ଭୁଲ୍ କାହାର ? ___________
ଭୁଲ୍ କାହାର ? ___________
ଦୀର୍ଘ ଚାରି ବର୍ଷ ପରେ.......
ଅଦିନିଆ ମେଘ ଆକାଶରେ ଭାସିବୁଲୁଛି । ଠାଏ-ଠାଏ ବାଦଲର ସବାରୀ ସତେ ଯେପରି ବର୍ଷାର ସନ୍ଧାନରେ ବାହାରି ସାରିଛନ୍ତି । ସମୟେ -ସମୟେ ବଜ୍ରପାତର ଭୀଷଣ ଗର୍ଜନ କାନରେ କ୍ଷଣିକଯାଏଁ ଗୁଞ୍ଜରିତ ହେଉଥାଏ । ବର୍ଷାର ଆଗମନ ଦେଖି ପ୍ରାୟତଃ ସମସ୍ତେ ଘରକୁ ଫେରିଯିବାରେ ବ୍ୟସ୍ତ ଥାଆନ୍ତି ।
ଲୋକମାନଙ୍କର ଭିଡ ଆଉ ବ୍ୟସ୍ତତା ଭିତରେ କାହା ଉପରେ କାହାର ନଜର ନଥାଏ । ସମସ୍ତେ ନିଜ-ନିଜର କାମରେ ତତ୍ପର ଥାଆନ୍ତି । ରାସ୍ତାର ଭିଡ ମଝିରେ ଚାଲି ଯାଉଥିବା ଝିଅଟି ହଠାତ୍ କାହାର ଆଘାତରେ ତଳେ ପଡିଯାଏ । ଝିଅଟି ପଡିଯାଇଥିବା ଦେଖି ତାକୁ ଉଠାଇବା ପାଇଁ ସାମ୍ନାରୁ ସାହାଯ୍ୟର ହାତ ବଢାଉଛନ୍ତି ଜଣେ ବ୍ୟକ୍ତି ।
ଝିଅଟି ତଳେ ପଡିଯାଇଥିବାରୁ ତା' ଆଡକୁ ଲମ୍ବି ଆସିଥିବା ସାହାଯ୍ୟର ହାତଟିକୁ ଧରି ସେ ଉଠିବାକୁ ଲାଗେ । ଏବେ ଝିଅଟି ତଳୁ ଉଠି ଛିଡାହୁଏ । ଧନ୍ୟବାଦ ଦେବାପାଇଁ ମୁଣ୍ଡ ଉପରକୁ କରେତ ବ୍ୟକ୍ତି ଜଣକୁ ଦେଖି ତା' ଆଖି ଲୁହ ଛଳଛଳ ହେଇଯାଏ । ଝିଅଟିକୁ ଦେଖି ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ l ବ୍ୟକ୍ତି ଜଣକ କିଛି କହିବା ଆଗରୁ ଝିଅଟି ତାଙ୍କୁ ଅଟକାଇଦିଏ ।
ଝିଅଟି:- ମୁଁ ଯଦି ଜାଣିଥାନ୍ତି ମୋତେ ଦେଇଥିବା ସାହାଯ୍ୟର ହାତଟି ତୁମର ଥିଲା, ବିଶ୍ୱାସ କର ମୁଁ କେବେ ବି ମୋ ହାତ ଦେଇନଥାନ୍ତି ଉଠିବାକୁ । କାହିଁକିନା ମୋ ଅଜାଣତରେ ହେଉ ପଛେ, କିନ୍ତୁ ମୁଁ ପୁଣିଥରେ ଭୁଲ ମଣିଷକୁ ହାତ ଦେଇଦେଲି । ଯୋଉ ଅତୀତକୁ ମୁଁ ଚାରି ବର୍ଷ ପଛରେ ଛାଡି ଆସିଥିଲି, ଆଜି ସେଇ ଅତୀତ ପୁଣି ଥରେ ମୋ ସାମ୍ନାରେ ଗୋଟାଏ ପ୍ରଶ୍ନବାଚୀ ସାଜି ଛିଡା ହୋଇଛି ।
