STORYMIRROR

Kulamani Sarangi

Romance

3  

Kulamani Sarangi

Romance

ଭସାମେଘ

ଭସାମେଘ

6 mins
141


ଅମିତାଭ ଦିନେ ଅନୁଭବ କରିଥିଲା ଯେ ଭଲ ପାଇବାର ଅନ୍ୟନାମ ରୋମାଞ୍ଚଭରା ଆନନ୍ଦ। ପବିତ୍ରତାର ବୃତ୍ତର ସୀମାରେଖା ଭିତରେ ସେ ଭଲପାଇବାଟା ଆବଦ୍ଧ, ଭାବାବେଗର ମନ୍ତ୍ରରେ ସେ ମୁଗ୍'ଧ, ମମତାର ଫୁଲ ରେଣୁରେ ସେ ପରିପୂର୍ଣ୍ଣ;ପ୍ରିୟତମାର ଓଷ୍ଠମଧୁରେ ସିକ୍ତ ସେହି ଲଭ୍ ନାମକ ଫୁଲ।ସ୍ବପ୍ନିଳ ମନର ସାତ ରଙ୍ଗରେ ରଞ୍ଜିତ ଯେଉଁ ଇନ୍ଦ୍ରଧନୁ,ତାର ଅନ୍ୟନାମ ଭଲପାଇବା।


ଦିନେ ଭଲପାଇବାର ଏହି ରଜ୍ଜୁ ସାହାଯ୍ୟରେ ସେ ମନ ନାମକ ଉଚ୍ଛୃଙ୍ଖଳ ଘୋଡାକୁ ବାନ୍ଧି ପାରିଥିଲା।ମନ ଉପରେ ମନ୍ତ୍ର ଜଳ ପକାଇ,ତାକୁ କରକାସିକ୍ତ ଗୋଲାପ ଫୁଲଟିଏ କରି ସେ ପ୍ରତିମାର କବରୀରେ ଖୋସି ଦେଇଥିଲା।ସେହି କବରୀର ଗନ୍ଧରେ,ଫୁଲର ସୁରଭୀରେ ସୁଗନ୍ଧିତ ହୋଇ ଉଠୁଥିଲା ସମଗ୍ର ପୃଥିବୀ,ପୁଲକିତ ହୋଇ ଉଠୁଥିଲା ଅନନ୍ତ ଆକାଶ, ଅଗଣିତ ତାରକା,ଆଉ ବେଡ୍ରୁ'ମ୍'ର ଝରକା ଫାଙ୍କରେ ଦିଶୁଥିବା ଅନେକ ଶିହରଣପୂର୍ଣ୍ଣ ରାତ୍ରିର ସାକ୍ଷୀ ଚନ୍ଦ୍ର।


ଆଜି କିନ୍ତୁ ଅମିତାଭ ଭାବୁଛି ଯେ ଭଲପାଇବାର ଅନ୍ୟନାମ ଯନ୍ତ୍ରଣା...କନସେନଟ୍ରେସନ୍ କ୍ୟାମ୍ପର ଯନ୍ତ୍ରଣା ଠାରୁ ଅଧିକ.... ଦୈହିକ ନହେଲେ ମଧ୍ୟ ଅସହ୍ୟ ସେ ମାନସିକ ଯନ୍ତ୍ରଣା ! ଯେଉଁ ଫୁଲର ସୁରଭିରେ ଦିନେ ଆତ୍ମବିଭୋର ହୋଇଯାଇଥିଲା ଅମିତାଭ,ଆଜି ତା ଭିତରେ କୀଟ ଅଛି ବୋଲି ସେ ସନ୍ଦେହ କରୁଛି। ଯେଉଁ ଚନ୍ଦ୍ର ଦିନେ ତାର ମନ ଆଉ ଅବୟବର ବିସ୍ତୃତ ଇଲାକାକୁ ଶୀତଳ ସ୍ବପ୍ନିଳ ଜ୍ୟୋତ୍ସ୍ନାର ସ୍ପର୍ଶ ଦେଇଥିଲା,ସେ ଚନ୍ଦ୍ର ଦେହରେ କଳଙ୍କ ଥିବା ଆଶଙ୍କାରେ ସେ ଚମକି ପଡୁଛି।

