Shiba Charan Mahapatra

Tragedy Romance

3.3  

Shiba Charan Mahapatra

Tragedy Romance

ବିଡମ୍ବନା

ବିଡମ୍ବନା

9 mins
587



- " ପ୍ଲିଜ୍ ଡକ୍ଟର ଆପଣ ଯେମିତି ହେଲେ ମୋ ଝିଅକୁ ଭଲ କରିଦିଅନ୍ତୁ , ତା'ବିନା ଆମେ ବଞ୍ଚି ପାରିବୁନି ।"


-"ଧୈର୍ଯ୍ୟ ଧରନ୍ତୁ ମହାନ୍ତି ବାବୁ.. ସବୁ ଠିକ୍ ହେଇଯିବ । ଆପଣ ଯଥାଶୀଘ୍ର AB+ ବ୍ଲଡ ବ୍ୟବସ୍ଥା କରନ୍ତୁ ।"


-"ଠିକ୍ ଅଛି ଆଜ୍ଞା ।"


ଏତକ କହି ତରବର ହୋଇ ବ୍ଲଡ ବ୍ୟାଙ୍କ ଆଡକୁ ମାଡିଗଲେ ମହାନ୍ତି ବାବୁ । ସେଠାରେ ଯାଇ ବୁଝିଲେ AB+ ରକ୍ତ ସରିଯାଇଛି । ବନ୍ଧୁ ବାନ୍ଧବ ପ୍ରିୟ ପରିଜନ ମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ବୁଝିଲେ କାଳେ କେଉଁଠାରୁ ରକ୍ତ ଯୋଗାଡ ହୋଇପାରିବ । କିନ୍ତୁ ସବୁଆଡୁ ନିରାଶ ହେବାକୁ ପଡିଲା । ଦୁଇ ଆଖିରୁ ତାଙ୍କର ଧାର ଧାର ହୋଇ ଝରିଯାଉଥାଏ ଲୁହ ରୂପକ ସ୍ନେହ ମମତା ବୋଳା ଅନାବିଳ ପ୍ରେମ ସବୁ । ଡାକ୍ତରଖାନା ବିଛଣା ଉପରେ ମରଣ ସହିତ ସଂଘର୍ଷ କରି ଚାଲିଥିଲା ବ୍ରେନ ମ୍ୟାଲେରିଆ ଆକ୍ରାନ୍ତ ଏକମାତ୍ର ଅଲିଅଳି ଝିଅ ସାନୁ । ଏମିତି ଜଟିଳ ପରିସ୍ଥିତିରେ କିପରି ନିଜ ଧର୍ମପତ୍ନିଙ୍କୁ କହିବେ କି ଏଯାଏଁ ରକ୍ତ ଯୋଗାଡ ହୋଇ ପାରିଲାନି ।


-"ବ୍ଲଡ ବ୍ୟବସ୍ଥା କଣ ହେଲା..?"


ବେଡ ଉପରେ ଶୋଇଥିବା ଝିଅର କରୁଣ ବଦନକୁ ଗମ୍ଭୀର ଭାବରେ ଚାହିଁ ରହିଥିଲେ ମହାନ୍ତି ବାବୁ । ପୁନଶ୍ଚ ଧର୍ମପତ୍ନି ଯଶୋଦାଙ୍କ ପ୍ରଶ୍ନରେ ପ୍ରକୃତିସ୍ଥ ହୋଇ ମୁଣ୍ଡ ହଲେଇ ମନା କଲେ, -"ନା.."

ଶକ୍ତ ଧକ୍କାଟିଏ କିଏ ମାରିଦେଲା ଅବା ଯଶୋଦାଙ୍କ ମମତାବୋଳା କମନୀୟ ଛାତି ଉପରେ । ସେଇ ଡାକ୍ତରଖାନା ଭିତରେ ସେ ଭୋ ଭୋ କାନ୍ଦି ଉଠିଲେ । ମହାନ୍ତି ବାବୁ ତାଙ୍କୁ ସାନ୍ତ୍ବନା ଦେଉଥିଲେ ମଧ୍ୟ ନିଜକୁ ନିଜେ ବୁଝେଇପାରୁ ନଥିଲେ କି ଏତେ ଧନ ସମ୍ପତ୍ତି ଥାଇ ମଧ୍ୟ ସେ କିପରି ନିଜ ଝିଅ ପାଇଁ ରକ୍ତ ଟିକିଏ ସଂଗ୍ରହ କରି ପାରୁନାହାନ୍ତି । ହାଏ ସେ କେତେ ଅସହାୟ ..!? ବଡଡାକ୍ତରଖାନା ଝରକା ସେପାଖ ଗନ୍ଧମାର୍ଦ୍ଦନ ପାହାଡ ତଳେ ବୁଡି ଯାଉଥାଏ ରକ୍ତିମ ସୁରୁଜ । ଧିରେ ଧିରେ ସାନୁର ଛାତି ଭିତର ପ୍ରାଣଟି ଚିର ବିଦାୟ ନିମନ୍ତେ ସଜବାଜ ହେଉଥାଏ । ଦେହ ଭିତରକୁ ବାହାରର ଗାଢ୍ ଅନ୍ଧାର ରାତିଟା ବୋଧେ ଧସେଇ ପଶିବାକୁ ଦୂର୍ବାର ପ୍ରୟାସ ଜାରି ରଖିଛି । ସାନୁ ଅପେକ୍ଷା କରି ରହିଥିଲା ସେ ମୃତ୍ୟୁ ରୂପୀ ରାକ୍ଷସର କଣ୍ଟକିତ ଆଲିଙ୍ଗନକୁ । ମହାନ୍ତି ବାବୁ ଆଉ ତାଙ୍କ ସ୍ତ୍ରୀଙ୍କ ଚକ୍ଷୁ ଯୁଗଳରୁ ଅନବରତ ଝରିଚାଲିଛି ଲୁହ ଲହୁ ସବୁ ।


