ମୋ କାହାଣୀ
ମୋ କାହାଣୀ
ମତେ ଆଠ ମାସ ହେଇଥାଏ।ମୋ ମାଲିକ ମତେ ଛାଡି ଲଣ୍ଡନ ପଳେଇଲେ।ଅନାଥ ହେଇ ରାସ୍ତା ରେ ବୁଲୁଥିଲି। ଭାଇନା ରାସ୍ତା ପାର କରୁକରୁ ମତେ ଦେଖି କାଖେଇ ପକେଇଲେ ଆଉ ଘରକୁ ନେଇଗଲେ।ମତେ ଘରେ ରଖିବାକୁ ବାପା ମା ଙ୍କ ଆଗେ ବହୁତ ନେହୁରା ହେଲେ।ଆଗ ତ କେହି ରାଜି ହେଲେନି।ବହୁତ ଝଗଡା ପରେ ଭାଇନା ଜିତିଲେ।ମୁଁ ରହିଲି ତାଙ୍କ ଘରେ।
ଆମ ଘରେ ବାପା, ମାଆ ବଡ ନାନୀ, ଆଉ ଭାଇନା।ମୋ ପାଇଁ ରହିବାର ଯାଗା ଠିକଣା ହେଇଗଲା। ମତେ ନୂଆଚାଦର,ନୂଆ ଜାମା,ଖେଳଣା ସବୁ ମିଳିଲା ।ଧୀରେଧୀରେ ସମସ୍ତ ଙ୍କର ଆଖିର ପିତୁଳା ହେଇ ଗଲି।ମୋର ଗୋଟେ ନାମ ଦିଆଗଲା।'ସୋଫି'।ନୂଆ ବର୍ଷ ରେ ସମସ୍ତ ଙ୍କ ପାଇଁ ଉପହାର ଆସିଲା।ମୋ ପାଇଁ ଗୋଟେ ଗଦି ଆସିଲା।ହେଲେ ଭାଇନା ସବୁବେଳେ ମତେ ତାଙ୍କ ରେଜେଇ ଭିତରେ ନେଇ ଶୁଅନ୍ତି।ସେଇ ଗରମ ଭିତରୁ ବାହାରି ମୋ ବିଛଣା ରେ ଶୋଇବାକୁ ମୋର ଜମା ଇଚ୍ଛା ହୁଏନି।ମାଆ ଦେଖିଲେ ଭାଇନାଙ୍କୁ ଗାଳି ଦିଅନ୍ତି।ମତେ ଟେକି ତଳେ ରଖି ଦିଅନ୍ତି।ହେଲେ ମାଆ ଭାଇନା ଙ୍କ ରୁମ୍ ରୁ ବାହାରୁ ବାହାରୁ ମୁଁ ଡିଆଁ ଟେ ମାରି ଭାଇନାଙ୍କ ବିଛଣା ଭିତରେ।ସେତେବେଳେ ମାଆ ଭାଇନା ଙ୍କୁ ମୋ ପାଇଁ ଗାଳି ଦେଲେ ଭାଇନା ମୁଚୁକୁନ୍ଦ ମାରି ଗାଳି ଖାଉଥାନ୍ତି ଆଉ ମୋ ମୁଣ୍ଡ କୁ ରେଜେଇ ଭିତରେ ଆଉଁଷୁ ଥାଆନ୍ତି।
