STORYMIRROR

kalpana sahoo

Children Stories

2  

kalpana sahoo

Children Stories

ପାଠ

ପାଠ

3 mins
108


     ମାଡ ଡରରେ ପାଠପଢିବା ଆଉ ପ୍ରଶ୍ନର ଉତ୍ତର ନଆସିଲେ କପି କରିବା ଏ ଦୁଇଟି ଗୁଣ ସବୁପିଲାଙ୍କ ପାଖରେ ଛୋଟବେଳୁ ଥାଏ । ହଁ ଏଇଟା ସତ ଯେ କିଏ ତାକୁ କମ୍ କରେ ଆଉ କିଏ ବେଶୀ। ଏ ପାଠ ଡର ମୋର ବେଶୀ ଥିଲା। ସାର୍ କିଛି ପାଠ ଦେଇଥିଲେ ନସରିବା ପର୍ଯ୍ୟନ୍ତ ସ୍କୁଲ୍ ଯାଏନି। ଆଉ ଯଦି ଯାଏ, ତେବେ ପାଠ ନସରିଥିଲେ ପ୍ରାର୍ଥନାବେଳେ କ୍ଲାସ୍ ରୁମ୍ ରେ ରହିଯାଉ। ଆଉ ସମ୍ପୂର୍ଣ ଅଭ୍ୟାସ କରିକି ଦେଖାଉ। ସବୁ ବିଷୟରେ ଏତେ ଭଲ ନହେଲେବି ଯେତିକି ହୁଏ, ସେତିକିବି ମୋ ସାଙ୍ଗମାନଙ୍କ ଭିତରୁ କେତେଜଣଙ୍କର ହୁଏନି। 


      କ୍ଲାସ୍ ରେ ଭଲ ପଢୁଥିବା ପିଲାଙ୍କ ଲିଷ୍ଟ୍ ରେ ମୋ ନାଁବି ଥାଏ। ସେଥିପାଇଁ ସାର୍ ମାନଙ୍କ ସହ ମୋର ଭଲ ସମ୍ପର୍କଥାଏ। ସମସ୍ତେ ମୋତେ ଭଲବି ପାଆନ୍ତି। ମୋର ଗୋଟାଏ ଗୁଣ ସମସ୍ତଙ୍କୁ ଭଲଲାଗେ, ସେଇଟା କାଳେ ମୁଁ ସମସ୍ତଙ୍କ ସହ ବହୁତ୍ ଶୀଘ୍ର ମିଶିଯାଏ। ସ୍କୁଲ୍ ରେ ମୋର ପିଲାମାନଙ୍କ ସାଥିରେବି ଭଲ ସମ୍ପର୍କଥାଏ। 


      କେତେଜଣ ପିଲାଙ୍କ ଉପରେ ସାର୍ ଙ୍କର ଭାରି ନଜରଥାଏ। ସେଦିନ ଦଶମ କ୍ଲାସ୍ ର ଟେଷ୍ଟ୍ ପରୀକ୍ଷା ଥାଏ। ବିଷୟ ଇଂରାଜୀ। ମୋର ଇଂରାଜୀ ସେତେ ଭଲ ହୁଏନି, ହେଲେ ଚଳନୀୟ।ଆମର ପରୀକ୍ଷା ହେଲେ ଗୋଟାଏ ରୁମ୍ ରେ ପ୍ରାୟ ୨୦ ଜଣ ପିଲା ବସନ୍ତି। ଗୋଟାଏ ବେଞ୍ଚ୍ ରେ ମାତ୍ର ଦୁଇଜଣ। ଶ୍ରେଣୀର ଶେଷ ବେଞ୍ଚ୍ ର ଆଗ ବେଞ୍ଚ୍ ରେ ମୋ ରୋଲ୍ ନମ୍ବର ଲେଖାଥିଲା। ମୁଁ ଯାଇ ବସିଗଲି। ଦୁଇ ଘଣ୍ଟାର ପରୀକ୍ଷା ସମୟ। ସମୟ ଅନୁସାରେ ବେଲ୍ ବାଜିବାପରେ ଆମକୁ ପ୍ରଶ୍ନପତ୍ର ଦିଆଗଲା। ମୁଁ ଏମିତି ପ୍ରଶ୍ନପତ୍ର ଧରି ପ୍ରଶ୍ନକୁ ବୁଝିବାକୁ ଚେଷ୍ଟା କରୁଥାଏ। ଆଉ ଯାହା ଆସୁଥାଏ ତା'ର ଉତ୍ତର ଖାତାରେ ଲେଖୁଥାଏ। ପ୍ରଶ୍ନପତ୍ର ଆଉ ଉତ୍ତର ଖାତା ବ୍ୟତିତ ମୋ ନଜର ଆଉ କେଉଁଠି ପଡୁନଥାଏ।