-"ଏକ୍ସକ୍ଯୂଜ ମି.. କଣ ହେଇଛି ସାର୍..? ଆପଣମାନେ ଏମିତି କାନ୍ଦୁଛନ୍ତି..?"


ଆଖିର ଲୁହ ପୋଛୁପୁଛୁ ମହାନ୍ତି ବାବୁ କହିଲେ,-" ମୋ ଝିଅ ପାଇଁ AB+ ବ୍ଲଡ ଦରକାର କିନ୍ତୁ ବ୍ଲଡ୍ ବ୍ୟାଙ୍କରେ ବ୍ଲଡ୍ ଷ୍ଟକ୍ ନାହିଁ ।"


-" AB+ ...!? ମୋର ତ ସେଇ ଗ୍ରୁପ.."


ଅନ୍ଧାର ଭିତରେ କିଏ ଅବା ଦୀପ ଶିଖାଟିଏ ଧରି ଠିଆ ହୋଇଥିଲା । ମହାନ୍ତି ବାବୁ ହାତଯୋଡି କହିଲେ,-" ଦୟାକର ବାବୁ ମୋ ଝିଅକୁ ବଞ୍ଚେଇ ଦିଅନ୍ତୁ ।"


-" ଆରେ ଆପଣ ବ୍ୟସ୍ତ ହୁଅନ୍ତୁନି ।ଆସନ୍ତୁ ମୋ ସହିତ ..."


ସତେ ଅବା ମହାନ୍ତି ବାବୁଙ୍କ ହାତଧରି ଭଗବାନ ଟାଣି ନେଉଥିଲେ ଏକ ଭିନ୍ନ ପୃଥିବୀକୁ , ଯେଉଁଠି ଡାକ୍ତର ମାନେ ପୁଣିଥରେ ଦେବତା ପାଲଟି ଯାଉଥିଲେ ।ରକ୍ତ ପରୀକ୍ଷା ପରେ ସାନୁ ପାଇଁ ସେ ପିଲାଟି ରକ୍ତ ଦେଇଥିଲା । ମୃତ୍ୟୁ ସହିତ ସଂଗ୍ରାମ କରୁକରୁ ସେ ରାତ୍ରି କେମିତି କଟିଗଲା କେହି ଆଉ ହିସାବ ରଖି ନଥିଲେ । ସେ ଦେବଦୂତ କିଏ ଥିଲା..!? ତାର ଖବର ମଧ୍ୟ କାହା ପାଖରେ ନଥିଲା ।