ପ୍ରତିମାକୁ ସେ ସନ୍ଦେହ କରିଛି ।


ସେ ପ୍ରତିମା ମନର ପବିତ୍ରତାକୁ ସନ୍ଦେହ କରିଛି । ଦେହ ଆଉ ମନ ଭିତରେ ମନକୁ ଅଧିକ ଗୁରୁତ୍ବ ଦିଏ ଅମିତାଭ।ପ୍ରେମିକ ପାଖରେ ନିଜ ମନକୁ ବନ୍ଧା ପକାଇ ସ୍ବାମୀ ପାଖରେ ଅବୟବକୁ ସମର୍ପଣ କରୁଥିବା ସ୍ତ୍ରୀକୁ ଘୃଣାକରେ ଅମିତାଭ।


ହୋଇପାରେ ଅମିତାଭ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଭାବପ୍ରବଣ।ପ୍ରତିମାର ଦେହ ଓ ମନ ଉଭୟ ଉପରେ କର୍ତ୍ତୃତ୍ବ ଚାହିଁଥିଲା ଅମିତାଭ।ଖୁବ୍ ସଫଳ ହୋଇଥିଲା ବୋଲି ମଧ୍ୟ ସେ ଭାବୁଥିଲା ।ଆଜି କିନ୍ତୁ ବିଶ୍ବାସର ଜଉଘରରେ ନିଆଁ ଲାଗିଯିବାପରି ମନେହେଉଛି ତାର।


ବିବାହର ଗୋଟିଏ ବର୍ଷ ତାର ଗୋଟିଏ ମୁହୂର୍ତ୍ତ ଭଳି କଟି ଯାଇଥିଲା, ହସଖୁସି,ରାଗଋଷା ଆଉ ମାନଅଭିମାନରେ। ଅଥଚ ବର୍ତ୍ତମାନର ଗୋଟିଏ ଗୋଟିଏ ମୁହୂର୍ତ୍ତ ତାକୁ ଲାଗୁଛି ଗୋଟିଏ ଗୋଟିଏ ଯୁଗପରି।


ଆଜି ସେ ଗାଁ କୁ ଯିବାର ଥିଲା, ଯାଇନାହିଁ।ସବୁ ଶନିବାର ସନ୍ଧ୍ୟାରେ ଅପେକ୍ଷା କରିବା ପରି ଆଜି ମଧ୍ୟ ପ୍ରତିମା ଅପେକ୍ଷା କରି ବସିଥିବ।ଆଗେ କେତେ ଉତ୍କଣ୍ଠାର ସହିତ ଶନିବାର ସନ୍ଧ୍ୟାକୁ ଅପେକ୍ଷା କରି ରହିଥାଏ ଅମିତାଭ ! ପାଞ୍ଚଟା ପୂର୍ବରୁ ଡେସ୍କ୍'ର କାମଦାମ ଶେଷକରି ଦେଇ,ବସ୍ ଷ୍ଟାଣ୍ଡରେ ପହଞ୍ଚି ଯାଏ ଅମିତାଭ। ଭୁବନେଶ୍ୱରରୁ ସେହି ଗୋଟିଏ ମାତ୍ର ବସ୍ ତାଙ୍କ ଗାଁକୁ..ଡର ଥାଏ କାଳେ ବସ୍ ଫେଲ୍ ହୋଇଯିବ।


ଘରେ ପହଞ୍ଚି ସଙ୍ଗେ ସଙ୍ଗେ ପ୍ରତିମାର ମୃଣାଳ କୋମଳ ବାହୁବନ୍ଧନରେ ଆବଦ୍ଧ ହୋଇ ଅଧା ଡଜନ ଚୁମା ବିନିମୟ ନହେବା ପର୍ଯ୍ୟନ୍ତ ମନ ସ୍ଥିର ରହେ ନାହିଁ ଅମିତାଭର।ପ୍ରତିଥର ପ୍ରିୟତମା ତାକୁ ନୂଆ ନୂଆ ଲାଗେ...ଚୁମ୍ବନ ଲାଗେ ସଦ୍ୟସ୍ନାତା ଅର୍ଦ୍ଧ ପ୍ରସ୍ଫୁଟିତ କଳିକାର ପୁଷ୍ପମଧୁ ଭଳି।