(ଏତିକି କହି ଝିଅଟି ଟିକିଏ ଆଗକୁ ଚାଲିଯାଏ । ବ୍ୟକ୍ତି ଜଣକ ଝିଅଟିକୁ ଅଟକାଇବାକୁ ବହୁତ ପ୍ରୟାସ କରନ୍ତି । ହେଲେ ସେ ଝିଅଟି ! କିଛି ମାନେନି । ବାସ୍ ଚୁପ୍ କରି ଆଗକୁ ମାଡିଚାଲେ)
(ହଠାତ୍ କିଛି ବାଟ ଯିବାପରେ ଝିଅଟି ଅଟକିଯାଏ । ଝିଅଟି ପଛକୁ ଫେରି ବ୍ୟକ୍ତିଜଣଙ୍କୁ ଚାହିଁ ରହେ)
ଏମିତି ଲାଗୁଥାଏ ସତେ ଯେମିତି ଅନେକ ଦିନର ସ୍ମୃତି ଆଜିବି ସେମିତି ମନ ଭିତରେ ସାଇତି ହୋଇ ରହିଯାଇଛି । ଛାତିରେ ଅନେକ ଅଛି, କିନ୍ତୁ ମୁହଁ ଖୋଲି କହିପାରୁନି । ଆପେଆପେ ତା' ମୁହଁ ବନ୍ଦ୍ ହେଇଯାଉଛି । ଏମିତି ମନେହେଉଛି ସେ କିଛି କହିବାକୁ ଚାହୁଁଛି, କିନ୍ତୁ ସାହାସ ପାଉନି । କିମ୍ବା ଏମିତିବି ହେଇପାରେକି ତା' ପାଖରେ କହିବାକୁ କୌଣସି ଭାଷାହିଁ ନାହିଁ, କିଛି କହି ତା' ମନର କଥାକୁ ବୁଝାଇବାପାଇଁ ।
ଏମିତି କିଛି ସମୟ ନିରବତା ପରେ ଝିଅଟି ମୁହଁ ବୁଲାଇ ପୁଣିଥରେ ଚାଲିଯାଏ । ବ୍ୟକ୍ତି ଜଣକ ଝିଅଟିକୁ ପଛରୁ ଡାକନ୍ତି ।
ବ୍ୟକ୍ତି :- ବିଦ୍ୟା! ତୁମେ ଠିକ୍ ଅଛତ ?
(ଝିଅଟି ହଠାତ୍ ଚାଲୁଚାଲୁ ରହିଯାଏ, କିନ୍ତୁ କିଛି ଉତ୍ତର ଦିଏନି)
ବ୍ୟକ୍ତି :- ତୁମେ ଆଜିଯାଏଁ ମୋ ଉପରେ ରାଗିଛ ?
(ଏଥରବି କିଛି ଉତ୍ତର ମିଳେନି)
ବ୍ୟକ୍ତି :- ବିଦ୍ୟା! ତୁମେ ଚୁପ୍ କାହିଁକି ରହିଛ ? ମୋ କଥାର କିଛିତ ଉତ୍ତର ଦିଅ । ତୁମ ନିରବତା ମୋତେ ଅପମାନ ଭଳି ଲାଗୁଛି । କ'ଣ ତୁମେ ମୋତେ ଦେଖି ଖୁସି ନାହଁ ? କୁହ ବିଦ୍ୟା........ପ୍ଲିଜ୍....
