ଅଭିଶାପ
ଅଭିଶାପ
କଙ୍କଡାପଦା ଗାଁ ଭିତରକୁ ଯିବାକୁ ତ ଅନୁମତି ମିଳିବନି।ଟୁନି ସେମାନଙ୍କୁ ଭୁବନେଶ୍ବର ଡାକି ଆଣିବ।ଆମେ ସମସ୍ତେ ହୋଟେଲରେ ରହିବୁ।।ଆମ ଭିତରର ଦୂରତା ସବୁ ଧୋଇ ହେଇ ଯିବ।ଗାଁ ଲୋକ ଜାଣି ପାରିବେନି ତେଣୁ ବାପା ବୋଉଙ୍କୁ ନିଆଁପାଣି ବାଛନ୍ଦ କରିବେନି।ଏମିତି ଟୁନି ଆଉ ମୁଁ ପ୍ଲାନ କରିଦେଲୁ।ମୋର ପରିବାରକୁ ଦେଖିବାର ଉତ୍ସାହ ଖାଲି ସମୁଦ୍ରର ଲହଡି ଭଳି ଉପର ତଳ ହଉ ଥାଏ।କେତେଦିନ ପରେ ହୋଲି ଦେଖିବି।ପିଲା ମାନେ, ଲୋରା ରଂଗ ଖେଳ ଦେଖିବେ।ବାକ୍ସ ସଜଡା ହେଇଗଲା।ଖାଲି ଯାତ୍ରା ଦିନକୁ ଚାତକ ପରି ଅପେକ୍ଷା କରିଥାଉ।ହଠାତ ଟିଭି ଖୋଲିଲା ବେଳକୁ ଶୁଣିଲି କରୋନା ପାଇଁ ଭାରତକୁ ଆସୁଥିବା ସବୁ ଅନ୍ତର୍ଜାତୀୟ ବିମାନ ରଦ୍ଦ କରି ଦିଆ ଯାଇଛି।ତିନିମାସ ପାଇଁ।ଟିକଟ ଫେରେଇ ଦେଲି।ମନ ମରିଗଲା।ସବୁଆଡେ ଲୋକ ମରୁଥାନ୍ତି। ସେଦିନ ମେ ପଚିଶ
ତାରିଖ। ଟୁନିର ଫୋନ ଆସିଲା।କହିଲା "ଭାଇନା,ବାପା ବୋଉଙ୍କୁ ନେଇ ଆସିଥିଲି ଭୁବନେଶ୍ବର। ତମେ ସବୁ ଆସିବ ବୋଲି।ବାପାଙ୍କୁ କରୋନା ହେଇ ଯାଇଚି।ଡାକ୍ତରଖାନାରେ ଅଛନ୍ତି। " ମୁ କହିଲି ଭଲରେ ଚିକିତ୍ସା କର।ପଇସା ଚିନ୍ତା କରନା।ସାଂଗେସାଂଗେ ଟଙ୍କା ଟ୍ରାନ୍ସଫର କରିଦେଲି।ମେ ତିରିଶ ତାରିଖ ଦିନ ଟୁନି ପୁଣି ଫୋନ କଲା।କାନ୍ଦିକାନ୍ଦି କହିଲା "ବାପା ଚାଲିଗଲେ।ବଡି ଦେଲେନି।
କଙ୍କଡ଼ପଦା ହେଲା ଆମ ଗାଆଁ।ଗାଁ ରେ ପକ୍କା ଘର ଟିଏ।ବାପା ତାଙ୍କ ଝାଳବୁହା ଧନରେ ତିଆରି କରିଥିଲେ।ଆମ ପରିବାରରେ ବାପା,ବୋଉ, ମୁଁ ଆଉ ଟୁନି।ଟୁନି ମୋଠୁ ଦୁଇବର୍ଷ ସାନ।ବାପା ଗାଁ ସ୍କୁଲରେ ହେଡ଼ମାଷ୍ଟର ଥିଲେ।ସେଇ ସ୍କୁଲରେ ଆମେ ଭାଇ ଭଉଣୀ ପଢୁଥିଲୁ।ମୁଁ ବୋର୍ଡ ପରୀକ୍ଷାରେ ପ୍ରଥମ ହେଇଥିବାରୁ ବାପା ଗାଁ ଯାକରେ ଲଡୁ ବାଣ୍ଟି ଥିଲେ।ଗାଁ ରେ ଯୋଉମାନେ ପାଠପଢାର ମହତ୍ବ ବୁଝିଥିଲେ ସେମାନେ ଶୁଣି ଖୁସି ହେଲେ।ଆଉ ବାକି ମାନେ ଲଡୁ ଖାଇ ଖୁସି ହେଲେ।