ଆଜି ମଧ୍ୟ ସବୁଥର ଭଳି ପ୍ରତିମା ତା ପାଇଁ ଅପେକ୍ଷା କରି ବସିଥିବ। କିନ୍ତୁ ଅମିତାଭ ଆଗରେ ସେ ପ୍ରତୀକ୍ଷା ଏକ ଭାବାବେଗ ବିହୀନ ଛଳନାପୂର୍ଣ୍ଣ ଅପେକ୍ଷା ଭଳି ମନେହେଲା। ତେଣୁ ସେ ଯାଇନାହିଁ।


ପ୍ରତିମାର ଚରିତ୍ର ବିଷୟରେ କିଛି ଚର୍ଚ୍ଚା ଶୁଣିବା ପରଠାରୁ ଅମିତାଭର ମନର ଶେଲ୍'ରେ ନିଆଁ ଲାଗିଯାଇଛି।ସେ ଭାବୁଛି..ସବୁ ଛଳନା..ପ୍ରତିମାର ମାନଅଭିମାନ ଭଲପାଇବା...ସବୁ ଛଳନା.. ଛଳନାର ପ୍ରତିମୂର୍ତ୍ତି ପ୍ରତିମା। ପଶ୍ଚିମ ଆକାଶକୁ ଚାହିଁଲା ଅମିତାଭ... ରାଜଧାନୀର ଆକାଶରେ ସୂର୍ଯ୍ୟ ବୁଡି ଯାଉଛନ୍ତି ପରଦିନ ଆସିବାର ପ୍ରତିଶ୍ରୁତି ଦେଇ। ଅମିତାଭର ମନ ଆକାଶରେ ଶାନ୍ତିର ସୂର୍ଯ୍ୟ ବୁଡି ଯାଉଛନ୍ତି ବିନା କିଛି ପ୍ରତିଶ୍ରୁତିରେ।


ବୁଡିଯିବେ ସୂର୍ଯ୍ୟ..ଆସିବ ଅମା ଅନ୍ଧକାର...ପାହିବ ନାହିଁ ସେ ଅନ୍ଧକାରର ରଜନୀ..ଛଳନାମୟୀ ଗୋଟାଏ ସ୍ତ୍ରୀକୁ ନେଇ ସେ ଅନ୍ଧକାର ଭିତରେ ଅତିକ୍ରମ କରିବ ଜୀବନର ଅନ୍ଧଗଳି !!

ମସ୍ତିଷ୍କରେ ଶତ ବୃଶ୍ଚିକର ଦଂଶନର ଅନୁଭବ କଲା ଅମିତାଭ...ସ୍ନାୟୁର ପ୍ରତ୍ୟେକ ତନ୍ତ୍ରୀରେ ହଳାହଳର ପ୍ରତିକ୍ରିୟା!


ଆଲୋକଠାରୁ ବେଗବାନ୍ ତାର ମନ ଶହ ଶହ ମାଇଲ୍ ଅତିକ୍ରମ କରି ନିଜ ବେଡ୍ ରୁମ୍'ର ଝରକା ପାଖରେ ଭିତରକୁ ଅନାଇଲା ।ମନଶ୍ଚକ୍ଷୁରେ ସେ ଦେଖିଲା ପୂର୍ବତନ ପ୍ରେମିକର ବାହୁ ବନ୍ଧନ ଭିତରେ ଆଲିଙ୍ଗନରେ ଆତ୍ମହରା ହୋଇଛି ପ୍ରତିମା...ହଜି ଯାଇଛନ୍ତି ଦୁହେଁ ଏକ ରୋମାଞ୍ଚ ମୁଦ୍ରାରେ କେଉଁ ଏକ ସ୍ବପ୍ନିଳ ରାଜ୍ୟରେ।ଇସ୍! କି ବିଭତ୍ସ ! କି ହିପୋକ୍ରିସି !ପ୍ରକୃତରେ ଛଳନାର ଅନ୍ୟ ନାମ ନାରୀ ! ...