ଅନ୍ଧକାର ରାତ୍ରିର ଅବସାନ ପରେ ସାନୁ ଜୀବନରେ ନୂଆ ଏକ ସୂର୍ଯ୍ୟୋଦୟ ହେଲା । ସେ ତାଙ୍କ ବାପାଙ୍କ ପାଖରୁ ବିଗତ ରାତ୍ରିର ସମସ୍ତ ଘଟଣା ଶୁଣିସାରିଥିଲା । ସେ ଜାଣେନା ତା ଜୀବନ ଫେରି ପାଇବାର ମୂଖ୍ୟ ଭୂମିକା ନିର୍ବାହ କରୁଥିବା ସେ ମୂଖ୍ୟ ନାୟକ ଜଣକ କିଏ..? କିନ୍ତୁ ତାଙ୍କ ପାଇଁ ହୃଦୟ ଭିତରେ ଆନ୍ଦୋଳିତ ହେଉଥିଲା ଅନେକ କିଛି ଭାବନା ଅନେକ କିଛି ପରିକଳ୍ପନା । ଡାକ୍ତରଖାନା ବଗିଚାର ଫୁଲ ସବୁ ଏବେ ସତେଜ୍ ଲାଗିଲେଣି ,ଲାଲ୍ ଗୋଲାପ ସବୁ ଆହୁରି ରକ୍ତବର୍ଣ ହୋଇ ଉଠୁଛନ୍ତି, ପ୍ରଜାପତି ଅଳସ ଡେଣା ଝାଡି ରଙ୍ଗ ମାଖିବା ଆରମ୍ଭ କଲେଣି । ହେଲେ କିଏ ସେ ଜୀବନ୍ତ ଈଶ୍ବର ଯିଏ ଏଯାଏଁ ଫେରିଲେନି..!? ସାନୁ ଖୁବ୍ ବ୍ୟାକୁଳ ହୋଇ ଆଖି ନଜର ଫିଙ୍ଗି ଖୋଜି ଚାଲିଥାଏ ସେ ଦେବଦୂତ ଜଣକୁ । ସାନୁର ମନ-ପ୍ରାଣ-ହୃଦୟ ସବୁ ବ୍ୟାକୁଳ ହୋଇ ଉଠିଲା ସେ ମହାନ ପୁରୁଷଙ୍କ ଦର୍ଶନ ନିମନ୍ତେ । ସେ ଦେବତାଙ୍କ ପାଦଧୂଳି ଟିକିଏ ପାଇବାକୁ ସେ ଅଧୀର ହୋଇ ଉଠିଲା ହେଲେ କାହା ପାଖରେ ବି ତାଙ୍କ ଠିକଣା ନଥିଲା । ବହୁତ ଖୋଜାଖୋଜି ପରେ ସେମାନେ ସେ ପିଲାଟିର ପରିଚୟ ପାଇଲେ । ଯିଏକି ଜଣେ ମେଡିକାଲ କଲେଜର ଛାତ୍ରଥିଲା ।ପ୍ରତ୍ୟେକ ଦିନ କିଛି ପ୍ରାକ୍ଟିକାଲ ପାଇଁ ସେମାନେ ଏ ଡାକ୍ତରଖାନାକୁ ଆସନ୍ତି ।ଏବେ ସମସ୍ତଙ୍କ ପ୍ରାଣକୁ ଟିକିଏ ଆସ୍ୱସ୍ତି ମିଳିଲା । ସମସ୍ତେ ଅପେକ୍ଷା କରି ଚାହିଁ ରହିଥିଲେ ସେ ପିଲାଟିର ଫେରିବା ବାଟକୁ । କିନ୍ତୁ ସାନୁ ଟିକିଏ ଅଧିକ ବ୍ୟାକୁଳ ଥିଲା ସେ ଦେବତାଙ୍କ ଦର୍ଶନ ନିମନ୍ତେ ।


ସକାଳ ବଢି ମଧ୍ୟାହ୍ନ ଆସିଲା ,ମଧ୍ୟାହ୍ନ ଯାଇ ସଂଧ୍ୟା ଉପନୀତ ତଥାପି ସେ ଆସିଲାନି । ତେବେ କଣ ତା ମନର ମଣିଷ ଆଉ ଫେରିବେନି..!?? ନା ନା ସେମିତି ହୋଇପାରେନା ...! ଭଗବାନ କେବେ ଏତେ ନିଷ୍ଠୁର ହେବେନି । ବହୁତ କଷ୍ଟରେ କଟୁଥିଲା ଦିନର ପ୍ରତ୍ୟେକଟି ସେକେଣ୍ଡ । ଗୋଟିଏ ଗୋଟିଏ ମିନିଟ୍ ଗୋଟିଏ ଗୋଟିଏ ଯୁଗଠାରୁ ବଡ ହେଇ ଯାଉଥିଲା । କାହାକୁ ଅପେକ୍ଷା କରିବା କେତେ ଯେ ଯନ୍ତ୍ରଣା ଦାୟକ ତାହା ଅବର୍ଣ୍ଣନନୀୟ । ବାରମ୍ବାର କାନ୍ଥ ଘଣ୍ଟାକୁ ଅନେଇ ଅନେଇ ସେ ଭାବୁ ଥାଏ ସେ କଣ ଏଇନା ଆସିବେ..? ନା ନା ବୋଧହୁଏ ଟିକିଏ ପରେ ଆସିବେ ..। ଏମିତି ଅନେକ କଥା ଭାବି ଭାବି ଡାକ୍ତରଖାନା ରୋଗୀ ୱାର୍ଡର ଫାଟକ ଆଡକୁ ଅପଲକେ ଚାହିଁ ରହିଥିଲା ସାନୁ । ସଂଧ୍ୟା ଆଠଟା ପାଖାପାଖି ସମୟରେ ଜଣେ ଯୁବକ ହାତରେ ପଲିଥିନ୍ ଭର୍ତ୍ତି କିଛି ଫଳ ନେଇ ସାନୁର ବେଡ୍ ପାଖରେ ଆସି ଠିଆ ହେଲା । ହାଲକା ହସ ହସ ମୁହଁରେ ସେ ପଚାରିଲା,-" ଏବେ ଆପଣ କେମିତି ଅଛନ୍ତି ..? ଟିକିଏ ଭଲ ଲାଗୁଛି ତ..?"