ତାଳଚେରରୁ ଇଂଜିନିୟରିଂ ପାସ କଲି।ଆମ ସାର କହିଲେ"ମାଷ୍ଟର୍ସ କରିବାକୁ ବିଦେଶକୁ ଯିବା ପାଇଁ।ବିଦେଶରେ କାନ୍ସାସ ୟୁନିଭରସିଟିରେ ମତେ ବୃତ୍ତି ସହିତ ଦାଖିଲା ମିଳିଗଲା। ବାପା ଖୁସିରେ ଗାଁ ରେ ଭୋଜି ଦେଲେ।ତାଙ୍କ ପୁଅକୁ ବିଦେଶରେ ଉଚ୍ଚକୋଟୀର କଲେଜରେ ଦାଖିଲା ମିଳିଚି।କଣ କମ ଗର୍ବର କଥା?ଭୁବନେଶ୍ବରରୁ ଟ୍ରେନ ଧରିବା ଦିନ ଗାଁ ରୁ ଅଧାଲୋକ ପୁଲମାଳ ଧରି ଷ୍ଟେସନକୁ ଆସି ମୋ ବେକରେ ମାଳ ପିନ୍ଧାଇ ଥିଲେ।ଭୁବନେଶ୍ବର ରୁ ଦିଲ୍ଲୀ।ଦିଲ୍ଲୀରୁ ଆମେରିକା।
ଆମେରିକା ଏୟାରପୋର୍ଟକୁ ମୋ ପ୍ରଫେସର ଆସିଥିଲେ ମତେ ନବାପାଇଁ।ତାଙ୍କ ସାଙ୍ଗେ ଜଣେ ଭାରତୀୟ ଛାତ୍ର। ମୋର
ରହିବାର ବ୍ୟବସ୍ଥା ଭାରତୀୟ ଛାତ୍ର ସହିତ ହେଇଥିଲା।ଆମକୁ ଛାଡି ସାର୍ ତାଙ୍କ ଘରକୁ ଚାଲିଗଲେ।ଭାରତୀୟ ଛାତ୍ର ମୋଠୁ ବର୍ଷେ ଉପରେ।ସେ ମତେ କିଛି କିଛି ସାହାଯ୍ଯ କଲେ।ସେ କଲିକତାର ବାସିନ୍ଦା।ମୁଁ ତାଙ୍କୁ ଦାଦା ବୋଲି ଡାକିଲି।ପର ଦିନ ସକାଳୁ ନିତ୍ଯ କର୍ମ ସାରି କଲେଜ ବାହାରି ଗଲୁ ଦିହେଁ।
କଙ୍କଡ଼ା ପଦା ଗାଁ ର ପିଲା ମୁଁ।ବରପାଲି ପାଇଖାନା। କୂଅ ପାଣିରେ ଗାଧୁଆପାଧୁଆ। ଦାନ୍ତଘଷା ବି କୂଅମୂଳେ।କାଠ ଚୁଲିରେ ରନ୍ଧା।
ଆଉ ସେଠି ରୋଷେଇ ଘର , ଗାଧୁଆ ଘରର ଡିଜାଇନ ଭିତରେ ନିଜକୁ ଢାଳିବାକୁ ମତେ ମାସେ ଉପରେ ଲାଗିଗଲା।ତା ପରେ ପାଠ ପଢାରେ ଲାଗିଗଲି।ପନ୍ଦର ଦିନକୁ ଥରେ ଘରକୁ ଫୋନ କରେ।ମୋ ପାଠ ପଢାର ନିଶା ଦେଖି ସାର ଭାରି ସନ୍ତୁଷ୍ଟ ଥିଲେ।
