ଭୟଙ୍କର ବ୍ୟାଧି
ଭୟଙ୍କର ବ୍ୟାଧି
ଆଜି ସୀମା ର ଆଖିରୁ ଲୁହ ଗଡିବା ଛଡା ଆଉକିଛି ଉପାୟ ନାହିଁ।ଘରକୁ ଯିବାର ସବୁରାସ୍ତା ବନ୍ଦ କରିଦେଇଛି ସେ ନିଜେ।ନିଜ ପର୍ସରେ ଥିବା ସେହି ଶୁଖିଲା ଗୋଲାପ ପାଖୁଡା ହିଁ ତାର ସାଥି।ଦିନ ରାତି ସେହି ପାଖୁଡାରେ ହିଁ ଦୃଷ୍ଟିନିରେଖି ବସିରହିଛି ଓ ସେହି ବିଶ୍ୱ ନିୟନ୍ତାଙ୍କ ପାଖରେ ନିଜର ଗୁହାରୀ ଜଣାଉଛି ଓ ପ୍ରଶ୍ନର ବାଣରେ କ୍ଷତାକ୍ତ କରି ଦେଉଛି।
ଆଜିକୁ ସାତଦିନ ହେବ ଅମନ ଚାଲିଗଲାଣି କେଉଁ ଏକ ଅଜଣା ରାଇଜକୁ ଯେଉଁ ଠାରୁ କେବେ କେହି ଫେରିବାର ଦେଖାଯାଇନାହିଁ।
କଣ ଥିଲା ତାର ଭୂଲ ,
କଣ ଭଲ ପାଇବାଟା ଏତେ ଭୂଲ।
ତାର ପରିଣାମ କଣ ଏହା। ନା ଏପରି ହୋଇପାରେନା।ଇଛା ହେଉଥିଲା ତାର ସୃଷ୍ଟିକୁ ବଦଳେଇ ଦିଅନ୍ତାକି।ସମୟକୁ ପୁଣି ଫେରାଇ ଆଣି ପାରନ୍ତାକି।ତାହେଲେ ସେ ମଧ୍ୟ ଅମନ ସହ ଆରପାରିକୁ ହାତରେ ହାତଦେଇ ଚାଲି ଯାଇଥାନ୍ତା।ବର୍ତ୍ତମାନ ଏ ସମାଜର କୁଚକ୍ରୀ ଦୃଷ୍ଟିରୁ ରକ୍ଷା ପାଇଯାଇଥାନ୍ତା।ଏତିକି ଆତ୍ମସନ୍ତୋଷ ଥାନ୍ତା କି ଯାହା ସହ ସେ ସମ୍ପର୍କ ବାନ୍ଧି ଥିଲା ଇହ କାଳ ଓ ପର କାଳ ପାଇଁ ତା ସହ ସେ ଅଛି।ନିଜ ପ୍ରେମର ପରିସ୍ଫୁଟନ ଏକ ସଙ୍ଗେ କରିଥାନ୍ତା।ମାତ୍ର ଏ କଣ ହୋଇଗଲା। ଏହା ଭାବି କାନ୍ଦି କାନ୍ଦି ଅଭିଯୋଗ କରୁଥାଏ ସେହି ଶୁଖିଲା ଗୋଲାପକୁ ଅମନ ଭାବି।
ତୁମେ ତ କଥା ଦେଇଥିଲ ସାରା ଜୀବନ ସାଥିରେ ରହିବ ।ସୁଖ ଦୁଃଖ ସବୁକୁ ଏକ ସଙ୍ଗେ ନିଭେଇବ।ଆମ ପ୍ରେମର ପ୍ରତୀକ କୁ ଧରାପୃଷ୍ଠକୁ ଆମେ ଏକ ସଙ୍ଗେ ସ୍ୱାଗତ କରିବା।ମାତ୍ର ଏକଣ କଲ।
