STORYMIRROR

kalpana sahoo

Inspirational

4  

kalpana sahoo

Inspirational

ରୋଷେଇ

ରୋଷେଇ

2 mins
215


     ନାନୀକୁ ବୋଉ ଯେତେବେଳେ ରୋଷେଇ କରିବାକୁ କୁହନ୍ତି ନାନୀ ନଶୁଣିଲା ପରି ଚାଲିଯାଏ। ବୋଉବି କିଛି କୁହନ୍ତିନି ସବୁ ନିଜେ କରିନିଅନ୍ତି। ହଁ ନାନୀ ବେଳେବେଳେ ରୋଷେଇ କରେ, ସେ ବି ବୋଉ ଅନ୍ୟ କିଛି କାମରେ ବ୍ୟସ୍ତ ଥିଲେ ନହେଲେ କୁଆଡେ ଯାଇଥିଲେ, ନହେଲେ ଘରକୁ କୁଣିଆ ଆସିଥିଲେ ନାନୀ ବୋଉକୁ ସାହାର୍ଯ୍ୟ କରେ। ଏମିତି ନୁହେଁକି ନାନୀକୁ ରୋଷେଇ ଜଣା ନାହିଁ। ରୋଷେଇ ଜାଣିଛି ନାନୀ କିନ୍ତୁ ସେମିତି ମନ ଦିଏନି। ବୋଉବି କହେ ଝିଅ ଜନମତ ଚୁଲି ମୁଣ୍ଡକୁ। କେତେଟା ଦିନବା ମୋ ଘରେ ରହିବ ସେମିତି ଥାଉ। ପଡ଼ିଶାରେ କିନ୍ତୁ ଏକଥା ହଜମ ହୁଏନି। ସମସ୍ତେ କୁହନ୍ତି ଏଡେ ବଡ ଝିଅଟା ହେଲାଣି କିଛି କାମ କରୁନି ଖାଲି ଅଣ୍ଡିରୀଙ୍କ ପରି ବୁଲୁଛି। 


     ଲୋକଙ୍କର କ'ଣ ଅଛି? ସେମାନଙ୍କ କାମ ସେମାନେ ସବୁ କଥାରେ କହିବେ। ବୋଉ ସେମାନଙ୍କ କଥାକୁ ନଶୁଣିଲା ପରି ଏ କାନରେ ପୁରେଇ ସେ କାନରେ ବାହାର କରିଦିଏ। ବାପା କିନ୍ତୁ ପାଟିକରନ୍ତି ଦିଦିକୁ ବୋଉକୁ ଟିକେ ସାହାର୍ଯ୍ୟ କରୁନିବୋଲି। ମୁଁ ଛୋଟ ଥିଲି ମୋତେ କେହି କିଛି କହନ୍ତିନି। ତା'ପରେ ଦିଦିବି ଘରେଅଛି। ସେଥିପାଇଁ ମୋ ପାଳି ପଡେନି।


     ଦିଦିର ବାହାଘର ଖୋଜା ଚାଲିଥାଏ। କେତେ ଆଡେ ପ୍ରସ୍ତାବ ପଡିଥିଲା। ଶେଷରେ ଆମରି ଗାଆଁ ପାଖରେ ଠିକ୍ ହେଲା। ଗାଆଁରୁ ୧୦କିଲୋମିଟର ଦୂର ହେବ। ଭିଣୋଇଁ ଭାଇ ଚାଷ କରନ୍ତି। ତାଙ୍କର ଗୋଟାଏ ଭେରାଇଟ୍ ଷ୍ଟୋର ବି ଅଛି। ତା'ଦାୟିତ୍ବ ମଧ୍ୟ ବୁଝନ୍ତି। ଦୁଇ ଭାଇରେ ଇଏ ବଡ ପୁଅ। ଦେଖିବାକୁ ସାବନ ବର୍ଣ୍ଣ। ହଁ କହିବାକୁ ଗଲେ ଗୋଟାଏ ପ୍ରକାରର ଭଲ ଧରଣ। ସେଇଠି ନାନୀର ନିର୍ବନ୍ଧ ହେଲା। ନିର୍ବନ୍ଧର ଆଠ ଦିନକୁ ବାହାଘର। ନାନୀ ତା' ଶ୍ବଶୂର ଘର ଚାଲିଗଲା। ଏବେ ନାନୀ ପରେ ମୋ ପାଳି ଘରେ କଥା ହେଉଥାନ୍ତି। 


