Golak Bihari Sahoo

Abstract Inspirational

4  

Golak Bihari Sahoo

Abstract Inspirational

ସୁନାବେଶ

ସୁନାବେଶ

4 mins
309



ଜଗନ୍ନାଥ ଡାକନାମ ଜଗା ନିଜ ସ୍ତ୍ରୀକୁ ଡାକି କହିଲେ – ଆଜି ବଡଦାଣ୍ଡରେ ପ୍ରଭୁ ନୀଳାଚଳବାସୀଙ୍କର ସୁନାବେଶ। ସୁନାବେଶରେ ତ୍ରିମୂର୍ତ୍ତିଙ୍କୁ ଦର୍ଶନ କଲେ ପୁଣ୍ୟ ଅର୍ଜନ ହୁଏ। ଆଜି ପାଗ ମେଘୁଆ ଅଛି। ଶୀଘ୍ର ସଜେଇ ହୋଇ ବାହାର। ବାଇକିରେ ଯାଇ ପ୍ରଭୁଙ୍କୁ ଦର୍ଶନ କରି ବେଳ ଥାଉଁ ଥାଉଁ ଫେରି ଆସିବା।

ସ୍ତ୍ରୀ ସୋନା ମନେ ମନେ ଖୁସି ହେଲେ। ଆଜିପରା ଦିନରେ ସ୍ଵାମୀ ସଜେଇ ହୋଇ ବାହାରିବାକୁ କହିଛନ୍ତି। ନଚେତ୍, ସବୁବେଳେ କହିବେ – ସୁନା ଅଳଙ୍କାର ସବୁ ଘରେ ଲୁଚାଇ ରଖ। ପିନ୍ଧି ବାହାରକୁ ବାହାରିବା ଆଜିକାଲି ଦିନରେ ବିପଜ୍ଜନକ। ଠାଉକା ଚୋରମାନେ ସବୁବେଳେ ଦୃଷ୍ଟି ରଖିଥାନ୍ତି। ଛଡାଇ ତ ନେବେ। ତା ସଙ୍ଗେ ଶରୀରକୁ ଆଘାତ ଦେବେ, ମାରି ବି ଦେଇ ପାରନ୍ତି। ଦେଖୁନ, ଆଜିକାଲି ଖବରରେ କଣ ସବୁ ଘଟଣା ପ୍ରକାଶ ପାଉଛି।

ସୋନା ଶୟନ କକ୍ଷରେ ଥିବା ଗୁପ୍ତ ଚାମ୍ବରରୁ ଅଳଙ୍କାର ପେଡିକୁ ବାହାର କରି ସେଥିରୁ ବାଛି ବାଛି କିଛି ଅଳଙ୍କାର ପିନ୍ଧିଲେ। କଦମ୍ଵ ମାଳି, ଚାପସରୀ, ପାନପତରୀ, ବାହୁଟି, ଚୁଡି, କଙ୍କଣ, ମୁଦି, ମଥାମଣି, କମରବନ୍ଧ।

ଜଗାଙ୍କ ମନରେ କାଳିଆ ବି ଉଚ୍ଚାଟ ଭରି ଦେଇଛନ୍ତି। ବେକରେ ଦୁଇଟି ସୁନା ଚେନ୍, ବ୍ରେସଲେଟ, ଦୁଇ ହାତ ଆଙ୍ଗୁଠିରେ ତିନି ତିନିଟା ମୁଦି।

ଦୁଇଜଣ ଯାକ ସୁନାବେଶ ହୋଇ ବାହାରକୁ ଆସି ଦୁହେଁ ଦୁହିଁଙ୍କୁ ଅନାଇ ମୁରୁକି ମୁରୁକି ହସୁଛନ୍ତି। ପ୍ରଭୁଙ୍କ ସୁନାବେଶ ଉତ୍ସବରେ ଭକ୍ତମାନେ ବା କାହିଁକି ମନ ଉଣା କରିବେ। ରଥ ଉପରେ ଉପବିଷ୍ଟ ପ୍ରଭୁମାନଙ୍କୁ ସୁନାବେଶରେ ଦର୍ଶନ କରି ନିଜକୁ ଧନ୍ୟ ମନେ କଲେ। ସୋନା, ସୁଭଦ୍ରାଙ୍କ ସୁନାବେଶ ଦେଖି ମନେ ମନେ ନିଜ ଅଳଙ୍କାର ସହ ତୁଳନା କରି ଭାବୁଛନ୍ତି ତାଙ୍କର କେଉଁଟା କମ ଅଛି। ଜଗା କହୁଛନ୍ତି – ହେ ପ୍ରଭୁ! ଆମେ ମଣିଷ ମାତ୍ର। ତୁମର ଆଶୀର୍ବାଦ ନ ହେଲେ ଆମେ କଣ ତୁମ ଭଳି ସଜାଇ ହୋଇ ପାରିବୁ।

