kalpana sahoo

Others

3  

kalpana sahoo

Others

ବାଘୁଆଞ୍ଚି

ବାଘୁଆଞ୍ଚି

3 mins
154


    ଗାଆଁ ଭିତରେ ବାପ, ଜେଜେର ପୁରୁଣା ଘର ଛାଡି ଆସି ମଶାଣିରେ ଘର କରି ରହିଲୁ, ସେଇ କଳିଝଗଡା ସକାଶେ । ହେଲେ ଏଠି ବି ଶାନ୍ତି ନାହିଁ । ମଝିରେ ମଝିରେ କିଛି ନା କିଛି କଥାର ବାହାନା ନେଇ ଚାଲି ଆସୁଛନ୍ତ ଆମ ଘରକୁ ବଡବାପା, ଦାଦା । ବାପା ହେରିକା ଚାରି ଭାଇ । ମୋ ବାପା ସାନ ମଝିଆଁ । ଭାରି ସରଳ, କାହାକୁ କିଛି କୁହନ୍ତିନି । ବୋଉ କୁହେ ବାପାଙ୍କୁ କଥା କହି ଆସେନି । ମୁଁ ବି ଲକ୍ଷ୍ୟ କରିଛି ବାପା କଳିଝଗଡା ହେଲେ ବଡ ପାଟି କରନ୍ତି ସତ, କିନ୍ତୁ ତାଙ୍କ କୌଣସି କଥାରେ ଧାଡିସାଡି ନଥାଏ । ବୁଝାଇ କହିବାକୁ ଗଲେ କଥା ତ ବାପା କେତେ କ'ଣ କହିଯାଆନ୍ତି, କିନ୍ତୁ ଅସଲ କଥାକୁ କହିବାକୁ ଭୁଲିଯାଆନ୍ତି । ୟାଡୁସ୍ୟାଡୁ ଗୁଡାଏ ଗପନ୍ତି, ସେଇଟା ବୋଉକୁ ପସନ୍ଦ ଲାଗେନି।

    ଗାଆଁ ଭିତର ଘର ଛାଡି ଆସିବା ଏଗାର ବର୍ଷ ହେଇଗଲାଣି । ଏଠି ଚଳିବାରେ କିଛି ଅସୁବିଧା ନାହିଁ । କିନ୍ତୁ କୁହନ୍ତି ଲୋକଙ୍କ ନଜରରେ କିଛି ହୁଏନି । ସେଇୟା ହେଉଛି ବୋଧହୁଏ , ସେଥିପାଇଁ କିଛି ହେଉନି । ଯାହା କଲେ ବି କେଉଁଥିରେ ସଫଳତା ମିଳୁନି । ବୋଉ କହିଲା, ଆମ ଜାଗାରେ କିଛି ବାସ୍ତୁ ଦୋଷ ଅଛି ବୋଧହୁଏ ସେଥିପାଇଁ ଏମିତି ସବୁ ହେଉଛି । ବାପା ଲୋକମାନଙ୍କଠାରୁ ବୁଝାବୁଝି କରି ଭଲ ମାଟି ପରୀକ୍ଷା କରୁଥିବା ଲୋକ ପାଖକୁ ଗଲେ।

    ସେ ଲୋକ ଜଣକ କହିଥିଲେ, ଘରର ଆଗରୁ ଗୋଟାଏ ହାତ ତଳୁ ମାଟି ଖୋଳିକି ଆଣିବ । କାହିଁକି ନା ବାପା ଆଗେ ଥରେ ତାଙ୍କ ପାଖକୁ ଯାଇଥିଲେ ବୁଝିବାକୁ କ'ଣ କେମିତି ହେବ ବୋଲି । ସେତେବେଳେ ତାଙ୍କୁ ସବୁ କିଛି କହିଥିଲେ ଘର ବିଷୟରେ । ତାପରେ ସେ ମାଟି ନେଇଯିବାକୁ କହିଥିଲେ । ବାପା ଏକଥା ବି କହିଥିଲେ, ଆମର ଘର ଆଗରେ ମାଟି ପଡିଥିଲା ବୋଲି । ସେଥିପାଇଁ ତ ଚାଖଣ୍ଡେ ତଳୁ ମାଟି ନେଇ ଦେଖିବା ବଦଳରେ ସେ ବାପାଙ୍କୁ ହାତେ ତଳୁ ମାଟି ନେଇଯିବାକୁ କହିଥିଲେ।