ରାକେଶ ଠାରୁ ପ୍ରତିମା ବିଷୟରେ ଅନେକ କିଛି ଶୁଣିବା ପରଠାରୁ ମନ ତାର ବିଷାକ୍ତ ହୋଇ ଉଠିଛି।ଘୁଣପୋକ ଚରିଯାଇଛି ମନରେ।

ଏଇ ପ୍ରତିମା ସହିତ ବିବାହ ତାର ଠିକ୍ ହୋଇଯାଇଥିଲା ଅକସ୍ମାତ।ଫଟୋ ଦେଖିବା ପରେ ନିଜର ସମ୍ମତି ଜଣେଇ ଦେଇଥିଲା ସେ।କାହାକୁ ପଚାରି ବୁଝି ନଥିଲା ପ୍ରତିମା ବିଷୟରେ।ଜାଣିବାକୁ ଚାହିଁ ନଥିଲା ତାର ଇତିହାସ।ଅଥଚ ତାର ସାଙ୍ଗସାଥି ମାନେ ତାକୁ କହିଥିଲେ.. ଭଲକରି ଦେଖି ଚାହିଁ ବାହା ହ।କିଏ ଜାଣେ ସୁନ୍ଦର ଭୁଗୋଳ ପଛରେ ଥାଇପାରେ କଦର୍ଯ୍ୟ ଇତିହାସ।


କାହିଁକି ସେ ଜାଣିବାକୁ ଚାହିଁଲା ନାହିଁ? ଚାହିଁଥିଲେ ହୁଏତ ପଢି ପାରିଥାନ୍ତା ପ୍ରତିମାର ପ୍ରାଗ୍ ବୈବାହିକ ଇତିହାସର କିଛି ପୃଷ୍ଠା...ସିଧା ମନା କରିଦେଇଥାନ୍ତା ତା ସହିତ ବିବାହ ପାଇଁ।କିନ୍ତୁ ଅଳସୁଆ ନାଗସାପ ପରି ମୂଷା ଭାବି ଚୁଚୁନ୍ଦ୍ରାକୁ ଗିଳି ଦେଇଛି ସେ। ସ୍ତ୍ରୀ ଭାବରେ ପ୍ରତିମାକୁ ଥରେ ଗ୍ରହଣ କରି ଆଜି ସନ୍ଦେହ କରିବାର କି ଅଧିକାର ଅଛି ତାର ?


ନିଜ ପ୍ରଶ୍ନରେ ନିଜେ ଚମକି ଉଠିଲା ଅମିତାଭ।

କିନ୍ତୁ କର୍ତ୍ତବ୍ୟର ଦ୍ୱାହି ଦେଇ କଣ ଗୋଟାଏ ଛଳନାମୟୀ ସ୍ତ୍ରୀକୁ ପ୍ରେମ ଜ୍ୟାମିତିର ଉପପାଦ୍ୟ ଭଳି ଘୋଷି ଭଲ ପାଇ ହୁଏ ! ଭଲ ପାଇବା ତ ଗୋଟାଏ ମାନସିକ ଅବସ୍ଥା.. ସେଠାରେ ଅଧିକାର ସାବ୍ୟସ୍ତ କରି ଭଲପାଇବା ଆଦାୟ କରି ହୁଏନା।


