ଖୁସି ଆଉ ମୁଁ
ଖୁସି ଆଉ ମୁଁ
ଖୁସି ଆଉ ମୁଁ...ଜଣେ ଅନ୍ୟ ଜଣଙ୍କର ଅତି ନିକଟତର କିନ୍ତୁ ଏକଥା କହିବାକୁ କେବେ ସମୟ ମିଳିନି। ନିତ୍ୟକର୍ମ କରିବା ପରି ସବୁଦିନ ଖୁସି ମୋତେ ଦେଖା କରିବାକୁ ଚେଷ୍ଟା କରେ, କିନ୍ତୁ କେବେ ସମ୍ଭବ ହେଇନି। ଇଚ୍ଛା ଥାଇ ମଧ୍ୟ ଦୁହେଁ ଦୁହିଁଙ୍କଠାରୁ ଦୂରେଇ ରହିବାକୁ ବାଧ୍ୟ ହେଉ। ସତେ ଯେମିତି ଆମ ଦୁହିଁଙ୍କ ମଝିରେ ଗୋଟିଏ ବିରାଟ ବଡ ମେଘନାଦ ପାଚେରୀ ଛିଡା ହେଇଛି। ଯାହାକୁ ପାରିହେବାର ସାହାସ ଆମ ପାଖରେ ନାହିଁ। ବେଳେବେଳେ ଏମିତି ବି ଲାଗେ ହୁଏତ ଆମ ଦୁହିଁଙ୍କର ମିଳନ କାହାଣୀ ଲେଖା ହିଁ ହେଇନି। ସେଥିପାଇଁ ତ ମିଶିବା ଆଗରୁ ପୂର୍ଣ୍ଣଚ୍ଛେଦ ପଡିଯାଏ ଆମ ଜୀବନ ଶୈଳୀରେ ।
ଏତେ ଗୁଡାଏ ପ୍ରଶ୍ନ ଭିତରୁ ବି କେବେକେବେ ଉତ୍ତରର ଝାପ୍ସା ଆଲୋକ ଝିକ୍ ମିକ୍ କରି ମନ ଭିତରେ ଥିବା ସବୁ ଦ୍ୱନ୍ଦ୍ୱକୁ ଦୂରେଇଦିଏ। ସେତେବେଳେ ଏମିତି ଲାଗେ ଯେମିତି ଜୀବନ ଜୀଇଁବାର ମଉକା ଆଉ ଥରେ ମିଳିଯାଇଛି। ଓଠରେ ସ୍ମିତହାସ୍ୟ, ଆଖିରେ ଖୁସିକୁ ଭେଟିବାର ଆନ୍ତରିକ ଇଚ୍ଛା ସ୍ପଷ୍ଟ ବାରିହୁଏ। କାଲିର ଦୁଃଖକୁ ଭୁଲି ମୁଁ ଯେତେବେଳେ ଆଜିକୁ ସାଉଁଟିବାକୁ ଚେଷ୍ଟାକରେ, ସେତେବେଳେ ଆଉ ଗୋଟାଏ ପ୍ରଶ୍ନ ଗୁଞ୍ଜରିତ ହୁଏ ମୋ କାନ ପାଖରେ...ତୋତେ ଖୁସି ମିଳିବ ତ? ଯାହାକୁ ଭାବି ତୁ ଏତେ ଖୁସି ହେଉଛୁ ସେ କେବେ ତୋର ନିଜର ହେବ ତ...? ମନକୁ ପଚାରୁଥିବା ସେଇ ଅଦୃଶ୍ୟ ଶକ୍ତିର କଥାରେ ଯେମିତି ସତ୍ୟତା ଅଛି, ସେହିପରି ପ୍ରତୀତ ହୁଏ। ସେତେବେଳେ ଖୁସି ଆଡକୁ ବଢୁଥିବା ପାଦଟି ଆପଣାଛାଏଁ ପଛକୁ ଫେରି ଆସିବାକୁ ବାଧ୍ୟ ହୁଏ। ଆଉ ପୁଣି ମୁଁ ନିରବରେ କିଛି ବାଟ ପଛକୁ ଫେରି ମୁହଁ ବୁଲାଇ ଚାଲିବାକୁ ଆରମ୍ଭ କରେ। କାହିଁକି କେଜାଣି ପୁଣି ଚାଲୁଚାଲୁ ପାଦ ଅଟକିଯାଏ, ଆଉ ମନ ବୁଲି ଚାହିଁବାକୁ ଅନୁମତି ଦିଏ। ଆଖି ପିଞ୍ଛୁଳାକେ ପଛକୁ ବୁଲି ଚାହିଁଲାବେଳକୁ ଏ କ'ଣ...? ଖୁସି ତ କୁଆଡେ ଚାଲି ଯାଇଛି। ଆଖି ଅସ୍ଥିରରେ ଚାରି ପାଖକୁ ପାର୍ଶ୍ୱରିତ କଲାପରେ ବୁଝିପାରେ, ଆଜି ବି ସେ ଖୁସି ସହ ଭେଟି ପାରିଲାନି। ଭଙ୍ଗା ମନକୁ ମାରି ବସିଯାଏ ଏକୁଟିଆ ନିଃଶବ୍ଦ କୋଠରୀର ଆବଦ୍ଧରେ।
