kalpana sahoo

Others

3  

kalpana sahoo

Others

ପୁଅ

ପୁଅ

3 mins
235



   ମୋ ମାଆ ଆଉ ମାଉସୀ ମିଶି ତିନି ଜଣ । ଅଜାଙ୍କର ପୁଅ ନାହାଁନ୍ତି ବୋଲି ତାଙ୍କ ମନ ଭାରି ଦୁଃଖ । କାହାକୁ ସିନା କହିପାରନ୍ତିନି, ହେଲେ ମନ ଭିତରେ ସବୁବେଳେ ସେଇ ଗୋଟାଏ କଥା, ମୋର ଗୋଟାଏ ପୁଅ ଥିଲେ ଭଲ ହେଇଥାନ୍ତା । କିନ୍ତୁ କ'ଣ କରାଯାଇପାରେ? ଯାହା ଭାଗ୍ୟରେ ଯାହା ଲେଖାହେଇଛି, ତାକୁ ତ ସେଇଟା ମିଳିବ । ଏଥିରେ ଯିଏ ଯେତେ ଭାବିଲେ କ'ଣ ହେବ ନାଁ କହିଲେ କ'ଣ ହେବ?

    ଅଜା ହେରିକା ମିଶି ଚାରି ଭାଇ, ମୋ ଅଜା ସବୁ ଭାଇଙ୍କଠୁ ବଡ । ସମସ୍ତଙ୍କର ସମସ୍ତଙ୍କ ସହ ଭାରି ଭଲ ସମ୍ପର୍କ । ଅଲଗା ଅଲଗା ରହିଲେବି ଏକାଠି ଭଳି ଚଳନ୍ତି । ତେଣୁ ଆମେ ବି ସେ ଅଜାମାନଙ୍କର ପୁଅ ଝିଅଙ୍କ ସହ ଭଲ ଭାବରେ ମିଶି ଯାଇଛୁ ପୁରା ନିଜର ଭଳି । ସେମାନେ ବି କୋଉଥିରେ ଉଣା କରନ୍ତିନି । ସାନ ମଝିଆଁ ଅଜାଙ୍କର ଦୁଇ ପୁଅ, ଗୋଟାଏ ଝିଅ । ଝିଅଟିର ବାହାଘର ବହୁତ୍ ଆଗରୁ କରିଦେଇଥିଲେ, ମୁଁ ଜନ୍ମ ବି ହେଇନଥିଲି।

    ମୁଁ ଛୋଟଟେ ହେଇଥିଲି, ସେ ଅଜାଙ୍କର ବଡପୁଅ (ମୋ ମାମୁଁ)ଙ୍କର ବାହାଘର ହେଇଥିଲା । ତାର କେତେ ବର୍ଷ ପରେ ସାନ ମାମୁଁଙ୍କର ବି ବାହାଘର ଅଜା କରାଇଦେଲେ । ସାନ ମାମୁଁଙ୍କର ଗୋଟାଏ ପୁଅ ହେଲା । ସେ ପୁଅର ତିନି ବର୍ଷରେ ଆଉ ଗୋଟାଏ ପୁଅ ହେଲା । କିନ୍ତୁ ସେବେ ଯାଏଁ ବଡମାମୁଁଙ୍କର ପିଲାପିଲି କିଛି ହେଇନଥିଲେ । ସେଥିପାଇଁ ତାଙ୍କ ଘରେ ସବୁବେଳେ ଝଗଡା । କେତେ ନାଟ ଚାଲେ ଛୁଆଟେ ପାଇଁ । ଛୁଆଟିଏ ହେଉନି ବୋଲି ସାଇ ପଡୀଶାଙ୍କ ପାଟିରେ ବି ବାଡ ବତା ଲାଗୁନି । ଦୁନିଆଁ ଲୋକ ଦୁନିଆଁ କଥା ଦେଖେଇ ଶିଖେଇ କହୁଛନ୍ତି । ଆଈ ଏସବୁ ଶୁଣିଲେ ସହିପାରୁନାହାଁନ୍ତି, ସେଥିପାଇଁ ସେ ବି ମାଇଁଙ୍କୁ ବହେ ଶୁଣେଇ ଦେଉଛନ୍ତି । ସମସ୍ତଙ୍କ କଥା ଶୁଣି ମାଇଁ ସହି ପାରନ୍ତିନି, ଖାଲି କାନ୍ଦନ୍ତି । 


   