ଯେତିକି ଯେତିକି ଚିନ୍ତାକଲା,ସେତିକି ମନ ବିଷାକ୍ତ ହୋଇ ଉଠିଲା ଅମିତିଭର।


ରାକେଶ କହୁଥିଲା..ବିବାହ ପୂର୍ବରୁ ପ୍ରତିମା ଭଲ ପାଉଥିଲା ତା ସହପାଠୀ ସୁସିମ୍'କୁ।ପାର୍କ ଭିତରେ ସେମାନଙ୍କୁ ଅତି ପାଖାପାଖି ବସିଥିବାର ଅନେକ ଥର ଦେଖିଚି ରାକେଶ।ସହରରେ ପ୍ରେକ୍ଷାଳୟରେ ନୂଆ ସିନେମା ପଡ଼ିଲେ ପ୍ରଥମ ଦିନ ପ୍ରଥମ ସୋ ଦେଖୁଥିଲେ ସେ ଦୁହେଁ।ଏତେ ଅନ୍ତରଙ୍ଗ ମୁହୂର୍ତ୍ତ ସେମାନଙ୍କର କୌଣସି କାମରେ ଆସିନଥିଲା।ସୁସିମ୍ ସ୍ବଜାତିର ନଥିଲା ଏବଂ ପ୍ରତିମାର ବାପା ଇଣ୍ଟରକାଷ୍ଟ୍ ବିବାହ ସପକ୍ଷରେ ନଥିଲେ।


ଆଃ! କି ଯନ୍ତ୍ରଣା ! ଆଉ ଭାବି ପାରୁନଥିଲା ଅମିତାଭ।ଏତେ ଯନ୍ତ୍ରଣା ଭିତରେ କ'ଣ ବଞ୍ଚିହୁଏ ?କିଛି ଗୋଟାଏ ନିଷ୍ପତ୍ତି ନେବାପାଇଁ ଠିକ୍ କଲା ଅମିତାଭ।

ରାକେଶ, ପ୍ରତିମା ଏବଂ ସୁଷିମର କିଛି ଯୁଗଳ ଆଲୋକ ଚିତ୍ର ସହିତ ସେମାନଙ୍କର ଦୀର୍ଘ ମୋବାଇଲ କଥୋପକଥନର ପ୍ରିଣ୍ଟ ଆଉଟ୍ ଅଭିତାଭକୁ ସମର୍ପି ଦେଇଛି।

ରାକେଶ ହୁଏତ ଗୋଟାଏ ବ୍ଲାକମେଲର।ହୁଏତ ପ୍ରତିମା ଠାରୁ କିଛି ଅବୈଧ ସମ୍ପର୍କ ମାଗି ବସି ସେ ଖାଇଛି ଚପଲ ମାଡ଼। କିନ୍ତୁ ଏ ମୁହୂର୍ତ୍ତରେ ତ ସେ ଅମିତାଭର ଅତି ପ୍ରିୟ ବନ୍ଧୁ ପାଲଟି ଯାଇଛି। ଦୁହେଁ ଗୋଟିଏ ଦଦରା ନାଆର ଯାତ୍ରୀର ମାନସିକତା ନେଇ ପରସ୍ପରକୁ ବନ୍ଧୁ ବୋଲି ଭାବୁଛନ୍ତି।


ରାକେଶ ଠାରୁ ପ୍ରତିମାର ଚରିତ୍ର ବିଷୟରେ ସବୁ ଶୁଣିବା ପରେ ଅମିତାଭ ଭାବିଲା.. ସମୁଦ୍ର ମନ୍ଥନରୁ ବାହାରିଥିବା ସବୁ ହଳାହଳ ଶିବ ପିଇଛନ୍ତି ବୋଲି ଯାହା କୁହାଯାଏ,ତାହା ମିଥ୍ୟା।ବିଶ୍ବର ସବୁ ହଳାହଳ ଅମିତାଭ ପାଇଁ ହିଁ ଥୁଆ ହୋଇଛି ଆକଣ୍ଠ ପାନ କରିବା ପାଇଁ।


ଅମିତାଭ ମନକୁ ଦୃଢ଼ କଲା।ଘରକୁ ଯାଇ ସେ ପ୍ରଥମେ ଚ୍ୟାଲେଞ୍ଜ କରିବ ପ୍ରତିମା ଆଗରେ ତାର ପ୍ରାଗ୍ ବୈବାହିକ ପ୍ରେମକୁ ନେଇ।

