Golak Bihari Sahoo

Crime

4  

Golak Bihari Sahoo

Crime

ଭ୍ରଷ୍ଟାଚାରୀର ସ୍କେଟିଂ ଖେଳ

ଭ୍ରଷ୍ଟାଚାରୀର ସ୍କେଟିଂ ଖେଳ

3 mins
273



ତହସିଲ ଓ ଆର୍ ଆଇ ଅଫିସି ର କାର୍ଯ୍ୟ ପ୍ରଣାଳୀ ଏବଂ ସେଠାରେ ଘଟୁଥିବା ନିତିଦିନିଆ ଘଟଣା ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣା।କାହାକୁ ଗୁହାରୀ କରିବେ? ଅଧସ୍ଥନ କର୍ମଚାରୀ ଯାହା କରନ୍ତି ତାହା ଉପରିସ୍ଥ ଅଧିକାରୀଙ୍କ ଗୋଚରରେ ହୁଏ ବୋଲି ସମସ୍ତେ କହନ୍ତି। ତହସିଲ ଅଫିସରଙ୍କ ପ୍ରକୋଷ୍ଠ ପ୍ରାୟତଃ ସବୁବେଳେ ବନ୍ଦ ଥାଏ। ସାହେବ କୁଆଡେ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣି ଶୁଣି ସମ୍ବେଦନଶୀଳତା ହରାଇ ବସିଛନ୍ତି କିମ୍ବା ନିଜର ଅପାରଗତାକୁ ଘୋଡାଇ ରଖିବା ପାଇଁ ପଳାତକ ନୀତି ଆପଣେଇ ଛନ୍ତି। 


ସନାତନ ଅଧସ୍ଥନ କର୍ମଚାରୀ, ପିଅନ। କିନ୍ତୁ ତା ବିନା ଅଫିସ କାମ ଅଚଳ। ଲୋକେ ତାକୁ ସେଥିପାଇଁ ଡାକନ୍ତି - ସନାତନ ବାବୁ। ଆଖପାଖ ଗାଁ ଗଣ୍ଡାରୁ ବୁଢାବୁଢୀ, ସ୍ତ୍ରୀ ଓ ପୁରୁଷ ଙ୍କ ଭିଡ ତାରି ପାଖରେ। ବଡବାବୁଙ୍କୁ ଦେଖାକଲେ ସେ କହନ୍ତି - ସନାତନକୁ ଦେଖାକର। ଗଦା ଗଦା ନଥିପତ୍ର ବନ୍ଧାହୋଇ ସଜାଇ ରଖିଛି ସନାତନ। ଯେତେ ବର୍ଷର ପୁରୁଣା କେଶ୍ ହେଲେ ବି ସେ ହିଁ କେବଳ ଖୋଜି ଖୋଜି ବାହାର କରିବ। ଅବଶ୍ୟ ସମୟ ଦରକାର। ଏକ ଘଣ୍ଟା, ଏକ ଦିନ କିମ୍ବା ଏକ ମାସ। ଏ ସବୁ ତାରି କ୍ଷମତା। 

ସେ ଦିନ ଜଣେ ବୟସ୍କ ବ୍ୟକ୍ତି ଗାଁ ରୁ ସକାଳୁ ସକାଳୁ ଆସି ଗେଟ ପାଖରେ ଅଧିଆ ପଡିଛନ୍ତି। ସନାତନ ବାବୁ କେତେବେଳେ ଆସିବେ। ଆସୁ ଆସୁ ଗେଟ ପାଖରେ ଧରିଲେ ସନାତନ ବାବୁକୁ। କଣ ସବୁ କାଗଜପତ୍ର ତାଙ୍କ ହାତକୁ ବଢାଇ ଦେଇ କହିଲେ-"ମୋ ଜମିର ପଟ୍ଟାଟିକୁ ଶୀଘ୍ର କରି ଦିଅ। ୮ ମାସ ହେଲା ତୁମ ଅଫିସରେ ମୋ କେଶ୍ ପଡି ରହିଛି। ୪ ଥର ଆସି ଫେରି ଗଲିଣି। ତୁମ ଆଗରୁ ଯେଉଁ ପିଅନ ବାବୁ ଥିଲେ, ତାଙ୍କୁ ମୁଁ ସବୁ ପାଉଣା ଦେଇ ଦେଇଛି। ପଟ୍ଟା ନ ପାଇଲେ ଜମିଟିକୁ ବିକ୍ରି କରି ପାରୁ ନାହିଁ। ଝିଅର ବାହାଘର ମୁଣ୍ଡ ଉପରେ। ତୁମର ଆଉ କଣ ଦରକାର କୁହ। ୧୫ ଦିନ ଭିତରେ ମୋ ପଟ୍ଟାଟି କରିଦିଅ। "


--ଠିକ୍ ଅଛି। ନିଜର ଡାହାଣ ହାତର ପାପୁଲି ଟେକି ପାଞ୍ଚଟି ଯାକ ଆଙ୍ଗୁଠି ଟେକି ଧରି କହିଲେ-" ଦେବ ଯଦି ତୁମ କେଶ୍ ଟିକୁ ଖୋଜି ବାହାର କରି ବଡବାବୁଙ୍କୁ କହି କରାଇ ଦେବି। ଆଗରୁ ଯାହାକୁ ଦେଇଥିଲ, ସେତ ତିନିମାସ ହେଲା ସସପେଣ୍ଡ ହୋଇ ଯାଇଛି। ତା ଅମଳର ସବୁ କେଶ୍ ର ନଥିପତ୍ର ଆମେ ଅଲଗା ବାନ୍ଧି ଦେଇ ରଖିଛୁ।" 