ଏ ଭୟଙ୍କର ବ୍ୟାଧି ତୁୁୁମକୁ ମୋ ଠାରୁ ଛଡେଇ ନେଲା। ତୁମେ ମତେ ଏକା ଛାଡି ଚାଲାଗଲ।କେମିତି ବଞ୍ଚିରହିବି ଏ ଦୁନିଆରେ ତୁମ ବିନା।କାହାକୁ ପାଥେୟ କରିବି।ଆମ ପ୍ରେମର ସନ୍ତକକୁ କେମିତି ଦୁନିଆର ଝଡ ଝଞ୍ଜାରୁ ବଞ୍ଚେଇବି।ଏମିତି ଅନେକ ପ୍ରଶ୍ନ ସହ ଅସୁମାରୀ ଲୁହ।
ମନ୍ଥନ କରୁଥାଏ ସେହି ପ୍ରଥମ ଦେଖା।ଅମନ ସହ ଦେଖାହେଲା ମେଡିକାଲ କଲେଜର ଲ୍ୟାବରେ।ଉଭୟେ ଶେଷ ବର୍ଷର ଛାତ୍ର ଛାତ୍ରୀ।କିଛି ଦିନ ହେବ ଉଭୟଙ୍କ ଆଖିରେ ଆଖି ପଡୁପଡୁ ଦୂରତା ଆସି ଯାଉଥାଏ।ମାତ୍ର ସେଦିନ ମନ ଓ ଧ୍ୟାନ ହିଁ ଏକ ଥିଲା।ଉଭୟେ ଉଭୟଙ୍କ ସହ କଥା ହେବା ଆରମ୍ଭ।କଲେ।କେତେବେଳେ ଯେ ଉଭୟଙ୍କ ଭିତରେ ଭଲପାଇବାର ସେ ବୀଜଟି ରୋପଣ ହୋଇସାରିଥାଏ ସେମାନେ ଜାଣି ନଥାନ୍ତି।ଏହିପରି ଛ ମାସ ବିତିଗଲା।ପ୍ରତ୍ୟକ ଦିନ ଉଭୟେ କିଛି ସମୟ କାଟନ୍ତି କଲେଜ ପରିସରରେ ପୁଣି ଘରକୁ ଫେରନ୍ତି ଏକ ନୂତନ ସକାଳର ଅପେକ୍ଷା କରି।
ସମୟ ସରିଗଲା।ଏବେ ଆରମ୍ଭ ହେବ ପ୍ରକୃତରେ ପାଠକୁ କାର୍ଯ୍ୟକାରୀ କରିବାର ସମୟ।ସମସ୍ତଙ୍କ ମନରେ କୋକୁଆ ଭୟ କରୋନାକୁ ନେଇ।ଯାହା ଶୁଣିବାକୁ ମିଳିଲା ସମସ୍ତ ନୂତନକରି ଉତ୍ତୀର୍ଣ୍ଣ ହୋଇଥିବା ପିଲାଙ୍କୁ କୋଭିଡ ଡ୍ୟୁଟିରେ ପକାଯିବ। ସୀମା ଓ ଅମନ ମଧ୍ୟ ବିବ୍ରତ ହେଲେ।ମାତ୍ର ଏତିକି ଆଶ୍ୱାସନା ଉଭୟେ ଦେଲେ ଯେ ଯେଉଁଠି ରହିବେ ପାଖରେ ରହିବେ।ସତକୁ ସତ ତାହାହିଁ ହେଲା।ଉଭୟଙ୍କ ଡ୍ୟୁଟି ଗୋଟିଏ ସ୍ଥାନରେ ପଡିଲା ।ନୂଆ କାର୍ଯ୍ୟ ତାହା ପୁଣି ବିପଦ ସଙ୍କୁଳ।ମାତ୍ର ଉଭୟଙ୍କ ପ୍ରେମ ଉଭୟଙ୍କୁ ସମ୍ଭାଳିବାକୁ ଯଥେଷ୍ଟ ଥିଲା।ଚାକିରୀର ପ୍ରଥମ ଦିନ ।ଅମନ ସଦ୍ୟ ପ୍ରସ୍ଫୁଟିତ ନାଲି ଗୋଲାପ ଧରି ଆସି ପହଞ୍ଚିଲା ସୀମା ପାଖରେ।ଫୁଲ ଦେଖି ଖୁସିରେ ଆତ୍ମହରା ହୋଇଗଲା ସୀମା।ସେହିଦିନ ହିଁ ପ୍ରକୃତ ପ୍ରେମର ଗଣ୍ଠି ପଡିଲା।