    ବାସ୍ ଗୋଟାଏ ଘଣ୍ଟାପରେ ଆମ ପ୍ରଧାନଶିକ୍ଷକ ଶ୍ରେଣୀଗୃହ ପରିଦର୍ଶନରେ ଆସିଥାନ୍ତି। ସେ ବହୁତ ରାଗି। ତାଙ୍କୁ ସମସ୍ତେ ଡରନ୍ତି। ସେ ସାର୍ ଆସୁଛନ୍ତି ବୋଲି ପରୀକ୍ଷାରେ ଇନଚାର୍ଜ ଥିବା ସାର୍ କହିଦେଲେ। ସବୁପିଲା ଡରିକି ଛାନିଆଁ। ମୁଁ ସେମିତି ଲେଖୁଥାଏ। ଆମ ପ୍ରଧାନଶିକ୍ଷକ ରୁମ୍ ଭିତରେ ପଶି ବୁଲି ଦେଖିଲେ। ଶେଷରେ ମୋ ପାଖକୁ ଆସି ଛିଡା ହୋଇଗଲେ। ମୋତେ କହିଲେ ସେ କାଗଜଟା ଦେ। ମୁଁ ଆଶ୍ଚର୍ଯ୍ୟ! ତଥାପି ମୋ ଉତ୍ତର ଖାତାଟି ଖୋଲି ସାର୍ ଙ୍କୁ ବଢେଇଲେ। ସାର୍ ମୋତେ କହିଲେ, ଏଇଟା ନୁହେଁ। ଯୋଉଟା ତୋ ଗୋଡ ତଳେ ପଡିଛି, ସେଇଟା ଦେ। ମୁଁ ତଳୁ ଗୋଟେଇ କାଗଜଟି ସାର୍ ଙ୍କ ହାତରେ ଦେଲି। ସେଇଟା ଗୋଟାଏ କପି ପେପର୍ ଥିଲା। ସାର୍ କିଛି କହିବା ଆଗରୁ ମୁଁ ଛାନିଆଁରେ ସାର୍ ଙ୍କୁ କହୁଥାଏ, ସାର୍ ଏଇଟା ମୋର ନୁହେଁ। ଏ କପି କେମିତି ମୋ ଗୋଡ ପାଖକୁ ଆସିଲା ମୁଁ ଜାଣିନି। ଏମିତି କେତେ କ'ଣ କ'ଣ କହିଯାଉଥାଏ ସବୁ। ସାର୍ ମୋତେ କେବଳ ଏତିକି କହିଲେ, ଚୁପ୍! ଚୁପଚାପ୍ ବସ୍। ମୁଁ ବେଞ୍ଚ୍ ଉପରେ ବସିଗଲି। ମୋତେ ସାର୍ କହିଲେ ତୋ ପାଠ ତୁ କରିଯା। ମୁଁ ଆଉ କିଛି ନକହି ଚୁପ୍ ରହିଲି। ସାର୍ ସେ କାଗଜର ଲେଖା ମୋ ଲେଖା ସହ ମିଳାଇଲେ। ମିଶିଲାନି, ଚାଲିଗଲେ। ମୋ ପଛ ବେଞ୍ଚ୍ ରେ ବସିଥିବା ଝିଅର ଲେଖା ସହ ସେ ଲେଖା ମିଶିଲା। ସଙ୍ଗେସଙ୍ଗେ ସାର୍ ତାଙ୍କ ଦସ୍ତଖତ ସେ ଝିଅର ଖାତା ଉପରେ ମାରି ଚାଲିଗଲେ। ମୁଁ ଖୁସି ଯେ ମୋ ନାଆଁରେ ଥିବା ମିଛ ଅଭିଯୋଗ ଆଉ କାହାର ସେଇଟା ଧରା ପଡିଗଲା।


      ସାର୍ ଯିବାପରେ ମୁଁ ସେ ପିଲାକୁ ବହୁତ୍ ଶୁଣାଇଲି। ତାକୁ କହିଲି, ଏଇଟା ଯଦି ବୋଡ୍ ପରୀକ୍ଷା ହେଇଥାନ୍ତା ତେବେ ଏତେବେଳକୁ ହୁଏତ ମୁଁ ଏକ୍ସଫେଲ୍ ହେଇ ଯାଇଥାନ୍ତି। ଏଠି ମୋ ସାର୍ ମାନଙ୍କୁ ଜଣାଆଛି ମୁଁ କପି କରେନି ତେଣୁ ସେମାନେ ଅନ୍ୟ କାହା ଖାତା ଚେକ୍ କଲେ। ନହେଲେତ ମୋ କ୍ୟାରିଅର୍ ନଷ୍ଟ ହେଇଯାଇଥାନ୍ତା। ସେ ମୋତେ ବୁଝାଉଥାଏ, ଭୁଲ୍ ମାଗୁଥାଏ। ହେଲେ ମୁଁ ଶୁଣିବାକୁ ନାରାଜ୍। ତା'କହିବା କଥା, ସେ ତା'ବେଞ୍ଚ୍ ରେ ରଖୁଥିଲା ହେଲେ ଖସିପଡିଲା। ମୋତେ ଉଠେଇକି ଦେବାକୁ କହିଥାନ୍ତା କିନ୍ତୁ ସାର୍ ଆସିଗଲେ। ସେଥିପାଇଁ ଆଉ କିଛି କହିଲାନି। ମୁଁ କିଛି ନଶୁଣି ତା'ସହ ଝଗଡା କଲି ଆଉ ତା'ସହ କଥା ହେବା ବନ୍ଦ୍ କରିଦେଲି।


      କିଛି ଦିନ ଏମିତି ତା'ସହ କଥା ହେବା ବନ୍ଦ୍ କଲାପରେ ପୁଣି ଆମେ କଥା ହେଇଥିଲୁ ଆମ ସ୍କୁଲ୍ ର ବାର୍ଷିକ ଉତ୍ସବରେ। ଦୁହେଁ ଖୁସି। ପୁଣି କିଛି ଦିନପରେ ଆମର ବୋଡ୍ ପରୀକ୍ଷା ହେଲା। ଆମେ ସମସ୍ତେ ଭଲ ନମ୍ବର ରଖି ପାସ୍ ବି ହେଲୁ। ହେଲେ ସ୍କୁଲ୍ ଜୀବନର ପାଠପଢା ବେଳର କିଛି ଅଭୁଲା ସ୍ମୃତି ଆମ ମାନସପଟରେ ଛାପି ହାେଇ ରହିଗଲା।    


Rate this content
Log in