ଆଜ୍ଞା ମୁଁ ଟିକେ ଆମିଷ ପ୍ରୀୟ।ମାଂସ ନ ହେଲେ ମତେ ଭାତ ରୁଚେନି।ମାଛ ମାଂସ ନ ଥିଲେ ଅଣ୍ଡା ରେ କାମ ଚଳେଇ ଦିଏ।ମାଆ କୋଳରେ ବସିଲେ ମତେ ବହୁତ ଭଲ ଲାଗେ।ହେଲେ ନାନୀ ଯଦି ମାଆ କୋଳ ରେ ବସିଲେ ମତେ ଭାରି ରାଗ ମାଡେ।ମୁଁ ମାଆ କୋଳ ରୁ ନାନୀ ଙ୍କୁ ପେଲି ଦେଇ ନିଜେ ମା ଙ୍କ କୋଳରେ ବସିପଡେ।ମତେ ଛାଡି ସେମାନେ ବାହାରକୁ ଗଲେ ମତେ ଡରମାଡେ।ମୁଁ ବହୁତ କାନ୍ଦେ।ମାଆ ସାଙ୍ଗେ କଥା କୁହେନି।ତା ପରେ ଘରକୁ ଆସିଲେ
ମାଆ ମତେ ସରି କହନ୍ତି।ବହୁତ ଗେଲ୍ହା କରନ୍ତି।ଦିନକର ଘଟଣା। ଘରେ ଏକା ଥିଲି ।ରାଗି କିଲେ ଲଡୁ ,ଡବା ଖୋଲି ଖାଇଗଲି।ପର୍ଦା ଛିଣ୍ଡାଇ ଦେଲି।ତା ପରେ ଯୋଉ ମାଡ ଖାଇଚି ନା ?ବାପ ରେ ବାପ। ଆଉଦିନେ ସେ ଭୁଲ କରିନି।ଦିନେ ଗୋଟେ ମୂଷା କୁ ମାରିଦେଲି। ସେଦିନ ମତେ ପୁରା ଭି ଆଇ ପି ର ଆଦର ମିଳିଲା।ସମସ୍ତ ଙ୍କ ଆଗରେ ମୋର ବହୁତ ପ୍ରଶଂସା ହେଲା।
ୟା ଭିତରେ ପାଞ୍ଚ ବର୍ଷ ବିତି ଗଲାଣି।ମୁଁ ଛଅ ଟି ଛୁଆ ଙ୍କ ମା ହେଇଗଲି।ମୋ ପିଲା ମାନଙ୍କୁ ବାପା ସମସ୍ତ ଙ୍କୁ ବାଣ୍ଟି ଦେଲେ ।ରାତି ରାତି କେତେ କାନ୍ଦଚିମୁଁ। ମୋର ଜମା ଇଚ୍ଛା ନଥିଲା।କିନ୍ତୁ ନାନୀ ବହୁତ କାନ୍ଦିବାରୁ ଗୋଟେ ଛୁଆ କୁ ବାପା ବାଧ୍ଯ ହେଇ ରଖିଲେ।ଧୀରେଧୀରେ ବାକି ପିଲା ମାନଙ୍କୁ ଭୁଲିଗଲି। ପୁଅ ନା ରଖିଲେ ରିଂଗୋ। ତା ସାଙ୍ଗ ରେ ମୁଁ ଲୁଚକାଳି ଖେଳେ।ଦଉଡା ଦଉଡି ଖେଳେ।ନିରାମିଷ ଖାଦ୍ୟ ଦେଖିଲେ ଦିହେଁ ରୁଷି ଯାଉ।ଖାଇବା ଛାଡି ପଳାଉ।ଖାଉନି।ମାଆ ବୁଝିପାରି ଆମକୁ ଅଣ୍ଡା ଦିଅନ୍ତି।ତା ପରେ ଆମେ ଖୁସି ରେ ଖାଇ ଦଉ।ମୁଁ ଟିକେ ଧୀରେ ଖାଏ।ରିଙ୍ଗୋ ଅଧା ଦିନ ତାର ଭାତ ସାରି ମୋର ଭାତ ବି ଖାଇ ଦିଏ।ଭାରି ଦୁଷ୍ଟ ଟେ ଥିଲା।କିଏ ଘରକୁ ଆସିଲେ ସିଧା ଯାଇ ତାଙ୍କ କୋଳ ରେ ବସି ପଡେ।ସମସ୍ତେ ତାକୁ ଭଲ ପାଆନ୍ତି।