ପ୍ରତିମା ମନାକରିବ।ଛଳନା ଭରା କଣ୍ଠରେ କହିବ..."ମନ ପ୍ରାଣରେ ତମେ ହିଁ ମୋର ସବୁ।ମୋର ଦେହ ଓ ମନର ଇଲାକାରେ କାହାର ମଧ୍ୟ ପାଦ ଚିହ୍ନ ପଡ଼ିନାହିଁ।ତମେ ହିଁ ମୋ ଜୀବନର ଏକମାତ୍ର ପୁରୁଷ...ଇହ ପର କାଳର ଦେବତା।"

ତାପରେ ଛଳନାର ଲୁହରେ ଭିଜାଇ ଦେବ ସେ ଅମିତାଭର କୋଳ।


ସେତିକିବେଳେ ଭାନୁମତୀର ପେଡ଼ି ଖୋଲିବ ଅମିତାଭ।ତା ଭିତରୁ ବାହାର କରିବ ଯୁଗଳ ମୂର୍ତ୍ତିର ଆଲୋକ ଚିତ୍ର ଯାହା ରାକେଶ ସୁସିମର ଚାକରକୁ ଲାଞ୍ଚଦେଇ ହାସଲ କରିଥିଲା। ପ୍ରମାଣ ସ୍ବରୂପ ପେଶ୍ କରିବ ମୋବାଇଲ କଥୋପକଥନର ପ୍ରିଣ୍ଟଆଉଟ୍। ଚମକି ପଡିବ ପ୍ରତିମା,ସ୍ତବ୍ଧ ହୋଇଯିବ।ଆଉ ବାଟ ନଥିବ ଛଳନାର ମୁଖା ପିନ୍ଧି ସତୀ ସାବିତ୍ରୀର ଅଭିନୟ କରିବା ପାଇଁ।ଛଡ଼ା ଫୁଲ,ଝଡାପତ୍ର ପରି ଘୃଣା ଏବଂ ଅବହେଳାର ଡଷ୍ଟବିନ୍ ଭିତରକୁ ପ୍ରତିମାକୁ ଫିଙ୍ଗିଦେଇ ଚାଲି ଆସିବ ଅମିତାଭ।ଭୁଲିଯିବ ତାକୁ ଗୋଟାଏ ଦୁସ୍ବପ୍ନ ପରି। 

ଆଇନତଃ ନହେଲେ ମଧ୍ୟ ମାନସିକ ନିର୍ବାସନ ସେ ଦେବ ପ୍ରତିମାକୁ...ଘୃଣା, ଅବହେଳାର ପୁତିଗନ୍ଧମୟ ନର୍କରେ ଗଳିତ,ଛିନ୍ନ ଭିନ୍ନ ହୋଇ ମିଳେଇଯିବ ପ୍ରତିମାର ମନ ଓ ଅବୟବ।


ଆଜି ରବିବାର। ପ୍ରତିମାକୁ ଭୁଲିଯିବା ପାଇଁ ନିଷ୍ପତ୍ତି ନେଵା ପରଠାରୁ ମନରୁ ତାର ଅନ୍ତର୍ଦ୍ବନ୍ଦ ଦୂରେଇ ଯାଇଛି।ଘରେ ପହଞ୍ଚିଲା ଅମିତାଭ।ପ୍ରତିମା ଆବେଗଭରା ମନରେ ଧାଇଁ ଆସିଲା।କହିଲା...କାଲି କାହିଁକି ଆସିଲନି?କେତେ ମୁଁ ଚାହିଁଛି ତମ ବାଟକୁ.. ଅପେକ୍ଷାର ଯନ୍ତ୍ରଣା କେତେ ଜାଣିଛନା? କେମିତି ବା ଜାଣିବ?ତମେ କଣ କେବେ କାହାପାଇଁ ଅପେକ୍ଷା କରିଛ ଯେ ଜାଣିବ?