(ଏଥର ମଧ୍ୟ କିଛି ଉତ୍ତର ମିଳେନି)
ବ୍ୟକ୍ତି :- ବିଦ୍ୟା! ମୁଁ ମାନୁଛି ଭୁଲ ମୋର ଥିଲା । କିନ୍ତୁ ବିଶ୍ୱାସ କର ମୁଁ ତୁମକୁ ସତରେ ବହୁତ୍ ଭଲ ପାଉଥିଲି । ନିଜ ଜୀବନ ଠାରୁ ବି ଅଧିକା । ସେ ଦିନର ସେଇ ଛୋଟ ଭୁଲ ପାଇଁ ତୁମେ ଆଜି ପର୍ଯ୍ୟନ୍ତ ମୋ ଉପରେ ରାଗିଛ ? ଜାଣିଛ! ସେଦିନ ପରଠୁ ମୁଁ ତୁମକୁ କେତେ ଖୋଜିଛି ମୋ ଭୁଲର ପ୍ରାୟଶ୍ଚିତ ପାଇଁ, କିନ୍ତୁ ପାଇଲିନି ତମକୁ । ମୁଁ କରିଥିବା ଭୁଲ ପାଇଁ ଅନୁତାପ କରୁଛି । ମାନୁଛି ମୋର ସେମିତି କରିବା ଆଦୌ ଠିକ୍ ନଥିଲା, କିନ୍ତୁ ସବୁ ଭୁଲ ମୋର ନୁହଁ! ତୁମେ ମୋତେ ଭୁଲ କରିବାପାଇଁ ବାଧ୍ୟ କରିଛ ।
ବିଦ୍ୟା :- ବାଃ ଆଦି! ତୁମେ ଆଜି ବି ସେମିତି ଅଛ । କିଛିବି ବଦଳିନ, ନାହିଁ ତୁମେ କରିଥିବା ଭୁଲ ପାଇଁ ଅନୁତପ୍ତ ଅଛ ? ଅବଶ୍ୟ ଭୁଲ ତୁମର ନୁହେଁ । ଭୁଲ ହେଉଛି ମୋର! ମୁଁ ତୁମକୁ ଦରକାରଠୁ ଅଧିକା ବିଶ୍ୱାସ କଲି, ଆଉ ତୁମେ ବିଶ୍ୱାସଠୁ ଅଧିକା ଧୋକା ଦେଲ । ଯାଅ ଆଦି ତୁମେ ଏଠୁ ଚାଲିଯାଅ । ପୁରୁଣା ଘା'ରେ ଆଉ ଆଘାତ କରନି । ଜାଣିଛ! କ୍ଷତ ସ୍ଥାନରେ ଟିକିଏବି ଲୁଣ ଛିଟା ପଡିଲେ କେତେ କଷ୍ଟହୁଏ । କିନ୍ତୁ ତୁମେ ବୁଝିପାରିବନି । ଆଉ ମୋତେ କ'ଣ ପଚାରିଲ ଆଦି ? ମୁଁ ତୁମକୁ ଦେଖି ଖୁସି ନାହିଁ! ଆରେ ତୁମେ ନିଜେ କୁହ କେମିତି ଖୁସି ହେଇପାରିବି ମୁଁ ? ଆଦି ତୁମର କ୍ଷତ ହୁଏତ ଭଲ ହୋଇଯାଇଥିବ, କିନ୍ତୁ ମୋ ମନରେ ହେଇଥିବା କ୍ଷତ ଆଜିଯାଏଁ ପୂରଣ ହେଇନି କି କେବେ ପୂରଣ ହେବନି । ଆଉ ଯଦି କେବେ ହୁଏବି ତାହେଲେ ସତ କହୁଛି, ମୁଁ ତାକୁ କେବେ ପୂରଣ ହେବାକୁ ଦେବିନି । ଯିଏ ମୋ ଜୀବନର ସବୁ ଖୁସି ଛଡେଇନେଲା, ଟିକିଏ ହସ ବଦଳରେ ସାରା ଜୀବନର ଲୁହ ଢାଳିଦେଲା ତାକୁ କେମିତି ଭୁଲିପାରିବି ମୁଁ ଆଦି ?
(ବ୍ୟକ୍ତି) ଆଦି :- ପ୍ଲିଜ୍ ବିଦ୍ୟା; ତୁମେ ଏମିତି ବ୍ୟବହାର ମୋ ସହ କରିପାରିବନି, ମୋତେ ବହୁତ୍ ଖରାପ ଲାଗୁଛି ତୁମ କଥା ।
ବିଦ୍ୟା :- ସରି ଆଦି! ମୁଁ ତୁମକୁ କେବେବି କଷ୍ଟ ଦେବାକୁ ଚାହିଁନି, ନାଁ କେବେ ଦେଇପାରିବି । କିନ୍ତୁ କ'ଣ କରିବି ? ମୁଁ ଯେତେବେଳେବି ମୋ ଅତୀତକୁ ମୋ ବର୍ତ୍ତମାନରେ ଦେଖେ ନିଜକୁ ମୁଁ ବୁଝିପାରେନି । କେବଳ ଗୋଟାଏ କଥା ଭାବେ; " ମୁଁ ଭୁଲ ଥିଲି", ନାଁ " ମୋ ସହ ଭୁଲ ହେଇଥିଲା" ? ଆଜିଯାଏଁ ଏଇ ଦୁଇଟି ପ୍ରଶ୍ନର ଉତ୍ତର ମୁଁ ପାଇନି । ତୁମେ ମୋତେ କହିପାରିବ ମୋ ସାଥିରେ ଏମିତି କାହିଁକି ହେଲା ?