ସୋଫା ଉପରକୁ ଚଢିଲେ ଆମକୁ ଶାସ୍ତି ମିଳେ ।ତେଣୁ ମୁଁ ଚଢେନି।କିନ୍ତୁ କିଏ ଘରକୁ ବୁଲି ଆସିଲେ ରିଙ୍ଗୋ ସୋଫା ରେ ଯାଇ ଅତିଥି ଙ୍କ କୋଳ ରେ ବସି ମତେ ଆଖି ମାରେ।କହେ ଦେଖ ମୁଁ ସୋଫା ରେ ବସିଚି।ମୋର କେହି କିଛି କରି ପାରିବେନି।ତୁ ତଳେ ବସିଚୁ।ମୁଁ ତୋଠୁ ବେଶୀ ଗେଲ୍ହା
ଧୀରେ ଧୀରେ ମୋଠୁ ବେଶୀ ଆଦର ଦାବୀ କଲା ପୁଅ।ମୋର ସବୁ ଜାମା ପଟା ତାକୁ ଦିଆଗଲା।ମତେ ଆଉ କିଏ ସୁନ୍ଦରୀ ଡାକି ଲେନି।ହେଲେ ଆମ ଦିହିଁ ଙ୍କୁ ଏକାଠି ନାନୀ ନହେଲେ ଭାଇନା ପାର୍କ ନେଇ ଯାଆନ୍ତି।ଆମ ସାଙ୍ଗେ ବଲ ଖେଳନ୍ତି।
ଦିନେ ମୋ ପେଟ ରେ ବଥ ହେଲା।ମତେ ଡାକ୍ତର ଖାନା ନେଇ ଗଲେ।ଟେବୁଲ ଉପରେ ଶୁଆଇ ଦେଲେ।ମୁହଁ ବାନ୍ଧିଦେଲେ।ଗୋଟେ ଛୁଞ୍ଚି ଫୋଡି ଦେଲେ।ମାଆ କାନ୍ଦୁଥାନ୍ତି।ନାନୀ କାନ୍ଦୁଥାନ୍ତି।ମୁଁ ଶୋଇ ପଡିଲି।ନିଦ ଭାଙ୍ଗିଲା ବେଳକୁ ମୋ ପେଟ ରେ ପଟି ବନ୍ଧା ହେଇଚି।ବହୁତ କଷ୍ଟ ହଉଥାଏ।ନାନୀ କାଖେଇ ଘରକୁ ନେଇ ଆସିଲେ।ସବୁଦିନ ନାନୀ ମୋ ପଟି ବଦଳେଇ ଦିଅନ୍ତି।ଆଉ ଅପରେସନ ପରେ ମତେ ବାହାରକୁ ଛଡା ହଉ ନଥିଲା।ସେଦିନ ନୂଆବର୍ଷଥାଏ। ଘରେ ଭିଡ।ଯିବା ଆସିବା ଲାଗି ଥାଏ।କାଳେ ମୁଁ ବାହାରକୁ ପଳେଇବି ବୋଲି ମତେ ଗୋଟେ ରୁମ ରେ ବନ୍ଦ କରି ଦେଇଥିଲେ।ଅତିଥି ମାନଙ୍କ ଭିତରୁ ଛୋଟ ପିଲା ଟିଏ ଭୁଲରେ ଦୁଆର ଖୋଲି ଦେଲା।ମୁଁ ବାହାରକୁ ବାହାରି ଆସିଲି।ଦାଣ୍ଡ ଦୁଆର ଖୋଲା ଥିଲା ।ଚୁପ କରି ବାହାରକୁ ପଳେଇଲି।କେତେ ଦିନୁ ବାହାରକୁ ଯାଇ ନ ଥିଲି।ଖାଲି ରାସ୍ତା ରେ ଦୌଡିଲି।ଗୋଟେ ଘରୁ ଖାଲି ମହମହ ମାଂସ ର ବାସ୍ନା ହଉଥାଏ।କନା ଘେରା ହେଇଥାଏ। ଧୀର କରି କନା ତଳୁ ଭିତରକୁ ପଶି ଗଲି।