ସମୟ ଗଡି ଚାଲାଲା।ନିଜ ନିଜର ଅନୁଭୂତି କୁ ବଖାଣିବା ସହ ନିକଟତର ହୋଇ ଆସୁଥିଲେ ଅମନ ଓ ସୀମା। ଭଲ ପାଇବା ଓ ବିଶ୍ୱାସ ର ସବୁ ସୀମା ଲନ୍ଘନ କରି ମତୁଆଲା ଗୋଲାପ ପରି ମତୁଆଲା ହୋଇଯାଇଥିଲେ ଉଭୟେ।ସେ ଭିତରେ କେତେବେଳେ ଗୋଲାପର ପାଖୁଡା ଗୁଡିକ ନିଜ ସ୍ଥାନ ଛାଡିଯାଇଥିଲେ ତାହା ଜଣା ନଥିଲା କାହାକୁ।ପ୍ରେମର ସାତ ରଙ୍ଗରେ ସଜେଇ ହୋଇ ଏକ ନୂତନ ରଙ୍ଗକୁ ଧାରଣ କରିବା ପାଇଁ ଅଗ୍ରସର ଥିଲେ ଅମନ ଓ ସୀମା।
ଇତି ମଧ୍ୟରେ ଡ୍ୟୁଟିର ଛୁଟି ସମୟରେ ଘରକୁ ଯିବା ପାଇଁ ଅନୁମତି ଆଣିଥିଲେ ଉଭୟେ୍।ଉଭୟଙ୍କ ନିବିଡତା ମଧ୍ୟ ବହୁତ ବଢିଯାଇଥାଏ ଏବଂ ସେମାନୃ ବିବାହ ବନ୍ଧନରେ ବାନ୍ଧି ହେବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ।
ଛୁଟି ପଡିଲା।ଦୁହେଁ ଦୁହିଁଙ୍କୁ ବିଦାୟ ଦେଇ ଅଗ୍ରସର ହେଲେ ଆଗିମୀ ସମୟକୁ ସାଥିରେ ନେଇ ଚାଲିବାର ସ୍ୱପ୍ନରେ।ଫୋନ ରେ ଯୋଗାଯୋଗ ହେଉଥାଏ।ଅମନ କଥା ଦେଇଥିଲା ତାଙ୍କ ଘରେ ସବୁ କଥା କହି ଋହି ଛୁଟି ଭିତରୃ ବାହାଘର ତାରିଖ ଠିକ କରିବା ପାଇଁ।
କିଛି ଦିନ ଗଲା। ଏ ଭିତରେ ଦୁଇଦିନ ହେବ ନିଜ କାର୍ଯ୍ୟ ରେ ବ୍ୟସ୍ତ ରହି କେହି କାହା ସହ କଥା ହେଇ ପାରି ନଥାନ୍ତି।