    ସେ ମାଟି ଦେଖି ବହୁତ୍ କିଛି କଥା କହିଲେ, ଆଉ କିଛି ପ୍ରତିକାର କହିଲେ । ଗୋଟାଏ ବାସ୍ତୁପୂଜା କରି, ଘର ପଛକୁ ଆଉ ଗୋଟାଏ ଘର କରିବାକୁ ବି କହିଲେ । ସେ ଯେମିତି କହିଥିଲେ, ବାପା ଠିକ୍ ସେମିତି କଲେ । 


   

    ସେଠୁ ଫେରିବା ପରେ ଘରର ମାପ ସୂଜେଇକି ଆଣିଥିଲେ ବାପା । ସୂଜା ଯାଇଥିବା ମାପ ଅନୁସାରେ ଜାଗାରେ ମାପ ଦେଇ ଚିହ୍ନଟ କରାଗଲା । ହାତରେ ବହୁତ୍ କମ୍ ଦିନ ଥିଲା ଶୁଭଦିନକୁ ନିର୍ଘଣ୍ଟ କରି । ତେଣୁ ଶୀଘ୍ର ଶୀଘ୍ରରେ ସବୁ କାମ କରାଗଲା । ସୂତା ମାପ କରି ଶୁଭ ପାଇଁ ନିଅଁ ଖୋଳାଗଲା । ଠିକ୍ ଆଠ ଦିନ ପରେ ସେଇ ଜାଗା ଉପରେ ବାସ୍ତୁପୂଜା କରାଗଲା । ନୂଆ ଘର ପାଇଁ ମଧ୍ୟ ସେଇଦିନ ଶୁଭ ଦିଆଗଲା । 

     ଘର କାମ ପାଇଁ ପଥର, ବାଲି, ସିମେଣ୍ଟ, ରଡ୍,ଚିପ୍ସ୍, ଇଟା ସବୁ ସରଞ୍ଜାମ ଯୋଗାଡ କରାଗଲା । ମିସ୍ତ୍ରୀ ଠିକ୍ କରାଗଲା । ଆମ ଗାଆଁରେ ଗୁଡାଏ ରାଜମିସ୍ତ୍ରୀ । ସେମାନଙ୍କ ଭିତରୁ ଜଣେ ଭଲ ମିସ୍ତ୍ରୀକୁ ବାପା ଠିକ୍ କଲେ । ଭଲ ଦିନ ଦେଖି ଘର କାମ ଆରମ୍ଭ କରାଗଲା।

    ଲଗାତାର୍ କାମ କରିଦେବାକୁ ବାପା ଭାବିଥିଲେ । ସେଥିପାଇଁ କାମ ହୁଏ । ନିଅଁ ପତନରୁ କାନ୍ଥ ତିନି ଫୁଟ ଉପରକୁ ବସି ଯାଇଥାଏ । ସେ ଦିନ କାମ ସାରି ଲେବର୍ ସବୁ ମିସ୍ତ୍ରୀ ସାଥିରେ ଘରକୁ ଫେରୁଥିଲେ । ସେମାନଙ୍କ ଭିତରୁ କାହାର ଜଣକର ନଜର ଆମ ଗାଈ ଲାଞ୍ଜ ଉପରେ ପଡଲା । ସେ ବାପାଙ୍କୁ ପଚାରିଲା, ଆ ଲାଞ୍ଜ ଛିଡିଲା କେମିତି? ବାପା କହିଲେ, ଗଛରେ ଗୁଡେଇ ହେଇକି ଲାଞ୍ଜ ଛିଡେଇଦେଲା । ମୁଁ ପୁଣି ଡାକ୍ତର ଡାକିକି ଇଞ୍ଜେକସନ୍ ଦିଆ କରେଇଲି । ସେ ଡାକ୍ତର ବି କହିଲା ଏଇଟା ତା'ର ପ୍ରଥମ କେସ୍ । ଆ ଆଗରୁ ସେ ଏମିତିକା ଘଟଣା କଉଠି ଦେଖିନଥିଲା । ତାପରେ ସେ ଔଷଧ ଲଗେଇ ବ୍ୟାଣ୍ଡେଜ୍ କରି ଦେଇଥିଲା । ଦେଖୁନୁ ଦେଢ ମାସ ହେଲାଣି ଆଜି ସାରି ଶୁଖୁନି । ସେ ଲୋକ ଜଣକ ହସିଲା ଆଉ କହିଲା, ନାଁ ସେ ଗୋଟାଏ ଠାକୁର ଅଛି ଲାଙ୍ଗୁଡରୁ ରକ୍ତ ଶୋଷେ ସେଇୟା ହେଇଥିବ । ସେ ଯେତେ କହିଲେ ଆମର ବିଶ୍ୱାସ ହେଲାନି।