ଅମିତାଭ କହିଲା.... ମୁଁ କଣ କାହାକୁ ପ୍ରେମ କରିଛି ଯେ ଜାଣିବି?ତମର ଅଭିଜ୍ଞତା ଥିବ ,ନିଶ୍ଚୟ ଅପେକ୍ଷା କରିଥିବ ଅନେକ ଥର କାହାପାଇଁ...କଣ ଭୁଲ୍ କହିଲି?ସତ କହିଲ,ପ୍ରାଗ୍ ବୈବାହିକ ଜୀବନରେ ପ୍ରେମ କରିନ ତମେ କାହାକୁ?ବିତେଇନ ତମେ ଅନେକ ଅନ୍ତରଙ୍ଗ ମୁହୂର୍ତ୍ତ କାହା ସହିତ ଏବଂ ପ୍ରଜାପତି ଫୁଲ ଛାଡି ଉଡିଗଲା ପରି ଦୂରେଇ ଯାଇନି ସେ ପୁଣି ଥରେ ମିଳନର ପ୍ରତିଶ୍ରୁତି ଦେଇ ?


ପ୍ରତିମା ଗଭୀର ଦୃଷ୍ଟିରେ ଚାହିଁଲା ଅମିତାଭକୁ...କଣ ହେଇଚି ତମର ଆଜି ?ତମେ ତ ମୋର ସେ ଅମିତାଭ ନୁହଁ ଯେ ପ୍ରଗଲ୍'ଭ କୃଷ୍ଣସାର ପରି ଘୂରି ବୁଲୁଥିଲା ମୋ ମନ ଉପତ୍ୟକାରେ। ମୁଁ ଠିକ୍ ଜାଣିଛି ଅମିତାଭ ତୁମେ ସନ୍ଦେହର ଯବକାଚ ଭିତରେ ମୋ ମନକୁ ଦେଖିବାକୁ ଚେଷ୍ଟା କରି ଅନେକ ଆଲୁଅର ଇନ୍ଦ୍ରଜାଲ ଭିତରେ ଜଳକା ହୋଇଯାଇଛ।


ଟିକିଏ ନୀରବ ରହି କହିଲା ପ୍ରତିମା...ତମେ ଠିକ୍ କହିଛ,ପ୍ରାଗ୍ ବୈବାହିକ ଜୀବନରେ ଜଣଙ୍କୁ ଜୀବନସାଥୀ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଅନେକ ଅନ୍ତରଙ୍ଗ ମୁହୂର୍ତ୍ତ କଟାଇ ଥିଲି ମୁଁ। ପ୍ରତିଶ୍ରୁତିବଦ୍ଧ ଥିଲୁ ଆମେ ପରସ୍ପରରକୁ ଜୀବନ ସାଥୀ କରିବାପାଇଁ। ପ୍ରତିବନ୍ଧକ ହେଲା ସମାଜ।ଏ ସମାଜରେ ଯେଉଁ ମାନଙ୍କର ଏକଚାଟିଆ ଅଧିକାର ସେମାନଙ୍କ ବିରୁଦ୍ଧରେ ଯାଇ ହୁଏନାହିଁ।ଯିବାକୁ ଚେଷ୍ଟା କଲେ ଜୀବନ ଦୁର୍ବିସହ ହୋଇଯାଏ।ଲହଡିକୁ ପ୍ରତିରୋଧ କଲେ ଆଘାତ ମିଳେ,ମୁଣ୍ଡ ନୁଆଇଁ ଦେଲେ ମୁଣ୍ଡଉପର ଦେଇ ଚାଲିଯାଏ।ସେହି ମାନଙ୍କର ନିର୍ଦ୍ଦେଶ ମାନି ମୁଁ ତୁମ ସହିତ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ରାଜି ହେଲି।


