kalpana sahoo

Crime

4.3  

kalpana sahoo

Crime

କିର୍ନାପ

କିର୍ନାପ

3 mins
187



ମିନି ଛୋଟ ବେଳୁ ଭାରି ଜିଦ୍ଦି । ଯୋଉଟା କହେ ସେଇଟା କରେ । ଆଗ ପଛ କିଛି ବିଚାର କରେନି । ଥରେ ଗୋଟାଏ ଜିନିଷ ପାଇବା ପାଇଁ ଜିଦ୍ ଧରି ବସିଲେ, ସେ ଜିନିଷ ତା'ପାଖରେ ନପହଞ୍ଚିବା ସାରି ସେ ଯିଦ୍ ଛାଡେନି । ସେମିତି ମୁହଁ ଫୁଲେଇ ବସିଥାଏ । କାହା ସାଙ୍ଗରେ ବି କଥାବାର୍ତ୍ତା କରେନି । କିନ୍ତୁ ସତରେ ଝିଅଟି ଭାରି ସ୍ନେହୀ । ଖାଲି ତା'ର ସେଇ ଜିଦକୁ ଛାଡିଦେଲେ ଆଉ କୋଉ ଗୁଣରେ କେହି ତାକୁ ବାଛିପାରିବେନି । ସବୁଥିରେ ଧୁରନ୍ଧର । ପାଠରେ ଯେମିତି, ଶାଠରେ ବି ଠିକ୍ ସେମିତି।

   ତା' ଭଳି ଝିଅ ବୋଧହୁଏ ଆମ ସାହିରେ ଆଉ କେହି ନଥିବେ । ରୂପ, ଗୁଣରେ କୋଉଥିରେ ସରି ହେବେନି କହି । ମାତ୍ର ଦଶ ବର୍ଷର ଝିଅଟି । ବ୍ୟବହାର ଏତେ ମାର୍ଜିତ ଗୋଟେ ବଡଲୋକକୁ ବି ସେତିକି ଜଣାନଥିବ । ବାପା-ମାଆର ଗୋଟାଏ ବୋଲି ଝିଅ । କିନ୍ତୁ ମଧ୍ୟମ ଧରଣର ପରିବାର । ତଥାପି ଝିଅର ସବୁ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରନ୍ତି ବାପା-ମାଆ।

   ମିନି ମାମୁଁ ଘରକୁ ଯାଇଥାଏ । ଏକୁଟିଆ ଘରଟାରେ ବାପା-ମାଆ ଦିଟା ଭାରି ଏକାଏକା ଲାଗୁଥାଏ । ଝିଅ ପାଖରେ ନାହିଁ ବୋଲି ଘରଟାବି ଖାଁ ଖାଁ ଲାଗୁଛି । ସକାଳୁ ଉଠି ମିନିର ବାପା-ମାଆ ମାମୁଁଘରକୁ ବାହାରିଗଲେ । ତାଙ୍କ ଘରଠୁ ପ୍ରାୟ ୩୫କିଲୋମିଟର ହେବ ମାମୁଁଘର । ସେମାନଙ୍କୁ ପହଞ୍ଚିବାକୁ ଦେଢଘଣ୍ଟା ଲାଗିଲା।

   ମିନି ବାପା-ମାଆଙ୍କୁ ଦେଖି ବହୁତ ଖୁସି । ମିନିର ବାପା-ମାଆ କିଛି ସମୟ ରହିଲେ । ଖାଇବାପିଇବା କରି ଝିଅକୁ ସାଥିରେ ନେଇ ଘରକୁ ବାହାରିଲେ । ଘରକୁ ଫେରିବା ବାଟରେ ମେଳା ବସିଥାଏ । ମିନିର ଏକା ଜିଦ୍ ଆମେ ମେଳା ବୁଲିକି ଯିବା । ବାପା ଯେତେ ବୁଝାଇଲେ ଡେରି ହେଉଛି ଘରକୁ ଯିବା, ମିନି କିଛି ଶୁଣିଲାନି । ବାପାଙ୍କ ହାତ ଛାଡି ଗହଳି ଭିତରେ ପସିଚାଲିଲା।

   ବାପା ବି ଝିଅ ପଛେପଛେ ଚାଲିଛନ୍ତି । କିଛି ବାଟ ଭିତରକୁ ଯିବାପରେ ନାନା ପ୍ରକାରର ସ୍କୁଲ୍ ବ୍ୟାଗ୍ ଦେଖି ମିନି ସେଇଠି ଅଟକିଗଲା । ବାପାଙ୍କୁ ବାରମ୍ବାର ବ୍ୟାଗ୍ ଆଣିବାପାଇଁ ଜିଦ୍ କଲା । ମିନିର ଘରେ ଗୁଡାଏ ବ୍ୟାଗ୍ ଅଛି । ପୁଣି ଆଉ ଗୋଟାଏ ବ୍ୟାଗ୍ ନେଇ କ'ଣ କରିବ? ସେଥିପାଇଁ ବାପା ମନାକଲେ । ସେ କିନ୍ତୁ କିଛି ବୁଝୁନି । ବାପା ପକେଟରେ ହାତ ପୁରାଇ ଦେଖିଲେ ତାଙ୍କ ପାଖରେ ଏତେ ପଇସା ନାହିଁ ସେ ବ୍ୟାଗ୍ କିଣି ଆଉ କିଛି ହାତରେ ରଖିବା ପାଇଁ । ବାପା ପୁଣି ଥରେ ମନା କଲେ, କହିଲେ ଆମେ ପଛରେ ଆଉ ଥରେ ଆସିବା, ତୁ ସେ ବ୍ୟାଗ୍ ନେବୁ । ମିନି କହିଲା, ସେତେବେଳକୁ ଯଦି ସେ ବ୍ୟାଗ୍ ଆଉ କେହି ନେଇଯାଇଥିବ? ନାଁ ମୁଁ ଏବେ ନେବି, ଆଉ ନେଇକି ଘରକୁ ଯିବି । ବାପା ଯେତେ ବୁଝାଇଲେ ମିନି କିଛିବି ଶୁଣିଲାନି । ବାପା ରାଗରେ ଗୋଟାଏ ଚାପୁଡା ମାରିଲେ, ଆଉ କହିଲେ ଚୁପଚାପ୍ ଘରକୁ ଚାଲ୍ । କିଛି ଦିଆଯିବନି ତୋତେ । ବାପା ଆଗରୁ ମିନିକୁ ଖାଲି ଟିକେ ପାଟି କରିଦିଅନ୍ତି । ତାବି ପାଟି କରି ସାରିଲାପରେ ପୁଣି ନିଜେ ବୁଝାନ୍ତି । କିନ୍ତୁ କେବେ ହାତ ଉଠେଇ ମାରିନଥିଲେ । ତା ବି ପୁଣି ଏତେ ଲୋକଙ୍କ ସାମ୍ନାରେ । ମିନିକୁ ବହୁତ ଖରାପ ଲାଗଲା । ସେ କାନ୍ଦିକାନ୍ଦି ସେଠୁ ଦୌଡି ପଳାଇଗଲା । ବାପା ତା'ପଛରେ ରହ ରହ କହି ଗଲେ । କିନ୍ତୁ ମିନିକୁ ଆଉ ପାଇଲେନି । ମିନି ସଙ୍ଗେସଙ୍ଗେ କୁଆଡେ ଅଦୃଶ୍ୟ ହେଇଗଲା ବାପା ବୁଝିପାରିଲେନି । ଚାରିଆଡେ ଖୋଜିଲେ ମିନିକୁ, ହେଲେ ପାଇଲେନି।

   ସେଠାକାର ଲୋକମାନଙ୍କ କହିବା ମୁତାବକ୍ ସେଠି ଏମିତି ଆଗରୁ ବି ହୁଏ । ଆଉ ପ୍ରତି ବର୍ଷ ଏମିତି ହେଉଛି । କାହାର ନା କାହାର ଛୁଆ ଗାଏବ୍ ହେଉଛନ୍ତି । କୁଆଡେ ସେଠୁ ପିଲାମାନଙ୍କୁ କିଡନାପ କରି ନେଇଯାଆନ୍ତି । ସେମାନଙ୍କୁ ନେଇ କି କ'ଣ କରନ୍ତି, ସେ ବିଷୟରେ କେହି କିଛି ବି ଜାଣିନାହାନ୍ତି । ସେମାନଙ୍କ ମୁହଁରୁ ଏକଥା ବି ଶୁଣି ବାପା ପୁରା ଭାଙ୍ଗିପଡିଲେ । ସେମାନଙ୍କ କହିବା କଥା ବୋଧହୁଏ, ମିନି ଆଉ ବଞ୍ଚିନଥିବ।

   ବାପା ନିଜକୁ ନିଜେ ଦୋଷ ଦେଇ ଚାଲିଲେ । କାସ୍ ମୁଁ ତାକୁ ସେ ବ୍ୟାଗ୍ କିଣିକି ଦେଇଥାନ୍ତି, କାସ୍ ମୁଁ ତା' ଉପରକୁ ହାତ ଉଠେଇ ନଥାନ୍ତି ତାହେଲେ ଏବେ ମୋ ଝିଅ ମୋ ପାଖରେ ଥାଆନ୍ତା । ଏମିତି ୟାଡୁସ୍ୟାଡୁ କଥା କହି ଜୋରରେ କାନ୍ଦୁଥାନ୍ତି । ମା ବୁଝେଇସୁଝେଇ ସେଇଠାରୁ ସିଧା ପୋଲିସ୍ ଷ୍ଟେସନ୍ ଗଲେ । ରିପୋର୍ଟ ଲେଖାଇଲେ । ଥାନାରେ ବି ସେଇ କଥା, ଆମେ ଜାଣିପାରୁନୁ ସେମାନେ କେଉଁଠିକି ନେଉଛନ୍ତି ଆଉ କ'ଣ କରୁଛନ୍ତି? ତଥାପି ଚେଷ୍ଟା କରିବୁ ତୁମ ଝିଅକୁ ଖୋଜିବାକୁ କହି ଇନିସପେକ୍ଟର ବିଦା କରିଦେଲେ।

   ବାପା-ମାଆ ଘରକୁ ଫେରିଲେ । କିନ୍ତୁ କିଛି ଖବର ନାହିଁ ଝିଅର । ଦିନ ପରେ ଦିନ, ବର୍ଷ ପରେ ବର୍ଷ ଗଡିଚାଲିଲା । ଝିଅ ଆଉ ଫେରିଲାନି । ଆଜିକୁ ୧୫ବର୍ଷ ହେଇଗଲାଣି । ହେଲେ ବାପା-ମାଆ ଏବେବି ଭାବୁଛନ୍ତି ତାଙ୍କ ଝିଅ ଫେରିବ । 






Rate this content
Log in

Similar oriya story from Crime