କିଛି ଦିନ ତଳେ ଖବରକାଗଜରେ ପ୍ରକାଶିତ ଖବର ମନେ ପଡିଲା। ରଘୁ ପିଅନ କଥା। ଲୋଭର ବଶବର୍ତ୍ତୀ ହୋଇ କାହାଠାରୁ ୧୫୦୦ଟଙ୍କା ନେବ ବୋଲି ଜିଦ୍ କଲା। ଭିଜିଲାନ୍ସ ଜାଲରେ ପଡି ସସପେଣ୍ଡ ହେଲା। 

ଭ୍ରଷ୍ଟାଚାର ର ପଥ ଚିକ୍କଣ। ତା ଉପରେ ଧାଁ ଦୌଡ଼ କଲେ କେଉଁ ମୁହୂର୍ତ୍ତରେ କଚଡା ଖାଇବ କହି ହେବ ନାହିଁ। କିନ୍ତୁ ମଣିଷ କଚଡା ଖାଇଲେ ସତର୍କ ହୋଇ ଯାଏ। ଦେଖି ଚାହିଁ ଚାଲେ। କିନ୍ତୁ ରଘୁ କଚଡା ଖାଇଲା ପରେ ପୁଣି ସନାତନ ସେହି ପଥରେ କିପରି ଦୌଡୁଛି? 

ପଚାରିଲି - "ସନାତନ, ରଘୁ ସସପେଣ୍ଡ ହେଲାପରେ ସାଧାରଣ ଜନତା ଭାବେ, କାର୍ଯ୍ୟ ପ୍ରଣାଳୀ ରେ କିଛି ସ୍ବଚ୍ଛତା ଓ ସାଧୁତା ଆସିବ। କିନ୍ତୁ ତୁମେ ପୁଣି ସେହି ରାସ୍ତା ରେ?" 

--ଏଇଟା କିଛି ନୂଆ କଥା ନୁହେଁ। ବର୍ଷ ବର୍ଷ ଧରି ଏହା ଚାଲି ଆସିଛି। ବଡ଼ ସାହେବ ପରୋକ୍ଷରେ ଏ ସବୁ ଚାଲୁ ରଖିବାକୁ କହନ୍ତି। ଅଫିସରେ କର୍ମଚାରୀ ଅଭାବ। କାମ ଗଦା ଗଦା ପଡି ରହିଛି। ହାତ ଚିକ୍କଣ ନ କଲେ ଫାଇଲ ଏ ହାତକୁ ସେ ହାତ ଖସିବନି। ଏହି ଖସଡା ରାସ୍ତା ରେ ଆମକୁ ଚାଲିବାକୁ ହୁଏ। କଚଡା ଖାଇଲେ ବି ସେଥିରେ ଦୁଃଖ କରିବାର ନାହିଁ। ସ୍କେଟିଂ ଖେଳାଳି ମାନେ କେତେ କଚଡା ଖାଇ ପୁଣି ଉଠି ସ୍କେଟିଂ କରି ମଜା ନିଅନ୍ତି। ଆମେ ତାଙ୍କ ଭଳି ଜଣେ ଜଣେ ସ୍କେଟିଂ ଖେଳାଳି। 


--ମଜା ସମସ୍ତେ ନେଉଛନ୍ତି। ତୁମେ ଆଗରେ ଦୌଡୁଛ କାହିଁକି? 


--ମୁଁ କଚଡା ଖାଇଲେ ସେମାନେ ପଛରେ ମୋତେ ସାହାଯ୍ୟ ସହଯୋଗର ହାତ ବଢାଇବେ। ଆହତ ହେଲେ ବଡ ଅଧିକାରୀ ମୋତେ ସୁରକ୍ଷା ଦେଇ ପାରିବେ। କିନ୍ତୁ ସେ କଚଡା ଖାଇଲେ, ଅର୍ଥାତ୍ ତାଙ୍କର ଚାକିରି ରେ ବ୍ୟାଘାତ ଆସିଲେ, ଆମର କ୍ଷମତା ନାହିଁ ତାଙ୍କୁ ସାହାଯ୍ୟ କରିବାକୁ। ପୁନଶ୍ଚ ମୋ ଚାକିରି ଗଲେ ଅନ୍ଯ କିଛି କର୍ମ କରି ଅବା ଭିକ୍ଷା କରି ପରିବାର ଚଳାଇ ନେବି। ତାଙ୍କର ଚାକିରିରେ ଆଘାତ ଆସିଲେ, ସେ ଲୋକ ଲଜ୍ଜ୍ଯାରେ ଆତ୍ମହତ୍ୟା କରିବେ କିମ୍ବା ରକ୍ତଚାପର ପ୍ରହାରରେ ହୃଦ୍ ଘାତ ରେ ଯିବେ। "

ଭାବିଲି - ଏଭଳି ସମସ୍ତ ପଦାଧିକାରୀ ମାନଙ୍କର ଯଦି ଆତ୍ମହତ୍ୟା ପ୍ରବଣଶୀଳତା ଓ ହୃଦ୍ ଘାତ ରେ ଅକ୍ରାନ୍ତ ହେବାର ସମ୍ବେଦନଶୀଳତା ଥାଆନ୍ତା, କେତେ ଭଲ ହୁଅନ୍ତା? 




Rate this content
Log in

Similar oriya story from Crime