     ବାହାଘର ପରେ ନାନୀ ପ୍ରଥମ ଥର ଘରକୁ ଆସିଥାଏ, ସେଥିପାଇଁ ତା'ର ବହୁତ୍ ଖାତିରି। ଆମ ଘରେବି ତାକୁ କେତେ ସମ୍ମାନ। ଯେମିତି ସେ ଆମ ଘରକୁ କୁଣିଅା ଆସିଛି। କିନ୍ତୁ ଏଇଟା ସତ ବାହାଘର ପରେ ଝିଅ ବାପଘର ପାଇଁ କୁଣିଆ ହେଇଯାଏ। ସେଦିନ ସକାଳୁ ଆସି ସନ୍ଧ୍ୟାରେ ନାନୀ ଆଉ ଭିଣୋଇଁ ଭାଇ ତାଙ୍କ ଘରକୁ ଫେରିଲେ।


     ନାନୀ ବାହାଘରର କିଛି ଦିନ ପରେ ତା'ଦିଅରର ବାହାଘର ଠିକ୍ ହେଲା। ଆଗକୁ ଆଉ ଭଲ ଦିନ ନଥିଲା ସେଥିପାଇଁ ଶୀଘ୍ର ବାହାଘର କରିବାକୁ ପଡିଲା ତାଙ୍କୁ। ବାହାଘର ପରେ ନାନୀର ପ୍ରଥମ ରୋଷେଇ ଏତେ ଲୋକଙ୍କ ପାଇଁ। ଆମ ଘର ଲୋକଙ୍କୁ ବି ଡାକିଥିଲେ କଥା ପକ୍କା କରିବାପାଇଁ। ଗୁଡାଏ ଲୋକ ଆସିଥିଲେ। ନାନୀ ସବୁ ରୋଷେଇ ଏକା କରୁଥାଏ ମୁଁ ଖାଲି ବସିକି ଦେଖୁଥାଏ। ଯୋଉ ଝିଅ ଘରେ ଚାରି ଜଣକ ପାଇଁ ରୋଷେଇ କରୁନଥିଲା ଆଜି ସେ ଏକାଏକା ଚାଳିଶି ଜଣକ ପାଇଁ ରୋଷେଇ ତିଆରି କରୁଛି। ମୋର କେବଳ ଡରଥାଏ, ଯେମିତି କିଛି ଖରାପ ନହେଉ। ସେମାନେ ମୋ ନାନୀକୁ ଖରାପ ନକୁହନ୍ତୁକି ଆମ ଘର କଥା ନଉଠେ। 


     ସେମାନଙ୍କର କଥାବାର୍ତ୍ତା ସରିଲା, ଏଣେ ନାନୀର ରୋଷେଇ ବି ସରିଲା। ସମସ୍ତଙ୍କୁ ଡାକି ଖାଇବା ପରସାଗଲା। ସମସ୍ତେ ଭଲରେ ଖାଇ ଚାଲିଲେ କେହି ପଦେ କିଛି ବି କହିଲେନି। ମୁଁ ବହୁତ୍ ଖୁସି, ମୋ ନାନୀ ରୋଷେଇ ସମସ୍ତଙ୍କୁ ପସନ୍ଦ ଆସିଲା। ଖାଇବାପରେ ସେମାନେ ଗଲାବେଳକୁ ନାନୀ ହାତରେ ୨୦୦୦ଟଙ୍କା ଧରେଇ ଦେଇ ଗଲେ। ତାଙ୍କ ଗାଆଁରେ ବାହାଘର ପକ୍କା କରିବାକୁ ଆସିଲେ ପୁଅ ଘରେ ରନ୍ଧା ଯାଇଥିବା ଖାଇବା ଭଲ ଲାଗିଲେ ରାନ୍ଧଥିବା ଲୋକକୁ ଖୁସିରେ ପାଉଣା ଦିଆଯାଏ। ସେଦିନ ମୋ ନାନୀକୁ ଭଲ ରୋଷେଇ କରିବାର ପୁରଷ୍କାର ମିଳିଲା। 


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from kalpana sahoo

Similar oriya story from Inspirational