ସାନୁ କିନ୍ତୁ କାହା ପ୍ରଶ୍ନର ଉତ୍ତର ଦେବା ପରିସ୍ଥିତିରେ ନଥିଲା , ସେ କେବଳ ଚାହିଁ ରହିଥିଲା ତାର ମନର ମଣିଷ ଜୀବନ୍ତ ଈଶ୍ବର ଜଣକୁ । ସେତେବେଳେ ମହାନ୍ତି ବାବୁ ଆସି କହିଲେ ,-"ଆରେ ଆପଣ କାଲି କିଛି ନକହି ଚାଲିଗଲେ ଆମେ ଆପଣଙ୍କୁ କେତେ ଖୋଜିଲୁ ହେଲେ ପାଇଲୁନି ।"


,-"ଦେଖନ୍ତୁ ମଉଷା ଆପଣ ମୋ ବାପାଙ୍କ ବୟସର ତେଣୁ ଆପଣ ମୋତେ ଆପଣ କୁହନ୍ତୁନି ।ମୋତେ ଆପଣ ମଣ୍ଟୁ ଡାକିଲେ ମୁଁ ଖୁସି ହେବି । ଆଉ ଗତକାଲି ଟିକିଏ ବିଳମ୍ବ ହୋଇଗଲା ତ ତେଣୁ ଆପଣଙ୍କୁ ନ ଜଣାଇ ସାଙ୍ଗ ମାନଙ୍କ ସହିତ ଚାଲିଗଲି ।ଏବେ ତାଙ୍କ ଦେହ କେମିତି ଅଛି..?"


-"ହଁ ଆଗ ଅପେକ୍ଷା ଟିକିଏ ଭଲ.."


ସାନୁ ଓଠ ଖୋଲି କୃତଜ୍ଞତା ଜ୍ଞାପନ କରିପାରୁ ନଥିଲା ,ସେ କେବଳ ଆଖିରେ ଆଖିରେ କୃତଜ୍ଞତା ସ୍ୱରୂପ ଝରାଇ ଚାଲିଥିଲା ଆସୁମାରି ଲୁହ । ସେ ଲୁହ ମଣ୍ଟୁଭାଇଙ୍କୁ ପାଇବା ଖୁସିର ଥିଲା ନା ତାଙ୍କୁ ଚିହ୍ନି ନପାରିବା ଦୁଃଖର ଥିଲା..?ସେକଥା ସେ ଜାଣେନା । ସତରେ ବଡ ବିଚିତ୍ର ଏ ମଣିଷ ଜୀବନ । ଯେଉଁ ମଣିଷର ଦର୍ଶନ ପାଇଁ ମନ ପ୍ରାଣ ବ୍ଯାକୁଳ ହୋଇ ଅପେକ୍ଷା କରିଥିଲା ସେ ମଣିଷଟି ଆଖି ସାମ୍ନାରେ ଅଥଚ ଏ ଅନ୍ଧୁଣୀ ଆଖି ତାକୁ ଚିହ୍ନି ପାରୁନି । କିଛି କହିବାର ନଥିଲା ତାଙ୍କ ପାଖରେ ସେ ଧନ୍ୟବାଦ ଦେବ ନା ଲଜ୍ଜିତ ହେବ..? ସେ ଅପଲକେ ଚାହିଁ ରହିଥିଲା ସେ ଜୀବନ୍ତ ଦେବଦୂତ ଜଣକୁ । ସେଦିନ ମଣ୍ଟୁ ନିଜ ପରିବାର ନିଜ ପଢାପଢି ଏମିତି ଅନେକ କଥାବାର୍ତ୍ତା ଭିତରେ ଅନେକ ରାତି ଯାଏଁ ସେ ମେଡିକାଲରେ କଟେଇ ଦେଲା । ତାପରେ ପରେ ଅନ୍ୟ ତିନି ଦିନ ମଧ୍ୟ ମଣ୍ଟୁ ମେଡିକାଲରେ ସାନୁ ସହିତ ଘନିଷ୍ଠତା ଭିତରେ କିପରି ସମୟ କଟିଗଲା ଜାଣେନା । ହୁଏତ ସେଇ ତିନି ଦିନ ସମୟ ହିଁ ସାନୁ' ଜୀବନର ଚିରସ୍ମରଣୀୟ ସମୟ ଥିଲା ଆଉ ମଣ୍ଟୁ ଜୀବନର ଅଲିଭା ସ୍ମୃତି । ମେଡିକାଲରୁ ଡିସ୍ଚାର୍ଜ ହେବା ପରେ ସାନୁ ଖୁବ୍ ଅନୁରୋଧ କରିବାରୁ ତାଙ୍କ ସହିତ ମଣ୍ଟୁ ମଧ୍ୟ ତାଙ୍କ ଘରକୁ ଆସିଥିଲା । ଘରେ ପହଞ୍ଚିବା ପରେ ମଣ୍ଟୁର ଅତିଥି ସତ୍କାର ଟିକିଏ ବି ଉଣା କରାଯାଇ ନଥିଲା । ଘରେ ଚାକର ପୂଜାରୀ ସବୁ ପୁରିଛନ୍ତି । କେମିତି ରହିବେନି ଯେ ଏ ସହରର ବିଶିଷ୍ଟ ଶିଳ୍ପପତି ରମାକାନ୍ତ ମହାନ୍ତିଙ୍କ ରାଜମହଲ ଟି । ତା ପର ଠାରୁ ମଣ୍ଟୁ ମହାନ୍ତି ବାବୁଙ୍କ ପରିବାରର ଜଣେ ସଦସ୍ୟ ପାଲଟିଯାଇଥିଲା ।ପର୍ବ-ପର୍ବାଣି-ପୂଜା-ପାଠ ସବୁଥିରେ ମଣ୍ଟୁର ଉପସ୍ଥିତି ଲୋଡାପଡେ ।


