବଚ୍ଚୁ ଏ ଥର ଛାଡିଦେଲି । ବଞ୍ଚେଇ ଦେଲି ତତେ । "ମୁଁ ତ ଗାଲେଇ । ମୁଁ ବି ଆଖି ଠାରରେ କହିଦେଲି, "ଦୟା ଦେଖେଇଲୁ ।" ଭଳି ହେଇ ବୋଉ ପାଖୁ ଯାଇ କହିଲି, "ବୋଉ ଉଠ । ଏତେ ବିରି ବାଟିଲୁଣି । ତୋ ଅଣ୍ଟା କାଟିବଣି । ମୁଁ ଟିକେ ବାଟିଦିଏ ।" ବୋଉ ମୋର ଏ କଥାରେ ଆଗ ତ ଚମକି ପଡିଲା । ତା ପରେ ହସି କହିଲା, "ନାଇଁ ଥାଉ । ମୋର ବଟା ସରିଲାଣି ।" ମୁଁ ବି ଖୁସୀ ହେଇ ଗଲି । ମୋର ସତରେ କୋଉ ବାଟିବାର ଇଚ୍ଛା ଥିଲା?ଖାଲି ନାନୀ କବଳରୁ ବଞ୍ଚିବା ପାଇଁ ନାଟକ କରୁଥିଲି । 

ଆଉ ଦିନକର ଘଟଣା । ଦି ଭାଇ ବଗିଚାରେ କ୍ରିକେଟ ଖେଳୁଥାନ୍ତି । ତାଙ୍କ ପାଟି ଶୁଣି ମୁଁ ତାଙ୍କ ପାଖକୁ ଗଲି । କାଳେ ମତେ ଟିକେ ଫିଲ୍ଡିଂ କରିବାର ମଉକା ମିଳିବ । ଗଲାବେଳକୁ ମୋ ତଳ ଭାଇ ଟିନୁ ଯାଇ ଗୋଟେ କୋଣରେ ମୁହଁ ଶୁଖେଇ ବସିଚି ଆଉ ଭାଇନା ତା ଆଗରେ " ମୁ ଜିତିଲି ତୁ ହାରିଲୁ"କହି ଏପଟ ସେପଟ ହେଇ ନାଚୁଛି । ଟିନୁ ହାତରେ ବ୍ୟାଟ ଥାଏ । ଟିନୁ ଭାଇନାକୁ ଚାହିଁ ସତେ ଯେମିତି କହୁଥିଲା " ଭାରି ଜିତିଲା ବାଲା?ଏଇଲେ ବ୍ୟାଟଟି । ଫୋପାଡି ତୋ ମୁଣ୍ଡ ଫଟେଇ ଦିଅନ୍ତି"କଟା ଘାଆରେ ଚୂନ ଲଗେଇବା ପାଇଁ ଭାଇନା କହିଲା " ଚାହିଁଛୁ କଣ?ହାରିଲୁ ହାରିଲୁ ଆହୁରି ମାଇଚିଆଙ୍କ ଭଳି କୋଣରେ ବସି ସକଉଚି ନା,,,,,ସେତେବେଳକୁ ଟିନୁ ରାଗି ଖାଲି ଘନଘନ ନିଃଶ୍ୱାସ ନଉଥାଏ । ଆଉ କଟମଟ କରି ଭାଇନା ଆଡେ ଚାହିଁ ଥାଏ । ଭାଇନା କିନ୍ତୁ ଆନନ୍ଦ ମନରେ ଗଡ ଜିତିଲା ଭଳି ଟିନୁକୁ ଚିଡାଇ ଚାଲିଥାଏ । ଟିନୁ ହଠାତ୍ ପାଖରୁ ଗୋଟେ ଛୋଟ ଇଟା ଉଠେଇ ଭାଇନା ଆଡକୁ ଫୋପାଡି ଦେଲା । ଇଟା ଛୋଟ ହେଇଥିଲେ ବି ଭାଇନା ମୁଣ୍ଡରେ ଜୋରରେ ବାଜିଲା ଆଉ ତା ମୁଣ୍ଡ ଫାଟିଗଲା । ଭାଇନାର କଅଁଳ ମୁଣ୍ଡ ଇଟାର ମାଡ ସହି ପାରିଲାନି । ରକ୍ତ ଧାରଧାର ବୋହି ଚାଲିଥାଏ । ଭାଇନା ରଡି ଛାଡି କାନ୍ଦୁଥାଏ । ଟିନୁ ରକ୍ତ ଦେଖି ଯାଇ ଲୁଚି ଗଲା । ବୋଉ ବଗିଚାରୁ ଭାଇନାକୁ ଘର ଭିତରକୁ ଆଣିଲା । ମତେ ଚିନି ଆଉ ନାନୀକୁ ଗୋଟେ କନା ଓ ଡିଆସିଲି ଆଣିବାକୁ କହିଲା । ପୁଳେ ଚିନି ନେଇ ଫାଟିଥିବା ଯାଗାରେ ଲଗେଇ ଦେଲା ଆଉ କନା ପୋଡି ସେ ପୋଡା କନାକୁ ନେଇ ଖଣ୍ଡିଆରେ ଲଗେଇ ଦେଲା । ରକ୍ତ ବନ୍ଦ ହେଇଗଲା । ବୋଉ ପଚାରିଲା " କେମିତି ଫାଟିଲା ମୁଣ୍ଡ??"ଟିକୁ ମାଡ ଖାଇବା ଡରରେ ଜୋର ଜୋରରେ କାନ୍ଦିବା ଆରମ୍ଭ କରିଦେଲା । ଭାଇନା କହିଲା"ଦୌଡି ଦୌଡି ଘରକୁ ଆସୁଥିଲି । ପଡିଗଲି । ପଥରରେ ମୁଣ୍ଡ ବାଜିଗଲା । "ଭାଇନା ଉତ୍ତର ଶୁଣି ଟିନୁ ପାଟି ଆଁ କରି ରହିଗଲା । ଭାଇନାକୁ ତା ଚାହାଁଣୀର ଇଙ୍ଗିତରେ ପଚାରିଲା " ମିଛ କାଇଁ କହୁଛୁ?" ହେଲେ ଗୋଟେ ପଶ୍ଚାତାପର ଭାବ ତା ମୁଁହରେ ଥିଲା । କିନ୍ତୁ ଭାଇନା ଗୋଟେ ବଡ ଭାଇ ପଣିଆ ଚାହାଁଣୀଟେ ଦେଇ ହାତ ଟାକୁ ଟେକି ଦେଇ ଚାଲାଗଲା । ହେଲେ ଯିବା ଆଗରୁ ତା ଚାହାଁଣୀରେ କହିଗଲା" ଆଜି ତତେ ବଞ୍ଚେଇ ଦେଲି । ମନେ ରହେ ଯେମିତି!ଟିନୁ ଭାଇନା ପଛେପଛେ ଟିନୁ ପୋଷା କୁକୁର ଭଳି ଚାଲିଲା । ଭାଇନା ଖଟ ଉପରେ ତକିଆକୁ ଆଉଜି ବସିଲା । ଆଉ ଟିନୁ ଭାଇନାର ମନ ପସନ୍ଦର ଚ୍ୟାନେଲ ଲଗେଇ ଦେଇ ଦୁଇ ଭାଇ ଆରାମରେ ଦେଖିଲେ । ନଚେତ୍ ସବୁଦିନ ଦି ଭାଇଙ୍କର ନିଜନିଜ ଚ୍ୟାନେଲ ପାଇଁ ଗୋଟେ ପରସ୍ତ ବାଡିଆ ପିଟା ପର୍ବ ହେଇ ଯାଉଥିଲା । 

ଖରା ଛୁଟିର ଦିପହରର ଆନନ୍ଦ ବର୍ଣ୍ଣନା କରି ହବନି । ଉଦୁଉଦିଆ ଦି ପହରେ ଦହିବରା ଆଳୁଦମ ବାଲା ଡାକି ଡାକି ଯାଏ । ଖାଲି ଦେହ । ଗୋଟେ ହାଫପ୍ୟାଣ୍ଟ । କାନ୍ଧେଇ ଥିବା ଲମ୍ବା ବାଉଁଶର ଦୁଇପଟେ ଦୁଇଟି ହାଣ୍ଡି । ଗୋଟେ ପଟେ ଦହିବରା । ଆଉ ଗୋଟେ ପଟେ ଆଳୁଦମ୍ । ପତ୍ର ଠୋଲାରେ ଚାରିଟା ଦହିବରା ତା ଉପରେ ଜିରା ଲଙ୍କା ଗୁଣ୍ଡ ଓ ତା ଉପରେ ଟିକେ ଆଳୁଦମ । ପଚାଶ ପଇସାରେ ଠୋଲା ଭର୍ତି । ଦହିବରା । ଆଳୁଦମ୍ ଟିକେ ଚଣା ତରକାରୀ ବି ଥାଏ । ସେ ପାଣିଆ ଦହିର ସୁଆଦ ପୃଥିବୀର କୌଣସି ଯାଗାରେ ମିଳିବନି । ଆଉ ଏ ସବୁ ଖାଦ୍ୟ ଲୁଚେଇ ଖାଇବାର ଆନନ୍ଦ ଅଲଗା ପ୍ରକାର । ଯିଏ ଖାଉଥିବ ସେଇ କେବଳ ବୁଝି ପାରିବ । ବାପା ବୋଉ ଶୋଇପଡିଥାନ୍ତି । ଟିନୁ ଦୁଆର ପାଖେ ଜଗେ । ଯଦି କିଏ ଉଠି ପଡିବ ଟିକୁ ଖଣ୍ଡି କାଶ କାଶିବ । ଭାଇନା ଦହିବରା ବାଲାକୁ ଡାକି ଦହିବରା କିଣିବ । ମୋ କାମ ହେଲା ଭାଇନା ପାଖରୁ ଆସି ସମସ୍ତଙ୍କୁ ଦେବି । ନାନୀ ଥିଲା ସେଠାଣୀ । ତା ପାଖେ ସବୁବେଳେ ପଇସା ଥାଏ । ତେଣୁ ସେ ପଇସା ଦିଏ । ଦହିବରା ବାଲା ଯିବା ପରେ ପରେ ଆଇସ୍କ୍ରିମ ବାଲା ଆସେ । ଦହିବରା ସାଙ୍ଗକୁ ଆଇସ୍କ୍ରିମ । ପାଟିଟା ରାଗ ଥିଲା ବେଳେ ଥଣ୍ଡା ଆଇସ୍କ୍ରିମ । କି ସୁନ୍ଦର ସଂଗମ । 

ପ୍ରାୟ ରବି ବାର ଦିନ ଖରାବେଳେ ଏ ପର୍ବ ହୁଏ । ଆମ ଘର ପାଖରେ ପିଉସୀ ନାନୀ ଓ ପିଉସା ରହନ୍ତି । ସେମାନେ ରବିବାର ଦିନ ଖରାବେଳେ ଆସନ୍ତି ପଖାଳ ଖିଆ ହୁଏ । ପଖାଳ ସାଙ୍ଗେ ମାଛ ଚଟଣୀ, ଶୁଖୁଆ ରାଈ, ଲେଉଟିଆ ଶାଗ ଭଜା, ବଡି ଚଟଣୀ, ପୋଟଳ ଭଜା, ବାଇଗଣ ଭର୍ତ୍ତା, ଆମ୍ବ ଚଟଣୀ, କାକୁଡି, ଦେଶୀ ପିଆଜ, ଏ ସବୁ ଖାଇ ବଡ ମାନେ ତାସ ଖେଳି ବସନ୍ତି । ପଖାଳ ଖାଇବା ପରେ ବଢିଆ ନିଦ ଆସେ । ବଡମାନେ ଶୋଇ ପଡନ୍ତି । ଆମକୁ ବାହାରୁ ବୁଲା ବିକାଳୀଙ୍କଠୁ ଖାଇବା ମନା ଥିଲା । ତେଣୁ ଆମେ ବି ଛକି ବସୁ ଥିଲୁ ଏଇ ମୌକା ପାଇଁ । ସେମାନେ ଶୋଇବାକୁ ପଳେଇଲେ ଆମେ ବୁଲା ବିକାଳିଙ୍କୁ ଡାକୁ । 

ଏଇଟା ଗୋଟେ ଏମିତି ରବିବାରର ଘଟଣା । ଦହିବରା ବାଲା ଯେମିତି ଆସିଲା ଭାଇନା ଗଲା ଡାକିବାକୁ । ମୁଁ ବାଆଁରେଇ ଗୋଟେ ଚକ୍କର ବୁଲି ଆସିଲି ସମସ୍ତେ ଆରାମରେ ଶୋଇ ଘୁଂଗୁଡି ମାରୁଥାନ୍ତି । ଟିନୁକୁ ଦୁଆର ପାଖେ ଜଗେଇ ଦେଲୁ । ଭାଇନା ବାହାରୁ ଗୋଟେ ଗୋଟେ ଠୋଲା ମତେ ଧରଉ ଥାଏ । ମୁଁ ଆଣି ନାନୀ ହାତରେ ଦଉଥାଏ । ଏମିତି ଦହିବରା ଆଇସ୍କ୍ରିମ ଆସିଗଲା । ଆମେ ସମସ୍ତେ ଖାଇବାରେ ମାତିଗଲୁ । ଟିକେ ଦହିବରା ଟିକେ ଆଇସ୍କ୍ରିମ । ଚାରିଜଣ ଯାକ ଖାଇବାରେ ବ୍ୟସ୍ତ । ହଠାତ୍ ନାନୀ ଆଖି ବଡବଡ ହେଇଲା । ପାଟି ଖୋଲା ଆଉ ଅରେଞ୍ଜ ବାରଟା ପାଟିରେ ସେମିତି ରହିଯାଇଥାଏ । ଆଇସ୍କ୍ରିମ ପାଣି ହେଇ ତଳେ ପଡୁଥାଏ । ନାନୀ କାଠ ହୋଇ ଉପରକୁ ଚାହିଁ ଥାଏ । ଆମେ ବୁଲି ଦେଖିଲୁ ବାପା ଠିଆ ହେଇଛନ୍ତି । ଦହିବରା ତଣ୍ଟି ପାଖେ ଅଟକି ଗଲା । ଆଇସ୍କ୍ରିମ ପାଣି ହେଇ ତଳେ ପଡୁଥିଲା । ଖଣ୍ଡ ଖଣ୍ଡ ବରଫ ବି ତଳେ ପଡୁଥାଏ । ଓଠ ପୁରା ନାରଙ୍ଗୀ ହୋଇଯାଇ ଥାଏ । ପୁଲିସ ଆଗେ ଚୋରର ଅବସ୍ଥା ଭଳି ଆମ ଅବସ୍ଥା । ପଥର ଭଳି ବସି ଥାଉ ତଳକୁ ମୁଁହ କରି । ଟିକେ ଆଭାସ ପାଇଥିଲେ ଠୋଲା ଗୁଡା ଖଟ ତଳକୁ ପେଲି ଦେଇଥାନ୍ତୁ । କି ଆଇସ୍କ୍ରିମ ଝରକା ବାଟେ ବାହାରକୁ ଫୋପାଡି ଦେଇଥାନ୍ତୁ । ବାପା ତ ଏଇଲେ ହଜାର ଥର ବସ ଉଠ କରେଇବେ । ସେ ପୁଣି କାନ ଧରି । ଆଖି ବନ୍ଦ କରି ଯେତେ ଠାକୁରଙ୍କ ନାଆଁ ଜାଣିଥିଲି ସମସ୍ତଙ୍କୁ ପ୍ରାଣ ବିକଳରେ ଡାକୁଥାଏ । ହଠାତ୍ ବାପାଙ୍କର ଜୋରରେ ତାଳି ବଜେଇ ହସିବା ଶବ୍ଦ କାନରେ ପଡିଲା । ବାପା କହୁଥାନ୍ତି "ଦି ପହରେ ଏୟା ଚାଲିଚି?ମୁଁ ଭାବୁଚି ପିଲାମାନଙ୍କ ପାଟି କାଇଁ ଶୁଭୁନି?କେତେଥର ମନା କରିଚି ଏ ବୁଲା ବିକାଳୀଙ୍କ ଠୁ କିଛି କିଣି ଖାଇବନି । କି ପାଣି ବୋଲି କି ପାଣି । ପେଟ ଖରାପ ହବ । ଆଜି ପ୍ରତିଜ୍ଞା କର । ଆଉ କେବେ ଖାଇବନି । ସେତେ ବେଳକୁ ଆଇସ୍କ୍ରିମ ପୁରା ପାଣି ହାତ ଅଠା ଅଠା । ସେଇ ହାତରେ କାନ ଧରି ପ୍ରତିଜ୍ଞା କଲୁ ଆଉ ଖାଇବୁନି ବୋଲି । ବାପା ସେମିତି ହସିହସି ବାହାରକୁ ପଳେଇଲେ । ତା ପରଠୁ ଆଉ ଖାଇନୁ । ୟା ଭିତରେ ବହୁ ବର୍ଷ ବିତି ଗଲାଣି । ବାପା ବୋଉ ଆମକୁ ଛାଡି ଆରପାରିକୁ ଚାଲି ଗଲେଣି । ଆମେ ଚାରି ଭାଇ ଭଉଣୀ ଭାରତର ଚାରି କୋଣରେ ନିଜ ପରିବାର ସହ ଅଛୁ । ହେଲେ ଖରା ଛୁଟିରେ ନିଶ୍ଚେ ଏକାଠି ହଉ । ପିଲାଦିନ କଥା ଆମ ପିଲାମାନଙ୍କୁ ଶୁଣଉ । ପିଲାମାନେ ବି ବହୁତ ମଜ୍ଜା କରନ୍ତି । କିନ୍ତୁ ଏବେ ଆଉ ସେ ବୁଲା ବିକାଳି । ଚେନାଚୁର ବାଲା । ଆଇସ୍କ୍ରିମ ବାଲା ଘର ବାଟ ଦେଇ ଯାଆନ୍ତିନି ।  



Rate this content
Log in