ଦେଢବର୍ଷର କୋର୍ସକୁ ବର୍ଷକ ରେ ସାରିଦେଲି। ସବୁଠୁ ବେଶି ନମ୍ବର ମୋର ଥିଲା।ବାପା ବୋଉ ଭାରି ଖୁସି ହେଲେ।ସାର କହିଲେ ପି :ଏଚ: ଡି କରିବାକୁ।ବାପାଙ୍କୁ ପଚାରିବାରୁ ସେ କହିଲେ "ଏତେ ବାଟ ଯାଇଚୁ।ଡାକ୍ତର ଉପାଧି ନେଇ ଫେରିଆ।"ବାପାଙ୍କ ମନକୁ ଧନ ଅଣ୍ଟୁ ନ ଥିଲା।ପୁଅକୁ ବିଦେଶରେ ପ୍ରଶଂସା ମିଳୁଚି।ଆଉ କଣ ଦରକାର?ମୁଁ ବାପାଙ୍କ କଥା ମାନି ପି,ଏଚ,ଡି ଆରମ୍ଭ କରିଦେଲି।
ଧୀରେ ଧୀର କଥା କହିବାର ଢଂଗ ଶିଖିଗଲି।ଗାଁରେ ଚୂଡା କଦଳୀ ଚକଟା ଖାଇବା ପିଲା ବ୍ରେଡ୍, ଆମଲେଟ ଖାଇଲି।ସାର ମତେ ସେଠି ଗାଡି ଚଲା ବି ଶିଖାଇ ଦେଲେ।ମତେ ଡ୍ରାଇଭିଂ ଲାଇସେନ୍ସ ଭି ମିଳିଗଲା।
ସାର ପଢିବାକୁ ବେଳେ ବେଳେ ତାଙ୍କ ଘରକୁ ଡାକନ୍ତି।ସାରଙ୍କର ଗୋଟେ ଝିଅ କଲେଜରେ ପଢୁଥାଏ। କିଛି ପାଠ ପଚାରିବାକୁ ଆସିଲେ ସାର ମତେ କହନ୍ତି ବୁଝେଇ ଦବାକୁ।ମୁଁ ବି କୃତ୍ୟ କୃତ୍ୟ ହେଇ ପାଠ ବୁଝେଇ ଦେଇ ନିଜକୁ ଗର୍ବାନ୍ବିତ ମନେ କରୁଥିଲି।
ସାରଙ୍କ ଝିଅ ଲୋରା ଧୀରେଧୀରେ ମୋ ଠୁ ପଢିବାକୁ ଚାହିଁଲା।ସାର ବି କବେ ଆପତ୍ତି କରୁ ନ ଥିଲେ।ଲୋରାର ମୋ ସହିତ ମିଳାମିଶାର ଢଂଗ ଅତି ବିଦେଶୀୟ ଥିଲା ଯୋଉଟା ମତେ ଟିକେ ଅଖାଡୁଆ ଲାଗୁଥିଲା।
କଙ୍କଡ଼ାପଦା ଗାଁ ର ପିଲା ମୁଁ।ବୋଉ ଓ ଟୁନି ଛଡା କୋଉ ଝିଅକୁ ଆଖି ଉଠେଇ ଦେଖିନି।ପଚିଶ ବର୍ଷ ବୟସରେ ଗୋଟେ ତରୁଣୀର ସାନ୍ନିଧ୍ୟ ମତେ ବୋଧେ ଭଲ ଲାଗିଲା ଯାହା କି ମୁଁ ପ୍ରଥମେ ବୁଝି ପାରୁ ନ ଥିଲି।ଦିନେ ସାର ଘରେ ନ ଥିଲେ।ମୋ ପ୍ରତି ଲୋରାର ବ୍ୟବହାର ସେଦିନ ଅନ୍ଯଦିନ ଠୁ ଅଲଗା ଥିଲା।ମୁଁ କୋଉ ଘରର ପିଲା , ଆମ ଘରର ସଂସ୍କାର କଣ ଭାବିବା ଆଗରୁ ମୁଁ ସେ ସଂସ୍କାରକୁ ଜଳାଞ୍ଜଳି ଦେଇ ସାରିଥିଲି।ତା ପରେ ପି.ଏଚ.ଡି କରିବା ଭିତରେ ହି ମତେ ଲୋରାକୁ ବିବାହ କରିବାକୁ ପଡିଥିଲା।
କିଛି ମାସ ଘରେ କାହାକୁ କହିଲିନି।ଟୁନିର ବାହାଘର ହେଲା।କାମର ବାହାନା କରି ଗଲିନି କାରଣ ବାପା ବୋଉଙ୍କ ସାମ୍ନା କରିବାର ସାହସ ମୋର ନଥିଲା।