ୟା ଭିତରେ ଚାରି ବର୍ଷ ବିତି ଗଲାଣି ।ସାନୁ ଏବେ +3 ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗର ଛାତ୍ରୀ । ମଣ୍ଟୁ ମଧ୍ୟ ଧରାଧରି କରି ଏଇ ସହରରେ ହିଁ ନିଜର ପୋଷ୍ଟିଂ କରେଇ ନେଇଛି । ପ୍ରତ୍ୟେକ ଦିନ କଲେଜ ଯିବା ସମୟରେ ମେଡିକାଲ ପାଖରେ ସାନୁର ସ୍କୁଟି ଟି ଆପେ ଆପେ ଅଟକିଯାଏ । ଯେଯାଏଁ ମଣ୍ଟୁ ଭାଇଙ୍କ ଦେଖା ନ ମିଳିଛି ସେଯାଏଁ କଲେଜ ଯିବା ମନା । ମଣ୍ଟୁ ଭାଇ ପାଖରେ ଯେମିତି ତା ମନ-ହୃଦୟ-ପ୍ରାଣ ସବୁ ବନ୍ଧା ପଡିଯାଇଛି । ତାଙ୍କୁ ଦିନେ ନଦେଖିଲେ ସାନୁର ଦିନ ବିତେନି କି ରାତି କଟେନି । ମଣ୍ଟୁ ଭାଇ ମନରେ କଣ ଅଛି ସେକଥା କିନ୍ତୁ ସାନୁ ଜାଣେନା । ସବୁବେଳେ କହୁଥିବେ ମନ ଲଗେଇ ପାଠ ପଢୁଥିବ, ଦୃଷ୍ଟାମି କରିବନି,ଅନ୍ୟ ମନସ୍କ ହେବନି ,ସମୟ ନଷ୍ଟ କରିବନି । କିନ୍ତୁ କେବେହେଲେ ଏସବୁ କଥା ଛାଡି ଅଲଗା କିଛି କହିବେନି । ଯେମିତି କି ନୂଆ ଏକ ଦୁନିଆ ,ଯେଉଁଠି କେବଳ ମଣ୍ଟୁ ଭାଇ ଆଉ ମୁଁ । ଆମ ଦୁହିଁଙ୍କୁ ଛାଡିଦେଲେ ସେ ପୃଥିବୀରେ ଦ୍ୱିତୀୟ ମଣିଷ କେହି ନଥିବେ । ସେ ଦୁନିଆର ଫୁଲ ସବୁ ଆକାଶରୁ ଝରୁଥିବ , ଝରଣା ସବୁ ମଧୂର ସଂଗୀତ ଗାଉଥିବେ, ପକ୍ଷୀ ମାନେ କେବଳ ସୁମଧୁର ମୂର୍ଚ୍ଛନା ତୋଳୁଥିବେ , ଫୁଲ ସବୁ ଭ୍ରମରକୁ ଡାକି କହୁଥିବେ ଏ ଫୁଲରେ ମଧୂ ଅଛି ଯା ନେଇଯା , ଏମିତି ଅନେକ କିଛି । ହେଲେ ନା... କେବେ ବି ସେମିତି କିଛି କହିବେନି ।