କେବଳ ଗୋଟିଏ ଦିନ ନୁହେଁ ଏମିତି ପ୍ରତ୍ୟୈକ ଦିନ ଚାଲେ। କିନ୍ତୁ ସବୁଦିନ ଆମ ଦୁହିଁଙ୍କ ଭେଟିବାର ସ୍ୱପ୍ନ ଅଧାରେ ରହିଯାଏ। କେବେ ମୁଁତ କେବେ ଖୁସି ଅନେକ ଥର ପରସ୍ପର ସାଥିରେ ମିଶିବାକୁ ଚେଷ୍ଟା କରିଛୁ। କିନ୍ତୁ ପ୍ରତ୍ୟେକ ଥର ଆମର ପ୍ରୟାସ ଅସଫଳ ହେଇଛି। କେବେ ଆମ ଭୁଲ୍ ପାଇଁ ତ କେବେ ପୁଣି ସମୟ ହିଁ ସାଥ୍ ଦେଇନଥାଏ ଆମ ସାଥିରେ। କିନ୍ତୁ ସବୁପରେ ବି ଦୁଃଖ ତ ଦୁଃଖ ହିଁ ହେଇଥାଏ। ସେ ନିଜ ଦ୍ୱାରା ହେଉକି ଅନ୍ୟ ଦ୍ୱାରା ହେଉ। ଖୁସିକୁ ଭେଟିବାର ଖୁସି ଅପେକ୍ଷା ଖୁସିଠାରୁ ଦୂରେଇ ଯିବାର ଦୁଃଖ ମନକୁ ବହୁତ କଷ୍ଟ ଦିଏ। ସେତେବେଳେ ଏମିତି ଲାଗେ ଯେମିତି, ସେ ମୋ ଠାରୁ କିମ୍ବା ମୁଁ ତା' ଠାରୁ ଦୂରେଇ ରହିଲେ ଆମ ଦୁହିଁଙ୍କ ପାଇଁ ଭଲ।
କିଛି ସମୟ ପାଇଁତ ନିଜର ଅମାନିଆ ମନକୁ ନିୟନ୍ତ୍ରଣରେ ରଖିନିଏ, କିନ୍ତୁ ପର ମୁହୂର୍ତ୍ତରେ ସେଇ ଇଚ୍ଛା ପୁଣିଥରେ ଜାଗ୍ରତ ହୁଏ। ମୁଁ ଖୁସିକୁ ଯେତେଥର ଭୁଲି ବାସ୍ତବତାକୁ ସ୍ୱୀକାର କରିବାକୁ ଚେଷ୍ଟା କରେ, ଖୁସି ସେତେ ବେଶୀ ମୋତେ ନିଜର ଲାଗେ। ଆଉ ମୁଁ ପୁଣିଥରେ ମରୀଚିକାର ସେଇ ଅନ୍ଧାର ରାସ୍ତାରେ ଚାଲିବାକୁ ଗୋଡ ବଢେଇଦିଏ। ହେଲେ ହୁଏ କ'ଣ...?( ଯାହା ହେବାର ଥାଏ।) ଦୁଇ ଦିନର ଖୁସି ପାଇଁ ମୋର ସବୁଦିନର କର୍ମ ବଦଳିଯାଏ। ଆଉ କିଛି ଏମିତି ଫଳ ମିଳେ ଯାହା କେବେ ମୁଁ ଆଶା କରିନଥାଏ। ତଥାପି ଖୁସିକୁ ପାଇବାର ଆଶା ମୋ ମନରୁ ମଉଳି ନଥାଏ ।
ଭେଟିବା ନ ଭେଟିବାର ଛକାପଞ୍ଝା ଖେଳ ଭିତରେ ଅନେକ ଦିନର ଦୂରତାକୁ ବୋଧହୁଏ ଖୁସି ନିଜର ହାର୍ ମାନିନେଲା। ଆଉ ମୋ ଠାରୁ ଧିରେଧିରେ ଦୂରେଇବାକୁ ଆରମ୍ଭ କଲା। ବ୍ୟସ୍ତତା ଆଉ ଭୟକୁ ବାଦ୍ ଦେଇ ମୋ ପାଖରେ ଖୁସି ପାଇଁ ଯେମିତି ସମୟ ନଥାଏ। କିନ୍ତୁ ଯଦି କେବେ ଅଜାଣତରେ ଖୁସି ସହ ଭେଟ ହେଇଯାଏ, ତେବେ ନିଜକୁ ଶାନ୍ତି ମିଳେ। ଆଉ ଚିନ୍ତାର ବାଦଲ ଛାଉଣୀ ଭିତରେ ଲୁଚି ରହିଥିବା ଚେହେରାରୁ ଆପଣା ଛାଏଁ ହସ ଟିକେ ଝରିପଡେ। ଅଳ୍ପ ସମୟର ଅତିଥିକୁ ହରାଇବାକୁ ଚାହେଁନି କହି ଲାଜର ମୁହଁ ଉଠାଇ ଚାହିଁଲା ବେଳକୁ ଖୁସି କୁଆଡେ ଚାଲିଯାଇଥାଏ।