   କେତେ ଥର ଏମିତି ଏଇ କଥାରୁ କେତେ ବଡ କରିଦିଅନ୍ତି ଯେ ସମସ୍ତେ ମିଶି ମାଇଁଙ୍କୁ ଶେଷରେ ତାଙ୍କ ବାପଘରକୁ ଯିବାକୁ ପଡିଲା । କିଛିଦିନ ବାପଘର ରହିବାପରେ ମାଇଁଙ୍କ ବାପା ଆଉ ଭାଇ ଆସି ମାଈଙ୍କୁ ଘରକୁ ଫେରାଇ ଆଣିବାକୁ କୁହନ୍ତି । ଅଜାଙ୍କ ଅରାଜି ସତ୍ତ୍ୱେ ବି ମାଇଁ ପୁଣି ଥରେ ଶ୍ୱଶୂର ଘରକୁ ଆସନ୍ତି । ଏଥର କିନ୍ତୁ ଆଉ ଝଗଡାଝାଣ୍ଟି, ପିଟାମରା ହୁଏନି । ଆଈ ମାଇଁଙ୍କର ଛୁଆଟିଏ ହେବାପାଇଁ ତାଙ୍କୁ ଦୁନିଆଁ ପ୍ରକାରର ଓଷାବାର, ପୂଜାପାଠ କରିବାକୁ କୁହନ୍ତି । କିନ୍ତୁ କିଛି ଲାଭ ହୁଏନି।

   ପିଲାଟିଏ ପାଇଁ ସମସ୍ତେ ବ୍ୟସ୍ତ । ଝିଅଟିଏ ବାହାଘରପରେ 'ମାଆ' ଡାକରେ ତା'ର ଶ୍ୱଶୂରଘରେ ପୂର୍ଣ୍ଣିତା ଆସେ । ତାପରେ ବି କିଏ ନ ଚାହିଁବ ନିଜର ଗୋଟାଏ ପିଲା ହେଉ । ହେଲେ କାହା ଚାହିଁବାରେ ଯଦି ସବୁ କିଛି ହେଇଯାଉଥାନ୍ତା, ତାହେଲେ ସମସ୍ତେ ଚାହିଁ ଚାହିଁ ସବୁ କିଛି ହାସଲ କରିନିଅନ୍ତେ । ଏମିତି କେତେ କ'ଣ ସବୁ କରିଚାଲିଲେ ମାଇଁ ସେଇ ଗୋଟାଏ ଆଶାରେ । କାଳେ କୋଉଥିରୁ କିଛି ହେଇଯିବ । ସବୁ ପ୍ରକାରର ଚେଷ୍ଟା କରନ୍ତି ପିଲାଟିଏ ପାଇଁ । ଯିଏ ଯାହା କରିବାକୁ କହିଲେ ସେସବୁ ବି କଲେ, ଦୁନିଆଁ ଡାକ୍ତର ଦେଖେଇଲେ । କିନ୍ତୁ କିଛି ଲାଭ ହେଲାନି । ଏମିତି ଏମିତି ଦଶ ବର୍ଷ ବିତିଗଲାପରେ, କେତେ ଗୁଡାଏ ଔଷଧ ଖାଇବାପରେ ମାଇଁ ଗର୍ଭବତୀ ହେଲେ।

    ନଅ ମାସରେ ପୁଅଟିଏ ହେଲା । ପୁଅକୁ ଦେଖି ଘରେ ସମସ୍ତେ ଖୁସି । ପୁଅ ହେବାପରେ ମାଇଁଙ୍କୁ ଯେମିତି ସବୁ ଖୁସି ମିଳିଗଲା । ଏବେ ଆଉ ସେ ଝଗଡା, କଳି, ପାଟିତୁଣ୍ଡ କିଛିବି ନାହିଁ । ସମସ୍ତେ ମିଶି ହସଖୁସିରେ ରହୁଛନ୍ତି । ଏବେ ମାଇଁ ଘରର ସୁନାବୋହୂ ପାଲଟିଯାଇଛନ୍ତି।

    ମୁଁ ସେଇଦିନ ବୁଝିଲି ବୈବାହିକ ଜୀବନରେ ପିଲାଟିଏର ଭୂମିକା କେତେ ଜରୁରୀ । ସେ ପୁଅ ହେଉକି ଝିଅ । କିନ୍ତୁ ଝିଅଟିଏ ଅପେକ୍ଷା ପୁଅଟିଏ ହେଲେ ଲୋକେ ଅଧିକା ଖୁସି ହୁଅନ୍ତି । କାହିଁକିନା ସେମାନେ ଆଜି ବି ଭାବୁଛନ୍ତି, ଝିଅ ହେଲେ ଘରୁ ସବୁକିଛି ନେଇକି ଯିବ ଆଉ ପୁଅ ହେଲେ ଘରକୁ ଆଣିବ । କିଛି ଏକଥା ବି ଭାବନ୍ତି, ପୁଅ ହେଲେ ମଲା ବେଳେ ମୁହଁରେ ନିଆଁ ଦେବ ଆଉ ସେମାନେ ସ୍ୱର୍ଗକୁ ଯିବେ । କିନ୍ତୁ ସେଇଟା ସମ୍ପୂର୍ଣ୍ଣ ଭୁଲ । କାହିଁକିନା ତୁମକୁ ତୁମ ପୁଅ ସ୍ୱର୍ଗକୁ ନେବନି, ତୁମ କର୍ମ । ତେଣୁ କିଛି ଭଲ କର୍ମ କରିବା ଭଲ । 




    



Rate this content
Log in