ସାନୁ ସେବେଠାରୁ ତାଙ୍କୁହିଁ ମନର ମଣିଷ ବୋଲି ଗ୍ରହଣ କରି ସାରିଥିଲା ଯେବେ ସେ ଆଖି ନଖୋଲି ମଧ୍ୟ ନିଜ ଶିରା ପ୍ରଶିରାରେ ମଣ୍ଟୁ ଭାଇଙ୍କ ରକ୍ତକୁ ସ୍ଥାନ ଦେଇ ସାରିଥିଲା । ମୃତ୍ୟୁ ସହିତ ସଂଘର୍ଷ ମୟ ରାତ୍ରର ଅନ୍ତିମ ପ୍ରହର ହିଁ ପ୍ରଥମ ପ୍ରେମର ମୁକସାକ୍ଷୀ । ପରେ ପରେ ଯଦିଓ ମଣ୍ଟୁ ମଧ୍ୟ ସାନୁକୁ ଭଲପାଇ ବସିଥିଲା କିନ୍ତୁ ସେ କେବେ ଓଠ ଖୋଲି ବ୍ୟକ୍ତ କରିନଥିଲା ତାର ଅବ୍ୟକ୍ତ ଆବେଗକୁ । କାରଣ ତା' ପାଖରେ ମହାନ୍ତି ମଉଷାଙ୍କ ସ୍ନେହ ଭଲପାଇବା ଆଗରେ ନିଜ ପ୍ରେମ ଟିକକ ନିହାତି ଅନାବଶ୍ୟକ ଲାଗୁଥିଲା । ନିଜ ଖୁସି ପାଇଁ ସେ କେବେବି ତାଙ୍କ ବିଶ୍ୱାସରେ ବିଷ ଦେବାକୁ ଚାହୁଁ ନଥିଲା । ତାଙ୍କ ପରିବାରର ଖୁସି ପାଇଁ ସେ ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିଲା ତେବେ ଏ ପ୍ରେମ କଣ ତା ଠାରୁ ବଡ.. !? ସେ ସବୁଦିନ ସାନୁକୁ ଦେଖି ମୁରୁକି ହସିଦିଏ ହେଲେ କେବେମଧ୍ୟ ପ୍ରେମ ପରିପ୍ରକାଶ କରେନି । କିନ୍ତୁ ପ୍ରେମ କି କେବେ ଲୁଚିରହେ..!? ସାନୁ ସବୁକିଛି ଜାଣି ମଧ୍ୟ ଅଜଣା ରହେ କାହିଁକିନା ସେ ଚାହୁଁ ନଥିଲା ମଣ୍ଟୁ ଭାଇଙ୍କ ନଜରରେ ସେ ଛୋଟ ହେଇଯାଉ । ଯଦି ମଣ୍ଟୁ ଭାଇ ତାକୁ ପ୍ରେମ କରୁ ନଥିବେ..? ତେବେ ସେ କଣ ଆଉ ମୁହଁ ଦେଖେଇ ପାରିବ... !?


ଏମିତି ଅନେକ କଥା ଭାବି ଭାବି ଦିନ ବିତି ଚାଲିଥାଏ । ୟା ଭିତରେ ସାନୁର ବାହାଘର ଅନ୍ୟତ୍ର ଠିକ୍ ହେଇଗଲା । ସାନୁ ବାପାଙ୍କୁ ଅଳି କରି କହିଲା କି ମଣ୍ଟୁ ଭାଇଙ୍କ ସମ୍ମତି ଟିକିଏ ନେଲେ ଭଲହୁଅନ୍ତା । ତାର ଉଦ୍ଦେଶ୍ୟ ଅଲଗା ଥିଲା କାଳେ ମଣ୍ଟୁ ଭାଇ ଏ ବାହାଘର ପାଇଁ ଅରାଜି ହେବେ କିନ୍ତୁ ଦୁଃଖର ବିଷୟ ସେ ଚୁପ୍ ଚାପ୍ ସମ୍ମତି ଦେଇଦେଲେ । ବାହାଘର ଠିକ୍ ତିଥିରେ ସ୍ଥିରୀକୃତ ହେଲା ।


ସେଦିନ ଠାରୁ ଅନେକ ଥର ସାନୁ ମଣ୍ଟୁ ଭାଇଙ୍କ ସହିତ କଥା ହେବାକୁ ଚେଷ୍ଟା କରିଛି କିନ୍ତୁ ସବୁଥର ମଣ୍ଟୁ ଭାଇ ବାଟଭାଙ୍ଗି ଚାଲି ଯାଇଛି । ସମୟ ବଢିପାଣି ପରି ଗଡି ଚାଲିଲା । ବାହାଘର ଦିନ ମଣ୍ଟୁ ଉପସ୍ଥିତ ରହି ସବୁ କାମ ଠିକ୍ ଠାକ୍ ତୁଲେଇ ଥିଲା । କିନ୍ତୁ ସଂଧ୍ୟା ସମୟ ଠାରୁ ତାକୁ ଆଉ କେହି ଦେଖିବାକୁ ପାଇନଥିଲେ । ସାନୁ ବାରମ୍ବାର ତାଙ୍କ ମୋବାଇଲ ନମ୍ବରକୁ ଫୋନ କରିଥିଲେ ମଧ୍ୟ ଫୋନ୍ ଟି ଲାଗିନଥିଲା । ସାନୁ ତା ରୁମ୍ ରେ ବସିଥାଏ । ମେକପ ପାଇଁ ଆସିଥିବା ଝିଅମାନେ ତାକୁ ସଜବାଜ କରିଦେଲେ । କଣ୍ଢେଇ କନିଆଁ ଟିଏ ପରି ଅତି ସୁନ୍ଦର ଦିଶୁଥାଏ ସେ । ଦେହ ସିନା ପଡିରହିଥିଲା ସେ କୋଠରୀ ଭିତରେ ହେଲେ ମନ ତ ମଣ୍ଟୁ ଭାଇଙ୍କ ପାଖରେ । ସାଙ୍ଗ ଝିଅମାନେ ଆସି କହିଲେଣି କି ବର ଆସି ଗାଁ ମୁଣ୍ଡରେ ପହଞ୍ଚିଲାଣି । ଏବେ ବାଜା ବାଣ ରୋଷଣି ଆରମ୍ଭ ହେବାକୁ ଯାଉଛି । ସବୁ ସାଙ୍ଗ ମାନେ ନାଚ ଗୀତ ଦେଖିବାକୁ ସାନୁକୁ ଏକା ଛାଡି ଦେଇ ଚାଲିଗଲେ । ସାନୁ ଅଶ୍ରୁଝରା ନୟନରେ ଠାକୁରଙ୍କୁ ଡାକୁଥାଏ ,-" ହେ ଈଶ୍ବର , କେବଳ ଥରୁଟିଏ ମୋ ମଣ୍ଟୁ ଭାଇଙ୍କ ସହିତ କଥା ହେବାକୁ ଦିଅ ।"