ଥରେ ନୁହେଁ ଅନେକ ଥର ଏଭଳି ଘଟଣା ଘଟିଲାପରେ ମନକୁ ବୁଝାଇବା ପାଇଁ ଭ୍ରମ ହେବାର ମିଛ ସାନ୍ତ୍ୱନା ଦେଇ ନିଜକୁ ନିଜେ କହେ ଅପେକ୍ଷା କର, ଖୁସି ତୋ ପାଖକୁ ନିଶ୍ଚୟ ଫେରିବ। କିନ୍ତୁ ବାସ୍ତବତା ସେଇଟା ଯେଉଁଟା ମୁଁ ମାନିବାକୁ ନାରାଜ୍ ଥାଏ। ଖୁସି କିନ୍ତୁ ଏସବୁ ମୋର ପାଗଳାମୀ ଭାବି ମୋ ଉପରେ ହସିବାକୁ ଲାଗେ। ଆଉ ମୋତେ ଥଟ୍ଟା କରି କହେ 'ସତରେ କ'ଣ ଖୁସି ତୋର'...? ଯାହାକୁ ଭେଟିବା ପାଇଁ ତୁ ସକ୍ଷମ ନୁହେଁ, ତାକୁ ନିଜର କରିବାର ସ୍ୱପ୍ନ କାହିଁକି ଦେଖୁଛୁ? ଖୁସି ମୁହଁରୁ ଥଟ୍ଟାରେ ବାହାରିଥିବା କେଇ ପଦ କଥା ସତେ ଯେମିତି କାହାର ଶକ୍ତ ଚାପୁଡା ପରି ଅନୁଭବ ହେଲା। ଆଉ ମୁଁ ଚୁପଚାପ୍ ହେଇ ବସି ପଡିଲି।
ନିଜକୁ ଦୋଷ ଦେଇ ଅନେକ କଥା କହିଲି। ସବୁ ସ୍ମୃତିକୁ ନିଜଠୁ ଅଲଗା କରିବାକୁ ବହୁତ ଚେଷ୍ଟା କଲି। ହେଲେ କିଛି ଲାଭ ହେଲାନି, ନିଜକୁ ଶେଷ କରିବାକୁ ଚେଷ୍ଟା କଲି। ନିଜ ଭାଗ୍ୟ, କର୍ମ ଆଉ ଭରସା ଉପରେ ପ୍ରଶ୍ନ କଲି। ବହୁତ୍ ଚିନ୍ତା କରିବା ପରେ ଶେଷରେ କାହାର ସ୍ମିତ ସ୍ୱର ମନ ଭିତରୁ ସବୁ ରାଗକୁ କାଢିନେଲା ଆଉ ନିଜକୁ ସଞ୍ଜମ କରିବାର ବାଟ ଦେଖେଇଲା। ତା'ର ସେଇ କେଇ ପଦ କଥା ମୋ ଜୀବନକୁ ପରିବର୍ତ୍ତନ କରିଦେଲା। 'ତୁ ଯାହାକୁ ଏଠି ସେଠି ଚାରିଆଡେ ଖୋଜୁଛୁ, ସେ ତୋ ନିଜ ଭିତରେ ଅଛି।' ଏଇ କଥା ପଦିଏ ମୋତେ କିଛି ସମୟ ପାଇଁ ସ୍ତବ୍ଦ କରିଦେଇଥିଲା, କିନ୍ତୁ ସେଇଥିରୁ ହିଁ ମୁଁ ବୁଝିଲି ଜୀବନର ମାନେ କ'ଣ ? ଖୁସିକୁ ପାଇବାର ପ୍ରୟାସରେ ମୋର ବାରମ୍ବାର ଅସଫଳତା ପରେ ସେଦିନ ମୁଁ ପ୍ରଥମ ଥର ପାଇଁ ସଫଳତାର ଖୁସି ଅନୁଭବ କଲି, ଯେଉଁଦିନ ମୁଁ ନିଜକୁ ଖୁସିରେ ରଖିବାରେ ସକ୍ଷମ ହେଲି।ସେବେଠାରୁ ମୁଁ ନିଜକୁ ଖୁସି କରିବାର ସବୁ ପ୍ରକାର ପ୍ରୟାସ କରିଚାଲିଛି। ଆଉ ସେଥିରେ ୮୦% ସଫଳ ମଧ୍ୟ ହେଇଛି।