ବିବାହ ବେଦୀରେ ପବିତ୍ର ହୋମ ଅଗ୍ନିରେ ଅତୀତକୁ ପୋଡିଦେଲି।ବେଦୀର ପବିତ୍ର ମନ୍ତ୍ର ପାଠରେ ମନକୁ ପବିତ୍ର କଲି।ତମ ହାତର ସ୍ପର୍ଶ ଭିତରେ ଖୋଜିନେଲି ଜୀବନର ସବୁ ଆଶ୍ରା।ପଛକୁ ଫେରି ଚାହିଁ ନାହିଁ ତା ପରଠାରୁ।ଅତୀତକୁ ଜାଳି ପୋଡ଼ି ଦେଇ ପାଉଁଶ ଭିତରୁ ନନ୍ଦନ କାନନ ସୃଷ୍ଟି କରିବାକୁ ଚେଷ୍ଟା କରିଛି।କୌଣସି କଥା ତୁମକୁ ଲୁଚାଇବି ନାହିଁ ବୋଲି ପଣ କରିଥିଲି ବିବାହ ବେଦୀରେ।କ‌ହିବି କହିବି ବୋଲି ଅନେକ ଥର ଚେଷ୍ଟା କରି ମଧ୍ୟ କଥା ଅଟକି ଯାଇଛି ତଣ୍ଟି ପାଖରେ।ତୁମ ଅନାବିଳ ସ୍ନେହ ଭିତରେ ସେ ସ୍ମୃତି ଗୌଣ ହୋଇ ଆପେ ବିସ୍ମୃତ ହୋଇଯାଇଛି।


ମୁଁ ଜାଣେ ଆଜି ତୁମ ମନରେ କେତେ ଯନ୍ତ୍ରଣା। ମୁଁ ବି ତ ଦିନେ ଏମିତି ଯନ୍ତ୍ରଣାର ଶିକାର ହୋଇଥିଲି। ତଥାପି ସାଲିସ୍ କରିନେଲି,ସମୟ ସହିତ ସମାଜ ସହିତ।ତୁମକୁ ମୋ ରାଣ ତୁମେ ବି ସେମିତି କରିନିଅ। ସୃଷ୍ଟି ନିୟାମକଙ୍କୁ ସାକ୍ଷୀରଖି ଆମ ପବିତ୍ର ବନ୍ଧନର ଦ୍ୱାହି ଦେଇ ମୁଁ ଶପଥ କରି କହୁଛି,ଆଜି ମୋ ଜୀବନ ଅଗଣାରେ କା‌ହା ସ୍ମୃତିର ପାଦ ଚିହ୍ନ ରହିନାହିଁ।ତମକୁ ମୋ ରାଣ,ତମେ ମୋ ସଯତ୍ନବର୍ଦ୍ଧିତ ସ୍ବପ୍ନର ଉଦ୍ୟାନକୁ ଅବୁଝାମଣାର ଝଡରେ ଧ୍ବସ୍ତ ବିଧ୍ବସ୍ତ କରିଦିଅନାହିଁ।ମୋ ଉପରେ ଦୟାକର।


ଅଶ୍ରୁ ପୂର୍ଣ୍ଣ ପ୍ରତିମାର ଆଖି।ସେ ଆଖିଭିତରେ ଅମିତାଭ ଦେଖୁଥିଲା ଏକ ସରଳ ପ୍ରେମମୟୀ ପ୍ରତିମୂର୍ତ୍ତି।ଆବେଗରେ ପ୍ରତିମାକୁ ବାହୁ ବନ୍ଧନ ଭିତରେ ଭିଡ଼ି ଧରିଲା ଅମିତାଭ।ହାତରେ ଧରିଥିବା ତୋଡାଏ କାଗଜ ଓ ଫଟୋ ରୋଷେଇ ଘର ଜଳନ୍ତା ଚୁଲିକୁ ପକାଇ ଦେଲା ଅମିତାଭ।ପ୍ରତିମାର ପ୍ରଶ୍ନିଳ ଆଖିର ଉତ୍ତରରେ ସେ କହିଲା..ମନର ଆବର୍ଜନା ସବୁକୁ ନିଆଁ ଭିତରେ ପକାଇ ଦେଲି ପ୍ରତିମା।ମତେ କ୍ଷମା କରିଦିଅ।

ଅବୁଝାମଣାର ଭସାମେଘ ଦୂରେଇ ଯାଇ ନିର୍ମଳ ତାରକିତ ଓ ଜ୍ୟୋତ୍ସ୍ନା ବିଧୌତ ହୋଇ ଉଠୁଥିଲା ଅମିତାଭର ମନ ଆକାଶ ।


Rate this content
Log in

Similar oriya story from Romance