ଆଦି :- ତୁମେ ସବୁବେଳେ ଏମିତି କାହିଁକି ? ସତ କ'ଣ ଜାଣିଛ ? ତୁମେ କାହାକୁ କେବେ ଭଲ ପାଇପାରିବନି କି କାହାର ନିଜର ହେଇ ପାରିବନି । ବାସ୍ ସେଇ ପୁରୁଣା ପାଠର ପୁନରାବୁର୍ତୀ କରିବ । ଭୁଲ ହେଇଗଲା ମୋର ତୁମକୁ ଅଟକାଇବାଟା । ଭାବିଥିଲି ତୁମେ ସବୁକିଛି ଭୁଲି ଯାଇଥିବ, ବଟ୍ ଆଇ ଆମ୍ ରଙ୍ଗ୍. ତୁମେ ଯଉଠି ଥିଲ, ସେଇଠି ଅଛ । ଏଣ୍ଡ୍ ୟୁ ନୋ ହ୍ୱାଟ୍......? ତୁମେ କେବେ କାହାର ଜୀବନସାଥୀ ହେଇପାରିବନି ।
ବିଦ୍ୟା :- ବାସ୍ ଆଦି! ଆଉ ଗୋଟାଏ ବି ଶବ୍ଦ ମୁଁ ତୁମ ମୁହଁରୁ ଶୁଣିବାକୁ ଚାହେଁନି ।
ଆଦି :- କ'ଣ ହେଲା ? ମୁଁ କିଛି ଭୁଲ କହିଦେଲିକି ? ନାଁ ମୋ କଥା ଖରାପ ଲାଗିଲା ?
ବିଦ୍ୟା :- ନାହିଁ ଆଦି! ଖରାପ ଲାଗୁନି, ବରଂ କଷ୍ଟ ହେଉଛି ତୁମ ମୁହଁରୁ ଏସବୁ ଶୁଣି । ମୁଁ ବୁଝିପାରୁନି ଯୋଉ ମଣିଷ ମୋତେ ପାଗଳଙ୍କ ପରି ଭଲପାଉଥିଲା, ସେ ଆଜି ମୋତେ ସନ୍ଦେହ କରୁଛି । ନାହିଁ ମୁଁ ଭୁଲ କହିଲି । ଆଜି ନୁହଁ, ବହୁତ୍ ଦିନରୁ । ବିଗତ ଚାରି ବର୍ଷ ପୂର୍ବରୁ । ତୁମେ ଜିତିଗଲ ଆଦି, ଆଉ ମୁଁ
ହାରିଗଲି ।
ବିଦ୍ୟା :- ମୋର ବିଶ୍ୱାସ ଥିଲା ଯେ, ତୁମେ ତୁମ ଭୁଲ ବୁଝିପାରିବ । କିନ୍ତୁ ଜାଣିନଥିଲି, ତୁମେ ଭଲ ଭାବରେ ବୁଝିପାରିବ ବୋଲି । ରିଅଲି ଆଦି! ମୁଁ ତ ବିଶ୍ୱାସ ବି କରିପାରୁନି, ମୋ ଭଲପାଇବା ତୁମ ସନ୍ଦେହ ଆଗରେ ଏତେ ଛୋଟ କେମିତି ହେଇଗଲା ?