ଟୁନି ତା ବାହାଘର ପରେ ପୂଜାରେ ଗାଁ କୁ ଆସିଥାଏ।ସେତିକି ବେଳେ ପୂଜାର ଶୁଭେଚ୍ଛା ଜଣେଇବା ସାଙ୍ଗେ ସାଙ୍ଗେ କହିଦେଲି ମୋ ବାହାଘର କଥାଟା।ସେପଟୁ କିଛି ଉତ୍ତର ନାହିଁ।ଦଶ ମିନିଟ୍ ଦିହେଁ ଚୁପ।ତା ପରେ ବାପା ଧଡ୍ କରି ରିସିଭର ରଖିଦେଲେ।ଦୁଇ ଦିନ ପରେ ଟୁନି ଫୋନ କଲା।କହିଲା "ବାପା ଚୁପ ହେଇଯାଇଛନ୍ତି।ବୋଉ କାନ୍ଦି କାନ୍ଦି ଦରମରା ହେଲାଣି।ଗାଁରେ ଚହଳ ପଡି ଯାଇଚି।ଈଶ୍ବର ମେମ୍ ବାହା ହେଇଚି।ତାକୁ ଆମେ ଗାଁ ଭିତରକୁ ଆସିବାକୁ ଦବୁନି।ଆଉ ଯଦି ବାପା ବୋଉ ତୋ ସାଙ୍ଗେ ସମ୍ପର୍କ ରଖିବେ ତେବେ ତାଙ୍କୁ ନିଆଁ ପାଣି ବାଛନ୍ଦ କରିଦେବେ।ବୋଉ ମୁଣ୍ଡ ବାଡେଇ ଖାଲି କାନ୍ଦୁଚି।କହୁଚି"କେତେ ଗୁଡ ଖାଇଥିଲି ମନେମନେ କି
ରଘୁବାବୁଙ୍କ ଝିଅକୁ ବୋହୂ କରିବି।ଗହଣା ବି କରି ସାରିଥିଲି"।
ବାପାଙ୍କ ସାଂଗ ରଘୁନାଥ ମହାପାତ୍ର ଓ ବାପା କୁଆଡେ ତାଙ୍କ ଭିତରେ କଥା ହେଇଥିଲେ ଯେ ତାଙ୍କ ଝିଅକୁ ତୁ ବାହା ହବୁ।
କିଛି ଦିନ ଛାଡି ଦେ। ଏଠି ଧୀରେଧୀରେ ସିଚୁଏସନ ବଦଳିବ।ସମୟ ବଡ ବଳବାନ।କହି ଟୁନି ଫୋନ ରଖି ଦେଲା।
ତା ପରଠୁ ବାପା ମୋ ସାଙ୍ଗେ ଆଉ କଥା କହିଲେନି। ବୋଉ ହଁ ନାଇଁ କହି ଫୋନ ରଖିଦିଏ।ଦିନେ ଟୁନି ଫୋନ କରି କହିଲା "ଭାଇ ଆଉ ଟଙ୍କା ପଠେଇବୁନି।ବାପା ମନା କଲେ।ଆଉ କହିଲେ "ଇଶୁକୁ କହିଦବୁ ଗାଁକୁ ଆସିବନି।ମତେ କାନ୍ଧ ଦବନି କି ମୋ ମୁହଁରେ ନିଆଁ ଦବନି।ଗାଁ ଲୋକ ମୋର କ୍ରିୟା କର୍ମ କରିଦେବେ।ସେ ସେଇଠି ରହୁ ଖୁସିରେ ରହୁ।"ଆଉ ଶୁଣି ପାରିଲିନି। ଫୋନ କାଟି ଦେଲି।ୟା ଭିତରେ ପାଞ୍ଚ ବର୍ଷ ବିତିଗଲାଣି ।ମୋର ଗୋଟେ ପୁଅ ସମର ଓ ଝିଅ ସୀମା ଜନ୍ମ ହେଲେଣି।ପିଲାମାନଙ୍କ ଫଟ ଟୁନି ପାଖୁ ପଠାଏ।ସବୁ ରବିବାର ଦିନ ଟୁନିକୁ ଫୋନ କରେ।ବାପା ବୋଉଙ୍କ କଥା ପଚାରେ।ସେମାନେ ମୋ ସହିତ ଆଉ କଥା ହବାକୁ ଚାହୁଁ ନାହାଁନ୍ତି। ଖାଲି କହନ୍ତି" ସେମାନେ ଭଲରେ ଥାନ୍ତୁ।"ବୋଲି ଟୁନି କହେ।ମଝିରେ ମଝିରେ ଆମର ଫଟ ଟୁନି ପାଖୁ ପଠାଏ। ପିଲାମାନଙ୍କର ଫଟ ବି ପଠାଏ।