ବର୍ଷା ଟିକେ ଝିପିଝିପି ହେଲାଣି। ଦୁହେଁ ବାଇକିରେ ଘରକୁ ଫେରିବା ପାଇଁ ବ୍ୟସ୍ତ ହେଲେଣି। ଅଧା ବାଟରେ ବର୍ଷା ଜୋରରେ ହେବାରୁ ଜଗା ଓ ସୋନା ରାସ୍ତା କଡରେ ଥିବା ଏକ ହୋଟେଲରେ ଆଶ୍ରୟ ନେଲେ। ହୋଟେଲରେ ଥିବା ଲୋକମାନେ ଏ ଦୁଇ ଜଣଙ୍କୁ ଦେଖି କୁହାକୁହି ହେଉଛନ୍ତି ସତେ ଯେମିତି ଜଗନ୍ନାଥ ଓ ସୁଭଦ୍ରା ସୁନାବେଶରେ ସହର ପରିକ୍ରମଣ କରିବାକୁ ବାହାରିଛନ୍ତି। ବର୍ଷା ଛାଡିଲା। ନିଜ ଘର ଆଉ ପାଞ୍ଚ କିମି ହେବ। କିନ୍ତୁ ଲୀଳାମୟଙ୍କ ଲୀଳା। କିଛି ବାଟ ଯାଇଛନ୍ତି, ପଛ ପାଖରୁ ଗୋଟିଏ କଳା ପଲସର ବାଇକି ଆସି ତାଙ୍କ ଗାଡିକୁ ଧକ୍କା ଦେଲା। ଦୁହେଁ ତଳେ ପଡି କ୍ଷତ ବିକ୍ଷତ। ଦୁଇ ଜଣ ଯୁବକ ପାଖକୁ ଆସି ପିସ୍ତଲ ଦେଖାଇ କହିଲେ – ସବୁ ଅଳଙ୍କାର ଭଲରେ ଭଲରେ ଖୋଲି ଦିଅ। ନଚେତ୍ ଦୁଇ ଜଣଙ୍କୁ ମାରି ଦେବୁ। ଖୋଲି ଦେବାପାଇଁ ସାମାନ୍ୟ ଶଙ୍କୋଚ ବୋଧ କରିବାରୁ ସ୍ଵାମୀକୁ ଦୁଇଟି ଶକ୍ତ ମୁଥ। ଦାନ୍ତ ଦୋହଲି ରକ୍ତ ଝରିବାକୁ ଲାଗିଲା। ସ୍ଵାମୀଙ୍କ ଅବସ୍ଥା ଦେଖି ସ୍ତ୍ରୀ ଥର ଥର ହାତରେ ସବୁ ଅଳଙ୍କାର ଖୋଲି ଦେଇ ଦେଲେ। ସ୍ଵାମୀ ଜଗା ବି ନିରୁପାୟ ହୋଇ ପିନ୍ଧି ଥିବା ଅଳଙ୍କାର ସବୁ ଖୋଲି ଦେଇ ଦେଲେ।

ଭୟ ଓ ଆଶଙ୍କାରେ ଭିଜି ଘରକୁ ଫେରିଲେ। ରାସ୍ତା ଉପରେ ଥିବା ଥାନାକୁ ଯାଇ ଏତାଲା ଦେଲେ। ଥାନାବାବୁ ଦୁହିଁଙ୍କୁ ଆଶ୍ଵାସନା ଦେଇ ଶାନ୍ତ କରାଇ ଘରକୁ ଯିବାକୁ କହିଲେ।

