STORYMIRROR

kalpana sahoo

Others

3  

kalpana sahoo

Others

ନବ ବଧୂ

ନବ ବଧୂ

2 mins
203

 


    କିଏ ଜାଣିଥିଲା ବୋହୁ ଆସିବାପରେ ସୁଦିପ୍ତଟା ଏମିତି ବଦଳି ଯିବ ବୋଲି । ଏତେ ଭଲପିଲାଟା ହଠାତ୍ ଏମିତି ଦିନେ ବଦଳିଯିବ ଏକଥା କେହି ଭାବି ବି ନଥିଲେ । ଯୋଉ ବୋଉ ପିଲା ବେଳୁ ତାକୁ ନିଜ ପୁଅ ଭଳି ସାଉଁଟି ନେଇଥିଲା, ଆଜି ସେ ସାବତ ମାଆ ପାଲଟିଗଲା । ଏତେ ଶୀଘ୍ର ସବୁ କିଛି ଭୁଲିଗଲା ସୁଦିପ୍ତ, ତାକୁ କିଏ ଏତେ ବଡ କଲା? ଏ କଥାରେ ତାକୁ ସହମତି ବି ଦେଉଛନ୍ତି ତା' ବାପା ସୁବାସ ବାବୁ । ଯୋଉ ପତ୍ନୀକୁ ସେ ଏତେ ଭଲ ପାଉଥିଲେ, ଘରର ଟିକିନିକି ଖବର ଜଣାଉଥିଲେ ଆଜି ସେ ବି ଭୁଲିଯାଇଛନ୍ତି ତାଙ୍କର କେହି ପତ୍ନୀ ଅଛନ୍ତି ବୋଲି । ସଞ୍ଜୁରାଣୀଙ୍କ ମନ ଭାରି ଦୁଃଖ । ହେଲେ କହିବେ କାହାକୁ?

    ସଞ୍ଜୁରାଣୀ ଯେତେବେଳେ ବାହା ହେଇ ଘରକୁ ଆସିଥିଲେ, ସେତେବେଳେ ସୁଦିପ୍ତଟା ମାତ୍ର ସାତ ବର୍ଷର ହେଇଥିଲା । ତା'ର ଆଉ ଦୁଇଟି ଭଉଣୀ, ଜଣେ ଚାରି ବର୍ଷର ଓ ଆଉ ଜଣେ ସାତ ମାସର ହେଇଥାଏ । ସୁବାସ ବାବୁଙ୍କ ପ୍ରଥମ ପତ୍ନୀ ରୋଗରେ ମୃତ୍ୟୁବରଣ କରିବାପରେ ପିଲାମାନଙ୍କର ଦେଖାରେଖା ପାଇଁ ଦ୍ୱିତୀୟ ବିବାହ କରିଥିଲେ । ସଞ୍ଜୁ ରାଣୀବି ଆସିବାପରେ ପିଲା ତିନୋଟିକୁ ନିଜର ପିଲା ଭାବେ କୋଳେଇ ନେଇଥିଲେ । କିଛି ଦିନପରେ ସଞ୍ଜୁରାଣୀଙ୍କର ନିଜର ଗୋଟାଏ ପୁଅ ହେଇଥିଲା । ତଥାପି ସେ ନିଜ ପୁଅ ଆଉ ସେମାନଙ୍କ ଭିତରେ କୌଣସି ଅନ୍ତର ଦେଖୁନଥିଲେ । ସବୁ କିଛି ଠିକ୍ ଥିଲା । 