ଦିନେ ଟୁନିକୁ ପଚାରିଲି ବାପା ବୋଉ ପିଲାମାନଙ୍କ ଫଟ ଦେଖିଲେଣି ?ଟୁନି କହିଲା "ହଁ।ଫଟକୁ ଛାତିରେ ଜାବୁଡ଼ି ଧରି ବହୁତ କାନ୍ଦିଲେ।ଓଠରେ ଲଗେଇ ବହୁତ ଗେଲ କଲେ:"।ଏଇ ପଦକ କଥା ମୋ ଭିତରେ ଶତ ସିଂହର ବଳ ଆଣିଦେଲା।ଟୁନି ମତେ ମଝିରେ ମଝିରେ ବୁଝାଏ ଯେ ସମୟ ଧୀରେଧୀରେ ସବୁ ଠିକ କରିଦବ।ବାପା ବୋଉ ମୋ ପିଲାଙ୍କ ଫଟକୁ ଗେଲ କଲେ ଶୁଣି ମନେମନେ ଠିକଣା କଲି ଯେ ହୋଲି ବେଳକୁ ଭୁବନେଶ୍ୱର ଯିବି।ଯଦିଓ ଗାଁ କୁ ଯିବାକୁ ମୋର ଭାରି ମନ ଥିଲା, ହେଲେ ମତେ ଗାଁ ରେ ପୁରେଇବେନି ବୋଲି ଗାଁ ଲୋକେ କହି ଦେଇଛନ୍ତି।ତେଣୁ ଭୁବନେଶ୍ୱର। ଟୁନିକୁ ଫୋନ କଲି।ଦିହେଁ ମିଶି ପ୍ଲାନ କଲୁ ଯେ ଟୁନି ସେମାନଙ୍କୁ ଡାକି ହୋଟେଲରେ ରଖିବ।ସେଇ ହୋଟେଲରେ ଆମର ଦେଖା ହବ।ଗାଁ ଲୋକେ ବି ଜାଣି ପାରିବେନି ଯେ ବାପା ବୋଉ ମୋ ସାଙ୍ଗେ ଦେଖା କରିବାକୁ ଆସିଛନ୍ତି ବୋଲି।ଆଉ ଟୁନିକୁ ଆମ ଯିବା କଥା ବାପା ବୋଉଙ୍କ ଠାରୁ ଗୁପ୍ତ ରଖିବାକୁ ଅନୁରୋଧ କରିଥିଲି।
ଏପଟେ ଭୁବନେଶ୍ୱର ପାଇଁ ମାର୍ଚ ମାସ କୋଡିଏ ତାରିଖକୁ ଚାରିଟି ଟିକଟ କରିଦେଲି। ପଚିଶ ତାରିଖରେ ହୋଲି।ପିଲାମାନେ ଆଉ ଲୋରା ହୋଲି ଖେଳ ଦଖିବେ।କେତେ ଖୁସି ହେବେ।ଆଉ ଆଠ ବର୍ଷ ପରେ ବାପା ବୋଉଙ୍କୁ ଦେଖିବି।ଲୋରା ଓ ପିଲାମାନଙ୍କୁ ଓଡିଆ ଶିଖାଇବା ଆରମ୍ଭ କରିଦେଲି।ଲୋରାକୁ ଶାଢୀ ପିନ୍ଧା,କ୍ଷୀର ବାଲା ଚାହା ତିଆରି କରିବା,ଛୋଟ ଛୋଟ ଓଡିଆ ଖାଦ୍ୟର ପ୍ରଣାଳୀ ଶିଖେଇ ଦେଲି।ଦରକାର ପଡିଲେ ବାପା କି ବୋଉଙ୍କ ପାଇଁ କିଛି କରି ପାରିବ।ପିଲାଙ୍କୁ ଜେଜେ,ଜେଜେ ମା,ଡାକ ବି ଶିଖାଇ ଦେଲି।