ହଠାତ୍ ସାନୁର ଫୋନ ରିଙ୍ଗ ହେଲା , "ଏଁ ମଣ୍ଟୁ ଭାଇ ।" ଫୋନ୍ ରିସିଭ୍ କରୁକରୁ ସେପଟୁ ମଣ୍ଟୁ କହିଲା ,-" ହ୍ୟାଲୋ ସାନୁ.. ମୁଁ ଗୋଟିଏ ଅରଜେଣ୍ଟ କାମରେ ମେଡିକାଲ ଚାଲି ଆସିଲି ଏବେ ଯାଇ ପାରିବିନି ,କାଲି ସକାଳେ ଯିବି ହେଲା । ତୁମେ ମନ ଦୁଃଖ କରିବନି.. "

ଭୋ ଭୋ କାନ୍ଦି ଉଠିଥିଲା ସାନୁ -" ପ୍ଲିଜ୍ ମଣ୍ଟୁ ଭାଇ , ମୁଁ ଆଉ କାହାକୁ ବାହା ହେଇ ପାରିବିନି । ତୁମେ ମୋତେ ନେଇଯାଅ । ତୁମେ ଦୁଃଖର ହଳାହଳ ବିଷ ପିଇ ନୀଳକଣ୍ଠ ସାଜିପାର କିନ୍ତୁ ମୁଁ ତୁମ ବିନା ବଞ୍ଚି ପାରିବିନି । ମୁଁ ତୁମକୁ ବହୁତ ଭଲପାଏ ମଣ୍ଟୁ ଭାଇ । ମୁଁ ଗୋଟିଏ ମୁହୂର୍ତ୍ତ ମଧ୍ୟ ତୁମକୁ ଛାଡି ରହି ପାରିବିନି ।ମୁଁ ଗୋଟିଏ ନାରୀ , ମୁଁ କେବେ ଅଭିନୟ କରି ଆଉ କାହାର ସ୍ତ୍ରୀ ହୋଇ ପାରିବିନି ମଣ୍ଟୁ ଭାଇ । ମୁଁ ତୁମକୁ ମୋ ସ୍ବାମୀ ରୂପେ ଗ୍ରହଣ କରି ସାରିଛି । ଅଧଘଣ୍ଟା ଭିତରେ ଯଦି ତୁମେ ମୋତେ ନେଇନଯାଅ ଦେଖିବ ମୋର କଣ ହେବ ..?"

ଏତକ କହି ସେ ଫୋନ କାଟିଦେଇ ସୁଇଚ ଅଫ୍ କରିଦେଇଥିଲା ।


- "ହ୍ୟାଲୋ ..ହ୍ୟାଲୋ.. ସାନୁ ??"


ସେଦିନ ବହୁତ ଚେଷ୍ଟା ପରେ ମଧ୍ୟ ସାନୁ ସହିତ ମଣ୍ଟୁର ଯୋଗାଯୋଗ ହୋଇପାରି ନଥିଲା । ସାନୁ ମଧ୍ୟ ଅପେକ୍ଷା କରି କରି ମଣ୍ଟୁ ଭାଇଙ୍କୁ ପାଇ ନଥିଲା । ବାହାଘର ଠିକ୍ ସମୟରେ ସମ୍ପୂର୍ଣ୍ଣ ହେଲା ।