   କିଛି ଦିନପରେ ମୁଁ ବସଷ୍ଟାଣ୍ଡକୁ ଯାଉଥିଲି ଟିକିଏ ଭୁବନେଶ୍ୱର ଯିବାର ଥିଲା ସେଦିନ । ବସଷ୍ଟାଣ୍ଡ ଆମ ଘରଠୁ ନଅ କିଲୋମିଟର । ସାଇକେଲରେ ଗଲେ ମୋତେ ପହଞ୍ଚିବାକୁ ପନ୍ଦରରୁ ଅଠର ମିନିଟ୍ ସମୟ ଲାଗେ । ସେଦିନ ଟିକେ ଜଲଦି ପହଞ୍ଚିବାର ଥିଲା । ସେଥିପାଇଁ ବାପାଙ୍କୁ ଛାଡିଦେବାକୁ କହିଲି । ବାପା ଆଉ ମୁଁ ଯାଉଛୁ, ଯିବା ବାଟରେ ଗୋଟାଏ ଦୃଶ୍ୟ ମୋ ନଜରରେ ପଡିଲା । ବାପାଙ୍କୁ ଟିକିଏ ରହିବାକୁ କହିଲି । ଦେଖିଲୁ ଗଛରେ ବନ୍ଧା ହେଇଥିବା ଗାଈଟି ସେଇ ଗଛରେ ପୁରା ଭିଡି ହେଇଯାଇଛି, ଠିକ୍ ଆମ ଗାଈ ସେଦିନ ଯେମିତି ହେଇଥିଲା । ଭାବିଲି ଏମିତି ହେଇକି ସେ ଗାଈର ଲାଞ୍ଜଟା ଛିଡିଯିବ । କିନ୍ତୁ ହଠାତ୍ ଗାଈର ମାଲିକ ଦୌଡିଯାଇ ସେ ଗଛକୁ କୁରାଢୀରେ ତିନି ଛୋଟ ହାଣିଦେଲା । ଗାଈଟି ଫିଟିଗଲା । ମୁଁ ଏସବୁ ଦେଖି ଆଶ୍ଚର୍ଯ୍ୟ । ଯାଇ ପଚାରିବାରୁ ସେ କହିଲା, ବାଘୁଆ ଦେବତା ଗୋଟେ ଅଛି । ସେ ଲାଞ୍ଜରୁ ରକ୍ତ ଶୋଷେ । ଯଦି ଏମିତି ନକରିଥାନ୍ତି ତେବେ ସେ ଲାଞ୍ଜଟା ଛିଣ୍ଡେଇ ଦେଇଥାନ୍ତା । ସେତେବେଳେ ଯାଇ ମୋର ବିଶ୍ୱାସ ହେଲା ଏକଥା ସତ ବୋଲି । ତାପରେ ଆମେ ସେଠାରୁ ଚାଲିଗଲୁ । 

   



Rate this content
Log in