ବଡ ହାଣ୍ଡି ରେ ମାଂସ ରନ୍ଧା ହେଇ ରଖା ହେଇ ଥାଏ।କିଛି ନ ଭାବି ମାଂସ ହାଣ୍ଡି ରେ ମୁହଁ ପୁରାଇ ଖାଇବାକୁ ଲାଗିଲି।କେତେ ଦିନୁ ମୁହଁ ରେ ଆଇଁଷ ଟିକେ ବାଜି ନଥିଲା।ହଠାତ୍ ଦି ଟା ଲୋକ ହାତ ରେ ଲାଠି ଧରି ମୋ ଆଡକୁ ମାଡି ଆସିଲେ।ଆଗରେ ହାଣ୍ଡି ପଛରେ ସାମିଆନା।ଯିବାକୁ ବାଟ ନାହିଁ।ଏପଟ ସେପଟ ଦଉଡିଲି।ଦେହ ରେ ବଳ ନଥିଲା ଦଉଡି ଯିବାକୁ।ଖାନ ମଉଷା କହୁଥାନ୍ତି "ମାରୋ ମାରୋ। ସାଲା କୁତ୍ତା ସାରା ଝୁଠା କରଦିୟା।ଅବ୍ ସାଦି କେ ମେହମାନ କ୍ୟା ଖାୟେଂଗେ? ଖସି ପଳେଇବି ବୋଲି ସାମିଆନା ତଳୁ ମୁଣ୍ଡ ବାହାର କରି ଯିବି ବୋଲି ଚେଷ୍ଟା କଲି।ଜଣେ ମୋ ମୁଣ୍ଡ କୁ ପାହାରେ ପକାଇଲା ଆଃ କି ଜୋରରେ ମାଡ ମତେ ଘୋଷାରି ନେଇ ଗେଟ ବାହାରେ ଫୋପାଡିଦେଇ ଆଉ ଚାରି ପାଞ୍ଚ ପାହାର ମୋ ମୁଣ୍ଡ କୁ ପକେଇ ଦେଇ ଭିତର କୁ ପଳେଇ ଲେ।ମୁଁ ଆଉ ଚାଲି ପାରୁନଥିଲି।ନିଃଶ୍ବାସ ନବା କୁ କଷ୍ଟ ହଉଥିଲା।ନାନୀ ମୋ ନା ଡାକିଡାକିମତେ ଖୋଜୁଥିଲେ।ଡାକ ଶୁଣି ପାରୁଥିଲି କିନ୍ତୁ କହିବାକୁ ବଳ ନଥିଲା ଯେ ନାନୀ ମୁଁ ଏଇଠି ଲହୁ ଲୁହାଣ ହେଇ ପଡିଚି।ହେଲେ ନାନୀ ମତେ ଠାବ କରି ପାରିଲେ।ମୋ ଦେହରୁ ରକ୍ତ ଝରୁଥିଲା।।ନାନୀ ସୋଫି ସୋଫି କହି ମତେ କୁଣ୍ଢେଇ ଧରି ଭୋ ଭୋ ହେଇ କାନ୍ଦୁ ଥିଲେ।ମତେ ଟେକି ଘର ଆଡକୁ ଚାଲିଲେ।ମୋ ମୁଣ୍ଡ ରେ,ପେଟରେ ଅସହନୀୟ ଯନ୍ତ୍ର ଣା।ନାନୀ ଘର ଆଡକୁ ଦଉଡୁଥିଲେ ମତେ ଧରି।ଦିହିଁଙ୍କ ଆଖିରୁ ଲୁହ ଝରି ଯାଉଥିଲା।
ଭାବୁଥିଲି ଆଃ କାହିଁକି ଲୋଭ କଲି।
ମୋ ନିଶ୍ବାସ ଧୀରେ ଧୀରେ ବନ୍ଦ ହେଇ ଆସୁଥିଲା।