ଗୋଟିଏ ଦିନ ପରେ ଶାଶୁଘରେ ସାନୁ ଡ୍ରେସିଂ ଆଗରେ ବସି ଓଦା କେଶ ସଜାଡି ସିନ୍ଦୁର ଲଗାଇବା ପାଇଁ ସିନ୍ଦୁର ଫରୁଆଟି ହାତରେ ଉଠେଇବା ସମୟରେ ଅସାବଧନତା ଯୋଗୁଁ ଫରୁଆଟି ହାତରୁ ଖସିଗଲା । ସିନ୍ଦୁର ସବୁ ଚଟାଣ ଉପରେ ବିଞ୍ଚିହେଇ ରକ୍ତବର୍ଣ୍ଣ ଦିଶୁଥାଏ । ସେ ଇତସ୍ତତଃ ହୋଇ ସଫା କରିବାକୁ ଯାଉଯାଉ ତାଙ୍କ ସ୍ୱାମୀ ଆକାଶ କହିଲେ,-" ଥାଉ ବ୍ୟସ୍ତ ହୁଅନି ମୁଁ ମାଳତିକୁ କହି ଦେଉଛି ସେ ସଫା କରିଦେବ ।"


ହଠାତ୍ ଫୋନ ରିଙ୍ଗ ହେବାରୁ ସାନୁ ଯାଇ ଦେଖେତ ତାଙ୍କ ବାପା କଲ୍ କରିଛନ୍ତି , ସେ ରିସିଭ୍ କରୁ କରୁ ସେପାଖରୁ ତା' ବାପା କହିଲେ ,-"ଜାଣିଛୁ ମା' ସେଦିନ ରାତିରେ ମଣ୍ଟୁର ରୋଡ ଆକ୍ସିଡେଣ୍ଟ ହୋଇଯାଇଥିଲା , ଗୋଟିଏ ଦିନ ମେଡିକାଲରେ ରହିବା ପରେ ଗଲା ରାତି ତା'ର ଦେହାନ୍ତ ହେଇଗଲା ।" ଏତକ ଶୁଣୁଶୁଣୁ ସାନୁର ପାଦତଳୁ ଯେମିତି ପୃଥିବୀ ଖସିଗଲା ସେ ସଙ୍ଗେ ସଙ୍ଗେ ତାଳଗଛ ପ୍ରାୟ ସେଇଠି ଟଳି ପଡିଥିଲା । କିଛି ସମୟ ପରେ ଯେତେବେଳେ ତାର ଚେତା ଫେରିଲା ସେ ଦେଖିଲା ଏକ ଧୂସର ପୃଥିବୀ ଯେଉଁଠି ତା ପାଖରେ ସମସ୍ତେ ଥିଲେ କିନ୍ତୁ ସେଇ ଆପଣାର ମଣିଷ ଜଣକର ଅନୁପସ୍ଥିତି ପାଇଁ କେହି ନଥିବା ପରି ଲାଗୁଥିଲା । ଏବେବି ତା ସିନ୍ଥିରେ ସିନ୍ଦୁର ଗାରଟି ଲାଗିନଥିଲା । ପରିବାର ଲୋକ ବୁଝେଇଦେଲେ ସେ ତ ତାଙ୍କ ପରିବାରର ନଥିଲା ସେ ଗୋଟିଏ ବାହାର ପିଲା ତା ପାଇଁ ଏତେ ବ୍ୟସ୍ତ ହେଲେ ଚଳିବ ..? ଇଏ ପରା ସଂସାର ... ସେସବୁ ଭୁଲିଯା' ମା'..।


ସାନୁକୁ ପୁଣି ସୁନ୍ଦର ଭାବରେ ସଜେଇ ଦେଲେ । କାରଣ ସେଦିନ ଥିଲା ତାଙ୍କର ରିସିପସନ୍ ଡେ ..। କିନ୍ତୁ ସାନୁ ମନ ଭିତରେ ଝୁରି ହେଉଥିଲା ମଣ୍ଟୁ ଭାଇଙ୍କୁ । ଯେମିତି ଏକ ଘନ ଅନ୍ଧକାର ରାତିରେ ଚୁପ୍ ଚାପ୍ ତା' ପ୍ରାଣ ଭିତରକୁ ଧସେଇ ପସିଆସିଲେ ଆଜି ଠିକ୍ ସେମିତି ତା' ଦୁନିଆରୁ ଚୁପ୍ ଚାପ୍ ବାହାରି ଚାଲିଗଲେ । ହେଲେ ସାନୁ କଣ ଫିଙ୍ଗି ପାରିବି ସେ ପ୍ରେମର ଅଲିଭା ସନ୍ତକ...!? ତେବେ ସାନୁ ବିଧବା ନା ସଧବା ...!? ସାନୁ ପାଇଁ ପ୍ରେମର ସଜ୍ଞା କଣ ହୋଇପାରେ..!? ଆଉ ବିବାହର ମାନେ କଣ..!? ହୁଏତ ତା ପ୍ରଶ୍ନର ଉତ୍ତର ପ୍ରଶ୍ନବାଚୀ , ଅବା ସେବେଳେ ସାନୁ ହୃଦୟ ପ୍ରଶ୍ନର ଉତ୍ତର ଏ ପୃଥିବୀ ପାଖରେ ବୋଧହୁଏ ନଥିଲା..।



Rate this content
Log in

Similar oriya story from Tragedy