ଟୁନି ଆଉ ତା ସ୍ୱାମୀଙ୍କୁ ଅଙ୍କଲ ଆଣ୍ଟି ଡାକିଲେ ସେମାନେ ଆପତ୍ତି କରିବେନି।
ବାସ୍।ସମସ୍ତଙ୍କ ପାଇଁ ଲୁଗାପଟା କିଣା କିଣି କରିବାରେ ଲାଗିଗଲି।ଏତେ ବର୍ଷ ପରେ ଘରକୁ ଯିବି।ସମସ୍ତଙ୍କୁ ଦେଖିବି।ମନ ଭିତରେ ଆନନ୍ଦର ଜୁଆର ଉଠୁଥାଏ।ଯିବାକୁ ଆଉ ଚାରିଦିନ ଥାଏ।ଖବର ଆସିଲା ଚାଇନାରୁ କୋଭିଡ ନାମକ ଭୂତାଣୁ ପୃଥିବୀର ସବୁ ଆଡେ ବ୍ୟାପି ଚାଲିଚି।ଲୋକ ମାନେ ପୋକ ମାଛି ପରି ମରୁଛନ୍ତି।ରୋଗୀର ଛୁଆଁରୁ ଆଉ ଜଣକୁ ଏ ରୋଗ ବ୍ଯାପୁଚି ।ତେଣୁ ଆମେରିକା ଲେଖାଏଁ ଲୋକ ସବୁଦିନ ମରୁଛନ୍ତି।ଅବସ୍ଥା ଖରାପ।ସେଇଥିପାଇଁ ବପା ବୋଉଙ୍କୁ ଭୁବନେଶ୍ବର ନେଇ ଆସିଚି ପାଖକୁ।ଶୁଣି ବହୁତ ଆଶୀର୍ବାଦ କଲି ଟୁନିକୁ।
ଦୁଇଦିନ ପରେ ଟୁନି ଫୋନ ଆସିଲା।କହିଲା ବାପାଙ୍କୁ କୋଭିଡ ହେଇ ଯାଇଚି।ମୁଁ କହିଲି" ତାଙ୍କ ଚିକିତ୍ସାରେ ଯେମିତି କିଛି ହେଳା ନ ହୁଏ।ପଇସାର ଚିନ୍ତା କରିବୁନି। "
ହେଲେ ବାପାଙ୍କୁ ବନ୍ଚା ଯାଇ ପାରିଲାନି। ଟୁନି ବାପା ବୋଉଙ୍କୁ କୋଭିଡରୁ ବଞ୍ଚାଇବା ପାଇଁ ଗାଁ ରୁ ନେଇ ଆସିଥିଲା।ହେଲେ ସେତେବେଳକୁ ବାପା କୋଭିଡ୍ ଭୂତାଣୁ ଦ୍ଵାରା ସଂକ୍ରମିତ ହେଇ ସାରିଥିଲେ।ବାପାଙ୍କ ଠୁ ବୋଉକୁ ହେଲା।ବୋଉକୁ ବି ଗାଡି ଆସି ନେଇଗଲା।ସଂକ୍ରାମକ ଏତେ ଭୟଙ୍କର ରୂପ ଧାରଣ କରିଚି ଯେ ପରିବାରକୁ ଶବ ଦାହ କରିବାର ଅନୁମତି ଦିଆଯାଉ ନି।ଏପରି କି ଶେଷ ଦର୍ଶନର ଅନୁମତି ଭି ନାହିଁ।ଗଦା ଗଦା ଶବ ନେଇ ଏକାଠି ଜଳାଇ ଦିଆଯାଉଚି।
ଏସବୁ ଟୁନି ମତେ କହୁଥିଲା। ଗୋଟେ ଗୋଟେ ଘର ପୋଛି ହେଇ ଯାଉଛି।ଟୁନି କହି ଚାଲିଥିଲା।ମୋ ଦେହରୁ ଝାଳ ବୋହି ଚାଲି ଥିଲା ----ଆଖିରୁ ଲୁହ ଅବିଶ୍ରାନ୍ତ ଝରିଯାଉଥିଲା।ଡେଣା କଟା ପକ୍ଷୀ ଭଳି ମୁଁ ନିଜକୁ ଅନୁଭବ କରୁଥିଲି।