ତା ପର ଦିନ ଜଗାକୁ ଡକାଇ କହିଲେ- ଦୁଇ ଜଣ ଯୁବକକୁ ଆମେ ଥାନାରେ ବାନ୍ଧି ରଖିଛୁ। ତାଙ୍କଠାରୁ କିଛି ଅଳଙ୍କାର ଜବତ କରିଛୁ। କିନ୍ତୁ ତୁମେ ଏଫ୍ଆଇଆର ରେ ଦେଇଥିବା ତାଲିକା ଅନୁସାରେ ସମୁଦାୟ ଅଳଙ୍କାର ମିଳି ପାରିଲା ନାହିଁ। ତାର ଅର୍ଦ୍ଧେକ ମିଳିଛି। ଏ ଦୁଇଜଣ ଦୁର୍ଦ୍ଦାନ୍ତ ଡକାୟତ। କିଛିଦିନ ଆଗରୁ ଏମାନେ ସ୍ଥାନୀୟ ୟୁକୋ ବ୍ୟାଙ୍କର ଏଟିଏମ୍ ମେସିନ ତାଡି ପଚିଶ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି। କିନ୍ତୁ ଦଶ ଲକ୍ଷ ଟଙ୍କା ତାଙ୍କଠାରୁ ମିଳିଛି।

ଥାନାରେ ସାମ୍ବାଦିକ ମାନଙ୍କ ଭିଡ। ତା ପରଦିନ ସମ୍ବାଦପତ୍ରରେ ଖବର ସହିତ ଦୁଇ ଡକାୟତଙ୍କର ଫଟୋ ଓ ପଲସର ଗାଡିର ଫଟୋ ବି ପ୍ରକାଶ ପାଇଲା। କେହି କେହି ପତ୍ରକାର ମନ୍ତବ୍ୟ ଦେଲେ ଯେ ଏଥିରେ ଥାନା ବାବୁଙ୍କ ହାତ ଅଛି। ଲୁଟ୍ ହୋଇଥିବା ସମ୍ପତିର ଅର୍ଦ୍ଧେକ ଲୋକ ଲୋଚନକୁ ଆସୁଛି। ଆଉ ଅର୍ଦ୍ଧେକ ଥାନାବାବୁ ହଡପ କରୁଛନ୍ତି।

ଖବରଟି ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଗୋଚରକୁ ଆସିଲା। ଦୁଇଦିନ ପରେ ଥାନାବାବୁଙ୍କ ସରକାରୀ ବାସଭବନ ଉପରେ ଚଢାଉ ହେଲା। ପାଞ୍ଚ ଲକ୍ଷ ଟଙ୍କା ଓ ପଚାଶ ଭରି ଅଳଙ୍କାର ଥାନାବାବୁଙ୍କ ଘରୁ ଜବତ କରାଗଲା। ଥାନାବାବୁ ଚାକିରୀରୁ ନିଲମ୍ବିତ ହେଲେ। ପୁଣି ଜଗା ଓ ସୋନାଙ୍କ ଘରେ ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଚଢାଉ। ଘରୁ କୋଡିଏ ଭରି ସୁନା ଅଳଙ୍କାର ଜବତ। ଖୋଳତାଡରେ ଜଣା ପଡିଲା, ଜଗା କୋଡିଏ ଭରି ସୁନା ଅଳଙ୍କାର ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା କରଜ ଆଣି ନିଜର ଦୋତାଲା ଘର କରିଛନ୍ତି। ଅଧିକାରୀଙ୍କ ମନରେ ସନ୍ଦେହ ହେଲା। ତହସିଲ ଅଫିସ କିରାଣୀ ପାଖରେ ଏତେ ସୁନା ଅଳଙ୍କାର ଆସିଲା କେଉଁଠୁ। ବ୍ୟାଙ୍କରେ ବନ୍ଧକ ଥିବା ସୁନା ଅଳଙ୍କାରର ଅସଲିୟତକୁ ପରୀକ୍ଷା ପରେ ଜଣା ପଡିଲା ଯେ ଏ ସବୁ ନକଲି ଇମିଟେସନ ସୁନା, ଏକ ଗ୍ରାମ ସୁନା ଅଳଙ୍କାର। ଯେଉଁ ସ୍ୱୀକୃତି ପ୍ରାପ୍ତ ବଣିଆ ସୁନାକୁ ପରଖି ଅସଲି ସାର୍ଟିଫିକେଟ ଦେଇ ବ୍ୟାଙ୍କରେ କରଜ ମଞ୍ଜୁରୀ କରିବାରେ ସହାୟତା କରୁଥିଲା ତାକୁ ଜେଲ ହାଜତକୁ ପଠାଗଲା।