(ଝିଅଟି ଏତିକି କହି ଜୋର୍ ରେ କାନ୍ଦିବାକୁ ଲାଗେ, କିନ୍ତୁ ବ୍ୟକ୍ତି ଜଣକ ଆହୁରି ଜୋରରେ ହସିବାକୁ ଲାଗନ୍ତି)
ଆଦି :- ହେ ବନ୍ଦ୍ କର ସେ ମିଛ ଡ୍ରାମା! ମୁଁ ସେ ଲୁହକୁ ବିଶ୍ୱାସ କରେନି । ଆଉ ତୁମକୁ ତ..............କେବେ ବି ନୁହେଁ ।
ବିଦ୍ୟା :- ଠିକ୍ ଅଛି ମୁଁ ମିଛ, ତୁମେ ସତ । ବାସ୍ ଗୋଟାଏ ପ୍ରଶ୍ନର ଉତ୍ତର ଦେଇପାରିବ ମୋତେ ? ମୁଁ ଭୁଲ ଥିଲି ବୋଲି କ'ଣ ତୁମେ ଏବେ ଜାଣିଲ ? ଯଦି ଏବେ ଜାଣିଲ, ତାହେଲେ ଚାରି ବର୍ଷ ପୂର୍ବରୁ ମୋ ହାତ କାହିଁକି ଛାଡିଥିଲ ? ଆଉ ଯଦି ଆଗରୁ ଜାଣିଥିଲ, ତେବେ ଆଜି ମୋତେ ଅଟକାଇବାକୁ କାହିଁକି ଚେଷ୍ଟା କରୁଥିଲ ?
ଆଦି :- ଜାଣିନି! କିନ୍ତୁ ମୁଁ ଭୁଲ କରୁଥିଲି ଏଇଟା ବୁଝିଗଲି । ମୋ ଭୁଲ ଏଇଟା ନୁହେଁ ଯେ ମୁଁ ତୁମକୁ ଭୁଲିଗଲି, ଭୁଲ ଏଇଟା ଯେ ତୁମକୁ ଭୁଲିବା ପରେ ବି ମନେପକାଇବାକୁ ଚେଷ୍ଟା କଲି । ମୁଁ ଭାବୁଛି ତୁମ ଉତ୍ତର ତୁମେ ପାଇ ଯାଇଥିବ । ଆଉ ଯଦି ନପାଇଥିବ ତେବେ ଆ'ଠାରୁ ଭଲ ଉତ୍ତର ମୁଁ ତୁମକୁ ଦେଇପାରିବିନି ।
ବିଦ୍ୟା :- ହଁ! ତୁମେ ଏତେ ଭଲ ଭାବରେ ବୁଝାଇଦେଲ ଯେ ମୁଁ ମୋର ସବୁ ଉତ୍ତର ପାଇଗଲି । ଯାହା ପଚାରିଥିଲି ତୁମକୁ, ଆଉ ଯାହା କିଛି ପ୍ରଶ୍ନ ତୁମକୁ ନେଇ ମୋ ମନ ଭିତରେ ଥିଲା ତୁମେ ସେସବୁ ପ୍ରଶ୍ନର ଉତ୍ତର ବେଶ୍ ଭଲ ଭାବରେ ଦେଇଦେଲ ଆଦି ।
(ଏବେ ବ୍ୟକ୍ତି ଜଣକ ଚାଲି ଯାଉଛନ୍ତି)
ବିଦ୍ୟା :- ମୁଁ ବୁଝଗଲି ଆଦି........
(ବ୍ୟକ୍ତି ଜଣକ କିଛି ସମୟ ସ୍ଥିର ହୋଇ ଛିଡା ହୋଇଯାଆନ୍ତି)
ବିଦ୍ୟା :-
ସମ୍ପର୍କ ଯେତେ ମଜବୁତ୍ ହେଲେବି
ଛୋଟ ଭୁଲ ପାଖରେ ଭାଙ୍ଗିଯାଏ,
ଆଉ ଭଲପାଇବା ଯେତେ ଅଧିକା ଥିଲେବି,
ସନ୍ଦେହ ପାଖରେ ହାରିଯାଏ ।
(ଏତିକି କହି ଝିଅଟି ଜୋରରେ କାନ୍ଦିବାକୁ ଲାଗେ ଆଉ ବ୍ୟକ୍ତି ଜଣକ ହସିହସି ସେଠୁ ଚାଲିଯାଆନ୍ତି)
ବିଦ୍ୟା :- ଯିବା ବେଳେ ଅନ୍ତତଃ କହିକି ଯାଅ, ଭୁଲ କାହାର ?
* ସମାପ୍ତ *