   ବଡ ଝିଅଟିର ବାହାଘର ବୟସ ହେବାପରେ ସୁବାସ ବାବୁ ଭଲ ବର ପାତ୍ରଟିଏ ଖୋଜି ଝିଅର ବିବାହ କରାଇଦେଲେ । ତା'ପରେ ଦୁଇ ପୁଅ ଆଉ ଗୋଟାଏ ଝିଅକୁ ନେଇ ପରିବାର ଖୁସି ଥିଲା । ସୁଦିପ୍ତକୁ ଅଣତିରିଶି ବର୍ଷ ହେଇଥାଏ । ତା' ବୟସର ପିଲା ବାହା ହେଲେଣି ଦେଖି ସଞ୍ଜୁରାଣୀ ପୁଅର ବାହାଘର କରିବାକୁ ବାପାଙ୍କୁ କହିଲେ । ସୁବାସବାବୁ ବି ଭଲ ଭଲ ଜାଗାରେ ପ୍ରସ୍ତାବ ପକେଇ ଝିଅ ଦେଖିବାକୁଗଲେ । ଶେଷରେ ଝିଅ ପସନ୍ଦ ହେଲା । ସୁଦିପ୍ତର ବାହାଘର ବି ହେଲା । ମାଆର ସବୁ କର୍ମ ସଞ୍ଜୁରାଣୀ କଲେ । ପୁଅର ବିବାହ କରାଇ ଘରକୁ ବୋହୁ ଆଣିଲେ ।

    ନିଜ ପିଲାମାନଙ୍କ ଭଳି ବୋହୁକୁ ବି ଝିଅର ସମ୍ମାନ, ସ୍ନେହ ଆଉ ଭଲପାଇବା ଦେଲେ । କିଛି ଦିନ ତ ବହୁତ୍ ଭଲରେ କଟିଲା, କିନ୍ତୁ ତାପରେ ସବୁକିଛି ଓଲଟାପାଲଟା । ସୁଦିପ୍ତ ମାଆକୁ ଛାଡି ସ୍ତ୍ରୀ କଥାରେ ବାଟ ଚାଲିଲା । ସବୁବେଳେ ଝଗଡା, ଘରେ ଶାନ୍ତିବି ମିଳିବା କଷ୍ଟକର ହେଇଗଲା । ବୋହୁର ପିଲା ହେବାର ଥିଲା । ସଞ୍ଜୁରାଣୀ ଭାବିଲେ ପିଲାଟିଏ ହେଲେ ସବୁ କିଛି ଠିକ୍ ହେଇଯିବ । କିନ୍ତୁ ସେ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ଛୁଆଟି ଦୁନିଆଁ ଦେଖିବା ଆଗରୁ ତାକୁ ମାରି ଦିଆଗଲା । ଏତେ ବଡ ଦୁଃଖର ଘଟଣା ଘଟିଲା, କିନ୍ତୁ ବୋହୁର ଟିକେ ବି ମନ ଦୁଃଖ ନାହିଁ।

    ସଞ୍ଜୁରାଣୀଙ୍କର ହତାଦାର ଆହୁରି ବଢିଗଲା । ଏବେ ସବୁ କଥାରେ ବୋହୁ ବୁଝାଇ ଦେଉଛି ତାଙ୍କୁ ତୁ ତା'ର ଅସଲି ମାଆ ନୁହେଁ, ସାବତ ମାଆ । ଯୋଉଟା ସଞ୍ଜୁରାଣୀ ବାହାଘର ପରଠୁ କେବେବି ଭାବିନଥିଲା । ସବୁକିଛି ବଦଳିଯାଇଛି । ସଞ୍ଜୁରାଣୀ ମାଆ ନୁହେଁ ଗୋଟାଏ ଚାକରାଣୀ ଭଳି ରହୁଛନ୍ତି । ନାଁ ତାଙ୍କୁ କୋଉ କଥାରେ ଜଣାଯାଉଛି, ନାଁ କିଛି ପଚରାଯାଉଛି, ଖାଲି ବରାଦ କରାଯାଉଛି ଏଇଟା କର୍ ସେଇଟା କର୍ । ବୋହୁ ଆସିଲା ପରେ ଏମିତି ସବୁ ହେବବୋଲି ସଞ୍ଜୁରାଣୀ କେବେବି ଭାବିନଥିଲେ । ଏବେ ଭାବିଲେ କି ହେବ? ଯୋଉଠି ସ୍ୱାମୀ ଆଉ ପୁଅ ନିଜର ନ ହେଲେ, ସେଠି ପର ଝିଅକୁ ଦୋଷଦେଇ କିବା ଲାଭ ଭାବି ଚୁପ୍ ରହିଯାଆନ୍ତି।



Rate this content
Log in