ହଠାତ କଲେଜରୁ ଫୋନ ଆସିଲା ଅମନ ଡାକ୍ତରଖାନାରେ ଆଡମିଶନ ହୋଇଛି ଓ ସେ କରୋନା ପିଡିତ।ଏହା ଶୁଣି ସୀମାର ପାଦତଳୁ ମାଟି ଖସିଲା ପରି ଲାଗିଲା।ସିଧା ସେଠାରୁ ଉଠି ବାହାରିଲା ଡାକ୍ତରଖାନା।ଅଭିମୁଖେ।ସେଠାରେ ଯାଇ ଦେଖେତ ପରିସ୍ଥିତି ଜଟିଳ।ପିପିଇ କିଟ ପିନ୍ଧି ଗଲା ଅମନ ପାଖକୁ ।ଅସ୍ଥିର ମନରେ ଆଶ୍ୱାସନା ଦେଲା ତାକୁ ଏବଂ ତା ଭିତରେ ଏକ ନୂତନ ବୀଜ ଅଙ୍କୁରୋଦଗମ ହେବାର ସୂଚନା ମଧ୍ୟ ଦେଲା।କିଛି ସମୟର ଅକୁହା ଭାବର ଆଦାନ ପ୍ରଦାନ ।ତାପରେ ସବୁ ଶେଷ।ସରିଗଲା ସବୁ।ଅନ୍ଧକାର ହୋଇଗଲା ଚତୁର୍ଦିଗ।ଚାଲିଗଲା ଅମନ।
ସେବେଠାରୁ ଆଜିକୁ ପନ୍ଦର ଦିନ ହେବ ସେହି ହଷ୍ଟେଲ ରୁମରେ ପଡିରହିଛି ସୀମା।ହଠାତ କେହି ଜଣେ ଆସି ଡାକିଲେ।ଆପଣଙ୍କୁ ତଳେ ଖୋଜୁଛନ୍ତି।ତଳକୁ ଯାଇ ଦେଖେତ ତା ବାପା ମାଆଙ୍କ ସହ ଅମନର ବାପା ମାଆ ମଧ୍ୟ ଆସିଛନ୍ତି।
ଏକ ଅଜଣା ଆଶଙ୍କା ରେ ଘେରି ହୋଇଗଲା ସୀମା।କିଛି କହିବା ଆଗରୁ ଅମନ ର ବାପା ମାଆ କହିଲେ ତୋର କିଛି କହିବା ଆବଶ୍ୟକ ନାହିଁ।ଆମେ ସବୁ ଜାଣିଛୁ।ଅମନ ଆମକୁ ସବୁ କହିଥିଲା।ମାତ୍ର ସମୟ ଆମକୁ ପୂରଣ କରିବାକୁ ଦେଲା ନାହିଁ।ସେ ସିନା ନାହିଁ ମାତ୍ର ତାର ସନ୍ତକ ଛାଡି ଯାଇଛି।ତାକୁହିଁ ନେଇ ଆମେ ଆମର ସମୟ କାଟିବୁ।ତୁ ଯଦି ରାଜି ତେବେ ଆମଘରର ଦ୍ୱଆର ସବୁଦିନ ତୋ ପାଇଁ ଖୋଲା ଓ ସ୍ୱାଗତ କରିବ।ଏହା ଶୁଣି ଖୁସିର ସୀମା ରହିଲା ନାହିଁ ସୀମାର।
ମନେ ମନେ ଯାହାକୁ ନିଜର ସ୍ୱାମୀ ରୂପେ ଗ୍ରହଣ କରିଥିଲା ଆଜି ତାରି ପତ୍ନୀ ହୋଇ ତାରି ଘରକୁ ଯିବ ।ଏହା ଭାବି ହୃଦୟଟା ତାର ଫାଟିପଡିଲା ପରି ଲାଗିଲା। ସେଠାରେ ଉପସ୍ଥିତ ସମସ୍ତଙ୍କ ସାନ୍ତ୍ବନା ଓ ଆଶ୍ୱାସନା ରେ ସେ ନିଜକୁ ସମ୍ଭାଳି ଅମନର ସ୍ମୃତିରେ ଆଗାମୀ ଅମନକୁ ସ୍ୱାଗତ କରିବା ପାଇଁ ଦୃଢ ସଂକଳ୍ପ ନେଲା।