ଏତେ ସବୁ ହେଲାପରେ ସୋନା ନିଜ ସ୍ଵାମୀ ଆଡକୁ ତୀର୍ଯକ ଦୃଷ୍ଟିରେ ଅନାଇ ପଚାରିଲେ-ହେ ଜଗା! ତୁମର ଏ କି ଲୀଳା। ମୁଁ କିଛି ବୁଝି ପାରୁ ନି। ଆଜି ପର୍ଯ୍ୟନ୍ତ ପ୍ରତି ବିବାହ ବାର୍ଷିକୀ ଉତ୍ସବରେ ମୋତେ ଯେଉଁ ସୁନା ଅଳଙ୍କାର ଉପହାର ଦେଉଥିଲ ସେ କଣ ସବୁ ନକଲି? 

ଜଗା କହିଲେ-ତୁମର ବାପା ଆମର ବିବାହ ସମୟରେ ଯେଉଁ ସବୁ ଅଳଙ୍କାର ତୁମକୁ ଓ ମୋତେ ଦେଇଛନ୍ତି ତାହା ବି ସବୁ ନକଲି। ତୁମେ କାଳେ ମନରେ କଷ୍ଟ ଓ ଦୁଃଖ ଆଣିବ ବୋଲି ମୁଁ ଆଜି ପର୍ଯ୍ୟନ୍ତ ତୁମକୁ ଏ ବିଷୟରେ କିଛି କହି ନାହିଁ। ବଜାରରେ ଯେଉଁ ଚମକଦାର ଏକ ଗ୍ରାମ ସୁନା ଅଳଙ୍କାର ମିଳୁଛି ତାହା ପାଖରେ ଅସଲ ସୁନା ଅଳଙ୍କାର ତୁଚ୍ଛ ଓ ନିଷ୍ପ୍ରଭ। କିଏ ଜାଣେ ପ୍ରଭୁ ଯେଉଁ ସୁନା ଅଳଙ୍କାରରେ ସଜାଇ ହୋଇ ସୁନାବେଶରେ ଦର୍ଶନ ଦେଉଛନ୍ତି ତାହା ଅସଲି ନା ନକଲି। ହୁଏତ ଚୋର ଡକାୟତଙ୍କଠାରୁ ବଞ୍ଚାଇ ରଖିବା ପାଇଁ ଅସଲି ଅଳଙ୍କାରକୁ ଗୁପ୍ତରେ ରତ୍ନ ଭଣ୍ଡାରରେ ରଖି ନକଲି ପିନ୍ଧି ଭକ୍ତଙ୍କୁ ଆନନ୍ଦିତ କରୁଛନ୍ତି। କହୁଛନ୍ତି – ଭକ୍ତ ଓ ଭଗବାନଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନ ଥାଏ। ମୁଁ ସୁନାବେଶରେ ସଜାଇ ହେଲେ ଭକ୍ତମାନେ ନିଜକୁ ସୁନାବେଶରେ ସଜାଇ ହୋଇଛନ୍ତି ବୋଲି ମନେ କରନ୍ତି। ଆନନ୍ଦିତ ହୁଅନ୍ତି। ସେ ନକଲି ହେଉ ବା ଅସଲି। ଭାବାବେଗରେ ହିଁ ଆନନ୍ଦ। 

ତାଙ୍କର ଲୀଳା ମାନବକୁ ଅଗୋଚର। ସେ ଲୀଳା ରଚନା ନକରି ଥିଲେ, ସଂସାରେ ଦୁଷ୍ଟ, ଅସାଧୁଙ୍କ ଦମନ କେମିତି ହୁଅନ୍ତା। ଚୋର ଡକାୟତ, ଅସାଧୁ ଥାନାବାବୁ, ଅସାଧୁ ବଣିଆର ଦମନ କେମିତି ହୋଇଥାନ୍ତା। 

     ***


Rate this content
Log in

Similar oriya story from Abstract